ନିଶବ୍ଦ ଘୁଙ୍ଗୁର
ନିଶବ୍ଦ ଘୁଙ୍ଗୁର
ମଙ୍ଗଳାଚରଣ , ଭୈରବ ବଟୁ, ପଲ୍ଲବୀ ଅଭିନୟ କରି ମୋକ୍ଷନାଟରେ ପଦାର୍ପଣ କରିଥିଲେ ସେ ଅନଙ୍ଗମଞ୍ଜରୀ l
ରାତି ସେତେବଳକୁ ତିନିପହର
କଳାହାଟ ଦ୍ଵାର ଭିତରେ କଳାନାଗରଙ୍କ ସମ୍ମୁଖରେ ନିଖୁଣବେଶ ପରିପାଟୀ ସହ ଉଭାହେଲେ ରଂଗମଞ୍ଜରୀ l ଅଙ୍ଗେ ଅଙ୍ଗେ କାମନାବାସନା, ଓଠରେ ଗାଢ଼ ପ୍ରୀତିତୂଳୀ ଆଙ୍କିବାକୁ କଳାରସିକଠେ ଶାଶ୍ଵତପ୍ରେମ ଚିତ୍ରପଟ୍ଟ l ଅନ୍ତରରୁ ସତେ ଯେମିତି କେହିଜଣେ କହିଦେଉଥାଏ "ତୁମ ନାଆଁ ପରା ରଙ୍ଗମଞ୍ଜରୀ , ଅନଙ୍ଗ ଅଙ୍ଗ ରଙ୍ଗସାଗରର ତୁମ ଅଂଶ ବିଶେଷ l ଯଦି ହଁ, ତେବେ ଏତେ ପାର୍ଥକ୍ୟ କାହିଁକି ଯେ??? ତୁମେ ଅହେତୁକ କାମନାରେ ନିଜକୁ କଣ ହଜେଇ ପାରିବନି l ଭୃଗୁସଂହିତାର ସଂସ୍କାରବିଧି , ଷୋହଳଶୃଙ୍ଗାରରେ ବ୍ୟତିକ୍ରମ କାହିଁକି?"
ହଁ ହଁ ନିଶ୍ଚୟ....
ସତେ ତ....
ଅନ୍ତରଆଳାପ କରି ମହାଭାବରେ ଲୀନ ହେବାକୁ ସେ ହେଲେ ତତ୍ପର l
କଳାହାଟ ଦ୍ଵାର ସମ୍ମୁଖରେ ପହଞ୍ଚିବା କ୍ଷଣି ଆଭୂଷଣରେ ପୁନଃପରିବର୍ତ୍ତନ କରି ରୁଣୁଝୁଣୁ ଶବ୍ଦ ନିନାଦିତ ଅଳଙ୍କାର ସବୁ ଖୋଲିଲେ କାହିଁକି ନା ଶଦ୍ଦ ହେଲେ କି ପ୍ରୀତି ସମ୍ପାଦନ ହୋଇ ପାରିବ ନାହିଁ l ଏଇ ସଂସାର କ୍ଷଣଭଙ୍ଗୁର ବୋଲି ସାଙ୍କେତିକ ଭାଷା ରେ ସୁଚଉ ଥିଲା ନିଶବ୍ଦ ଘୁଙ୍ଗୁର l ଆଉ ଡେରି କରି ଲାଭ ନାହିଁ କାଳବିଳମ୍ବ ନ କରି ଶରୀରର ଉପରଭାଗରୁ ବସ୍ତ୍ର ଖୋଲି ଅର୍ଦ୍ଧଲଗ୍ନ ହୋଇ ପଡ଼ିରହିଲେl ଦୀର୍ଘ ଉଷୁମ ଶ୍ୱାସଟେ ଛାଡ଼ିଦେଇ ଅନୁଭବ କଲେ ମିଛ ମାୟାସଂସାରରେ ସେଇ ଚିରସତ୍ୟ ପ୍ରସଙ୍ଗ l ଆଃ....କି ପରମ ତୃପ୍ତି l
ପଞ୍ଚ ମ'କାର ଉପାସନାରେ ମୈଥୁନ ଉପଚାର ସେ l ଚକ୍ରପୂଜାରେ ସ୍ଵଂୟ ଅଦ୍ୱିତୀୟ ଅନନ୍ୟା ଭୈରବ ରୂପୀ ଜଗନ୍ନାଥଙ୍କର ମହାଶକ୍ତି ସେ l ପ୍ରତିଧ୍ଵନିତ ହେଲା ମନରେ"ଶକ୍ତି ବିନା ସତ୍ତା କେବେ ନୁହଁଇ ସମ୍ଭବ
ସତ୍ତ ରଜ ତମ ଗୁଣେ ପ୍ରୀତି ଅନୁଭବ। "
ସେ ତ ମହାସାଧିକା l ମିଳନ ଉତ୍କଣ୍ଠା ଜାଗରିତ ହେଲେ ଆପେ ଆପେ ହୋଇଯିବ ସଂସାର ବନ୍ଧନରୁ ବିମୁକ୍ତି l ତାସହ ବ୍ରହ୍ମାନନ୍ଦ ସୁଖ ଅସ୍ଵଦାନର ଅନୁଭବ ପ୍ରାପ୍ତି ହେବ l
ଅଫୁରନ୍ତ ପ୍ରୀତି ପ୍ଲାବନରେ ଆହ୍ଲାଦିତା ହୋଇ ଉଠିଲେ l
ତନୁ ପୁଲକିତ, ଛାତି କମ୍ପମାନ
ସବୁ ଆବେଗ ,ଅନୁରାଗ ସତେଯେମିତି ସେଇ ଦିଗକୁ ମୁହାଉଁଥିଲେ l ସବୁରଂଗ ନିଜ ଛିଟା ନେଇ ଧାଇଁଚାଲିଲେ କଳାରଙ୍ଗ ସହ ମିଶିବାକୁ l
କିଛିସମୟ ପରେ ହୋଇଗଲେ ଏକାକାର ବାହୁବନ୍ଧନରେ l କୋଟିଜନ୍ମ୍ର ପୂଣ୍ୟଫଳ ମିଳିଗଲା ପରି ମନେ ହେଉଥିଲା l ଶତଧନ୍ୟ ହେବା ସଂଗେସଂଗେ ପରମପ୍ରେମିକଙ୍କୁ ମୁକୁଳାକେଶ ଫାଙ୍କରୁ ଅନେଇ ଆଖିରେ ଅନେଇ ସ୍ମିତ ହସରେଖାଟେ ଟାଣିଦେଲେ l ଇଛା ହେଇଥିଲା ଆଉ ଥରେ ଏମିତି ହୁଅନ୍ତା କି??
କିଛି ଅବଶୋଷ ରହି ଯାଇଥିଲା
ପୁଣି ଦେଖାହେବ ଆଉ ଏକ ସମ୍ପର୍କର ଗୁପ୍ତସନ୍ଧିରେ l ଆଉ ରାତିପାହିବା ଆଗରୁ ସେ ଚାଲିଆସିଲେ ନିଜ ଉଆସକୁ l କିନ୍ତୁ ଭୁଲିପାରୁ ନ ଥିଲେ ସେଦିନର ଘଟଣାକୁ lତା ପରେ ପରେ କିଛିଦିନ ଅନ୍ତେ ଶରୀର ଅସୁସ୍ଥତା ଆଡକୁ ଗତିକଲାl ଭାବି ନେଇଥିଲେ ଜଳବାୟୁ ପରିବର୍ତ୍ତନ ଜନିତ ହୋଇ ଥାଇପାରେ l
କିନ୍ତୁ ଏ କଣ???
ବାନ୍ତି ଲାଗୁଛି l ମୁଣ୍ଡବୁଲା ହେଊଛି l
ତାଙ୍କୁ ସବୁକିଛି ଅଜବ ପରି ମନେହେଲା l ଭାରାକ୍ରାନ୍ତ ମନରେ ଅଙ୍କୁଶ ଲଗାଇଲେ ଅନେକ ଶଙ୍କା ଏସବୁର ସମଧାଧନ କିପର
ି ହେବ ??? ବାନ୍ଧବୀ ବ୍ୟତିରେକ ଆଉ କାହାକୁ ଅବଗତି କରିବା ପାଇଁ ଅନିଚ୍ଛୁକ ହେଲେ lଶେଷରେ ଋତୁପର୍ଣ୍ଣlଙ୍କୁ କହିବାରୁ ସେ ଶୁଣି ହତବାକ୍ ହୋଇ କହିଲେ " ହେ ଭଗବାନ୍ ... ତୋ ମତିଭ୍ରମ ହୋଇନି ତ???" ଆମେ ମଙ୍ଗୁ ମଠରୁ ତିଳକ ଧାରଣ କରିବା ପରଠୁ ଏଭଳି ଅସଙ୍ଗତି କାର୍ଯ୍ୟଧାରା କେବେ ହୋଇନାହିଁ l
ଯଦିବା ଠିକ୍ କହୁଛୁ ତେବେ
କିନ୍ତୁ ଏପରି ଦୁଃସାହସ କର୍ମ କଲା କିଏ ??? ଆଜୀବନ ଅବିବାହିତ ସେବିକାକୁ ଦେଖି ରସରାସ ଆରମ୍ଭିଲେ କି ନରକାର ହଟିଆ ନାଗର ???
ତା ମାନେ???
ଭାଳେଣୀ ପଡିଥିଲା l
କାହାକୁ ମୁଁହ ଦେଖାଇବେ l ତୁଣ୍ଡବାଇଦ ସହସ୍ର କୋଶ ଏବେ ଚାରିଆଡେ ହୂରିପଡ଼ିବ" ଶେଷରେ ଦେବଦାସୀ ହୋଇ....
ନା ସଖୀ.... ନା.....
ଏହାର ସତ୍ୟାସତ୍ୟ ଉନ୍ମୋଚିତ କରିବାକୁ ହେବ ଆଜି l
ପରିକଳ୍ପିତ ଯୋଜନା ମୁତାବକ ଦୁହେଁ ପଶ୍ଚିମଦ୍ଵାର ଦେଇ ପ୍ରବେଶ କଲେ l
ରାତି ଘନେଇ ଆସୁଥାଏ ଯେତିକି, ଜିଜ୍ଞାସା ବଢିବଢି ଯାଉଥାଏ ସେତିକି l ମନ୍ଦିରର ଗୋଟିଏ କୋଣରେ ଲୁଚି ରହିଲେ ବାନ୍ଧବୀ l
ସବୁଦିନ ପରି ଅନଙ୍ଗମଞ୍ଜରୀ ତାଙ୍କରି ନୀତିକାନ୍ତି ସହ ନୃତ୍ୟସେବା ଆରମ୍ଭ କଲେ କଣ୍ଠର ତୁଳସୀ ମାଳ, ଓଜନିଆ ବସ୍ତ୍ର ପରିଧାନ ନ କରି l ମହାରାସରେ ଲୀନହେବା ବେଳକୁ ଜାଣିଶୁଣି ଶୋଇରହିଲେ l ଠିକ୍ ଏତିକିବେଳକୁ ପୁର୍ବଦିନ ପରି ଶରୀରରେ ଜଣଙ୍କର ପ୍ରୀତିଛୁଆଁ ଅନୁଭବ କଲେ l ସଂଗେସଂଗେ ଧରି ପକେଇଲେ ହାତକୁ l
ଆଉ ଜାଣିପାରିଲେ ସେ ଆଉ କେହି ନୁହନ୍ତି ସେ ପ୍ରକୃତରେ କାମୁକ ସେଇ ପୁଜାପଣ୍ଡା l ଯାହାଙ୍କ କଥାକୁ ବେଦବାକ୍ୟ ପରି ଉତ୍କଳର ଗଜପତି ସମ୍ମାନ ଦିଅନ୍ତି l ଆଉ ଛାର ପ୍ରଜା କି ନାଗରିକ ମାନଙ୍କୁ କଣ କହିବା ???
ଶ୍ରୀମନ୍ଦିର ସତ୍ତ୍ବବିଧି ମୁତାବକ
କାହାସଂଗେ ଅଙ୍ଗସଂଗ ନ ହେବେ, ସେବକେ ଗମିଲେ ଓଳଗି ହେବେ କିନ୍ତୁ ଏଇଟା ତ ଘୋର ଅପରାଧ....
ଯଦିଓ ନକରାତ୍ମକ ଭାବନା କିଛି ମନ ଭିତରେ କିଛି ନ ଥିଲା, ତଥାପି ବାଧ୍ୟହୋଇ ଅନୁମାନର ଖିଅ ଲମ୍ବେଇଲେ ସେ ଦିନ ପରିଯନ୍ତେ l ଯେଉଁଦିନ କି ବିମଳାଦେବୀଙ୍କ ସମ୍ମୁଖ ଷୋଳପୂଜା ମଣ୍ଡପରେ ସେ ପଞ୍ଚବାଦ୍ୟ ସହ ମଙ୍ଗଳଗୀତ ଓ ଗୋବିନ୍ଦଚରିତ ଗାନ କରୁଥାନ୍ତି lନୃତ୍ୟ ଓ ଗାନରେ ଆତ୍ମବିଭୋର ହୋଇ ସେ ଅନ୍ତରରେ ପ୍ରଭୁଙ୍କୁ ଅନୁଭବି ଚାଲିଥିଲେ କିନ୍ତୁ ପାଖରୁ ପୂଜାପଣ୍ଡାଙ୍କ ତିର୍ଯ୍ୟକ ନଜର ଅସହ୍ୟବୋଧ ଥିଲା ବୋଲି ଜଣେ ସଖୀ କହୁଥିଲେ l ହେଲେ ସେଦିନ ସେ ପରତେ ଯାଇ ନ ଥିଲା l ଆଜି ଜାଣି ଘୃଣାକରିବା ସହ ନିଜକୁ ମଧ୍ୟ ଦୋଷୀ ମନେ କରିଥିଲା ସେ l ଯେଉଁ ଦେହଟା ଦେବଉତ୍ସର୍ଗିକୃତ ନିମିତ୍ତ ଅଭିହିତ ଥିଲା ସେ ଅଇଁଠା ଦ୍ରବ୍ୟ ସମର୍ପି ଚଉରାଶି ନର୍କକୁ ଗମିବ କାହିଁକି???
ଅଜଣା ଭୟରେ ଥରି ଉଠିଲେ ପୂଜା ପଣ୍ଡା lକିଛି କହିବା ଆଗରୁ ସେ ସେଠୁ ବାହାରି ସିଧା ଧାଇଁଲେ ମହୋଦଧି ଆଡକୁ l ଆଗେ ଆଗେ ଅନଙ୍ଗମଞ୍ଜରୀ.
ପଛେ ପଛେ ଋତୁପର୍ଣ୍ଣା
ସଖୀ .....
ଶୁଣ ମୋ କଥା, ହେଲେ ସବୁଶୁଣି ନ ଶୁଣିଲା ପରି ଗାଢ଼ ଅମାରଜନୀରେ ପଥିକାଟେ ହେଲେ ଅଫେରା ବାଟରେ l ନୀଳ ଫେନାୟିତ ତରଙ୍ଗମାଳା ତାଙ୍କ ପାଖକୁ ଛୁଟି ଆସୁଥିଲେ ଯେମିତି କୋଳେଇ ନେବାକୁ। ଏକ ଅନନ୍ତଜୀବନ ଓ ମୋକ୍ଷ ପ୍ରାପ୍ତିର ସ୍ମାରକଟିଏ ହୋଇ କହିଦେବାକୁ ଏକ ସଂସ୍କୃତି ସଂପନ୍ନ ପରମ୍ପରାର ରହସ୍ୟମୟ ଅଧ୍ୟାୟକୁ l