ପ୍ରଜାପତି ସାଜେ ମନ
ପ୍ରଜାପତି ସାଜେ ମନ


ମୋ ସାଙ୍ଗ ନୟନା ଘରକୁ ସବୁଦିନେ ପଢିବାକୁ ଯାଏ। ଆମ ପଢିବାର ନିର୍ଦ୍ଦିଷ୍ଟ ସମୟ ନଥାଏ। ଯେତେବେଳେ ସମୟ ପାଇଲୁ ଏକାଠି ବସିଯାଉ ପଢିବା ପାଇଁ। ପ୍ଲସ୍ ଟୁ ଫାଷ୍ଟଇଅର ପରୀକ୍ଷା ସରି ଯାଇଥାଏ। ସେକେଣ୍ଡିୟର କ୍ଲାସ୍ ଆରମ୍ଭ ହୋଇଯାଇଥାଏ। ମାମା କହିଥାଏ ଏ ବର୍ଷ ଯେମିତି ଭଲ ମାର୍କ ରଖି ପାସ୍ କରୁ। ପ୍ଲସ୍ ଥ୍ରୀରେ ଭଲ କଲେଜରେ ଆଡମିଶନ ହେବ। ସେଥିପାଇଁ ଅନେକ ସମୟ ଆମର ପଢାରେ ବିତୁଥାଏ।
ହେଲେ ଯେବେଠୁ ନୟନାର ଭାଇ ଜିଲନ ପଢା ସାରି ହଷ୍ଟେଲରୁ ଘରକୁ ଫେରିଲେ ମୋ ଜୀବନର ଗତିପଥ ଲକ୍ଷ୍ୟ ଯେମିତି ବଦଳିଗଲା କ୍ଷଣକରେ ସବୁ। ପ୍ରଥମଦେଖାରେ ସେ ଭାରି ନିଜର ନିଜର ଲାଗିଲେ। ପଢା ମଝିରେ ମଝିରେ ତାଙ୍କୁ ହିଁ ବାରବାର ଚାହିଁ ଅନ୍ୟମନସ୍କ ହେଲି। ସେ ତାଙ୍କର ବିଭିନ୍ନ କମ୍ପିଟେଟିଭ୍ ପାଇଁ ପ୍ରସ୍ତୁତ ହୁଅନ୍ତି ଆମ ଠାରୁ ଅଳ୍ପ ଦୂରରେ ପଡିଥିବା ଟେବଲ ପାଖରେ ବସି। ମୋର କି ଆଉ ପଢାରେ ମନ ଲାଗେ! ଏମିତିକି ଘୋଷିବା ପାଠ ବି ଭୁଲିଯାଏ ତାଙ୍କୁ ସାମନାରେ ଦେଖିବା ପରେ। ସେ ଯୋଉ ଦିନ ଘରେ ନଥାନ୍ତି ବାହାରକୁ ଯାଇଥାନ୍ତି କୌଣସି କାମରେ ସେଦିନ ତ ଆଦୌ ବହି ଖୋଲିବାକୁ ଇଚ୍ଛା ହୁଏନି। ନୟନାକୁ ପଚାରେ ତୋ ଷ୍ଟୁପିଡ୍ କୁଆଡ଼େ ଗଲେ କି? ହଁ, ନୟନା ତା ଭାଇକୁ ଷ୍ଟପିଡ୍ ଡାକେ। ପରସ୍ପର ମଧ୍ୟରେ ଢେର ଭଲପାଇବା। ବେଳେବେଳେ ଦୁହିଁଙ୍କ ମଧ୍ୟରେ ଝଗଡା ହେଇଯାଏ। ମୁଁ ବନ୍ଧା ପଡେ। ମୁଁ ତାଙ୍କ ପଟିଆ ହେଇଗଲେ ନୟନା ପଚାରେ-ଆବେ ତୁ ମୋ ସାଙ୍ଗ ନା ସେ ଷ୍ଟୁପିଡ୍ ର? କେବେଠୁ ତା'ର ଓକିଲାତି କଲାଣୁ! ତୋ ମୁଣ୍ଡ ଫଟେଇଦେବି ଯେତେବେଳେ କହି ହାତ ଉଠାଏ ସିଏ ତା ହାତ କୁ ଧରି ନିଅନ୍ତି। ସେ ମୁହୂର୍ତ୍ତଟା ବେଶ୍ ଭଲ ଲାଗେ। ଯେମିତି କୌଣସି ଖଳନାୟକ ଠାରୁ ମୋତେ ରକ୍ଷା କଲେ ମୋ ସ୍ୱପ୍ନ ର ରାଜକୁମାର ସାଜି।
ଦିନବେଳା କେବେ କେବେ ଅଗଣାରେ ବସି ପାଠ ପଢୁ। ସିଏ ଆମ ପାଇଁ ତାଙ୍କ ବାଡି ଗଛରୁ ପିଜୁଳି ତୋଳି ତଳକୁ ଫିଙ୍ଗନ୍ତି। ନୟନାକୁ ନେ କହି ଆଡେ ସାଡେ ପକାନ୍ତି। ଖୁବ୍ ହଇରାଣ କରନ୍ତି। ମୋତେ କିନ୍ତୁ ହାତରେ ଧରେଇ ଦିଅନ୍ତି। ମୁଁ ଜୋରରେ ହସେ। ନୟନା ରୁଷେ। ତାପରେ ଅନେକ ସମୟ ଯାଏଁ ଦିଜଣଯାକ ତାକୁ ମନାଇବାରେ ଲାଗୁ। ଏସବୁ ଭିତରେ ମୁଁ କେତେବେଳେ ଜିଲନଙ୍କର ନିକଟତର ହେଇଗଲି ଜାଣି ହିଁ ପାରିଲିନି। ରାତିରେ ପଢା ସାରି ଘରକୁ ଫେରିବା ପରେ ମନ ଖାଲି ସକାଳକୁ ଖୋଜେ। ରାତିର କେଇ ଘଣ୍ଟା ଯୁଗ ଟିଏ ପରି ଲାଗେ। ବେଳେବେଳେ ଏସବୁ ଅସ୍ଥିରତାର କାରଣ ଖୋଜେ। କାହିଁକି କଣ ପାଇଁ ,ସେଇ ଗୋଟିଏ ଚେହେରା ଆଗରେ ଆଜି ସାରା ଦୁନିଆ ଟା ଲୁଚି ଯାଉଛି।
ଏଇ କିଛି ଦିନ ହେବ ଆଇନା ଆଗରେ ଢେର ସମୟ ଯାଏ ସଜେଇ ହେଉଛି। ମନକୁ ମନ ହସୁଛି। ଜିଲନଙ୍କର ପଦେ ପଦେ କଥା ବାରବାର ମନେପଡେ।ମନେପଡିଲେ ଲାଜେଇ ଯାଏ। ସମତଳ ରାସ୍ତା ରେ ବି ଝୁଣ୍ଟେ। କେହି କିଛି ପଚାରିଲେ ଓଲଟା ଉତ୍ତର ଦିଏ। ଓଃ! ଛାତିତଳେ କି ଅଜବ ହଲଚଲ୍।ଜିଲନ୍ ସାମନାରେ ଥିଲେ ତ ହୃଦୟର ଗତିବେଗ ସମ୍ଭାଳିବା ଅସହ୍ୟ ହୁଏ।
ମନ ପ୍ରଜାପତି ସାଜି ଉଡିବୁଲେ ତାଙ୍କ ଆଖପାଖରେ। କେବେ ସେ ମୋତେ ଆଖି ଉଠେଇ ଥରେ ଦେଖିବେ ବିକଳରେ ଚାହିଁ ରହେ। କଥାପଦେ କହିଦେଲେ ଫୁଲ ଫୁଟିଯାଏ ହୂଦୟ ସାରା। ହୃତପିଣ୍ଡ ଟା ଫୁଲବଗିଚା ପାଲଟେ। ଏସବୁର ମାନେ କଣ? ପ୍ରେମ ନା ଆଉକିଛି! ଏମିତି ଦ୍ୱନ୍ଦ ଭିତରେ ଅତିକ୍ରମ କରୁଥାଏ ପ୍ରତିଟି ମୁହୂର୍ତ୍ତ।
ଦିନେ ଅଚାନକ୍ ବର୍ଷା ଆସିଲା ଘରକୁ ଫେରିବା ସମୟରେ। କାଚି ଦେଇଗଲା ଟିପ୍ ଟିପ୍ ପାଣି। ଜିଲନ୍ ମୋତେ ଛାଡିବା ପାଇଁ ଆସିଲେ।କେଇ ମିନିଟ ର ବର୍ଷା ରେ ରାସ୍ତା ରେ ପାଣି ଭର୍ତ୍ତି। ଠାଏ ଠାଏ କାଦୁଅ। କାଦୁଅରେ ମୋ ପାଦ ଖସିଯିବା ବେଳେ ସେ ଜୋରରେ ମୋ ହାତ ଧରି ସମ୍ଭାଳି ନେଲେ ପଡିବା ଆଗରୁ। ୟାପରେ ମୁଁ ତାଙ୍କ ହାତ ଛାଡିଲି ନା ସେ ମୋ ହାତ ଛାଡିଲେ। ଘରଯାଏଁ ସେମିତି ଆସିବା ପରେ ଯିବା ବେଳକୁ କହିଲେ -ଦିନେ ଆସିବି ସବୁଦିନ ପାଇଁ ତମ ହାତ ମାଗିବାକୁ! ତମେ ମୋ ସହ ଯିବ ନା! ମୁଁ ଏତେ ଖୁସି ହେଇଗଲି ଯେ ତାକୁ ଶବ୍ଦ ରେ ବର୍ଣ୍ଣନା କରିବା ମୋ ପକ୍ଷେ ଅସମ୍ଭବ।ଏତେ ଦିନ ଧରି ନିଜକୁ ନିଜେ ପଚାରିଥିବା ପ୍ରଶ୍ନ ର ଉତ୍ତର ମୋତେ ମିଳିଯାଇଥିଲା। ହଁ, ମୁଁ ଏବେ ପ୍ରେମରେ।