Lalita Mohan Mishra

Romance

3  

Lalita Mohan Mishra

Romance

ପ୍ରିୟତମ

ପ୍ରିୟତମ

3 mins
541



ପ୍ରେମ ଅନୁଭବ ଯାହା କି ବ୍ଯକ୍ତ କରିହେବ ନାହିଁ । ପ୍ରେମ କେବଳ ପ୍ରାପ୍ତି ନୁହେଁ ପ୍ରେମ ଏକ ସମର୍ପଣ । ପ୍ରେମ ହୃଦୟ ବଗିଚାର ଗୋଟିଏ ସୁନ୍ଦର ଫୁଲଟିଏ, ଯାହାର ସୁଗନ୍ଧ ମନ ଓ ଶରୀରକୁ ଛୁଇଁ ଯାଏ ଏବଂ ଆତ୍ମାକୁ ପୂତ, ପ୍ଲାବିତ କରିଦିଏ । ପ୍ରେମ ବିଶ୍ଵାସର ସେତୁଟିଏ ଯାହା ମନ ସହ ମନ ଏବଂ ଆତ୍ମା ସହ ପରମାତ୍ମାକୁ ଯୋଡ଼ି ଦିଏ ।


ପ୍ରେମ- ଏକ ନିର୍ଭର ପ୍ରତିଶ୍ରୁତି ଯାହା ପ୍ରିୟତମର ସୁଖ ପାଇଁ ତ୍ୟାଗ ଓ ସମର୍ପଣ ଭାବ ଜାଗୃତ କରେ । ପ୍ରେମ- ଏକ ଦିବ୍ୟ ଅନୁଭୂତି ।  ଯାହାର ଆସ୍ୱାଦନରେ ତୃପ୍ତି ଆହୁରି ଚରମ, ପରମ ସୋପାନକୁ ଟାଣି ନିଏ ।  

ପ୍ରେମ- ଏକ ତପଶ୍ଚର୍ଯ୍ୟା ଯାହା ଧୈର୍ଯ୍ୟ, ସହନଶୀଳତା, ନିଷ୍ଠା ଓ ଦୃଢ ସଂକଳ୍ପ ସହ ପାଳନ କରିବାକୁ ହୁଏ । ପ୍ରେମ- ଏକ ପରାକାଷ୍ଠା ଯାହା ପ୍ରେମାନନ୍ଦରେ ବିଲୀନ ହୁଏ ।


କ୍ଲାସରେ ପାଠ ପଢ଼ାଇବାକୁ ଆରମ୍ଭ କରିବାକୁ ଯାଉଛି ! ! ! ଅଭିପ୍ସାର ବହିଟି ଖୋଲିଲା ବେଳକୁ ସେଥିରୁ ଗୋଟିଏ କାଗଜ ତଳେ ପତିଗଲା । ସେଟା କ'ଣ ହୋଇଥିବ ବୋଲି ଭାବି ତଳୁ ଉଠାଇଲି .... ଏବଂ ପଢିଲି... ସେଥିରେ ଲେଖାଥିଲା :-


ଅଭିପ୍ସା,


ତୁମ ଚିଠି ଖୁବ୍ ଡେରିରେ ଏଥର ପାଇଲି । ତୁମେ ବହୁଦିନରେ ଗୋଟିଏ ଚିଠି ଦିଅ ମନକୁ ଆଘାତ ଲାଗେ । ହଁ ଏଥର ଚିଠିରେ ଲେଖିଛ ତୁମେ ଡେରିରେ ପହଞ୍ଚିବ କାରଣ ତୁମେ ଖୁବ୍ ଥକିଯାଇଛ ଅନେକ ଗୁଡିଏ ଅସହାୟତାରେ,ଇଛା ଥାଇ ମଧ୍ୟ ପହଞ୍ଚି ପାରୁନ ମୋ ସହରରେ । ଅନେକ ଗୁଡିଏ ସମସ୍ୟା ତିଆରି କରିଦେଇଛି ତୁମ ପାଇଁ ଓ ମୋ ସମାଜ ପାଇଁ । ତୁମେ ଲେଖିଛ ଏଠିକାର ଲୋକମାନେ କାଳେ ସେମାନଙ୍କ ଆବଶ୍ୟକତା ପାଇଁ ମନେପକାନ୍ତି ତୁମକୁ । କିନ୍ତୁ ଅଭିପ୍ସା ବିଶ୍ୱାସ କର ମୋତେ..... ମୁଁ ସେମାନଙ୍କ ପରି ନୁହେଁ । ମୁଁ ତୁମକୁ ଭଲପାଏ ଖୁବ୍ ଭଲପାଏ । ତୁମ ଅପେକ୍ଷାରେ କେତେ ଦିନ, କେତେ ରାତି,କେତେ ଖରା,କେତେ ଶୀତ ବିତିଯାଏ । ମୁଁ ସେମିତି ତୁମ ଆସିବା ବାଟକୁ ଚାହିଁ ରହିଥାଏ । ତୁମ ଅନୁପସ୍ଥିତିକୁ ଜାବୁଡି ଧରେ ହୃଦୟରେ । ତୁମର ଚୁଲ୍ ବୁଲି ଚେହେରା ମୋତେ ଆହୁରି ଆପଣାର ଲାଗେ ।


ଆଉ ତୁମେ ଯେତେବେଳେ ମୋ ପାଖରେ ଥାଅ, ଇଛା ହୁଏ ତୁମର ପ୍ରତିଟି ସ୍ପର୍ଶକୁ ଜଡେଇଧରନ୍ତିକି ମୋ ହୃଦୟରେ ଚିରଦିନ ପାଇଁ । ତୁମ ଆଖିରେ ସେ କଳାହାଣ୍ଡିଆ ମେଘ ପରି ଧାରେ କଜ୍ଜଳ,ତୁମ ଗଭାରେ କଦମ୍ବର ସେ ଭୁରୁ ଭୁରୁ ବାସ୍ନା ମୋତେ ଅଧିକ ତଲ୍ଲୀନ କରେ ତୁମ ପ୍ରେମରେ । ତୁମେ ଯେତେବେଳେ ମୋ ଝର୍କା କଡରେ ତୁମ କଳା ଘୁମର ଓଢଣିକୁ ଉଡେଇ ଚାଲିଯାଅ ସମୟଟା ସେଇଠି ଅଟକି ଯାଏ ମୋର ସଦାସର୍ବଦା । ତୁମେ ଯେତେବେଳେ ଅଭ୍ରରଂଗର ଘୁଙ୍ଗୁର ପିନ୍ଧି ମୋ ବାଲକୋନିରେ ପାଦ ଥାପ,ମୁଁ ଗୋଟାପଣେ ଓଦା ହୋଇଯାଏ ।


ତୁମେ ଥିଲେ ମୁଁ ଥାଏ ଆଉ ଏ ଆକାଶଟା ବି ଥାଏ । ଆକାଶରେ ଜହ୍ନ ଆଉ ଜହ୍ନରେ ଜୋଛନାବି ଥାଏ । ସେତେବେଳର ରୁତୁ ବସନ୍ତ ଥିଲା, ଆଉ ବସନ୍ତରେ କୋଇଲିବି ଥିଲା । ତୁମ ଆଉ ମୋର ପ୍ରେମ, ପ୍ରଣୟବି  । ସତରେ କ'ଣ ଏ ସବୁ ନଥିଲେ, ଆମ ପ୍ରେମ ରଙ୍ଗହୀନ ଫିକା ଫିକା ହୋଇଥାନ୍ତା ? ? ରାଧାର ପ୍ରେମରେ ମୂରଲୀର ମୁର୍ଛନା ପରି,ଏ ଜହ୍ନର ଜୋଛନା ଆଉ ଝରଣାର କୁଳୁ କୁଳୁ ସ୍ବର ଫୁଲର ମହକ,ମଳୟର ମଧୂର ପରଶ ଆମକୁ ମତୁଆଲା କରୁଥିଲା । ଏସବୁ ନଥିଲେ,ହୁଏତ ତୁମେ ନଥାନ୍ତ ମୁଁ ବି ନଥାନ୍ତି । ଏ ନିବିଡତା, ଏତେ ଘନିଷ୍ଟତା,ଆଉ ତୁମ ଆମ ପ୍ରେମରେ ହିଁ ନଥାନ୍ତା ।


ବେଳେ ବେଳେ ଇଛାହୁଏ ତୁମେ ଏମିତି ତୁହାକୁ ତୁହା ବର୍ଷା ପରି ମୋ ମନ,ଆତ୍ମା ଓ ଶରୀରକୁ ଭିଜାଇଚାଲନ୍ତ,କିନ୍ତୁ ତୁମେ ପ୍ରତିଥର ଫେରିଯାଅ । ଚାରିକଡର ଭିଜାମାଟିର ମହକ,ଆକାଶରେ ମେଘ ମହ୍ଲାର ର ଆକର୍ଷଣ ଥାଇ ମଧ୍ୟ ତୁମ ଅଚାନକ ଫେରିଯିବାର ଖବର ମୋତେ ଭାରି କଷ୍ଟଦିଏ । ହେଲେ ଏଥର ତୁମକୁ ଯିବାକୁ ଦେବିନାହିଁ ବୋଲି ପଣ କରିଛି ଅଭିପ୍ସା । ବାସ୍ ତୁମେ ଥରେ ଆସିଯାଅ । ତୁମ ଅପେକ୍ଷାରେ ମୁଁ...


                (( ଇତି )) 

                ତୁମର କେହିଜଣେ


ପ୍ରେମ ତ ସମସ୍ତେ କରନ୍ତି । କଇଁ ଆକାଶର ଜହ୍ନକୁ ପ୍ରେମ କରେ ।  ନଦୀ ସାଗରକୁ ଏବଂ ତୁଷାର୍ତ୍ତ ଜଳକୁ ପ୍ରେମ କରେ । ଶିଶୁ ଜନନୀକୁ ଆଉ ପ୍ରେମିକ ପ୍ରେମିକାକୁ.... କିନ୍ତୁ ......ଗଭୀର ହୃଦୟ ତଳର ନିଃସ୍ବାର୍ଥ ଆକର୍ଷଣ ହିଁ ପ୍ରେମ ।  ଯେଉଁଠି ସ୍ବାର୍ଥର ଚିହ୍ନ ନଥିବ । ଆଉ ପ୍ରେମରେ ଜଳିବାର ସାମର୍ଥ ଭରିଥାଏ । ପ୍ରେମ ଦୃଶ୍ୟମାନ ହୁଏନା ତାହା କେବଳ ଅଦୃଶ୍ୟ ଅବ୍ୟକ୍ତ ଅନୁଭବ । ପ୍ରେମ ଇଶ୍ବରଙ୍କ ପ୍ରାପ୍ତି,ଜୀବନର ଆରମ୍ଭ ଓ ଶେଷ...!


ଏ ଘାଟରେ,ସେହି ଘାଟରେ ମୁହଁ ମାରିବାତ କେବେ ହେଲେ ପ୍ରେମ ନୁହେଁ...! ଚହଲା ଯୌବନ ଆଉ ମନ ତଳର କମ୍ପନ ହୃଦୟ ପରଖି ନିଏ,

ଗୋଟିଏ ମନରେ ବନ୍ଧନର ଭାବ ଜନ୍ମ ପାଇଁ ବାନ୍ଧି ଯାଏ..!


ଭାବୁଥାଏ ଅଭିପ୍ସାକୁ ଏ ସବୁକୁ କିଏ ବୁଝାଇବ... କିଏ କହିବ.....ପ୍ରେମ ଏତେ କଷ୍ଟ ଏବଂ ଯନ୍ତ୍ରଣା ଦାୟକ । ନା ପ୍ରେମର ପ୍ରଥମ ଶିଡିରେ ଚଢୁ ଚଢୁ ତଳେ ପଡି ଜଖମ ହୋଇଯିବ ?  ?  ?


Rate this content
Log in

Similar oriya story from Romance