Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

SOUBHAGYABATI GIRI

Inspirational

4.9  

SOUBHAGYABATI GIRI

Inspirational

ମାନସିକତାର ଲକଡାଉନ୍

ମାନସିକତାର ଲକଡାଉନ୍

5 mins
563


ଆଜି ଲିପିର ଜନ୍ମଦିନ । ତା'ର ବି ଜନ୍ମଦିନ ଗୋଟେ କ'ଣ । ଖାଲି ବୟସ ବଢିବାର ଗୋଟେ ସଙ୍କେତ । ସେ କ'ଣ ପୁଅ କି ? ସେ ପରା ଝିଅଟା । ତା' ସାନଭାଇ ମାନଙ୍କ ଜନ୍ମଦିନରେ ତା' ମା' ନୂଆ ପ୍ୟାଣ୍ଟ୍ ସାର୍ଟ ଆଣିଦିଏ । ଗାଁ ଠାକୁରାଣୀ ଗାଧେଇ ଦିଏ । କ୍ଷୀରିପିଠା କରେ । ହେଲେ ତା' ଜନ୍ମଦିନରେ ସେମିତି କିଛି ନାହିଁ । ସେ ନିଜେ ଯାଇ ମନ୍ଦିରରୁ ଠାକୁର ଦର୍ଶନ ଟିକେ କରିଆସେ । ବାସ୍ ସେତିକି । ହେଲେ ଏଥର ଲକଡାଉନ୍ ରେ ସେତକ ବି କରି ହେଲାନି । ଖାଲି ବୟସଟା ଗୋଟେ ବର୍ଷ ବଢିଗଲା । ଏଇଥର ତାକୁ ସତର ପୁରି ଅଠର ବର୍ଷ ଚାଲିଲା । ଲିପିର ବାପା ପରଘରେ ମୂଲ ଲାଗି ନିଜ ଗୁଜୁରାଣ ମେଣ୍ଟାନ୍ତି । ସକାଳୁ କାମକୁ ବାହାରି ଯାଆନ୍ତି ଯେ ଫେରିଲା ବେଳକୁ ଷୋଳ ଶିରା ଦୁହିଁ ହୋଇ ଯାଇଥାଏ । ହେଲେ ଏଇ କେଇ ମାସ ହେବ କି କରୋନା ଆସିଚି କେଜାଣି କାମଧନ୍ଦା ସବୁ ବନ୍ଦ । ଘରେ ଦୁଇଓଳି ତ ଛାଡ ଓଳିଏ ବି ଚୂଲି ଜଳିବା କଷ୍ଟ । ଏ କରୋନା ତ ପୂରା ଗରିବଙ୍କ କପାଳ ଫଟେଇ ସାରିଲାଣି । 


      ଲିପି ଘରେ ପାଞ୍ଚପ୍ରାଣୀ କୁଟୁମ୍ବ । ଲିପି ବଡ । ତା' ତଳେ ଦିଇଟା ଭାଇ । ଦୁହେଁ ଯାକ ଚାଲିଗଲା ଶଗଡରେ ହାତ ମାରିବା ଭଳି ପିଲା । ଖାଲି ଗୋଡ ବୋଇଲେ ହାତ କାମ କରି ପକାଏ । ହେଲେ ଲିପିର କାନ ମୋଡିଲେ ବି ବଚନ ବାହାରେନି । ମୂର୍ଖ ଲୋକ ହେଲେବି ଲିପି ମା' ଜାଣିଥିଲା ଯେ ଅଠର ବର୍ଷ ନହେଲେ କାଳେ ଝିଅ ବାହାଘର ହେଇ ପାରିବନି । ଏଥର କିନ୍ତୁ ଲିପି ମା' ଆଣ୍ଟ ବାନ୍ଧିଛି, ଆଉ ଝିଅକୁ ଘରେ ରଖିବନି । ଏଇ ଲକଡାଉନ୍ ରେ ଝିଅକୁ ହାତକୁ ଦି' ହାତ କରେଇ ଦେବ । ଏଇ ବେଳରେ ବାହାଘରଟା କଲେ ସାଇପଡିଶା ଭୋଜିଭାତ ଖର୍ଚ୍ଚଟା ନାହିଁ । ବାହାଘର ପରେ ଘରୁ ଜଣେ କମିଗଲେ ବି ମୁଠାଏ କମିଯିବ । ସେଇ ମୁଠାଏ କୋଉଠୁ ଆସେ । ଦିନେଦିନେ ତ ସେତିକି ବି ମିଳୁନି । କେତେ ଲୋକଙ୍କର ଗୋଡହାତ ଧଇଲାଣି ଲିପିମା' । ଲିପି ପାଇଁ ବରପାତ୍ର ଗୋଟେ ଠିକ୍ କରିଦେବା ପାଇଁ । ହେଲେ ଏ ବେଳରେ କିଏ କାହା କଥା ଶୁଣୁଛି । ସମସ୍ତଙ୍କ ଖାଇବା ପତରରେ ଧୂଳି ପକେଇ ଦେଇଛି ଏ କରୋନା । ଲିପି ବାପାକୁ ଆଉ ବସେଇଉଠେଇ ଦେଉନି ସିଏ । ଯାଉଣୁଆସୁଣୁ ସେଇ ବାହାଘର କଥା । ଲିପି ଚାହୁଁଥିଲା ସେ ଆଉଟିକେ ପାଠ ପଢିବ । ବାହାଘର କଥା ଶୁଣି କିଛିସମୟ ପେଡି ପରି ମୁହଁ କରି ବସିରହିଲା । ହେଲେ ଘରର ପରିସ୍ଥିତି ଆଉ ସାନଭାଇ ମାନଙ୍କ କଥା ଭାବି ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରି ତା ମା' କଥାରେ ହଁ କରିବାକୁ ପଡିଲା ତାକୁ । ଶେଷରେ ଲିପିର ପୋଥିରେ ଡୋରୀ ବନ୍ଧାହେଲା । ଘରକାମ ବୋଝଟାକୁ ନିଜ ମୁଣ୍ଡ ଉପରୁ କାଢି ଲିପି ମୁଣ୍ଡରେ ଲଦିଦେଲା ତା ମା' ।


   ଏଣିକି ଲିପି ମା' ସବୁବେଳେ ଲିପିକୁ ବୁଝଉଥିଲା 


 " ଦେଖ୍ ଝିଅ,ତୁ ତ ଆମର ଟିକେ କଳା । ଏବେଠୁ ସବୁଦିନ ଗାଧେଇଲା ବେଳେ ଟିକେଟିକେ କଞ୍ଚାହଳଦୀ ଲଗଉଥା ଯେ ବର୍ଣ୍ଣଟା ଟିକେ ଫିଟିଯିବ । ନହେଲେ ଶାଶୁଘର ଲୋକ ବେଶୀ ଟଙ୍କା ଡିମାଟ କରିବେ । ତୋ ବାପା ତ ଦିନେ କାମକୁ ନଗଲେ ସେଦିନ ଆମ ଚୁଲୀକୁ ହାଣ୍ଡି ଯାଉନି । ଆଉ ଟଙ୍କା ଆମେ କୋଉଠୁ ପାଇବା ଯେ ଦବା । ଲିପି ତା ମା'ର ଏ ଅଲଣା କଥାଗୁଡାକୁ ଏ କାନରେ ପୁରେଇ ସେ କାନରେ ବାହାର କରିଦେଉଥିଲା । ମନେମନେ ଭାରି ଚିଡୁଥିଲା ତା' ମା' ଉପରେ । ଆରେ ଟଙ୍କା ଦେଇଦେଲେ କ'ଣ କାଳି ଝିଅ ଗୋରୀ ହେଇଯାଏ ନା କ'ଣ ? ଏ ଟଙ୍କା ଦେଇ ଖାଲି ମାଙ୍କଡକୁ ଚାଉଳଖିଆ ଶିଖେଇବା କଥା ଯାହା । ଅନ୍ୟ ସବୁ ରଙ୍ଗ ଭଳି କଳାଟା ବି ଗୋଟେ ରଙ୍ଗ । ଏଇ ରଙ୍ଗଟା ବାବଦକୁ ଆଉ କିଛି ଟଙ୍କା କାଇଁ ଅଧିକା ? ମନରେ ଏମିତି ଭାବିଲେ ବି ମା' କୁ ମୁହଁ ଖୋଲିଲାନି । କହିଲା - 

    

    " ମା' ଏବେ କରୋନା ରୋଗ ବ୍ୟାପୁଛି । ସାନିଟାଇଜର୍ ଗୋଟେ ଆଣେ ଯେ ଆମେ ହାତରେ ମାରିବା । " 


   " ଏଁ....ସାଟାଇଜର । ଘରେ ଖାଇବାକୁ ଦାନା ନାହିଁ । ତୁ ଏଡେ ସାଟାଇଜର୍ ନଗେଇ ଟା । " ମୁହଁ ମୋଡିଦେଇ ଚାଲିଗଲା ଲିପି ମା' ।

 

      ଏବେ ବାହାଘର ପାଇଁ ପ୍ରସ୍ତାବ ଆସୁଥିଲା ତା'ର । ଲିପି ବି ମନେମନେ ସ୍ୱପ୍ନ ଦେଖୁଥିଲା ଦିନେ ତା' ସ୍ୱପ୍ନର ରାଜକୁମାର ଆସିବ । ତାକୁ ବୋହୂରାଣୀ ବେଶରେ ସଜେଇ ତା' ରାଜ୍ୟର ରାଜମହଲକୁ ନେଇଯିବ । ହେଲେ ନା,ସେ କାହାରି ମନକୁ ଛୁଉଁ ନଥିଲା । ତା' କଳାରଙ୍ଗ ପାଇଁ ବାହାଘର ଭାଙ୍ଗି ଯାଉଥିଲା । ସମୟ ଗଡି ଯାଉଥିଲା । ବୟସ ବି ବଢି ଯାଉଥିଲା । ଏଇ ଭିତରେ ଦି' ବରଷ ବିତିଗଲାଣି । ଝିଅକୁ କୋଡିଏ ଛୁଇଁଲାଣି । ଲିପି ମା'ର ଚିନ୍ତା ଏବେ ବଢିବଢି ପୁରା ପାହାଡଟେ ହେଇ ସାରିଲାଣି । ସବୁବେଳେ ଦେଖ ଲିପିବାପା ଉପରେ ରାଗରେ ଗରଗର ହେଇ କହୁଥିବ ଏ ଛେଳି ଗୋଡରେ ଧାନ ମକଚି ହେଲାଣି ନା ହବ । ଲିପିମା'ର ଗରଗର ଶୁଣିବାଟା ଏଣିକି ଲିପିବାପାର ଦେହସୁହା ହେଇଗଲାଣି ।


      ଲିପି ବି କୋଉ ନାହିରେ ତେଲ ପକେଇ ଶୋଇଛି କି ? ସେ ତ ବିଚାରୀ ଉପାୟଶୂନ୍ୟ । ଦେହର ରଙ୍ଗଟା କ'ଣ ପିତଳବାସନ ହେଇଚି ଯେ ଖଟା ପକେଇ ଘଷିମାଜି ଦେଲେ ପୁଣି ଚିକିଚିକି କରିବ । ଜହ୍ନରେ ପରା କ'ଣ ଟିକିଏ କଳା ଲାଗିଯାଇଥିଲା ଯେ ସେଇଟା ଯୁଗଯୁଗ ବିତିଗଲେ ବି ଛାଡୁନି । ଆଉ ତା ଦେହର କଳାରଙ୍ଗଟାକୁ ସେ କେମିିତି ଛଡେଇବ । 


   ଏଣିକି ନିଜ ଦେହର କଳାରଙ୍ଗକୁ ନେଇ ଲିପି ମୁଣ୍ଡକୁ ବି ତେନ୍ତୁଲିଆ ବିଛା କାମୁଡିଲାଣି । ଏଇ ରଙ୍ଗଟା ପାଇଁ ସେ ଆଜି ବାପାମା' ଙ୍କ ଉପରେ ବୋଝ । ଏମିତି ଭାବି ଲିପି ଭାବବିହ୍ୱଳ ହେଇ ପଡେ । ଆଖିରୁ ତାର ଥପ୍ ଥପ୍ ଲୁହ ଝରିପଡେ । ପର ମୁହୁର୍ତ୍ତରେ ରଙ୍ଗ ପାଇଁ ତା ବାହାଘର ଭାଙ୍ଗୁଥିବା ଏମିତି ହୀନମାନସିକତାର ଲୋକଙ୍କ ଉପରେ ଖାଲି ରକ୍ତଚାଉଳ ଚୋବାଏ ଲିପି । 


    ବୟସ ବଢିବା ସହିତ ଲିପିର ପିଲାଳିଆ ମନଟା ବି ବଦଳୁଛି । ଦେହରେ ଯୌବନର ଟକ୍ ମକ୍ ଫୁଟିଲା ରକ୍ତ । ଏଇ ବୟସଟା ତ ସବୁ ଅନ୍ୟାୟ ବିରୁଦ୍ଧରେ ମୁହଁ ଖୋଲିବାର ପ୍ରକୃତ ସମୟ । ଏଇ ବୟସରେ ତ ଦିଆଯାଏ ବିହାୟସଭେଦୀ ଉଦଘୋଷ । ନା, ସିଏ ଆଉ ଚିନିବୁହା ବଳଦ ହେଇ ପାରିବନି । ପର ମୁଣ୍ଡରେ ଯେତେ ନଡିଆ ବାଡେଇଲେ କ'ଣ ହେବ । ଏବେ ସେ ନିଜେ ସିଂହ ପରି ଯୁଝିବାକୁ ଅଣ୍ଟାଭିଡି ପ୍ରସ୍ତୁତ ହୋଇଗଲାଣି । ମନେମନେ ଭାବେ - ମୋ ଦେହର ରଙ୍ଗ କଳା । ସେଥିରେ ମନ ମାରିବାର କ'ଣ ଅଛି । ଲାଜ ମାଡିବାର କ'ଣ ଅଛି । ବରଂ ଲାଜ ତ ସେଇ ମାନଙ୍କ ମୁହଁକୁ ଲାଗିବା କଥା ଯୋଉମାନେ କଳାଗୋରା ଭେଦଭାବ କରୁଛନ୍ତି । ଗୋରାଲୋକଙ୍କୁ ଯଦି ଏବେ କୁହାଯାଏ କଳା ହେଇକି ଦେଖା, ସେମାନେ କ'ଣ ପାରିବେକି ? ଠିକ୍ ସେମିତି କଳାଲୋକଙ୍କୁ ବି ନିଜ ରଙ୍ଗ ବଦଳେଇବାର ନାହିଁ । ଯଦି ପାରିବେ,ଏ ଭେଦଭାବ କରୁଥିବା ଲୋକମାନେ ନିଜ ହୀନ ମାନସିକତାଟା ବଦଳେଇ ଦିଅନ୍ତୁ । ତାଙ୍କ ନାକଛିଞ୍ଚଡା ସେ ତାଙ୍କ ଘରେ ଦେଖାନ୍ତୁ ।


      ଆରେ ଆମ ଭଳି ଗରିବ ଲୋକଙ୍କ କଥା ଛାଡ । ଏ କଳାଗୋରା ଭେଦଭାବଟା ଶିକ୍ଷିତ ଆଉ ବଡଲୋକିଆ ବାବୁମାନଙ୍କ ପାଖରେ ବହୁତ୍ ବେଶୀ । ଶିକ୍ଷିତ ମୂର୍ଖଙ୍କୁ କ'ଣ ବୁଝେଇହବ ? ଶିକ୍ଷିତମୂର୍ଖଙ୍କୁ ବୁଝେଇବା ଯାହା ଅନ୍ଧ ଦେଶରେ ଦର୍ପଣ ବିକିବା ସେୟା । ଆଉ ଏଥିରେ ମୂଖ୍ୟ ଖଳନାୟିକା ହେଉଛନ୍ତି କିଛି ହୀନା ନାରୀ । ପ୍ରତି କଥାରୁ ଖିଅ କାଢିବା ତାଙ୍କର ଗୋଟେ ପୁରୁଣା ଅଭ୍ୟାସ । କାଳିକୋତରୀ ନଣନ୍ଦଟେ ଭାଉଜ ଖୋଜିବାକୁ ଗଲେ, ଭାଉଜର ଶ୍ୟାମଳ ରଙ୍ଗଟାବି ତାକୁ ପିଚୁ ଠାରୁ ଆହୁରି କଳା ଦେଖାଯାଉଛି । ସେ ବି ଛୁଞ୍ଚିମାଛି ପରୀକ୍ଷା କରୁଛି । ଏଇଠି ନଣନ୍ଦ ମହାଶୟାଙ୍କ ଉଦ୍ଦେଶ୍ୟରେ କୁହା ଯାଇପାରେ ଗୋଦଡୀ ଲୋ ତୋ ଗୋଡକୁ ଅନା । ଏମିତି ପରିସ୍ଥିତିରେ ଡାହାଳକୁକୁର ସାମ୍ନାକୁ ମାଂସ ଖଣ୍ଡେ ଫୋପାଡିଲା ପରି କନ୍ୟାପକ୍ଷ ଯଦି କିଛି ଟଙ୍କା ଫୋପାଡି ଦିଅନ୍ତି ବରପକ୍ଷଙ୍କୁ କୋଟିନିଧି ମିଳିଗଲା ପରି ଲାଗେ । ପ୍ରସାଦ ପରି ଟଙ୍କାତକ ପାଇଯାଆନ୍ତି ବିକଳ ବରପକ୍ଷ । ଏକାମୁହଁରେ ଉଆଉଷୁନା ପରି ପୁଣି କଳାଝିଅକୁ ଭଲଭଲ କହି ଢୋଲ ପିଟନ୍ତି । ଆଉ ଗରିବ ଝିଅଟି ଗରିବ ପରିବାରର ହେଇଥିଲେ ବାହାଘର ସିଧାସିଧା ଭାଙ୍ଗି ଦିଅନ୍ତି । ସେମାନେ ତ ଆଜି ଯାଏ ଜାଣି ନାହାଁନ୍ତି କି ପ୍ରକୃତ କଳାରଙ୍ଗ କ'ଣ । ସେମାନେତ ବଦଳି ପାରୁ ନାହାଁନ୍ତି ଆଉ ଆମ ମଳିମୁଣ୍ଡିଆଙ୍କ କଥା କ'ଣ କହିବ ।


       ଏ ସମାଜ କେବେ ବୁଝିବ ଯେ ସବୁ ରଙ୍ଗ ପରି କଳା ବି ଏକ ରଙ୍ଗ । କାଳିଝିଅକୁ ବି ପ୍ରେମ କରା ଯାଇପାରେ । ଲେଖକଙ୍କ ଲେଖନୀ ମୁନ ବି ଅତି ସୁନ୍ଦର ଭାବେ କାଳିଝିଅର ଚିତ୍ର ଆଙ୍କିପାରେ । କବିଙ୍କ କବିତାରେ କାଳିଝିଅକୁ ଅତି ସୁନ୍ଦର ବର୍ଣ୍ଣନା କରା ଯାଇପାରେ । କାଳିଝିଅବି ଏକ ଭଲ ଜୀବନସାଥୀର ଭୂମିକା ନିଭେଇ ପାରେ । 


 ଗୋରାଝିଅ ଖୋଜିବାର ଏ କୁହୁଡିପହଁରା ଭିତରୁ ଲୋକମାନେ କେବେ ବାହାରିବେ ? ଲିପି ମତରେ ଦେହଟା ସାରା କଳା ହେଇଥିଲେ ବି କିଛି ଯାଏଆସ ନାହିଁ । କିନ୍ତୁ ଚରିତ୍ରରେ ଯଦି ସାମାନ୍ୟ ବି କଳା ଲାଗିଗଲା ସେଇଟା ହେଉଛି ପ୍ରକୃତ କଳାରଙ୍ଗ । 


    ହାତ ଆଞ୍ଜୁଳାରେ ଆଞ୍ଜୁଳାଏ ବିଶ୍ୱାସର ପୁଷ୍ପ ଧରିବସିଛି ଲିପି ଏ ସମାଜ ପାଇଁ । ଏ ସମାଜ ଦିନେ ନା ଦିନେ ନିଶ୍ଚୟ ବଦଳିବ । କରୋନା ସହିତ ଏ ହୀନ ମାନସିକତାଟା ବି ଦିନେ ଦୁନିଆ ଛାଡି ନିଶ୍ଚୟ ଚାଲିଯିବ । 



Rate this content
Log in

More oriya story from SOUBHAGYABATI GIRI

Similar oriya story from Inspirational