Neelima Nivedita Behera

Others

2  

Neelima Nivedita Behera

Others

ବ୍ଲାକ୍ କଫି

ବ୍ଲାକ୍ କଫି

6 mins
472


[୧ ]

           ସାହସ ଓ ଜିଦକୁ କେବେ ଏକାଠି ମିଶେଇ ପିଇଛନ୍ତି ଆପଣ ? ଯଦି ସେ ସ୍ଵାଦକୁ କେବେ ଚାଖିଥିବେ ତେବେ ବୁନାକୁ ଚିହ୍ନିବା ସେତେଟା କଷ୍ଟ ହେବନି ଆପଣଙ୍କୁ । ନିରବତାର ଫେରସ୍ତରେ କଥା ଫେରେଇଲା ବିଭାନ । ନିରବତା ! ହଁ, ନିରବତା ମାନେ ଏଠି; ଏକ ସାକ୍ଷାତକାରରେ ଆରମ୍ଭ ପର୍ବର ପ୍ରଥମ ପଦକ୍ଷେପ । ଯେତେବେଳେ ଦୁଇଜଣ ଅଜଣା ଅଚିହ୍ନା ମଣିଷ ପ୍ରଥମଥର ପାଇଁ ଭେଟାଭେଟି ହୁଅନ୍ତି, ସେଠି କାହାକୁ ତ ପ୍ରଥମେ ଆରମ୍ଭ କରିବାକୁ ପଡ଼ିବ ନା ! ଠିକ୍ ଏଇ ନ୍ୟାୟରେ ବିଭାନ ଓ ଶ୍ରୀୟା ମଝିରେ ହଟ୍ ବ୍ଲାକ୍ କଫି ତାର କାୟା ବିସ୍ତାର କରିବା ପୂର୍ବରୁ ପ୍ରଶ୍ନବାଚୀ ଚିହ୍ନରେ ବିଭାନ ଆରମ୍ଭ କଲା କଥା । ଶ୍ରୀୟା ନିରବତା ଭାଙ୍ଗି ଓଠ ଖୋଲିଲା । ଓଠ ଖୋଲୁଖୋଲୁ କିନ୍ତୁ ତା ଗୋଲାପି ଓଠରେ ନୀଳ ରଙ୍ଗର ଆଚମ୍ବିତ ପ୍ରଶ୍ନ ।


- ହେଲେ ଏ ବୁନା କିଏ, ବିଭାନ ?


           ବ୍ଲାକ୍ କଫିରେ କଫି ଯଦି ପୁରୁଷଟିଏ ହୁଏ ତେବେ ସେଥିରେ ଥିବା ନିକୋଟିନ ହେଉଛି ନାରୀ । ଯିଏ କେବଳ ଦେହକୁ ନୁହେଁ, ମନକୁ ବି ଫୁର୍ତ୍ତି କରିଦିଏ । ଏକ ଅଜବ ନିଶାରେ ମସଗୁଲ କରାଏ । କିନ୍ତୁ ବାସ୍ତବ ଦୁନିଆରେ ପୁରୁଷଟିଏର ଅନେକ ଉତ୍ତରଦାୟିତ୍ଵ ଥାଏ । କଫିରେ କେବଳ କଫି ହେଇ ନିକୋଟିନକୁ ଧରି ରଖିବାଠାରୁ ଆହୁରି ଅଧିକ ଦାୟିତ୍ଵବାନ ହେବାକୁ ପଡ଼େ ତାକୁ ଏ ସମାଜରେ । ଜଣେ ଭଦ୍ର ଓ ସଭ୍ୟ ପୁରୁଷ ହେବାପାଇଁ ହେଲେ ତାକୁ ନିଜ ସହିତ ତା’ ସାଙ୍ଗରେ ଥିବା ପ୍ରତ୍ୟେକ ନାରୀର ଯତ୍ନ ନେବାକୁ ହୁଏ । ବିଭାନ ଏସବୁ ଊଣାଅଧିକେ ବୁଝି ସାରିଥିଲା । ବୁଝି ସାରିଥିଲା ବୋଲି ତ ଆଜି ସେ ଶ୍ରୀୟା ନାମ୍ନୀ ଅଜଣା ଅଚିହ୍ନା ଝିଅକୁ ଭେଟିବାକୁ ଆସିଛି ! ପରିସ୍ଥିତିକୁ ହାଲୁକା କରିବାକୁ ଯାଇ କହିଲା,


- ସତରେ ଆପଣ ବୁନା ବିଷୟରେ ଜାଣିବାକୁ ଚାହାନ୍ତି ? କିନ୍ତୁ ତା’ପୂର୍ବରୁ ଆପଣଙ୍କୁ ମୋର ଏକ ପ୍ରଶ୍ନର ଉତ୍ତର ଦେବାକୁ ହେବ । ରାଜି ତ !

- ମୁଣ୍ଡ ହଲେଇ ଶ୍ରୀୟା ସମ୍ମତି ଦେଲା । (ଝିଅ ବୋଲି କମ୍ କଥା କହିବ, ସାମ୍ନାବାଲାର ପ୍ରତ୍ୟେକ କଥାରେ ହଁ ଭରିବ କି ପ୍ରଥମ ସାକ୍ଷାତକାର ବୋଲି ଟିକିଏ ଲାଜ କରିବ, ଏସବୁ ଶ୍ରୀୟାକୁ ଡିଫାଇନ୍ କରେନା । ତଥାପି, ଶ୍ରୀୟା ଇଙ୍ଗିତରେ ହଁ ଭରିଲା ।)

- ଆପଣ କଫି ପିଅନ୍ତି ?

- ହଁ । କିନ୍ତୁ କେବେ କେବେ । ଖୁବ୍ ରେୟାର୍ ।

- ଚକୋଲେଟ୍ ଖାଇବାକୁ ଭଲପାଆନ୍ତି ?

- ହଁ । କିନ୍ତୁ କଫିରେ ନୁହେଁ ।

- ଆଚ୍ଛା ! ହଟ୍ ନା କୋଲ୍ଡ କଫି ପସନ୍ଦ କରିବେ ଆପଣ ?


[୨ ]

           ଡିସେମ୍ବର ମାସର ନୂଆ ନୂଆ ଶୀତ । ରାସ୍ତାରେ କାକର କମ୍ ଆଉ କଳା ଧୂଆଁ ମିଶ୍ରିତ ଗାଡ଼ି ଲାଇଟ ବେଶୀ । ରାସ୍ତା କଡ଼ରେ ଗଛ କମ୍ ଆଉ ମାଳମାଳ ଷ୍ଟ୍ରିଟ୍ ଲାଇଟ୍ ସହିତ ଲିଚୁର ସାଜସଜ୍ଜା ବେଶୀ । ଶ୍ରୀୟାକୁ ଲାଜ କମ୍ ଆଉ ବିଭାନକୁ ନିକଟରୁ ଜାଣିବାର ଉତ୍କଣ୍ଠା ଥିଲା ବେଶୀ । ବିଭାନ ପାଖରେ ରିଜେକସନ ହେବାର ଭୟ କମ୍ ଆଉ ଆଜ ଇଟିଜ୍ ଆପଣେଇ ନେବାର ସମ୍ଭାବନା ଥିଲା ବେଶୀ । ଗୋଟେ ଆକାଶୀ ରଙ୍ଗର ଫୁଲ୍ ସ୍ଳିଭ’ର ଲଙ୍ଗ୍ ରାଉଣ୍ଡ୍ ଗାଉନ୍ ଉପରେ ବ୍ଲାକ୍ ସ୍ଵେଟରରେ ଶ୍ରୀୟା ଝିଅ କମ୍, ସଜଫୁଟା ଫୁଲ ପରି ଲାଗୁଥିଲା ବେଶୀ । ହ୍ଵାଇଟ୍ ପ୍ୟାଣ୍ଟ୍ ସହିତ ଡେନିମ୍ ବ୍ଲୂ ରଙ୍ଗର ସାର୍ଟ ସାଙ୍ଗକୁ ଗଗଲ୍ସ ଓ ଫ୍ରେଞ୍ଚ କଟ୍ ଦାଢିରେ ବିଭାନ ହାଣ୍ଡସମ୍ କମ୍ , ରୋମିଓ ଲାଗୁଥିଲା ବେଶୀ । ସଂସ୍କୃତି ଓ ସଂଭ୍ରମ ପୋଷାକ ସହିତ ବେକରେ ରୁଦ୍ରାକ୍ଷ ମାଳା, ଶ୍ରୀୟାକୁ ପାରମାର୍ଥିକ ପ୍ରବଣତା ଭଳି କଲାବେଳେ ହାତ-ବେକରେ ନାନା ରକମର ଟାଟୁ ଓ ପଶ୍ଚିମା ଢାଞ୍ଚା, ବିଭାନକୁ ବାଓୟାରୀର ହିପି ସାଦୃଶ୍ୟ କରାଉଥିଲା ।  


(ବି:ଦ୍ର: - ହ: ୬୦ ଦଶକର କଥା । ସେତେବେଳେ ଆମେରିକାର ରାଜନୈତିକ ଭାବଧାରା କେତେକ ଯୁବବର୍ଗଙ୍କ ପାଇଁ ବିଭୀଷିକାମୟ ହୋଇ ଉଠିଥିଲା । ନିଉୟର୍କର ମାନହାଟ୍ଟାନ ସହର ହେଉକି ସେ ବାଓୟାରୀ ହେଉ, ଆମେରିକାର କେତେକ ସମ୍ଭ୍ରାନ୍ତ ଶ୍ରେଣୀୟ ଯୁବକ-ଯୁବତୀ ଯେଉଁମାନେ କି ସେମାନଙ୍କ ପିତାମାତାଙ୍କର ଭୋଗ ଐଶର୍ଯ୍ୟପୂର୍ଣ୍ଣ ଜୀବନ ପରିତ୍ୟାଗ କରିବା ସହିତ ଶିକ୍ଷକ, ଧର୍ମଯାଜକ, ରାଜନୈତିକ ନେତା ଆଦି ସମସ୍ତଙ୍କଠାରୁ ନିଜର ଆସ୍ଥା ହରାଇ ସାରିଥିଲେ; ସେମାନେ ଖୋଜୁଥିଲେ ପ୍ରକୃତ ପ୍ରେମ, ପ୍ରକୃତ ଶାନ୍ତି, ପ୍ରକୃତ ସହାବସ୍ଥାନ ଓ ପ୍ରକୃତ ଆଧ୍ୟାତ୍ମିକ ଚେତନା । ମୁକ୍ତିର ଆନନ୍ଦ ଖୋଜୁଖୋଜୁ ସେମାନେ ପହଞ୍ଚନ୍ତି ଚରସ, ଗଞ୍ଜେଇ, ଏଲ.ଏସ.ଡ଼ି., ଏଫିଟାମିନ୍ସ ଆଦି ନିଶା ଦ୍ରବ୍ୟ ପାଖରେ । ମାଦକ ଦ୍ରବ୍ୟ ସେବନ ସହିତ ଅବୈଧ ଯୌନ ସଂସର୍ଗ ମାଧ୍ୟମରେ ସେମାନେ ଚାହୁଁଥିଲେ ଆନନ୍ଦର ଆସ୍ଵାଦନ । ନିଜ ମନକୁ ଉନ୍ମୁକ୍ତ ରଖିବା ସହିତ ସେମାନଙ୍କ ନିଶାଚ୍ଛନ୍ନ ଅଭିଜ୍ଞତାର ପରିପ୍ରେକ୍ଷୀରେ ସେମାନେ ସୃଷ୍ଟି କରୁଥିଲେ ବ୍ୟକ୍ତିଗତ ମହାଜାଗତିକ ଦର୍ଶନ । ଯେଉଁ ବିକୃତ ସାମାଜିକ ବ୍ୟବସ୍ଥା ମନୁଷ୍ୟର ଚିନ୍ମୟ ସତ୍ତାକୁ ଧ୍ଵଂସ କରି ତାକୁ ଗୋଟାଏ ଯନ୍ତ୍ରରେ ପରିଣତ କରିଦିଏ, ସେହି ସାମାଜିକ ବ୍ୟବସ୍ଥା ବିରୁଦ୍ଧରେ ସେମାନେ ଏକ ପ୍ରକାରର ଅସହଯୋଗ ଆନ୍ଦୋଳନ ଆରମ୍ଭ ଦେଇଥିଲେ ସେ ସମୟରେ । ଜଡ଼ ଅସ୍ତିତ୍ଵକୁ ଅତିକ୍ରମ କରି ଆଭ୍ୟନ୍ତରୀଣ ସତ୍ତାର ନୂତନ ଅସ୍ତିତ୍ଵ ଅନୁସନ୍ଧାନରେ ସେମାନଙ୍କର ଆକୁଳତା ଓ ନିର୍ଭୀକତା ଯେ ସେମାନଙ୍କୁ ପ୍ରଚୁର ମାତ୍ରାରେ ସମ୍ଭାବନାମୟ କରୁଥିଲା, ଏଥିରେ ଦ୍ଵିମତ ନାହିଁ । କାରଣ, ଏଇ ହିପିମାନେ ହିଁ ଆଜିର ବିଶ୍ଵବ୍ୟାପୀ ଇସ୍କନ ବା ଆନ୍ତର୍ଜାତିକ କୃଷ୍ଣଚେତନା ସଙ୍ଘର ମୂଳ ତଥା ପ୍ରାଥମିକ ସଦସ୍ୟ ଓ ତାର ମୂଳ ପ୍ରଚାରକ, ଯାହା ଏକଦା ୧୯୬୬ ମସିହାରେ ଆମେରିକାର ନିୟୁୟର୍କଠାରେ ପ୍ରତିଷ୍ଠାଲାଭ କରିଥିଲା । ପାଶ୍ଚାତ୍ୟ ଓ ପତିତ ହୋଇ ବି ସେଇମାନେ ହିଁ ପ୍ରଥମ କରି ଆପଣେଇ ଥିଲେ ଏ.ସି. ଭକ୍ତିବେଦାନ୍ତ ସ୍ଵାମୀ ପ୍ରଭୁପାଦଙ୍କୁ, ଭାରତର ବୈଦିକ ବୈଷ୍ଣବ ଧର୍ମକୁ, ହରେ କୃଷ୍ ହରେ ରାମ ଭଳି ଅମୃତ ମନ୍ତ୍ରକୁ ।) 


           ଏ କମ୍-ବେଶୀ, କମ୍-ବେଶୀ ଭିତରେ ଚଳଚଞ୍ଚଳ ଥିଲା ସାରାଟା ସହର । ପୁରୁଷ ହକି ବିଶ୍ୱକପର ୧୪ତମ ସଂସ୍କରଣ ଚାଲିଥିଲା କଳିଙ୍ଗ ଷ୍ଟାଡିୟମରେ । ଏଣେ କିନ୍ତୁ ବେଲଜିୟମର କେତେଟା ଖେଳାଳି ବି ସଞ୍ଜବେଳିଆ ଶିତୁଆ ପାଗରେ ଗରମ ଗରମ କଫିର ମଜା ନେଉଥାନ୍ତି ସେଇ ସମାନ କଫି କାଫେଟାରୀରେ । ସେମାନଙ୍କୁ ଠିକ୍ ପଛ କରି ଦୁଇ ଟିକିଆ ଚେୟାରରେ ମୁହାଁମୁହିଁ ବସିଥାନ୍ତି ବିଭାନ ଓ ଶ୍ରୀୟା । ତାଙ୍କ ସାଙ୍ଗରେ ବି ବସିଥାନ୍ତି ଦୁଇ ହଳ ନିରୀକ୍ଷଣ ଚାହାଣୀ, ହଜିଲା ଅତୀତ । କଫି କପ୍ ଧରୁଧରୁ ଛାଡ଼ିଥିବା କଥାର ଖିଅ ଧରିଲା, ବିଭାନ ।

 

- ୨୦୦୩ ମସିହା । ସେତେବେଳେ ବୁନା ପଢୁଥାଏ ପ୍ଲସ ଟୁ’ରେ । ତାର ସାଇନ୍ସ ଷ୍ଟ୍ରିମ । ବାପା ତାର ପଦାର୍ଥ ବିଜ୍ଞାନରେ ଅଧ୍ୟାପକ । ଅଧ୍ୟାପକଙ୍କ ପୁଅ ବୋଲି ବି ତାର ଭାରି ଖାତିର ସେ କଲେଜରେ । ସ୍କୁଲ ସାରି ନୂଆନୂଆ କଲେଜରେ ପାଦ ଥାପିବାର ଅଭିଜ୍ଞତା ଭିତରେ ପ୍ରେମ ଶବ୍ଦ ଧସେଇ ପଶିବା ବାହ୍ୟ ଅର୍ଥରେ ଫ୍ୟାସନ ହେଲେ ଅନ୍ତଃ ଅର୍ଥରେ ହାର୍ମୋନାଲ ଚେଙ୍ଗେସକୁ ବୁଝାଏ । କାରଣଟା ଯାହାବି ହେଉନା କାହିଁକି, ସୂତ୍ରଧର ଗଛରେ ଫୁଟିଥିବା ଫୁଲର ନାଁ କିନ୍ତୁ ଥିଲା, “ପୁଷ୍ପଲତା” । ପୁଷ୍ପଲତା ବି ସୁନ୍ଦର କମ୍ ଆଉ ଆକର୍ଷଣୀୟ ଥିଲା ବେଶୀ । ଦି’ ପଟେ ଦି’ଟା ବେଣୀ ହଲେଇ ଲୁଟି ସାରିଥିଲା ସେ ବୁନାର ହୃଦୟ ଓ ମସ୍ତିଷ୍କ ଦୁଇଟା ଯାକକୁ । ଫଳସ୍ଵରୂପ ବୁନା ଜଣେ ପଦାର୍ଥ ବିଜ୍ଞାନ ଅଧ୍ୟାପକଙ୍କ ପୁଅ ହେବାସତ୍ତ୍ୱେ ସେଇ ବିଷୟରେ ହିଁ ଫେଲ ହେଲା । ବାପାଙ୍କ ଗୋଗୋଛ ବାଡ଼ିଆରେ ବିଡ଼ାଏ ବାଡ଼ି ଭାଙ୍ଗିଲା, ମା’ର ଛାତି ଭାଙ୍ଗିଲା ଆଉ ବୁନା ଆଖିପିଛୁଳାକେ ଅରାସ୍ତାକୁ ମାଡ଼ିଗଲା । ସେ ଅରାସ୍ତାର ଆରମ୍ଭ ପାଦ ଥିଲା କେବଳ ମଦ । କିନ୍ତୁ ରାସ୍ତା ବଢିବା ସାଙ୍ଗକୁ ପାଦ ବଢୁଥିଲା । ପାଦ ସାଙ୍ଗରେ ବଢୁଥିଲା ନିଶା ଦ୍ରବ୍ୟର ପରିମାଣ, ସଂଖ୍ୟା ଓ ପ୍ରକାର । ସମୟ ବି ତା’ ବାଟରେ ଚାଲିଥାଏ । ଦେଖୁଦେଖୁ ରୋମିଓ ପାଳଟୁଥିଲା ନିଜକୁ ସେ ସଜା ଦେବାରେ । ନିଶାକୁ ପେଶା ବନେଇ ଅସାମାଜିକ ଦୁନିଆର ବାଦଶାହ ବନିଗଲା ସେ କେଇଟା ବର୍ଷରେ । ସିଗାରେଟ, ଗଞ୍ଜେଇ, କୋକିନ, ବ୍ରାଉନ ସୁଗାର, ଆର.ଡ଼ି.ଏକ୍ସ. ସହିତ ଜୀବନ୍ତ ଗୁଳି ଥିବା ବନ୍ଧୁକ ବି ସାଙ୍ଗରେ ଧରି ବୁଲିଲା ବୁନା । ସମାଜ, ସମ୍ମାନ ସବୁକିଛି ତା ପାଖରେ ତୁଛ ସେତେବେଳେ । ନିଶା କରିବା ତା’ ପାଇଁ ଏକାନ୍ତ ଆବଶ୍ୟକ । ନିଶା ପାଇଁ ପଇସା ରୋଜଗାରର ସହଜ ଓ ସୁବିଧା ଉପାୟ ସ୍ମଗଲିଙ୍ଗକୁ ମଧ୍ୟ ଅଚିରେ ଆପଣେଇ ନେଲା । କାହାଣୀର ଗତି ସହିତ ଶ୍ରୀୟାର ଉତ୍କଣ୍ଠା ଉତ୍ସାହରେ ପରିଣତ ହେଲାଣି ଧୀରେ ଧୀରେ । ସୁଡୁକାଏ କଫି ଢୋକି ଶ୍ରୀୟା ପଚାରିଲା,

 

- ତା’ପରେ ?

- ତା’ପରେ ଆଉ କ’ଣ ? ଅଚାନକ ଦିନେ ଜିଦି ଓ ସାହସ ଏକାଠି ହେଲେ । ବୁନା ଭିତର ମଣିଷଟା ଝାଡିଝୁଡି ହେଇ ଉଠି ଠିଆ ହେଲା । ଝାଡିଝୁଡି ହେବାକୁ ତାକୁ ଠିକ୍ ପଇଁଚାଳିଶି ଦିନ ଲାଗିଲା ।

- ମାତ୍ର ପଇଁଚାଳିଶି ଦିନ ? କ’ଣ ୟା’ ଭିତରେ ସେ ତା’ର ସମସ୍ତ ନିଶାଦ୍ରବ୍ୟ ବ୍ୟବହାର ବନ୍ଦ କରିଦେଲା ?

- ହଁ । ମାତ୍ର ପଇଁଚାଳିଶି ଦିନ ବଦଳେଇ ଦେଲା ତା’ର ଅରାସ୍ତାକୁ ରାସ୍ତାରେ ।


[୩ ]

- ଗରମ କଫିର ଧୂଆଁ କେତେବେଳୁ କାଫେଟେରିର ଏୟାର୍କାଣ୍ଡିସନ ପବନରେ ମିଶି ସାରିଲାଣି । ଆଉକିଛି ନେବେ କି ବୋଲି ସର୍ଭିସ ବୟ ଦି’ଥର ଆସି ପଚାରି ଗଲାଣି । ମାତ୍ର ତିନିଟା ସିପ୍ ବାକି ଅଛି ଶ୍ରୀୟା କଫି ସରିବାକୁ । ଏବେଳେ ଶ୍ରୀୟା ପଚାରିଲା,

- ଆମେ କ’ଣ ତେବେ ବୁନାର କାହାଣୀ ଶୁଣିବାକୁ ଏଠି ଏ କାଫେଟେରିରେ ଉଭୟ ଉଭୟଙ୍କୁ ଦେଖା କଲେ ? ନା ଆପଣ ମୋ ବିଷୟରେ ମୋତେ କିଛି ପଚାରିଲେ ନା ନିଜ ବିଷୟରେ କିଛି କହିଲେ ? ଯିବା ସମୟ ବି ହେଇଗଲାଣି । ଘରୁ ଦୁଇଥର ଫୋନ ଆସି ସାରିଲାଣି । ଆମ ଡେଟିଙ୍ଗର ଫଳାଫଳ ତେବେ କ’ଣ ବୋଲି ମୁଁ ଭାବିବି ?

- ଆଉ ମୁଁ ଯଦି କୁହେ ସେ ବୁନା ନାମକ ବ୍ୟକ୍ତି ଏଇ ଆପଣଙ୍କ ସାମ୍ନାରେ ବସିଛି ବୋଲି ? ତାହେଲେ କ’ଣ ଗୋଟିଏ ଶିକ୍ଷିତ, ଆଧୁନିକ ଓ ସ୍ଵାବଲମ୍ବୀ ଝିଅ ହିସାବରେ ଆପଣ ତାକୁ ନିଜର ଜୀବନସାଥୀ ପାଇଁ ବାଛି ପାରିବେ ?


ଏ ପ୍ରଶ୍ନର ଉତ୍ତରରେ ଶ୍ରୀୟା ଗୋଟେ ଢୋକରେ ତିନି ସିପ ଯାକ ଥଣ୍ଡା କଫି ତକ ପିଇଗଲା । ଓଠ ଚାରିପଟେ ଜିଭ ବୁଲେଇ କହିଲା,

- ଯିବାକୁ ହେବ । ସାଢେ ଛଅ ବାଜିଲାଣି ।


 [୪ ]

“କମ୍ୟୁନିଟି ଫାଉଣ୍ଡେସନ ଅଫ ଇଣ୍ଡିଆ”ର ଡାରେକ୍ଟର ବିଭାନ ବୈଭବ ପଟ୍ଟନାୟକ ଏବେ ତାଙ୍କର ସ୍କ୍ରୋପିଓ କାଢିଲେ । ଯିଏ ଦିନେ ନିଶାଖୋର ବ୍ୟକ୍ତି ଥିଲା ସେ ଯେ ଆଜି ନିଶା ନିବାରଣ କେନ୍ଦ୍ରର ସଞ୍ଚାଳକ, ଶହଶହ ଉଜୁଡା ପରିବାର ପାଇଁ ପାଲଟିପାରିଛି ଏକ ଜୀବନ୍ତ ଉଦାହରଣ । କେବଳ ଦୃଢ ମନୋବଳ ହିଁ ଆଉଥରେ ଜୀବନକୁ ଭୋଗିବାର ସୁଯୋଗ ଦିଏ ବୋଲି ନିଜେ ଜୀବନ୍ତ ପ୍ରମାଣ ହେଇ ଠିଆ ହେଇଛି ଏଇ ବିଭାନ ବୈଭବ । ଏଥର ଶ୍ରୀୟା, ଆଉ ଟିକେ ନିର୍ଭୀକ ଜଣାପଡୁଥିଲା । ବେଶୀ confident ଲାଗୁଥିଲା ଭିତରୁ । କାରର ଡୋର ଖୋଲି ଯାଇ ବିଭାନର ପାଖ ସିଟରେ ବସିଲା । ଗାଡ଼ି ଗଡୁଗଡୁ ଶ୍ରୀୟା ଚାହିଁଲା ବିଭାନ ଆଡ଼କୁ, ଆଉ ପୁଣିଥରେ ଅନ୍ୟମନସ୍କ ହେଲା । ରାସ୍ତାର ଇଲେକଟ୍ରିକ ଖୁଣ୍ଟି ଗଣିଲା । ଭ୍ୟାନିଟରୁ ମୋବାଇଲ କାଢି କଲ ଲଗ ଚେକ କଲା । ମନେମନେ ଭାବିଲା,

- ବୁନା ଓ ବିଭାନ ଯଦି ଗୋଟାଏ ମଣିଷ, ତେବେ “ପରିବର୍ତ୍ତନ ଯେ ଚିରନ୍ତନ ସତ୍ୟ” ଏହା ସନ୍ଦିହାନ । “Will you marry me ?” ବୋଲି ପଚାରିଦେବି କି ଆଉ .... 



Rate this content
Log in