ଭୂଲ ରହିଲା କେଉଁଠି?
ଭୂଲ ରହିଲା କେଉଁଠି?
ଜଗନ୍ନାଥ ବାବୁ ଅବସର ପ୍ରାପ୍ତ ଶିକ୍ଷକ ଜଣେ, ଦୁଇପୁଅ, ସ୍ତ୍ରୀ ଜାହ୍ନବୀଙ୍କୁ ନେଇ ତାଙ୍କ ସଂସାର ।ପୁଅ ରାଜୀବ ଓ ସଞ୍ଜୀବ ବାପାଙ୍କ ଆଦର୍ଶ ଓ କର୍ତବ୍ୟପରାୟଣତା,ସ୍ପଷ୍ଟବାଦୀ, ନିର୍ଭୀକ ଭାବରେ ସବୁରି ପ୍ରିୟପାତ୍ର ଏବଂ କେତେକଙ୍କର ଅପ୍ରିୟ ମଧ୍ୟ ।ବଡପୁଅ ରାଜୀବ ବହୁତ ଭଲ ପଢେ।ଯୁକ୍ତ ଦୁଇ ବିଜ୍ଞାନ ପଢିବା ବେଳୁ ସୁଜାତା ସହିତ ତାର ପ୍ରେମ ସମ୍ପର୍କ ଥିଲା ।ରାଜୀବ ମେଡିକାଲ ପାଇଁ ପ୍ରସ୍ତୁତ ହେଉଥିଲା ।ସବୁ ପିଲାଙ୍କ ପରି ବାପାଙ୍କୁ କହି କୋଚିଙ୍ଗ ନେଉଥିଲା ।ଯୁକ୍ତ ଦୁଇ ପରୀକ୍ଷା ରେ ଶ୍ରେଣୀ ରେ ପ୍ରଥମ ହୋଇଥିଲା ।ପ୍ରଥମ ଥରରେ ମେଡିକାଲ ପାଇଲା ।ସୁଜାତା କିନ୍ତୁ ଫେଲ ହୋଇଗଲା ।ସୁଜାତାର ବାପା ବଡ ବ୍ୟବସାୟୀ ଓ ପଇସା ବାଲା ।ଜଗନ୍ନାଥ ବାବୁଙ୍କ, ପୁଅକୁ ମେଡିକାଲ ପଢାଇବାରେ ଅକ୍ଷମତା ଜାଣି ଶୁଭଚିନ୍ତକ ଭାବରେ ସୁଧାକର ବାବୁ(ସୁଜାତାର ବାପା) ଏହାକୁ ଏକ ସୁଯୋଗ ଭାବି ରାଜୀବକୁ ତାର ପାଠପଢ଼ା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଲେ ।ସୁଜାତା ଦ୍ୱିତୀୟ ଥର ପରୀକ୍ଷା ଦେଇ ପାସ୍ କରିଥିଲା।
ରାଜୀବର ପାଠପଢା ଶେଷ ହୋଇ ଟ୍ରେନିଂ ନେଇ ସାରି ନିଯୁକ୍ତି ପାଇଲା ।ସୁଧାକର ବାବୁ ରାଜୀବ ସହିତ ସୁଜାତାର ବିବାହ ପ୍ରସ୍ତାବ ନେଇ ଜଗନ୍ନାଥ ବାବୁଙ୍କ ପାଖରେ ପହଞ୍ଚିଲେ।ଜଗନ୍ନାଥ ବାବୁ କୃତଜ୍ଞ ମନସ୍କ ହୋଇ ଥିବାରୁ ଏ ପ୍ରସ୍ତାବରେ ମନାକରି ପାରିଲେ ନାହିଁ। ରାଜୀବର ଆଗରୁ ସମ୍ପର୍କ ଦୃଷ୍ଟିରୁ ସେ ଅମଙ୍ଗ ହୋଇ ନଥିଲା ।ଦୁଇଜଣଙ୍କର ବିବାହ ହୋଇଗଲା।ସଞ୍ଜୀବ ଇଂଜିନିୟରିଂ ପାସ୍ କରି ଚାକିରୀ କରିଗଲା ।ଜଗନ୍ନାଥ ବାବୁ ଜଣେ ଉତ୍ତମ ଶିକ୍ଷକ ଥିଲେ ।ତାଙ୍କ ଜୀବନରେ ଅନେକ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରି ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ସମ୍ମାନର ପାତ୍ର ହୋଇଛନ୍ତି ।
ଏବେ ଅବସର ସମୟର ପ୍ରାପ୍ୟ ଯାହା ପାଇଥିଲେ, ସେତିକି ତାଙ୍କର ଆଗାମୀ ଜୀବନର ସମ୍ବଳ ଥିଲା । ବଡବୋହୂ ସୁଜାତା ସେଇ ପ୍ରାପ୍ୟକୁ କେମିତି ହାତେଇବ ସେଇକଥା ଚିନ୍ତା କଲା ।ଶାଶୁ ଶଶୁରଙ୍କୁ ତାଙ୍କ ପାଖକୁ ସହରକୁ ଆସିବାକୁ ଅନୁରୋଧ କଲା ।ନିଷ୍କପଟ ଓ ସରଳ ଜଗନ୍ନାଥ ଦମ୍ପତ୍ତି ତାର କ୍ରୁର ବୁଦ୍ଧିକୁ ଜାଣି ପାରିଲେନି ।ବୋହୂର ଆଦରରେ ଖୁସି ହୋଇ ଆସି ପହଞ୍ଚିଲେ ।ସଞ୍ଜୀବ ତା ପଢାବେଳର ବାନ୍ଧବୀ ଲିଲିମାକୁ ବିବାହ କରିଛି ।ବାପା ମାଙ୍କ ଅଧିକାରକୁ ସେମାନେ ଛଡାଇ ନେଇଛନ୍ତି ।ବୋହୂ ବାଛିବାର ଅଧିକାର ତାଙ୍କର ନଥିଲା ।ସେଥିପାଇଁ ବାପା ମାଙ୍କର ଦୁଃଖ ନାହିଁ।
କିଛିଦିନ ସେଠାରେ ରହିବା ପରେ ଗାଁକୁ ଆସିବାକୁ ବାହାରିଲେ।ପୁଅ ବୋହୂ କହିଲେ ବୁଢ଼ାବୁଢ଼ୀ ବୟସରେ ଗାଁ କୁ କାଇଁକି ଯିବ? ଆମ ପାଖରେ ଥାଅ ।ଏପରି
କିଛି ଦିନ ଗଲା ପରେ, ସୁଜାତା କହିଲା, ବାପା ଆପଣଙ୍କ ପୁଅ ଗୋଟିଏ ନର୍ସିଂହୋମ୍ କରୁଛନ୍ତି, ତାଙ୍କର ଗୁଡିଏ ଟଙ୍କା ଦରକାର ହେଉଛି ଆପଣ ପାଇଥିବା ଟଙ୍କା ଯାକ ଦେଇଥାନ୍ତୁ,ସେ ପରେ ସୁଧ ସହିତ ଫେରାଇ ଦେବେ। ଉଦାର ହୃଦୟ ବାପା ଦେଇଦେଲେ ।କିଛିଦିନ ଉତ୍ତାରୁ ପୁଅର ଟିଉଟର ଟିକୁ ମନା କରି ଦେଇ କହିଲା, ବାପା ଆପଣ ପଢାଇବେ।ସେକଥା ବି ହେଲା ।ସଞ୍ଜୀବ ବାପା ମା ଙ୍କୁ ଦେଖିବାକୁ ଆସିଲା । ସୁଜାତା କହିଲେ ବୋଉଙ୍କୁ ସାଙ୍ଗରେ ନେଇ କିଛି ଦିନ ବୁଲାଇ ଆଣୁନ।ସଞ୍ଜୀବ ରାଜି ହୋଇ ମାଙ୍କୁ ସାଥିରେ ନେଇଗଲେ ।କିଛିଦିନ ଉତାରୁ ଜଗନ୍ନାଥ ବାବୁ ବଜାରକୁ ପରିବାପତ୍ର ଆଣିବାକୁ ଯାଇ ଦେଖିଲେ, ଗୋଟେ ଜାଗାରେ ଗହଳ ଲାଗିଛି । କଥା ହେଉଛନ୍ତି ଜଣେ ବୁଢୀ ଲୋକ ପଡିଯାଇଛନ୍ତି । ଜଗନ୍ନାଥ ବାବୁ ଯାଇ ଦେଖିଲେ ଜାହ୍ନବୀ ଅଚେତ ହୋଇ ଯାଇଛନ୍ତି । ସେ ହତବାକ୍ ହୋଇ, ଉପାୟ ଚିନ୍ତା କରି ରିକ୍ସାଟିଏ ଡାକି ଅନ୍ୟ ମାନଙ୍କ ସହାୟତାରେ ଡାକ୍ତରଙ୍କ ପାଖକୁ ନେଇ ଔଷଧ ଦେଲେ ।ଟିକିଏ ଭଲ ହେବା ପରେ ତୁମେ ଏଠାକୁ କାହିଁକି ଆସିଥିଲ? କଣ କହିବି ପୁଅ ବୋହୂ ଦୁଇ ଜଣଙ୍କର ପ୍ରତିଦିନ ଝଗଡ଼ା, ଝଗଡ଼ା କରି ପୁଝାରୀକୁ ଛାଡ଼ି ଦେଲା ।ମୋତେ ତିନି ଦିନ ହେଲା ଜ୍ଵର । ମୁଁ ତ ପୁଣି କଣ ଖାଇବି।ସକାଳୁ ବୋହୂ ମୋତେ ଦଶ ଟଙ୍କା ଦେଇଥିଲା ଭାବିଲି କିଛି ପରିବା ନେଇ ରାନ୍ଧିବି ବୋଲି, କାନିରୁ ଟଙ୍କା ବାଟରେ କେଉଁଠି ଖସି ପଡିଛି । ପରିବା କିଣି ସାରି ଟଙ୍କା ଖୋଜିଲି ତାପରେ ମୋ ମୁଣ୍ଡ ଘୂରାଇ ଦେଲା ଆଉ କିଛି ଜାଣିନି ।ଏବେ ତୁମକୁ ଦେଖୁଛି ।ତୁମେ ଏଠିକି କାଇଁକି ଆସିଥିଲ?ମୋର ବି ତୁମରି ଅବସ୍ତା। ନାତିକି ପାଠ ପଢାଇବି, ବଜାର ସଉଦା କରିବି।ଜାହ୍ନବୀ କହିଲେ ଏବେ ଆମେ କୋଉଠି ରହିବା ?ଶୁଣି ଥିଲି ନିକଟରେ ଗୋଟିଏ ବୃଦ୍ଧାଶ୍ରମ ଅଛି ବୋଲି ।ଚାଲ ପଚାରି ସେଇଠିକୁ ଯିବା ।ସେଠି ଗୋଟିଏ ଚା ଦୋକାନୀକୁ ପଚାରିଲେ, ସେ କହିଲା ଟିକିଏ ବାଟ ଆଗକୁ ଯାଆନ୍ତୁ ।କିନ୍ତୁ ଆପଣ ତ ଥିଲା ବାଲାଙ୍କ ପରି ଲାଗୁଛନ୍ତି ଆପଣଙ୍କୁ ରଖିବେ କି ନାହିଁ ।ସନାତନ ସାହୁ ତାର ତତ୍ୱାବଧାରକ ।ପଚାରି ସେଠି ପହଞ୍ଚିଲେ ।ଜଗନ୍ନାଥ ବାବୁ କହିଲେ ତୁମେ କିଏ ?ସନାତନ କହିଲେ ସାର ମୋତେ ଚିହ୍ନି ପାରୁନାହାନ୍ତି ?ମୁଁ ଆପଣଙ୍କର ସେଇ ଦୁଷ୍ଟ ଛାତ୍ର ସନାତନ, ଯାହାକୁ ଆପଣ ରେଷ୍ଟ୍ରିକେଟ୍ କରିଥିଲେ ।ମୁଁ ସିନା ସେତେବେଳେ ଆପଣଙ୍କୁ ବୁଝି ପାରିନଥିଲି। ପରେ ବୁଝିଲି ଆପଣଙ୍କ ଉପଦେଶ ମୋ ପାଇଁ କେତେ ମଙ୍ଗଳକର ଥିଲା । ସେଇଆକୁ ପାଥେୟ କରି ଆପଣଙ୍କ ଆଦର୍ଶକୁ ହୃଦୟରେ ଶ୍ରେଷ୍ଠ ସ୍ଥାନ ଦେଇ ଆପଣଙ୍କ ନାମରେ ଜଗନ୍ନାଥ ଜରାନିବାସ କରିଛି । ଆଜି ମୋ ଶ୍ରମ ସାର୍ଥକ ହେଲା କହି ସାରଙ୍କ ପାଦ ଛୁଇଁ ପ୍ରଣାମ କଲା ସନାତନ ।