ପ୍ରିୟ ମଜାଳିଆ ଚରିତ୍ର‐ ଅବୋଲକରା
ପ୍ରିୟ ମଜାଳିଆ ଚରିତ୍ର‐ ଅବୋଲକରା
ପକା କମ୍ବଳ ପୋତ ଛତା, ବସ ଅବୋଲକରା ଶୁଣ କଥା |" ଏହି ହାସ୍ୟ ରସାତ୍ମକ ଗଳ୍ପ ଧାରାଟି ଓଡ଼ିଶାର ପୁରପଲ୍ଲୀରେ ଖୁବ୍ ଆଦୃତ | ଗଳ୍ପଗୁଡ଼ିକର ପ୍ରତିଛାୟାର ନୀତିବାଣୀଗୁଡ଼ିକ ଏତେ ହୃଦୟସ୍ପର୍ଶୀ ଯେ ସ୍ବତଃ ମନକୁ ପ୍ରାଣକୁ ଛୁଇଁଯାଏ | ଗ୍ରାମୀଣ ଢାଞ୍ଚାରେ ବେଶ ପରିପାଟୀ ଗୁରୁଶିଷ୍ୟର ଗଳ୍ପଧାରା କଳକଳ ଝରଣା ଭଳି କଳନାଦିନୀ | ଚାକର ଅବୋଲକରା ସିନା ସାଧାରଣ ଭାବରେ ଟିକିଏ ଅଳ୍ପ ବୁଦ୍ଧି ସଂପନ୍ନ, ମାତ୍ର ମାଲିକ ବା ଗୁରୁଙ୍କର କଥା ଅବମାନନା କରେନାହିଁ | ଏ ଅବସରରେ ପ୍ରତ୍ଯେକରେ ଅବୋଲକରାର ହାସ୍ୟାଭିନୟ ଶ୍ରୋତା ବା ଦର୍ଶକକୁ ବାନ୍ଧିରଖେ | ଅଫୁରନ୍ତ ଆନନ୍ଦର ମହା ସ୍ରୋତଟିଏ | ଅବୋଲକରାର ଗଣ୍ଠିଲି ସାଥିରେ ହାତର ଛତା ହାସ୍ୟରସକୁ ଆହୁରି ଦ୍ବିଗୁଣିତ କରେ |ଛତାର ପ୍ରତିଟି ପାଖୁଡ଼ା ଭଳି ହାସ୍ୟ ଗଳ୍ପର ପାଖୁଡ଼ାଗୁଡ଼ିକ ରସପୂର୍ଣ୍ଣ ,ଅର୍ଥପୂର୍ଣ୍ଣ ଓ ପ୍ରୀତିପୂର୍ଣ୍ଣ | ଗାଆଁରୁ ଗାଆଁ ବୁଲି ବୁଲି ଗଲାବେଳେ ଜମି ଯାଉଥିବା ଲୋକମାନଙ୍କ ସମାଗମରେ ଅବୋଲକରା ଆଶା କରୁଥାଏ ନୂଆ ଏକ ଅଧ୍ୟାୟ ହାସ୍ୟ ରସାତ୍ମକ ନୀତିବାଣୀକୁ | ଚାରିପାଖରେ ବକ୍ ବକ୍ କରି ଅନେଇ ରହିଥିବା ଲୋକମାନେ ଚାହିଁରହନ୍ତି ଗୁରୁଜୀଙ୍କ ନୂଆ ନୂଆ ଗଳ୍ପକୁ | ସେ ଯାହାହେଉ ଅବୋଲକରା କାହାଣୀ ଯେ ଓଡ଼ିଶାର ଏକ ଅଭୁଲା କାହାଣୀ ଏଥିରେ ସନ୍ଦେହ ନାହିଁ |
