Tikeshwar Sahu

Tragedy

4.0  

Tikeshwar Sahu

Tragedy

ଶବ

ଶବ

3 mins
173



   ଘର ବିଛଣାରେ ଶବ ପଡ଼ିଛି | ଚାରିପାଖେ ଆତ୍ମୀୟ ପରିଜନଙ୍କର କାନ୍ଦ ବୋବାଳିରେ ଚୌଦିଗ ଫାଟିପଡ଼ୁଛି | ସବୁଠୁଁ ବେଶୀ କାନ୍ଦବୋବାଳି ପକାଉଛି ଏକମାତ୍ର ଝିଅ | ବଡ଼ ପୁଅ ନିର୍ବିକାର ଚିତ୍ତରେ ଠିଆ ହୋଇଛି | ଯେତେ ଯାହା ହେଲେ ବାପା | ଦୀର୍ଘ ବର୍ଷର ସ୍ନେହ ମମତା ଛିଣ୍ଡାଇ ଇହ ଜଗତ ଛାଡ଼ି ଚାଲିଯାଇଛନ୍ତି | ସେ ଜାଣନ୍ତି ଯେ ଏ ଆତ୍ମା ଅବିନଶ୍ବର , ଅବିନାଶୀ | ପଞ୍ଚଭୂତର ଶରୀର ପୁଣି ପଞ୍ଚଭୂତ ମାଟିରେ ମିଶିଯିବ | ଆଉ କିଛି ସମୟ ପରେ ନିଆଁରେ ଜଳି ଭସ୍ମ ହୋଇଯିବ | ଆଗଭଳି ଆଉ ସ୍ବଶରୀରେ ତାଙ୍କୁ ଭେଟି ହେବନାହିଁ | ଆତ୍ମାର ସ୍ବର୍ଗପ୍ରାପ୍ତି ଜାଣି ସୁଦ୍ଧା ସେ ଅନେକ ସମୟ ପାଇଁ ବିକଳ ହେଲେ | ପରିବାର ମାୟା ବନ୍ଧନରେ ଆବୃତ ,ଠିକ୍ ଯେମିତି ପୃଥିବୀର ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବ | କାହିଁକି କେଜାଣି ଯେ ମଝିଆଁ ପୁଅ ଏ ପରିବାରର ଆକର୍ଷଣ ଶକ୍ତିକୁ ଛିଣ୍ଡାଇ ବିଦେଶ ଗଲା ଯେ ଆଉ ଫେରିଲା ନିହିଁ | ମନେ ମନେ ମଲା ପୂର୍ବରୁ ବାପା ତାକୁ ବହୁତ ଖୋଜିଛନ୍ତି, ଅସ୍ପଷ୍ଟ ଶବ୍ଦରେ ତା' ନାଁ ଉଚ୍ଚାରଣ କରିଛନ୍ତି | ସାନପୁଅ ଗାଁ ଲୋକଙ୍କୁ କହି ସମସ୍ତ ଯୋଗାଡ଼ କରୁଛନ୍ତି | ଏତେ କଥା ଭାବି ଆଖିରୁ ଧାରଧାର ଲୋତକ ଝରିପଡ଼ୁଥାଏ | ମନେ ପଡ଼ୁଥାଏ ପିଲା ଦିନର ଅଳିଅଝଟ ଓ ତା ସାଥିରେ ବାପାଙ୍କର ଆକଟ | ଆଃ ! କି ମିଠା ମିଠା ସେନେହଭରା ଆକଟ | ଟିକିଏ ବୋଲି ରାଗର ଚିହ୍ନବର୍ଣ୍ଣ ନାହିଁ | ନିଜେ ବାପା ହେଲାପରେ ସତରେ ଆଜି ମନେ ପଡ଼ୁଛି ସେହି ପିଲା ବେଳର କଥା | ବିଶେଷ କରି ବାପାଙ୍କର ସ୍ବର୍ଗାରୋହଣ ପରେ ସେ ସ୍ମୃତିଗୁଡ଼ିକ ଆହୁରି ଜୀବନ୍ତ ହୋଇଉଠୁଛି | ଚାରିଆଡ଼େ ଲୋକଗହଳି | ସମସ୍ତେ କହୁଥାନ୍ତି , ଆହା ! କେତେ ଭଲ ମଣିଷଟେ ଥିଲା | ଆମ ଗହଣରୁ ଚାଲିଗଲା | ଏମିତି ସ୍ନେହୀ ମଣିଷଟେ ପୁଣି ଆମ ଗାଁରେ ଆଉ ଥରେ ଜନ୍ମ ନିଅନ୍ତେ କି ! ସମସ୍ତଙ୍କ ମୁହଁରେ ବାପାଙ୍କର ଭୁରିଭୁରି ପ୍ରଶଂସା ସହ ଜୟଗାନ | 

      ଶବ ପଡ଼ିଛି | ପାଦରେ ମୁଣ୍ଡ ଲଗାଇ କାନ୍ଦୁଛନ୍ତି ଝିଅବୋହୂ | ମୁଣ୍ଡ କଚାଡ଼ି କାନ୍ଦୁଛନ୍ତି ସହଧର୍ମିଣୀ, ଅର୍ଦ୍ଧାଙ୍ଗିନୀ | ଅତି ଆଦରର ସ୍ବାମୀଙ୍କର ମୁଖମଣ୍ଡଳକୁ ଶତଶତ ଚୁମ୍ବନ | ସେ ସିନା ସ୍ବାମୀଙ୍କ ନାମରେ ପ୍ରତିଦିନ ମଥାରେ ସିନ୍ଦୁର ପିନ୍ଧନ୍ତି ; ଆଜି କିନ୍ତୁ ସ୍ବାମୀ ସ୍ତ୍ରୀ ପାଇଁ ମଥାରେ ସିନ୍ଦୁର ହଳଦୀ ଲଗେଇଛନ୍ତି | ବିକଳରେ ଛାତି ଫାଟିଯାଉଥାଏ | ଯେତେ ଯାହା ହେଲେ ବି ସ୍ବାମୀ ଇହକାଳ ପରକାଳର ସଶରୀରେ ପୂର୍ଣ୍ଣବ୍ରହ୍ମ ଦେବତା | ତାକୁ କି ପର କରିହୁଏ ? ଆଉ ଅଳ୍ପ ସମୟ | ସେପଟେ କୋକେଇ ବନ୍ଧା ହେଲାଣି | ଗାଁର ମାଲଭାଇମାନେ ସମସ୍ତ ସଜ କଲେଣି | ଗାଁ ମଶାଣି ଅପେକ୍ଷା କରିଛି ପ୍ରିୟ ପୁଅକୁ ତା' କୋଳକୁ ଆଦରି ନେବାକୁ | ଏଇତ ସମୟ ଚକ୍ରର ପରମ୍ପରା | ଗୋଟିଏ ବାଟରେ ଆସିଥିବା ଓ ଗୋଟିଏ ବାଟରେ ଯିବା | ଆସିବା ବେଳର ବଂଧୁ କେହିନାହିଁ ତ ପୁଣି ଯିବା ବେଳର ବଂଧୁ କେହି ନୁହଁନ୍ତି | ସେହି ସତ୍ଯ ହିଁ ଏକା ସାଥି | ଯାହା ସାଥିରେ ଯିବେ ଶ୍ରୀ ଭଗବାନ ଗୋବିନ୍ଦ | ସେ ଏ ଦୁନିଆଁକୁ ପଠାନ୍ତି, ସେ ପୁଣି ବାହୁଡ଼େଇ ନିଅନ୍ତି | ସେ କିଛି ବ୍ୟତିକ୍ରମ କରନ୍ତି ନାହିଁ | 


     ଶବକୁ ଘର ଖଟରୁ ଉଠେଇ ଅଣାଗଲା | ସଜ ହୋଇଥିବା ଓଲଟା ଖଟରେ ଶବକୁ ରଖାଗଲା | ଚାରି ଖଟଖୁରାରେ କଦଳୀ ପୁଆ ବନ୍ଧା ହୋଇଥାଏ | ବାସଯୁକ୍ତ ଚନ୍ଦନ ଧୂପକାଠି ଲଗାଯାଇଥାଏ | ଅନ୍ତିମ ଯାତ୍ରାରେ ଫୁଲମାଳରେ ସଜ୍ଜିତ ହୋଇଥାଏ ଶବର ଶରୀର | ଶବକୁ ଅନ୍ତିମ ଦର୍ଶନ ପାଇଁ ରଖାଗଲା | ପୁଅ ତଥା ଆତ୍ମୀୟ ସ୍ବଜନ ଶବ ବୋହି ଚାଲିଲେ | ଆଗରେ ଖଇ ଓ ଲିଆ ପଛକୁ ଫୋପାଡ଼ୁଥାନ୍ତି | କେହି ଜଣେ ସ୍ଳୋଗାନ ଦେଲାଭଳି କୁହାଯାଉଥାଏ, "ରାମ ନାମ ସତ୍ଯ ହେ |" ପଛରେ ଶୋଭାଯାତ୍ରାରେ ଥାଆନ୍ତି ଅନେକ ମୃତ୍ଯୁପଥର ଯାତ୍ରୀ | 

      ଶ୍ମଶାନ ଘାଟରେ ପ୍ରସ୍ତୁତ ହୋଇଥିଲା ଚାରିଖୁଣ୍ଟର ଶବଦାହ ସ୍ଥାନ | କାଠ ଭର୍ତ୍ତି ଦାହ ସ୍ଥାନରେ ଶବକୁ ଚାରି କଡ଼ରେ ସାତ ଥର ବୁଲାଇ ଧର୍ମ ଡାକ ଦେଇ ରଖାଗଲା | ବଡ଼ପୁଅ ପ୍ରସ୍ତୁତ କରାଯାଇଥିବା ନିଆଁ ବରେଇକୁ ଜଳାଇ ଉତ୍ତର ପଟ ମୁଣ୍ଡ ତଳ ପାଖରୁ ନିଆଁ ଲଗାଇଲେ | ତା ପରେ ପାଦ ପଟରେ ନିଆଁ ଲଗାଇଲେ | ଦେଖୁ ଦେଖୁ ଲେଲିହାନ ନିଆଁ ଜିଭ ହଲାଇ ଆକାଶକୁ ଉଠିଲା | ନିଆଁ ତା ଉଷୁମ ଜିଭରେ ସାଉଁଟି ନେଲା ଶବ ଗୋଟାକୁ | ଦୁଇ ତିନି ଘଣ୍ଟା ପରେ ନିସ୍ତେଜ ନିଆଁ ଭିତରୁ ଦେଖାଯାଉଥିଲା ପାଉଁଶ ଏବଂ ଟିକି ଟିକି ଖଣ୍ଡ ହାଡ଼ | ଶବ ଆଉ ଶବ ନୁହେଁ | ଶବ ପାଲଟି ଯାଇଛି ପାଉଁଶରେ | 


Rate this content
Log in

Similar oriya story from Tragedy