STORYMIRROR

puspalata samantary

Comedy Drama

3  

puspalata samantary

Comedy Drama

ପୋଡପୋଡା ଘର ହେବ କେମନ

ପୋଡପୋଡା ଘର ହେବ କେମନ

2 mins
307

ରାଜା ବିଶ୍ୱାଳଙ୍କର କିଛି ପିଲାପିଲି ନ ଥିଲେ,ସେଥିପାଇଁ ଦୁଇପ୍ରାଣୀଙ୍କର ମନ ଭାରି ଦୁଃଖ । କେତେ ଦିଅଁ ଦୁବ କରି ଅଣଆୟତ ହୋଇ ମନରେ ପ୍ରଭୁ ଗ୍ରାମଠାକୁର ନଟରାଜଙ୍କୁ ମାନସିକ କଲେ।ତାଙ୍କ କରୁଣାରୁ ପୁଅଟିଏ ହେଲା। ତା ନାମ ନଟ ବିଶ୍ଵାଳ ରଖିଲେ। ଦୁଇପ୍ରାଣୀଙ୍କର ଯାକ ଗେହ୍ଲାରେ ନଟୁ ବୋଲି ଡାକୁଥାନ୍ତି ।କ୍ରମେ ପୁଅ ବଡ ହେଲା। ତାର ସ୍କୁଲ ରେ ନାଁ ଲେଖିଦେଲେ ବିଶ୍ୱାଳବାବୁ।ପୁଅ ସ୍କୁଲକୁ ଗଲା । ଭାରି ଚଗଲା ହେଉଥାଏ ନଟୁ ।କାହାକୁ ମାରୁଥାଏ ତ କାହାର ଖାତା ବହି ଚିରି ଦେଉଥାଏ, ପାଠପଢାରେ ତାର ଜମାରୁ ମନ ନଥାଏ।


ପ୍ରତିଦିନ ତାଙ୍କ ଘରକୁ ନଟୁର ଦୁଷ୍ଟାମି କଥା କହିବାକୁ କିଏ ନା କିଏ ଆସନ୍ତି । ରାଜା ବାବୁ ପୁଅ ଉପରେ ରାଗିଲେ,ତାକୁ ସଜାଡିବାକୁ ଗଲେ ତାଙ୍କ ସ୍ତ୍ରୀ ପାଲୁଣୀ କହନ୍ତି । ହଁ ପିଲାଛୁଆ ଲୋକ ତ ,ବଡ ହେଇଗଲେ କଣ ଏଇ ବୁଦ୍ଧି ରହିବ। ବୋଉଠୁ ସାହାସ ପାଇ ଦିନକୁଦିନ ନଟୁର ନଖରାମୀ ବଢିଲା।ସ୍କୁଲରେ ପାଟି ଚାଖଣା ଖାଇବ ବୋଲି ବୋଉଠୁ ପଇସା ମାଗିନିଏ।ବାପାଙ୍କୁ କହିବୁନି କହି ବୋଉ ଲୁଚାଇ ଲୁଚାଇ ପଇସା ଦିଅନ୍ତି ।


ନଟୁ ବାହାରେ ଛଣାଛଣି,କୁରୁକୁରେ ,ଚାଉମିନ ପ୍ରଭୁତି ଖାଇ,ବୁଲାବୁଲି କରି ଆସେ,ଜମା ପାଠରେ ମନ ଦିଏନି ।ଶିକ୍ଷକ ମାନେ ଅଭିଯୋଗ କରନ୍ତି, ନଟୁ ଜମାରୁ ପାଠ ପଢୁନି।ରାଜା ବିଶ୍ୱାଳ ରାଗି ପାଚି ପାଞ୍ଚଣ ଖଣ୍ଡେ ଧରି ନଟୁ ପାଖକୁ ଯାଉ ଯାଉ ନଟୁ ପାଟି କରି ଉଠେ ବୋଉଲୋ ,ବାପା ମୋତେ ମାରି ପକେଇଲେ ଧାଇଁ ଆସେଲୋ।ପାଲୁଣୀ କହନ୍ତି ସେ ପିଲାଟାଏ ବେଳ ଆସିଲେ ବଦଳି ଯିବନି? ସବୁବେଳେ ବାହାର ଜିନିଷ ଖାଇବାରୁ ନଟୁର ଦେହ ଖରାପ ହେଲା,ବିଶ୍ୱାଳବାବୁ ଓ ପାଲୁଣୀ ନଟୁ କୁ ସାଙ୍ଗରେ ନେଇ ଡାକ୍ତରଙ୍କ ପାଖକୁ ଗଲେ,ଡାକ୍ତର ସବୁ ପରୀକ୍ଷା କରି ଔଷଧ ଲେଖିଦେଲେ ।କହିଲେ ଜମାରୁ ବାହାର ଜିନିଷ ଖାଇବନି।ନଟୁ ଔଷଧ ଖାଇ ଘରେ ଶୋଇରହିଲା।ସ୍କୁଲ ଯାଇପାରିଲା ନାହିଁ।


ସ୍କୁଲ ନ ଗଲେ ତ ନଟୁକୁ ଭଲ,ହେଲେ ସ୍କୁଲ ନ ଗଲେ ପାଟି ଚାଖଣା ହୋଇ ପାରୁନି। ବଦମାସ୍ ଡାକ୍ତର ଟା କେମିତି ମନାକଲା ବାହାରେ ଖାଇବାକୁ,ମୁଁ ଏବେ କଣ କରିବି ?ଏମିତି ଭାବି ହେଉଥାଏ ନଟୁ, ଗୋଟିଏ ବୁଦ୍ଧି ମୁଣ୍ଡକୁ ଜୁଟିଲା।କହିଲା ବୋଉ, ମୁଁ କାଲିଠୁ ସ୍କୁଲକୁ ଯିବି,ମତେ ପଇସା ଦବୁ।ପାଲୁଣୀ କହିଲେ ଆରେ ନଟୁ ଡାକ୍ତର ପରା ମନା କରିଛି ବାହାରେ ଖାଇବନି ବୋଲି କହିଛି ପଇସା କାଇଁକି ନବୁ?ଆଲୋ ବୋଉ ମୁଁ ବାହାରେ କାଇଁକି ଖାଇବି?ଘରକୁ ଆଣି ଘରେ ଖାଇବି।ପାଲୁଣୀ କହିଲେ ହଁ ସତକଥା ଘରେ ଖାଇଲେ ହେବ।ପରଦିନ ନଟୁ ସ୍କୁଲକୁ ଗଲା,ଫେରିଲାବେଳେ ଚାଉମିନ, କୁରୁକୁରେ ଧରି ଫେରିଲା।ଖାଇବାବେଳକୁ ବିଶ୍ୱାଳ ବାବୁ ବାଡିଟାଏ ଧରି ନଟୁ ପାଖରେ ପହଞ୍ଚିବା ବେଳକୁ ନଟୁ ଡାକ ଛାଡିଲା, ବୋଉଲୋ,ବାପା ମୋତେ ବାଡେଇ ପକେଇଲେ, ତୁ ଧାଇଁଆସେ।ପାଲୁଣୀ ଆସି କହିଲେ,ହଇହେ ସେ ତ ବାହାରେ ଖାଉନି ,ଘରେ ଆଣି ଖାଇଲା,ତମର କଣ ଅସୁବିଧା ହେଲା? ବିଶ୍ୱାଳବାବୁ ମୁଣ୍ଡରେ ହାତଦେଇ କହିଲେ ,ମା ଯେମନ କୁ ପୁଅ ସେମନ, ପୋଡପୋଡା ଘର ହେବ କେମନ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy