ନିର୍ବୋଧ ରାମୁଆ
ନିର୍ବୋଧ ରାମୁଆ
କିରେ ରାମୁଆ ସାଇକଲ୍ ନେଇକି ଯାଇଥିଲୁ, କ’ଣ ଚାଲିଚାଲି ଆସୁଚୁ ? ସାଇକଲ୍ କାଇଁ ? ଜ୍ଞାନେନ୍ଦ୍ର ବାବୁ ପଚାରିଲେ |
ରାମୁଆ କହିଲା- ଆଜ୍ଞା ସାଇକଲ୍ ମାର୍କେଟ୍ ରେ ପରିବା ଦୋକାନ ପାଖରେ ଛାଡ଼ିଦେଇ ଆସିଚି, ଜଳଖିଆ ଖାଉଥିଲି, ପରେ ଭୁଲିଗଲି ସାଇକଲ୍ କଥା |
ଆରେ ଗଧ, ଜଲ୍ଦି ଯା ସାଇକଲ୍ ନେଇକି ଆସିବୁ, ନହେଲେ ଚୋରି ହୋଇଯିବ ନୂଆ ସାଇକଲ୍ ଟା |
ବ୍ୟସ୍ତ ହୁଅନି, ଚାବି ପକେଇ ଦେଇକି ଆସିଛି ଆଜ୍ଞା, ଆପଣ ତ କହିଥିଲେ ଚାବି ପକେଇଲେ ଜିନିଷ ଚୋରି ହୁଏନି |ମାଲିକ ମୁଣ୍ଡ ଝାଇଁ ଝାଇଁ ହେଇଗଲା |
ଆଉ ଦିନକର ଘଟଣା । ଜ୍ଞାନେନ୍ଦ୍ର ବାବୁ କହିଲେ- କିରେ ରାମୁଆ, ଆଜି ହାଟ ଦିନ, ସବୁତକ କମଳା ନେଇ ହାଟକୁ ଯା, ଟୋକରି ଖାଲି କରିକି ଆସିବୁ |
ସନ୍ଧ୍ୟାବେଳେ ରାମୁଆ ମୁଣ୍ଡରେ ଖାଲି ଟୋକରି ଦେଖି ମାଲିକ୍ ଖୁସି ହୋଇଗଲା, ଭାବିଲା ଆରେ ବାଃ, ରାମୁଆ ଆଜି ବଡ଼ କାମ କରିଚି, ଆଜି କିଛି ତାକୁ ଇନାମ୍ ଦେବି |
ମାଲିକ୍ ପଚାରିଲେ ! ଆରେ କେତେ ପଇସା ହେଲା ଆଣିଲୁ ? ଆଣିଲୁ ଗଣିବା | ରାମୁଆ କହିଲା ! ଆଜ୍ଞା ପଇସା କାଇଁ ? ଆପଣ କହିଥିଲେ ଟୋକରି ଖାଲି କରି ଆସିବୁ, ନହେଲେ ଆସିବୁନି |ମତେ ତ ଆସିକି ରୋଷେଇ କରି ଖାଇବାକୁ ଦବାର ଅଛି |କିଛି ତ ବିକ୍ରି ହେଲାନି, କ’ଣ କରିବି ଭାବି ଭାବି ଅଧା ଖାଇଦେଲି ଅଧା ବାଣ୍ଟିଦେଲି |ବୁଝିଲେ ମାଲିକେ ସେମାନେ କମଳା ଖାଇକି ଖୁସିରେ ଆପଣଙ୍କୁ ବହୁତ ଆଶୀର୍ବାଦ ଦେଲେ, ଆପଣଙ୍କ ବହୁତ ପୂଣ୍ୟ ହେବ ବୋଲି କହିଲେ। ସେଇଆ ଜଣେଇବା ପାଇଁ ମୁଁ ଦୌଡ଼ି ଦୌଡ଼ି ଆସିଚି | ମାଲିକ ଭାବିଲେ ନା ଆଉ ହବନି ୟାର ବନ୍ଦୋବସ୍ତ କରିବାକୁ ପଡ଼ିବ |
ଆଉ ଦିନକର ଘଟଣା, ମାଲିକ ରାମୁଆର ଶୁଖିଲା ମୁହଁ ଦେଖି ପଚାରିଲେ, ଆରେ କ’ଣ ହେଲା ମୁହଁ କାହିଁକି ଶୁଖେଇଚୁ, କାଲି ଝିଅ ଘରକୁ ଯାଇଥିଲୁ ତୋ ବାହଘର କଥା ନେଇକି, କ’ଣ ହେଲା ?
ଆଜ୍ଞା, ଆପଣ ତ କହିଥିଲେ ସବୁ ଭଲମନ୍ଦ ପଚାରିବାକୁ, କଥାରେ କଥାରେ ଝିଅର ବାପାଙ୍କୁ ପଚାରିଲି -"ଆପଣଙ୍କ ବାହାଘର ହେଇଚି ତ ? ଏତିକିରେ ସିଏ ମତେ ଧକ୍କା ଦେଇ ଘରୁ ବାହାର କରିଦେଲେ | ଆଉ କ’ଣ ଝିଅ ଦେଖିବି |
ବାବୁ, ବାବୁ -ଆଜି ମୁଁ ବହୁତ ଖୁସି | କାହିକିଁ କିରେ ? କ’ଣ ଏମିତି ତୀର ମାରିଦେଲୁ ଯେ ଖୁସି ହଉଚୁ ? ବାବୁ, ବାଲ୍କୋନିରେ ପାରା ସବୁଦିନ ବହୁତ ଖରାପ କରୁଥିଲେ, ମୁଁ କ'ଣ କଲି ଜାଣିଛନ୍ତି ? କାଠର ଦଣ୍ଡାରେ କଣ୍ଟା ପିଟି ଦେଇଚି |ଦଣ୍ଡାକୁ ଠିଆ କରି ରଖିଦେଇଚି | ଯେତେବେଳେ ପାରା ଆସିବ କଣ୍ଟା ତା ଆଖିରେ ପଶିଯିବ ଯେ ଅନ୍ଧ ହେଇଯିବ, ଆଉ ବାଲ୍କୋନି ଖରାପ କରିବ କେମିତି ? କରିଚି ନା ଭଲ କାମ ଆଜ୍ଞା ? ବାବୁଙ୍କୁ ଲାଗୁଥିଲା, ସତେ ଯେମିତି ଆଜି ସିଏ ରାମୁଆର କଥାଶୁଣି ବେହୋସ ହେଇଯିବେ |
ବହୁତ ଭାବି ଚିନ୍ତି - ଜ୍ଞାନେନ୍ଦ୍ର ବାବୁ ନିଷ୍ପତ୍ତି ନେଲେ ଯେ -ଆଉ ରାମୁଆକୁ ରଖିହବନି | ସାଙ୍ଗର ଅନୁରୋଧକୁ ରକ୍ଷା କରି ଅନାଥ ପିଲାଟିକୁ ଗାଁରୁ ନେଇ ଆସିଥିଲି |ତାକୁ କାଲି ନେଇ ଗାଁରେ ଛାଡିଦେଇ ଆସିବି | ଆଉ ସମ୍ଭାଳିପାରିବିନି ଏଇ ଗଧକୁ |ଗାଁକୁ ତ ଜଙ୍ଗଲ ରାସ୍ତାରେ ଯିବାକୁ ପଡିବ |ସକାଳୁ ସକାଳୁ ବାହାରିପଡିଲେ ଦୁଇଜଣ | ଜଙ୍ଗଲ ରାସ୍ତାର ମଝାମଝି ହେଇ ଗଲେଣି ଅଚାନକ ଚୋର ଆସି ଛୁରି ଦେଖେଇ ଧମକେଇ ବ୍ୟାଗଟିକୁ ଛଡେଇନେଇ ଦୌଡି ପଳେଇଲା |ଜ୍ଞାନେନ୍ଦ୍ରବାବୁଙ୍କ ବୁଦ୍ଧି ହଜିଗଲା | ବ୍ୟାଗରେ ସାହୁକାରକୁ ସୁଝିବା ପାଇଁ ବଡ ଧରଣର ଧନରାଶି ଥିଲା | ମୁଣ୍ଡରେ ହାତ ଦେଇ ବସିପଡି କହିଲେ - ସବୁ ସରିଗଲାରେ ରାମୁଆ | ବ୍ୟାଗ ସାଙ୍ଗରେ ସବୁ ଧନରାଶି ବି ଗଲା |ଆପଣ ବି୍ଲକୁଲ ଚିନ୍ତା କରନ୍ତୁନି ଆଜ୍ଞା | ସବୁ ଧନରାଶି ତ ଏଇ ଗାମୁଛାରେ ବନ୍ଧାହେଇଚି, ମୋ ପାଖରେ ଅଛି |ଆପଣ ମତେ କହିଥିଲେ ବ୍ୟାଗରେ ଚାବି ପକେଇ ଦେ |ମୋର ସେଇ ସାଇକେଲ କଥା ମନେପଡିଗଲା | ସେଦିନ ଆପଣ କହିଥିଲେ- ଚାବି ପକେଇଲେ ବି ଚୋରିହେବାର ସମ୍ଭାବନା ଥାଏ |ସେଇଥିପାଇଁ ଏଇ ଗାମୁଛାରେ ସବୁ ବାନ୍ଧି ଦେଇଥିଲି | ଏଇଥିରେ ତ ଚାବି ପଡ଼ିନି | ଚୋରି ହେଇପାରିବନି |ଆଜି ରାମୁଆର ଭୋଳାପଣ ଲାଗି ଏତେ ବଡ ଚୋରିରୁ ରକ୍ଷାପାଇଗଲେ ଜ୍ଞାନେନ୍ଦ୍ର ବାବୁ |ରାମୁର ସରଳତା ଆଉ ବିଶ୍ୱାସ ଭାବ ଦେଖି ତାକୁ ଆଉ ଛାଡ଼ିବାର ନିଷ୍ପତ୍ତିକୁ ବଦଳାଇ ଦେଲେ |
