Tikeshwar Sahu

Romance

3.4  

Tikeshwar Sahu

Romance

ନୂଆବୋହୂ

ନୂଆବୋହୂ

4 mins
243



    ନୂଆବୋହୂ ପାଦ ଦେଉ ଦେଉ ଅଗଣାରେ ଶତପଦ୍ମ ଫୁଟିଉଠିଲା । ବରଷି ଗଲା ଅମୃତର ବିନ୍ଦୁ ବିନ୍ଦୁ ଶିଶିର ମୁକ୍ତା । ସତେ କି ସରଗରୁ ଚାନ୍ଦ ଓହ୍ଲାଇ ଆସିଛି ହାତ ପାପୁଲିକୁ । ଚିକ୍ ମିକ୍ ତାରାମାନେ ତା ଚାରିପଟେ ସାଲୁବାଲୁ ହେଉଥାନ୍ତି । ନୂଆବୋହୂ ଚାନ୍ଦିନୀ । ତାଙ୍କ ଗାଆଁ ଏଠୁ ବହୁଦୂର ମଫସଲ ଗାଁ ଚାନ୍ଦପୁରରେ । ନୂଆବୋହୂ ପରା ଚାନ୍ଦପୁରର ଚାନ୍ଦିନୀ । ସେ ଗାଁରେ ଆଗରୁ କିଏ ଏପରି ଚାନ୍ଦିନୀ ଥିଲେ ନା ପରେ ଏପରି ଚାନ୍ଦିନୀ ଆସିବେ । ବଡ଼ମାଆ ଚାନ୍ଦପୁରର ଚାନ୍ଦିନୀକୁ ତୋଳି ଆଣିଛନ୍ତି ନିଜ ବଡ଼ପୁଅ ଚନ୍ଦନ ପାଇଁ । 

     ଚାନ୍ଦିନୀ ବଡ଼ ଘରର ବଡ଼ବୋହୂ । ହାତରେ କିଛି କାମ କରେଇ ଦେଉନଥିଲେ ଘର ମାଲିକାଣୀ ବଡ଼ମାଆ । ବଡ଼ମାଆଙ୍କର ଏ ଘରରେ ରାଜ । ମୁହଁରେ କେହି ପ୍ରତ୍ଯୁତ୍ତର ଦିଅନ୍ତି ନାହିଁ । ଘରେ ଚାକରବାକର ଭରପୁର । ସବୁ କାମ ସେମାନେ କରନ୍ତି । ଘର ସଫା କାମଠୁଁ ଆରମ୍ଭ କରି ବଜାର ଆଉ ରୋଷେଇ ପର୍ଯ୍ଯନ୍ତ ଚାକର ନିଯୁକ୍ତ । ମଫସଲ ଗାଁ ଚାନ୍ଦିନୀ ଏପରି ଘରକୁ ବୋହୂ ହୋଇ ଆସିଲା ପରେ ତାକୁ ଭାରି ଅଡ଼ୁଆ ଲାଗିଲା । ଗାଆଁରେ ଥିଲା ବେଳେ ସାଙ୍ଗମାନଙ୍କ ସହ ମିଶି ବଅଁର କୋଳି ତୋଳିବା, ନଈ ପାଣିରେ ପହଁରିବା, ପୋଖରୀରୁ କଇଁ ,ପଦ୍ମ ତୋଳିବା, ଛେଳି ଛୁଆ ପଛରେ ଦୌଡ଼ିବା ଓ ବୁଢ଼ୀଆଈକୁ ଚିଡ଼େଇବା ଏମିତି କେତେ କ'ଣ କରଛି । ସବୁ ତାର ମନେ ପଡ଼ିଲା । ଗହଣାରେ ମଣ୍ଡି ହୋଇଥିବା ଚାନ୍ଦିନୀକୁ ଓଜନିଆଁ ଦାମୀ ଲୁଗା ଭାରି ଅଡ଼ୁଆ ଲାଗୁଥାଏ ।  

     ଗାଁ ସ୍କୁଲରୁ ପଞ୍ଚମ ପାସ କଲା ପରେ ପାଖ ଗାଁ ମାଇନର ସ୍କୁଲରେ ସପ୍ତମ ଯାଏ ପାଠ ପଢ଼ିଛନ୍ତି । ପଢ଼ିବାର ଭାରି ଇଚ୍ଛା । ହେଲେ କ'ଣ ହେବ ! ହାଇସ୍କୁଲ ଚାନ୍ଦପୁରଠାରୁ ପାଞ୍ଚ କିଲୋମିଟର ରାସ୍ତା । ତା' ପୁଣି ଜଙ୍ଗଲ । ବାଟରେ ଛୋଟ ଝରଣା । ବର୍ଷା ଦିନ ଆସିଲେ ସବୁ ବାଟ ବନ୍ଦ । ନିତି ଦିନିଆଁ ଖାଦ୍ଯ ଯୋଗାଡ଼ ପାଇଁ ନାଳ ଉପରେ ବଡ଼ ଗଛ ପକାଇ ରସି ଧରି ଏପଟରୁ ସେପଟକୁ ଯାଆ ଆସ ଚାଲେ । ଚାନ୍ଦିନୀର ପାଠପଢ଼ାରେ ଡୋରି ବନ୍ଧା ହୋଇଗଲା । କଥା କଥାକେ ମଜାକଥା । ସେଇ ଗାଉଁଲିଆ କଥା ଭାଷା ଛାଡ଼ି ପାରୁନାହାନ୍ତି ଚାନ୍ଦିନୀ । ବଡ଼ଘରର ବୋହୂ ହୋଇ ସୁଦ୍ଧା ବଡ଼ବଡ଼ିଆ କଥାରେ ଅଭ୍ୟସ୍ତ ନୁହନ୍ତି ଚାନ୍ଦିନୀ । ଏଇ ଯେମିତି ସେ କହନ୍ତି ନିତାନୀ,କନ୍ଥା, ଖଟ,ଉଢ଼ୁଣୀ, ପଖାଳଭାତ ଏମିତି କେତେ କ'ଣ । ବଡ଼ଘରର ଚାଓମିନ୍ , ଜେଲିଜାମ୍ ,ମେଗି, ଗାଜର୍ ହାଲୁଆ ,ମନଚୁରିଏନ୍ ,ଚାଟ୍ , ବରଗର୍ , ଦୋଷା ଇତ୍ଯାଦି ଚାନ୍ଦିନୀ ପାଟିରେ ଯାଏନାହିଁ । ଦୁଇ ଓଳି ଦୁଇ କଂସା ପଖାଳ ଖାଇଦେଇ ପେଟ ପୂରାଇଦେଲେ ହେଲା । ସେଇ ସହରୀ ଟିଫିନ୍ ଗାଆଁରେ ମିଳିବ କୋଉଠି ଯେ । ତଳେ ଖଲିମତା ପକେଇ ଅବା ପିଢ଼ାରେ ବସି ଭାତ ଖାଇଲେ ଯୋଉ ମିଠା, କ'ଣ କହନ୍ତି ନା ଡାଇନିଂଗ ସେଟ୍ ରେ ବସି ଖାଇଲେ ବଡ଼ ଅଡ଼ୁଆ ଲାଗେ । ସମସ୍ତଙ୍କ ଆଗରେ ଡାହାଣ ହାତର ପାଞ୍ଚ ଆଙ୍ଗୁଠି ଲଗାଇ ପାଞ୍ଚ ମିନିଟ୍ ରେ ଖାଇବା ସାରିଦେବା ଦେଖି ସାନ ନଣନ୍ଦର ଆଖିରେ ଯାଏନାହିଁ । କହେ , କୋଉ ଗଧୁଣୀଟେ ଗାଆଁରୁ ଧରି ଆଣିଛନ୍ତି । ଗାଈ ବଳଦଙ୍କ ଭଳି ମୁହଁ ଲଗେଇ ଢମାରୁ ଭାତପେଜ ଖାଇଯାଉଛି । ହାଇହିଲ୍ ଯୋତା ପିନ୍ଧି ଘରେ ଚାଲୁଛି ଯେ ମାର୍ବଲ ଉପରେ ଦିନକୁ କୋଡ଼ିଏ ଥର ପଡ଼ୁଛି । ବଡ଼ମାଆ କହନ୍ତି ,ବ୍ୟସ୍ତ ହୁଅନା । କିଛି ଦିନ ଭିତରେ ସବୁ ଠିକ୍ ହୋଇଯିବ । ତା'ର କଥାଭାଷା, ଚାଲିଚଳଣି ସବୁ ସହରୀ ହୋଇଯିବ । ସାନ ଝିଅ ଏ କଥାରେ ନାକ ଟେକେ । 

     

     ଅଧା ଓଡ଼ିଆ ଅଧା ଇଂରାଜୀ ମିଶା ଗାଉଁଲିଆ ଜଙ୍ଗଲି ଆଦିବାସୀ ଭାଷାରେ କଥା କହନ୍ତି ଚାନ୍ଦିନୀ । ସ୍ବାମୀ ଚନ୍ଦନ ବିଦେଶ ଚାକିରୀଆ । ବହୁ ଦିନ ଧରି ଆମେରିକାରେ ରହିଲାଣି । କଥା କଥାକେ ଆମେରିକାନ୍ ଇଂରାଜୀ । କିଛି ବୁଝିପାରେନି ଚାନ୍ଦିନୀ । କିଛି ନ ବୁଝିଲେ ନାହିଁ, ମୁଣ୍ଡ ହଲାଇ ହଁ ବା ନାହିଁ ଉତ୍ତରଟିଏ ଦେଇଦିଏ । ଚନ୍ଦନ ଭାବନ୍ତି, ଚାନ୍ଦିନୀ ସବୁ ବୁଝୁଛି । ଚାନ୍ଦିନୀ କୋଉ କମ୍ ଯେ ତା ଇଂରାଜୀ ମିଶା ଜଙ୍ଗଲି ଭାଷା କହିଦେଲେ ସମସ୍ତଙ୍କର ଅକଲଗୁଡ଼ୁମ୍ । 

     ଅର୍ଦ୍ଧ ଶିକ୍ଷିତା ହେଲେ ବି ଚାନ୍ଦିନୀ ପାଖରେ ସଂସ୍କାର ଥିଲା । ସାନ ନଣନ୍ଦ ତାକୁ ଭାବେ ଗଧୁଣୀଟେ । ମାତ୍ର ବଡ଼ିଭୋରରୁ ଉଠି ପ୍ରାତ ସ୍ନାନ ଶେଷକରି ଯେତେବେଳେ ସୁଲଳିତ କଣ୍ଠରେ ପୂଜାଘରେ ପ୍ରାର୍ଥନା ବୋଲେ ଘରସାରା ସୁଗନ୍ଧରେ ଭରିଯାଏ । ଭଗବାନଙ୍କର ନାମାମୃତ ସମସ୍ତଙ୍କର କାନରେ ବାଜେ । ଜଙ୍ଗଲି ଗାଁ ହେଲେ କ'ଣ ହେବ, ତା ମାଆଠୁଁ ଏମିତି ସେ ଶିଖିଛି । ସକାଳର ପ୍ରାର୍ଥନା ବେଳକୁ ସାନ ନଣନ୍ଦର ପାହିନ୍ତିଆ ଘୁଁଙ୍ଗୁଡ଼ି ଘରର୍ ଘଟ୍ । ସମସ୍ତେ ବିଛଣା ଛାଡ଼ିଲା ବେଳକୁ ଚା' କପ ଧରି ପାଖରେ ଠିଆ । ବଡ଼ମାଆ ଆଶ୍ଚର୍ଯ୍ଯ ହୁଅନ୍ତି । ଉଚ୍ଚ ଶିକ୍ଷିତ କମ୍ପାନୀ ମାଲିକ ଶ୍ବଶୁର ବୋହୂର ବ୍ୟବହାରରେ ଶତମୁଖ । ଚାଲିଗଲା ବେଳେ ଭାବନ୍ତି, ସେ ଘରେ ସ୍ବୟଂ ମହାଲକ୍ଷ୍ମୀ ବିଜେ କରିଛନ୍ତି ।

    ଶ୍ରୀ ଚାନ୍ଦିନୀକୁ ସବୁବେଳେ ଘର ରୋଷେୟା ସାହାଯ୍ୟ କରେ । ରୋଷେୟା ହାତରୁ କାମ ଛଡ଼ାଇ ନେଇ ଚାନ୍ଦିନୀ କରିପକାଏ । ରୋଷେୟା କହେ, ସାନମାଆ ମୋ ଚାକିରୀ ଗଲା । ତୁମେ ଯଦି ଏମିତି ରୋଷେଇ ଘରକୁ ଆସିବ କିଛି ଦିନ ପରେ ମୋ ପୁଟୁଳି ବ୍ୟାଗ ଧରି ମୋତେ ଘରକୁ ବିଦା କରାହେବ । ଏ ଗରୀବର ଦାନା ମାରନାହିଁ ମା' । ଚାନ୍ଦିନୀ କହେ , କିଛି ହେବନାହିଁ । ତୁମେ ତୁମ କାମ କର ,ମୁଁ ମୋ କାମ କରୁଛି । ବରଂ ଆଶ୍ବାସନା ଦିଅନ୍ତି ଆସନ୍ତା ମାସଠାରୁ ତୁମ ସମସ୍ତଙ୍କର ବଡ଼ମାଆଙ୍କୁ କହି ଦରମା ବଢ଼ାଇ ଦେବି । 

    ସାନମାଆ ଚାନ୍ଦିନୀଙ୍କ ବ୍ୟବହାରରେ ସମସ୍ତେ ବହୁତ ଖୁସି । ଚନ୍ଦନଙ୍କ ପ୍ରତ୍ଯେକ କାମରେ ହାତକୁ ହାତ ମିଳାଇ ସାହାଯ୍ଯ କରନ୍ତି । ବଡ଼ମାଆଙ୍କୁ କାମ କରିବାକୁ ଦିଅନ୍ତି ନାହିଁ । ଅଳ୍ପ ଶିକ୍ଷିତା ହେଲେ ମଧ୍ୟ ସଂସ୍କାରରେ ଉଚ୍ଚ ଶିକ୍ଷିତା । ସେ ଜାଣନ୍ତି ଉଚ୍ଚ ଆଦର୍ଶର ମୂଲ୍ଯବୋଧ । ବ୍ୟବହାର ଦେଲେ ବ୍ୟବହାର ମିଳେ , ଏକଥାଟିକୁ ସେ ଠିକ୍ ବୁଝିଥିଲେ । ଯେତେ ଅବାଗିଆ ଅସୁବିଧା ପରିସ୍ଥିତିରେ ମଧ୍ୟ ଚାନ୍ଦିନୀ ଧୈର୍ଯ୍ଯହରା ନ ହୋଇ ଜୀବନ ନଉକାକୁ ଠିକ୍ ଠିକ୍ ବାହିବାରେ ସମର୍ଥ ହୋଇଛନ୍ତି , ଏହା କହନ୍ତି ବଡ଼ମାଆ ତଥା ଶାଶୁ ମା' । ସେ ସିନା ବାର୍ ରେ ହାତକୁ ହାତ ଧରି ମଦ ପିଇ ନାଚି ପାରନ୍ତି ନାହିଁ କିନ୍ତୁ ହାତକୁ ହାତ ମିଳାଇ ଯେତେ ବଡ଼ ହେଲେ ବି ସମସ୍ୟା ସମାଧାନ କରିବାରେ ସମର୍ଥ । ଘରେ ଇଣ୍ଟରନେଟ, ଲାପଟପ , ଏଣ୍ଡରୋଏଡ଼ ମୋବାଇଲ୍ କୌଣସିଥିରେ ଅଭାବ ନାହିଁ । ତଥାପି ଛୋଟ କିପେଡ଼ ମୋବାଇଲ୍ ରେ କାମ ଚଳାନ୍ତି । ତାଙ୍କର ସବୁଠାରୁ ବଡ଼କାମ ହେଲା ପରିବାରର ସମସ୍ତଙ୍କର କୁଶଳତା ବୁଝିବା । ସମସ୍ତେ ଖୁସିରେ ରହିଲେ ସେହି ହେଲା ତାଙ୍କର ସବୁଠାରୁ ବଡ଼ ଖୁସି । ଖୁବ ସରଳ, ଅମାୟିକ, ମିତବ୍ୟୟୀ ତଥା ପରିବାରପ୍ରେମୀ । ଏଇତ ତାଙ୍କର ମହାନତା । ଉଚ୍ଚ ଘର, ଉଚ୍ଚ ପରିବାର ତଥା ସମସ୍ତ ଖାନଦାନ ଐଶ୍ବର୍ଯ୍ଯ ଥାଇ ମଧ୍ୟ ଗର୍ବରେ ଫାଟି ପଡ଼ିନାହାନ୍ତି ନାହିଁ ବା ଭଗବତ ପ୍ରେମ ପୂଜା ପର୍ବରୁ ଓହରି ଯାଇନାହାନ୍ତି । ଗାଉଁଲି ନୂଆବୋହୂ ହୋଇଯାଇଛନ୍ତି ଚନ୍ଦନ ପରିବାରର ତୁଳସୀ ଚନ୍ଦନ , ଅଗଣାର ବାସକର୍ପୁର । ଦୟଣାବାସରେ ସାହିପଡ଼ିଶାରେ ଖୁବ୍ ଆଦରର ନୂଆବୋହୂ ଚାନ୍ଦିନୀ । 



Rate this content
Log in

Similar oriya story from Romance