ହିସାବ ନିକାସ
ହିସାବ ନିକାସ
ସୋନି ଏକ ଲୟରେ ଚାହିଁଥାଏ, ଜେଜେ ମା ର କାଠ ବାକ୍ସ ଟିକୁ, କଣ ସେଥିରେ ରଖିଛି? ନିଶ୍ଚୟ ସେମିତି କେତେ କଣ ରଖିଛି, ନହେଲେ ସେଥିରେ ଚାବି ଟାଏ ପକାଇ କୁଞ୍ଚିକାଠି ଟାକୁ ଅଣ୍ଟା ରେ ବାନ୍ଧିଛି କାହିଁକି ? ଜେଜେ ମା ସେ ବାକ୍ସ କୁ କେତେବେଳେ ଖୋଲେ କେହି ଦେଖି ପାରନ୍ତି ନାହିଁ। ଦିନକର କଥା ପେଟକଣ ହେଉଛି କହି ସୋନି ସ୍କୁଲ କୁ ଯାଇ ନଥିଲା । ସେକଥା ବୋଧେ ଜେଜେ ମା କୁ ଜଣା ନ ଥିଲା । ସେ ବାକ୍ସ ଟି ଖୋଲି ସେଥିରେ କଣ ରଖୁଥିଲା, ସେତିକି ବେଳକୁ ସୋନି ଧାଇଁ ଆସି କହିଲା, ଆଲୋ ଜେଜେ ମା ସେଥିରେ କଣ ରଖିଛୁ କି? ଜେଜେ ମା ଚିହିଁକି ଉଠି କହିଲା କିଛି ନାହିଁ,ତୁ ଅଳପେଇସି ଟା କଣ ଇସୁକୁଲୁ କୁ ଯାଇନୁ କିଲ? ସୋନି କିଛି ନ କହି ଠିଆ ହୋଇ ରହିଥାଏ, କିଛି ସମୟ ଉତାରୁ ଜେଜେ ମା ଆଠଣିଟିଏ କାଢି ସୋନି ହାତକୁ ବଢ଼େଇ ଦେଇ କହିଲା, ନିଏ ଇସୁକୁଲୁ ରେ କଣ କିଣି କରି ଖାଇବୁ, ତୋ ଭଉଣୀ କୁ କହିବୁନି । ସୋନି ଖୁସି ଟାଏ ହୋଇ ଆଠଣିଟିକୁ ନେଲା । ସେଦିନୁ ସବୁବେଳେ ସୋନିର ନଜର ସେଇ ବାକ୍ସ ଉପରେ, ହେଲେ ଆଉ କେବେ ଦେଖିପାରେନି ଜେଜେ ମା ଖୋଲିଲା ବେଳେ । ସୋନି ଏବେ ବଡ ହୋଇଯାଇଛି, ପାଠ ସାରି ଶିକ୍ଷୟିତ୍ରୀ ଚାକିରି ଟିଏ ପାଇସାରିଲାଣି । ଛୁଟିରେ ଘରକୁ ଆସିଛି, ଜେଜେ ମା ର ସେ ବାକ୍ସ ଟି ଘର କଣରେ ଅଦରକାରୀ ଜିନିଷ ପାଖରେ ପଡିରହିଛି। ପାଞ୍ଚ ବର୍ଷ ହେବ ଜେଜେ ମା ଆରପାରି କୁ ଗଲାଣି, ସେ ଥିଲା ବେଳେ ପ୍ରତିଦିନ ବାକ୍ସଟିକୁ ପୋଛୁଥାଏ । ଏବେ ସେଥିରେ ଧୂଳିର ଆସ୍ତରଣ ଜମି ଯାଇଛି । ଭୂଆ ବିରାଡ଼ି ଟାଏ ତାରି ଉପରେ ଶୋଉଛି । ବାକ୍ସ ଟିକୁ ଚାହିଁ ସୋନି ର ଆଖି ଛଳଛଳ ହୋଇଗଲା । ଭାବିଲା ଆହା, ଏହିପରି ସିନା ପ୍ରତ୍ୟେକ ମଣିଷ ର ହିସାବ ନିକାସ ।