ଫୁଲ ପଚାରେନା ଭଁଅର ଠିକଣା
ଫୁଲ ପଚାରେନା ଭଁଅର ଠିକଣା
ଫୁଲ କେବେ ପଚାରିପାରେନା ଭଁଅରର ପ୍ରକୃତ ଠିକଣା । କାରଣ ସମୟ କାହାକୁ ଅପେକ୍ଷା କରେନାହିଁ। ସମୟ ଏକ ପ୍ରବାହମାନ ଗତି। ସମୟ ବଦଳିବା ସହିତ ମନ ବଦଳି ଯାଇଥାଏ । ସମୟକୁ ଆମେ ଗଣନା କରୁ - ବର୍ଷ, ମାସ, ସପ୍ତାହ, ଦିନ, ପ୍ରହର, ଓଳି, ଘଣ୍ଟା, ମିନିଟ୍, ସେକେଣ୍ଡ ... ଆଦି ଭାବରେ । ଭଁଅରର ଠିକଣା ବୁଝୁ ବୁଝୁ ସମୟ ଅତିକ୍ରାନ୍ତ ହୋଇଯାଏ ।
- ସମୟ ସଦାସର୍ବଦା ସମାନ ଓ ସଦା ଅପରିବର୍ତନୀୟ । ସମୟ ବଦଳେନି, ପରିସ୍ଥିତି ଆଉ ପରିବେଶ ଜନିତ ଘଟଣା କ୍ରମ ବଦଳେ। ଏହି କଥାକୁ ଆମେ ବେଳେ ବେଳେ କଥାରେ କହୁ - ସେ ସମୟ ଆଉ ନାହିଁ, ବର୍ତ୍ତମାନ ସମୟ ବଦଳି ଗଲାଣି...... ଏବର ସମୟ ଅଲଗା ...... ଇତ୍ୟାଦି ଇତ୍ୟାଦି ।
- ସମସ୍ତଙ୍କ ପାଇଁ ସମୟ ସମାନ ଭାବରେ ଆସେ ଯାଏ । ନିଜ ପରିସ୍ଥିତିର ଅନୁକୂଳତା ବା ପ୍ରତିକୂଳତା ଅନୁଯାୟୀ - ଆମେ ଆମର ସମୟକୁ ଭଲ ଚାଲିଛି ଅଥବା ଖରାପ ଚାଲିଛି ବୋଲି ବିବେଚନା କରୁଅଛେ ।
-ସଂସାରରେ ସବୁ କିଛି ଅସ୍ଥାୟୀ । ଏଣୁ ପରିସ୍ଥିତି ଭଲ ହେଉ ବା ଖରାପ ହେଉ ସବୁ ଅସ୍ଥାୟୀ । ସୁତରାଂ ଆମେ ନିଜକୁ ବୁଝାଇଥାଉ ଯେ ଆମର ସମୟ ଭଲ ନାହିଁ । ଏବର ସମୟ ମୋ ପାଇଁ ଖରାପ ।
- ବଦଳିବା ହିଁ ନିୟତି । ପ୍ରତିଟି ମୁହୂର୍ତ୍ତ ନିୟତି ଅନୁଯାୟୀ ବଦଳେ । ବଦଳି ଯାଏ ବର୍ତ୍ତମାନ । ଆଉ ବର୍ତ୍ତମାନ ହୋଇଯାଏ ଅତୀତ । ଆଗନ୍ତୁକ ମୁହୂର୍ତ୍ତକୁ ଭବିଷ୍ୟ ବୋଲି କୁହାଯାଏ, କିନ୍ତୁ ନା କେବେ ଅତୀତ ଥାଏ ନା କେବେ ଭବିଷ୍ୟତ । ସବୁବେଳେ ଏଇ ବର୍ତ୍ତମାନ ଟିକକ ହିଁ ଆମ ଆଖି ତରାଟି ଦେଖିଥାଉ । ବୁଢୀର ଭାଗ୍ୟ ଚକ୍ର ଏମିତି ହେବ କିଏ କେବେ ଆଶା କରି ନ ଥିଲା । ସମୟ ଚକ୍ରରେ ବୁଢୀର ଭାଗ୍ୟ କେଉଁ ଆଡକୁ ଗତି କରୁଛି...... କିଏ କିଛି କହିପାରୁ ନ ଥିଲେ ? ? ?
- ପଲକ ଝପକିବା ସହିତ ସେ ସମୟ ବି ଚାଲିଯାଏ । ବଦଳିଯାଏ ଗୋଟେ ନୂଆ ପରିଚୟ । ଯେମିତି ବଦଳେ କ୍ୟାଲେଣ୍ଡରର ତାରିଖ, ସେକେଣ୍ଡ କଣ୍ଟାର ଗତି, ଠିକ୍ ସେମିତି ବଦଳେ ମଣିଷର ସୁଖ । ସୁଖ ଆଉ କଣ କି ? କିଛି ମୁହୂର୍ତ୍ତର ଉଦବେଳନ୍ ଯାହା ଶିରାପ୍ରଶିରା ଦେଇ ମସ୍ତିଷ୍କକୁ ସକ୍ରିୟ କରେ । ସକ୍ରୀୟତାରେ ସଚେତନତା ନ ରହିଲେ ମନ ବାଟବଣା ହୁଏ ।
- ଗତିର ଦିଗ ଯୁଆଡକୁ ହେଉନା କାହିଁକି କିନ୍ତୁ ସମୟ ସର୍ବଦା ଯାଏ - ଆଗକୁ । ସମୟ ଆଗକୁ ଯାଏ - କେବେ ପଛକୁ ଫେରେନି । ପୂର୍ବ ଘଟିତ କୋଣସି ଘଟଣାର ପୁନରାବୃତ୍ତି ବା ଉକ୍ତ ଘଟଣା ସହ ସାମଞ୍ଜସ୍ୟ ଥିବା ଆଉ ଗୋଟେ ଘଟଣା ଘଟି ଗଲେ, ଆମେ ଭାବୁ ବା ଅନ୍ୟ ମାନଙ୍କୁ କହୁ - ସମୟ ଫେରିଲା ।
- ସମୟ ସର୍ବଦା ଅଦୃଶ୍ୟ । ତା' ଗତିର ପ୍ରକାର, କେବଳ ଅନୁମେୟ । ବ୍ୟକ୍ତି ତଥା ବ୍ୟକ୍ତିର ଭାବନା ଓ ବିଚାର ଭିନ୍ନତା ପରିପ୍ରେକ୍ଷୀ ଓ ବିଶେଣରେ ଭିନ୍ନ ଭିନ୍ନ । ବୁଢୀ ଭାଗ୍ୟ ଗତିକୁ ଅନୁମେୟ ବ୍ୟତୀତ ଆଉ କିଛି ନାହିଁ ! ! !
- ସେଦିନ ହଠାତ୍ ବୁଢୀର ସାଙ୍ଗକୁ ବ୍ରହ୍ମପୁରରେ ଦେଖି ତା ଠାରୁ ଗାଁର ସମସ୍ତ ବିଷୟ ପଚାରିଲା ଅଂଶୁମାନ । ତତ୍ ସଙ୍ଗେ ସଙ୍ଗେ ବୁଢୀର ବିଷୟରେ ପଚାରିବାକୁ ଭୁଲି ନ ଥିଲା । ବୁଢୀର ଦୁଃଖ ଶୁଣି ଦୁଃଖିତ ଅନୁଭବ କରିବା ସହିତ ଫୋନ୍ ନମ୍ବରଟି ଆଣିଥିଲା ! ! ! ଫୋନ୍ କରିବ..... ଅବା ନାହିଁ...... ଏଭଳି ବହୁତ ଚିନ୍ତା କରି ଫୋନ୍ ଟି ଲଗାଇଲା ବୁଢୀ ପାଖକୁ..... ସେପଟୁ କୋମଳ କଣ୍ଠରେ ରେ ଭାସି ଆସିଲା..... ହ୍ୟାଲୋ.....
- ଅସ୍ତଗାମୀ ସୂର୍ଯ୍ୟ ପଶ୍ଚିମ ଆକାଶରେ ଲୁଚି ଗଲା ପରେ, ପୁଣି ଆଗାମୀ ଦିନ ସକାଳ ଫେରି ଆସେ। ସକାଳର ନିଡ଼ ଭୁଲା ପକ୍ଷୀ ପୁଣି ସନ୍ଧ୍ଯାକୁ ନିଜର ନିଡ଼କୁ ଫେରି ଆସନ୍ତି । ସକାଳର ଗୋଠ ଫିଟା ଗୋରୁ ପୁଣି ସନ୍ଧ୍ୟାରେ ଫେରି ଆସନ୍ତି ଗୁହାଳକୁ, କିନ୍ତୁ .........
- ମୋ ଜୀବନର ଚଲା ପଥରୁ ଏମିତି ତୁମେ ଦୁରେଇ ଗଲ ଯେ ନା ଆସିବାର ଆଶା ଅଛି ନା ଅଛି ବିଶ୍ୱାସ । କେବଳ ମୋ ମନ ହୃଦୟରେ ତୁମେ ଛାଡି ଗଲ ଅନେକ ଅଭୁଲା ସ୍ମୁତି, ଅନେକ କଥା, ଅନେକ କାହାଣୀ । ସେସବୁ ମନର ସିନ୍ଦୁକରେ ରଖି ନା ଭୁଲି ହେଉଛି ନା ଭୁଲି ହେବ ? ? ?
- ଅତୀତର ସେହି ସ୍ମୁତି ଗୁଡିକ ସବୁ ମୋ ପାଇଁ ଚିର ଜାଜ୍ଜୁଲ୍ୟମୟ, ଚିର ଭାସ୍କର, ଚିର ଶାଶ୍ୱତ। ତୁମ ବିନା ଅତୀତର ସାଇତା ସ୍ମୁତି ସବୁ କୁହୁଳୁଛି ହୃଦୟର ଅନ୍ଧାରି କୋଣରେ ଧୁଆଁ ହୋଇ। ଆଉ ସେଇ କୁହୁଳା ଧୂଆଁ ଭିତରେ ମୁଁ ହୋଇ ଯାଉଛି ପାଉଁଶ ତଳର ନିଆଁ। ଅତୀତର ମଧୁର ସ୍ମୁତି ସବୁ ମୋ ପାଇଁ ଅନିନ୍ଦ୍ୟ ସୁନ୍ଦରୀ । ଏବଂ ନାରୀର ବିଗତ ଯୌବନ ପରି, ଆଉ ବିଧବା କପାଳର ସିନ୍ଦୁର ଭଳି।
- ଫୋନ୍ ରେ ଏକା ଥରକେ ଏକା ନିଶ୍ବାସରେ ବୁଢୀକୁ ହଠାତ୍ କହି ପକାଇବି ଭାବୁଛି ଅଂଶୁମାନ୍ । ବୁଢୀର ପରିସ୍ଥିତି ପରିବେଶ କ'ଣ ହୋଇଛି ଇତ୍ୟାଦି ବିଷୟରେ ବୁଝିବା ଜାଣିବା ପାଇଁ ତାର ଆଉ ଶକ୍ତି ନାହିଁ ! ! !
- ମନେ ପଡେ ଅଂଶୁମାନର ସେହି ପୁରାତନ ସ୍ମୃତିର କଥା..... ଗତ କାଲି ଭଳି ଲାଗୁଛି.... ସେଦିନ ଅଫିସ୍ ଯିବା ବାଟରେ ତୁମ ସହିତ ଦେଖା ହୋଇଥିଲା । ଯେହେତୁ ତୁମ ବାପାଙ୍କ ସହିତ ମୁଁ ଆଗରୁ ଏକା ସାଥିରେ କୌଣସି ନା କୌଣସି କାର୍ଯ୍ୟରେ ମିଶିଥିଲି , ତେଣୁ ତୁମର ସାମାନ୍ୟ ପରିଚୟରେ ଆମର କଥାବାର୍ତ୍ତା ଆରମ୍ଭ ହୋଇଥିଲା ସେଦିନ ।
- କିଛି ସମୟ ବାର୍ତ୍ତାଳାପ ମଧ୍ୟରେ ତୁମକୁ ନିଜର କରିନେଇଥିଲି । ଅଂଶୁମାନ ହଠାତ୍ ସେଦିନ ପଚାରିଥିଲା - ତୁମେ କାହାକୁ ଭଲ ପାଉଛ କି ? ? ? ଅଂଶୁମାନର ପ୍ରଶ୍ନର ଉତ୍ତରରେ ନିରବ ରହିଲା ବୁଢୀ । କିଛି ଉତ୍ତର ଦେଲା ନାହିଁ ।
- ବୁଢୀ ସେତେବେଳେ ଥାଏ ଯୌବନର ପ୍ରଥମାର୍ଦ୍ଧରେ । ନିରବ ଭାବମୟ ମଧ୍ଯରେ ସ୍ବୀକୃତି ପାଇଥିଲା ଅଂଶୁମାନ୍ । କାରଣ ଷୋଳଟି ଫଗୁଣରେ ବୁଢୀ । ଅଂଶୁମାନର ଉତ୍କଣ୍ଠାଭରା ବଚନରେ ବୁଢୀ ଦେହରେ ମନରେ ପ୍ରେମର ରଙ୍ଗ ବୋଳି ହୋଇଥିଲା।
- ବାପାଙ୍କର ଜ୍ୟେଷ୍ଠା ନନ୍ଦିନୀ ହୋଇ ଥିବାରୁ ବାପାମାଆ ବୁଢୀ ବୋଲି ଶ୍ରଦ୍ଧାରେ ଡାକୁଥିଲେ ....... ନହେଲେ ସାର୍ଟିଫିକେଟର ନାମ ମିନି । ମିନି ଦେଖିବାକୁ ଗୋଟିଏ ଚାଉଳରେ ଗଢ଼ା । ଗୋରା ତକତକ ଚେହେରା, ମୁହଁଟି ଚନ୍ଦ୍ର ପରି ଗୋଲ୍ । ଗାଲ ଦୁଇଟି ପଦ୍ମ ଫୁଲର ପାଖୁଡା ପରି ଇଶତ୍ ଲାଲ୍ । ଅତୁଟ ସ୍ବାସ୍ଥ୍ୟ, ସୁନ୍ଦର ଚେହେରା.... ଯେ କେହି ଦେଖିଲେ ମଧ୍ଯ ଆଖି ଲାଗି ରହିବ....
- ପ୍ରେମର ପ୍ରଥମାର୍ଦ୍ଧରେ ଅଂଶୁମାନର କଣ ହେଲା କେଜାଣି ? ? ? ସେଇ ଦୁଇ ପଦ କଥାରେ ଅଂଶୁମାନର ତନ ମନକୁ ଚଳଚଞ୍ଚଳ କରିଦେଲା। ମନ ପକ୍ଷୀ ଉଡି ବୁଲିଲା ଅନ୍ତ ହୀନ ଆକାଶରେ ଅନେକ ଦୂରକୁ। ପ୍ରେମର ସାତ ରଙ୍ଗରେ ରଙ୍ଗୀନ ହେଲା ମନ। ସେଇ ଦୁଇ ପଦ କଥା ରେ ସେଦିନ ହଜିଲା ଦିବାରାତ୍ର। ବୁଢୀର ସେଇ ସ୍ମିତହାସ୍ୟ ଅଂଶୁମାନ ମନର ଉନ୍ମାଦନା ଓ ଉତ୍ସୁକତାକୁ ଅନେକ ଗୁଣ ବଢ଼ାଇ ଦେଇଥିଲା। ବୁଢୀ ପାଇଁ ସ୍ବପ୍ନର ସୌଧଟିଏ ଗଢିଥିଲା ଅତି ଗୋପନ ଭାବରେ ସେଦିନ ।
- କିଛି ଦିନ ପରେ....... ବୁଢୀର କାକାଙ୍କର ବାହାଘରକୁ ମୋ ସହିତ କିଛି ସାଙ୍ଗକୁ ନେଇ ଯାଇଥିଲି । ଆଉ ସେଦିନ ବିବାହ ଉତ୍ସବରେ ସବୁ ଆଦର ସ୍ନେହ ଅଜାଡି ଦେଇଥିଲ ତୁମେ ମୋ ଉପରେ। ତୁମର ସାନ୍ନିଧ୍ୟ ପାଇଁ ମୁଁ ଦେଖିଥିଲି ଅନେକ ସ୍ବପ୍ନ। ଆଉ ସାଙ୍ଗ ମାନେ ସେଥିପାଇଁ କରିଥିଲେ ବହୁତ ଈର୍ଷା। ଶେଷରେ ବିଦାୟ ବେଳାରେ ମୋ ହାତରେ ତୁମେ ଦେଇଥିଲ...... ଏକ ପ୍ରେମ ପତ୍ର ।
- ତାପରେ ମୁଁ ଆପେ ଆପେ ହୋଇଯାଇଥିଲି ଦୁନିଆର ସବୁଠୁ ସୁଖୀ ମଣିଷ। ଅତି ଭାଗ୍ୟବାନ ମଧ୍ୟ୍ୟ କାରଣ ତୁମେ ଥିଲ ମୋ ପାଇଁ ସବୁଠୁ ସୁନ୍ଦର। ତୁମର ନିରୀହା ଚାହାଣି ଏବଂ ସ୍ମିତହାସ୍ୟରେ ଥିଲା କୋଟି ଲାବଣ୍ୟ। ତୁମ ରୂପରଙ୍ଗକୁ ବର୍ଣ୍ଣନା କରିବାକୁ ମୁଁ ଥିଲି ଅସମର୍ଥ।
- ମୋ ପାଖରେ ଏମିତି କିଛି ଶବ୍ଦ ନାହିଁ ଯାହା ତୁମ ସୌନ୍ଦର୍ଯ୍ୟକୁ ପରିପ୍ରକାଶ କରି ପାରିବି। ଧୀରେ ଧୀରେ ଆମ ସମ୍ପର୍କର ସେତୁ ମଜବୁତ ହେଉଥିଲା ଦିନକୁ ଦିନ। ତାପରେ ଆମେ ହଜୁଥିଲେ ଏବଂ ଭିଜୁଥିଲେ ବସନ୍ତର ମଳୟରେ, ଶ୍ରାବଣର ବର୍ଷା ରେ, ଶରତର କାକରଭିଜା ସନ୍ଧ୍ୟାରେ ।
- ତାରି ଭିତରେ ଥିଲା ଅନେକ ରାଗ ରୁଷା, ମାନ ଅଭିମାନ ଆଉ ମିଠା ମିଠା କଳହ। ଆମ ଭଲ ପାଇବାର ସାକ୍ଷୀ ଥିଲା ଆମ୍ବତୋଟା, ଗାଁ ଦୋକାନ, ପଢାଘର........ ଆଉ ଆହୁରି ଅନେକ। ତମେ ବି ଆଦରରେ ମୋ ନାଁ ଦେଇଥିଲ....... ଅଂଶୁ.... । ତୁମ ମୁହଁରୁ ସେ ଡାକ ଶୁଣିଦେଲେ...... ମୁଁ ବି ଖୁସିରେ ଆତ୍ମହରା ହେଇଯାଉଥିଲି।
- କଥାରେ ଅଛି ଦୁଃଖର ବେଳ ଯିବ ଚଞ୍ଚଳ କିନ୍ତୁ ଆମର ଭାଗ୍ୟରେ ଥିଲା ଠିକ ଓଲଟା। ଆମ ସୁଖର ଦିନ ଖୁବ ଶୀଘ୍ର ସରିଗଲା । ଧୀରେ ଧୀରେ ଆମ କଥା ଜାଣିଲା ସାରା ଦୁନିଆ। ମୋର ବାପା ମାଆ ବି ତାଙ୍କର କର୍ତ୍ତବ୍ୟ କରିବସିଲେ।
- ଅଂଶୁମାନକୁ ସେ ସ୍ଥାନରୁ ଅନ୍ୟତ୍ର ବଦଳି ହୋଇଗଲା.... ଏକ ଅଭାବି ପ୍ରେମିକ ଭାବରେ ତୁମକୁ ଆପଣେଇବାକୁ କେତେ ଚେଷ୍ଟା କରିଛି.... କିନ୍ତୁ ସେଦିନ ତୁମର ବାପା...... ତୁମର ବୟସର ଆଳ ଦେଖାଇ ମୋ ସହିତ ବିବାହ କରିବାକୁ ରାଜି ହେଲେ ନାହିଁ ।
- ମୋର ବାପା ମାଆ ଏକ ପ୍ରସ୍ତାବ ଦେଖି ମୋତେ ବିବାହ କରାଇ ଦେଲେ ମୁଁ ସେତେବେଳେ ମନା କରି ପାରିଲି ନାହିଁ । ସେ ସମୟରେ ମୁଁ ଥିଲି ନିରୁପାୟ । ତୁମ ବାପାଙ୍କ କଥାର ସାମ୍ନା କରିବାର ସାହସ ମୋର ନ ଥିଲା ସେଦିନ..... ନା ଥିଲା ସେତେବେଳେ ତୁମର ବିବାହ କରିବାର ଉପଯୁକ୍ତ ବୟସ ! ! !
- ସମାଜର ପରିନିନ୍ଦାକୁ ଡରି ତୁମେ ବି ରହିଗଲ ନିରବ। ସାତ ଦୀପ,ଆଠ କଳସକୁ ସାକ୍ଷୀ ରଖି ଧରିଥିଲି ଅନ୍ୟର ହାତ। ତା ପରେ ଚାଲିଗଲି ଅନେକ ଦୂରକୁ। ମୋ ଭିତରେ ମୁଁ ଅନୁଭବ କରିଥିଲି ଅସହ୍ୟ ଯନ୍ତ୍ରଣା। ଛାତିକୁ ପଥର କରି ସହିଯାଇଥିଲି ସବୁ ଦୁଃଖ। ଆଉ ଆମ ସଂପର୍କ ହୋଇଥିଲା ସମାପ୍ତ ।
- ତୁମଠାରୁ ଗଲାପରେ ମୋ ମନରେ ଅନେକ ପ୍ରଶ୍ନ ଉଙ୍କି ମାରେ। ନିଜକୁ ନିଜେ ପଚାରେ ସତରେ କଣ ମତେ ଭୁଲିଗଲ ? ? ? ମୋ କଥା କଣ ତୁମର ଟିକେ ମନେ ପଡୁନି ? ? କେତେ ଦିନ ଯାଏ ଅବା ମୋତେ ତୁମେ ମନେ ରଖିଥିବ ? ? ? ଏମିତି ଅନେକ ପ୍ରଶ୍ନ। ଏହା ଭିତରେ କଟି ଯାଇଛି ଅନେକ ବର୍ଷ। ଅତୀତର ସମସ୍ତ ସ୍ମୁତି ରହିଛି ମୋ ଭିତରେ ଜୀବନ୍ତ ହୋଇ । ଶତ ଚେଷ୍ଟା କରି ମଧ୍ୟ ଭୁଲି ପାରିନି ଏ କଥା ଅନୁଭବ କରୁଛି ଅଂଶୁମାନ ।
- କିଛି ଦିନ ତଳେ ବ୍ରହ୍ମପୁରର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ତୁମର ସ୍କୁଲ ଜୀବନର ଏକ ସାଙ୍ଗ ସହିତ ଦେଖା ହୋଇଥିଲା.... । ତୁମ ସହ ସାମ୍ନା ସାମ୍ନି ହେବାକୁ ନିଜକୁ କେବେ ପ୍ରସ୍ତୁତ କରି ପାରିନାହିଁ..... କାହିଁକି କେଜାଣି। ଆଉ କାହା ସହିତ ତୁମକୁ ଦେଖିବାକୁ ଏ ମନ ଚାହୁଁ ନ ଥିଲା। ବୋଧେ ଆଜି ପର୍ଯ୍ୟନ୍ତ ମୁଁ ବାସ୍ତବତାକୁ ଗ୍ରହଣ କରି ପାରି ନ ଥିଲି। ଶତ ଚେଷ୍ଟା ସ୍ୱତ୍ତ୍ୱେ ନିଜକୁ ପ୍ରସ୍ତୁତ କରି ପାରିଲି ନାହିଁ ...... ତୁମ ସହ ଦେଖା ହେବା ପାଇଁ ।
- ଶୁଣି ଥିଲି ତୁମେ ଏକା..... କିନ୍ତୁ ତୁମର ସାଥୀର ସନ୍ତକ ଭାବରେ ସାଙ୍ଗରେ ଅଛି ଏଗାର ବର୍ଷର ପୁଅ । ବିଶେଷ କିଛି ପରିବର୍ତ୍ତନ ଆସି ନ ଥିଲା ତୁମର। ବହୁତ ଦୁଃଖିତ ହେଲି, ଆଖିରୁ ଝରିଗଲା ଅନେକ ଲୁହ। ନିଜକୁ ହଜେଇ ଦେଲି କେଉଁ ଏକ ଅଜଣା ରାଇଜରେ.... ସେପଟରୁ କୋମଳ କଣ୍ଠରେ ଭାସି ଆସୁଥାଏ....... ହ୍ୟାଲୋ.... ହ୍ୟାଲୋ...... କିଏ କହୁଛନ୍ତି....
- ଅତୀତର ହଜିଲା ଦିନ ସବୁ ଆଖି ସାମ୍ନାରେ ଗୋଟି ଗୋଟି ହୋଇ ଦେଖା ଯାଉଥାଏ ଅଂଶୁମାନକୁ । ସେଇ ରୂପ ଲାବଣ୍ୟ , ସେଇ ରଙ୍ଗ ସେଇ ମନଲୋଭା ସ୍ମିତହାସ୍ୟ। ମୋବାଇଲ ଟିକୁ ଛାତି ଉପରେ ରଖି ମୁଁ ତୁମକୁ ଅନୁଭବ କରୁଥିଲି ଖୁବ ନିକଟରୁ। ତୁମର ସ୍ପର୍ଶକୁ ଅନେକ ଦିନ ପରେ ଅନୁଭବ କରୁଥିଲି ଆକାନ୍ତରେ। ଫେରି ଯାଇଥିଲି ଅତୀତକୁ। ତୁମ ସହ ମିଶି କେତେ ହସି ହସେଇଲି। କେତେ କାନ୍ଦି କନ୍ଦେଇଲି। କେବଳ ଚାରିଆଡେ ତମେ ଆଉ ମୁଁ ।
- ହ୍ୟାଲୋ.... ହ୍ୟାଲୋ...... ବାରମ୍ବାର ଆରେ କିଏ କହୁଛନ୍ତି.... କହୁନାହାଁନ୍ତି..... ଅଂଶୁମାନ ସେତେବେଳକୁ ସ୍ଥିତପ୍ରଜ୍ଞ ହୋଇ କହିଥିଲା ? ମୁଁ ଅଂଶୁମାନ.....
- ହଠାତ୍ ନାମଟି ଶୁଣି ଚମକିଲା ଭଳି ଅନୁଭବ କଲା ଅଂଶୁମାନ... କିଛି ସମୟ ପରେ ଉତ୍ତର ଆସିଲା..... ଆଉ ମୋ ଜୀବନରେ କ'ଣ ଅଛି ? ? ମୁଁ ବଞ୍ଚିଛି....... ଏତିକି ତୁମ ପାଇଁ...... ଲୋତକ ଭରା କଣ୍ଠ...... ଅଂଶୁମାନ....... କିଛି କହିପାରୁ ନ ଥାଏ ? ? ସାନ୍ତ୍ବନା କିପରି ବା ଦେବ...... କ'ଣ କହି ପ୍ରବୋଧନା ଦେବ......
- ସେ ପଟରୁ ପୁଣି ଆସିଲା - ତୁମେ କିପରି ଅଛ ?
- ଭଲ ଅଛି....... ଅଂଶୁମାନ ଉତ୍ତର ଦେଲା.
- ତୁମେ ମୋର ପ୍ରଥମ ହୋଇ ମଧ୍ୟ ନିଜର କରିପାରିଲ ନାହିଁ...... ବା ଯେ ନିଜର କଲା........ ସେ ମୋର ଚିରସ୍ଥାୟୀ ହୋଇ ପାରିଲା ? ? ? ବିବାହର ଅଳ୍ପ ଦିନରେ ସେ ହାର୍ଟ ଆଟାକ୍ ରେ ଚାଲିଗଲେ । ତାଙ୍କର ସନ୍ତକଟି ବ୍ୟତୀତ ତାଙ୍କର ବୋଲିବାର ମୋର ପାଖରେ ଆଉ କିଛି ନାହିଁ ।
- ସେ ଚାଲିଯିବା ପରେ ମୋତେ ତାଙ୍କ ଘରେ ଆଉ ସ୍ଥାନ ଦେଲେ ନାହିଁ । ମୁଁ ଏବେ ମୋ ବାପ ଘରେ ରହୁଛି ...... ପୁଅକୁ ହଷ୍ଟେଲରେ ଛାଡି ଦେଇଛି... ବାପାମାଆ ବୁଢାବୁଢୀ ହୋଇ ଗଲେଣି । ଭାଇ ଭାଉଜଙ୍କ ଘର । ବାପା ମାଆ ପାଖରେ ମୁଁ କେତେଦିନ ଆଉ ରହି ପାରିବି ? ? ?
- ନାରୀ ଜୀବନ କଣ ? ତାର ପ୍ରକୃତ ପରିଚୟ କଣ ? ଏନ୍ତୁଡ଼ି ଶାଳରୂ...... ଶାଶୂଘର....... ଏବଂ ଗାଁ ମଶାଣୀ ଯାଏ .....ବିଭିନ୍ନ ଚରିତ୍ରରେ ଅଭିନୟ କରୁ କରୁ କଣ ନାରୀଟିଏ ତା ପରିଚୟକୁ ହଜେଇଦିଏ l ନା ପ୍ରକୃତ ପରିଚୟ କାହା ଝିଅ, କାହା ବୋହୁ ଓ କାହା ସ୍ତ୍ରୀ ଓ ମାଆ....... ଏତିକି.......
-ମୋ ମନ ଖୁଵ ବିଦ୍ରୋହ କରେ, ମୁଁ ଖୋଜେ ମୋର ପ୍ରକୃତ ପରିଚୟ ! ! ହେଲେ ପାଏନି, ପୁଣି ମୋତେ ଫେରିବାକୁ ପଡେ ସେ ଚିରାଚରିତ ପରିଚୟକୁ l ଅନେକ ରାତି ବିତିଯାଏ ଅନିଦ୍ରାରେ, ବିଛଣାରେ ପଡ଼ିରହି ଖୋଜେ ମୋ ପରିଚୟ l ଶେଷରେ ଏମିତି ଗୋଟେ ମୋଡ଼ ଆସେ ମୋ ଜୀବନରେ ମୁଁ ପ୍ରସ୍ତୁତ ହୁଏ କିଛି ଏମିତି କରିବାର ଆଶା ଆକାଂକ୍ଷାକୁ ନେଇ.....
- ବାପା ବହୁଥର ବୁଝାଇ କହିଲେଣି - ବୁଢୀ....... ମା ! ତୋର ବୟସ ଅଛି..... ପିଲାଟିଏ ତୋତେ ଦେଖି ପସନ୍ଦ କରିଛି । ତୋତେ ଆମେ ବାଧ୍ୟ କରି ପାରୁନାହୁଁ...... ଆମେ ତ ପାଚିଲା ଫଳ..... କେତେବେଳେ ଝଡି ପଡିବୁ ! ! ! ତୁ କ'ଣ ଭାଇ ଭାଉଜଙ୍କୁ ନେଇ ସଦାସର୍ବଦା ଚାଲି
ପାରିବୁ......
- ବାପାଙ୍କର ପ୍ରଶ୍ନର ଉତ୍ତର ଦେଇ ପାରିଲି ନାହିଁ ....... ସତରେ କ'ଣ ଏ ଫୁଲ କେଉଁ ଠାକୁରଙ୍କ ପାଖରେ ଲାଗି ପାରିବ......
- ଅଂଶୁମାନ ଫୋନ୍ ରେ ସବୁ ଶୁଣି ଜଡ ମୁକ ପାଲଟି ଯାଇଥାଏ । କ'ଣ ଉତ୍ତର ଦେଲେ ଭଲ ହେବ ଚିନ୍ତା କରି ପାରୁ ନ ଥାଏ...... ଆଖିରୁ ଅଜାଣତରେ ଅବୁଝା ଲୁହ ଝରି ଚାଲିଥାଏ...... ଭାବୁଥାଏ ଫୁଲ କ'ଣ କହି ପାରିବ.......... ବାସ୍ତବରେ ଭ୍ରମରର ଠିକଣା ? ? ?
- ଠିକ୍ ନା ଭୁଲ....... ବୁଢୀର ଜୀବନରେ କେତେ ଭ୍ରମର ଗଲେଣି...... ଏ ଭ୍ରମରର ଠିକଣା ଚିରସ୍ଥାୟୀ ନା..........ବୁଢୀ ଭାବୁଥିବ - ହଁ........ ମୁଁ ତ ଫୁଲ..........
- ସତରେ କ'ଣ ବୁଢୀ ? ? ଠାକୁରଙ୍କର ଅତି ପ୍ରିୟର ଫୁଲ ହୋଇ ପାରିବ..... ନା ପୁଣି ଏକ ଭଁଅର ମଧୁପାନ କରି ଉଡିଯିବ ? ? ? ନା ଫୁଲ ଭଁଅରର ଠିକଣା ଖୋଜି ଖୋଜି ସମୟର ଚକ୍ରରେ ଦଗ୍ଧୀଭୂତ ହେଉଥିବ ? ? ?