ପ୍ରଶାନ୍ତ କୁମାର ବେହେରା

Crime Inspirational Others


3  

ପ୍ରଶାନ୍ତ କୁମାର ବେହେରା

Crime Inspirational Others


ନିଶ

ନିଶ

4 mins 174 4 mins 174


ସରିତା ଦିଦିଙ୍କ ଘର ରାଉରକେଲାରେ । ବିଗତ କେଇ ବର୍ଷହେଲା ଏଠି ଗୋଟେ ସରକାରୀ ହାଇସ୍କୁଲରେ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରି ଅ‍ସୁଛନ୍ତି । ଛୋଟିଆ ଭଡାଘରେ ୧୦ ବର୍ଷର ପୁଅ ଆଉ ୧୩ ବର୍ଷର ଝିଅକୁ ଧରି ରହୁଛନ୍ତି । ଶୁଣାଯାଏ କୁଅ‍ଡେ ଦୁଇଟି ପିଲା ହେବାପରେ ଶିକ୍ଷିତ ଅମଣିଷ ସ୍ୱାମୀ ଜଣଙ୍କ ସରିତା ଦିଦିଙ୍କୁ ଛାଡି ଅନ୍ୟଆଡେ ସଂସ୍ଥା କରି ବସିଲା । ଏଠାକାର କୌଣସି ଲୋକ ଦିଦିଙ୍କର ସେଇ ଶିକ୍ଷିତ ଅସମାଜିକ ସ୍ୱାମୀକୁ କେବେ ବି ଦେଖି ନାହାନ୍ତି । ତା'ମାନେ ସରିତା ଦିଦୀ ଏଠାକୁ ଟ୍ରାନସ୍ଫର୍ ହୋଇ ଆସିବା ପୂର୍ବରୁ ସ୍ୱାମୀଟି ତାଙ୍କୁ ପରିତ୍ୟାଗ କରିସାରିଥିଲା । ସରିତା ଦିଦି ବି ଖୁବ୍ ସ୍ୱାଭିମାନୀ ହୋଇଥିବା ହେତୁ ସେବେଠାରୁ ଦୁଇଟି ପିଲାଙ୍କ ପାଠପଢା ସଠିକ୍ ଢଙ୍ଗରେ ବୁଝିବା ସହିତ ଜୀବନ ଯୁଦ୍ଧରେ ଏକୁଟିଆ ଆଗେଇ ଚାଲିଥାନ୍ତି । ଏମିତି ସବୁ ଘଟଣା ଘଟିଥିବା ହେତୁ ହେଉ ଅଥବା ଜନ୍ମରୁ ସେମିତି ଗୁଣର ଅଧିଆରୀ ହୋଇଥିବା କାରଣରୁ ଅବା ହେଉ ସେ ସବୁବେଳେ ଖୁବ୍ ରୁକ୍ଷ ଆଉ ରୋକ୍ ଠୋକ୍ କଥାବାର୍ତ୍ତା କରନ୍ତି । ଯାହାକୁ କହନ୍ତି ପୁରା ଗୋଟେ ଲାଇନ୍ ରେ କଥାବାର୍ତ୍ତା । ବିନା କାରଣରେ ଅଧିକ ବା ବେ-ଲାଇନ୍ କଥାବାର୍ତ୍ତା କାହା ସହିତ କେବେ ବି ସେ କରିବାର କେହି ଦେଖିନାହାନ୍ତି । ଗାଆଁର ସ୍ତ୍ରୀଲୋକ ମାନେ ସଂଧ୍ୟାରେ ମନ୍ଦିର ପ୍ରାଙ୍ଗଣ ହେଉ ବା ଅନ୍ୟ କୌଣସି ସ୍ଥାନରେ ଏକାଠି ହୋଇ ୟା' ତା' ବିଷୟରେ ଯେଉଁ ଆଲୋଚନା କରନ୍ତି ସେଠାକୁ ସରିତା ଦିଦି କେବେ ବି ଯାଇନାହାନ୍ତି । ବୋଧହୁଏ ସେ ଜାଣିଥିଲେ, ସେମାନଙ୍କର ସେଇ ମୂଲ୍ୟହୀନ ଆଲୋଚନା ମଧ୍ଯରେ ତାଙ୍କ ବିଷୟରେ ହିଁ ଅଧିକ ଥିବ ।


ଦଶହରା ପୂଜା କେଇଦିନ ଥାଏ, ଦୁଇଜଣ ଉଦ୍ଭ୍ରାନ୍ତ ଯୁବକ ତାଙ୍କୁ ଆସି ଚାନ୍ଦା ମାଗିଲେ । ସେ ତାଙ୍କୁ ପ୍ରଥମେ କହିଲେ, " କି ଚାନ୍ଦା ? " 


ଜଣେ ଯୁବକ କହିଲା, " କ'ଣ ଜାଣିପାରୁନ ? ଦଶହରା ପୂଜା ଚାନ୍ଦା ପରା । ଏଠି ସମସ୍ତେ ଦିଅନ୍ତି । ତମେ ବି ଦବ । ଦବାକୁ ବାଧ୍ୟ ।"


ଦିଦି କିଛି ସମୟ ଚିନ୍ତାକଲେ, ବୋଧହୁଏ ଭାବିଲେ ଏମାନେ ଏମିତି ଧମକଦେଇ କହୁଛନ୍ତି ! ଏମାନଙ୍କୁ ଟଙ୍କା ଦେବି ନା ଦେବି ନାହିଁ ? ତା' ଭିତରେ ଦୁଇଟି ପିଲାଙ୍କୁ ଘରେ ଛାଡି ସ୍କୁଲ୍ ଯାଉଛନ୍ତି, କେତେବେଳେ କେଉଁ କଥା ! ତେଣୁ ଶେଷକୁ ମନସ୍ଥକଲେ ଏମାନଙ୍କ ସହିତ ଯୁକ୍ତିତର୍କ ନକରି କିଛି ଦେଇଦେଲେ ଯାଏ । ଘର ଭିତରକୁ ଯାଇ ୫୦ଟଙ୍କା ଆଣି ସେମାନଙ୍କ ଆଡକୁ ବଢେଇ ଦେଲେ ।


ସେ ଯୁବକ ଦୁଇଜଣ ୫୦ଟଙ୍କା ଆଡକୁ ଏକ ତାତ୍ସଲ୍ୟ ଦୃଷ୍ଟି ନିକ୍ଷେପକରି କହିଲେ, " କ'ଣ ଆମକୁ ଭାବିଲ କି ? ଆମେ କ'ଣ ଭିଖାରୀ ? "


ସରିତା ଦିଦି ଦୃଢ଼ କଣ୍ଠରେ କହିଲେ, " ମୁଁ ଯେତିକି ଦେବାକୁ ମନସ୍ଥ କଲି, ସେତିକି ଦେଉଛି । ତମେ ଯାହା କହିବ ମୁଁ ସେଇଆ ଦେବାକୁ ବାଧ୍ୟ ନା'କଣ ? "


ଏଥର ଗୋଟେ ଟୋକା ପୁରା ରାଗିଯାଇ କହିଲା, " ୫୦୦ଟଙ୍କାରୁ ଗୋଟେ ଟଙ୍କା କମ୍ ହେଲେ ନେବୁନାହିଁ ।"


ସରିତା ଦିଦି ବି ଏଥର ନିଜର ରୁକ୍ଷ ସ୍ୱଭାବକୁ ପୂର୍ଣ୍ଣମାତ୍ରାରେ ସାମ୍ନାକୁ ଆଣି କହିଲେ, " କାଇଁ , ମୋତେ ପଚାରିକି ତମେମାନେ ପୂଜା କରୁଛ ନାଁ ମୁଁ କହିଥିଲି ପୂଜା କର ବୋଲି ? ଯଦି ନେବା କଥା ଏଇ ୫୦ଟଙ୍କା ନିଅ, ନାହିଁ ତ ମୋର କିଛି ଦେବାର ନାହିଁ ।" 


ଦିଦିଙ୍କ ଏତିକି କଥାରେ ସେ ଉଦ୍ଭ୍ରାନ୍ତ ଯୁବକ ଦୁଇଜଣ ପୁରା ରାଗି ପାଚିଗଲେ । ଜଣେ ନିଜ ଆଖିକୁ ଲାଲ୍ ଲାଲ୍ ଆଉ ଢେମା ଢେମା କରି କହିଲା, " ହଉ ରହ ରହ ? ତୁ କେମିତି ଦବୁ ସେ ବାଟ ଆମକୁ ଠିକ୍ ଜଣା ! " ହଠାତ୍ କଥାବାର୍ତ୍ତାର ସମସ୍ତ ଶାଳୀନତା ହରାଇ ତୁ, ତା' କୁ ଓଲ୍ହାଇଆସି ସେ ଦୁହେଁ କ୍ଷୀପ୍ର ବେଗରେ କୁଆଡେ ପଳାଇଲେ ।


ସେ ଟୋକା ଦୁଇଜଣ ଯେମିତି ରଙ୍ଗଢଙ୍ଗ ଦେଖାଇଲେ ସେଥିରୁ କ୍ଲିଅର୍ ବୁଝାପଡୁଥିଲା ଯେ, ପୂଜା ନାମରେ ଜୁଲମ୍ କରି ଚାନ୍ଦା ଉଠାଇବା ତାଙ୍କର ଅଭ୍ୟାସ । ଏମିତିରେ ତ ସରିତା ଦିଦି ସ୍ୱାମୀ ଦ୍ୱାରା ନିର୍ଯାତିତା ହୋଇ ଭଗବାନଙ୍କ ଉପରୁ ବିଶ୍ୱାସ ତୁଟାଇ ଦେଇଥିବେ କି ନାହିଁ, ତାହା କେବଳ ସେଇ ଭଗବାନ୍ ହିଁ ଜାଣିଥିବେ । ତେବେ ଜୁଲମ୍ କରି , ଧମକ ଚମକ ଦେଇ ପୂଜା ନାମରେ ଏମିତି ଚାନ୍ଦା ଆଦାୟକୁ ସେ ଆଦୌ ମୁଣ୍ତପାତି ସହିନେବା ନାରୀ ନଥିଲେ । 


କିନ୍ତୁ ଏଇ ଘଟଣାର ଦିନକ ପରେ ଗୋଟେ ଅଘଟଣ ଘଟିଲା । ସରିତା ଦିଦିଙ୍କ ଝିଅ ରୁବିନା ସ୍କୁଲ୍ ରୁ ଫେରୁଥିବା ବେଳେ ୪ ଜଣ ବଦମାସ୍ ପିଲା ତା' ବାଟ ଉଗାଳିବା ସହିତ ଅଭଦ୍ର ଭାଷାରେ ଗାଳିଗୁଲଜ କଲେ । ରୁବିନା ଘରେ ପହଞ୍ଚି ମା' ଆଗରେ କାନ୍ଦିକାନ୍ଦି ସବୁକଥା କହିଲା । ସରିତା ଦିଦି ଚିନ୍ତାକରି ତାଙ୍କ ପଡିଶାର କିଛି ଲୋକଙ୍କୁ ଏ ବିଷୟରେ କହିବାରୁ ଜଣେ କହିଲା, " ଆପଣଙ୍କ ଘରେ କେହି ପୁରୁଷ ଲୋକ ନାହାନ୍ତି ବୋଲି ସେମାନେ ଏମିତି ଅଭଦ୍ର ବ୍ୟବହାର ଝିଅ ସହିତ କରିବାକୁ ସାହସ କରି ପାରିଲେ । "


ଏତିକି କଥାରେ ସରିତା ଦିଦି ଗୋଟେ ବାଘୁଣୀ ପରୀ ଗର୍ଜନ କରି ସେ ପୁରୁଷକୁ ପଚାରିଲେ, " କାଇଁ , ନାକତଳେ କିଛି ନିଶ ରଖି ପୁରୁଷବୋଲି ଡିଣ୍ଡିମ ପିଟି କ'ଣ ଏମିତି ସବୁ କରିପକାଇବ ଯେ, ନାରୀଟେ କରିପାରିବନି ? ହଉ ! ଯାଆନ୍ତୁ, ଯାଅନ୍ତୁ ! କାହାର ସାହାଯ୍ୟ ମୋର ଆବଶ୍ୟକ ନାହିଁ । ମୁଁ ଏକୁଟିଆ ଏଇ ପରିସ୍ଥିତିରେ ଲଢି ପାରିବି ।" 


ଯେଉଁ ପୁରୁଷଟି ସେଇ କଥା କହିଥିଲା, ମୁହଁ ତଳକୁ କରି କାନମୁଣ୍ତା ଆଉଁଷି ଆଉଁଷି ସେଠୁ ପଳାୟନ କଲା । ସରିତା ଦିଦି ସେଇଦିନ ସଂଧ୍ୟାରେ ଯାଇ ଥାନାରେ ହାଜର୍ । ଏତଲା ଦେଇ ଘରକୁ ଆସିଲେ । ସେଦିନ ରାତିରେ କିମ୍ୱା ପରଦିନ ସକାଳେ ବି ପୁଲିସ୍ ର ଦେଖା ମିଳିଲାନି । ଠିକ୍ ଦିନ ୧୧ଟାରେ ଦିଦି ଏସ୍. ପି. ଙ୍କୁ ଦେଖାକରି ସବୁକଥା କହିଲେ । ଦିନ ୧୨ଟା ବେଳକୁ ପୁଲିସ୍ ଜିପ୍ ଗାଆଁରେ ପଇଁତରା ମାରିବା ଆରମ୍ଭକରିବାରୁ ସେ ବଦମାସ୍ ପିଲାମାନେ କିଏ କୁଆଡେ ଯାଇ ଲୁଚିଲେ ଯେ, ଦୁର୍ଗା ପୂଜା ସରିଗଲା କିନ୍ତୁ ସେମାନେ ସେମିତି ଅଣ୍ତରଗ୍ରାଉଣ୍ତ ହୋଇ ରହିଲେ । ଗାଆଁ ସାରା ପ୍ରଚାର ହୋଇଗଲା ଯେ, ଏସ୍.ପି. ଏଇ କେସ୍ କୁ ଗୁରୁତ୍ବର ସହିତ ନେଇଛନ୍ତି । ଶେଷକୁ ସେ ଚାରିଜଣ ବଦମାସ୍ ଧରାହୋଇ ଥାନାକୁ ଗଲେ । ଥାନାରେ ଯେମିତି ଯାହା ଉତ୍ତମ ମଧ୍ୟମ ହେବାକଥା ହୋଇଗଲା । ସେମାନଙ୍କ ପରିବାର ଲୋକ ଆସି ସରିତା ଦିଦିଙ୍କୁ କେସ୍ କମ୍ପ୍ରୋମାଇଜ୍ କରିବାକୁ ନେହୁରା ହେବାରୁ କଥା ଥମିଥିଲା ।


ଏଇ ଘଟଣାରୁ ଏକଥା ସ୍ପଷ୍ଟ ଯେ, ନାରୀଟେ ଯଦି ନିଜ ଜୀବନ ଯୁଦ୍ଧରେ ଦୃଢ଼ ହୋଇ ଠିଆହୁଏ, ତାହେଲେ ସାଙ୍ଗରେ ନିଶ ଥିଵାବାଲା ଲୋକ ଥିଲେ କେତେ ନଥିଲେ କେତେ !



Rate this content
Log in

More oriya story from ପ୍ରଶାନ୍ତ କୁମାର ବେହେରା

Similar oriya story from Crime