***ପ୍ରେମ (ଗପ ନୁହେଁ)
***ପ୍ରେମ (ଗପ ନୁହେଁ)
- ମୂହୁର୍ତ୍ତ ! ପୁଣି ଦୁର୍ବଳ ? ହାଃ ହାଃ ହାଃ .... ହାଃ ହାଃ ହାଃ .... !!!
ହସର ଶବ୍ଦମାନେ ଘରର ଦୁଆରବନ୍ଧ ଡେଇଁ ଅତିକ୍ରମୁଥାନ୍ତି ରାସ୍ତା ଆଡ଼କୁ ଓ ପଥଚାରୀମାନେ ସେଇ ଘରଆଡ଼କୁ ମୁହଁ ବୁଲାଇ ବୁଲାଇ ଅନଉଥାନ୍ତି ସେଇ ରାସ୍ତା ଦେଇ ଗଲାବେଳେ ।
- ମୋତେ ଅଟ୍ଟହାସ୍ୟ କରୁଛ ତମେ ? ନା ମୋ ପ୍ରେମକୁ ମିଛ ମଣୁଛ ?
ମିଷ୍ଟର୍ କାନନ୍ ଆଶ୍ଚର୍ଯ୍ୟ ଡୋଳାରେ ଚାହିଁ ରହିଲେ ଲୀନା ଆଡ଼କୁ ।
- ଏକ ଦୁର୍ବଳ ମୁହୂର୍ତ୍ତର ଅଧୀନ, ପୁଣି ପ୍ରେମ ? ପ୍ରେମ କି କେବେ ଦୁର୍ବଳ ମୁହୂର୍ତ୍ତରୁ ହେଇପାରେ ଜନ୍ମ ?
ହାଃ ହାଃ ହାଃ .... ହାଃ ହାଃ ହାଃ .... !!!
ଲୀନା ହସର ଲହର ଥିଲା କିନ୍ତୁ ଖୁବ୍ ତୀବ୍ର ଯାହା ଓଠରେ ପହଞ୍ଚି ତାକୁ ଫୁଟାଉନଥିଲା ଫୁଲ ଭଳି ବରଂ ସିଧା ହୃଦୟରେ ବାଜି ନିଜ ତୀକ୍ଷଣତାର ପରାକାଷ୍ଠା ଦେଖଉଥିଲା ରହି ରହି । ମିଷ୍ଟର୍ କାନନ୍ ଙ୍କୁ ଲାଗୁଥିଲା ଯେମିତି ସେ ନିଜ ମନ କଥା କହିନାହାନ୍ତି ଲୀନାକୁ ଅପିତୁ ନିଜକୁ ଅପମାନିତ ହେବାର ଚାବିକାଠି ଯାଚିଦେଇଛନ୍ତି ତାକୁ ।
- ପ୍ରେମ ସମ୍ବେଦନ ନା ଅନୁଭବ ? ପ୍ରେମ ଆସକ୍ତ ନା ଆସକ୍ତି ? ପ୍ରେମ ଭାବନା ନା ତୃପ୍ତି ? ନିଜର ସ୍ଵାର୍ଥଜନିତ ଉଦ୍ଦେଶ୍ୟକୁ ପ୍ରେମର ନାମକରଣ ବ୍ୟତିରେକ ମଣିଷକି କେବେ ସତରେ ବୁଝିପାରିଛି ପ୍ରେମକୁ ? ଜାଣିପାରିଛି ପ୍ରେମ କ’ଣ ବୋଲି ? ପ୍ରେମ ଆଉ ପ୍ରାର୍ଥନା ଭ
ିତରେ ଗୋଟେ ଛୋଟିଆ ତଫାତ୍ । କେବଳ ସେତିକି ଯେତିକି ଅଶୁଦ୍ଧ ସ୍ଵର୍ଣ୍ଣ ଆଉ ଶୁଦ୍ଧ ସ୍ଵର୍ଣ୍ଣ ଭିତରେ ଫରକ୍ ଥାଏ । ବିଜାତୀୟ ତଥା ବ୍ୟର୍ଥତାକୁ କାଢିବା ଯାହା ବାକି । ଧର୍ମର ମୂଳ ଭିତ୍ତି ହିଁ ପ୍ରେମ / ପ୍ରାର୍ଥନା । ଦୁଇଟି ଭିନ୍ନ ହିଁ ନୁହେଁ । ତାକୁ ଭାଙ୍ଗି, ଅଲଗା କରି ପ୍ରେମକୁ ପାପ ଆଉ ପ୍ରାର୍ଥନାକୁ ଔପଚାରିକ କରିଦିଆ ଯାଇଛି ଅତୀତରୁ । ଦୂଷିତ, ନିନ୍ଦା, ଅପରାଧ ସବୁ ପ୍ରେମ ଭାଗରେ ପଡ଼ିଲେ ଆଉ ପ୍ରାଣବିହୀନ ହେଲା ପ୍ରାର୍ଥନା । ପ୍ରେମ ତ ମିଠା ଦୁର୍ଘଟଣା ଗୋଟେ, ଯିଏ ତୋଫାନ ହେଇ ଆସେ ଆଉ ବୁହାଇ ନିଏ ସମଗ୍ର ସତ୍ତା । ସ୍ଵତନ୍ତ୍ରତାର ସହିତ, ସ୍ଵାଧୀନତାର ସହିତ ଓ ସ୍ଵତଃପ୍ରବୃତ୍ତ ଭାବେ ଯାହା ଘଟେ ତାହା ହିଁ ପ୍ରେମ ମିଷ୍ଟର୍ କାନନ୍ ।
ଏବେଳେ ମିଷ୍ଟର୍ କାନନ୍ ଙ୍କ ଆଖିରେ ଆଉ ପ୍ରଶ୍ନ ନଥିଲା, ଥିଲା ଲୁହର ବନ୍ୟା । ସେ ଲୁହ କିନ୍ତୁ ଭସାଇ ପାରୁନଥିଲା ଲୀନା ହସର ତ୍ଵରାମାନଙ୍କୁ । ଖାଲି ଯାହା ଓଦା କରୁଥିଲା ସମ୍ପର୍କର ବନ୍ଧନକୁ । ଓଦା କରି ନରମରୁ ନରମ୍ କରିଚାଲିଥିଲା ସେ ବନ୍ଧନ ଛିଣ୍ଡିବା ଯାଏଁ । ଧିରେଧିରେ ବୋଧେ ପ୍ରେମ ଘଟୁଥିଲା ମିଷ୍ଟର୍ କାନନ୍ ଙ୍କ ଅବସ୍ଥାରେ । ଚାହାଣୀରେ ଥିଲା ଅହୋଭାବ । କେତେବେଳେ ପ୍ରେମ ହେଲା ? କେମିତି ହେଲା ? କିନ୍ତୁ କିଛି ଘଟିଲା ୟା’ ଭିତରେ ।
ବୋଧେ ହଜୁଥିଲେ ମିଷ୍ଟର୍ କାନନ୍ ନିଜଠାରୁ ନିଜେ ।
@ନୀଳିମା ନିବେଦିତା