ସବୁଜ ପ୍ରେମ
ସବୁଜ ପ୍ରେମ
ମୁହୂର୍ତ୍ତମାନଙ୍କୁ ସ୍ମୃତି ଚାଦରରେ ଗଣ୍ଠି ପକେଇ ରଖିବା ସହଜ କି ଅସହଜ, ସେକଥା ଭାବୁଭାବୁ ହିଁ ମୁହୂର୍ତ୍ତମାନେ ହାତମୁଠାରୁ ଖସି ବାହାରି ଯିବାକୁ ତରତର । ଆକାଶରେ ମେଘ ଥିଲା ସତ, କିନ୍ତୁ ବର୍ଷିବ କି ନା ସେକଥା ବି ଅନିଶ୍ଚିନ୍ତ । pleasing ଓ ଗୋଟେ delightful personality ରଞ୍ଜନଙ୍କର । ତାଙ୍କ ହସ ପରି ତାଙ୍କ ମନ । ନିରୀହ, ନିଷ୍କପଟ ଓ ନିହାତି ଆକର୍ଷଣୀୟ । ରଞ୍ଜନଙ୍କ ଆଖିରେ ଗୋଟେ ଅଦ୍ଭୁତ୍ତ ପ୍ରଶ୍ନ । ସେ ପ୍ରଶ୍ନ ପୁଣି ଶବ୍ଦବିହୀନ । ଶବ୍ଦବିହୀନ ଏଇଥିପାଇଁ ଯେ, ତାଙ୍କ କଥାରେ ଯେଉଁ ଶବ୍ଦମାନେ ଓହ୍ଲାନ୍ତି ସେମାନେ ପ୍ରଶ୍ନ ଅନ୍ତର୍ଭୁକ୍ତ ହେଇନଥାନ୍ତି । ଆଉ ଯେଉଁ ପ୍ରଶ୍ନ ଆଖିର ଚାହାଣିରେ ଢଳଢଳ ହେଉଥାନ୍ତି ସେସବୁ ଶବ୍ଦରେ ରୂପାନ୍ତରିତ ହୁଅନ୍ତିନି ।
କାହିଁକି ? ହଁ । ଏଇ କାହିଁକି ପଛର କାରଣ ଜାଣିବାକୁ ତ ଆଜି ଏଲିନା ଚାଲି ଆସିଛି ରଞ୍ଜନ ପାଖକୁ । ସେଇ ଗଛ ତଳକୁ । ଯେଉଁ ସବୁଜିମା ତଳେ ସେ ପ୍ରତିଥର ରଞ୍ଜନକୁ ଦେଖେ । ପରିବେଶର ସବୁଜିମା ଓ ରଞ୍ଜନଙ୍କ ହସ, ଏ ଯୁଗଳବନ୍ଦୀ ହିଁ ଏଲିନାକୁ ଭାବପ୍ରବଣ କରାଏ । ଆଉ ଆଜି ରଞ୍ଜନଙ୍କ ସହିତ ସାମ୍ନାସାମ୍ନି ଭେଟ । ଏକଥା ଭାବିଲା କ୍ଷଣି ଝାଳରେ ଲତପତ ହେଇଯାଉଥାଏ ଏଲିନା । କିଛି ଭାବି ପାରୁନଥାଏ । କଣ ପିନ୍ଧିବ, ଲମ୍ବା ହାତବାଲା ସାଲୁୱାର ସୁଟ ନା ଜିନ୍ସ ? ମୁଣ୍ଡ କେମିତି କୁଣ୍ଡେଇବ, ଗଣ୍ଠି ପକେଇ ଦେବ ନା ଖୋଲା ଛାଡ଼ିବ ଚୁଟିକୁ ? କାନରେ କୁନି କୁନି ଷ୍ଟୋନ ପିନ୍ଧିବ ନା ଓହଳା ବଡ ରିଂ ? ଏମିତି ହଜାରେ ପ୍ରଶ୍ନ ଏବେ ଏଲିନାକୁ ଆଉରି ଝାଳୁଆ କରୁଥାଏ । ଡ୍ରେସିଂ ଅଇନା ଆଗରେ ଠିଆ ହେଇ ଏଲିନା ନିଜକୁ ଦେଖିଲା । ଦେଖାଗଲା ତାକୁ ତା ଗଡିଲା ବୟସର ଚିହ୍ନ । ତା ମଥା କୁଞ୍ଚନରେ, ତା ପାଚିଲା ଚୁଟିରେ, ତା ପେଟ ଉପରେ ବଢିଥିବା ଅତିରିକ୍ତ ଚର୍ବିରେ । ହେଲେ ମଉଳୁ ନଥିଲା ରଞ୍ଜନଙ୍କୁ ଭେଟିବାର ତା ଉତ୍ସାହ । ଭେଟିବାର ସତେଜ ଉନ୍ମାଦନା ଏଲିନାର ବୟସକୁ କମଉଥିଲା କି କଣ, ଯଉଟା ଏଲିନା ନଜରରେ ପଡିଲା ସେଇ ଡ୍ରେସିଂ ଅଇନା ଦେଇ ! ଏଲିନା ଏଥର ଚୁଟି ଗୁଡାଇଲା କ୍ଲଚର ଦେଇ । ଖୋଲା ଚୁଟି ସିନା ଫଟୋ ପାଇଁ ଭଲ, କିନ୍ତୁ ସେମିତିରେ ଚୁଟି ବାନ୍ଧିଲେ ହିଁ ଏଲିନାକୁ ମାନେ । ହଳଦୀ ରଙ୍ଗର ଟି ସାର୍ଟରେ ବି ଏଲିନା କାଳେ ବେଶୀ ସୁନ୍ଦରୀ ଦିଶେ । ଏକଥା ଏଲିନାର ଡ୍ରେସିଂ ଅଇନା ଅନେକ ଥର କହିଛି ତାକୁ । ଜିନ୍ସ ସହିତ କୁନି ଡାଇମଣ୍ଡ ହିଁ ଫିଟ ହେବ କହି, କାନରେ ପିନ୍ଧିଲା ଟପ୍ସ । ସବୁପରେ ବି କାଇଁ, ଲାଜ ମୁକୁଳା ଦିଶୁଥିଲା ଏଲିନାକୁ, ସ୍ପଷ୍ଟ ଓ ସୁସଜ୍ଜିତ । କବୋର୍ଡରୁ ଷ୍ଟୋଲ ଟାଣି ଆଣି ବେକରେ ଗୁଡେଇ ଦେଲା । କାହିଁକି ଏ ଲାଜ ? ରଞ୍ଜନ ସହିତ ଏମିତି କି ସମ୍ପର୍କ ତାର ? Eco-friendly ରଞ୍ଜନ । ସେଇଥିପାଇଁ ତ ମେସେଜରେ ବି ପାନ ପତ୍ର ପଠାନ୍ତି ସବୁଜ ରଙ୍ଗର । ପ୍ରେମରେ ସବୁଜିମା ଥିବା ଜରୁରୀ । ନିହାତି ଜରୁରୀ । କିଏ କହିଲା ପାନ ପତ୍ର ଚିହ୍ନ ସବୁବେଳେ ନାଲି ହେବ ବୋଲି ? ଏଲିନା ତ ରଞ୍ଜନଙ୍କ ସବୁଜିମା ପାନ ପତ୍ରରେ ବି ପ୍ରେମ ଦେଖିପାରେ !
ଏଲିନା ଚାଲିବା ଆରମ୍ଭ କଲା । ପାଦ ଗଣିବା ସହିତ ଗଣୁଥିଲା ରଞ୍ଜନଙ୍କ ସହିତ ଭେଟିବାକୁ ଥିବା ପ୍ରତିକ୍ଷିତ ସମୟ । ରାସ୍ତାର କୋଳାହଳ, ଗାଡ଼ିମୋଟର ଶବ୍ଦସବୁ ମେଲେଇ ଯାଉଥିଲେ ଆପେଆପେ ଭେଟିବାର ଉଦ୍ମାଦନା ଭିତରେ । ସାଢେ ପାଞ୍ଚ ଶହ ମିଟର ରାସ୍ତା ଯେମିତି ଲାଗୁଥିଲା ସାଢେ ପାଞ୍
ଚ ବର୍ଷର ଦୀର୍ଘତା । ପବନ ଥମିଥିଲା କି ଏଲିନାର ହୃଦୟ, କେଜାଣି ? କେଇ ମିନିଟ ଅନ୍ତରରେ ଭେଟ ହେଲା ରଞ୍ଜନଙ୍କ ସହିତ । ରାସ୍ତାର ଡିଭାଡର ସେପାଖରେ ରଞ୍ଜନ, ଏପାଖରେ ଏଲିନା, ଆଉ ମଝିରେ ଅନେକ ଅସାମଞ୍ଜସ୍ୟ । ତଥାପି ଦୁହେଁ ଆଗେଇଲେ, ଏକାଠି ହେଲେ, ନମସ୍କାର ସହିତ ହାତ ମେଲାପ ବି ହେଲା । ହାତ ମେଲାପ ଭିତରେ କିନ୍ତୁ ରଞ୍ଜନ ଏଲିନାର ହାତ ତାଙ୍କ ଛାତି ପାଖକୁ ଟାଣି ନେଇ, ଛାତିରେ ଛୁଆଁଇ କହିଲେ, “ତମେ ସବୁବେଳେ ଏଇଠି ଅଛ । ଆଉ ଏଇଠି ରହିବ ।“ ଏଲିନା ଆଖିରେ ଯେମିତି ହଜାରେ ଫୁଲ ଏକାବେଳେ ଫୁଟିଲେ । ଲାଜରେ ଗୋଲାପି ଓଠ ଲାଲ ହେଇ ଯାଉଥାଏ । ହେଲେ ଏସବୁ ରଞ୍ଜନଙ୍କୁ ଦିଶି ନଥିବ । ସେବେଳେ ମାଛିମୁହଁ ଅନ୍ଧାର । ସଞ୍ଜ ଯେମିତି ନିଜ ଦାୟିତ୍ଵ ଅନ୍ଧାରକୁ ବଢେଇ ଦେଉଛି ନିଜ ହାତରେ । ଆଉ ଅନ୍ଧାର ତାକୁ ସାଦରେ ଗ୍ରହଣ କରି ତୋଳି ଦେଇଛି ସୁଯୋଗ ଏକ, ରଞ୍ଜନ ଓ ଏଲିନା ପାଇଁ । ହସ, କାନ୍ଦ କି ଜୀବନ, ସବୁ ପାଇଁ ବାହାନା ଲୋଡା । ଆଉ ଏଠି ତ ପ୍ରଥମଥର ଦୁହେଁ ଦୁହିଙ୍କୁ ଭେଟୁଛନ୍ତି । ଏକାଠି କିଛି ସମୟ ବିତେଇବା ପାଇଁ ବି ତ ବାହାନାଟିଏ ଲୋଡା ନା !
କିଛି ରାସ୍ତା ଚାଲିଲେ, କିଛି ରାସ୍ତା ଅଟୋରେ । ଅଟୋରେ ବି ସେମାନଙ୍କୁ ପାଖାପାଖି କରୁଥିଲା ସମୟ । ଏତେ ପାଖାପାଖି ଯେ, ଜଣେ ଜଣଙ୍କ ଆଖିରେ ହଜେଇ ଦେଇପାରିବ ନିଜକୁ । ଜଣେ ଜଣଙ୍କ ଓଠର ରଙ୍ଗ ଠଉରେଇ ପାରିବ ଭଲରୂପେ । ଏମିତିକି ରଞ୍ଜନଙ୍କ ସବୁଜିମା ଓ ଏଲିନାର ଭାବପ୍ରବଣତା ଦୁଇଟି interchange ହେଇପାରିବ ଅବିଳମ୍ବେ, ସହଜରେ । ହେଲା କି ନା, କେଜାଣି ? ଅଟୋରୁ ଓହ୍ଲାଇ ଦୁହେଁ ମୁହାଁଇଲେ ଗୋଟେ କାଫେ ଆଡ଼କୁ । ଏକାଠି ବସିବା ମୂଳ ଉଦେଶ୍ୟ ଥିଲା । କିନ୍ତୁ କିଛି ଗୋଟେ order ନକରିବା ବି ଅଭଦ୍ରାମୀ ହେବ । ହେଲେ କଣ order କରିବେ ? ଦୁହେଁ ଦୁହିଙ୍କୁ ପ୍ରାଧାନ୍ୟ ଦେଲେ ଆଉ ଶେଷରେ ସାକ୍ଷାତ ମୁହୂର୍ତ୍ତକୁ ଆଉରି ମିଠା କରିବା ଉଦ୍ଦେଶ୍ୟରେ ଏଲିନା order କଲା vanilla pudding ଦୁଇଟା । କଥାର ଖିଅ ସେମାନଙ୍କୁ pudding ଖୁଆଇ ଦେଉନଥିଲା ଅନେକ ବେଳ ଯାଏଁ । ଦୁହେଁ ଖୁବ ଗପିଲେ, ଆଉ ଗପ ସରିବାର ନାଁ ନେଉ ନଥିଲା । ମିଠା ବାର୍ତ୍ତାଳପ ପରେ puddingର ମିଠା ବି ପାଟିକୁ କଉ ରୁଚୁଥାଏ ଯେ ! ଅଧ ଘଣ୍ଟା ସମୟ କେତେବେଳେ ଦେଢ ଘଣ୍ଟା ହେଲାଣି, ସେଥିରୁ ଦୁଇଜଣ ଯାକ ବେଖବର । ବାହାରକୁ ଆସି ଦେଖିଲାବେଳକୁ ଅସରାଏ ବର୍ଷା ବର୍ଷି ସାରିଛି । ନା ରଞ୍ଜନ ଫେରିବାକୁ ତରବର ନା ଏଲିନା । କିଏ ବାନ୍ଧୁଥିଲା ଦୁହିଙ୍କୁ ? ଏଲିନାର ଜୀବନ ଦର୍ଶନ ରଞ୍ଜନକୁ ? ନା ରଞ୍ଜନର ପିଲାଳିଆମୀ ଏଲିନାକୁ । ଯିବା ଏଥର, କହିଲାବେଳକୁ ରଞ୍ଜନର ହାତ ପୁଣିଥରେ ଏଲିନା ହାତକୁ ଧରି ପକାଇଲା । ହାତ ଧରି ଅନେକ ସମୟ ଯାଏଁ ନଛାଡିବା କଣ ହେଇପାରେ ? ଏଲିନା ବି ରଞ୍ଜନଙ୍କ ହାତ ମୁଠାରୁ ନିଜ ହାତ ନମୁକୁଳେଇବା ପଛର କାରଣ ? ଏ ସମ୍ପର୍କ କେବଳ ସବୁଜ ପ୍ରେମର ନା ସବୁଜିମା ଭରା ଆଗାମୀ ଜୀବନର ? ୟାକୁ କଣ ଦୁହେଁ ଶୁଣିପାରିବେ ? ହେଜି ପାରିବେ ? ବୁଝି ବୁଝେଇପାଇବେ ସାରା ସମାଜକୁ ? ବୟସରେ ଛଅ ବର୍ଷ ବଡ ଝିଅ ବି ପ୍ରେମିକା ହେଇପାରେ, ପତ୍ନୀ ହେଇପାରେ ଆଉ ନିଜଠାରୁ ସାନ ପୁଅକୁ ଯଥେଷ୍ଟ ସମ୍ମାନ ଦେଇ ଜୀବନସାଥୀ କରିପାରେ ! ଛଅ ବର୍ଷ ସାନ ପୁଅ ବି ଦାୟିତ୍ଵ ନେଇପାରେ ଏକ ଦାମ୍ପତ୍ୟ ଜୀବନର, ସାମାଜର ଟାହିତାପରାକୁ ବେଖାତିର କରିପାରେ, ଆଉ ନୂଆ ଗୋଟେ ଉଦାହରଣ ସୃଷ୍ଟି କରିପାରେ !