ସଞ୍ଜୁ ସଞ୍ଜନା
ସଞ୍ଜୁ ସଞ୍ଜନା
ତତଲା ଆଉ କଉ ଯାଏ ରହେ ଯେ ? ଥଣ୍ଡା ହେବା ଯାଏଁ ତ ! ବାସ୍, ସେଇଆ ହେଲା । ନିଦାଘ ପରେପରେ ବରଷା ଆସିଲା । ଫାଟି ଆଁ କରିଥିବା ମାଟି ପୁଣି ବତୁରିଲା । ଚିହ୍ନ-ବର୍ଣ୍ଣ ନ ଥିବା ଦୂବ ଧୀରେଧୀରେ କଅଁଳିଲା ।
ଶ୍ରୀୟାଙ୍କା – ମାନେ ?
ସଞ୍ଜନା – ମାନେ ଆଉ କ’ଣ ଯେ ? ଆଜି ସଞ୍ଜୁ ହସିଲେ । ଜାଣୁ ? ସେ ପୁଣି ମୋ କଥାରେ । ସେ ହସ ବିଶ୍ଵାସର ଥିଲା । ସେ ହସ ଭରସାର ଥିଲା । ଜାଣେ, ଅମାବାସ୍ୟାରେ ଆକାଶ ଥାଏ ଅନ୍ଧକାରମୟ । ତଥାପି ବି ଆଶାଟିଏ ଥାଏ ମନରେ ଦେଖିବାକୁ ଆଗାମୀ ପୂର୍ଣ୍ଣମୀ ବଳୟ !
ଶ୍ରୀୟାଙ୍କା – ତୁ’ଟା ପାଗେଳି ସତରେ ।
ସଞ୍ଜନା – ହଁ, ସେୟା କହିପାରୁ । ଦୁନିଆଦାରିର ଛକାପଞ୍ଝା ଯିଏ ଜାଣି ନପାରେ ଆଉ ସଭିଙ୍କୁ ଗୋଟିଏ ବୋଲି ତୋଉଲେ ସିଏ ପାଗେଳି ନିଶ୍ଚୟ । ପ୍ରେମ ତ ପାଗଳାମି !
ଶ୍ରୀୟାଙ୍କା – ଆରେ ! ସଞ୍ଜୁ କ’ଣ ତୋତେ ଏବେ ବି ଭଲପାଏ ବୋଲି ତୁ ଭାବୁଛୁ ? ତୋ କଥା ଶୁଣିଲା ପରେ ମୋତେ ଲାଗୁଛି ତୁ ଖାଲି ତୁଛାଟାରେ ଯାହା କୁହୁଡ଼ି ପହଁରୁଛୁ ।
ସଞ୍ଜନା – ନା ଶ୍ରୀୟା ! ପ୍ରେମର ବିପରୀତ ସବୁବେଳେ ଘୃଣା ନୁହେଁ । ‘ଅପ୍ରେମ’ ବୋଲି ଗୋଟେ ଘାଟି ଅଛି ପରା, ସେ ଦୁହିଁଙ୍କ ଦୁର୍ଗମ ମଝିରେ ! ହାଃ ହାଃ ହାଃ ....
(ଏବେଳେ ବୋଧେ ସଞ୍ଜୁ ଓଠର ହସ ସଞ୍ଜନାର ମନ ମସ୍ତିଷ୍କକୁ ସଞ୍ଚରି ସାରିଥିଲା ।)