ପ୍ରତିହତ ସଂପର୍କର ପରିଧି
ପ୍ରତିହତ ସଂପର୍କର ପରିଧି
ଅଳକା ଭାବୁଥିଲା, କୋଉଠି ଭୁଲ୍ ରହିଗଲା ତା’ର? ଜିତମିତ୍ରଙ୍କୁ ପତ୍ନୀ ର ପ୍ରେମ ଦେବାରେ ନା ତାଙ୍କର ପରିବାରର ବୋହୁପଣିଆ କରିବାରେ ନା ତାଙ୍କର ସନ୍ତାନ ଦୁହିଁଙ୍କୁ ଲାଳନପାଳନ କରିବାରେ ? କେଉଁଠି ତ୍ରୁଟି ରହିଲା ତା’ର ? କେଉଁଠି ସ୍ନେହ ଶ୍ରଦ୍ଧା ଦେବାରେ ଊଣା ହେଲା ଯେ ଜିତମିତ୍ରଙ୍କୁ ମହିଷା ଭଳି ଆଉ ଗୋଟାଏ ମଣିଷ ଲୋଡା ପଡିଲା ସ୍ନେହ ପାଇବାକୁ? ଅନେକ ଦିନ ହେବ ଜିତମିତ୍ରଙ୍କ ହାବଭାବ ରେ କିଛି ପରିବର୍ତ୍ତନ ଲକ୍ଷ୍ୟ କରୁଥିଲା ଅଳକା, ଆଗଭଳି ଅଫିସ୍ ରୁ ଫେରି ସେ ଆଗ୍ରହ ର ସହିତ ସୋଫାରେ ବସି ପଡି ଅପେକ୍ଷା କରୁ ନଥିଲେ ଅଳକା ହାତର ସେଇ ଧୂମାୟିତ ଚାହା କପ୍ କୁ, କିମ୍ୱା ପିଲାମାନଙ୍କୁ ଡାକ ପକାଉନଥିଲେ “ ପାପା ଆସିଗଲେ” କହି । ଅଳକା ର ମନେ ହେଉଥିଲା ବୋଧହୁଏ ଅଫିସ୍ ରେ କାମର ପ୍ରେସର୍ ବଢିଛି, ସେଥିପାଇଁ ଥକି ଯାଉଛନ୍ତି ଜିତମିତ୍ର , ସେଥିପାଇଁ ଏମିତି ଉଦାସୀନ ରହୁଛନ୍ତି । ଅନ୍ୟମନସ୍କ ଭାବେ ଚାହା କପ୍ ଟି ତା’ ହାତରୁ ନେଉଛନ୍ତି ସିନା କେବେ ଦୁଇଢୋକ ପିଇ ଛାଡି ଦେଉଛନ୍ତି ତ କେବେ “ ସେଇଠି ରଖିଦିଅ” କହି ପୁଣି ମୋବାଇଲ୍ ଆଉ ଲାପଟପ ଧରି ବିଛଣା ରେ ବସି ରହୁଛନ୍ତି । ଶାନ୍ ଆଉ ଶ୍ରୀ ତାଙ୍କ ପାଖକୁ ଯାଇ “ ପାପା” ପାପା” ବୋଲି ଗେହ୍ଲେଇ ଲଟେଇ ହେଲେ ବିରକ୍ତି ପ୍ରକାଶ କରୁଛନ୍ତି । ସେ ମନେମନେ ଭାବୁଥିଲା କିଛିଦିନ ପରେ ହୁଏତ କାମର ବୋଝ କମିଗଲେ ଜିତମିତ୍ର ପୁଣି ପୂର୍ବଭଳି ସାମାନ୍ୟ ହୋଇଯିବେ । ସେଥିପାଇଁ ସେଇ କଥାକୁ ଏତେ ଗୁରୁତ୍ୱ ଦେଇ ନଥିଲା ସିଏ। ପିଲାମାନଙ୍କୁ ବୁଝେଇ ଶୁଝେଇ ଶାନ୍ତ କରାଇଥିଲେ, ନିଜ ମନକୁ ମଧ୍ୟ ବୁଝାଇ ଦେଇଥିଲା ସବୁ ଆପେ ଆପେ ଠିକ୍ ହୋଇଯିବ ବୋଲି । ଧୀରେ ଧୀରେ ଅଳକା ଅନୁଭବ କଲା ଯେ ଜିତମିତ୍ର ଜାଣି ଶୁଣି ସେମାନଙ୍କୁ ଅବହେଳା କରୁଛନ୍ତି, ନିଜକୁ ଦୂରେଇ ନେଉଛନ୍ତି ନିଜ ପରିବାର ଠାରୁ। ଅଳକା ଅପେକ୍ଷା କରି ରହୁଥିଲା କେବେ ଜିତମିତ୍ର ଅଫିସ୍ ରୁ ଫେରି ପୂର୍ବଭଳି ପାଦ ଚାପି ଚାପି ଆସି ତା’କୁ ପଛ ପଟରୁ ଭିଡିଧରି ନାକରେ ନାକ ଘଷି ଗେଲ କରି କହିବ “ ଆଜି ତୁମେ ଖୁବ୍ ସୁନ୍ଦର ଦିଶୁଛ ଅଳି , ଚାଲନା’ ଟିକିଏ ପାର୍କ ଆଡେ ଯାଇ ବୁଲି ଆସିବା ଘେରାଏ, ଆଜିଟା ରୋଷେଇ ବନ୍ଦ କର ପ୍ଲିଜ୍ , ରାତିରେ ବାହାରେ କିଛି ଖାଇ ଦେଇ ଆସିବା “ ଆଉ ସେ କୃତ୍ରିମ ରୋଷରେ ତାଙ୍କର ହାତକୁ ଛଡାଇ କହିବ “ ସବୁବେଳେ ତୁମର ସେଇ ପିଲାଳିଆମି , ଦୁଇଟି ପିଲାର ବାପ ହେଲଣି , ତାଙ୍କର ଭବିଷ୍ୟତ କଥା , ଗାଆଁ ରେ ବାପା ବୋଉଙ୍କ କଥା କିଛି ଭାବୁଛ ନା’ ଖାଲି ନିଜ ସୁଖ କଥା ଭାବୁଛ “। ମନଖୋଲି ହସିବେ ଜିତମିତ୍ର , ଆଉ ଥରେ ମୁହଁ ରେ ମୁହଁ ଲଗେଇ କହିବେ “ ତୁମେ ତ ମୋର ସବୁ ଦାୟିତ୍ଵ ନେଇ ମୋତେ ପିଲା କରି ଦେଇଛ ଅଳି ! ମୋର ସେଇ ପିଲାପଣ ଭଲ , ବାକି ସବୁ ଦାୟିତ୍ଵ ତୁମର”। ମୁରୁକି ହସି ତାଙ୍କ ବାହୁ ବନ୍ଧନ ଭିତରୁ ନିଜକୁ ମୁକୁଳେଇ ଲୁଗା ପାଲଟି ପାର୍କ ଯିବାକୁ ପ୍ରସ୍ତୁତ ହେବ ଅଳକା। ହେଲେ ସେମିତି କିଛି ଘଟିଲାନି । ଅଳକା ର ଭାବନା ଭାବନା ଭିତରେ ରହିଗଲା ।
ରାଉରକେଲା ର ଏଇ ଭଡାଘରେ ମାତ୍ର ଜିତମିତ୍ର, ଅଳକା , ଚାରି ବର୍ଷର ପୁଅ ଶାନ୍ ଆଉ ବର୍ଷକର ଝିଅ ଶ୍ରୀ କୁ ନେଇ ସେମାନଙ୍କର ସୁଖୀ ପରିବାର । ଶାଶୁ ଶଶୁର ଗାଁ ରେ , ଦିଅର ପୁଷ୍ପମିତ୍ର ତାଙ୍କର ପରିବାର ସହିତ ପୁନେ ସହରରେ ରୁହନ୍ତି ତାଙ୍କର ଚାକିରୀ କରିଥିବା ସ୍ଥାନରେ। ମଝିରେ ମଝିରେ ଛୁଟି ହେଲେ ସମସ୍ତେ ଗାଆଁ ରେ ଏକାଠି ହୁଅନ୍ତି, ଖୁବ୍ ସୁନ୍ଦର ଭାବରେ କଟିଯାଇଛି ସେଇ ସମୟ ଗୁଡିକ । ଅଳକା ନିଜର ବୋହୁପଣିଆରେ ସମସ୍ତଙ୍କ ମନ କିଣିନିଏ, ସାରା ପରିବାର ବାନ୍ଧି ହୋଇ ପଡନ୍ତି ତା’ର ସ୍ନେହ ରେ , ଜିତମିତ୍ରଙ୍କୁ ଲାଗେ ତାଙ୍କ ଭଳିଆ ସୁଖୀ ସଂସାର ଟିଏ ବୋଧହୁଏ କେବଳ ଅଳକା ଯୋଗୁଁ ହିଁ ହୋଇ ପାରିଛି । ବୋଉର ପସନ୍ଦ କୁ ମନେମନେ ତାରିଫ୍ ନକରି ରହି ପାରେନାହିଁ ଜିତମିତ୍ର । ଓଡିଆ ରେ ଏମ୍ ଏ କରିଥିବା ଅଳକା କୁ ବୋହୁ କରି ଆଣିବା ପୂର୍ବରୁ ବୋଉ କହିଥିଲା “ ଜିତୁ ରେ ! ମୋ ପୁଅ ଲାଗି ମୁଁ ଏଇ ସାତ ଖଣ୍ଡ ଗାଆଁ ଭିତରେ ସବୁଠାରୁ ସୁନ୍ଦରୀ, ସୁଗୁଣବତୀ ବୋହୁ ଟିଏ ପସନ୍ଦ କରି ଆଣୁଛି , ତୁ ତା’କୁ ଭଲରେ ରଖିବୁ, ତୋ’ଠାରୁ ସ୍ନେହ ଶ୍ରଦ୍ଧା ପାଇଲେ ସେଇଆକୁ ସେ ଆମକୁ ବାଣ୍ଟିବ, ଧନରେ ଗରିବ ହେଲେ କ’ଣ ହେଲା , ତା’ଭଳି ସଂସ୍କାରୀ ଝିଅଟିଏ ଭାଗ୍ୟରେ ଥିଲେ ମିଳେ, ତା’କୁ ଖୁସିରେ ରଖିବୁ ବାପା, “ । ବୋଉ କହିଥିବା କଥା ଠାରୁ ଆହୁରି ଅଧିକ ରୂପର ଗୁଣର ଥିଲା ଅଳକା । ଅଳ୍ପ କିଛି ଦିନର ରହଣୀ ଭିତରେ ଘରଟାକୁ ସ୍ୱର୍ଗ ବନେଇ ଦେଇଥିଲା । ବାହାଘର ପରେ ପରେ ଥରେ ପେଟରେ ଗ୍ୟାସ୍ ହୋଇ ବେମାର ପଡିଲା ଜିତମିତ୍ର, ତା’ପରେ ବୋଉର ବାଧ୍ୟବାଧକତା ରେ ସିନା ସେ ରାଉରକେଲା ଆସିଲା ଜିତମିତ୍ରଙ୍କ ସହିତ , ନହେଲେ ସେ କେବେ ବି ଚାହିଁ ନଥିଲା ଶାଶୁ ଶଶୁର ଙ୍କୁ ଗାଆଁ ରେ ଏକା ଛାଡି ଆସିବାକୁ । ପିଲାଟି ଦିନରୁ ମାଆଙ୍କୁ ହରାଇଥିବା ଅଳକା ଶାଶୁଙ୍କ ଭିତରେ ନିଜ ମାଆକୁ ଖୋଜି ନେଇଥିଲା, ଆଉ ଶାଶୁ ମଧ୍ୟ ନିଜର ଝିଅଟିଏ ନଥିବାରୁ ଦୁଃଖ ବୁଝିଥିଲେ ଅଳକା କୁ ପାଇ। ରାଉରକେଲାରେ ଥିଲେ ମଧ୍ୟ ସବୁଦିନେ ଦିନ ହେଉ ବା ରାତି, ଥରଟିଏ ଫୋନ୍ କରି ଶାଶୁଙ୍କ ସହିତ ଭଲ ମନ୍ଦ ସୁଖ ଦୁଃଖ ଦି’ପଦ ପଚାରି ବୁଝିଥାଏ ଅଳକା । ସେଇଥିରେ ତା’ ମନ କୁ ଶାନ୍ତି ମିଳେ ଆଉ ଶାଶୁ ପାର୍ବତୀ ଦେବୀଙ୍କୁ ସୁଖ। ଏବେ ଜିତମିତ୍ରଙ୍କର ଏମିତି ପରିବର୍ତ୍ତନ ଦେଖି ନିଜ ମନ ଭିତରେ କଷ୍ଟ ରେ ସଢି ଯାଉଥିଲେ ମଧ୍ୟ ଶାଶୁଙ୍କୁ ସେ କଥା ଜଣାଇବାକୁ ସାହସ କୁଳାଏନାହିଁ ଅଳକା ର , କାରଣ ସେ ଜାଣେ ଶାଶୁ ତାଙ୍କର ବଡପୁଅ କୁ ନିଜ ଜୀବନଠାରୁ ଅଧିକ ଭଲ ପାଆନ୍ତି, ତାଙ୍କର ଟିକିଏ ଦେହ ଖରାପ ହେଲେ ଦଶ ଥର ଫୋନ୍ କରି ତାଗିଦ୍ କରନ୍ତି, କେତେବେଳେ ଠିକ୍ ସମୟରେ ଔଷଧ ଦେବାଲାଗି ତ ଆଉ କେତେବେଳେ ଖାଇବା ପିଇବା ସେବା ଶୁଶ୍ରୁଷା ରେ ହେଳା ନକରିବା ଲାଗି। ତାଙ୍କର କାନରେ ଏକଥା ପଡିଲେ ସେ ଥୟ ଧରି ରହି ପାରିବେ ନାହିଁ ଗାଆଁ ରେ , ମନରେ ବହୁତ କଷ୍ଟ ପାଇବେ, ସେଥିପାଇଁ ନିଜେ ନିଜେ ସବୁ ଦୁଃଖ କୁ ଛାତିରେ ଚାପି ବସି ରହିଛି। କିଛିଦିନ ତଳେ ସାହସ କରି ପଚାରି ଥିଲା ଜିତମିତ୍ରଙ୍କୁ, “କିଛି ଅସୁବିଧା ହୋଇଛି କି ଅଫିସ୍ ରେ ? କାହିଁକି କିଛିଦିନ ହେଲା ଶୁଖିଲା ଦିଶୁଛ?” । “ ନାଇଁ ତ” ବୋଲି ଛୋଟ ଉତ୍ତର ଟିଏ ଦେଇ ଚୁପ୍ ରହିଥିଲେ ଜିତମିତ୍ର । ତାଙ୍କର ଗମ୍ଭୀର ମୁହଁ କୁ ଚାହିଁ ଆଉ କିଛି ପଚାରିବା ପାଇଁ ସାହସ ହେଲାନି ଅଳକାର। ଧୀରେ ଧୀରେ ଅଫିସ୍ ରୁ ଆସିବା ର ସମୟ ବଦଳି ଯାଉଥିଲା ସ୍ୱାମୀଙ୍କର, ଫେରିବା ପରେ କେବେ କହୁଥିଲେ ମୁଁ ଆଜି ଅଫିସ୍ ରେ ଭୋଜିଥିଲା ଖାଇ ଦେଇ ଆସିଛି ତ ଆଉ କେବେ କହୁଥିଲେ ପେଟ ଭଲ ନାହିଁ, ଖାଇବାକୁ ଇଚ୍ଛା ନାହିଁ, ଯଦିଓ ସିଏ ଭଲ ଭାବରେ ଜାଣିଥିଲେ ଯେ ଏଠାକୁ ଆସିବା ପରେ ଅଳକା ତାଙ୍କ ସହିତ ହିଁ ସେଇ ଗୋଟିଏ ଥାଳିରେ ରାତ୍ରୀ ଭୋଜନ କରିଥାନ୍ତି ସବୁଦିନ , ସିଏ ନଖାଇଲେ ଅଳକା କେମିତି ଖାଇବେ? ସେଇ ଛୋଟ କଥାଟି ଜିତମିତ୍ର ଭାବନ୍ତି ନାହିଁ କି ଜାଣି ଶୁଣି ଅଣଦେଖା କରନ୍ତି, ସେକଥା ଭାବି ପାରେନାହିଁ ଅଳକା। ତା’ମନରେ ଜମାଟ ବନ୍ଧା ଦୁଃଖ ତା’କୁ ଖିନ୍ ଭିନ୍ କରି ଖାଇ ଯାଉଥାଏ ।
ଆଜି ସକାଳେ ଶାନ୍ କୁ ସ୍କୁଲ୍ ରେ ଛାଡିବା ପରେ ମନେ ପଡିଲା ଯେ ଆଗକୁ ମାଣବସା ଆସୁଥିବାରୁ ଶାଶୁ ତାଙ୍କ ପାଇଁ ମଜା ଲୁଗା ଖଣ୍ଡିଏ କିଣି ଦେବା ପାଇଁ ବରାଦ କରିଥିଲେ । ଆଜିକାଲି ତ ଆଉ ଜିତମିତ୍ର ବଜାରକୁ ଯିବାକୁ ଇଚ୍ଛା କରୁନାହାଁନ୍ତି , ତେଣୁ ଖରାବେଳେ ଖିଆପିଆ ସାରି ସେ ଶ୍ରୀ କୁ ସାଥିରେ ଧରି ଅଟୋରିକ୍ସା ରେ ବାହାରିଲା ମାର୍କେଟ୍ ରେ ଥିବା ସମ୍ବଲପୁରୀ ବସ୍ତ୍ରାଲୟ କୁ, ଭାବିଲା ସେଇଠୁ ଖଣ୍ଡିଏ ମଠାଶାଢୀ କିଣି ଆଣିବ ଶାଶୁଙ୍କ ପାଇଁ, ଗାଆଁ କୁ ଗଲାବେଳକୁ ନେଇ ଶାଶୁଙ୍କୁ ଦେବ। ବହୁତ ବଛା ଛବି କରି ନାଲିଧଡିଆ ମଠାଶାଢୀ ଟିଏ ଶାଶୁଙ୍କ ପାଇଁ କିଣି ସାରି ଦୋକାନ ବାହାରକୁ ବାହାରି ଅଟୋରିକ୍ସା ଟିଏ ପାଇଁ ଅପେକ୍ଷା କରିଛି, ଅଳ୍ପ କିଛି ଦୂରରେ ଥିବା ବିଗ୍ ବଜାର୍ ମଲ୍ ରୁ ହାତରେ ହାତ ଛନ୍ଦି, ବଡ ପ୍ୟାକେଟ୍ ଟେ ଧରି ହସି ହସି ଆସୁଥିବା ଗୋଟିଏ ଯୋଡିଙ୍କୁ ଦେଖି ଆଖି ଦୁଇଟା ବିସ୍ଫାରିତ ହୋଇଗଲା ତା’ର। ଚିହ୍ନିବାରେ ଭୁଲ୍ ହୋଇନି ତ? ଭାବି ଆଉଥରେ ଆଖି ମଳି ସେମାନଙ୍କ ଆଡକୁ ଚାହିଁଲା ଅଳକା, ପୁଣି ଥରେ ନିଜ ଆଖିକୁ ଅବିଶ୍ବାସ କରି ନିଜ ହାତକୁ ଚୁମୁଟି ପରୀକ୍ଷା କଲା, ଯାହା ସେ ଦେଖୁଥିଲା ସେଇଟା ଠିକ୍ କି ନୁହେଁ, ଏଥର ନିଶ୍ଚିତ ହେଲା ସେ ଠିକ୍ ହିଁ ଦେଖୁଛି, ତା’ ସ୍ୱାମୀ ଜିତମିତ୍ର ଆଉ ଜଣେ ସୁନ୍ଦରୀ ତରୁଣୀର ହାତଧରି ବାହାରି ଆସୁଛନ୍ତି ମଲ୍ ରୁ ବାହାରକୁ । ଟିକିଏ ଆଢୁଆଳ କୁ ଘୁଞ୍ଚିଗଲା ଅଳକା , ସେଠାରୁ ଦେଖିଲା ଜିତମିତ୍ର ତାଙ୍କର ବାଇକ୍ ଆଡକୁ ଆଗେଇ ଗଲେ, ବାଇକ୍ ଷ୍ଟାର୍ଟ୍ କରି ଆଣିଲେ ତରୁଣୀ ଟିର ପାଖକୁ, ଓଠରେ ଗୋଟିଏ ମନମୋହିନୀ ହସ ଖେଳାଇ ତରୁଣୀ ଟି ବସିଲା ତାଙ୍କ ବାଇକ୍ ପଛରେ ତାଙ୍କ କାନରେ ହାତ ପକେଇ ଆଉ ଟିକିଏ ଚାପି ହୋଇଗଲା ତାଙ୍କ ଦେହରେ, ଫୁର୍ର୍ କରି ଉଡିଗଲା ବାଇକ୍ ଟି ଅଳକା ର ଆଖି ସାମନାରୁ । ଲୁହ ଡବଡିଆ ବହୁତ ଆଖିରେ ପଥର ଭଳି ଠିଆ ହୋଇ ରହିଥିଲା ଅଳକା, ତା’ ଆଖି କୁ କିଛି ଦିଶୁ ନଥିଲା କି କାନକୁ କିଛି ଶୁଭୁ ନଥିଲା, ଦେହ ହାତ ଅବଶେଷ ହୋଇ ଆସୁଥିଲା , ତା’ର କାଚରେ ଥିବା ଶ୍ରୀ ଖସି ପଡୁ ପଡୁ ସେ ଚମକି ପଡି ଭିଡି ଧରିଲା ତା’କୁ। ବହୁତ କଷ୍ଟରେ ନିଜକୁ ସମ୍ଭାଳି ଅଟୋରିକ୍ସା ଟିଏ ଧରି ଘରେ ପହଞ୍ଚିଲା ଅଳକା । ସେଇ ସେତିକି ବେଳୁ ସେମିତି ବସିଛି ଯେ ବସିଛି, ଲୁଗା ବଦଳାଇବାକୁ ମଧ୍ୟ ଭୁଲି ଯାଇଛି , ଖରାବେଳ ଛଡାଯାଇଥିବା ସଞ୍ଜ ହେଲାଣି, ସେଇଠି ବସି ମନରେ ଖାଲି ଭାବି ହେଉଛି ଜିତମିତ୍ରଙ୍କ କଥା । କାହିଁକି ଏମିତି ହେଲା? କେମିତି ବଦଳି ଗଲା ତାଙ୍କର ମନ? କିଏ ସେ ମୋହିନୀ ଲଗାଇଦେଇ ଛଡେଇ ନେଲା ତାଙ୍କୁ ଅଳକାର ସଂସାର ଭିତରୁ ? କିଏ କିମିଆ କଲା ତାଙ୍କୁ?
ବାହାରେ ବାଇକ୍ ରହିବାର ଶବ୍ଦ ଶୁଣି ପ୍ରକୃତିସ୍ଥ ହେଲା ଅଳକା । ପିଲା ଦିହେଁ ଶୋଇ ପଢିଛନ୍ତି ଅନେକ ବେଳୁ। ଦିନସାରା ନିଜର ଅନ୍ୟମନସ୍କତା ଭିତରେ ନା ନିଜେ ଖାଇଥିଲେ ନା ପିଲାମାନଙ୍କୁ ଠିକଣାରେ ଖାଇବାକୁ ଦେଇଥିଲା, ସେଥିପାଇଁ ସଞ୍ଜ ବେଳକୁ ଭଲକରି ଖୁଆଇ ପିଆଇ ଶୋଇ ପକାଉଥିଲା ସେମାନଙ୍କୁ ଆଉ ନିଜେ ଅପେକ୍ଷା କରି ରହିଥିଲା ଜିତମିତ୍ରଙ୍କୁ । ଆଜି ସେ ନିଶ୍ଚୟ ତାଙ୍କୁ ଥରେ ପଚାରି ବୁଝିବ କିଏ ସେଇ ତରୁଣୀ ଜଣକ, ଆଉ କେବେ ଠାରୁ ଏସବୁ ଚାଲିଛି? ଆମ ସଂପର୍କ ର ପରିଧି ଭିତରେ ତୃତୀୟ ଜଣେ କାହିଁକି ?
ଖୁବ୍ ସ୍ୱାଭାବିକ ଢଙ୍ଗରେ ଘରକୁ ପଶିଲେ ଜିତମିତ୍ର , ହେଲମେଟ୍ ଟି ଯଥାସ୍ଥାନରେ ରଖି ପୋଷାକପତ୍ର ବଦଳାଇ ବାଥରୁମ୍ ରେ ଧୁଆଧୋଇ ହୋଇ ବେଡ ରୁମ୍ କୁ ଯିବା ବେଳକୁ କହି ଦେଇ ଗଲେ “ ଆଜି କାହିଁକି ପେଟଟା ଭଲ ଲାଗୁନି , ମୁଁ ଖାଇବିନି, ତୁମେ ଖାଇ ନିଅ, ମୁଁ ଶୋଇବାକୁ ଯାଉଛି ,ଆଜି ଅଫିସ୍ ରେ ବହୁତ କାମ ଥିଲା, ଖୁବ୍ ଥକା ଲାଗୁଛି “। ଧୈର୍ଯ୍ୟ ର ବନ୍ଧ ଭାଙ୍ଗି ଯାଉଥିଲା ଅଳକାର ।ତା’ର କହିବାକୁ ଇଚ୍ଛା ହେଉଥିଲା, ଅଫିସ୍ କାମ ନୁହେଁ, ତୁମ ପ୍ରେମିକା ସହିତ ବୁଲାବୁଲି କରି ଥକି ଯାଇଥିବ, କୋଉଠି ହୋଟେଲରେ ଖାଇ ଭୋକ ମରି ଯାଇଥିବ , ଇଆଡେ ମୁଁ ନିଇତି ତମକୁ ଅପେକ୍ଷା କରି ଭୋକ ଉପାସରେ ଶୋଉଛି , ସେକଥା ତମ ନଜରରେ ନାହିଁ, ପିଲା ଦୁଇଟା କେମିତି ଅଛନ୍ତି, କ’ଣ କରୁଛନ୍ତି ସେକଥା ବୁଝିବାର ନାହିଁ, ଖାଲି ଘରକୁ ଧର୍ମଶାଳା ଭାବି ରାତିରେ ଦୁଇ ଚାରି ଘଣ୍ଟା ଶୋଇବାକୁ ଆସୁଛ ଯାହା , ଯଦି ତମ ମନରେ ଆମ ମାଆ ପିଲାଙ୍କ ପାଇଁ କିଛି ଆବେଗ ନାହିଁ, କିଛି ଦାୟିତ୍ଵ ନାହିଁ ତେବେ ଏଠିକି ଆସୁଛି କିଆଁ? “ । ହେଲେ ସେ ମୁହଁ ଖୋଲି କିଛି କହିବାକୁ ସାହସ କରି ପାରୁନଥିଲା । ମନ ଦୁଃଖ ରେ କାନ୍ଦି କାନ୍ଦି ଶୋଇବା ଘରକୁ ଆସିଲା ବେଳକୁ ଜିତମିତ୍ର ଆରାମରେ ଖଟ ଉପରେ ଶୋଇ ଘୁଙ୍ଗୁଡି ମାରୁଛନ୍ତି । ନିଷ୍ଫଳ ଆକ୍ରୋଶ ରେ ତା’ର ଦେହ ଥରୁଥିଲା , କୋହ ସବୁ ଜମାଟ ବାନ୍ଧି ଛାତି ଭିତରଟା ଫାଟିଗଲା ଭଳି ଲାଗୁଥିଲା । ସେ ମନେ ମନେ ସ୍ଥିର କଲା , ନା’ ସେ କିଛି ବି କହିବନି ଜିତମିତ୍ରଙ୍କୁ, ଯଦି ସିଏ ଅଳକା କୁ, ତାଙ୍କ ପିଲାମାନଙ୍କୁ ଛାଡି ନିଜେ ସୁଖରେ ରହି ପାରୁଛନ୍ତି, ତେବେ ତାଙ୍କୁ ଛାଡି ସିଏ କାହିଁକି ଚଳି ପାରିବନି ? ଯଦି ସେମାନଙ୍କ ସାହଚର୍ଯ୍ୟ ଲୋଡା ନାହିଁ ଜିତମିତ୍ରଙ୍କୁ, ତେବେ ସିଏ କାହିଁକି ଏଠି ପରଦେଶରେ ପଡି ରହିବ ତାଙ୍କରି ସୁଖ ପାଇଁ, ବରଂ ସେ ଗାଆଁ କୁ ଫେରିଯିବ ଶାଶୁ ଶଶୁରଙ୍କ ପାଖକୁ, ସେଇଠି ରହି ପିଲାଙ୍କୁ ମଣିଷ କରିବ, ଶାଶୁ ଶଶୁରଙ୍କ ସ୍ନେହର ଛତ୍ରଛାୟା ତଳେ , ସେଠାରେ ସେମାନଙ୍କ ସେବା ଶୁଶ୍ରୁଷା କରିବା ସହିତ ନିଜର ସମୟ କଟାଇଦେବ। ଲୋଡା ନାହିଁ ଜିତମିତ୍ରଙ୍କ ଦୟା, ଯେଉଁଠି ପ୍ରେମ ନାହିଁ ସିଏ କି ଦାମ୍ପତ୍ୟ? କାହିଁକି ଗୋଟାଏ ଅଯଥା ସଂପର୍କର ବୋଝ ମୁଣ୍ଡରେ ଲଦି ପଡି ରହିବ ସେ ଏଠି? ସୁଖରେ ଥାଆନ୍ତୁ ଜିତମିତ୍ର ତାଙ୍କର ନୂଆ ପ୍ରେମିକା କୁ ନେଇ , ସେ ଏଇ ଅଲୋଡା ସଂପର୍କ ର ପରିଧି ଭିତରୁ ବାହାରି ଚାଲିଯିବ ଦୂରକୁ, ଅନେକ ଦୂରକୁ ଯେଉଁଠି ସେ ଶାନ୍ତି ରେ ନିଶ୍ବାସ ଟିଏ ନେଇ ପାରିବ, ଏମିତି ଗୋଟିଏ ପ୍ରତିହତ ସଂପର୍କ ର ପରିଧି ଭିତରେ ଅଣନିଶ୍ବାସୀ ହୋଇ ସେ ବଞ୍ଚି ରହି ପାରିବ ନାହିଁ । ପ୍ରଚଣ୍ଡ ଅଭିମାନ ରେ ଜଳି ଉଠୁଥିଲା ତାର ଆଖି ଦୁଇଟିକୁ ଜୋର୍ କରି ବନ୍ଦ କରି ଶୋଇବାକୁ ଚେଷ୍ଟା କରୁଥିଲା ଅଳକା , ଆସନ୍ତାକାଲି ର ସକାଳ ଅପେକ୍ଷାରେ।
ଗୋଟାଏ ଅଭିମାନ ରେ ସିନା ଏକୁଟିଆ ପିଲାଙ୍କୁ ଧରି ଘରୁ ବାହାରି ଆସିଲା ଅଳକା ହେଲେ କଟକ ବସ୍ ରେ ବସି ସାରିଲା ପରେ ତା’ର ଚେତା ପଶିଲା ସେ ଶାଶୁ ଘର ଗାଆଁ କୁ ଫେରିଯିବ ସିନା, କ’ଣ କହିବ ଶାଶୁଙ୍କୁ? କାହିଁକି ହଠାତ୍ ସେ ଏକା ଏକା ପିଲା ମାନଙ୍କୁ ନେଇ ଆସିଛି ଗାଆଁ କୁ? କି ଉତ୍ତର ଦେବ ସେ ଶଶୁର ଙ୍କୁ? ତା’ ବାପ ଘରକୁ ଯିବାର ପ୍ରଶ୍ନ ତ ଉଠୁନି କାରଣ ତା’ ବାପା ଯେଉଁ ସ୍ୱାଭିମାନୀ ମଣିଷ, ସେ ଆଗ ନେଇ ଛାଡି ଦେଇ ଆସିବେ ଜିତମିତ୍ରଙ୍କ ପାଖରେ । କ’ଣ କରିବ ବୋଲି ବୁଦ୍ଧି ବାଟ ଦିଶୁ ନଥିଲା ତା’କୁ । ସେ ବହୁତ ଭାବି ଚିନ୍ତି ଠିକ୍ କଲା ଯେ ସିଏ ଶାଶୁ ଘରକୁ ହିଁ ଯିବ ଆଉ ଶାଶୁଙ୍କୁ କହିବ ଜିତମିତ୍ରଙ୍କୁ ହଠାତ୍ ଅଫିସ୍ କାମରେ ଛଅ ମାସ ପାଇଁ ବାହାରକୁ ଯିବାକୁ ପଡିବାରୁ ସେ ଏଇଠି ରହିବାକୁ ଆସିଛି ପିଲା ମାନଙ୍କୁ ଧରି । ପୁଣି ମନରେ ଭୟ ଆସୁଥିଲା ଯଦି ଜିତମିତ୍ର ଘରକୁ ଫୋନ୍ କରି ଆଉ କିଛି କହିଦିଅନ୍ତି? ମନରେ ପୁଣି ଆସୁଥିଲା ନା’ ନା’ ଜିତମିତ୍ର ତା’ର ଚିଠି ଟି ପଢିଲା ପରେ ଏମିତି ଦୁଃସାହସ କରିବେ ନାହିଁ, କାରଣ ତା’ ଶଶୁର ଯେ କେତେ ଅନୁଶାସନପ୍ରିୟ ସିଏ ଭଲ ଭାବରେ ଜାଣନ୍ତି । ଜଣେ ଉତ୍ତମ ଶିକ୍ଷକ ଆଉ ନ୍ୟାୟବନ୍ତ ମଣିଷ ଭାବରେ ତା’ର ଶଶୁର ଶ୍ରୀ ଶ୍ରୀନିବାସ ପାଇକରାୟ ଙ୍କର ଆଖପାଖ ଦଶ ଖଣ୍ଡ ଗାଆଁ ଭିତରେ ଖୁବ୍ ସୁନାମ ଅଛି। ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭାବେ ଅବସର ନେବାର କୋଡିଏ ବର୍ଷ ପରେ ମଧ୍ୟ ଆଜି ଯାଏଁ ସେ ନିଜ ଘରେ ଶିକ୍ଷାନୁଷ୍ଠାନ ଟିଏ କରି ଆଖପାଖର ଯେତେକ ଦରିଦ୍ର ପିଲାମାନଙ୍କୁ ମାଗଣାରେ ଦାନ କରି ଆସୁଛନ୍ତି ।ତାଙ୍କରି ଶିକ୍ଷା ନେଇ କେତେ କେତେ ଛାତ୍ର ଆଜି ଡାକ୍ତର ଇଞ୍ଜିନିଅର ପ୍ରଶାସକ ହୋଇ ବାହାରିଛନ୍ତି ଆଉ ତାଙ୍କ ନିଜ ପୁଅ ଭୁଲ୍ ବାଟରେ ଯିବ, ଏକଥା ସିଏ ମୋଟେ ବରଦାସ୍ତ କରି ପାରିବେ ନାହିଁ । ପରିଣାମ ଚିନ୍ତା କରି ଅଳକା ର ଛାତି ଧଡଧଡ ହେଉଥିଲା ତଥାପି ସେ ସ୍ଥିର କଲା ସେ ଶାଶୁଘର କୁ ହିଁ ଯିବ।ପିଲା ଦୁହିଁଙ୍କ ଉପରେ ହାତ ବେଢେଇ ଆଣି ସେ ଏଥର ସଳଖି ବସିଲା।
ଅଫିସ୍ ରୁ ଫେରି ଘରେ ପହଞ୍ଚିଲା ବେଳକୁ ସାମନା ଗେଟ୍ ରେ ତାଲା ପଡିଥିବାର ଦେଖି ହଡବଡେଇ ଗଲା ଜିତମିତ୍ର । ହାତଘଣ୍ଟା କୁ ଚାହିଁଲା,
ରାତି ନଅଟା ବାଜିବାକୁ ଆଉ ପନ୍ଦର ମିନିଟ୍ ବାକି ଅଛି, ଏତେବେଳେ କୁଆଡେ ଯାଇଛି ଅଳକା? ଏମିତି ରେ ଅଳକା ସନ୍ଧ୍ୟା ପରେ କେବେ ବି ଏକୁଟିଆ ବାହାରକୁ ବାହାରେନା, ଆଜି ଏମିତି କି ଜରୁରୀ କାମ ପଡିଲା ଯେ, ବିରକ୍ତି ରେ ଘର ସାମନାରେ ଠିଆ ହୋଇ ଏପଟ ସେପଟକୁ ଚାହୁଁଥିଲା ବେଳେ ତାଙ୍କ ପଡୋଶିନୀ ମିସେସ୍ କୁଜୁର୍ ଙ୍କ ପାଟି ଶୁଭିଲା “ ମାଡାମ୍ ଘରେ ନାହାଁନ୍ତି ମିଷ୍ଟର୍ ପାଇକରାୟ ! ହଠାତ୍ କ’ଣ ଖବର ପାଇ ଦିନ ଏଗାରଟା ବେଳେ ତାଙ୍କ ଗାଆଁ କୁ ଯାଇଛନ୍ତି ପିଲାମାନଙ୍କୁ ସାଥିରେ ନେଇ, ମୋତେ ଘରର ଚାବିଟି ଦେଇଯାଇଛନ୍ତି ଆପଣଙ୍କୁ ଦେବା ଲାଗି । କହୁଥିଲେ ଆପଣ ଅଫିସ୍ କାମରେ ବ୍ୟସ୍ତ ଥିବେ, ଅଯଥାରେ ଆପଣଙ୍କୁ ଡିଷ୍ଟର୍ବ କରିବା ଠିକ୍ ହେବନାହିଁ, ବରଂ ସେ ଘରେ ପହଞ୍ଚି ଆପଣଙ୍କୁ ଫୋନ୍ କରିବେ ବୋଲି “। ଗେଟ୍ ଯାଏଁ ଆସି ଘରର ଚାବି ଟି ଜିତମିତ୍ରଙ୍କର ହାତକୁ ବଢେଇ ଦେଲେ ମିସେସ୍ କୁଜୁର୍ । ଅନ୍ୟମନସ୍କ ଭାବରେ ହାତ ବଢାଇ ଚାବି ଟି ନେଲା ଜିତମିତ୍ର ହେଲେ ମୁଣ୍ଡ ଟା କାମ କରୁ ନଥିଲା ତା’ ର । ଅଳକା କୁ ଖବର ? କ’ଣ ଖବର ,କୋଉଠୁ ଆସିଲା , କିଏ ଦେଲା ଆଉ କାହିଁକି ଦେଲା , ତା’କୁ କିଛି ନ କହି ଅଳକା ଘରୁ ଗୋଡ କାଢି ଗଲା କେମିତି ? ଇତ୍ୟାଦି ଇତ୍ୟାଦି ଅନେକ ପ୍ରଶ୍ନ ଘୁରି ବୁଲୁଥିଲା ତା’ ମୁଣ୍ଡରେ । ଧୀରେ ଧୀରେ ଗେଟ୍ ଖୋଲି ଘରର ମୁଖ୍ୟ ଦ୍ୱାର ର ତାଲା ଫିଟାଇ ଡ୍ରଇଁରୁମ୍ ରେ ପାଦ ରଖିଲା ଜିତମିତ୍ର , ସବୁ ଜିନିଷ ଯଥାସ୍ଥାନରେ ରଖା ହୋଇଛି, ଚାରି ଆଡକୁ ଦୃଷ୍ଟି ବୁଲେଇ ଆଣିଲା , ସୋଫା ଉପରେ ବସି ପାଣି ଜଗ୍ କୁ ହାତ ବଢାଇଲା ପାଣି ଗ୍ଲାସ୍ ଟେ ପିଇବାକୁ, ହଠାତ୍ ଟ୍ରେ ଉପରେ ଚାରି ଭାଙ୍ଗି ହୋଇ ରଖାହୋଇଥିବା କାଗଜ ଖଣ୍ଡକ ଉପରେ ଆଖି ପଡିଲା । କାଗଜ ଖଣ୍ଡକ ଟାଣି ଆଣି ଦେଖିଲା ଜିତମିତ୍ର , ଚମକି ପଡିଲା ସେ , ଅଳକା ଚିଠି ଲେଖିଛି ତା’କୁ । ବାହାଘର ପରେ ଯେଉଁ ଚାରି ଛଅ ମାସ ସେ ଏକା ରହୁଥିଲା ଅଳକା କୁ ଗାଆଁ ରେ ବାପା ବୋଉ ପାଖରେ ଛାଡି, ସେଇ ସମୟରେ ଜିତମିତ୍ରଙ୍କ ବହୁତ ଅନୁନୟ ବିନୟ କରିବା ପରେ ଦୁଇ ଖଣ୍ଡ ମାତ୍ର ଚିଠି ଲେଖିଥିଲା ଅଳକା, ସେଇଥିରେ ତା’ର ସୁନ୍ଦର ହସ୍ତାକ୍ଷର ଆଉ ରୁଚିପୂର୍ଣ୍ଣ ଭାଷାଜ୍ଞାନ ଦେଖି ବିମୋହିତ
ହୋଇଥିଲା ଜିତମିତ୍ର । ବାସ୍ ସେତିକି । ତା’ପରେ ଏଠିକି ଆସିବାର ସାତବର୍ଷ ଭିତରେ ଆଉ ଚିଠି ଲେଖିବାର ଦରକାର ପଡିନି କେବେ , ତେଣୁ ସେଇ ପୁରୁଣା ଦିନ ଆଡକୁ ଫେରି ଯାଉଥିଲା ଜିତମିତ୍ର ର ମନ ।
ଅଳକା ଲେଖିଛି.........
ହୃଦୟ ର ଦେବତା ମୋର !
ଆଜି ତୁମକୁ ନ ଜଣାଇ ଘରୁ ବାହାରି ଯିବାର ଧୃଷ୍ଟତା ପାଇଁ ପ୍ରଥମେ ତୁମକୁ କ୍ଷମା ମାଗୁଛି, କାଲି ରାତି ସାରା ବହୁତ ଭାବିଛି ହେଲେ ଏଇ ପଥ ଟି ବ୍ୟତୀତ ଆଉ ଅନ୍ୟ କୌଣସି ପଥ ଦେଖା ଗଲାନାହିଁ ମୋତେ , ତୁମ ସମ୍ମୁଖରେ ତୁମକୁ ପଛକରି ଆସିବାର ସାହସ ନାହିଁ ମୋ ଭିତରେ, ତେଣୁ ତୁମେ ଅଫିସ୍ ଯିବା ପରେ ବାହାରୁଛି, ବହୁତ କଷ୍ଟ ହେଉଛି ତୁମକୁ ଛାଡି ଯିବା ପାଇଁ, ହେଲେ କ’ଣ କରିବି ? ତମ ଅଣଦେଖାପଣ ବି ସହି ହେଉନାହିଁ । ଅନେକ ଦିନ ହେବ ତୁମର ଆଡେଇ ଆଡେଇ ରହିବା , ଅନ୍ୟମନସ୍କ ରହିବା ଦେଖି ଭାବୁଥିଲି, ତୁମ ଉପରେ ଅଫିସ୍ କାମ ର ଚାପରେ ଅଧିକ ପଡୁଛି, ସେଥିପାଇଁ ତମେ ଚାପଗ୍ରସ୍ତ ହୋଇ ମୋ’ଠାରୁ, ପିଲାମାନଙ୍କ ଠାରୁ ଦୂରେଇ ରହୁଛ , ଖାଇବା ପିଇବା ରେ ଠିକଣା ରହୁନି, ସେ ସବୁ ଜିନିଷ କୁ ସହି ଯାଉଥିଲି ମୁଁ, ଭାବୁଥିଲି ଧୀରେ ଧୀରେ ସବୁ ସାମାନ୍ୟ ହୋଇଯିବ ହେଲେ ଆଜି ତମକୁ ଦେଖିଲି ବିଗ୍ ବଜାର ରେ, ତୁମେ ଖୁବ୍ ସାମାନ୍ୟ ଥିଲ , ଖୁବ୍ ଖୁସି ଥିଲ ଆଉ କାହାର ହାତ ଧରି ମୋ’ରି ଆଗରେ ବାଇକ୍ ରେ ବସାଇ ଚାଲିଗଲ ମୋତେ ଅଣଦେଖା କରି। ତୁମ ଦୁହିଁଙ୍କୁ ଦେଖି ସହଜରେ ଅନୁମାନ କରିନେଲି ତୁମର ଅନ୍ତରଙ୍ଗତା । ମୋର ବୁଝିବା ବାକି ରହିଲାନି ଯେ ତୁମେ ତୁମର ସୁଖ ଖୋଜି ନେଇଛ ସେଇ ସୁନ୍ଦରୀ ତରୁଣୀ ଟି ପାଖରେ। ମୋର ଶରୀର ଆଉ ଆକୃଷ୍ଟ କରି ପାରୁନି ତୁମକୁ, ଏମିତି କି ପିଲା ଦୁହିଁଙ୍କ ସ୍ନେହ ମମତା ମଧ୍ୟ ତମକୁ ଘରକୁ ଟାଣି ପାରୁନି, ତୁମେ ଖୋଜୁଛ ସେଇ ତରୁଣୀ ର ସାନିଧ୍ୟ , ସେଥିପାଇଁ ହଜାରେ ବାହାନା କରି ଡେରି ଯାଏଁ ଅଫିସ୍ ରେ ରହୁଛ, ମୋ ହାତରନ୍ଧା ଆଉ ତମର ପସନ୍ଦ ହେଉନି , ସେଥିପାଇଁ ତମେ ଅଧିକାଂଶ ଦିନ ବାହାରେ ଖାଇ ଆସୁଛ , ଖାଲି ସମାଜର ଭୟରେ ଘରକୁ ଆସୁଛ ଯାହା। ମୋର ମନେ ହେଉଛି ଆମ ସଂପର୍କ ର ବୋଝ ରେ ଚାପି ହୋଇ ପଡୁଛ ତୁମେ , ଗୋଟାଏ ଅଲୋଡା ଶୃଙ୍ଖଳ ଭିତରେ ବାନ୍ଧି ହୋଇ ଅଣନିଶ୍ବାସୀ ହୋଇ ପଡୁଛ । ତୁମ ପ୍ରେମକୁ ସମ୍ବଳ କରି ବଞ୍ଚି ରହିଥିବା ଅଳକା ତୁମର ଅଣଦେଖା ହୋଇ କି ଦୁଃଖ ପାଉଛି ତାହା ଅନୁଭବ କରିବାର କି ଦେଖିବାର ସମୟ ନାହିଁ ତୁମ ପାଖରେ । ତେଣୁ ଭାବିଲି ନିଜକୁ ଅପସାରି ନେବି ତୁମ ପରିଧି ରୁ। ପିଲା ଦୁହିଁଙ୍କୁ ସାଥିରେ ଧରି ଫେରି ଯାଉଛି ମୋର ସ୍ୱର୍ଗ କୁ , ଯେଉଁ ମାଆଙ୍କୁ ପାଇ ମୋ ମଲାମାଆର ଦୁଃଖ ଭୁଲିଥିଲି, ଯେଉଁ ବାପା ମୋ ବାପାଙ୍କ ଠାରୁ ଅଧିକ ସ୍ନେହ ମମତା ଆଶୀର୍ବାଦ ଦେଇ ମୋତେ ଆପଣାର କରିଥିଲେ, ସେଇ ମାନଙ୍କ ପାଖକୁ, ସେମାନଙ୍କ ସେବା କରି , ତୁମରି ସ୍ମୃତିକୁ ପାଥେୟ କରି ବାକି ଜୀବନ କାଟିଦେବି। ଆଉ ପିଲାଙ୍କ କଥା ଯେଉଁ ବାପା ତୁମକୁ ମଣିଷ କରିଛନ୍ତି, ସେ ସେମାନଙ୍କୁ ମଧ୍ୟ ମଣିଷ କରିବେ। ବ୍ୟସ୍ତ ହେବ ନାହିଁ, ତୁମେ ଦେଇଥିବା ଦୁଃଖ କଥା ମୁଁ କାହାରିକୁ କହିବିନି। ତୁମେ ତୁମ ସୁଖକୁ ନେଇ ସୁଖରେ ରୁହ, ମୁଁ ଏତିକି ଚାହେଁ । ଏଇ ସାତ ବର୍ଷ ରେ ତୁମ ପାଖରୁ ପାଇଥିବା ନିର୍ମଳ ପ୍ରେମ ହିଁ ମୋର ଅମୂଲ୍ୟ ସମ୍ପଦ ହୋଇ ରହିବ ସାରା ଜୀବନ । ପ୍ରଣାମ ।
।।ଇତି ।।
ଅଳକା
ଚିଠି ର ଶେଷ ଦୁଇ ତିନି ଧାଡି ବୋଧହୁଏ ଅଳକା ଆଖିର ଲୁହ ପଡି ଅସ୍ପଷ୍ଟ ଦିଶୁଥିଲା, କାନ୍ଦୁଥିଲା କି ଅଳକା ? ଜଡବତ୍ ହୋଇ ହାତରେ ଚିଠି ଟି ଧରିଥିଲା ଜିତମିତ୍ର , ଅଳକା ଏମିତି ଗୋଟିଏ ନିଷ୍ପତ୍ତି ନେଇ ପାରେ ବୋଲି ସେ ସ୍ୱପ୍ନ ରେ ସୁଦ୍ଧା ଭାବି ନଥିଲା। ମାତ୍ର ବର୍ଷ ଟିଏ ର ପରିଚୟ ତା’ର ଏମିଲି ସାଥିରେ । ନୂଆ ନୂଆ ଆପ୍ରେଣ୍ଟିସିପ୍ କରିବାକୁ ଆସି ତା’ରି ଡିପାର୍ଟମେଣ୍ଟ୍ ରେ ଜଏନ୍ କରିଥିଲା ଏମିଲି । ଏମିଲି ସାକ୍ସେନା , ସଦ୍ୟ ମେଟାଲର୍ଜିକାଲ୍ ଇଞ୍ଜିନିୟରିଂ ପାଶ୍ କରି ଆସିଥିବା ହରିୟାଣାର ଝିଅ , ଅପୂର୍ବ ସୁନ୍ଦରୀ , ପ୍ରଖର ବୁଦ୍ଧିମତୀ, ଖୋଲା ମିଜାଜ୍ର ଖୁବ୍ ମେଳାପୀ ଯୁବତୀ। କଥା ରେ ମହୁ ଝରାଇ ପର କୁ ଆପଣାର କରିନେବା କଳା ରେ ନିପୁଣ। ନିଜ ବିଭାଗର ଅତ୍ୟନ୍ତ ନିପୁଣ ଆଉ ସୁଦକ୍ଷ କର୍ମଚାରୀ ହୋଇଥିବା ହେତୁ ତା’କୁ କାମ ଶିଖାଇବା ଦାୟିତ୍ଵ ପଡିଥିଲା ଜିତମିତ୍ର ଉପରେ । ଏମିଲି ର କାମ ଶିଖିବାରେ ଆଗ୍ରହ ଦେଖି ପ୍ରଥମ ଦେଖାରେ ଖୁବ୍ ପ୍ରଭାବିତ ହୋଇଥିଲା ଜିତମିତ୍ର । ଅଜଣା ଝିଅଟି ପ୍ରତି ଥିବା ସଂମ୍ଭ୍ରମ ହେଉ ବା ଜିତମିତ୍ର ର ସ୍ୱାଭାବିକ ସଙ୍କୋଚ ହେଉ , ତା’କୁ ଏମିଲି ପ୍ରଥମରୁ କୋହଳ କରି ଦେଇଥିଲା ନିଜର ଆତ୍ମୀୟତାପୂର୍ଣ୍ଣ ବ୍ୟବହାର ରେ । ଅଳ୍ପ ଦିନ ମଧ୍ୟରେ ବନ୍ଧୁତା ଗଢି ଉଠିଥିଲା ଦୁହିଁଙ୍କ ମଧ୍ୟରେ, ସେଇ ବନ୍ଧୁତା ଯେ କେବେ କେମିତି ପ୍ରେମରେ ପରିଣତ ହୋଇଥିଲା ତାହା କାହାରିକୁ ଜଣା ନଥିଲା। ସେତେବେଳକୁ ଅଳକା ଥିଲା ପାଞ୍ଚ ମାସର ଗର୍ଭବତୀ। ତିନି ବର୍ଷର ପୁଅ ଶାନ୍ ଆଉ ସ୍ୱାମୀ ଜିତମିତ୍ର ର ରୁଟିନ୍ ବନ୍ଧା କାମ ଭିତରେ ସିଏ ଆଉ ସମୟ ଦେଇ ପାରୁ ନଥିଲା ନିଜ ଦେହ ପାଇଁ, ତେଣୁ ପ୍ରାୟତଃ ଅସୁସ୍ଥ ରହୁଥିଲା । ଘରେ ଖାଇବା ପିଇବା ଠିକ୍ ଠାକ୍ କରି ପାରୁନଥିଲା, ସେଥିପାଇଁ କେବେ କେବେ ଅଫିସ୍ କ୍ୟାଣ୍ଟିନ୍ ନହେଲେ ବାହାରେ ଖାଇ ନେଉଥିଲା ଜିତମିତ୍ର । ଧୀରେ ଧୀରେ ଏମିଲି ମଧ୍ୟ ବାଧ୍ୟ କରି ତା’କୁ ସାଙ୍ଗରେ ନେଉଥିଲା କୌଣସି ହୋଟେଲ୍ କିମ୍ବା ରେଷ୍ଟୁରାଣ୍ଟ୍ ରେ ଖାଇବାକୁ, ସମୟ କ୍ରମେ ସେଇଟା ଅଭ୍ୟାସ ରେ ପରିଣତ ହୋଇଥିଲା । ଖୋଲା ମିଜାଜ୍ର ଏମିଲି, ଜିତମିତ୍ର ର ଦେହ ମନ ସବୁକୁ କାବୁ କରି ପକାଇଥିଲା ତା’ ରୂପ ର ରୋଶଣୀ ରେ।
ଜିତମିତ୍ର ମଧ୍ୟ ତା’ର ପ୍ରେମ ରେ ଅନ୍ଧ ହୋଇ ଯାଇଥିଲା ଆଉ ଭୁଲି ଯାଇଥିଲା ଯେ ସେ ଜଣେ ବିବାହିତ ପୁରୁଷ ଏବଂ ଘରେ ତା’ର ସନ୍ତାନସମ୍ଭବା ପତ୍ନୀ ଆଉ ଛୋଟ ପୁଅ ଟିଏ ଅଛି , ଯେଉଁମାନେ ତା’କୁ ହିଁ ଭଗବାନ ବୋଲି ଭାବନ୍ତି, ସେମାନଙ୍କ ଜୀବନ ତା’କୁ ହିଁ କେନ୍ଦ୍ର କରି ଘୁରି ବୁଲୁଛି । ଏମିଲି ର ତୀବ୍ର ଆକର୍ଷଣ ତା’କୁ ପାଗଳ କରିଥିଲା , ତା’କୁ ମୁହୂର୍ତ୍ତ ଟିଏ ହେଲେ ଭୁଲି ପାରୁ ନଥିଲା, କି ଦିନ କି ରାତି, ଏମିଲି କୁ ପାଖରେ ପାଇବା ପାଇଁ ଚାହୁଁଥିଲା ସେ । ଅଳକା କିନ୍ତୁ କିଛି ଜାଣି ପାରି ନଥିଲା , କାର୍ଯ୍ୟବ୍ୟସ୍ତତା ହେତୁ ସ୍ୱାମୀ ଟି ତା’କୁ ଧ୍ୟାନ ଦେଇ ପାରୁନି ବୋଲି ଧରି ନେଇଥିଲା । ଦିନକୁ ଦିନ ଅଳକା ର ଡେଲିଭରି ସମୟ ପାଖ ହୋଇ ଆସୁଥିଲା , ଶାନ୍ ର ଦେଖା ଶୁଣା କରିବା ଲାଗି ବୟସ୍କା ସ୍ତ୍ରୀ ଲୋକଟିଏ ରଖି ଦେଇଥିଲା ଜିତମିତ୍ର । ଶ୍ରୀ ଜନ୍ମ ହେଲା ପରେ ଆହୁରି ଅଧିକ କାମରେ ବାନ୍ଧି ହୋଇ ଯାଇଥିଲା ଅଳକା । ସେଇ ମାଉସୀ ଜଣକୁ ଘର ରନ୍ଧାବଢା ଦାୟିତ୍ଵ ଦେଇ ସେ ପିଲା ମାନଙ୍କ କାମ କରୁଥିଲା । “ଶ୍ରୀ” କୁ ଦେଖି ଖୁବ୍ ଗୋଟାଏ ଖୁସି ହୋଇ ନଥିଲା ଜିତମିତ୍ର, ରୁଟିନ୍ ବନ୍ଧା କାମ ଭଳି ହସ୍ପିଟାଲରେ ସବୁ କାମ କରିଥିଲା । ଘର କୁ ଫେରିବା ପରେ ସବୁ ଦାୟିତ୍ଵ ସମ୍ଭାଳି ନେଇଥିଲା ଅଳକା । ହେଲେ ଆଉ ପୂର୍ବ ର ଜିତମିତ୍ରଙ୍କୁ ସେ ପାଇ ନଥିଲା। ଏମିଲି ର ଉଜ୍ବଳ ବ୍ୟକ୍ତିତ୍ଵ,ଅପରୂପ ରୂପ ଲାବଣ୍ୟ ଆଗରେ ଅଳକା ତା’କୁ ତୁଚ୍ଛ ମନେ ହେଉଥିଲା, ଏମିଲି ଛାଇ ଯାଇଥିଲା ତା’ର ମନ ମସ୍ତିସ୍କ ରେ ,ଅସ୍ଥି ମଜ୍ଜାରେ । ଅଳକା, ଶାନ୍ ଆଉ କୁନି ଝିଅ ଶ୍ରୀ ସହିତ ସେଇ ଗୋଟିଏ ଘରେ ରହୁଥିଲେ ମଧ୍ୟ ମନରେ ତାଙ୍କ ଠାରୁ ଯୋଜନ ଯୋଜନ ଦୂରତ୍ବ ରେ ରହୁଥିଲା ଜିତମିତ୍ର। ସେ ଭାବୁଥିଲା ଅଳକା ଭଳି ଗାଉଁଲି ଝିଅଟିଏ ଭଲ ପତ୍ନୀ ଟିଏ ହୋଇପାରେ କିନ୍ତୁ ଏମିଲି ଭଳି ଭଲ ପ୍ରେମିକାଟିଏ କେବେ ବି ହୋଇ ପାରିବନି । ଅଳକା ଗୋଟାଏ ପୋଖରୀ ହେଲେ ଏମିଲି ଗୋଟିଏ ଉତ୍ତାଳ ତରଙ୍ଗ ଭରା ସାଗର । ଅଳକା କେବଳ ତା’ର ଘର ସଂସାର ଭିତରେ ସୀମିତ ହେଲେ ଏମିଲି ତ ଅନନ୍ତ ଆକାଶ, ତା’ର ବିସ୍ତୀର୍ଣ୍ଣତା ଅମାପ, ସେ ଅତୁଳନୀୟା । ଅଳକା ଯାଇଛି ତ ଯାଉ। ଜିତମିତ୍ର ଭଲ ଭାବରେ ଜାଣେ ସେଇ ରୁଢିବାଦୀ ମହିଳା ଟି ଖୁବ୍ ଧର୍ମଭୀରୁ। ସେ କେବେବି ସତକଥା ଟି କହି ଜିତମିତ୍ରଙ୍କୁ ତା’ର ବାପମାଆ ଙ୍କ ଆଗରେ ନ୍ୟୁନ କରିଦେବ ନାହିଁ । ଏକବାର ଭାରତୀୟ ନାରୀ ର ପ୍ରତିମୂର୍ତ୍ତି ସିଏ । ଯାଉ ସିଏ , କିଛି ଦିନ ପରେ ବଳେ ବଳେ ଫେରି ଆସିବନି, ଯିବ କୁଆଡେ? ଦୀର୍ଘ ନିଶ୍ବାସ ଟିଏ ନେଇ ଚିଠି ଟି ଚାରି ଭାଙ୍ଗ କରି ଗଳି ତଳେ ରଖି ଦେଇ ଟିକିଏ ଫ୍ରେସ୍ ହେବାକୁ ବାଥରୁମ୍ ରେ ପଶିଲା ଜିତମିତ୍ର ।
ବାଥରୁମ୍ ରୁ ବାହାରିଲା ବେଳକୁ ନିଜକୁ ଟିକିଏ ହାଲୁକା ମନେ କରୁଥିଲା। ଲୁଗାପଟା ବଦଳାଇ ଶୋଇ ପଡିଲା ବିଛଣା ଉପରେ। ସବୁଦିନେ ଅଫିସ୍ ରୁ ଫେରି ଖଟ ଉପରେ ଗଡି ପଡିଲା ମାତ୍ରକେ ଆଖିକୁ ଘୋଟି ଆସୁଥିବା ନିଦ ଟା ମଧ୍ୟ ଆଜି ଦାଉ ସାଧୁଥିଲା ତା’ ଉପରେ , ଘଣ୍ଟା ଘଣ୍ଟା ଧରି ପଡି ରହିଲେ ବି ନିଦ ର ଚିହ୍ନ ବର୍ଣ୍ଣ ନଥିଲା ଆଖିରେ। ବିରକ୍ତ ହୋଇ ଖଟରୁ ଉଠି ଟିଭି ଅନ୍ କଲା ଜିତମିତ୍ର , ସେଇ ପୁରୁଣା ଦେହସୁହା ଶାଶୁ ବୋହୁ ଡ୍ରାମା, ହେଃ ... ଏଗୁଡାଙ୍କୁ ଆଉ କିଛି ବିଷୟବସ୍ତୁ ମିଳୁନି.. କହି ରିମୋଟ୍ ଟା ସୁଇଚ୍ ଅଫ୍ କରି ଫୋପାଡି ଦେଲା । ଆଖି କୁ ଜୋର୍ କରି ବନ୍ଦ କରି ଶୋଇବାକୁ ଚେଷ୍ଟା କଲା ସେ, ନା’ ଆଖି ବନ୍ଦ କରି କରି ପୋଡିଲାଣି ପଛକେ ନିଦ ଆସୁନି। ସେମିତି ବିଛଣା ରେ କଡ ଲେଉଟାଇ ଲେଉଟାଇ ରାତି ପାହିଲା । ସକାଳୁ ଉଠି ନିତ୍ୟକର୍ମ ସାରି ଅଫିସ୍ ବାହାରି ଗଲା, ହୁଏତ ଏମିଲି ସହିତ ଦୁଇପଦ କଥା ହେଲେ ଏଇ ଅସ୍ଥିରପଣ କପି ଯିବ । ଅଫିସ୍ ରେ ତା’ ପୂର୍ବ ରୁ ପହଞ୍ଚି ସାରିଥିଲା ଏମିଲି । ଏମିଲି ର ସୁନ୍ଦର ମୁହଁ ଟା ଗୋଟାଏ ଅନିର୍ବଚନୀୟ ଆନନ୍ଦ ରେ ଉଦ୍ଭାସିତ ହୋଇ ଉଠୁଥିଲା । ଜିତମିତ୍ର କୁ ଲାଗୁଥିଲା ଅଳକା ର ଘରକୁ ଯିବା କଥା ଏମିଲି କୋଉଠୁ ଜାଣି ପକାଇଛି କି ? ସେ ଭାବୁଥିଲା ବୋଧହୁଏ ଏମିଲି ଏଇଟା କହିବ” ଆମ ରାସ୍ତା ରେ ଆଉ କୌଣସି ବାଧା ବନ୍ଧନ ନାହିଁ ଜିତ୍ ! ଚାଲ ଏବେ ଆମେ ଆମର ନୂଆ ନୀଡ ଟିଏ ଗଢି ଆମର ପ୍ରେମକୁ ସାକାର କରିବା “।
ହେଲେ ଇଏ କ’ଣ ? ଏମିଲି ହସି ହସି ଆସି ତା’ ହାତକୁ କାଗଜ ଖଣ୍ଡିଏ ବଢାଇ ଦେଲା , ତା’ର ଦୁଇ ବାହୁ କୁ ଧରି ପକାଇ କହିଲା “ ୟୁ ନୋ ଜିତ୍, ଆଇ ଆମ୍ ସୋ.. ହାପି ଟୁ ଡେ ଟୁ ରିସିଭ୍ ଦିସ୍ ଲେଟର୍ ଫ୍ରମ୍ ହେବ ଅଫିସ୍ । ଆଇ ହାଭ୍ ବିନ୍ ଟ୍ରାନ୍ସଫର୍ଡ ଟୁ କୋଲକାତା ଅଫିସ୍ ଉଇଥ୍ ଏ ପ୍ରମୋସନ୍ । ଓଃ ଆଇ ଆମ୍ ସୋ.. ଲକି, ସୋ ଏକସାଇଟେଡ୍ ଟୁ ହାଭ୍ ଦିସ୍, ୟୁ କ୍ୟାଣ୍ଟ୍ ଇମାଜିନ୍ , ମାଇଁ ଡ୍ରିମ୍ ଆର୍ ରିଅଲାଇଜଡ୍ ନାଓ “। ଜିତମିତ୍ର ହାଁ କରି ଚାହିଁ ରହିଥିଲା ଏମିଲି ର ମୁହଁ କୁ । ତା’କୁ ସବୁ ଧୁଆଁଳିଆ ଦିଶୁଥିଲା, ପାଦ ତଳେ ମାଟି ନଥିଲା ପରି ଲାଗୁଥିଲା, ମୁଣ୍ଡ ଘୁରେଇବାକୁ ଆରମ୍ଭ କରିଥିଲା। ତା’କୁ ମନେ ହେଉଥିଲା ସିଏ ଗୋଟାଏ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି, ଗୋଟାଏ ମରିଚିକା ପଛରେ ଧାଇଁ ଧାଇଁ ସର୍ବସ୍ବାନ୍ତ ହୋଇଛି, ଗୋଟାଏ ମୃଗତୃଷ୍ଣା ରେ ପଡି ଶେଷ ରେ ବାଲୁକାଝଡ ରେ ପ୍ରାଣ ଦେବାକୁ ଯାଉଛି ? ଏମିଲି ତେବେ ତା’କୁ ପ୍ରେମ କରୁ ନଥିଲା ? କେବଳ ବନ୍ଧୁ ଭାବରେ ଦେଖୁଥିଲା? ଆଉ ତା’ର ସେଇ ଖୋଲାମେଲା ବନ୍ଧୁତା କୁ ଜିତମିତ୍ର ନିରୁତା ପ୍ରେମ ବୋଲି ଧରି ନେଇ କୁହୁଡି ପହଁରୁଥିଲା? ଧିକ୍ ତା’ ବୁଦ୍ଧି କୁ । ନିଜର ଭରପୁର ପରିବାର କୁ ତୁଚ୍ଛ ମଣି ପାଦରେ ଆଡେଇ ଦେଇ ଏମିଲି ର ପ୍ରେମ ରେ ପାଗଳ ହୋଇଥିଲା? ସେଇଟା ତା’ ମନର, ହୃଦୟ ର ପ୍ରେମ ଥିଲା ନା ଶରୀର ର ଭୋକ? ଛିଃ , ପଛ କଥା ଭାବି ନିଜ ଉପରେ ଘୃଣା ଆସୁଥିଲା ଜିତମିତ୍ର ର। ଆଖି ଆଗରେ ନାଚି ଯାଉଥିଲା ଅଳକା ସହିତ ତା’ର ସାତ ବର୍ଷ ର ସଂସାର, ତା’ର ରକ୍ତ ର ସନ୍ତକ ସେଇ କୁନି କୁନି କଳୀ ଦୁଇଟି । ଆଖି ଓଦା ହୋଇଗଲା ଜିତମିତ୍ର ର।
ତା’ର ସ୍ଥାଣୁତା ଦେଖି ତା’କୁ ଦୁଇ ହାତରେ ଧରି ହଲେଇ ଦେଲା ଏମିଲି, କହିଲା “ ହ୍ୱାଟ୍ ହାପେନଡ୍ ଜିତ୍ ! ହୋୟାର୍ ଆର୍ ୟୁ? ଆର୍ ୟୁ ନଟ୍ ହାପି ଉଇଥ୍ ମାଇଁ ସକ୍ସେସ୍ ?” । ଚମକି ପଡି କହିଲା ଜିତମିତ୍ର “ ଓଃ ସରି! ମୁଁ ଟିକିଏ ଅନ୍ୟମନସ୍କ ଥିଲି ଡିଅର୍ । ସୋ... । ଖୁବ୍ କଷ୍ଟ ରେ ନିଜର ଇମୋସନ୍ କୁ କଣ୍ଟ୍ରୋଲ୍ କରି ମୁହଁ ରେ ଶୁଖିଲା ହସ ଖେଳାଇ କହିଲା “ କଙ୍ଗ୍ରାଚ୍ୟୁଲେସନ୍ ଡିଅର୍! ଆଇ ଆମ୍ ଅଲସୋ ଠୁ ହାପି ଫର୍ ୟୁ, ୟୁ ଡିଜର୍ଭ୍ ଦିସ୍ ଭାରି ମଚ୍ “। ଖୁସିରେ ଫାଟି ପଡୁଥିବା ଏମିଲି ପ୍ରସ୍ତାବ ଦେଲା “ ଲେଟର୍ ଅଫ୍ ସେଲିବ୍ରେଟ୍ ଦିସ୍, ହ୍ୱାଟ୍ ଆର୍ ୟୁ ଡୁଇଂ ଟୁନାଇଟ୍?” ଏଥର ସତର୍କ ହେବା ପାଳି ଜିତମିତ୍ର ର , ସେ ଅଳ୍ପ ହସି କହିଲା “ ସରି ଡିଅର୍! ନଟ୍ ଫିଲିଂ ଇଜି, ୱାଣ୍ଟ୍ ଟୁ ଟେକ୍ ସମ୍ ରେଷ୍ଟ ନାଓ “। ଏମିଲି ର ବାହୁ ବନ୍ଧନ ରୁ ନିଜକୁ ମୁକ୍ତ କରି , ଜି ଏମ୍ ଙ୍କୁ ଦେଖା କରି ନିଜର ଅସୁସ୍ଥତା ଲାଗି ସପ୍ତାହକ ପାଇଁ ଛୁଟି ଦରଖାସ୍ତ ଦେଇ ଘରକୁ ଫେରି ଆସିଲା ଜିତମିତ୍ର ।
ବିଛଣା ଉପରେ ଗଡି ପଡି ତକିଆକୁ ଛାତିରେ ଚାପି ଧରି ପିଲାଙ୍କ ଭଳି ଭୋ ଭୋ କରି କାନ୍ଦି ଉଠିଲା ସେ । ଗୋଟିଏ ଭୁଲ୍ ଯୋଗୁଁ ନିଜର କେତେବଡ ସର୍ବନାଶ କରିଛି ସିଏ ବୋଲି ଭାବି ଭାବି ଲୁହ ଶୁଖୁଛି ନଥିଲା ତା’ର। କେମିତି ସେ ଏଇ ଭୁଲ୍ ର ପ୍ରାୟଶ୍ଚିତ କରିବ? ଅଳକା କ’ଣ କ୍ଷମା କରି ପାରିବ ତା’କୁ? ବାପା ବୋଉ କ’ଣ କହିବେ? କେମିତି ସେ ମୁହଁ ଦେଖାଇବ ସେମାନଙ୍କ ଆଗରେ ? ପଶ୍ଚାତାପର ନିଆଁ ରେ ପୋଡି ହୋଇ ଯାଉଥିଲା ଜିତମିତ୍ର ର ହୃଦୟ । ଅଳକା ର ଚିଠି କୁ ଗଦି ତଳୁ ବାହାର କରି ଆଉ ଥରେ ପଢିଲା ସେ, ତା’କୁ ଲାଗୁଥିଲା ଲୁହ ଢଳ ଢଳ ଆଖିରେ ତା’ ଆଗରେ ଛିଡା ହୋଇଛି ଅଳକା ଆଉ କହୁଛି “ କାହିଁକି ଏମିତି ଭୁଲ୍ କଲ ମୋ ହୃଦୟର ଦେବତା! ମୋତେ ତ ଯାହା କଷ୍ଟ ଦେଲ ଦେଲ, ନିଜେ କ’ଣ କମ୍ କଷ୍ଟ ପାଇଲ? ମୋ ପାଖକୁ ଫେରିଆସ ଧନ ! ଆମେ ପରା ଜନ୍ମ ଜନ୍ମ ର ସାଥୀ, ତୁମକୁ ଦୁଃଖ ରେ ଦେଖି ମୁଁ କ’ଣ ସୁଖରେ ରହିପାରିବି ? ଫେରିଆସ ମୋ ପାଖକୁ । ମୋ ପାଇଁ, ଆମ ପିଲାମାନଙ୍କ ପାଇଁ, ବାପା ବୋଉଙ୍କ ପାଇଁ, ଫେରିଆସ “ । ଧଡଧଡ ହୋଇ ଉଠିଲା ପଡି ସାର୍ଟ୍ ଖଣ୍ଡକ ଦେହରେ ଗଳେଇ ସେ କେମିତି ଯାଇ ବସ୍ ଧରିଲା ଆଉ କେମିତି ଭୋର୍ ଭୋର୍ ରୁ ଯାଇ ଗାଆଁ ଘରେ ପହଞ୍ଚିଲା ସେକଥା ସେ ନିଜେ ଜାଣି ନଥିଲା । ସକାଳୁ ଓଦା ଲୁଗା ରେ ଚଉରା ରେ ପାଣି ଦେଉଥିବା ବୋଉ ତା’କୁ ଦେଖି ପାଣି ଢାଳ ଟି ତଳେ ଥୋଇ ଦେଇ ଧାଇଁ ଆସିଲା ପାଖକୁ । ସେ ନଇଁ ପଡି ପାଦ ଧୂଳି ନେଲା ବେଳକୁ ତା’କୁ କୋଳେଇ ନେଇ ପାଟି କରି ଡାକ ପକାଇଲା “ ଆରେ ଅଳି! ଏଇନା ମୁଁ ତତେ କହୁଥିଲି ଟି ମୋ ଜିତୁ ତତେ ଆଉ ପିଲା ମାନଙ୍କୁ ଛାଡି ମୋଟେ ରହି ପାରିବନି, ମୋ କଥା ସତ କି ମିଛ ଦେଖିବୁ ଆ’ । ଜିତମିତ୍ର ଆଖିରୁ ଲୁହ ଝରୁଥିଲା ବୋଉ ର ପାଦ ଉପରେ । ସେ ଲୁହ ସଂକ୍ରମିତ ହୋଇଗଲା ବୋଉ ଆଖିକୁ, ପୁଅକୁ ଧରି ଦେହମୁଣ୍ଡ ଆଉଁସି ପକାଇ କହିଲା “ ପାଗଳା ଟା କି ରେ ? ଦୁଇ ଚାରି ଦିନ ପିଲାଙ୍କୁ ଛାଡି ରହି ପାରୁନୁ ? କାନ୍ଦି ପକାଉଛୁ, ଆମେ ପୁଣି ତତେ ଛାଡି ରହିଛୁ ଟି, ହଉ , ଯଦି ସେ ଅଫିସ୍ ବାଲା ତତେ ପିଲାଙ୍କୁ ଛାଡି ଦୂରରେ କାମ କରିବା ପାଇଁ ପଠାଉଛନ୍ତି, ତୁ ସେ ଚାକିରୀ ଛାଡିଦେ, ଦରକାର ନାହିଁ ଆମର ସେ ଚାକିରୀ, ଆହୁରି ହଜାରେ ଚାକିରୀ ମିଳିବ ତତେ, ତୁ ଆଉ ପିଲାଙ୍କ ଭଳିଆ କାଆନ୍ଦେ ନା’ ।
ତୁ ଚାଲିଲୁ, ଆଗ ଲୁଗାପଟା ବଦଳାଇ ଧୁଆଧୋଇ ହୋଇ କ’ଣ ଗଣ୍ଡାଏ ଖାଇଦେବୁ ତା’ ପରେ ତୋ’ ପୁଅ ଝିଅଙ୍କୁ ଧରି ଯେତେ ଗେଲ କରୁଥିବୁ । ଆହା , ମୋ ଧନ ଟା କେତେ ଶୁଖିଲା ଦିଶୁଛି ମ, ପୋଡି ଯାଉ ସେ ଚାକିରୀ । ବୋଉ ର ଗୁଣୁ ଗୁଣୁ ସରୁନଥିଲା ତଥାପି ସେ ଜିତମିତ୍ରଙ୍କୁ ଧରି ଧରି ନେଇ ଘର ଭିତରେ ଛାଡି ପୁଣି ଚଉରା ପାଖକୁ ଲେଉଟି ଆସିଲା । ବାପା ବୋଧହୁଏ ଘରେ ନଥିଲେ, ବିଲ ଆଡେ ଯାଇଥିଲେ, ବାହାର ଅଗଣା ପାର ହୋଇ ନିଜ ଶୋଇବାଘର ଆଡକୁ ପାଦ ପକାଇଲା ଜିତମିତ୍ର । ଘର ଭିତରେ ଖଟରେ ତଥାପି ଶୋଇ ରହିଥିଲେ ଶାନ୍ ଆଉ ଶ୍ରୀ, ଖୁଣ୍ଟ ଭଳିଆ ଖଟକୁ ଆଉଜି ଅପଲକ ଦୃଷ୍ଟି ରେ ତା’କୁ ଚାହିଁ ରହିଥିଲା ଅଳକା । ଜିତମିତ୍ର ପାଗଳ ଭଳି ଦୌଡି ଯାଇ ଛାତିରେ ଚାପି ଧରିଲା ଅଳକା କୁ ଆଉ କହି ଉଠିଲା “ ମୋର ଦୋଷ ଟି ଅକ୍ଷମଣୀୟ ବୋଲି ମୁଁ ଜାଣେ ଅଳି ! ତଥାପି ତୁମ ସୁଗୁଣ ରେ ଥରେ ମତେ କ୍ଷମା କରି ଦିଅ ଅଳି, ମୁଁ ତୁମକୁ, ପିଲାମାନଙ୍କୁ ଛାଡି ବଞ୍ଚି ପାରିବି ନାହିଁ, ଏଇ ଥରଟିଏ ମୋତେ ଦୟା କର ଅଳି, ତମକୁ ହାତ ଯୋଡି ପ୍ରାର୍ଥନା କରୁଛି, ମୋତେ କ୍ଷମା କରିଦିଅ, କ୍ଷମା କରି ଦିଅ, ଜୀବନରେ ଆଉ କେବେ ବି ଏମିତି ଭୁଲ୍ କରିବିନି, ମୋତେ ଏକା ଛାଡି ଦିଅନାହିଁ, ମୋ ଠାରୁ ଦୂରକୁ ଯାଅନାହିଁ ଅଳି, ପ୍ଲିଜ୍ ମତେ କ୍ଷମା କରି ଦିଅ। କଇଁ କଇଁ ହୋଇ କାନ୍ଦୁଥିଲା ଜିତମିତ୍ର , ଅଳକା ର ମନେ ହେଉଥିଲା ତାଙ୍କର ପାପ ସବୁ ସେଇ ପଶ୍ଚାତାପର ଲୁହର ରେ ଧୋଇ ହୋଇ ଯାଉଛି , ତା’ ଆଖିରୁ ଝରି ଆସୁଥିବା ଗଙ୍ଗା ଯମୁନା ଧାର ରେ ତାଙ୍କର ସଂପର୍କ ଆହୁରି ନିର୍ମଳ ହୋଇ ଝଟକେ ଉଠୁଛି ସହସ୍ର ସୂର୍ଯ୍ୟ ର ଆଭା ନେଇ। ସେ ଦୁଇ ହାତରେ ତୋଳି ଧରିଲା ଜିତମିତ୍ରଙ୍କ ମୁହଁ କୁ ଆଉ ସେଇ ଲୁହ ବୋଳା ମୁହଁ ରେ ଆଙ୍କିଦେଲା ପ୍ରିତୀ ର ସନ୍ତକ ଟିଏ । ଜିତମିତ୍ରଙ୍କର ସବୁ ଲୁହକୁ ଶୋଷିନେଲା ନେଲା ସେଇ ସନ୍ତକ ଟି ଯେମିତି । ବାହାର ଆଡୁ ଘରକୁ ପଶି ଆସୁଥିବା ଶାଶୁଙ୍କୁ ଦେଖି ଲାଜରା ହୋଇ ରୋଷେଇ ଘର ଆଡକୁ ଆଗେଇ ଗଲା ଅଳକା । ତା’ ମୁହଁ ରେ ଉକୁଟି ଉଠୁଥିଲା ପ୍ରଭାତ ଅରୁଣ ର ଅରୁଣିମା । ନିଜର ସଜଡା ସଂସାରକୁ ଆଉଥରେ ଆହୁରି ଦୃଢ ଭାବରେ ଗଢି ତୋଳିବା ସଂକଳ୍ପ ନେଇ ସେ ଜିତମିତ୍ରଙ୍କୁ ଆଉଥରେ ପଛକୁ ବୁଲି ଚାହିଁଲା । ପଶ୍ଚାତାପର ଅଶ୍ରୁ ତଥାପି ଟୋପା ଟୋପା ହୋଇ ଝରୁଥିଲା ତାଙ୍କ ଆଖିରୁ ।