ପାରଦର୍ଶୀ ଚିଠି
ପାରଦର୍ଶୀ ଚିଠି
ଏଇମ ଧଳା ଛଳ ଛଳ ହାଲକା ସବୁଜ ମିଶା ସମୁଦ୍ର ରଙ୍ଗିଆ ଟିକିଟେ, ମାନେ ଅପରାଜିତା ପତ୍ରଠୁ ବି ଛୋଟ ଆଉ ବୋଧହୁଏ ସଜନା ପତ୍ରଠୁ ଟିକେ ବଡ ସେଇ ଗୋଟିକ ..... ତୁର୍ ତୁର୍ ତୁର୍ ତୁର୍.......ଫର୍ ଫର୍ ଫର୍ ଫର୍ ... . ଏକର ସେକର .......ସେକର ଏକର । ଘୁରୁଥାଏ ଯେ ଘୁରୁଥାଏ । ତରକା ତରକା । ଧରିବାକୁ ଗଲେ ହି ସରକି ଯାଏ । ସର୍ ର୍ ର୍ । ରେଶମୀ ଚୁନରୀ ପରି ......... ପାରଦର୍ଶୀ କିନ୍ତୁ ମହୁମିଶା ରଂଗର ଡେଣା ଦିଟା ଛଲଛଲିଆ ହେଇ ଥରୁଥାଏ ଥର୍ ଥର୍ । ମଧୁମରା କିମିଆ ଜାଣେ ସେ, ନହେଲେ ମୁଁ କିଆଁ ତା ପଛେ ପଛେ କୋ ଯାଏ ଧାଇଁଥାଏ ନିଜେ ଖୋଜେନି ଯେ ...... ଆମ ଛାତ ଫୁଲ କୁଣ୍ତରୁ ବାରିକୁ, ବାରିରୁ ଅଗଣାର ତୁଳସୀ ମୂଳକୁ, ସେଠୁ ଦାଣ୍ଡ ଡେଇଁ କେନାଲ ହୁଡା କଡେ କଡେ ଜାତିଜାତିକା ଅନାମିକା ଫୁଲ ଫୁଲେଇମାନଙ୍କ ପାଖରୁ ଯେ ଆମ ଧାନ ବିଲ କଡକୁ କଡେଇ ତାଙ୍କ ଫୁଲ ବାରିଯାଏ । ମୋର ବି କୋଉ ନିଘା ଅଛି ଯେ .. . .... ଓଢଣୀଟା ପବନ କାରସାଦି କରି ଟାଣି ଧରିଛି, ବାଟ ଘାଟର ସାଇକେଲ ସିଟ୍ରୁ ନଜର ବୁଲିଛି ମୋ ପାଦ ଚିହ୍ନ ପଛରେ, ଦିଟା କଣ୍ଟା ଗଛ ସେ ଖୁଣ୍ଟମୂଳ ଠି ନୂଆ ସାଲୁଆରର ତଳେ ଗାର ଟାଣେଇସାରିଲେଣି, ଆଲୁରୁ ସାଲୁରୁ ମୋରି ଲହରା କେଶ ସବୁ ଧନ୍ଦି ହେଇଗଲେଣି ମୋ ଚେହେରା ସାରା । ମୋର କୋ ନିଘା ଅଛି ଯେ ଚୁନା ରୂପେଲି ମହୁରାଳି ମାନେ ଚିକ୍ ଚିକ୍ ଖରା ଛୁଇଁଥିବା କାଚକେନ୍ଦୁ ପାଣିରେ ମୁହଁ ଦେଖା ଦେଖି ହେଇ ହସାହସି ହଉଥିଲେ ଯେ ଠାରୁଥିଲେ ମତେ, ଘାସ ପଡିଆ ଗାଲିଚା ସାରା ସରୁ ଜିରୋ ନମ୍ବର ତୂଳୀରେ ଅଙ୍କା ଟିପି ଟିପି ବୁଲେଇ ବୁଲେଇକା ହରେକ ରଂଗର ଟୋପି ଟୋପି ଚିତା ପରି ଗାରର ସେଇ ଘାସ ଫୁଲ ମାନେ ବି ମୋର ଟିପ ଅଗରେ ଦଉଡିବାକୁ ନେଇ ଟୁପୁରୁ ଟାପୁରୁ .. . କାହାର ଆଉ ନିଘା ଥିଲା କି । ସଭିଏଁ ତ ନିଜ ନିଜର ସୁରଭିରେ ଭରା ସୌନ୍ଦର୍ଯ୍ୟରେ ନିଜେ ମଗ୍ନ ଥିଲେ .....ମୁଁ ବି ତ ମଗ୍ନ ଥିଲି ତାକୁ ଧରିବା ବିଭୋରତାରେ . .... ଧାଇଁ ଥିଲି ତ ତା ପଛେ ପଛେ .....ଥକି ଯାଇ ବୋହିଗଲି ମାଟି ହୁଡା ଠି, ଆଖି କିନ୍ତୁ ତା ଠି ସ୍ଥିର ଥିଲା । ସିଏ ବି ହାଲିଆ ହୋଇ ବସିଗଲା ମୋ ଓଢଣାର ନୀଳ ଗୋଲାପୀ ପ୍ରିଣ୍ଟ ଫୁଲ ଉପରେ, ସତ ଭାବିଲାକି ! ନା ସେ ଜାଣେ ସୁରଭୀ ଖାଲି ସତ କୁସୁମର ଅଳଙ୍କାର ।
ମୁଁ ମୂର୍ତ୍ତି ପରି ସେଇମିତି ଅଭଙ୍ଗ ଭଙ୍ଗୀରେ ଲଟେଇରହିଲି ସେ ପୁଣି ଉଡିନଯାଉ ବୋଲି,
ଧିରେ ଗୁଣୁଗୁଣେଇଲି,
ଚନ୍ଦ୍ରମଲ୍ଲୀ ହସେ ,ଚିତ୍ରଲେଖା ଓଠେ
ଲଜ୍ଜାନତ ମୁଖେ ତା ହାଏ ରକ୍ତ ଜବା ଫୁଟେ। ।
ଇସ୍ .....ଚୁପ୍ ....ଧିରେ ଲୋ । ପତ୍ରେ ପତ୍ରେ ବା କାନ ଅଛି । କଣ ଶୁଣିଲୁଟି । ମୋ ମୁହଁଟି ଗାଢା ଗୋଲାପି ଦିଶୁଥିଲା ତୀକ୍ଷଣ ନାକର ଅଗଟି ଫିସ୍ କି କହିଦେଲା ।
<
/p>
ମୋ ପଛେ ପଛେ ବୋଉ ବେତ କଣି ଧରି ହାଜର, ଡାକରେ ତାର ଚମକି ପଡିଲି । କହିଲା, ହଇଲୋ ଏଇ ....ଏଡେ ଅଲାଜୁକି ଭଳିଆ କଣ ଦାଣ୍ଡରେ ଧାଇଁଛୁ ଯେ, କେତେ ବେଳୁ ଡାକ ପାରୁଛି, କଣ କେମିତି ଇଏ ଶାଶୁଘରେ ଚଳିବ କେଜାଣି । କେତେ ବୋଲଣା ଶୁଣେଇବ, ନାଁ ପକେଇବ.....ଏଡେଟେ ହେଲାଣି ! ବୁଦ୍ଧି ଶୁଦ୍ଧି ହଉନି ..... ପ୍ରଜାପତି ପଛରେ କିଏ ଧାଏଁ ଗାଁ ଯାକ । ଆଉ ଚାରିଦିନେ ପାଲିଙ୍କି ଆସି ଥୁଆ ହବ ଦାଣ୍ଡେରେ .....ଏ ବାୟାଣୀର ହେଜ ନାଇଁ । ସବୁ ଚିନ୍ତା ଦକ ତକ ମୋରି କପାଳରେ । ସୁକୁ ସୁକୁ ହେଇ ହାତ ଟାଣି ଟାଣି ସିଏ ସିନା ଘରକୁ ନଉଥିଲା, ମୋ ନୀଳ ରାଜକୁମାରର ମୋର କିନ୍ତୁ ଆଖିରେ ଆଖିରେ ଗୁମର ବାଣ୍ଟୁଥିଲୁ ।
ସେ କିନ୍ତୁ ବୋଧହୁଏ ସାଜିଥିଲା ତପସ୍ୱୀ ପ୍ରଜାପତି . ....ମୋତେ ତପସ୍ୱିନୀ କରି କାହା ଭାବରେ ।
ଘରେ ପହଞ୍ଚି ଦେଖେ ନଟମଉସା ବାପାଙ୍କୁ କହୁଛନ୍ତି, ଜାଣିଲେ ଆଜ୍ଞା, ଝିଅଟି ଆମର ଭାଗ୍ୟବନ୍ତୀ । ତାଙ୍କର ବିନା ଯଉତୁକରେ ଆମ ଝିଅକୁ ବୋହୁ କରି ନେବେ ବୋଲି ହଁ ଭରିଛନ୍ତି । ଆଗାମୀ ତିଥିକୁ ତିଆର ହୁଅନ୍ତୁ । ଶଙ୍ଖ ମହୁରୀ ଆଙ୍କନ୍ତୁ ଲିପା କାନ୍ଥରେ, ମୋ ପାଉଣା କଥା ମନେ ରଖିଥିବେ ଆଜ୍ଞା । ସାଇକେଲ ଗଡିଗଲା ତାଙ୍କର। ବାପା ଛଳ ଛଳ ଆଖିରେ ଆକାଶକୁ ହାତ ଯୋଡି ମୋ ମଥା ସାଉଁଳି ବାହାରିଗଲେ ମନ୍ଦିର ପିଣ୍ଡାକୁ ବୋଧହୁଏ । ବୋଉ ସଂଜ ଦବାକୁ ଠାକୁର ଘରେ ଜୁହାର ହବାକୁ ପଶିଗଲା, ଏଯାଏ ଦୁଆର ଏରୁଣ୍ଡିଠି ହାତେ ଓଢଣା ତଳୁ ଚାହିଁ ଥିଲା । କାନିମୁଣ୍ଡଟା ତାର ଭିଜିଥିଲା ।
ଏବେ ମୋ ପାଦ ଥମ୍ ଲାଗିଲା, ଏତେ ଜୋର୍ ଧାଉଁଥିବା ହଳେ ଗୋଇଠି ଝୁଣ୍ଟି ପଡିଲା । ମୋ ତପସ୍ୱୀ ପ୍ରଜାପତି ମୋ ଆଖି ପାଖରେ ପୁଣି ତିର୍ ତିରେଇଲା । ଆଉ ଉଷୁମ ଢେଉଟା ଥମେଇବାର ଚେଷ୍ଟାରେ କୁନି ଡେଣା ବେଢେଇଲା, ହେଲେ ମୁଁ ଜାକିହେଲି । ଭାରି ହେଇଗଲି ମାଧ୍ୟାକର୍ଷଣର ଖିଞ୍ଚାରେ । ମାଟି,ମା,ଆକାଶ, ବା ।
କହିଲି, ରହ , ଆଉ ଯାହା କାଲି ! ଏବେ ଯା ।
ମୁଁ ହିଁ ତ ଚିଠି ଲେଖିଥିଲି, ମୋ ବାପାଙ୍କୁ ଯନ୍ତାରେ ପକେଇ ମୁଁ ଅଳତା ନାଇବିନି ।
ଚିଠି ମୋର ଟିକି ଚଢେଇ .....
ସେ ତ ତାରି ହିଁ ଉତ୍ତର ଫୁଲରେ, ମହୁମିଶା ନୀଳରଂଗରେ , ସମୁଦ୍ର ଢେଉର ଛବିରେ ଆଣି ଆସିଥିଲା । ଧରିବାକୁ, ପାଇବାକୁ ତ ଝୁମିଥିଲି ତା ପଛେ ପଛେ ଗାଇବାକୁ ....
ଏଇ ଝୁମା ଝୁମା ଗୋଲାପି ରାତିରେ ......
ଝିଅଟିଏ ହବା ସତରେ ..... ଅମୂଲ ମୂଲ ।
ଏବେ ବି ସେ ଘୁରୁଥିଲା ଚାରିପଟେ ମୋର .......... ମୋରି ପରି । ଯେମିତି ମୁଁ ବାପାଙ୍କ ଚାରିପଟେ ଘୁରେ ବୋଉ କାନି ଧରି ।