ଶୀତ
ଶୀତ
ଆକାଶ ବସିଚି ତା ଗାଁ ଦାଣ୍ଡପିଣ୍ଡାରେ |ସକାଳର ନିଆଁପୁଆଁ କେତେବେଳୁ ସରିଗଲାଣି ,କିନ୍ତୁ ତା’ର ସେଇ ପିଲାଦିନର ସ୍ମୃତିଗୁଡିକ
ଏବେ ବି ମନରେ ଉଙ୍କିମାରୁଚି |ଯେଯେମାଙ୍କ କୋଳରେ ବସି କାଶତଣ୍ଡ୍ଡିଫୁଲର ଗୀତ, କମ୍ବଳଭିତରେ ପଶି ରାମାୟଣର ଗପ ଆଜି ମଧ୍ୟ ତା’କୁ ଶୁଭୁଚି |
ନିଆଁପୁଆଁ ପରେ ଯେଯେମାଙ୍କର ଉଷୁମୁ ହାତକୁ ଗାଲରେ ମାଡିଦେବାର ସ୍ପର୍ଶ ଏବେ ବି ତାକୁ ଛୁଇଁ ଧରିଚି |ଯେଯେମା କୁହନ୍ତି
ଆମ ଭାରତବର୍ଷ ସଂସ୍କୃତି ପରମ୍ପରାର ଦେଶ | ପର୍ବପର୍ବାଣିରେ ଆମ ସଂସ୍କୃତି ପରିସ୍ଫୁଟିତ ହୋଇଚି |ଶରତଋତୁର ଆଗମନରୁ ହିଁ
ଶୀତଦିନର ଆଭାସ ମିଳିଯାଏ |ଆଶ୍ଵିନ ମାସସାରା ସନ୍ଧ୍ୟାରେ ଜହ୍ନିଫୁଲରେ ତୁଳସୀମୂଳକୁ ସଜାଇ ପୂଜା ଆରମ୍ଭ ହୋଇଯାଏ କୁଆଁରୀ
ମାନଙ୍କର |ଶରଦ ପୂର୍ଣ୍ଣିମାରେ ଜହ୍ନପୁଜା ପ୍ରକୃତି ମାଆର ପୁଜାଅର୍ଚ୍ଚନା ଶୀତଦିନକୁ ଗର୍ବିତ କରେ |କୁଆଁରୀ ଝିଅମାନଙ୍କର କୁଆଁରପୁନେଇ
ଗୀତ ଗାଁକୁ ମୁଖରିତ କରିଦିଏ |ଦୁର୍ଗାମା’ଙ୍କର ନବରାତ୍ରରେ ପୂଜା ଜୀବନକୁ ଆହୁରି ଉଲ୍ଲାସମୟ କରିଦିଏ |ଦୁର୍ଗାପୂଜାର ଷୋଡଷ ଉପଚାର ମନରେ ଶ୍ରଦ୍ଧାଭକ୍ତି
ଜାଗୃତ କରିଥାଏ |ଅଧର୍ମ ଉପରେ ଧର୍ମର ଜୟ ଆମ ଓଡିଆ ପରମ୍ପରାରେ ଦଶହରା ଅଥବା ବୀଜୟାଦଶମୀରେ ଦେଖିବାକୁ ମିଳେ |
ଆସିଯାଏ ପୁଣି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପାବଳୀରେ ପିଣ୍ଡଦାନ ଆମ ଓଡିଆ ଜାଟିର ଗୌରବ |ପୂର୍ବଜଙ୍କ ପ୍ରତି ଶଦ୍ଧାର
ପ୍ରତୀକ |”ବଡ ବଡିଆ ହେ ! ଅନ୍ଧାରରେ ଆସି ଆଲୁଅରେ ଯାଅ’’ କହି ରାତିରେ ପିତୃପୁରୁଷଙ୍କୁ ସ୍ଵସ୍ଥାନକୁ ପ୍ରସ୍ଥାନ କରିବାର ସନ୍ଦେଶ ,ହୃଦୟସ୍ପର୍ଶୀ
ହୋଇଥାଏ | କାର୍ତ୍ତିକମାସ ସାରା ତୁଳସୀପୁଜାର ମହତ୍ତ୍ଵ |ନାଗନାଗୁଣୀଙ୍କ ପୂଜା ଦୃଷ୍ଟିଶକ୍ତିବର୍ଧକ ବୋଲି ପ୍ରଚଳିତ |କାର୍ତ୍ତିକମାସରେ ସେଇ ଯେଉଁ
ଡଙ୍ଗାଭସାମଜା ,ଭୁଲିହୁଏନି |ତୁଳସୀଚଉରାମୂଳରେ ପୂର୍ବଦିନରାତି ସାରାଭାଗବତ ପାଠ, ରାସ |ଗାଁ ଖାଲି ପଡୁଥାଏ କି ଉଠୁଥାଏ ସେତେବେଳେ |
ପୂର୍ବଦିନରୁ କଦଳୀ ମଞ୍ଜାରେ ଡଙ୍ଗାକୁ ଗେଣ୍ଡୁଫୁଲରେ ସଜେଇ ପାନ,ଗୁଆ ରଖା ହେଇଥାଏ | ଓଡିଆ ସସ୍କୃତିର ପରମ୍ପରାରେ ସାଧବମାନଙ୍କୁ
ମେଲାଣି ଦିଅନ୍ତି ଜାଭା,ସୁମାତ୍ରାରେ ଯାଇ ବେପାର ବଣିଜ କରିବାପାଇଁ |ଶୀତରେ ଥୁରୁ ଥୁରୁ ହେଇ ରାତିରୁ ଉଠିଡଙ୍ଗାଭସାମଜା -ସେଥିରେ ପୂଣି କହିବାକୁ ହୁଏ
ଆ-କା-ମା- ପୋଇ, ଗୁଆ ପାନ ଥୋଇ, ଗୁଆ ପାନ ତୋର,ମାସିକଧର୍ମ ମୋର , ଦୀପ ଜଳେଇ ଡଙ୍ଗାଟିକୁ ମେଲାଣି ଦିଆହୁଏ | ଶୀତକୁ ଆକାଶମଲ୍ଲୀଫୁଲର
ମହକ ଆଜି ମଧ୍ୟ ମନକୁ ଛୁଇଁଯାଉଚି | ମନ୍ଦିରଦର୍ଶନ କେମିତି କେତେବେଳେ ସରିବ, ଭୋଗର ଚୁଡାମୁଆଁ, ମକାମୁଆଁ,ରାଶିଲଡୁ ଖାଇବାକୁ ମିଳିବ, ତା ଉପରେ ନଜର |
ଗାଁ ଯାକର ସମସ୍ତଙ୍କର ଭିଡ ଶିବମନ୍ଦିରରେ |ତା’ପରଠାରୁ ଲକ୍ଷ୍ମୀଙ୍କର ସ୍ଵାଗତରେ ଘରର ସଜ୍ଜାବଟ ଆରମ୍ଭ ହେଇଯାଏ | ଗେଣ୍ଡୁଫୁଲର କି ମହତ୍ତ୍ଵ | ଯେଯେମା କୁହନ୍ତି,
କୁଆଡେ ପ୍ରଥମାଷ୍ଟମୀରେ ପ୍ରଥମେ ପୋଢୁଆଁ, ଦୁହାଁ ଗେଣ୍ଡୁଫୁଲରେ ପୂଜା ହେଲେ ତା’ପରେ ଗୁରୁବାରରେ ମା ଲକ୍ଷୀଠାକୁରାଣୀଙ୍କୁ ଅର୍ପଣ କରାଯାଏ |ମା ପାଇଁ ପିଲା ଆଗ|
ଝିଅର ବାପଘର ସହିତ ସମ୍ପର୍କ ଅବ୍ୟାହତ ରଖିବାର ପରମ୍ପରା ପ୍ରଥମାଷ୍ଟମୀରେ ଦେଖିବାକୁ ମିଳେ |ମାମଁଘରୁ ବିରି,ଚାଉଳ, ନଡିଆ ଆସିଲେ ସେଇଥିରେ ହଳଦୀପତ୍ରରେ ଇଣ୍ଡୁରି ପୂଜା ହେବାର ବିଧି |ପୌଷ ରବିବାର ସୂର୍ଯ୍ୟଦେବଙ୍କର ପୂଜା |ବସନ୍ତପଞ୍ଚମୀରେ ହଳଦିଆ ଲୁଗାପିନ୍ଧି ସରସ୍ଵତୀଙ୍କ ପୂଜାରେ ପାଠରୁ ଛୁଟି |, ହଳଦୀବସନ୍ତର କୁହୁ କୁହୁ ତାନ ,ଜୀବନକୁ ଭକ୍ତିମୟ, ରସମୟ ମଧ୍ୟ କରିଦିଏ | ପିକନିକ ,ବଣଭୋଜି ଯେମିତି ଶୀତର ପ୍ରତୀକ୍ଷାରେ ବସିଥାଏ | ବେଶ ଆକୃଷ୍ଟ କରେଇଦିଏ ସମସ୍ତଙ୍କୁ ଶୀତ | ବିବାହ,ବ୍ରତୋପନୟନ ରେ ଶୀତଦିନର ମଜା ଆହୁରି ଆନନ୍ଦଦାୟକ ହୋଇଉଠେ |କିନ୍ତୁ ଆଜି ସବୁ ଫିକା ପଡିଯାଇଚି |’ମାଘର ହାଡଭଙ୍ଗା ଶୀତ’ଯେଯେମା ସମ୍ଭାଳିପାରିଲେନି, ସମସ୍ତଙ୍କୁ ଛାଡିଚାଲିଗଲେ |ସେହିଦିନଠାରୁ ଶୀତ ପ୍ରତି ତିକ୍ତତାର ସୃଷ୍ଟି |ପାଉଁଶକୁ ଧରି ଅଭୂଲାଦିନର ସ୍ମୃତିକୁ ଖୋଜୁଚି |ବୋଧହୁଏ ପ୍ରକୃତି ମା’ଜୀବନର ସୁଖଦୁଃଖ ଉଭୟ ପକ୍ଷକୁ ଅତି କୋମଳ ଆଉ କଠୋର ଭାବରେ ଶିଖାଇଦଉଚି |
