Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Lalita Mohan Mishra

Crime


3  

Lalita Mohan Mishra

Crime


ନିଷ୍ଠୁରତା

ନିଷ୍ଠୁରତା

13 mins 17 13 mins 17


ସନ୍ଦେହ ଓ ଅବିଶ୍ବାସ ମଣିଷର ସବୁ ସମ୍ପର୍କକୁ ଭାଙ୍ଗି ଜାଳି ପୋଡି ଛାରଖାର କରିଦିଏ । ସତ୍ୟତା ନ ଜାଣି ମନୁଷ୍ଯ ଅନ୍ୟକୁ ସନ୍ଦେହ ଓ ଅବିଶ୍ବାସ ଚକ୍ଷୁରେ ଦେଖିଥାଏ । ବ୍ଯକ୍ତି, ଗୋଷ୍ଠୀ ଓ ସମାଜ ଭିତରେ ସଂଦେହ ଓ ଅବିଶ୍ବାସ ସେବେଠୁଁ ଆରମ୍ଭ ହୋଇଛି, ଯେବେଠୁଁ ମଣିଷ ଆତ୍ମକୈନ୍ଦ୍ରୀକ ହେବାକୁ ଆରମ୍ଭ କଲା। ତାର ମୂଳ କାରଣ ହେଲା ଲୋଭ ମୋହ ଅହଂକାର । ସେ ଲୋଭ ର ହେତୁ- ସାମ୍ରାଜ୍ଯ (ଭୂମି), ଐଶ୍ୱର୍ଯ୍ୟ (ଧନ), ସୁନ୍ଦରୀ (ନାରୀ) ବିଶ୍ବାସରୁ ଅବିଶ୍ବାସୀ ହୋଇଯାଏ । ମଣିଷ ଷୋଡ଼ଶ ପିଉଛି ମଣିଷର ରକ୍ତ, ବଦଳିଛି ମଣିଷର ରୀତିନୀତି। ମନୁଷ୍ଯ ଅବିଶ୍ବାସ ରୂପକ ଜହର ପାନ କରୁଛି । ଆଉ ଜହରରୁ ଶାନ୍ତି ମିଳିବ କାହିଁ ? ସମସ୍ତ ପ୍ରାଣୀମାନଙ୍କ ଭିତରେ ଭଗବାନଙ୍କ ସତ୍ତା ବିଦ୍ୟମାନ । କାହାରି ପ୍ରତି ହିଂସା ଓ ନିଷ୍ଠୁରତା ଆଚରଣ ନକରି ସମସ୍ତଙ୍କ ପ୍ରତି ମନରେ ଦୟାଭାବ ପୋଷଣ କଲେ ଶାନ୍ତି ସୌହାର୍ଦ୍ଦ୍ୟ ସୁନ୍ଦର ଜୀବନ ଯାପନ କରି ପାରିବ । 


ଶରୀର ମାୟା ବନ୍ଧନରେ ପଡ଼ି ମନୁଷ୍ଯ ଅହଙ୍କାରୀ ହୁଏ। ମନୁଷ୍ଯ ଅନ୍ୟମାନଙ୍କୁ ଠାରୁ ନିଜକୁ ଅହଂ ମନେକରି ସେମାନଙ୍କ ପ୍ରତି ନିଷ୍ଠୁରତା ଆଚରଣ କରି ଜୀବନରେ ଭୁଲ୍ କରି ବସେ । ଯେଉଁ ଭୁଲ ପାଇଁ ଜୀବନ ସାରା ପଶ୍ଚାତାପ ଅଗ୍ନିରେ ଦଗ୍ଧୀଭୂତ ହୁଏ । ପାଉଁଶରେ ଘୃତ ଆହୁତି ଦେଲେ ତା'ର ଯେପରି କୋୖଣସି ମୂଲ୍ୟ ନଥାଏ । ସେହିପରି ଅନ୍ୟ ମାନଙ୍କ ପ୍ରତି କଠୋରତା ଭାବ ନ ରଖି ଦୟାଭାବ ରଖି କାର୍ଯ୍ୟ କଲେ ମନୁଷ୍ଯର ପରିବାରର ସମାଜର ମଙ୍ଗଳ ହୋଇଥାଏ । ତେଣୁ ମନରେ ଅହିଂସା ଓ ଜୀବ ମାନଙ୍କ ପ୍ରତି ଦୟାଭାବ ରଖି ଈଶ୍ଵରଙ୍କୁ ପୂଜା କଲେ ପ୍ରାଣୀ ଭଗବାନଙ୍କ କରୁଣା ଲାଭ କରି ପାରିବ। ସେଥିପାଇଁ ସମସ୍ତ ମନୁଷ୍ୟ ମନ ମଧ୍ୟରେ ଅହିଂସା ଓ ଜୀବେ ଦୟା ଭାବ ପୋଷଣ କରିବା ଉଚିତ୍ ।

..................................................................


ନିଶା ବ୍ଯସ୍ତତା ଥାଏ କୁଆଡେ ଯିବା ପାଇଁ । ନିଜକୁ ରାଣୀ ପରି ସଜେଇ ହେଉଥାଏ । ମାଆ ନିଶାମଣୀ ଦେବି ପଚାରିଲେ - ମାଆ ! କୁଆଡେ ଯିବୁ କି ? ନିଶା ଉତ୍ତର ଦେଲା । ମାଆ ମୁଁ ଟିକେ ଭଞ୍ଜନଗର ପାର୍କ ବୁଲିବାକୁ ଯିବି । ମୋର ସାଙ୍ଗ ଆସିଥିବେ ..... ଆମେ ବୁଲାବୁଲି କରି ସନ୍ଧ୍ୟା କୁ ଫେରି ଆସିବୁ । ଝିଅ ନୂଆ ବିଭା ହେଲା ଭଳି ସଜେଇ ହେଉଥାଏ । ନିଶା ବିବାହ କରିବାର ପ୍ରାୟ ଦୁଇ ବର୍ଷ ହୋଇଯିବ । ଜୋଇଁ ନିଶିକାନ୍ତ ଭଲ ପାଇ ନିଶାକୁ ପସନ୍ଦ କରିଥିଲେ । ତାପରେ ଆମର ରୀତିନୀତିରେ ବିବାହ କରାଇ ଥିଲୁ । ଜୋଇଁ ନିଶିକାନ୍ତ ଏବେ ଜମ୍ମୁରେ ମିସ୍ତ୍ରୀ । ଭୁବନେଶ୍ଵରରେ ଥିବା ବେଳେ ନିଶାକୁ... ପାଖକୁ ନେଇ ଯାଉଥିଲେ ବା ଦଶ ପନ୍ଦର ଦିନରେ ଥରେ ଗାଁ କୁ ଆସୁଥିଲେ । ଏବେ ପାଞ୍ଚ ଛଅ ମାସ ହେଲା ଜମ୍ମୁ ଏତେ ବାଟ ହୋଇ ଯିବାରୁ ସେ ଆଉ ଆସି ପାରୁ ନାହାଁନ୍ତି । ନିଶା ଏବେ ପାଞ୍ଚ ଛଅ ମାସ ହେଲା ଅନ୍ତଃସତ୍ତ୍ଵା । ଜୋଇଁ ଛଅ ମାସ ତଳେ ଶୀତ ଦିନେ ଯାହା ଆସିଥିଲେ ।


ସନ୍ଧ୍ୟାକୁ ଫେରିବ ବୋଲି ମାଆକୁ ପ୍ରତିଶ୍ରୁତି ଦେଇ ଚାଲିଗଲା ନିଶା । ଗଲାବେଳେ ଅଟୋରେ ଯାଇଥିଲା । ନିଶାମଣୀ ଦେବୀ ବାରମ୍ବାର କହିଥିଲେ - ମାଆ ଡେରି କରିବୁ ନାହିଁ । ତୋର ସ୍ବାସ୍ଥ୍ୟକୁ ଯତ୍ନ ନେବୁ । ରାତି ପର୍ଯ୍ଯନ୍ତ ରହିବୁ ନାହିଁ । ତୋର ବାପା ଆଜି ଥିଲେ ମୋତେ ଏତେ ଅସୁବିଧା ହୋଇ ନ ଥାନ୍ତା । ସେ ତ ବର୍ଷେ ହେଲା ଚାଲିଗଲେ । ତୋ ଭାଇ ତ ବ୍ରହ୍ମପୁରରେ ପଢୁଛି । ମୁଁ ଏକେଲା ଲୋକ । ରାତିକୁ ନ ରହି ଶୀଘ୍ର ଆସିବୁ । ଝିଅ ପାର୍କ ବୁଲିବାକୁ ଯାଇଛି ଯେ ଯାଇଛି । ରାତି ଯାଇ ସକାଳ ହେଲା । ଝିଅର ବାଟକୁ ଚାହିଁ ଚାହିଁ ନିଶାମଣୀ ଦେବୀଙ୍କର ଆଖିରୁ ପାଣି ମରିଗଲା । ନିଶାମଣୀଙ୍କର ରାତି ସାରା ନିଦ ନାହିଁ ।


ସକାଳୁ ଯେମିତି ହେଲା ଚାରି ଆଡେ ଖୋଜା ଖୋଜି କଲେ । ସମସ୍ତଙ୍କୁ ପଚରା ଉଚରା କଲେ । ସମସ୍ତେ ଅଟୋରେ ଯିବା କଥା କହିଲେ । କିନ୍ତୁ ଫେରିବା କଥା ବା କାହା ସାଥିରେ କୁଆଡେ ଯାଇଥିଲା କେହି ପାରିଲେ ନାହିଁ । ଖୋଜା ଖୋଜି ରେ ଏମିତି ଦୁଇ ଦିନ ଚାଲିଗଲା । ନିଶାମଣୀ ଦେବି - ପୁଅକୁ ବ୍ରହ୍ମପୁରରୁ ଡକାଇଲେ । ପୁଅ ଆସିଲା ପରେ ଆଖ ପାଖ ବନ୍ଧୁ ବାନ୍ଧବଙ୍କର ଘରକୁ ଯାଇ ଖୋଜାଖୋଜି କଲେ । ଝିଅ ଘିଅ.... ଚାରିଆଡ଼େ ଯଦି ପ୍ରଚାର ହୋଇଯିବ ଝିଅ ତଥା ଶାଶୁଘର ଲୋକ ବଦନାମ ହେବେ ସେହି ଭୟରେ ଜଗିରଖି ଖୋଜାଖୋଜି କରୁଥାନ୍ତି । 


ଭଞ୍ଜନଗର ପାର୍କକୁ ଗଲେ ସେମାନେ ବି କିଏ କିଛି ଠିକ୍ ରେ କହି ପାରିଲେ ନାହିଁ । ଏହା ଭିତରେ ନିଶା ଯିବାର ସାତ ଦିନ ହୋଇଗଲା । ଶାଶୁଘରେ ଜଣାଇ ବାକୁ ବାଧ୍ୟ ହେଲେ ନିଶାମଣୀ ଦେବୀ । ଶାଶୁଘରେ କାନ୍ଦ କୁନ୍ଦି । ଅଭିଯୋଗ କଲେ ଆମ ବୋହୁକୁ ତୁମେ ଅନ୍ୟ ହାତରେ ଛାଡିଦେଲ ! ! ! ଆମ ପୁଅ ରହୁ ନ ଥିବାରୁ ତୁମେ ଅନ୍ୟ ସାଥିରେ ଛାଡିବାର ସୁଯୋଗ ପାଇଲ । ଏହା ଭିତରେ ଦଶ ଦିନ ବିତିଗଲା । ଝିଅର ଖୋଜ ଖବର ନାହିଁ । ବାଧ୍ୟ ହୋଇ ନିଶାମଣୀ ଦେବୀ ବୁଗୁଡ଼ା ଥାନାରେ ଅଭିଯୋଗ କଲେ । ଅଭିଯୋଗ ଆଧାରରେ ପୋଲିସ୍ କେସ୍ ରୁଜୁ କଲା । ବୁଗୁଡ଼ା ଥାନା ଅଧିକାରୀ ନିଖୋଜ କେସ୍ ଆଧାରରେ ଆଖ ପାଖ ଥାନା ଗୁଡିକୁ ଜଣାଇଲେ ଏବଂ ତଦନ୍ତ ଜାରି ରଖିଲେ ।


ଭଞ୍ଜନଗର ଠାରୁ ଦଶପଲ୍ଲା ରାସ୍ତାରେ ଗଲାବେଳେ ବାଟରେ ଗାଲେରୀ ପୋଲିସ ଫାଣ୍ଡି ଏବଂ ଗୁରୁଡା ଜଙ୍ଗଲ ପଡେ । ଗୁରୁଡା ଜଙ୍ଗଲକୁ ଆଖ ପାଖ ଗ୍ରାମ ଗୁଡିକର ଲୋକମାନେ ଜାଳେଣୀ କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଆନ୍ତି । ଦୁଇ ଜଣ ସ୍ତ୍ରୀ ଲୋକ ଘଞ ଜଙ୍ଗଲରେ ଗୋଟିଏ ଅଖା ଭିତରୁ ଦୁର୍ଗନ୍ଧ ଆସୁ ଥିବାର ଅନୁମାନ କଲେ । ଏହି ଅଖାକୁ ପୋକ ମାଛି ଚାରିପଟୁ ଘେରି ରହିଛନ୍ତି। ଦୁର୍ଗନ୍ଧରେ ପସି ହେଉ ନାହିଁ । ତେଣୁ ସେମାନେ ଗାଲେରୀ ଫାଣ୍ଡି ଅଧିକାରୀଙ୍କୁ ଏହି ବିଷୟରେ ଅବଗତ କରାଇଲେ । ଫାଣ୍ଡି ଅଧିକାରୀ ସଦଳବଳେ ଯାଇ ଅଖାକୁ ଜବତ କଲେ । ସମସ୍ତଙ୍କର ଉପସ୍ଥିତିରେ ଅଖାକୁ ଉନ୍ମୋଚନ କଲେ । ସେ ଭିତରୁ ଯାହା ଦେଖିଲେ ସମସ୍ତଙ୍କର ହୋସ୍ ଉଡିଗଲା । ଏକ ଗଳିତ ନାରୀର ଶବ ।


କିଏ ଏ ନାରୀ....


କିଏ ହତ୍ଯା କଲା ? ? ?


କ'ଣ ପାଇଁ ହତ୍ଯା କଲା.... ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଲା ଫାଣ୍ଡି ଅଧିକାରୀଙ୍କୁ। ସଙ୍ଗେ ସଙ୍ଗେ ସେ ଭଞ୍ଜନଗର ଥାନା ଅଧିକାରୀଙ୍କୁ ଅବଗତ କରାଇଲେ । କିଏ କାହାକୁ ମାରି ଥିବା କେସ୍ ମାସେ ଭିତରେ ଅଭିଯୋଗ ପତ୍ର ଦାଖଲ ହୋଇନାହିଁ ବୋଲି ଜଣାଇଲେ । ଆଖ ପାଖ ଥାନା ଫାଣ୍ଡି କୁ ଏଭଳି କେସ୍ ବିଷୟରେ ଜଣାଇଲେ । ସମସ୍ତେ ମନା କଲେ ସେମିତି କିଛି କେସ୍ ଆସିନାହିଁ କିନ୍ତୁ ବୁଗୁଡ଼ା ଥାନା ଅଧିକାରୀ ଜଣାଇଲେ ଏକ ବିବାହିତା ମହିଳା ନିଖୋଜ କେସ୍ ଆସିଛି ।


ଆଉ କ'ଣ ସେ ମହିଳା ଏ ନୁହେଁ ତ.... ।


ସମସ୍ତ ଥାନା ଅଧିକାରୀ ଏବଂ ଫାଣ୍ଡି ଅଧିକାରୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଲା । ଯେଉଁ ମହିଳା ଅଭିଯୋଗ କରିଥିଲେ ତାହା ତାଙ୍କ ଗ୍ରାମ ଠାରୁ ପ୍ରାୟ ପଚାଶ ଷାଠିଏ କିଲୋମିଟର ହେବ । ତାହାପରେ ସେ ଭଞ୍ଜନଗର ପାର୍କ ବୁଲିବାକୁ ଯାଇଥିଲେ । ସେ ଜଙ୍ଗଲ ତ ଦଶପଲ୍ଲା ଯିବା ରାସ୍ତାରେ । ସେ ସିଆଡେ କୁଆଡେ ଯିବ । ଏସ୍. ପି. ଜାଣିଲା ପରେ ବୁଗୁଡ଼ା ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ। ଯେଉଁ ମହିଳା ତାଙ୍କ ଝିଅ ନିଖୋଜ ଥିବା ଅଭିଯୋଗ କରିଥିଲେ । ସେ ସ୍ଥାନକୁ ମହିଳାଙ୍କୁ ନେଇ ସେ ଶବ ଦେଖାଅ....


ଜଙ୍ଗଲ ମଧ୍ୟରେ ସେମିତି ଅଖାଟି ପଡି ଥାଏ । ତଦନ୍ତ ନ ହେଲା ପର୍ଯ୍ୟନ୍ତ କିଛି କରି ପାରିବେ ନାହିଁ ସେଥିପାଇଁ ଶବ ପାଖରେ ପୋଲିସ୍ ଜଗି ରହିଲେ । ତା ପର ଦିନ ସକାଳୁ ବୁଗୁଡ଼ା ଥାନା ଅଧିକାରୀ ନିଶାମଣୀ ଦେବୀଙ୍କ ଗାଁ କୁ ଯାଇ ନିଶାମଣୀଙ୍କୁ ସାଥିରେ ନେଇ ଶବ ନିକଟକୁ ଯାଇଥିଲେ । ଅଖାରେ ବନ୍ଧା ହୋଇ ପଡିଥିବା ଶବକୁ ପୋଲିସ୍ ଅଧିକାରୀ ମାନେ ନିଶାମଣୀ ଦେବୀଙ୍କୁ ଦେଖାଇଲେ । ନିଶାମଣୀଙ୍କର ଅଖାରୁ ଗଳିତ ଶବ ଦେଖି ହୋସ୍ ଉଡିଗଲା । ତାଙ୍କୁ ଲାଗିଲା ଯେମିତି ଗୋଡ ତଳୁ ମାଟି ଖସିଗଲା । ଶବ ମିଳି ନଷ୍ଟ ହୋଇ ଗଲାଣି, ପୋକ ମାଛି ଖାଇ ମୁହଁଟି ସ୍ପଷ୍ଟ ଭାବେ ଦେଖାଯାଇ ନ ଥିଲା.. ବେକ ସ୍ଥାନରେ କଟା ଚିହ୍ନ ଏବଂ ରକ୍ତର ଦାଗ। ସେଦିନ ପିନ୍ଧି ଥିବା ଡ୍ରେସ୍... ଚୁଡି... ନାକର... କାନର... ସେମିତି ଅଛି । ସେଥିରୁ ତାଙ୍କର ଝିଅ ବୋଲି ସେ ପୋଲିସ୍ ଆଗରେ କହିଲେ ।


ଶବ ଚିହ୍ନଟ ପରେ ପୋଲିସ ଶବ ବ୍ୟବଚ୍ଛେଦ କଲେ । ତାହାପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କଲେ ।


ବର୍ତ୍ତମାନ ପ୍ରଶ୍ନ ଉଠୁଛି ନିଶାକୁ ହତ୍ଯା କଲା କିଏ ? ? ?


କିଏ କ'ଣ ପାଇଁ ହତ୍ଯା କଲା ? ? ?


ନା ଧର୍ଷଣ କରି ହତ୍ୟା ହୋଇଛି ? ? ?


ଏଭଳି ବିଭିନ୍ନ ପ୍ରଶ୍ନରେ ଛନ୍ଦି ହୋଇଗଲା ପୋଲିସ୍......


ଏହି ନିଶା କେସ୍ କୁ ଏସ୍. ପି. ତଦନ୍ତ ଦାୟିତ୍ବ ଦେଲେ ଯୁବ ବୁଗୁଡ଼ା ଥାନା ଅଧିକାରୀଙ୍କୁ ।


ବୁଗୁଡ଼ା ଥାନା ଅଧିକାରୀ ନିଶାମଣୀଙ୍କ ଠାରୁ ସେଦିନ ନିଶା ଭଞ୍ଜନଗର ପାର୍କ ଯିବା କଥା ଟିକ୍ ନିଖ୍ ବୁଝିଲେ । ନିଶାର କାହା ସହିତ ସମ୍ପର୍କ ଥିଲା ସେ ବିଷୟରେ ଅବଗତ ହେଲେ । ନିଶାର ସ୍ବାମୀ ନିଶୀକାନ୍ତଙ୍କୁ ଜମ୍ମୁରୁ ଡକାଇଲେ  । ନିଶିକାନ୍ତ ଜମ୍ମୁରୁ ଆସିବା ପରେ ସ୍ତ୍ରୀ ହତ୍ଯାରେ ବ୍ୟଥିତ ହେଲା ।


କିଏ ମୋର ସ୍ତ୍ରୀ କୁ ହତ୍ଯା କରିଛି ? ?


ପ୍ରକୃତ ଦୋଷୀ କିଏ ? ? ଦୋଷୀକୁ ଅତିଶୀଘ୍ର ଧରାଯାଉ....


ଥାନା ଅଧିକାରୀ - ନିଶିକାନ୍ତକୁ ସମବେଦନା ଜଣାଇ ଦୋଷୀକୁ ଅତି ଶୀଘ୍ର ଧରାଯିବ ବୋଲି ପ୍ରତିଶ୍ରୁତି ଦେଲେ । ଏବଂ ପୋଲିସ୍ କୁ ସହଯୋଗ କରିବାକୁ କାମନା କଲେ ।


ତା'ପର ଦିନ ନିଶିକାନ୍ତକୁ ଥାନାକୁ ଡକାଇ ନିଶାର କାହା ସହିତ ସମ୍ପର୍କ ଥିଲା କି ?


ବିବାହ ପୂର୍ବରୁ କିମ୍ବା ବିବାହ ପରେ ସେ କାହା ସହିତ ମିଳାମିଶା କରୁ ଥିଲା କି ?


କାହା ସହିତ ତାହାର ଅବୈଧ ସମ୍ପର୍କ ସ୍ଥାପିତ ହୋଇଛି କି ? ବିଭିନ୍ନ ପ୍ରକାର ପ୍ରକାର ପ୍ରଶ୍ନର ସଠିକ୍ ଉତ୍ତର ପ୍ରଦାନ କରିଥିଲା ନିଶିକାନ୍ତ ।


ନିଶିକାନ୍ତ ର ବକ୍ତବ୍ୟରୁ ପୋଲିସ୍ କୁ ଅହଂ ସୁରାଗ ମିଳିଥିଲା । ତା ପର ଦିନ ସକାଳୁ ସକାଳୁ ପୋଲିସ୍ ବେଲଗୁଣ୍ଠାରେ ଥିବା ନିଶିକର ଘରକୁ ଯାଇଥିଲା । ପୋଲିସ୍ କୁ ଦେଖି ନିଶିକର ବିଚଳିତ ହୋଇ ଯାଇଥିଲା । ନିଶା ମୃତ୍ୟୁ ଖବରରେ ଭାଙ୍ଗି ପଡିଥିଲା । ନିଶା ସହିତ ମୋର କୌଣସି ସମ୍ପର୍କ ନାହିଁ ବୋଲି ପ୍ରଥମେ ପ୍ରକାଶ କରିଥିଲା । ପୋଲିସ୍ ଅଭିଯୁକ୍ତ କୁ ଥାନାକୁ ଆଣିଥିଲା । ଥାନାରେ ତଦନ୍ତ ଚାଲିଲା । ନିଶିକାନ୍ତ ଠାରୁ ନିଶିକର ସହିତ ନିଶାର ଅବୈଧ ସମ୍ପର୍କର ଠୋସ୍ ପ୍ରମାଣ ଏକ ପ୍ରେମ ପତ୍ର ପୋଲିସ୍ ପାଇଥିଲା । ସେଥିରେ ଲେଖା ଥିଲା ।


ମୋର ମନର ମାନସ ନିଶିକର,

           ମୋର ଶୁଭେଚ୍ଛା ନେବ । ତୁମ ର ମନେ ଥିବ କି ନାହିଁ, ଏମିତି ଏକ ଶୁନ୍ ଶାନ୍ ଖରା ବେଳେ ମୋ କୋଳରେ ମୁଣ୍ଡ ରଖି ଶୂନ୍ୟ ଆକାଶ କୁ ଚାହିଁ କେତେ କଣ ଗପି ଚାଲି ଥିଲ।ମୁଁ ଅପଲକ ନୟନରେ ଚାହିଁ ରହିଥିଲି ତୁମକୁ। ସେଦିନ ଭାସି ଯାଇଥିଲି କେଉଁ ସ୍ୱପ୍ନ ରାଇଜ କୁ । ତୁମ ମୟ ହୋଇଯାଇ ଥିଲି ମୁଁ । ତୁମ ମୟ ହୋଇ ଯାଇଥିଲା ମୋର ସବୁ ଅଙ୍ଗ ପ୍ରତ୍ୟଙ୍ଗ। ଅଦିନିଆ ବର୍ଷା ଟା କେଉଁଠୁ ହଠାତ୍ ଆସିଲା କେଜାଣି, ଆମେ ଦୁହେଁ ଦୌଡି ଗଲେ ଗୋଟିଏ ଗଛ ତଳେ ଆଶ୍ରୟ ନେବାକୁ। ଅପଲକ ଭାବେ ଚାହିଁ ରହି ଥିଲେ ଦୁହେଁ ଦୁହିଁଙ୍କୁ । ସତେ ଯେମିତି ଅକୁହା କଥା ସବୁ ବୁଝି ଯାଇ ଥିଲେ ପରସ୍ପରର । ହଠାତ୍ ଏକ ଘଡଘଡି ଶଦ୍ଦ ରେ ଚମକି ପଡିଲି ମୁଁ। ଆଉଜି ପଡିଲି ତୁମ ଛାତି ଉପରକୁ। ତୁମେ ବି ମୋତେ କୋଳାଗ୍ରତ କରିନେଲ କିଛି କ୍ଷଣ । ଶିହୀରଣ ଖେଳି ଗଲା ମୋର ସମଗ୍ର ସତ୍ତା ।


ସେଦିନର ବର୍ଷା କୁ ମୁଁ ଜୀବନରେ ପ୍ରଥମ ଥର ପାଇଁ ଅନୁଭବ କରିଥିଲି । ଖୁବ୍ ଖୁସି ଥିଲେ ଦୁହେଁ ସେଦିନ । ଭୟ ନ ଥିଲା କାହାରିକୁ । କିଛି ଟା ମୂଲ୍ୟବାନ ମୂହୁର୍ତ୍ତ ସବୁ ଜୀବନ୍ତ ଥିଲେ । ବର୍ଷା ଭିଜା ସେ ଅପରାହ୍ନ ଟି ଆମ ଜୀବନର ବୋଧହୁଏ ସବୁଠାରୁ ସୁନ୍ଦର ଓ ଅଭୁଲା ସ୍ମୃତି ଥିଲା। ତୁମେ ସେଦିନ ମୋତେ କହିଥିଲ - ଛୋଟ ମଥାରେ କୁନି ଟିକିଲି , କଥା କୁହା ସଜଳ ଆଖି, ଛୋଟିଆ ଧାର ନାକଟେ,ପଦ୍ମ କଢୀ ଭଳି ଗୋଲାପୀ ନରମ ଅଧର ।।। ମୁଁ  ଲାଜେଇ ଯାଇଥିଲି । ସେତିକି ଥାଉ କହି ତୁମ ଛାତି ଉପରକୁ ଆଉଜି ପଡ଼ିଥିଲି । ତେଣେ ବର୍ଷା ବଢ଼ି ଚାଲି ଥିଲା। ତୁମେ ଝରକା ଆଡ଼କୁ ଚାହିଁ କହିଲ ସଂଧ୍ୟା ଭିତରେ ବର୍ଷା ଛାଡି ଯିବ ଭାଵୁଛି। ଛାଡିଲେ ତତେ ଛାଡି ଦେଇ ଆସିବି ତୁମ ଘରେ। ମୁଁ କିନ୍ତୁ ଭାବୁଥିଲି, ଏ ବର୍ଷା ତ ଆମକୁ ଏତେ ସୁନ୍ଦର ଭେଟି ଦେଇଛି,ଏ ବର୍ଷା ଆଜି ନ ଛାଡୁ।


ସତରେ ନିଶିକର ! ତୁମ ପ୍ରେମ ରେ ପଡିଲା ପରେ, ମୋ ଜୀବନ ର ଦିଗ ଵଦଳି ଯାଇ ଥିଲା। ତୁମେ ମୋର ଜୀବନର ପ୍ରଥମ ପୁରୁଷ, ପ୍ରେମ କଣ ମୁଁ ତୁମଠାରୁ ଶିଖିଥିଲି । ଯୌବନ ର ଶେଷ ଭାଗରେ ତୁମ ସହିତ ମୋର ଆଉ ଭେଟ ହୋଇ ପାରିଲା ନାହିଁ । ବହୁଦିନ ପରେ ତୁମ ସହିତ ଭେଟ ହେଉଛି ସେହି ରୋମାଞ୍ଚ, ସେହି ପୁଲକତା । 


ନିଶିକର ଓ ନିଶା ......ବାଃ କି ଚମତ୍କାର ସଂଯୋଗ ! ! ! ! 


ତୁମର ପ୍ରତିଟି ବଚନରେ ମୋତେ ମାଦକତା ଭରି ଦିଏ । ସ୍କୁଲ ଓ କଲେଜ ସମୟରେ ବହୁତ ପୁଅଙ୍କ ସଂସ୍ପର୍ଶରେ ଆସିଛି , କିନ୍ତୁ କାହାକୁ ନିଜର ମନ ଦେଇ ନ ଥିଲି । ନିଜ ମନକୁ ବୋଧେ ମୁଁ ସାଇତି ରଖିଥିଲି ଖାଲି ତୁମରି ପାଇଁ, ହଁ କେବଳ ତୁମରି ପାଇଁ । ମୁଁ ମୋର ସ୍ୱକିରୋକ୍ତି ସହିତ ଅପେକ୍ଷା କରିଥିଲି ତୁମର ଭାଵନା ପ୍ରକାଶ କରିବାକୁ।


ମୁଁ ମୋ ମନ ମନ୍ଦିରରେ ତୁମକୁ ଦେବତା ସଜେଇ ସାରିଥିଲି , ନିଜକୁ ତୁମ ପାଖରେ ସମର୍ପି ଦେଇଥିଲି । ତୁମର ନାସ୍ତି ବାଚକ ଶଦ୍ଦରେ ମୁଁ ବାଧ୍ଯ ହୋଇ ନିଶିକାନ୍ତର ହୋଇଗଲି ଧର୍ମପତ୍ନୀ, କିନ୍ତୁ ତୁମକୁ ଏବେ ବି ଭୁଲି ପାରୁ ନାହିଁ । ଯଦି ତୁମେ ଚାହିଁବ ମୁଁ ତୁମକୁ ବିବାହିତା ହୋଇ ସାଥୀ ଦେବି । ମୋର କିଛି ଅସୁବିଧା ନାହିଁ । ଅମାନିଆ ମନ ମୋର ଯେ ତୁମ ଠାରୁ ଅଲଗା ହେଉ ନାହିଁ।।।।। ତୁମ ଅପେକ୍ଷାରେ....

                    ତୁମର ପ୍ରେୟସୀ ନିଶା


ପୋଲିସ ହାତରୁ ଏହି ଭଳି ପ୍ରେମ ପତ୍ର ଦେଖି ଭାଙ୍ଗି ପଡିଲା ନିଶିକର । ମୁଁ ତାକୁ ଭଲ ପାଉଥିଲି ଏବେ ମଧ୍ୟ ପାଉଛି ବୋଲି ସ୍ବୀକାର କଲା । ତାହାହେଲେ ତୁ ହିଁ ନିଶାର ହତ୍ଯାକାରୀ ।


 ଯଦି ନିଶାକୁ ଏତେ ଭଲ ପାଉଥିଲା ତାହାହେଲେ ନିଶାକୁ ହତ୍ଯା କରିବାର କାରଣ କ'ଣ ?


ନିଶ୍ଚିତ ପ୍ରେମରେ ବିଫଳତା ଲାଭ କରି ଅନ୍ୟ ଜଣକର ହୋଇ ଯାଇଥିବା ହେତୁ ନିଶିକର ପ୍ରତିଶୋଧ ପରାୟଣ ହୋଇ ହତ୍ଯା କରିଥିବ ! ! !


କାରଣ ନିଶାର ମୃତ୍ୟୁ ଦିନ ତାର ସ୍ବାମୀ ସେତେବେଳେ ଜମ୍ମୁରେ ଥିଲା ।

ତେଣୁ ପୋଲିସ ର ସନ୍ଦେହ ରେ ନିଶିକର ଉପରେ ଆସିଥିଲା । ମାଆ ନିଶାମଣୀ ଙ୍କ ର କହିବା ଅନୁଯାୟୀ ନିଶା ବେଳେ ବେଳେ ନିଶିକର ସହିତ କଥାବାର୍ତ୍ତା ହୁଏ । ପୋଲିସର ସନ୍ଦେହ ବଢିଲା ଏ ହିଁ ନିଶାର ହତ୍ଯାକାରୀ ।


ପୋଲିସ ସେଥିପାଇଁ ବେଲଗୁଣ୍ଠା ଥାନାକୁ ନିଶିକର ନେଇ ବାଡିଆ ପିଟା ଆରମ୍ଭ କଲା । କେମିତି ହତ୍ଯା କଲୁ..... କେଉଁ ମାଧ୍ୟମରେ ହତ୍ଯା କଲୁ.... ତୋ ସାଥିରେ କିଏ କିଏ ଥିଲେ... ଇତ୍ୟାଦି..... ଇତ୍ୟାଦି....


କିନ୍ତୁ ପୋଲିସକୁ ହତ୍ଯା କାରୀର କୌଣସି ଠୋସ୍ ପ୍ରମାଣ ପ୍ରାପ୍ତ ହେଲା ନାହିଁ । ସେ ଭଲ ପାଉ ଥିବା କଥା କହିଲା । ବିବାହର ପରେ ନିଶାର ମୋର ସମ୍ପର୍କ ଥିଲା କିନ୍ତୁ କୌଣସି ଦୈହିକ ସମ୍ପର୍କକୁ ଅସ୍ବୀକାର କଲା । ସେ ମୋତେ ନିଜର କରିବାକୁ ଇଚ୍ଛା କରିଥିଲା । ମୋର ସାଙ୍ଗକୁ ଏ ବିଷୟରେ କହିଥିଲି ତାକୁ ମଧ୍ଯ ଏ ଚିଠିଟି ଦେଖାଇଥିଲି । ସେ ବୋଧହୁଏ ଏ ଚିଠିଟି ସେଦିନ ରଖି ଦେଇଥିଲା । ମୋତେ ସେ ବାରଣ କରିଥିଲା । ଯାହା ଘଟି ଯାଇଛି ଘଟି ଯାଇଛି । ସେ ଏବେ ବିବାହିତା । ପର ସ୍ତ୍ରୀ କୁ ପାପ ଦୃଷ୍ଟି ରେ ଦେଖିବା ଏକ ଅଭିଶାପ । ତେଣୁ ତୁ ସେଥିରୁ ବିରତି ନିଏ । ମୁଁ ତାହାପରେ ତା ପାଲରେ ଆଉ ପଡି ନାହିଁ । 


ପୋଲିସ ର ପୁଣି ସନ୍ଦେହ ବଢିଲା । ଯଦି ଏ ଅସଲ ହତ୍ଯାକାରୀ ନୁହେଁ ତାହାହେଲେ ଆଉ କିଏ ?  ?  ? ପୋଲିସ ନଜରରେ ତଥାପି ରହିଲା ନିଶିକର । 


ପୋଲିସ ନିଶିକର ଠାରୁ ନିଶାର ଆଉ କାହା ସହିତ ସମ୍ପର୍କ ଥିବା କଥା ପଚାରିଥିଲା । ନିଶିକର ନିଶାର ମାଆ ନାଁ କହିଥିଲା । ମାଆ ବିବାହର ପରେ ଏଗୁଡିକ ଭଲ କଥା ନୁହେଁ ବୋଲି ବାରମ୍ବାର ତାଗିଦ୍ କରୁଥିଲେ । ସେ ବି ହୋଇ ପାରନ୍ତି ନିଶାର ଅନ୍ୟ ଦ୍ବାରା ହତ୍ଯାକାରୀ ।


ସତରେ କ'ଣ ଝିଅ କିଛି ଗୋଟିଏ ଭୁଲ୍ କଲା ବୋଲି ଜନ୍ମିତ ଝିଅକୁ ଜୀବନରେ ମାରି ଦେବା ?  ?  ?


ତଥାପି ପୋଲିସ୍ ର ସନ୍ଦେହ ବଢିଲା । 


ମାଆକୁ ଥାନାକୁ ଆଣି ପଚରା ଉଚରା କଲେ । ମାଆ କହିଲା - ଜନ୍ମିତ ମାଆ କ' ଣ ହୋଇ ପାରେ ଶିଶୁର ହତ୍ଯାକାରୀ । ଯଦି ମାଆ ଶିଶୁର ପ୍ରକୃତ ହତ୍ଯାକାରୀ ହୁଏ ମାତୃ ଶଦ୍ଦ ସଂସାରରୁ ବିଲୋପ ହୋଇ ଯିବ। ଜନନୀ ଜନ୍ମ ଭୂମିଶ୍ଚ......... ଆଉ ରହିବ ନାହିଁ । 


ପ୍ରଶ୍ନ ବାଣରେ "କିଂ କର୍ତ୍ତବ୍ୟବିମୂଢ.... " ହୋଇ ଯାଇଥିଲେ ଥାନା ଅଧିକାରୀ । ତଥାପି ନିଶା ସହିତ ଆଉ କାହାର ସମ୍ପର୍କ ରହିଥିଲା ଜାଣିବାକୁ ଇଛା କରିଥିଲେ । ନିଶାମଣୀ ଦେବୀ କହିଥିଲେ - ନିଶାର ଦିଅର ନିଶୀଥ ଯେ କି ଭଞ୍ଜନଗର କଲେଜରେ ପଢୁଅଛି, ସେ ନିଶାକୁ ଆମ ଗାଁ କୁ ବେଳେ ବେଳେ ନେବା ଆଣିବା ମଟର ସାଇକେଲରେ କରେ । ଭାଉଜକୁ ସେ ଭାରି ଭଲ ପାଏ । ଭାଉଜର ବିଭିନ୍ନ ବିଭିନ୍ନ ପୋଜ୍ ରେ ମୋବାଇଲରେ ଫଟୋ ଉଠାଏ । ଖରାପ ସମ୍ପର୍କ ମୁଁ କେବେ ଅନୁଭବ କରିପାରି ନାହିଁ ।


ପୋଲିସ୍ ର ପୁଣି ସନ୍ଦେହ ହେଲା ନିଶାର ଦିଅର ନିଶୀଥ ଉପରେ । ସତରେ କ'ଣ ଭାଇ ନ ଥିଲା ବେଳେ ଭାଉଜ ସହିତ ଅବୈଧ ସମ୍ପର୍କ ଥିଲା ଦିଅରର ! ! !


ହଁ ହୋଇ ପାରେ..... ଭାଇର ଅନୁପସ୍ଥିତିରେ ଭାଉଜର କାମନା ବାସନା ଦିଅର ପରିପୂର୍ଣ୍ଣ କରୁଥିବ ! ! ! 


ଭାଉଜ ଅନ୍ତଃସତ୍ତ୍ଵା ହେବା ଜାଣି ପାରି ଏବଂ ନିଜର ଉଜ୍ଜ୍ବଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏ କାମ କରିଥାଇ ପାରେ । ଅଥବା ଭାଉଜ ରହିଲେ ତାର ଜୀବନ କଣ୍ଟକିତ ହେବ ବୋଲି ସେ ରାସ୍ତାରୁ ଭାଉଜକୁ ହଟାଇ ଦେଇ ଥାଇପାରେ ।


ପୋଲିସ ନିଶ୍ଚିତ ହେଲା ଯେ - ଅସଲ ହତ୍ଯାକାରୀ ତାହାହେଲେ ଦିଅର ନିଶୀଥ । କାରଣ ଭାଇ ଚାରି ପାଞ୍ଚ ମାସ ହେଲା ଜମ୍ମୁରୁ ଆସିନାହିଁ । ଭାଉଜର ଭଲ ମନ୍ଦ ଦେଖାଶୁଣା ସବୁ କରୁଥାଏ ନିଶୀଥ । ଏହା ବ୍ୟତୀତ ଆଉ କିଏ ନୁହେଁ ।


ନିଶୀଥ କୁ ବୁଗୁଡ଼ା ଥାନାକୁ ଆଣି ପଚରା ଉଚରା କରାଗଲା । ସେ କିନ୍ତୁ ଭାଉଜ ସହିତ ତାର ଖରାପ ସମ୍ପର୍କକୁ ଅସ୍ବୀକାର କଲା । ସେ କହିଲା - ମୁଁ ଭାଉଜଙ୍କୁ ଦେବୀ ସୀତା ମାଆ ସଦୃଶ ଦେଖୁଥିଲି । ତାଙ୍କର ମୋର କୌଣସି ଅବୈଧ ସମ୍ପର୍କ ନ ଥିଲା । ସେ ଯେତେବେଳେ ଯେଉଁ କାମ ଦେଉଥିଲେ ମୁଁ ତାକୁ ସାଦର ରେ ଗ୍ରହଣ କରୁଥିଲି । ସେ ବେଳେ ନୂତନ ଶାଢୀ ଡ୍ରେସ୍ ପିନ୍ଧିଲେ ମୋତେ ଫଟୋ ଉଠାଇ ବାକୁ କୁହନ୍ତି । ମୁଁ ମୋବାଇଲରେ ତାଙ୍କର ଫଟୋ ଉଠାଇ ଦିଏ । ଭାଇ ସହିତ ତାଙ୍କର କୌଣସି ବଚସା ହେଲେ ମୁଁ ବୁଝାଏ ସମାଧାନ କରେ ।


 ମୁଁ କିନ୍ତୁ ତାଙ୍କର ହତ୍ଯାକାରୀ ନୁହେଁ । ତଥାପି ପୋଲିସର ହେପାଜତରେ ଥାନାରେ ରହିଲା ନିଶୀଥ । ଯେତେ ଦିନ ପର୍ଯ୍ୟନ୍ତ ଅସଲ ହତ୍ଯାକାରୀ ଧରା ପଡି ନାହିଁ ସମସ୍ତ ଅଭିଯୁକ୍ତଙ୍କୁ ଅଲଗା ଅଲଗା ଥାନା ଫାଣ୍ଡିରେ ରହିବାକୁ ତଦନ୍ତକାରୀ ଅଫିସର ବୁଗୁଡ଼ା ଥାନା ଅଧିକାରୀ ନିର୍ଦ୍ଦେଶ ଦେଲେ । 


ଏହା ଭିତରେ ତଦନ୍ତ ମାସେ ପରେ ବିତିଗଲାଣି । ପୋଲିସ୍ ହାତକୁ ଉପଯୁକ୍ତ ପ୍ରମାଣ ପତ୍ର ଥାଇ ଅପରାଧୀ ମିଳି ପାରୁ ନାହିଁ । ପୋଲିସର ମୁଣ୍ଡ ବ୍ୟଥା ବଢ଼ିଲାଣି ।


ପ୍ରକୃତ ଅପରାଧୀ କିଏ ?  ?  ? 


ବହୁଦିନ ହେଲା ନିଶାର ମୋବାଇଲ ଟ୍ରାପ୍ କରିବାକୁ ପୋଲିସ୍ ଚେଷ୍ଟା କରୁଥିଲା । ମୋବାଇଲ ସ୍ବିଚ୍ ଅପ୍ ଦେଖାଉ ଥିଲା। ହଠାତ୍ ମୋବାଇଲ ରିଙ୍ଗ ହେଲା । ପୋଲିସ ଖୁସି ହୋଇ ଗଲା ଏବଂ କେଉଁ ଏରିଆରେ ମୋବାଇଲ ଅଛି ଟ୍ରାପ କରି ତାର ଘର ପାଖରେ ପହଞ୍ଚିଥିଲେ ।


ସେ ଜଣେ କୁଲି ମଜୁରୀଆ । ତାକୁ ଥାନାକୁ ଆଣି ବାଡିଆ ପିଟା କଲେ । ନିଶା ବିଷୟରେ କ'ଣ ଜାଣିଛୁ !  ! ! ବୋଲି ପ୍ରଶ୍ନ କଲେ । ସେ କହିଲା - କୋ ନିଶା.... କେମିତି ନିଶା....... କାହାର ନିଶା....... ? ? ?


ପୋଲିସ ବାଡେଇ ବାଡେଇ ଅଣାୟତ୍ତିଆ ହୋଇ ଗଲା ସିନା କୁଲି ମଜୁରିଆ ଠାରୁ କିଛି ପାଇ ପାରିଲା ନାହିଁ । ତାହାହଲେ ଏ ମୋବାଇଲ ତୁ କେଉଁଠୁ ପାଇଲୁ । ସେ କହିଲା - ଗୋଟିଏ ମୋବାଇଲ କିଣିବା ପାଇଁ ମୋବାଇଲ ଦୋକାନକୁ ଯାଇଥିଲି । ହାତରେ ମୋର ପନ୍ଦର ଶହ ଟଙ୍କା ଥିଲା । ପନ୍ଦର ଶହରେ ଭଲ ମୋବାଇଲ ହେବ ନାହିଁ । ଦୋକାନୀ କହିଲା - ଗୋଟିଏ ସେକଣ୍ଡ ହାଣ୍ଡ ମୋବାଇଲ ସିମକାର୍ଡ ସହିତ ଅଛି । ତାକୁ ଯଦି ନେବୁ ପନ୍ଦର ଶହରେ ଦେଇଦେବି । ମୁଁ ସେହି ମୋବାଇଲ ନେଇ ଆସିଲି । ଆରୁ ଭିତରେ ସାରୁ ବୋଲି କିଏ ଜାଣିଛି ।


ସେ ବ୍ୟକ୍ତିକୁ ନେଇ ମୋବାଇଲ ଦୋକାନକୁ ଯାଇଥିଲେ । ମୋବାଇଲ ଦୋକାନୀ କହିଲା - ଭଞ୍ଜନଗର ପାର୍କର ଚୌକିଦାର ଏ ମୋବାଇଲ ମୋତେ ଦେଇ ମୋ ଠାରୁ ହଜାର ଟଙ୍କା ନେଇଛି । ପୋଲିସ୍ ଏଥର ଆସ୍ବସ୍ତି ହେଲା ପାର୍କର ଚୌକିଦାର ନିଶ୍ଚିତ ନିଶା ବିଷୟରେ କହିବ । ଚୌକିଦାରକୁ ପଚରା ଉଚରା କରିବାରୁ ଗୋଟିଏ ଫୁଲ ଗଛ ମୂଳରେ କେତେଦିନ ତଳେ ଏ ମୋବାଇଲଟି ପଡିଥିଲା । କିଏ ଖୋଜିଲେ ଦେଇଦେବି କିନ୍ତୁ କିଏ ଖୋଜିଲେ ନାହିଁ । ମୁଁ ତାକୁ ସ୍ବିଚ୍ ଅପ୍ କରି ସେହି ଦିନ ଠାରୁ ରଖିଥିଲି । ଏବେ ଦୁଇ ଚାରି ଦିନ ତଳେ ହଜାରେ ଟଙ୍କା ବିନିମୟରେ ଦୋକାନୀକୁ ମୋବାଇଲଟି ଦେଇଥିଲି ।


ମୋବାଇଲ କଲ୍ କୁ ଆଧାର କରି ଭୟେସ୍ ଟ୍ରାପ୍ କରି ପୋଲିସ୍ ଅପରାଧୀର ଟେର୍ ପାଇଲା ।


କିଏ ହୋଇଥିବ ପ୍ରକୃତ ଅପରାଧୀ ? ? ?


ଅପରାଧୀ ନିଶାକୁ ହତ୍ଯାକରି କିଛି ସୁରାଗ୍ ଛାଡି ଦେଇ ଥିଲା କି ଯାହା ବର୍ତ୍ତମାନ ପୋଲିସ୍ ର ହସ୍ତଗତ ହେଲା. .! ! !


ପୋଲିସ୍ ସକାଳୁ ସକାଳୁ ନିଶିକାନ୍ତ କୁ ଧରି ଥାନାକୁ ଆସିଥିଲା । ନିଶାକୁ ହତ୍ଯା କରିବାର ପୂର୍ବ ଦିନ ନିଶିକାନ୍ତ ନିଶା ସାଥିରେ ଫୋନ୍ ରେ କଥାବାର୍ତ୍ତା ହୋଇ ଥିବା ଶୁଣାଇ ଥିଲା । କେଉଁଠି କୁ ଆସିବା ଏବଂ କୁଆଡ଼େ ଯିବା ବିଷୟରେ କଥା ବାର୍ତ୍ତା ହୋଇ ଥିଲେ । ପୋଲିସ୍ ନିଶିକାନ୍ତକୁ ବାଡେଇବା ଆରମ୍ଭ କଲା ।


ଭୟରେ ନିଶିକାନ୍ତ ସବୁ କହିବାକୁ ବାଧ୍ୟ ହୋଇଥିଲା ।


ସେ କହିଥିଲା - ମୁଁ ଭୁବନେଶ୍ଵରରେ କାମ କରୁଥିବା ସମୟରେ ନିଶିକରର ସାଙ୍ଗ ନିଶିରତ୍ନ ମୋ ସାଥିରେ କାମ କରୁଥିଲା । ଆମେ ଦିନେ ବାର୍ ରେ ମଦ ପିଇଥିଲୁ । ସେହି ସମୟରେ ମୋର ସ୍ତ୍ରୀ ନିଶା ର ନିଶିକର ସହିତ ପ୍ରେମ ସମ୍ପର୍କ ଅଛି ବୋଲି ନିଶିରତ୍ନ କହିଥିଲା । ନିଶା ବିବାହ ପୂର୍ବରୁ ଏବଂ ପରେ ମଧ୍ୟ ନିଶାକୁ ଭଲ ପାଉଛି । ତାହାର ପ୍ରମାଣ ସ୍ବରୂପ ନିଶା ନିଶିକରକୁ ଦେଇଥିବା ପ୍ରେମ ପତ୍ର ଦେଖାଇ ଥିଲା । ସେବେଠାରୁ ମୋର ସନ୍ଦେହ ଏବଂ ଅବିଶ୍ବାସ ନିଶା ଉପରେ ହୋଇଥିଲା ।


ନିଶା ଯେତେବେଳେ ମା' ହେବା କଥା କହିଥିଲା । ସେତେବେଳେ ଅବିଶ୍ବାସ ଘନୀଭୂତ ହୋଇଥିଲା । ନିଶା ଅନ୍ତଃସତ୍ତ୍ଵା ନିଶିକର ଦ୍ବାରା ହୋଇଛି ବୋଲି ମନରେ ଆସିଲା । ଏକ ଜାରଜ ସନ୍ତାନର ପିତୃତ୍ୱକୁ ମୁଁ ସ୍ବୀକାର କରି ପାରିଲି ନାହିଁ । ତାକୁ ନଷ୍ଟ କରିବାକୁ ନିଶାକୁ କହିଲି କିନ୍ତୁ ନିଶା ରାଜି ହେଲା ନାହିଁ । ତାହାର ମୋର ଯୁକ୍ତିତର୍କ ଚାଲିଲା ।


ଶେଷରେ ନିଶାକୁ ଶେଷ କରିଦେବା ପାଇଁ ଯୋଜନା କଲି । ଭୁବନେଶ୍ବରରେ ଥାଇ ଜମ୍ମୁରେ ଅଛି ବୋଲି କହିଲି । ହତ୍ଯା ଘଟଣା ଦିନ ମୁଁ ଜମ୍ମୁରୁ ଗାଁ କୁ ଯିବି ଏବଂ ତୁମେ ଚାରିଟା ବେଳକୁ ଭଞ୍ଜନଗର ଆସିଥାଅ। ଆମେ ପାର୍କ ବୁଲିବା ତା ପରେ ତୁମ ଗାଁ କୁ ଯିବା । ଏ ବିଷୟରେ ତୁମେ କାହାକୁ ଜଣାଇବ ନାହିଁ ।


ଯୋଜନା ମୁତାବକ ନିଶା ପାର୍କକୁ ଆସିଥିଲା । ମୁଁ ଭୁବନେଶ୍ଵରରୁ ଗୋଟିଏ ସାଙ୍ଗର ମଟର ସାଇକେଲ ନେଇ ଯୋଜନା ମୁତାବକ ଯାଇଥିଲି । ପାର୍କ ରେ ଆମେ ବୁଲିଥିଲୁ । ମୁହଁ ସନ୍ଧ୍ୟା ହୋଇ ଆସୁଥାଏ ମୋର ଗୋଟିଏ ସାଙ୍ଗ ଘରୁ ଯିବା କହି ଭଞ୍ଜନଗର ଠାରୁ ଦଶପଲ୍ଲା ରାସ୍ତାରେ ଯାଇଥିଲୁ । ନିକାଞ୍ଚନ ଜଙ୍ଗଲ ରାସ୍ତାରେ କାମନା ପୂର୍ଣ୍ଣ କରିବା କହି ଗାଡି ରଖି ଜଙ୍ଗଲ ଭିତରକୁ ଯାଇଥିଲୁ । ମୁଁ ପୁର୍ବରୁ ହତିଆର ରଖିଥିଲି । ହତିଆର ମାଧ୍ୟମରେ ହତ୍ଯା କରିଥିଲି । ଏକ ଅଖା ଡିକିରେ ରଖିଥିଲି, ସେହି ଅଖାରେ ଶବକୁ ରଖି ଟାଇଟ୍ କରି ମୁହଁ ବାନ୍ଧି ପକାଇ ଦେଇଥିଲି । ମୋର ମୋବାଇଲର ସିମ୍ କୁ ସେଠାରେ କାଢି ଫୋପାଡି ଦେଇଥିଲି । ନିଶା ର ମୋବାଇଲ କୁ ଜାଣିଶୁଣି ପାର୍କ ର ଅଳିଆ ଗଦାକୁ ଫୋପାଡି ଦେଇଥିଲି । ମୁଁ ସେ ରାତାରାତି ଜମ୍ମୁ ଚାଲି ଯାଇଥିଲି ।


ପୋଲିସ୍ ଅଫିସର କହିଲେ - ବର୍ତ୍ତମାନ ପାଇଲୁ କ'ଣ ?


ଅବିଶ୍ବାସ ଓ ସନ୍ଦେହ ଜାଳିପୋଡ଼ି ଛାରଖାର କରିଦେଲା । କାରାଗାରର ଅନ୍ଧାରି କୋଠରୀରେ ଜୀବନ ବିତାଇବୁ । ଯାହାକୁ ତୁ ଜାରଜ ସନ୍ତାନ ବୋଲି ଭାବି ଥିଲୁ ସେ ତୋ ରକ୍ତର । ମାରିବା ପୂର୍ବରୁ ଥରେ ହେଲେ ଡି. ଏନ୍ ଟେଷ୍ଟ କରିଥାନ୍ତୁ । ପ୍ରେମ କରି ବିବାହ କରି କ'ଣ ଏହା ପ୍ରେମର ଉପହାର  ? ? ? 


ଲୋଭ, ସ୍ୱାର୍ଥପରତା, ଘୃଣା, କ୍ରୋଧ, ବିଦ୍ୱେଷ, ନିଷ୍ଠୁରତା ଓ ପ୍ରତିଶୋଧ ପରାୟଣତା ଏସବୁ କ୍ଷତିକାରକ ଭାବନା । ଏସବୁ କର୍ମ ମଣିଷର ଜୀବନକୁ ଦୁଃଖ ଦିଏ.। ପ୍ରତ୍ୟେକ ବ୍ୟକ୍ତି ଅସନ୍ତୋଷ, ଅହଂକାର ଓ କ୍ଷଣଭଙ୍ଗୁର ଚିନ୍ତାକୁ ପରିତ୍ୟାଗ କରିବା ଉଚିତ୍ । ଇନ୍ଦ୍ରିୟଲାଳସା, ଦୁଶ୍ଚିନ୍ତା ଓ କଳୁଷିତ ଭାବନାକୁ ମନରୁ ଦୁରେଇ ସତ୍ ସମାଧି ବଳରେ ମନକୁ ଶୃଙ୍ଖଳିତ କରି ସତ୍ ବୁଦ୍ଧି, ସତ୍ ଜ୍ଞାନ ସତ୍ ଭାବନା ଦ୍ୱାରା ମନୁଷ୍ୟର ମନରେ ପବିତ୍ରତା ଏବଂ ସୁଦ୍ଧା ଆଣିଲେ ମନୁଷ୍ଯର ଜୀବନ ସୁଖମୟ ହେବ ।


Rate this content
Log in

More oriya story from Lalita Mohan Mishra

Similar oriya story from Crime