Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Satyaprakash Sethy, M. A(UGC NET)

Romance


5.0  

Satyaprakash Sethy, M. A(UGC NET)

Romance


ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

5 mins 214 5 mins 214


ଓଡ଼ିଶାର ରାଜଧାନୀ ଭୁବନେଶ୍ଵର । ଭୁବନେଶ୍ବରରେ ରାଜଧାନୀ କଲେଜ, ମୋ କଲେଜ । ସେଦିନ ସେଇଠି ମୋର, ମୋ କଲେଜ ଜୀବନ ଆରମ୍ଭ ହୋଇଥିଲା । ନୂଆ ସହର । ଲୋକ ବାକ ଅନେକ । ନିଜକୁ ଆକାବାକା ଲାଗୁଥାଏ । କେହି କେମିତି ବି ହାଫ୍ ପ୍ୟାଣ୍ଟ ବି ପିନ୍ଧି ଆସିଥାନ୍ତି । ନହେଲେ ସମସ୍ତଙ୍କର ଫୁଲ୍ ପ୍ୟାଣ୍ଟ । ମୋର ବି ଗୋଟେ ନୂଆ ଫୁଲ୍ ପ୍ୟାଣ୍ଟ୍ ତିଆରି ହୋଇଥାଏ । ଲମ୍ବା ବେଲ ପ୍ୟାଣ୍ଟ୍ । ପ୍ୟାଣ୍ଟଟା ଠିକ୍ ଅଛି କି ନାହିଁ ଓ କେମିତି ଦିଶୁଛି, ଆଇନା ଆଗରେ କିଛି ସମୟର କସରତ ପରେ ମୁଁ କଲେଜ ବାହାରିଲି । ସାଙ୍ଗମାନେ ଭାରି ହୋ ହୋ ହେଉଥାନ୍ତି । କଲେଜ ଜୀବନର ପ୍ରଥମ ଦିନ, ମନରେ ଭାରି ଆନନ୍ଦ । ସେଇଦିନ ସେଇଠି ଦେଖା ହୋଇଥିଲା ମୋର ସନ୍ଧ୍ୟା ସହ, ଯାହାକୁ ମୁଁ ହାବୁଡି ପଡ଼ିଥିଲି ସାଙ୍ଗ ମାନଙ୍କଠାରୁ ବାଙ୍କ ଶିଆଳି ଦେଇ ଦୌଡ଼ି କ୍ଲାସ୍ ରୁମରୁ ବାହାରି ଯାଉଥିଲାବେଳେ ।


ସନ୍ଧ୍ୟା ଧିରେ ଧିରେ ଅସ୍ପଷ୍ଟ ଉଚ୍ଚାରଣ କରିଥିଲା 'ଭେଗା' ବୋଲି । ସେଇଦିନ ଠାରୁ ସାଙ୍ଗମାନେ ମୋତେ ଚିଡ଼ାନ୍ତି - "ଏ ଭେଗା ତୋ ଭେଗି କାହିଁ?" ସନ୍ଧ୍ୟା ସବୁ ଶୁଣି ଚୁପ୍ ରହେ, କିନ୍ତୁ ମନେମନେ ହସେ, ବେଳେବେଳେ ମୋତେ କଣେଁଇ କଣେଁଇ ଚାହେଁ । ତା ଚାହାଣୀରେ ସତେ ଯେମିତି କିମିଆ ଲାଗି ରହିଥାଏ, ମୋ ଦୃଷ୍ଟି ଆକର୍ଷିତ ହୋଇଯାଏ । ଏଇମିତି ଚାହାଁଚୁହିଁ ଭିତରେ ଦିନେ କିନ୍ତୁ ଆମ ଦୃଷ୍ଟି ଲାଖିଗଲା । କେହି ଆଉ କାହାଠାରୁ ହଠାତ୍ ଦୃଷ୍ଟି ଫେରେଇ ପାରିଲୁ ନାହିଁ । ସେଇମିତି ଚାହିଁ ରହିଥାଉ କେତେବେଳଠୁଁ କେତେବେଳ ଯାଏଁ, ଯେତେବେଳେ ସାଙ୍ଗମାନେ ଘେରି ଯାଇ ପଚାରିଲେ-ଏଁ ଏଁ.. ଏ କି ହେଉଛି କି ଗୋ ସାଙ୍ଗ..ମାନେ ଫୁଲ୍ ମସ୍ତି.. ଫିଲ୍ମି ଲାଗୁଛ ତୁମେ.. । ମୁହଁ ଘୂରେଇ ଚାହିଁଲା ବେକକୁ ହୋ ହୋ ହୋଇ ହସି ଉଠୁଥିଲେ ସମସ୍ତେ । ଲାଜେଇ ଗଲା ସନ୍ଧ୍ୟା । ତା'ପର ଠାରୁ ସନ୍ଧ୍ୟା +ମଣ୍ଟୁ =? କଲେଜ କାନ୍ଥ ବାଡ଼ରେ ପୋଷ୍ଟର ହୋଇ ଗଲା । ଆମେ ହୋଇଗଲୁ ହିରୋ ଓ ହିରୋଇନ୍ । କଲେଜ ସାରା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ । କଲେଜରେ ଡ୍ରାମା ହେଉ ବା ଅନ୍ୟ କୌଣସି କାର୍ଯ୍ୟକ୍ରମ ଆମ ଦୁଇଜଣଙ୍କ ନାଁ ଟା କିନ୍ତୁ ଆଗ ପ୍ରସ୍ତାବ ଦିଆ ହୁଏ । ଏଣିକି ଆମ ଭିତରେ ଖୋଲା ଖୋଲି କଥାବାର୍ତ୍ତା ହେଲାଣି, ଟିକିଏ ପରସ୍ପର ଦେଖା ହୋଇ ଗଲେ ମନଟା ବଡ଼ ଖୁସି ହୋଇଯାଏ । କିନ୍ତୁ ଦିନେ ସନ୍ଧ୍ୟା କଲେଜ ନ ଆସିଲେ ମନଟା ସ୍ୱତଃ ବିଷର୍ଣ୍ଣ ପାଲାଟି ଯାଏ, ସବୁକିଛି କେମିତି ବିଷମୟ ପ୍ରତିଭାତ ହୁଏ । ଏ ଅବୋଲାକରର ମନ ଅବୋଲ ହୋଇଯାଏ ।  


ସବୁ କାହାଣୀରେ ତ ଟୁଇଷ୍ଟ ଥାଏ । ସେଦିନ ଆମ କାହାଣୀରେ ମଧ୍ୟ ଟୁଇଷ୍ଟ ଆସିଲା । ତା ପରଠାରୁ ସନ୍ଧ୍ୟାର ମୋର କେତେବାର ଯେ ଦେଖା ହୋଇଛି, ସେ କଥା କହି ହେବ ନାହିଁ । କେତେବେଳେ ଲାଇବ୍ରେରୀ ଭିତରେ ତ ପୁଣି କେତେବେଳେ କଲେଜ ଗେଟ୍ ଆଗ ବର ଗଛ ତଳେ ଗୁପ୍ ଚୁପ୍ ଓ ଦହିବରା ଦୋକାନୀ ପାଖରେ । କେବେ ମୁଁ ପଇସା ଦେଇ ଦିଏ, ନହେଲେ ସେ ଥାଉ ଥାଉ କହି ନିଜେ ଦେଇ ଦିଏ । ତା'ପର ଠାରୁ ତ ଅନାବଶ୍ୟକ ଭାବେ ଏମିତି ଅନେକ ଥର ଗପିଛୁ । କେବେ "ନୋଟ୍ ଟା ଦେ' ନି" ବା "ବହିଟା ରଖିଥା 'ନି" ଏମିତି ମିଛ ନାଟକ ଓ ବାହନାବାଜି ଭିତରେ । ପିକ୍ନିକ୍ କଥା ହେଲେ ଆମେ ଦୁଇ ଜଣ ଆଗ ତୟାର୍, ପୁଣି କଲେଜରେ କିଛି ପ୍ରୋଗ୍ରାମ୍ ହେଲେ ଆମେ ଆଗ ହାଜର । ଦୁଇଜଣଯାକ ଟିକେ ପାଖରେ ବସି ଟୁପୁରୁ ଟୁପୁରୁ କଥା ବାର୍ତ୍ତା ହେଲେ, ସେ ଟିକେ ଭିନ୍ନ୍ ଧରଣର ମଜ୍ଜା । ଏଇମିତି ଏଇମିତି ଆମ ସମ୍ପର୍କଟା ବଢ଼ୁଥାଏ । ମନେମନେ କିଛି ଗୋଟାଏ ନିଷ୍ପତ୍ତି ନେବା ଅପେକ୍ଷାରେ ବୋଧହୁଏ ଆମେ ଥାଉ । ସେଇ କଥାଟା ଖୋଲିକି ନକହିଲେ ମଧ୍ଯ ଉଭୟ ବେଶ୍ କିଛି ବୁଝି ପାରୁଥିଲୁ । କାରଣ କେହି କାହାକୁ ଦଣ୍ଡେ ଛାଡି ଆଉ ରହିବା ମୁସ୍କିଲ୍ ହୋଇଯାଉଥିଲା । ପରସ୍ପର ପ୍ରତି ଅପେକ୍ଷା ଢେର୍ । ଜଣେ କ୍ଲାସ୍ ସାରି ଘରକୁ ନ ଫେରିବା ଯାଏଁ ଆଉ ଜଣେ କଲେଜ ଛାଡ଼ି ଆଗ ଘରକୁ ଫେରି ପାରୁ ନଥିଲୁ । କଲେଜରେ ପହଞ୍ଚିଲା କ୍ଷଣି ଆଗ ତାର ମୋର ଦେଖାହୁଏ, ପୁଣି ଛାଡ଼ିଲା ବେକକୁ ଟିକିଏ ଦେଖା ଓ ଟା-ଟା, ବାଏ - ବାଏ ନହେଲେ ମନ ଜମାରୁ ବୁଝେନା । ଏଇମିତି ଆମ ସମ୍ପର୍କରେ ଗୋଟେ 'କିନ୍ତୁ 'ନିଶ୍ଚୟ ଥିଲା, ଯାହା କିଛି ଅବ୍ୟକ୍ତ ଓ ଅସ୍ପଷ୍ଟ, ହେଲେ ହେଁ ଅନ୍ତରୀଣ ଭାବ ସତ୍ତା ଖୁବ୍ ଦୃଢ଼ ଓ ଶକ୍ତ ।


ଏଇଠି ଆସିଲା ଅସଲି ମୋଡ଼ । ଘଟଣାର ଗଣିତ ଭୁଲ ଭାଲ ହୋଇ ସବୁ କିଛି ବିଗାଡି ରଖି ଦେଇଥିଲା ।

କିଛି ଦିନ ଧରି ସନ୍ଧ୍ୟାର ଆଉ ଖୋଜ୍ ଖବର ନଥାଏ । ସେ କାହିଁ କଲେଜ ଆସି ନାହିଁ ବୋଲି ମନ ବଡ଼ ଅସ୍ତବ୍ୟସ୍ତ ହେଉଥାଏ । କାହିଁକି ଏତେ ଚିତ୍ତ ଚାଞ୍ଚଲ୍ଯ, ମନରେ ମନେ ଭାବାନ୍ତର, ମୁଁ କିନ୍ତୁ ଖୁବ୍ ବ୍ୟସ୍ତ ହେଉଥାଏ । କେତେ ଜଣ ସାଙ୍ଗକୁ ପଚାରି ନୟାନ୍ତ, କିଛି ଗୋଟେ ସୁରାଗ ପାଉ ନଥାଏ । ଭାବୁଥାଏ ଏଥର ସନ୍ଧ୍ୟା ଆସିଲେ କଥାଟା ଖୋଲି କହିଦେବି । ପଚାରିବି ମୁଁ ଯାହା ଭାବୁଛି ସେ ସେକଥାଟା ଭାବୁଛି କି ନାହିଁ ।


ସେଦିନ ସନ୍ଧ୍ୟା ଆସିଲା । ଭାବୁଥିଲି ଦୌଡ଼ି ଯାଇ ମୋ ସ୍ନେହ ଅଶ୍ଳେଷା ଭିତରେ ତାକୁ ଯାବ ପକାଇ ଦେଇ ପଚାରିଥାନ୍ତି - "ତୁମେ ଏତେଦିନ ଧରି କେଉଁଠି ଥିଲ ସନ୍ଧ୍ୟା! ମୁଁ ଯେ ତୁମ ବିନା ନିଷ୍ପ୍ରାଣ ହୋଇଯାଇଥିଲି" । ଏକଥା ଶୁଣି ସନ୍ଧ୍ୟା କହିଥାନ୍ତା -"ହେ ଦୃଷ୍ଟ! ମୁଁ ତୁମକୁ ଛାଡି କେଉଁ ଶାନ୍ତିରେ ରହି ପାରୁଥିଲି ଯେ" ।


ହଠାତ୍ ଭାବନା ମୋର ଭାଙ୍ଗିଗଲା । ଦେଖିଲି ଢ଼ଳଢଳ ସୁଢଳ ଚାଲିରେ ସନ୍ଧ୍ୟା ଶ୍ରେଣୀ ଗୃହରେ ପ୍ରବେଶ କରୁଥିଲା । ହାତରେ ଧରିଥାଏ କିଛି ରଙ୍ଗ ବେରଙ୍ଗର କାର୍ଡ । ସମସ୍ତଙ୍କୁ ଖଣ୍ଡେ ଖଣ୍ଡେ ଧରେଇ ଦେଇ ନିମନ୍ତ୍ରଣ ଜଣାଉଥାଏ । ସବା ଶେଷରେ ମୋ ପାଖରେ ପହଞ୍ଚି, ମୋ ହାତକୁ ଭିଡ଼ି ନେଇ ଚାଲିଗଲା କ୍ଲାସ୍ ରୁମର ଅନତି ଦୂରକୁ । ଗୋଡ଼ ବୁଢ଼ା ଆଙ୍ଗୁଠିରେ ମାଟି ଉପରେ ବାରମ୍ବାର ଗାର ଟାଣି ଟାଣି କହି ଚାଲିଥାଏ - sorry, ମଣ୍ଟୁ ତୁମେ ମୋତେ କ୍ଷମା କରିଦେବ । ପରିସ୍ଥିତିର ମଣିଷ ଦାସ । ପରିସ୍ଥିତି ହାତରେ ସେ କେବଳ କ୍ରୀଡ଼ନକ ସାଜେ । ସେଦିନ ଗୋଟେ କଥା ତୁମକୁ କହିବି ବୋଲି ଭାବିଥିଲି, ହେଲେ କହି ପାରି ନଥିଲି, ଆଜିବି କହି ପାରୁ ନାହିଁ । କାରଣ ସେ କଥାଟା ତା'ର ତାତ୍ପର୍ଯ୍ୟ ଓ ଗୁରୁତ୍ୱ ଉଭୟ ହରାଇ ସାରିଛି ।


ତେବେ ମୋ ଭଉଣୀ ବର୍ଷେ ହେବ ମରି ଯାଇଥିଲା । ମୋ ଭିଣୋଇ ବାୟା ବାତୁଳା ପ୍ରାୟ ହେଉଥିଲା । କାରଣ କ୍ରୋଡ଼ରେ ବର୍ଷକର ଶିଶୁ ସନ୍ତାନ ଥିଲା, ଯାହାର ଭବିଷ୍ୟତ ଚିନ୍ତା ସମସ୍ତଙ୍କୁ ଘାରୁଥିଲା । ତେଣୁ ଉଭୟ ପରିବାର ବଡ଼ ଚିନ୍ତିତ ଥିଲେ । ଗୋଟାଏ ସଠିକ୍ ଉପାୟ ବାହାର କରିବା ପାଇଁ ସଦାବେଳେ ସମସ୍ତେ ତତ୍ପର ହୋଇ ଉଠୁଥାନ୍ତି । ହଠାତ୍ ବାପା ବୋଉ ଗୋଟେ ନିଷ୍ପତ୍ତି ନେଲେ, ମୋତେ ବୁଝେଇଲେ-"ପୁତୁରାର ମୁହଁକୁ ଚାହିଁ ତୁ ଏ ନିଷ୍ପତ୍ତିରେ ରାଜି ହୋଇଯା', ମାଆ! ସେତେବେଳେ ମୋ କୋଳରେ ପୁତୁରା ଥାଏ । ତା' ର ସ୍ନେହ ବୋଳା ଦରୋଟି କଥା ଓ ଭିଣୋଇର ଅନୁନୟ ଓ ବିନୟର କରୁଣ ଦୃଷ୍ଟିକୁ ମୁଁ ଆଉ ଚାହିଁ ପାରିଲି ନାହିଁ । ତଳକୁ ମୁହଁ ପୋତି କେଯାଏଁ ରହିଲି । ମୁଁ ପ୍ରକୃତିସ୍ଥ ହେଲା ବେଳକୁ ସମସ୍ତେ ନିଷ୍ପତ୍ତି ନେଇ ସାରିଥିଲେ । ମୋ ହାତରେ ଭିଣୋଇର ନିର୍ବନ୍ଧ ମୁଦ୍ରିକାଟି । ମୁଁ ମୋ କଥା ଖୋଲି କାହାକୁ କହି ପାରିଲି ନାହିଁ । ଇଛା ହେଉଥିଲା ଚିତ୍କାର ଛାଡି ପ୍ରତିବାଦ କରିବି ନା ଗଳା ଫଟାଇ କାନ୍ଦିବି । କିନ୍ତୁ କିଛି ବି ମୁଁ କରିପାରିଲି ନାହିଁ । କାନ୍ଦି କାନ୍ଦି ବିଛଣାରେ ଲେପଟେଇକି ତିନି ଦିନ ଶୋଇଲି । ଅନେକ ବୁଝାଶୁଝା ପରେ ମନକୁ ଟିକେ ବୁଝେଇ ପାରିଲାରୁ ଆଜି ଶେଷ ଥର ପାଇଁ କଲେଜ ଆସିଛି, ସବୁ ସାଙ୍ଗମାନଙ୍କ ଠାରୁ ବିଦାୟ ନେବି ଆଉ ତୁମକୁ ଟିକେ ଆଖି ପୂରାଇ ଦେଖିବି । ଜାଣେନା କେବେ ପୁଣି କେଉଁ ଜନ୍ମରେ ଦେଖା ହେବା, ତୁମକୁ ପୁଣି ଏତେ ନିକଟରୁ ଆଉ ଥରେ ପାଇବି କି ନାହିଁ । ବାହାଘରକୁ ତୁମେ କିନ୍ତୁ ନିଶ୍ଚୟ ଆସିବ । ଅପେକ୍ଷାରେ ରହିଲି । ଯଦି କେଉଁଠି ତୁମ ଭାବନାକୁ କେତେବେଳେ ଟିକେ ଆହତ କରିଥିବି ସେଇଟା ତୁମର ବଡ଼ପଣ ଭାବି ମୋତେ କ୍ଷମା ଦେଇଦେବ" । ଏତିକି କହି ହାତରେ ମୁହଁଟାକୁ ଲୁଚାଇ ଧରି ସନ୍ଧ୍ୟା ଲେଉଟି ଯାଉଥିଲା । ମୁଁ ବି ପଦୁଟିଏ ଶାନ୍ତ୍ୱନା ଦେଇ ପାରିଲି ନାହିଁ । ସେଇଠି ଜଡ଼ ନିସ୍ପନ୍ଦ ହୋଇ ଛିଡ଼ା ହୋଇ ଚାହିଁଥାଏ ମୋ ଦୃଷ୍ଟି ଆଢୁଆଳରୁ ସନ୍ଧ୍ୟା ହଜି ଯିବା ଯାଏଁ । ଆଜି ବି ସେ ସ୍ମୃତିଟି ମୋର ମନେ ପଡିଲେ ନିମିଷକେ ମୋତେ ନିର୍ବାକ କରି ଗଢି ତୋଳେ । ତେବେ ସେ କି କ'ଣ ମୋର ପ୍ରଥମ ପ୍ରେ..... ମ...


Rate this content
Log in

More oriya story from Satyaprakash Sethy, M. A(UGC NET)

Similar oriya story from Romance