Sneha Mishra

Others

4  

Sneha Mishra

Others

ଦୋ’ ଛକି

ଦୋ’ ଛକି

2 mins
277


ଗୁମ ସୁମ ହେଇ ବସିଚି ବିନୟ | ଅସ୍ତଗାମୀସୂର୍ଯ୍ୟ କେତେବେଳୁ ରକ୍ତିମ ସୁନେଲି ପ୍ରଭାକୁ କୋଳେଇ ନେଲେଣି, ଜାଣିପାରିନି |ତମ ଅନ୍ଧକାରର ଘନ ଛାୟାରେ ବିସ୍ତୃତ ତରଙ୍ଗ କେବଳ ସ୍ଫଟିକମଣି ସମାନ ସାଗର ବକ୍ଷରେ ମଝିରେ ମଝିରେ ଉଙ୍କିମାରୁଛନ୍ତି | ଶବ୍ଦାୟିତ ତରଙ୍ଗମାଳାର ଗର୍ଜ୍ଜନ ଧ୍ଵନିରେ ସାଗରବେଳା ପ୍ରତିଧ୍ଵନିତ ହେଉଛି, କିନ୍ତୁ ବିନୟ ? ବିନୟ ଏକ ସନ୍ଧାନର ଅନୁସନ୍ଧାନରେ ନିବିଡ ମଗ୍ନ ହୋଇ ଯାଇଚି, ଭୁଲିଯାଇଚି ନିଜକୁ |ସମୟର ଖେଳକୁ ତନ୍ନ ତନ୍ନ କରି ପରଖିବାପାଇଁ ତତ୍ପର ହୋଇ ଉଠିଚି |ଆଖି ଆଗରେ ନାଚି ଉଠୁଚି ତା’ର ପିଲାଦିନର ଦୃଶ୍ୟ |

ସେଦିନ ଫୁଟବଲ ପ୍ରତିଯୋଗିତାର ଅନ୍ତିମ ଦିବସ ଥାଏ | ପ୍ରତିଦ୍ଵନ୍ଦୀ ପକ୍ଷର ବିଜୟ ଯେ ନିଶ୍ଚିତ, ବୁଝି ହେଉଥାଏ |ହଠାତ ଯେମିତି ସବୁ କିଛି ଓଲଟପାଲଟ ହେଇଗଲା | ମୁହୂର୍ତ୍ତକ ଭିତରେ ସମସ୍ତେ ସ୍ତମ୍ଭିତ, ଚକିତ ହୋଇ ରହିଗଲେ | ପ୍ରତିଯୋଗିତାର ପରିଣାମ ଘୋଷଣା କଲାବେଳେ ନିଜକୁ ରୋକିହେଉନଥିଲା |କରତାଳି ଧ୍ଵନିରେ ଗଗନ ପ୍ରକମ୍ପିତ ହେଇ ଉଠୁଥିଲା |ସମ୍ବର୍ଦ୍ଧିତ ସମ୍ମାନୀୟ ଅତିଥି ଭାବରେ ବାପା ସାମ୍ନା ଧାଡିରେ ବସି ଦେଖୁ ଦେଖୁ ଦଉଡି ଆସି କୋଳାଗ୍ରତ କରିନେଇଥିଲେ, ମଥାରେ ଚୁମ୍ବନ ପରେ ପରେ ଚୁମ୍ବନ ଦେଇ ଆଶୀର୍ବଚନ ଦେଉଥାନ୍ତି |ସାମାନ୍ୟ ଏକ ପ୍ରତିଯୋଗିତାର ପରିଣାମରେ ଏତେ ସ୍ନେହ, ଆଦର ମିଳିଥିଲା, କିନ୍ତୁ ଆଜି ? ଯେତେବେଳେ ଏତେବଡ ପଦବୀ ପ୍ରାପ୍ତ କରି 

ଘରକୁ ଫେରିଥିଲି, ବାପାଙ୍କ ମୁହଁରେ ଖୁସୀର ଝଲକଟିଏ ମଧ୍ୟ ଦେଖିପାରୁନଥିଲି | ମତେ ଦେଖି କୁଣ୍ଢେଇପକେଇବା ତ ଦୂରର କଥା, ଅଜଣାଙ୍କ ପରି ବାପା ତାଙ୍କ ଶୋଇବା ଘରକୁ ଚାଲିଯାଇଥିଲେ | ଆଉ ଦେହ ଖରାପର ବାହାନା କରି ଖାଇବା ବେଳେ ମଧ୍ୟ ଭୋଜନ କକ୍ଷକୁ ଆସି ନ ଥିଲେ | ବହୁତ ଚେଷ୍ଟା କରିଥିଲି କିନ୍ତୁ ବିଫଳ ହେଇଥିଲି |ବାପାଙ୍କୁ ମନେଇ ପାରିନଥିଲି | ମନୋଜ ମଉସାଙ୍କ ଝିଅ ରାନୁର ଦାୟିତ୍ଵ ନିଜ ଉପରେ ରହିଲା ବୋଲି ବାପା ନିଜ ସାଙ୍ଗ ମନୋଜ ମଉସାଙ୍କ ଅନ୍ତିମ ସମୟରେ କଥା ଦେଇଥିଲେ | ତାଙ୍କର କଥା ର ମର୍ଯ୍ୟାଦା ରଖିବାର ସମସ୍ତ ଆଶା ଟି ମୋ ଉପରେ | କିନ୍ତୁ ମୋର ଭବିଷ୍ୟତ, ପଦବୀ ଅନିଶ୍ଚିତ ନେଇ କିପରି ବାପାଙ୍କ କଥା ରକ୍ଷା କରିପାରିବି, ମୋ ଅନ୍ତର୍ମନ ଦ୍ଵନ୍ଦ ରେ ପକେଇଦେଉଛି |

ଅପର ପକ୍ଷରେ ବାପା ଜଣେ ସଚ୍ଚୋଟ, ସତ୍ୟପ୍ରିୟ ଲୋକ | ସେ କଥା ଦିଅନ୍ତି ମାନେ ସେଥିରେ ଅଟଳ ରୁହନ୍ତି |ଏହି ଚାକିରୀର ନିଯୁକ୍ତି ପାଇଁ ମୋ ଠାରୁ ଭଲ ଭଲ ମେଧାବି ଛାତ୍ର ମନୋନୀତ ହେଇଥିଲେ, କିନ୍ତୁ ମତେ ଏହି ପଦବୀ ଟି ମିଳିବା ପଛର କାରଣ ସେ ଜାଣିପାରିଥିଲେ |ସମାଜର ପ୍ରତିଷ୍ଠିତ ଶିଳ୍ପପତି ବିକାସଚନ୍ଦ୍ରବାବୁଙ୍କ କାର୍ଯାଳୟରେ ମୋର ଏହି ବଡ ପଦବୀର ରହସ୍ୟ, ଅନ୍ୟ କିଛି ହେଇଥିବ, ତାଙ୍କର ଅଭିଜ୍ଞତା ତାଙ୍କୁ ଇଶାରା କରେଇଦେଉଥିଲା | ସେଥିରେ ମୋର ନିଜର ପୁରୁଷାର୍ଥ ଅପେକ୍ଷା ଶିଳ୍ପପତି ବିକାସବାବୁଙ୍କ ଏକମାତ୍ର କନ୍ୟା ଲୋପାମୁଦ୍ରାର ମୋ ପାଇଁ ସୁପାରିଶ, ମୁଖ୍ୟ କାରଣ ଥିଲା | ମୋର ମଧ୍ୟ ଲୋପାମୁଦ୍ରାପ୍ରତି ଦୁର୍ବଳତା, ଭାବୀ ଶ୍ଵଶୁରଙ୍କ ଘର ଜୁଆଇଁ କରିବାର ଚତୁରତାକୁ ବାପା ସ୍ପଷ୍ଟ ପଢିପାରୁଥିଲେ |ମୋର ସ୍ଵତନ୍ତ୍ରତା ଉପରେ ବାପାଙ୍କର କେବେ ପ୍ରତିବନ୍ଧ ନଥାଏ |କିନ୍ତୁ ଦ୍ଵନ୍ଦ୍ଵ ପ୍ରତିଦ୍ଵନ୍ଦ୍ଵର ଅନ୍ତର୍ବହ୍ନି ଜ୍ଵାଳାର ଉପଶମ କରିବାକୁ ସମୁଦ୍ରତଟର ମନ୍ଦସମୀରରେ ହଜିଯାଇଚି ଆଜି | 


Rate this content
Log in