ଲୁହ ନା ଲହୁ
ଲୁହ ନା ଲହୁ
ଗଉରୀ ଲୁହ ପୋଛି ପୋଛି ବାଡ଼ି ପଟକୁ ଗଲା, ଦେଖିଲା କଲରା ବୁଦାରେ ମାଡି ଥିବା ଗଛରେ କେତେ ଛୋଟ ବଡ କଲରା ଓହଳିଛି ।ଫୁଲ ଗୁଡିଏ ଫୁଟିଛି, ଭ୍ରମର ଟିଏ ଭଁ ଭଁ କରି ଏ ଫୁଲରୁ ସେ ଫୁଲକୁ ଉଡି ବସି ତା କର୍ତବ୍ୟ କରିଚାଲିଛି ।ଈଶ୍ୱରଙ୍କ ର ଏ ସଂସାର କେଡେ ସୁନ୍ଦର ସତେ ? କାହାର ଇସାରା ରେ ଯେମିତି ପଶୁ, ପକ୍ଷୀ, କୀଟ ପତଙ୍ଗ, ନଦ ନଦୀ,ଖରାବର୍ଷା, ଗଛପତ୍ର, ଫୁଲ ଫଳ ସବୁ ନିଜ ନିଜ ସୀମା ଭିତରେ ରହି କର୍ତବ୍ୟ ସମ୍ପାଦନ କରୁଛନ୍ତି ।ମାତ୍ରକ ଏ ମଣିଷ ଜାତି ? ଯିଏକି ଈଶ୍ୱର ଙ୍କର ସଂସାର କୁ ସର୍ବଶ୍ରେଷ୍ଠ ଅବଦାନ, ସେଇମାନେ ସବୁ ନୀତି ନିୟମ, ଭଲ କଣ ମନ୍ଦ କଣ, ସଭ୍ୟତା ବା ଅସଭ୍ୟତା, ଆଚାର ବ୍ୟବହାର ଏବଂ ଜୀବନ ର ମର୍ଯ୍ୟାଦା କୁ ଉଲଘଂନ କରୁଛନ୍ତି ।କୌଣସି ବାଛ ବିଚାର ରଖୁନାହାନ୍ତି ।ଅଖାଦ୍ୟ ଭକ୍ଷଣ କରୁଛନ୍ତି, କ୍ରୁର କର୍ମ ରେ ଲିପ୍ତ ରହୁଛନ୍ତି ।ବିବେକ, ବୁଦ୍ଧି, ବିଚାରଶକ୍ତି ଯାହା ମଣିଷର ସମୟ ଅସମୟ ର ବନ୍ଧୁ ଓ ପଥପ୍ରଦର୍ଶକ, ତାହାକୁ ଭୁଲିଯାଉଛନ୍ତି ।ଅବଶ୍ୟ କେତେକ ଭଲ ମଣିଷ ଅଛନ୍ତି, ଯାହାଙ୍କୁ ସଜ୍ଜନ କହିହେବ ।ଯେମିତି ରାତି ନ ଥିଲେ ଦିନ ର ମୂଲ୍ୟ ବୁଝିହୁଅନ୍ତା ନାହିଁ, ଦୁଃଖ ନ ଥିଲେ ସୁଖକୁ ଲୋଡନ୍ତା ନାହିଁ ।ଏ ମଣିଷ ସେହି ପରି ।ବୋଉ ଡାକରେ କଳ୍ପନା ରାଇଜରୁ ଫେ
ରିଲା ଗଉରୀ ।କଳ୍ପନା ଅପେକ୍ଷା ବାସ୍ତବ ଅଧିକ ଜଟିଳ ସେକଥା ବି ଗଉରୀ ଜ୍ଞାନରେ ଅଛି ।ପୁଅ ଧଡିଆ ଧାଇଁ ଆସି ମା କୋଳରେ ବସି ପଡି ଗେଲ୍ଲରେ କହିଲା, ବୋଉଲୋ ମୋତେ ଗୋଟିଏ ପାଞ୍ଚ ଟଙ୍କା ଦିଅନ୍ତୂନି? ମୁଁ ଗୋଟିଏ କୁରୁକୁରେ ଆଣି ଖାଇଥାନ୍ତି, ମୋ ସାଙ୍ଗ ବାବୁନା ଆଣି ଖାଉଛି। ଶୁଖି ଯାଇଥିବା ଲୁହ ଗୁଡାକ ପୁଣି ଜକେଇ ଆସିଲା ଆଖିରେ ।ଆରେ ଧନ କୋଉଠୁ ଆଣିବି ପାଞ୍ଚ ଟଙ୍କା ଟେ ,ତୋ ବାପା ତ ଯାହା ମୂଲ ଆଣୁଛନ୍ତି ତାକୁ ମଦ ପିଇ ଦେଇ ଆସି ଘରେ ମୋତେ ପିଟି ପକାଉଛନ୍ତି ।ଏ ଦୁଃଖ କେମିତି କାହାକୁ ବୁଝାଇବି? ତୁ ତ ଅଜ୍ଞାନ ପିଲାଟେ ତୁ ଅବା କେମିତି ବୁଝିବୁ? ଏ ସଂସାର ରେ ଯେତେ ଦୋଷ ସବୁ ଏଇ ମାଇପି ଜାତିର ।ଏଇଥି ପାଇଁ ଅନେକ ଙ୍କ ଆଖିରୁ ଲୁହ ନା ରେ ରକତ ଗୁଡା ବୋହୁଛି ।ମୂଲିଆ ର ଝିଅ ମୁଁ ଯୌତୁକ କୋଉଠୁ ଆଣି ଥାଆନ୍ତା ବାପା ? ସପ୍ତମ ଶ୍ରେଣୀରେ ପାଠ ପଢା ରେ ଡୋର ବାନ୍ଧି ବାପାର ମଥାରୁ ବୋଝ ଉତାରିବା ପାଇଁ ତୋ ବାପା କୁ ବାହା ହେଲି।ଧଡିଆ କଣ ବୁଝିଲା କେଜାଣି, ଧାଇଁ ଯାଇ ଗୋପୀଆ ମଦଦୋକାନ ପାଖରେ ଶୋଇ ରହିଲା ।ଯିଏ ପଚାରିଲେ କହିଲା, ମୋ ବାପା କୁ ମଦ ଦେଇ ସବୁ ପଇସା ସେ ନେଉଛି, ମୋ ବୋଉ ସେଥିପାଇଁ କାନ୍ଦୁଛି, ସେ ଏଠୁ ମଦଦୋକାନ ନ ଭାଙ୍ଗିବା ଯାଏ ମୁଁ ଏଇଠି ଶୋଇରହିବି।