Tikeshwar Sahu

Inspirational

4.0  

Tikeshwar Sahu

Inspirational

ପ୍ରେରଣା

ପ୍ରେରଣା

3 mins
165



    ପ୍ରେରଣା ସମାଜର ଏକ ଉଚ୍ଚ ଆଦର୍ଶ | ସାମାଜିକ ଚେତନାକୁ ଆଗେଇ ନେବାରେ ସେ ଖୁବ୍ ଆଗରେ | ସକାଳ ଉଠିବାଠାରୁ ରାତ୍ରି ପର୍ଯ୍ଯନ୍ତ ଟିକିଏ ହେଲେ ସମୟ ପାଏନି ସେ | ସବୁବେଳେ ଖାଲି ସମାଜ ସେବା | ସମାଜ ସେବା କହିଲେ ତା ଆଖିରୁ ନିଦ ହଜିଯାଏ | ନଖାଇ ନ ପିଇ ଲାଗିଥିବ ଯେ ଲାଗିଥିବ | ମାଆ କହନ୍ତି , ପ୍ରେରଣା, ଯାହା କରିବୁ କରୁଥା ପଛେ କ'ଣ ଦି'ଟା ଖାଇକରି କରୁଥା | ପ୍ରେରଣା ମୁଣ୍ଡ ହଲାଇ ହଁ କରେ ସିନା କିଏ ଡାକିଦେଲେ ନ ଯାଇ ମନା କରିପାରେନି | 

     ସମାଜ ବିଜ୍ଞାନ ସ୍ନାତକୋତ୍ତୋର ଛାତ୍ରୀ ପ୍ରେରଣା | ଖୁବ୍ ସରଳ ତାର ବ୍ୟବହାର , କଥାବାର୍ତ୍ତା | ସର୍ବୋପରି ତା ମିଠା ମିଠା କଥାରେ ଲୋକମାନେ ଖୁସି ହୋଇଯାଆନ୍ତି | ସାମାଜିକ ଚେତନା ସୃଷ୍ଟି ତାର ମୁଖ୍ୟ ଲକ୍ଷ୍ୟ | 

    

   ସକାଳର ଚା' ପିଇ ଚେୟାରରେ ବସିଥିଲା ପ୍ରେରଣା | ସେଇ ଗାଆଁର ଝିଅ ଶୋଭା ଖୁବ ଆପଣାର | ଯେତେବେଳେ ଯାହା ନିଷ୍ପତ୍ତି ନିଅନ୍ତି, ଦୁହେଁ ମିଶି ନିଅନ୍ତି | ପ୍ରେରଣା ବିନା ଶୋଭା ବା ଶୋଭା ବିନା ପ୍ରେରଣା ପୂରା ନୁହଁ | ଦୁହେଁ ଦୁହିଁଙ୍କର ପରିପୂରକ | ଶୋଭା ଏତେ ସକାଳୁ ଆସିବାର କାରଣ ପଚାରିଲା ପ୍ରେରଣା ଚା' କପ୍ ଧରାଇଦେଇ | ଶୋଭା ଗରମ ଗରମ ଚା' କପରେ ଓଠ ଲଗାଉ ଲଗାଉ କହିଲା, ପ୍ରେରଣା ! ତୁ ମୋର ପିଲା ଦିନର ସାଥି | ତୋ ନାଁ ଯାହା, ତୁ ବି ତାହା | ସତରେ ପ୍ରେରଣାର ପ୍ରେରଣାରେ ସବୁ ଯେମିତି ପ୍ରେରିତ ହେଉଛି | ଅସାଧ୍ୟ ବୋଲି କିଛି ନାହିଁ | ପ୍ରେରଣା ଯେଉଁ କାମରେ ହାତ ଦିଏ, ନ ସରିଲା ପର୍ଯ୍ଯନ୍ତ ଛାଡ଼େ ନାହିଁ ବା ଛାଡ଼ିବାର ପ୍ରଶ୍ନ ଉଠେନାହିଁ | ଶୋଭା ଠିକ୍ ଚିହ୍ନିଥିଲା ପ୍ରେରଣାକୁ | କିଛି ଗମ୍ଭୀର ସମସ୍ଯା ଅଛି ବୋଧହୁଏ ? ପ୍ରେରଣା ପଚାରିଲା | ଘରେ ଚର୍ଚ୍ଚା କରିବାକୁ ଚାହୁଁ ନ ଥିଲା ଶୋଭା | ଚାଲ , ଟିକିଏ ବାହାରକୁ ଯିବା | ସେଇ ବରଗଛ ପିଣ୍ତାରେ ବସି କଥାହେବା ,ଶୋଭା କହିଲା |

 ହଉ, କହି ଦୁହେଁ ବାହାରିଗଲେ ସେହି ବରଗଛ ପିଣ୍ତାକୁ | ସେଇଟା ପରା ବତ୍ରିଶ ସିଂହାସନ | ବିକ୍ରମାଦିତ୍ଯ ପ୍ରେରଣାକୁ ପ୍ରେରଣା ଦିଅନ୍ତି | ତାହାକୁ ସତ୍ଯ ବୋଲି ଧରିନେଇଥାଏ ଶୋଭା | କଥା ବଡ଼ ପାଟିରେ ନ କହି କାନ ପାଖରେ ଧିରେ ଧିରେ କହିଲା | ଏକା ଥରକେ ତିନି ଚାରିଟା ଗୁରୁତ୍ବପୂର୍ଣ୍ଣ କଥା | ଆର ପଟ ସାହି ପୋଖରୀରେ କାହାର ଗୋଟିଏ ଛୋଟ ଝିଅର ମୃତ ଦେହ | ଗାଆଁର ଅନତି ଦୂରରେ ବସିଥିବା ମଦ ଭାଟିରେ ମଦ ପିଇ ଗଣ୍ଡଗୋଳ | ଦୁଇ ଦଳ ପିଟାପିଟି ହୋଇଛନ୍ତି | ସନା ଭାଇର ମୁଣ୍ତ ଫାଟିଯାଇଛି | ସନା କିଛି ପିଲା ମାନଙ୍କୁ ନେଇ ଯାଇଥିଲା ମଦଭାଟି ବନ୍ଦ କରିବାକୁ | ମାତ୍ର ଘଟଣା ଓଲଟା ହୋଇଗଲା | ମଦଭାଟି ମାଲିକର ଭଡ଼ାଟିଆ ଗୁଣ୍ଡାମାନେ ସନା ଭାଇ ଓ ସହଚର ମାନଙ୍କୁ ପିଟିଛନ୍ତି | ତୃତୀୟ କଥା ହେଲା ମଝି ସାହିର ଅମୃତ ଭାଇ ତା' ସ୍ତ୍ରୀକୁ ପିଟିପିଟି ଘରୁ ବାହାର କରିଦେଇଛି | ତାଗିଦ୍ କରି କହିଛି ତା ବାପଘରୁ ପଚାଶ ହଜାର ଟଙ୍କା ନ ଆଣିଲେ ,ତାକୁ ଘରେ ପୂରେଇ ଦେବନାହିଁ | ଏମିତି କେତେ କ'ଣ ! ପ୍ରେରଣାର ଆଖି ଖୋସି ହୋଇଗଲା | କ'ଣ କରିବ କିଛି ଭାବି ପାରିଲା ନାହିଁ | ଗୋଟିଏ ପଟେ ପୋଲିସର ସହାୟତା ବିନା ଏ ସବୁ ସମସ୍ୟାର ସମାଧାନ ଅସମ୍ଭବ | ଶିଶୁହତ୍ଯା, ମଦମାଫିଆଙ୍କ ଦୌରାତ୍ମ୍ୟ , ନାରୀ ନିର୍ଯ୍ଯାତନା ଓ ଡାଉରୀ ସମସ୍ୟା | ମୁଣ୍ଡ ଗୋଳମାଳ ହୋଇଗଲା | ମହିଳା ଥାନା ଅଧିକାରିଣୀ ଦେବୀନାଙ୍କୁ ପ୍ରେରଣା ଫୋନ ଲଗାଇଲା | ସବୁକଥା ବିସ୍ତୃତଭାବେ କହିଲା | ଦେବୀନା ତାକୁ ସଂପୂର୍ଣ୍ଣ ସାହାଯ୍ଯ କରିବେ ବୋଲି ପ୍ରତିଶ୍ରୁତି ଦେଲେ | ଶୋଭା ଓ ପ୍ରେରଣା ମିଶି ସମସ୍ତ ମହିଳା ମାନଙ୍କୁ ଏକାଠି ଡାକି ଏକଜୁଟ୍ କଲା | ବରଗଛ ତଳ ଲୋକାରଣ୍ୟ | ପୋଲିସ ବି ଆସିଗଲା | ଏତେ ଗୁଡ଼ିଏ ଘଟଣା ଯୋଡ଼ି ହୋଇଥିବାରୁ ସମସ୍ତଙ୍କ ଆଖି ପୋଲିସ ଉପରେ | ସବୁ ମହିଳା ଏକଜୁଟ୍ ହେବା ଦେଖି ସମସ୍ତେ ଆଶ୍ଚର୍ଯ୍ଯ ହେଉଥିଲେ | 

    ପ୍ରେରଣାର ମହିଳା ଦଳ ଅମୃତକୁ ସେଠାକୁ ଧରିଆଣିଲେ | ଏକାଥରକେ କଙ୍ଗାରୁକୋର୍ଟ | ପୋଲିସ ବିଚାର କରୁ କରୁ ଅସଲ ଦୋଷୀ ମୁକୁଳିଯାଏ | ହେଲେ ପ୍ରେରଣା କୋର୍ଟରେ ବିଚାର ସଙ୍ଗେ ସଙ୍ଗେ | ଏତେ ବଡ଼ ସଂଗଠନ ଦେଖି ଅମୃତର ବିଷ ବ୍ୟବହାର ପରିବର୍ତ୍ତିତ ହୋଇଗଲା | ସମସ୍ତଙ୍କ ଆଗରେ କ୍ଷମା ମାଗିନେଇ ତା' ସ୍ତ୍ରୀକୁ କୋଳେଇ ନେଲା | ମଦଭାଟି ଆଡ଼କୁ ମହିଳାମାନେ ଆଗେଇଲେ | ପୋଲିସ ଉପସ୍ଥିତିରେ ମଧ୍ୟ କିଛି ମାନିଲେ ନାହିଁ | ପୋଲିସର ବାରଣ ସତ୍ତ୍ବେ ମଦଭାଟିର ସବୁ ମଦ ରାସ୍ତାରେ ଢାଳିଦେଲେ | ମଦଭାଟିକୁ ଭାଙ୍ଗି ପକାଇଲେ | ମଦ ସବୁ ଅଶାନ୍ତିର ମୂଳ କାରଣ | ଗାଆଁରୁ ମଦଭାଟି ଉଚ୍ଛେଦ ହେଲା | ମହିଳା ମାନଙ୍କ ସଂଗଠନକୁ ସମ୍ମାନ ଦେଇ ମଦଭାଟିକୁ ସେଇଠୁଁ ସ୍ଥାନାନ୍ତରିତ କରାଗଲା |  

     ତୃତୀୟ ସମସ୍ୟା ବଡ଼ ଗୁରୁତର | ଶିଶୁ ଅପହରଣ ତଥା ହତ୍ଯା | ସମସ୍ତଙ୍କର ମୁଣ୍ଡ ଗୋଳମାଳ ହୋଇଗଲା | ଶିବାର ମାଆ କାନ୍ଦି କାନ୍ଦି ଗଡ଼ିଯାଉଛି | ଅଥୟ ତାଙ୍କ ପରିବାର | ଘଟଣା ବା ଦୁର୍ଘଟଣାର କୂଳକିନାରା ମିଳୁନି | ପ୍ରେରଣା ତା ଶିଶୁବାହିନୀକୁ ଲଗାଇ ଦେଇଥିଲା | ଭାରିଚାଲାକ ସେ ଦଳ | ଦଳର ଦଳପତି ମିନୁ ଘଟଣାକୁ ଦେଖିଥିଲା | ଏତେ ଲୋକମାନଙ୍କ ଆଗରେ ସବୁ ଖୋଲିଦେଲା | ସବୁ ମିଛ ଧରାପଡ଼ିଗଲା | ଶିଶୁ ହତ୍ଯାକାରୀ ଦଳକୁ ଲୋକେ ଆଗ ବହେ ଛେଚିଲେ | ପୋଲିସ ସେମାନଙ୍କୁ ଉଦ୍ଧାର କରି ଥାନାକୁ ନେଇଗଲା | 

    ପ୍ରେରଣା ସମସ୍ତଙ୍କର ଆଦର୍ଶ ବନିଯାଇଥିଲା | ତାହାରି ଆଦର୍ଶରେ ପୂରା ଗାଆଁ ଆଜି ଗର୍ବିତ | ଗାଆଁର ଝିଅ ପ୍ରେରଣା ଅଞ୍ଚଳ ପାଇଁ ପ୍ରେରଣାର ମୁଖ୍ୟ ଉତ୍ସ | ସମସ୍ତେ ପ୍ରେରଣାକୁ ଓ ତା'ର ସହଯୋଗୀମାନଙ୍କୁ ଭୁରିଭୁରି ପ୍ରଶଂସା କଲେ | ସମସ୍ତ ଝିଅମାନେ ପାଟିକରି କହିଲେ, ପ୍ରେରଣା ଦିଦି‐ ଜିନ୍ଦାବାଦ୍ ‐୩ - | 



Rate this content
Log in

Similar oriya story from Inspirational