ସାହସୀ ଝିଅ ଇତିକା
ସାହସୀ ଝିଅ ଇତିକା
ଇତିକା -
କିନ୍ତୁ ସାର୍ ,ଆପଣଙ୍କ ବୁଝିବା ଭୁଲ୍ । ମୁଁ କିଛି ଭୁଲ୍ କରିନି । ମୁଁ CL ଆପ୍ଲିକେସନ୍ ଦେଇକି ଯାଇଛି । ମୋ ମା'ଙ୍କ ଦେହ ବହୁତ ଖରାପ ଥିବାରୁ ତାଙ୍କୁ ଡକ୍ଟର ଦେଖାଇବା ପାଇଁ ମୁଁ ଛୁଟି ନେଇଥିଲି ସାର୍ । କିନ୍ତୁ ମୋ ଆପ୍ଲିକେସନ୍ କୁ ଚିରିଦେଇ ମୁଁ ଆପ୍ଲିକେସନ୍ ନ ଦେଇ ରହି ଯାଉଛି ବୋଲି ଅଭିଯୋଗ କରାଯାଇଛି ଆପଣଙ୍କ ପାଖରେ । ଆଉ ତା'ର ଏକମାତ୍ର କାରଣ ହେଲା ମୋ ଆଖି ଆଗରେ ହେଉଥିବା ଅନ୍ୟାୟ କି ଦୁର୍ନୀତିର ସାଥ୍ ଦେଇପାରୁନି ମୁଁ । ଏଠି ଖୋଲାଖୋଲି ଭାବେ ଦୁର୍ନୀତି କରିବାକୁ ବାଧ୍ୟ କରାଯାଉଛି । ମୁହଁ ଖୋଲିଲେ ଦିଆଯାଉଛି ମାନସିକ ନିର୍ଯାତନା । ଉପର ସ୍ତରରୁ ନେଇ ତଳସ୍ତର ଯାଏ ସବୁ ଅଫିସର୍ ଙ୍କ ପାଖରେ ମୋ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରାଯାଉଛି । ତେଣୁ କିଛି ଉପରିସ୍ଥ ଅଫିସର୍ ମାନଙ୍କ ଆକ୍ରୋଶର ଶୀକାର ହେବାକୁ ପଡୁଛି ମତେ । ସହିବାର ବି ଗୋଟେ ସୀମା ଥାଏ । କେତେ ଆଉ ସହିବି ସାର୍ । କଇଁକଇଁ ହୋଇ କାନ୍ଦି ପକାଇଥିଲା ଇତିକା ।
ଅଫିସର୍ -
ବୁଝିଲ । ତମ ୟୁଥ୍ ମାନଙ୍କର ସମସ୍ୟାଟା ହିଁ ଏୟା । ତମେ କେବଳ ଚାହିଁବ ଦେଶ ଗଢିବାକୁ । ନ୍ୟାୟ କରିବାକୁ । ସାମୁହିକ ସ୍ୱାର୍ଥ ଦେଖିବାକୁ । କିନ୍ତୁ ସେସବୁ କ'ଣ ସମ୍ଭବ ? ତମେ ମତେ କ'ଣ ବୁଝଉଛ । ଏଠି ଯାହା ସବୁ ହେଉଛି ମୁଁ ସବୁ ଜାଣେ । ସବୁ ଜାଣିଛି ବୋଲି ତ ମୁଁ ତମକୁ କହୁଛି ସମୟ ଥାଉଥାଉ ନିଜକୁ ସୁଧାର । ଆମ ସାଇଡ୍ ଟା ହେଲା ଅନୁନ୍ନତ ଏରିଆ । ଏପଟେ ସରକାରୀ ଅଫିସ୍ ରେ ଏମିତି ଦୁର୍ନୀତି ଚାଲେ । ତମେ ଏସବୁ ମାନିନିଅ । ଏମିତିଆ ପରିବେଶ ସହିତ ଖାପ ଖୁଆଇ ଚଳ । ଆଉ ଯଦି ଏସବୁ ଆଖି ଆଗରେ ଦେଖିପାରୁନ ତାହେଲେ କୁହ କେଉଁ ଜାଗାକୁ ଯିବ ? ମୁଁ ତମକୁ ଟ୍ରାନ୍ସଫର୍ କରି ସେଠିକୁ ପଠେଇଦେବି । କିନ୍ତୁ ଅଫିସ୍ ର ପଇସାପତ୍ର ଭଳି ଇଣ୍ଟରନାଲ୍ ମ୍ୟାଟର୍ ରେ ତମେ ମୁଣ୍ଡ ଖେଳାଅନି । ତମେ ଜଣେ ଠିକା କର୍ମଚାରୀ । ରେଗୁଲାର୍ ବି ନ ହେଇପାର ବର୍ଷ ବର୍ଷ ଧରି । ଦରକାର ପଡିଲେ ତମ ଚାକିରୀ ବି ଯାଇପାରେ । ମୁଁ ତମକୁ ଜଣେ ଅଫିସର୍ ନୁହଁ,ଜଣେ ବଡଭାଇ ହିସାବରେ ବୁଝଉଛି । ମାନି ନିଅ ଏସବୁ ।
ଇତିକା -
ମୁଁ ଆପଣଙ୍କୁ ବଡଭାଇ ପରି ସମ୍ମାନ ଦିଏ ସାର୍ । କିନ୍ତୁ ମୋ ବଡଭାଇ ଏମିତି ଭୁଲ୍ କଥା ମତେ କେବେ ଶିଖେଇ ନାହାନ୍ତି । ମୁଁ ଠିକା କର୍ମଚାରୀ ବୋଲି ମୋର କ'ଣ କଥା କହିବାର ଅଧିକାର ନାହିଁ । ମୁଁ ଠିକା କର୍ମଚାରୀ ହେଇପାରେ ସାର୍, କିନ୍ତୁ ମୁଁ ଅନ୍ଧ ନୁହେଁ । ଆଖି ଥାଇ ମୁଁ ଅନ୍ଧ ପରି ଅଭିନୟ କରି ପାରିବିନି । ମୁଁ ଆପଣଙ୍କ କଥାରେ ରାଜି ନୁହେଁ ସାର୍ । ମାନୁଛି ଏପଟ ସାଇଡ୍ ଟିକେ ଅନୁନ୍ନତ । କିନ୍ତୁ ଆମେ ଚାହିଁଲେ ଏଠି ଉନ୍ନତି ହେଇପାରିବ । ସରକାର ଏପଟ ଏରିଆ ପାଇଁ ବହୁତ ପଇସା ଖର୍ଚ୍ଚ କରୁଛନ୍ତି । ସରକାରୀ ଅନୁଦାନ ଗୁଡିକ ଯଦି ବ୍ୟକ୍ତିଗତ ଭାବେ କାହାର ପକେଟ୍ କୁ ନଯାଇ କାମରେ ଲାଗନ୍ତା ତାହାଲେ ଏପଟ ବି କଟକ ଭୁବନେଶ୍ୱର ଭଳି ଉନ୍ନତ ଜାଗା ହେଇ ଯାଆନ୍ତା । ୧୦୦ଟଙ୍କାରୁ ଅନ୍ତତଃ ୬୦ କି ୭୦ ଟଙ୍କା ତ କାମରେ ଲାଗୁ । କିନ୍ତୁ ୯୯ଟଙ୍କା ବ୍ୟକ୍ତିଗତ ଭାବେ କାହା ପକେଟ୍ କୁ ଗଲେ କି ଉନ୍ନତି ହେବ ସାର୍ ?? ମତେ ଟ୍ରାନ୍ସଫର୍ କରି ଅଲଗା ଯାଗାକୁ ପଠେଇ ଦିଆଯାଉ କି ମୋ ଚାକିରୀ ଚାଲିଯାଉ ପଛେ କିନ୍ତୁ ମୁଁ ଏମିତିକା ଅନ୍ୟାୟକୁ ଆଖି ଆଗରେ ଦେଖି ପାରିବିନି । ମୁଁ ନିଶ୍ଚୟ ପ୍ରତିବାଦ କରିବି ।
ଅଫିସର୍ -
ତମର ଯଦି ଏତେ ଜିଦ୍ ତାହାଲେ ମୁଁ ମୋ ଲେଭେଲ୍ ରେ ରହି କ'ଣ କରି ପାରୁଛି ତମେ ଦେଖ । ବହୁତ ମହଙ୍ଗା ପଡିବ ତମକୁ ତମର ଏଇ ସଚ୍ଚୋଟପଣିଆ । ପନିଶମେଣ୍ଟ୍ ଟ୍ରାନ୍ସଫର୍ ରେ ତମକୁ କୋରାପୁଟ କି ମାଲକାନଗିରି ପଠେଇ ଦିଆ ଯାଇପାରେ ।
ମିଟିଙ୍ଗ୍ ଭିତରେ ଏମିତି କିଛି ବାର୍ତ୍ତାଳାପ ଚାଲିଥିଲା । ଏହାକୁ ମୁକ ଭଳି ଦେଖୁଥିଲେ ଇତିକାର ଅନ୍ୟ କେତେ ଜଣ ସହକର୍ମୀ । ଜଣେ ଅଫିସର୍ ମିଟିଙ୍ଗ୍ ରେ ବସି ଗୋଟେ ଝିଅକୁ ଏମିତି ଚାର୍ଜ୍ କରିବାଟା ନା ସେମାନେ ସହି ପାରୁଥିଲେ ନା କିଛି କହି ପାରୁଥିଲେ । କେମିତି ବି ପ୍ରତିବାଦ କରିବେ । ଆଜି ପ୍ରତିବାଦ କଲେ କାଲି ସେମାନଙ୍କର ଅବସ୍ଥା ବି ଇତିକା ଭଳି ହେବ । ମିଳୁଥି
ବା ସବୁ ଉପୁରି ଆଉ ସୁବିଧାସୁଯୋଗ ହାତଛଡା ହେଇଯିବ । ଉପରିସ୍ଥ ଅଫିସର୍ ଙ୍କ ଆଗରେ ମିଛସତ କହି ସେମାନଙ୍କୁ ବାରମ୍ବାର ହଇରାଣ କରାଯିବ । ଏଇ ଭୟ ସେମାନଙ୍କୁ ଚୁପ୍ ରହିବାକୁ ବାଧ୍ୟ କରୁଥିଲା ।
ମିଟିଙ୍ଗ୍ ଭିତରେ ଏବେ ସମସ୍ତେ ଚୁପ୍ । ଅଖଣ୍ଡ ନୀରବତା । କାଠ ହେଇ ଯାଉଥିଲା ଇତିକା । କ'ଣ କରିବ କିଛି ଭାବି ପାରୁ ନଥିଲା । ଅଫିସର୍ ଙ୍କ କଥାଗୁଡିକ ତା'ର କର୍ଣ୍ଣପଟଳରେ ଢାଏଁଢାଏଁ ବାଜି ଉଠୁଥିଲା । ସେ ବୁଝି ପାରୁ ନଥିଲା ଯେ ଗୋଟେ ସରକାରୀ ଅଫିସ୍ ର ଇଣ୍ଟରନାଲ୍ ମ୍ୟାଟର୍ ପୁଣି କ'ଣ ? କେଉଁ ପ୍ରକାର ଇଣ୍ଟରନାଲ୍ ? ସରକାରୀ ଅଫିସ୍ ଟା କ'ଣ କାହାର ବ୍ୟକ୍ତିଗତ ସମ୍ପତ୍ତି ? ଅନ୍ୟାୟ ଆଉ ଦୁର୍ନୀତିକୁ ରୋକିବା ପାଇଁ ଚେଷ୍ଟା କରିବା ବଦଳରେ ଅଫିସର୍ ଜଣକ କହୁଛନ୍ତି ଯଦି ଅନ୍ୟାୟ ସହିପାରୁନ ତାହାଲେ ଏଠୁ ଟ୍ରାନ୍ସଫର୍ ହେଇ ଅନ୍ୟ ଜାଗାକୁ ପଳାଅ । ଆରେ ଢିଙ୍କି ସ୍ୱର୍ଗକୁ ଗଲେ ବି ଧାନ କୁଟେ । ମୁଁ ଯେ କୌଣସି ଅଫିସ୍ କୁ ଗଲେ ବି ସଚ୍ଚୋଟ ଭାବରେ କାମ କରିବି । ଆଉ ଟ୍ରାନ୍ସଫର୍ ହେଇ ଯାଇ ଲାଭ କ'ଣ ? ଏକଥା କ'ଣ ଅଫିସର୍ ଜଣକ ଜାଣି ପାରୁନାହାଁନ୍ତି ? ନିଜ ମନ ଭିତରର ଏମିତି ପ୍ରଶ୍ନବାଣରେ ସେ ନିଜେ ଘାଇଲା ହେଉଥିଲା । କେତେ ଆଶା ରଖିଥିଲା ସେ । ଭାବିଥିଲା ନୂଆ କରି ଯୋଗ ଦେଇଥିବା ଅଫିସର୍ ଜଣକ ସଚ୍ଚୋଟ । ସେ ତା କଥା ନିଶ୍ଚୟ ବୁଝିବେ । ସତ୍ ଆଉ ନ୍ୟାୟର ସାଥ୍ ଦେବେ । କିନ୍ତୁ ତା'ର ଭାବନା ତ ସମ୍ପୁର୍ଣ୍ଣ ଭୁଲ୍ ପ୍ରମାଣିତ ହେଲା । ଏବେ ସେ କ'ଣ କରିବ ! ଚାକିରୀ କରିବ ନା ଚାକିରୀ ଛାଡି ଘରକୁ ଚାଲିଯିବ । କିନ୍ତୁ କେମିତି ଚାକିରୀ ଛାଡି ଚାଲିଯିବ ? ଘରେ ବୁଢା ବାପାମା' । ଇତିକା ପାଉଥିବା କେଇଟା ଟଙ୍କାରେ ତ ଗୁଜୁରାଣ ମେଣ୍ଟୁଛି ତାଙ୍କର ।
ଇତିକା ମିଶ୍ର । ଗରିବ ପରିବାରର ଝିଅ । ନିଜ ଗରିବ ପରିସ୍ଥିତି ସହିତ ବେଶ୍ ସଂଘର୍ଷ କରି ନିଜ କଠୋର ପରିଶ୍ରମ ତଥା ଈଶ୍ୱର ଓ ଗୁରୁଜନମାନଙ୍କ ଆଶୀର୍ବାଦରୁ ସେ ସରକାରୀ ଚାକିରୀ ଖଣ୍ଡେ ପାଇଛି । ଘରଠୁ ୨୨୦ କି.ମି. ଦରରେ ପୋଷ୍ଟିଙ୍ଗ୍ ହେଇଥିଲେ ବି ଘରର ପରିସ୍ଥିତିକୁ ଆଖି ଆଗରେ ରଖି ସେ କାର୍ଯ୍ଯରେ ଯୋଗଦାନ କରିଛି । ସେବେଠାରୁ ଦେଖି ଆସିଛି ସିଏ । କେମିତି ସରକାରୀ ଅଫିସ୍ ରେ ସରକାରୀ ଅନୁଦାନକୁ ଲୁଟିବା ପାଇଁ ସିନିୟର୍ ମାନଙ୍କର ଚାଲିଥାଏ ବିଭିନ୍ନ ପ୍ରକାର ଧୂର୍ତ୍ତତା,ଚତୁରତା ଓ ଷଡଯନ୍ତ୍ର । ସରକାରୀ କାମଗୁଡିକ ଖାଲି କାଗଜପତ୍ରରେ ହୁଏ । ମିଛ ବିଲ୍ ବନେଇ ଦିଆହୁଏ । କିନ୍ତୁ କାମ ଶୂନ୍ୟ । ସେଇ ଅନୁଦାନରୁ କିଛି ପାଇବା ପାଇଁ କିଛି ସହକର୍ମୀମାନେ ଉପରିସ୍ଥ ଅଫିସର୍ ଙ୍କ ପାଦତଳେ ନିଜ ଆତ୍ମସମ୍ମାନକୁ ବଳିଦେଇ କାଉକୁ ଧଳା ଆଉ ବଗକୁ କଳା ବୋଲି ଅଫିସର୍ ସହିତ ପାଳି ଧରନ୍ତି । ତା'ର ପ୍ରତିବଦଳରେ ସେମାନଙ୍କୁ ମିଳେ ଅଫିସର୍ ଲୁଟୁଥିବା ଟଙ୍କାର ୧୦ କି ୨୦ ଶତକଡା । କେବଳ ସେତିକି ନହେଁ ଦିନସାରା ଘରେ ଶୋଇ ସଞ୍ଜକୁ ଆସି ଆଟେଣ୍ଡାନ୍ସ୍ ଖାତାରେ ସାଇନ୍ ମାରିବା ଭଳି ସୁବିଧାସୁଯୋଗ । ଇତିକା କିନ୍ତୁ ସେ ସର୍ତ୍ତକୁ ମାନିବାକୁ ଅପ୍ରସ୍ତୁତ ।
କେଇଟା ଟଙ୍କା ନେଇ ଆତ୍ମସମ୍ମାନକୁ ବିକ୍ରୀ କରି ପାରିବନି ସେ । ସେ ଅନ୍ୟାୟ ବିରୁଦ୍ଧରେ ଲଢିବ । ସମାଜର ମଙ୍ଗଳ ପାଇଁ କାମ କରିବ । ସେଥିପାଇଁ ତାକୁ ଯେତେ କଷ୍ଟ ସହିବାକୁ ପଡିଲେ ସେ ସହିବ । ପଛକେ ତା' ଜୀବନ ଚାଲିଯାଉ କିନ୍ତୁ ସେ ଏ ଦୁର୍ନୀତିଖୋର୍ ଅଫିସର୍ ମାନଙ୍କ ସର୍ତ୍ତରେ ଆଦୌ ରାଜି ହେବନି କି ପଛକୁ ବି ହଟିବନି । ଆରେ,ଏ ସାରା ଦୁନିଆଟା ଗୋଟେ ନିକିତି ସଦୃଶ । ଆଜିର ସମୟରେ ଅନ୍ୟାୟର ପଲା ଭାରି ଅଛି ସତ କିନ୍ତୁ କିଛି ନ୍ୟାୟବାନ୍ ଲୋକ ଅଛନ୍ତି ବୋଲି ତ ଦୁନିଆଁ ଚାଲିଛି । ଏମିତି କିଛି କଥା କହି ଇତିକା ବୁଝାଇ ଚାଲିଛି ନିଜ ମନକୁ । ନା..ସେ ଚାକିରୀ ଛାଡିବନି । କାରଣ ସରକାରୀ ଅଫିସ୍ ଗୁଡିକୁ ତା' ଭଳି କର୍ମଚାରୀ ମାନଙ୍କର ଆବଶ୍ୟକତା ରହିଛି । ଯୋଉମାନେ ନିଜ ଚାକିରୀକୁ ନୁହେଁ ଦରକାର ପଡିଲେ ନିଜ ଜୀବନକୁ ବାଜି ଲଗେଇ ସାଧାରଣ ଜନତା ପାଇଁ ଲଢିବେ । ସେମାନଙ୍କର ସେବା କରିବେ । ସେମାନଙ୍କୁ ନ୍ୟାୟ ଦେବେ । ସାଧାରଣ ଜନତାଟିଏ ସରକାରୀ ଅଫିସ୍ ରୁ ନିଜ କାମ ସାରି ଫେରିବ ମୁହଁରେ ଚେନାଏ ଶାନ୍ତିର ହସ ଫୁଟାଇ ।