ପରିଜନ
ପରିଜନ


ଶିଳ୍ପ ନଗରୀ ବିଶାଖାପାଟଣାର ସହରତଳିରେ ଗଢିଉଠିଥିବା ବସ୍ତିରେ ଦେଶଯାକର ଲୋକଙ୍କର ମେଳ। ବିଭିନ୍ନ ଜାତି ଭାଷା ସଂସ୍କୃତି ଓ ସମ୍ପ୍ରଦାୟର ଏକତ୍ର ସହାବସ୍ଥାନ ଏଇଠି। ହସଖୁସିରେ ଭାଇଚାରାରେ ସଭିଏଁ ରୁହନ୍ତି। ଖଟିବା ଖାଇବା ଶୋଇବା ପୁଣି ଖଟିବା... ଏଇ ଜୀବନଚର୍ଯ୍ୟା ସଭିଙ୍କର। କଳି ତକରାଳ ପାଇଁ ସମୟ କାହା ପାଖରେ ନାହିଁ।
କର୍ମବ୍ଯସ୍ତ ଜୀବନର ଫୁରୁସତ୍ ସମୟରେ ଟିକେ ରଙ୍ଗ ଭରି ଦିଏ ବସ୍ତିର ଶେଷ ମୁଣ୍ଡରେ ଥିବା ମଦଭାଟି। ଦେଶୀ ବିଦେଶୀ କିସମର ସବୁ କିଛି ଉପଲବ୍ଧ ସେଠି। ଦିନରାତି ଖୋଲାରହେ ମଦଭାଟିର ତାଟି କବାଟ। କଳକାରଖାନା ପରି ଚବିଶ ଘଣ୍ଟିଆ ଅବିରତ ଡ୍ୟୁଟି। ଜନତା ଜନାର୍ଦ୍ଦନଙ୍କ ସେବାରେ ସଦା ସର୍ବଦା ଲାଗିଥାଏ ମଦଭାଟି ଆଇନକାନୁନକୁ ଆଖିଠାର ମାରି ଯେହେତୁ ହାତଗୁଞ୍ଜାର ଅମୋଘ ଅସ୍ତ୍ରରେ ଭାଟି ମାଲିକ ବଶ କରିରଖିଥାଏ ସରକାରୀ ଅଧିକାରୀଙ୍କୁ।
ନାମ: ଶଙ୍କର ମାଝୀ, ବୟସ: ୩୫ ବର୍ଷ, ପିତା: ସ୍ବର୍ଗତଃ ଫକୀର ମାଝୀ, ଗ୍ରାମ/ପୋଷ୍ଟ: ବୋଲଗଡ଼, ଜିଲ୍ଲା: ଖୋର୍ଦ୍ଧା, ଓଡ଼ିଶା। ଏଇ ତାର ପରିଚୟ, ଆଧାର ନମ୍ବରରେ ବି ଲେଖା ଅଛି। କାମ କରେ ଏଠାକାର ଗୋଟେ ପ୍ଲାଷ୍ଟିକ୍ କାରଖାନାରେ। ବସ୍ତିରେ ରହେ ବୁଢୀ ମାଆ, ସ୍ତ୍ରୀ ଓ ପିଲାମାନଙ୍କୁ ସାଥିରେ ଧରି। ବହୁ କୁଟୁମ୍ବୀ ପରିବାର ତାର। ଗାଁରେ ରହୁଥିବା ଭାଇମାନଙ୍କୁ ବି ଦେଖିବାକୁ ହୁଏ ତାକୁ। ଭାରି ପରିଶ୍ରମୀ ଓ ସ୍ବାଭିମାନୀ ସ୍ବଭାବର ସେ। ତାର ପରିଶ୍ରମରେ ବେଶ୍ ସୁରୁଖୁରରେ ଚଳିଯାଏ ବହୁ ପ୍ରାଣୀର ସଂସାର।
ଏଯାଏଁ କେବେ ବି ମଦଭାଟିର ମାଟି ମାଡିନାହିଁ ଶଙ୍କର । ହେଲେ ତା ସାଥିରେ କାମ କରୁଥିବା ଅନ୍ୟମାନେ ବରାବର ଯାଆନ୍ତି ସେଠାକୁ। ସେଦିନ ଅନେକ ରାଣ ପକାଇ ତାର ସାଙ୍ଗ ତ୍ରିନାଥ ଡାକି ନେଲା ଭାଟିକୁ ଜନ୍ମଦିନ ପାଳିବାକୁ। ତା ପରଦିନ କାମକୁ ଯାଇପାରିଲାନି ଶଙ୍କର ନିଶା ଛାଡିନଥିବାରୁ। କିନ୍ତୁ ନିଆରା ମଜା ପାଇଥିଲା ଜୀବନରେ ପହିଲିବାର। ସବୁ ଦୁଃଖ କଷ୍ଟ ଭୁଲିଯାଇଥିଲା କିଛି ସମୟ ପାଇଁ।
ସେବେଠାରୁ ବରାବର ଭାଟିକୁ ଯିବାକୁ ଲାଗିଲା ସେ। କେଇଟା ଦିନରେ ସେ ଘୋଡା ମଦୁଆ ହୋଇଗଲା। ଆଗର ଶଙ୍କର ହୋଇ ରହିଲା ନାହିଁ ଆଉ। ପୁରାପୁରି ବଦଳିଗଲା ତାର ସ୍ଵଭାବ ଓ ଜୀବନଚର୍ଯ୍ୟା। ଯାହା ରୋଜଗାର କରେ ସବୁ ନିଶାପାଣିରେ ଉଡାଇ ଦିଏ ଭାଟିରେ। ଘର ପରିବାର କଥା ଭୁଲିଗଲା ସେ।
ସ୍ତ୍ରୀ, ମିନତୀ କିଛି କହିଲେ ତାକୁ ଅଯଥାରେ ଗାଳି ଗୁଲଜ କରେ। ହାତ ଉଠାଇ ମାରଧର କରେ ପିଲାମାନଙ୍କ ଆଗରେ। ବିଚାରୀ ସ୍ତ୍ରୀ ଆଖିର ଲୁହ ଆଖିରେ ରଖି ପିଲାଙ୍କ ମୁହଁ ଚାହିଁ ସବୁ ସହି ଯାଏ। ପରଘରେ ପାଇଟି କରି ଯାହା କିଛି ମିଳେ ସେତିକିରେ ପରିବାର ଚଳାଏ। କାହାର ଦେହମୁଣ୍ଡ ଖରାପ ହେଲେ ବୋଝ ଉପରେ ନଳିତା ବିଡା ହୋଇଯାଏ ଦୁଃଖ ମିନତୀର।
ଏମିତି ଦୁଃଖ କଷ୍ଟରେ କଟିଗଲା ଥୋଡାଏ ଦିନ। ବଡ଼ ପୁଅ ସୁବାସକୁ ହେତୁ ହେଲାଣି। ଘରର ଅବସ୍ଥା ଦେଖି ସେ ବି ଛୋଟ ମୋଟ କାମ ଧନ୍ଦା କରିବା ଆରମ୍ଭ କରିଦେଇଛି। ମାଆ ପୁଅଙ୍କ ରୋଜଗାରରେ କିଛି ଟା ସୁଧାର ଆସିଛି ସ୍ଥିତିରେ।
କିନ୍ତୁ ଶଙ୍କର ଯୋଉ ମାତାଲ କୁ ସେଇ ମାତାଲ। ଧିରେ ଧିରେ ତାକୁ ତାର ପରିବାର ଲୋକେ ଭୁଲିବାକୁ ଆରମ୍ଭ କରୁଥିଲେ ସେ ଯେମିତି ଭୁଲିଯାଇଥିଲା ସେମାନଙ୍କୁ ମଦିରା ନିଶାରେ। ତାର ଖିଆପିଆର ହିସାବ ନ ଥାଏ ଆଜିକାଲି। କାରଖାନାରୁ ଯାହା ରୋଜଗାର କରେ ଭାଟିକୁ ନିଅଣ୍ଟ ହେଲାଣି, ତେଣୁ ହାତ ଉଧାରି ବଢ଼ିଲାଣି। ଶୁଝିବାକୁ ସ୍ତ୍ରୀ ପିଲାଙ୍କୁ ଟଙ୍କା ମାଗେ, କେବେ ମିଳେ ପୁଣି କେବେ ମିଳେ ନାହିଁ। ଯଦି ନ ମିଳେ ସେମାନଙ୍କୁ ବାଡେଇବାକୁ ପଛାଏ ନାହିଁ। ଦିନକୁ ଦିନ ଶଙ୍କରର ଦୌରାତ୍ମ୍ଯ ବଢୁଥିଲା। ସହିବାର ସବୁ ସୀମା ସରହଦ ଟପି ଯାଇଥିଲା ତାର ପରିବାର ପାଇଁ।
ଏବେ ଆଉ ଘରକୁ ଆସୁନାହିଁ ଶଙ୍କର କି ଘରେ ବି କେହି ତାକୁ ପୁରାଇ ଦେଉ ନାହାନ୍ତି। ସମସ୍ତଙ୍କ ପାଇଁ ଆଲୋଡା ହୋଇଗଲାଣି ଏଭିତରେ ସେ। ମଦ ପିଇ ରାସ୍ତା ଘାଟରେ ଶୁଏ ବୁଲା କୁକୁରଙ୍କ ମେଳରେ। ଏତେ ସବୁ ଘଟିବା ପରେ ମଧ୍ୟ ତାର ମଦରୁ ମୋହ ତୁଟିନଥାଏ। ଦିନେ ମଦ ନପିଇଲେ ସେ ପାଗଳ ହୋଇଯାଏ। ଏହି ପାଗଳାମି ପାଇଁ କାରଖାନାର ଚାକିରି ଚାଲିଗଲା। ତଥାପି ତାର ଚେତା ପଶିନାହିଁ।
ଦିନେ ହଠାତ୍ ସକାଳୁ ସକାଳୁ ସଭିଏଁ ଦେଖିବାକୁ ପାଇଲେ ଶଙ୍କରର ଲାଶ୍ ମଦଭାଟିର ଦୁଆର ମୁହଁରେ। ଭାଟିରେ ଦିନରାତି ପଡୁନଥିବା ତାଟି ଆଜି ପଡିଥିଲା। କେହି ବି ନଥିଲେ ଭାଟିରେ। ବାକି ଟଙ୍କା ମାଗିବାକୁ କେନ୍ଦ୍ର କରି ଭାଟି ମାଲିକ ଆଉ ଶଙ୍କର ମଧ୍ୟରେ ବଚସା। ବଚସାରୁ ହତାହାତି, ଭାଟି ମାଲିକ ଫେରାର୍ ଆଉ ଶଙ୍କର ବିଚରା ମାଟି କାମୁଡ଼ି ଶୋଇଯାଇଛି ଚିରନିଦ୍ରାରେ ଅତି ପ୍ରିୟ ଭାଟି ଦୁଆରେ।
କେହି ଜଣେ ବି ତାର ସାଙ୍ଗ ସାଥି ଏପରିକି ପରିବାରର କୌଣସି ସଦସ୍ଯ ଆସିଲେନି ତାକୁ ଦେଖି ତାର ଶବକୁ ଚିହ୍ନଟ କରିବା ପାଇଁ। ଅଯଥା ପୋଲିସ୍ କେସ୍ ରେ ପଶିବାକୁ କାହାର ଆଗ୍ରହ କିମ୍ବା ଆବଶ୍ୟକତା ନଥିଲା। ପରିଜନ ସଭିଙ୍କ ପାଇଁ ଶଙ୍କର ଆଜି ପରଜନ! ସବୁ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ରେଖା ଟାଣି ସ୍ତ୍ରୀ ପିଲାଏ କହିଲେ, "ଲୋକଟା ଆମ ପାଇଁ ମରିସାରିଥିଲା କେବେ ଠାରୁ। ବରଂ ଭଲ ହେଲା ସଂସାରରୁ ମୁକ୍ତି ପାଇଗଲା। ଆମକୁ ସବୁଦିନ ପାଇଁ ଅପବାଦରୁ ବି ମୁକ୍ତି ମିଳିଗଲା "
ଅଚିହ୍ନା ଅଜଣା ଶବ ଭାବେ ଆମ୍ବୁଲାନ୍ସରେ ଲଦା ହୋଇ ଶଙ୍କର ଗଲା ହସ୍ପିଟାଲ ପଞ୍ଚନାମା ପାଇଁ, ଯେହେତୁ ତାର ପରିଚୟ ପତ୍ରଟା ହଜିଯାଇଥିଲା କେବେ ଠାରୁ ସେଇ ମଦଭାଟିର ଅଫେରା ଅନ୍ଧାରୀ ଠିକଣାରେ।
ଜନ୍ମକଲା ମାଆଟି ଯାହା ଲୁହ ଗଡ଼ାଉଥିଲା ଗୁମୁରି ଗୁମୁରି ସଭିଙ୍କ ଦୃଷ୍ଟିର ଆଢୁଆଳରେ...।