ରଜରେ ଗ’ପାଳ ବୁଲା
ରଜରେ ଗ’ପାଳ ବୁଲା
[୧]
ଜମାରୁ ଏଗାରୁଟା ମାସ ପୁରିନି ଏ କଲୋନୀକୁ ଆସିବା । ଗାଁ-ଗହଳି ଭଳି ତ ଆଉ ଏଠା ସହରରେ ସାଇପଡ଼ିଶା ନାହାଁନ୍ତି ଯେ ବେଳ ଉଣ୍ଡି ସୁନୟନା ଯାଇ କାହା ଦୁଆରେ ଘଡ଼ିଏ ଠିଆ ହେଇଯିବେ, କାହା ସାଙ୍ଗରେ ଦି’ପଦ ସୁଖ-ଦୁଃଖ ହେବେ ! ଘର କମ୍ ବନ୍ଦିଶାଳା ବେଶି ମାଲୁମ୍ ପଡ଼େ ତାଙ୍କୁ । ହେଁ ହେଁ ଦି’ପୁରୁଷ ଉଚ୍ଚାର ଲୁହା କବାଟ । ସେ କବାଟ ଖୋଲିଲେ ପୁଣି ହଜାରେ ରକମର ଘଁ ଘାଁ ଗାଡ଼ିମୋଟର । ଘରୁ ବାହାରିଲେ ଯଦିଓ ବାଁପଟେ ଛଅଟା ଘର ଟପିଲେ ଈଶେନେଶ୍ଵର ମନ୍ଦିର । ମନ୍ଦିରକୁ ଲାଗି ବଉଳ, ଆମ୍ବ, ପଣସ, ନଡ଼ିଆ, ନିମ୍ବ ଆଦି ନାନା ଜାତିର ଗଛବୃଛ । ପୁଳାଏ ମାଟି ଅଛି ବୋଲି ନାନା ପ୍ରକାରର କୁନିକୁନି ଫୁଲ ଗଛମାନ । ମନ ଭିତରର ଯାବତୀୟ ଅଭିଯୋଗ ତେଣୁ ସେଠା ହନୁମାନ, ଶିବ, ରାଧାକୃଷ୍ଣ, ମଙ୍ଗଳା, ଗଣେଶ ଆଦିଙ୍କ ନିକଟରେ ସେ କରନ୍ତି ତଥାପି ମନ୍ଦିର ଗଲାବେଳେ ଆଖି ବୁଲାନ୍ତି ଚାରିଆଡ଼େ, ଖୋଜନ୍ତି କେହି ଆପଣାର ଜଣକୁ ।
ଚାରି ନମ୍ବର ଘରେ ରୁହନ୍ତି ନବବିବାହିତା ହଳେ ଦମ୍ପତି । ହେଲେ ସୁନୟନା ନିଇତି ଦେଖନ୍ତି, ପୁଅଟି ଗାଡ଼ି ନେଇ ବାହାରିଗଲା ପରେ ଝିଅଟି ଭାରି ଡହଳବିକଳ ହେଇ ମୁହଁ ଶୁଖେଇ ଝରକା ରେଲିଂ ପାଖରେ ଠିଆ ହେଇଥାଏ । ମାଙ୍କଡ଼ ଭଳି ରାମ୍ପିରୁମ୍ପି ହଉଥାଏ ଦିହମୁଣ୍ଡଯାକ । ଅଲରା ବାଳରେ ପୁରୁଣା ସାୟାରୁ ଖଣ୍ଡେ ଦେହରେ ଗଳେଇ ପାନିଆଟେ ଧରି ଜୁଳୁଜୁଳୁ ଚାହୁଁଥାଏ ରାସ୍ତା ଆଡ଼କୁ । ଅଟକି ଯାଇ ଝରକା ପାଖରେ, ଦିନେ ସାହସ କରି ପଚାରିଦେଲେ ସୁନୟନା,
- କ’ଣ ହେଇଛିକି ଲୋମାଆ ତୋର ?
- କିଛି ନାଇଁମ ମାଉସୀ । ମୁଁ ଗର୍ଭବତୀ । କିନ୍ତୁ ପେଟରେ ଛୁଆ ରହିଲା ଦିନୁ......
- ରହିଲା ଦିନୁ...... ? (ସ୍ଵର ଲମ୍ବିଲା ସୁନୟନାଙ୍କର)
- ଛୁଆ ରହିଲା ଦିନୁ ଦେହହାତ ଚାରିଆଡ଼େ କୁଣ୍ଡେଇ ହେଉଛି, ମାଉସୀ । ଅସମ୍ଭବ ପ୍ରକାରର କୁଣ୍ଡେଇ । ଦିନ, ରାତି ସବୁବେଳେ । ହାଇ ଡାଇବେଟିସ୍, ହାଇ ବ୍ଲଡପ୍ରେସର୍, ହାଇ ଥାଇରଏଡ୍ ସବୁ ବାହାରିପଡିଛି ଏକାବେଳେ ।
- ଓଃ !!! ଏ ଖୁସି ନା ଦୁଃଖ ??? ମୁଁ ତ ଆଚମ୍ବିତ !!!
- ଭିତରକୁ ଆସୁନାହାଁନ୍ତି ? (ଘର ଭିତରୁ ଜଣେ ମଧ୍ୟବୟସ୍କା ମହିଳା ବାହାରିଆସି ସୁନୟନାଙ୍କୁ ଡାକିଲେ)
[୨]
- ବରଷକେ ଥରେ ଆସିଛି ରଜ
ଆସିଛି ରଜ ଲୋ ଘେନି ନୂଆ ସଜବାଜ
ସଖୀଲୋ, ଘେନି ନୂଆ ସଜବାଜ...।
- ନାଇଁ ଲୋ ସୁମୀ । ଏ ରାଜଧାନୀରେ, ଚାରି କାନ୍ଥ ଭିତରେ ପୁଣି କି ରଜ ?
- କାଇଁ ଏମିତି କହୁଛୁ ସୁନା ? ଦେଖୁନୁ, ମୁଁ ତ ଆଇଛି ତୋ ଘରକୁ । ରଜ ବୁଲି । ସାଙ୍ଗରେ ରଜ ପାନ ଆଉ ପୋଡ଼ପିଠା ଘେନି ।
- ନଗଦା ବୋହୂ ଆଣିଛୁ ଲୋ ତୁ । ଝୁଅର ବି ଯାଆଁଳା ଛୁଆ, ତିନି ଜଣ ନବାଗତାରେ ଘର ଖାଲି ତୋର ଉଠୁଥିବ ଆଉ ପଡୁଥିବ । ଖୁସିର ସୁଅ ଛୁଟୁଥିବ, ଦାଣ୍ଡ, ଅଗଣା ଓ ବାରିରେ । ହଁ, ତୋ ପାଇଁ ରଜ ଲୋ ସୁମୀ ।
- ମନ କାଇଁ ମାରୁଛୁ ସୁନା ? ଖାସ୍ ତୋରି ପାଇଁ ବାରିପଟେ ଖନ୍ଦା ଖୋଳି ଚୁଲିଟେ ପକେଇଛି । ଆମ ସେପଟରେ ଘରେ ଝିଅ ଅଛି ମାନେଇ ଯେମିତିହେଲେ ବି ପୋଡ଼ପିଠାଟିଏ ହେବ । ଆଉ ଏବେ ତ ମୋ ଘରେ ତିନି ତିନିଟା ଝିଅ । ବୋହୂମା ରିନା, ମୋ ଝିଅ ମିଲି ଆଉ ତା’ ନବଜନ୍ମିତା ଆଇଶା । ମୁଁ ଜାଣେ ସୁନା, ତୁ ପିଠା କରିପାରି ନଥିବୁ, କିନ୍ତୁ ତୋ ଅସୁସ୍ଥତା କାରଣରୁ କ’ଣ ଆଜି ଭଳି ରଜ ପରାଟାରେ ଆମ ଲୀନା ପୋଡ଼ପିଠା ଖଣ୍ଡେ ଖାଇବନି ?
- ହିଃ ହିଃ ହିଃ ! (ଜୋର୍ ରେ ହସି ଉଠିଲେ ସୁନୟନା)
- ହସିଲୁ ଯେ ? (ସୁମିତ୍ରା ଦେବୀ ବି ଚକିତ ହେଇ ପଚାରିଲେ)
- ଲୀନା ତ ସକାଳୁ ଉଠି ପିଠା ତରକାରୀ ଖାଇସାରିଲାଣି ଲୋ ଭଉଣୀ । କାଲି ସଞ୍ଜବେଳେ ଯାଇଥିଲା କେହିଜଣେ ଆର୍ଟିସ୍ଟଙ୍କୁ ଭେଟିବାକୁ । ହେଲେ ସେ ଜଣେ ଖୁବ୍ ଅମାୟିକ ମଣିଷ । କେଇଟା ମୂହୁର୍ତ୍ତରେ ବଡ ଭାଇ ସାଜି ଲୀନାକୁ ଶ୍ରଦ୍ଧାର ସହ ପୋଡ଼ପିଠା ଆଉ ଖାସ୍ତାଗଜା ଖୁଆଇଲେ । ପୁଣି କିଛି ଘରକୁ ବି ପଠେଇଥିଲେ ଆମ ବୁଢାବୁଢୀଙ୍କ ପାଇଁ । ତୋ ପରେ ଏତେଦିନିକେ ପୁଣିଥରେ ଲାଗିଲା ଯେ ଏ କଂକ୍ରିଡ୍ ଜଙ୍ଗଲରେ ଅମ୍ଳଜାନ ନେଉଥିବା କେଇଟା ଅସଲି ମଣିଷ ଗଛ ବି ଅଛନ୍ତି ।
[୩]
“ସେକାଳ ପଖାଳ ନାଇଁରେ ଗୋପାଳ ।“
ସେତେବେଳେ ସଜବାଜ ଦିନ ହିଁ ସବୁକାମ ସରେ । କରୁଣା ତେଲିଠୁ ଗୁଡ଼, ଘିଅ, ମସଲା ସାମଗ୍ରୀ ସବୁ ଧାର୍ ଆସେ । ସକାଳୁ ଉଠି ବୋଉ, ବଡ଼ ବୋଉ,ମିଳିମିଶି ଧାନ କୁଟି, ଚୂନା କରି, ବିରି ବାଟି ପୂର୍ବ ପ୍ରସ୍ତୁତି ସାରିଦିଅନ୍ତି ଆଉ ରାତିକି ଗଢାହୁଏ ଆରିସା, କାକରା ଓ ପୋଡ଼ପିଠା ଇତ୍ୟାଦି । ଡେରିରାତି ଯାଏଁ ଚୁଲି ଜଗି ବସିବାକୁ ପଡ଼େ । ତା’ପରେ ରାତି ଖିଆ ବାସନକୁସନ କୂଅମୂଳୁ ମାଜି ଆଣି, ଘର ଲିପାପୋଛା ହୁଏ । ପ୍ରଥମ ରଜ ମାନେ, ବଡି ଭୋଅରୁ ଉଠି ବୋଉମାନେ ଗାଧେଇ ଆସି ଘାଣ୍ଟ ତରକାରୀ ପାଇଁ ଯୋଗାଡ଼ଜନ୍ତ୍ର ଆରମ୍ଭ କରନ୍ତି । ବୁଢା ଚକୁଳି ହେଉ କି ସେ ସରୁ ଚକୁଳି, ପଲମ ଉପରେ ବୁଲଉ ଥିଲାବେଳେ ତା’ର ଯୋଉ ବାସ୍ନା ! ଆହାଃ !!! ଦାନ୍ତକାଠି ସଇତେ ସଜବାଜ ଦିନରୁ ହିଁ ଭଙ୍ଗା ହେଇ ରଖାଯାଉଥିଲା । ସକାଳ ସାଢେ ଆଠ ନ ବାଜୁଣୁ ରୋଷେଇ ସାରି ରନ୍ଧା ଖାଦ୍ୟସବୁ ପ୍ରଥମେ ପିତୃପୁରୁଷଙ୍କୁ ବାହାରଘରେ ଦିଆଯାଏ । ତା’ପରେ ବାପା, ବଡ଼ ବାପା ଆଉ ମଝିଆଁ ବାପା ଖାଇପି’ କାମରେ ବାହାରି ଯାଆନ୍ତି । ଆମେ ଛୁଆସବୁ ଉଠି, ନିତ୍ୟକର୍ମ ସାରି, ନୂଆ ଜାମା ପିନ୍ଧୁ । ବଙ୍ଗମିଆ ଦୋକାନରୁ ରଜରେ ସମସ୍ତଙ୍କ ପାଇଁ ନୂଆ ଜାମା ଖଣ୍ଡେ ଲେଖାଏଁ ବାକିରେ କିଣା ହୁଏ । ଝିଅମାନେ କୁଟା ଖଣ୍ଡେ ଦି’ଖଣ୍ଡ କରନ୍ତିନି ସେଇ ତିନିଦିନ । ପାଦରେ ଅଳତା, ମଥାରେ ଚନ୍ଦନ ଟିପା ଲଗେଇ ସଜ ହୁଅନ୍ତି । ପୁଅମାନେ ବାଗୁଡି, ତାସ୍ ଆଉ ଖୋକ ଖେଳନ୍ତି । ଆଉ ଦିନସାରା ପିଠାପଣାରେ ପେଟ ପୂଜା କରନ୍ତି ସଭିଏଁ । ତୋଟାରେ ବାଉଁଶ ଦୋଳି, ପଟା ଦୋଳି ବନ୍ଧାଯାଏ । ତୋଟା ତ ତୋଟା, ଘର ଓରାମାନଙ୍କରେ ବି ବନ୍ଧାହୁଏ ୪-୬ଟା ଲେଖାଏଁ କୋରଟ ଦୋଳି । ତକିଆ ପକେଇ ଝୁଲୁଥାଉ ଆମେ ଭାଇଭଉଣୀମାନେ ଆଉ ସାଙ୍ଗ ମାନେ ମିଶି ଗ’ପାଳ ବୁଲି ଗଲାବେଳେ ଗୀତ ଗାଉ,
ବରଷକେ ଥରେ ଆସିଛି ରଜ
ଆସିଛି ରଜ ଲୋ ଘେନି ନୂଆ ସଜବାଜ
ସଖୀଲୋ, ଘେନି ନୂଆ ସଜବାଜ...।