ତିନି ମିନିଟ୍
ତିନି ମିନିଟ୍
"ଆପଣଙ୍କ ନାମ ଧାନି ହାଁସଦା
ଜି.ଉଦୟଗିରିର ମହୁଲ ପଡ଼ାରେ ଜନ୍ମ ହୋଇଛନ୍ତି,
ଏଇଆ ନାଁ l ଏଇଟା ତ ସ୍ୱକୀୟ ଆତ୍ମତଥ୍ୟରେ ଉଲ୍ଲେଖ ରହିଛି l" ଏତିକିବେଳେ ଆଉ ଜଣେ ପ୍ରଶ୍ନକର୍ତ୍ତା ଇଲେକଟ୍ରିକ୍ ସ୍ୱିଜ୍ ଅନ୍ କଲା ପରି କହି ପକେଇଲେ ଆଉ କିଛିଆପଣଙ୍କୁ ଦିଆଗଲା ମାତ୍ର ତିନି ମିନିଟ୍ ସମୟ lଏଇ ସମୟ ସୀମା ଭିତରେ ନିଜ ପରିଚୟ ପ୍ରକାଶ କରନ୍ତୁ lଏଭଳି ଅବାନ୍ତର ଓ ଅମୂଳକ ପ୍ରଶ୍ନ ଶୁଣି ଘାବରେଇଗଲା ଧାନୀ l
ଗୋଟାଏ ମୁହୂର୍ତ୍ତ ବି ଜୀବନ ବଦଳେଇ ଦେଇ ପାରେ l ଅତଏବ ସେ କିପରି ରହିବ ???ଆଗରୁ ଶୁଣିଥିଲା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଡିଶା ପ୍ରଶାସନିକ ଅଧିକାରୀ ପରୀକ୍ଷାରେ ଅଜବ ଦୁନିଆର ପ୍ରଶ୍ନ ସମ୍ମୁଖୀନ କରିବାକୁ ହୁଏ l ସେ ସବୁ ଆଜି ସତକୁସତ ନିଜକୁ ସାମ୍ନା କରିବାକୁ ଯାଉଛନ୍ତି l ଧାନି ଲକ୍ଷ୍ୟକଲା ପ୍ରଶ୍ନବାଣ ନିକ୍ଷେପ କରି ଉପସ୍ଥିତ ଅଧିକାରୀମାନେ ପରସନନାଲ୍ ଇଣ୍ଟରଭିଉ ପେପର୍ ଉପରେ ଜଣେ ଅନ୍ୟ ଜଣଙ୍କ ହାତକୁ ବଢେଇ ଦେଇ ନିଜ ନିଜର ସ୍କୋର ଦେବାରେ ବ୍ୟସ୍ତ ରହିଲେ l ହେଲେ ତାକୁ ପଚରା ଯାଉଥିବା ପ୍ରଶ୍ନ ମୁତାବକ ସଠିକ୍ ଉତ୍ତର କଣ ହୋଇପାରେ ସେ ସଂପର୍କରେ ଖୋଜି ବୁଲିଲେ ଶବ୍ଦସମୂହ ଠିକ୍ ମାନୁଆଲ ଟାଇପିଙ୍ଗ ମେସିନ୍ ପରି l ହେଲେ କେଉଁଠୁ ଆରମ୍ଭ କରିବ ସ୍ଵକୀୟ ପରିଚୟ lସେ ତ ଜନ୍ମରୁ କେହି ଜଣେ ଆଦିବାସୀକନ୍ୟାଙ୍କ ଅବାଞ୍ଛିତ ଗର୍ଭଧାରଣର ସନ୍ତକଟିଏ ଯାହାକୁ ଲୋକନିନ୍ଦାରୁ ରକ୍ଷାପାଇବା ପାଇଁ ମେଳାରଗଡ଼ି ନିକଟ ଏକ ଧାନବିଲରେ ପରିତ୍ୟକ୍ତ ଅବସ୍ଥାରେ ଗାଆଁ ଦିଶାରି ଦ୍ବାରା ଉଦ୍ଧାର ହେଇଛି ଓ ଲାଳିତ ପାଳିତ ହୋଇଛନ୍ତି l
ସେଇଥିପାଇଁ ତା ନାଆଁ ଧାନି ରଖାଯାଇଛି l ପୁଣି ପବିତ୍ର ନୂଆଖାଇ ଉତ୍ସବ ଦିନ l ମା ଲକ୍ଷ୍ମୀଙ୍କ ବରଦାନ ଭାବି ନିଃସନ୍ତାନ ଦିଶାରି କୋଳକୁ ନେଇ ପାଠପଢେଇ ବଡ କରିଛନ୍ତି l ଗାଁ ସ୍କୁଲରେ ପଢୁଥିବା ବେଳେ ସହପାଠିନୀ ଲବଙ୍ଗ ସହ ସବୁଦିନ ସାଥୀ ହୋଇ ସ୍କୁଲ ଯିବାଆସିବା କରନ୍ତି ଦୁହେଁ କିନ୍ତୁ ଦିନେ ଲବଙ୍ଗର ପ୍ରଥମ ମାସିକ ୠତୁସ୍ରାବକୁ କେନ୍ଦ୍ରକରି ସାବତ ମାଆ ସୁକୁଟିଠାରୁ ନାନା ପ୍ରକାରର ଗାଳି ନିର୍ଯାତନା, ବାରଣ ସେ ନିଜ ଆଖିରେ ଦେଖିଛି l ଏଥିପାଇଁ ସେ ବୁଝେଉଛି ମଧ୍ଯ l ହେଲେ ଓଲଟି ସେଦିନ ଅଣବାବୁଆ ଝିଅ ଆସିଲା ବୁଝେଇବା ପାଇଁ ବୋଲି ଶୁଣିବାକୁ ପଡ଼ିଛି ତାକୁ lମୁଁହପୋତି ଘରକୁ ଚାଲି ଆସିଲା ତା ସହ ନ ମିଶିବାକୁ ଲବଙ୍ଗର ମା ତାଗିଦ୍ କରି କହିଲେ ସେଥିରେ ବି ଧାନିର ମନ ଦୁଃଖ ନ ଥିଲା l କାହିଁକି ନା ରାଗରେ ସିନା ଲବଙ୍ଗର ବୋଉ କହିଦେଲେ ହେଲେ
ଜିଛି ଦିନପରେ ପୁଣି ଶାନ୍ତ ହୋଇ ସାଥୀ ହୋଇ ପୁଣି କହିବେ" ଧାନି ସାଙ୍ଗରେ ସ୍କୁଲ୍ ଯା ବୋଲି " l ହେଲେ ଏକ ଶୀତଦିନିଆ ପାଣିରେ ମୁଣ୍ଡ ବୁଡ଼େଇ ଗାଧେଇବା, ସମସ୍ତ ଅଢୁଆଳରେ ରହିବା ଆଦି ସାମାଜିକ କଟକଣା ଭିତରେ ପେଶି ହୋଇ ଲବଙ୍ଗ ସେଦିନ ପାହନ୍ତାରୁ ଉଠି ଝରଣାପାଣିରେ ଗାଧେଇବା ଆଶାରେ ଝାଡିଜଙ୍ଗଲ ଦେଇ ଯାଉଥିଲା ବେଳେ ମାଈଭାଲୁ ଆକ୍ରମଣରେ ତାର ପ୍ରାଣବାୟୁ ଉଡିଗଲା l ଏଇ ଦୁଃଖଦଘଟଣା ଧାନିକୁ ବହୁତ ବାଧିଥିଲା ସେ ଶପଥ ନେଇଥିଲା ସେଦିନ ତା ପରି ରାଜ୍ୟରେ ଅନେକ ଝିଅ ଏଇ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବେ l ଏଥି ଦିଗରେ କାମ କରି ସଭିଙ୍କୁ ସଚେତନ କରିବେ l କଲେଜରୁ ମିଳୁଥିବା ସ୍କୋଲାରସିପ୍ ଟଙ୍କାରେ ସାନିଟାରି ନ୍ୟାପକିନ୍ କିଣି ଦୁର୍ଗମ ଅଞ୍ଚଳରେ ସଚେତନ ବାର୍ତା ଦେଉଥିଲେ l କାଳକ୍ରମେ କିଛି ସହୃଦୟ ବ୍ୟକ୍ତି ଏ ଦିଗରେ ସହାୟତାର ହାତ ବଢ଼େଇଲେ lଯା'ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କଠାରୁ ସେ ପ୍ୟାଡ୍ଓମେନ୍ ଭାବେ ପୁରସ୍କୃତ ହୋଇଛନ୍ତି lଏମିତି ଅନେକ ଜୀବନ ସମ୍ପର୍କିତ ଘଟଣାବଳୀ ଉଙ୍କିମାରିଥିଲା ସେଦିନ l
ଭାବିଚାଲିଥିଲା କହିଦେବାକୁ ଉପସ୍ଥିତ ଅଧିକାରୀମାନଙ୍କ ସମ୍ମୁଖରେ l ହେଲେ ସେ ସବୁ ରହି ଯାଉଥିଲେ ସମ୍ଭାବିତ ଉତ୍ତର ଫର୍ଦ୍ଦରେ l
ୱାରିଷ୍ଟୱାଚକୁ ନୀରିକ୍ଷଣ କଲେ ଧାନି ଆଉ ମାତ୍ର ତିରିଶ ସେକେଣ୍ଡ ବାକି ଅଛି l ସେମାନଙ୍କ ଆଖୁରେ ଆଖି ମିଶେଇ ନିର୍ଭୀକ ଭାବରେ ସ୍ପଷ୍ଟ ନିର୍ଭୂଲ୍ ଭାବରେ ନିଜ ଭାବ ପ୍ରକାଶ ପାଇଁ ପ୍ରସ୍ତୁତ ହେବାକୁ ଲାଗିଲା l ମହୁଲ ଗଛମୂଳେ ସିନ୍ଦୂର ବୋଳା ଉପାସିତା କରମlଦେବୀଙ୍କୁ ମନେମନେ ମୁଣ୍ଡିଆ ଉତ୍ତର ଦେଲା" ସାର୍ ମୁଁ ଆଦିବାସୀ ମୂଲକରୁ , ଜଙ୍ଗଲ ଜମି ଅଧିକାରରୁ ବଞ୍ଚିତ ହେଉଥିବା ଛଅଲକ୍ଷ ଗାଆଁ ଏଵଂ ଗୋଷ୍ଠୀଗତ ଅଧିକାରରୁ ବଞ୍ଚିତ ହେଉଥିବା ଛବିଶ ହଜାର ପରିବାରରେ ମୋ ଜନ୍ମ l ଜଙ୍ଗଲ ସୁରକ୍ଷା ସହ ପରିବେଶ ସନ୍ତୁଳନ ହୋଇ ନ ପାରିବା ଯୋଗୁ ଆଜି ମା ମାଟି ଅନବରତ ଲୁହଢାଳି ଚାଲିଛି lଚାଷବାସ ପାଇଁ ନିର୍ଭର କରୁଥିବା ଆଦିବାସିଓ ପାରମ୍ପରିକ ବନବାସୀଙ୍କୁ ବ୍ୟକ୍ତିଗତ ଅଧିକାର, ଗୋଷ୍ଠୀଜଙ୍ଗଲ ଜମି ଅଧିକାର ଓ ଗୋଷ୍ଠୀସମ୍ବଳ ଅଧିକାର ପାଇଁ ନିଇତି ସରକାରଙ୍କ ଠାରେ ନିବେଦନ କରୁଥିବା ଅଭିଯୋଗକାରିଣୀଟିଏ ମୁଁସତେଯେମିତି ଏଇ ତିନିମିନିଟ୍ ତା ପଇଁ ଥିଲା ଅତୀତ ବର୍ତ୍ତମାନ ଓ ଭବିଷ୍ୟତର ରୂପରେଖଟିଏ l ସେପଟୁ ପ୍ରଶ୍ନକର୍ତ୍ତାମାନେ ସସ୍ମିତ ବଦନରେ ପରସ୍ପରକୁ ଅନେଇ ହୋଇ" ଧନ୍ୟବାଦ, ଆପଣ ଆସି ପାରନ୍ତି "ସୁଚନା ପାଇଲେ ଧାନି lଯେଉଁ ସୁଚନାକୁ ଯୋଡୁଥିଲା ଅଧା ଅତୀତକୁ ଆଉ ଭବିଷ୍ୟତକୁ l