ପାଣିଫଟା ରକତ
ପାଣିଫଟା ରକତ


ଗଣତନ୍ତ୍ର ଦିବସ ରେ ସ୍କୁଲ ପିଲାମାନେ ଜାତୀୟ ପତାକା ଧରି 'ଭାରତ ମାତା କି ଜୟ',ମହାତ୍ମା ଗାନ୍ଧୀ କି ଜୟ, ସ୍ଵାଧୀନ ଭାରତ କି ଜୟ ,ଜନ ଗଣ ମନ ଅଧିନାୟକ ଜୟ ହେ ଗୀତ ଗାଇ ଗାଇ, ଗାଁ ସାରା ବୁଲି ବୁଲି ଏହି ଜାତୀୟ ଦିବସ କୁ ସମ୍ମାନ ଜଣାଉଥିଲେ । ଦାଣ୍ଡ ଦୁଆରେ ଠିଆ ହୋଇ ସେଇ ପିଲାମାନଙ୍କୁ ଦେଖି ପବନା ବୋଉ ଆଖିରୁ ବୋହିଯାଉଥିଲା ପାଣିଫଟା ରକତ ଗୁଡାକ ଲୁହ ହୋଇ। ଆଜି ପବନା ର ଜନ୍ମ ଦିନ,ଛଅଟା ନାହିଁ କି ନଅଟା ନାହିଁ,କେତେ ଦିଅଁ ଦୁବ କରି ଠାକୁରେ ମୋ କୋଳରେ ଦେଇଥିଲେ ପବନା କୁ । କେତେ ଖୁସି ଆନନ୍ଦ ରେ ଫାଟି ପଡୁଥିଲା ଆମ ଛୋଟିଆ ସଂସାର । ଆମ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଙ୍କର ପାଦ ତଳେ ଲାଗୁନଥିଲା, ଦଶମାସ ଗର୍ଭରେ ଧରି, ଯମ ଯନ୍ତ୍ରଣା ସହି, ଅନ୍ତଫାଡି ଜନ୍ମ ଦେଇ ତା ମୁହଁ କୁ ଚାହିଁ କଷ୍ଟ ଭୁଲିଗଲି।ଆଜି ତାରି ଜନ୍ମ ଦିନ, ଖିରି ପିଠା କରି ଷଠୀ ପୂଜା କରିବି, ତୋର ବନ୍ଦାପନା ହେବ, ତୁ ଶୀଘ୍ର ଆସିବୁ, ହେଲେ କାଇଁ ବେଳ ଉଛୁର ହେଲାଣି, କାଇଁ ତାର ତ ଦେଖା ନାହିଁ। ଏ ଯାଏ ଅଳପେଇସା ଦନେଇ ସାହୁ ମଦ ଦୋକାନ ରେ ଟାଙ୍କେ ପିଇଦେଇ କୋଉଠି ରାସ୍ତାରେ ଧୂଳିରେ ଗଡୁଥିବ। ଆହା ମା ହୋଇ କେମିତି ସହିବି? ଧୂଳି ଧୂସର, ଅଳିଆ ଅସନା ହୋଇ ଯେତେବେଳେ ପାଦ ଟଳମଳ ରେ ଘରକୁ ଆସେ, ମା ମନ ମୋର କ୍ଷତାକ୍ତ ହୋଇ ରକତ ଗୁଡାକ ପାଣି ଫାଟି, ଆଖିବାଟେ ବୋହିଯାଏ।ପିନ୍ଧିଲା ପଣତ କାନିରେ ତା ଦେହକୁ ପୋଛି ପାଛି ଦେଇ ଖଟରେ ଶୁଆଇ ଦିଏ।ସେତେବେଳେ ତା ବାପା ମୋତେ ଗାଳି ଦେଇ କହନ୍ତି ପଶୁଟାକୁ କାହିଁକି ଆଦର କରୁଛ? ଗୋଇଠା ମାଡ ଖାଇବ ବୋଲି ? ସେତେବେଳେ ମୋ ମନ ବିଳପି ଉଠେ,ମୁଁ ତାଙ୍କୁ କିଛି କହେନି । ମନକୁ ବୁଝାଏ, ସେ କଣ ଖୁସିରେ ଏକଥା କହୁଛନ୍ତି ? ପୁଅର ଏ ଅବସ୍ଥା ଦେଖି କୋଉ ବାପର ମନ ବ୍ୟଥିତ ନ ହେବ? ସେଦିନ ତାକୁ ସଜାଡିବାକୁ ଯାଇ,ଗୋଟିଏ ଜାବଡା ପକାଇ ଦେଲେ ବୋଲି, ସେ କୋଉ ଛାଡିଲା ? ଗୋଟାଏ କାଠ ଫାଳିଆରେ ଦି ପାହାର ପକାଇଲା ତାଙ୍କୁ । ମୁଁ ଧରି ପକାଇ ନ ଥିଲେ କଣ ହେଇଥାନ୍ତା ସେଦିନ, ସେକଥା ଭାବିଲେ ମୋତେ ଅନ୍ଧାର ଦିଶୁଛି । ବଡପୁରୁଷ ପରା କହିଛି କୁ ପୁତ୍ର ଏ ସଂସାରରେ ସମ୍ଭବ କିନ୍ତୁ କୁ ମାତା ସମ୍ଭବ ନୁହେଁ। ପଡିଶା ଘର ମାଳିଆ ବୋଉ ଖୁଡୀ ଡାକି ଡାକି ଆସି ପହଞ୍ଚିଲେ, ପବନା ବୋଉ କିଲୋ କଣ କରୁଛୁ,ଆଜି ପରା ପବନା ର ଜନ୍ମ ଦିନ, ଷଠୀ ପୂଜା ସାରିଲୁଣି ? ମାଳିଆ ବୋଉ ଖୁଡୀ ତା ଆଖିରୁ ଲୁହ ଗୁଡାକ ପୋଛି ପକେଇ, ପିଠିକୁ ଆଉଁସି ଦେଇ କହିଲେ, ହଁ ଲୋ ମୁଁ ଜାଣିପାରୁଛି,ତୋ ହୃଦୟର ରକତ ଗୁଡାକ ପାଣି ହୋଇ ବୋହିଯାଉଛି ଆଖିରୁ । ଏ ତିରିଲା ଜାତି ପାଇଁ ଏଗୁଡାକ କିଏ ଲେଖିଛି କେଜାଣି ? ପୁଣି ଗୋଟାଏ ମା ମନ ଲହୁଣୀ ପରି ଲତପତ ମନଟାଏ ପୁଣି ଖଞିଛି ତାଙ୍କଠି। କାଚ,ସିନ୍ଦୁର ସାଧବା ପରିଚୟ ପାଇଁ ଯେତେ ଗଂଜଣା ସହିଲେ ବି ତାକୁ ଜାବୁଡି ଧରୁ ଧରୁ ପୁଣି ଅନ୍ତଫାଡି ଜନମ ଦେଇଥିବା ଙ୍କ ପାଇଁ ଜାବୁଡି ଧରି ସବୁ ସମୟ ସରିଯାଏ ତାର ।ସତେଯେମିତି ଏଇଆ କରିବାକୁ, ତିରିଲା ଜାତିର ଜନ୍ମ ହେଇଛି । ହେଲେ କିଏ ତାଙ୍କୁ ସମ୍ମାନ ଦେଉଛି? ଆଜି ସକାଳୁ ଇସ୍କୁଲ ପିଲାଗୁଡାକ ଗାନ୍ଧୀ ର ଜୟ କରୁଥିଲେ । ମୋ ପୁଅ କହୁଥିଲା,ଗାନ୍ଧୀ କୁଆଡେ ସମ୍ପୂର୍ଣ୍ଣ ନିଶା ନିବାରଣ କରିବାକୁ ସମସ୍ତଙ୍କୁ ଚେତାଉ ଥିଲେ । ହେଲେ ଆମର ଏ ସରକାର କୁ ଆମେ ବାଛିଲେ, ସେ ଆମ ଦୁଃଖ, ସୁବିଧା, ଅସୁବିଧା ପ୍ରତି କେଉଁ ନିଘା ରଖୁଛି କାଇଁ? କୁଆଡେ ରାଜସ୍ୱ ବଢିବା ପାଇଁ ସେ ମଦ ବିକ୍ରି କୁ ଉତ୍ସାହିତ କରୁଛନ୍ତି । ଆଲୋ ପୋଡିଯାଉ ସେ ରାଜସ୍ୱ, ପୋଡିଯାଉ ସେ ସରକାରଙ୍କ ନୀତି ଆଉ ଯୋଜନା । ରାଜ୍ୟ ହେଉକି ପରିବାର, ଟଙ୍କା ପଇସା ଅରଜି ଯଦି ସୁଖ ଶାନ୍ତି ରେ ଦିନ ନ କଟିଲା, ସେ ପଇସାରେ, ସେ ରାଜସ୍ୱ ରେ କି ଫାଇଦା ? ଆଜି ଯେଉଁ ପିଲାମାନେ ଗାନ୍ଧୀ ଙ୍କର ଜୟଗାନ କରି ଯାଉଥିଲେ, ଘରକୁ ଯିବା ପରେ ବାପାର ମଦ ପିଇ ମା କୁ ମାଡଦେବା, ପିଲାମାନଙ୍କୁ ପିଟିବା କଥା କୋମଳମତି ପିଲାମାନଙ୍କ ମାନସିକତା କୁ କଣ ତଳିତଳାନ୍ତ କରିବନି? ପିଲାମାନଙ୍କର ଅତୀତ, ବର୍ତ୍ତମାନ, ଭବିଷ୍ୟତ କଣ ଏଇ ପୈଶାଚୀକ ପ୍ରଭାବରୁ ମୁକୁଳି ପାରିବ? ଶୈଶବ ବେଳରେ ବାପା ମା, ପରିବାର ର ଆଦର୍ଶ ପିଲାମାନଙ୍କ ପାଇଁ କେତେ ମହାନ ସେକଥା ଏ ସରକାର ବୁଝିବ କେବେ ? କେବେ ଏମିତି ଗୁଡାଏ ସନ୍ତାପି ହୋଇ ମାଳିଆ ବୋଉ ଖୁଡୀ, ପବନା ବୋଉ ଆଖିରୁ ଲୁହ ପୋଛି ପକାଇ ବୁଝାଇ ଦେଉଥିଲେ ।