STORYMIRROR

Padmalaya Mishra

Drama Tragedy Inspirational

4  

Padmalaya Mishra

Drama Tragedy Inspirational

ନିରାକାର

ନିରାକାର

6 mins
9



     ଦୀର୍ଘ କୋଡିଏ ବର୍ଷ ପରେ ଆଜି ଘରକୁ ଯାଉଛି । ବାପାଙ୍କ ପାଦ ଛୁଇଁ ସେଦିନର ଭୁଲ୍ ପାଇଁ କ୍ଷମା ମାଗିନେବ । ବୋଉ ହାତ ରନ୍ଧା ଖାଇ ତା' କାନିରେ ମୁହଁ ପୋଛିବ । ସାନ ଭାଇ ଭଉଣୀ ଙ୍କୁ ଗେଲ କରିବ । 


    ପୁଣି ଟିକେ ଭାବିଲା ନୀଲମ୍.... ବାପା କାହିଁକି ଘରକୁ ଡାକିଛନ୍ତି ମତେ । ଜଣେ ସମାଜସେବୀ ଭାବରେ ଦେଖା କରିବାକୁ ଚାହାନ୍ତି ନା ନିଜ ପ୍ରଥମ ସନ୍ତାନ ନିରାକାରକୁ ଭେଟିବାକୁ ଚାହାଁନ୍ତି । ବାପା କଣ ଜାଣନ୍ତି ତାଙ୍କ ପ୍ରଥମ ସନ୍ତାନ ନିରାକାର, ଯାହାକୁ ସେ କିନ୍ନର ବୋଲି କେବେ ବି ଗ୍ରହଣ କରି ପାରି ନାହାନ୍ତି, ସେ ହିଁ ଆଜିର ପ୍ରକ୍ଷାତ ସମାଜସେବୀ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କିନ୍ନର ନୀଲମ୍ ଦେବୀ ।


    ଗାଡ଼ି ଯେତେ ଆଗକୁ ଗତି କରୁଥାଏ, ନୀଲମ୍ ଦେବୀ ସେତେ ଅତୀତର କାହାଣୀ ମନେ ପକାଉଥାନ୍ତି ଓ ବାଉରୀବନ୍ଧୁ ସାମଲଙ୍କ ପରିବାରର ସଦସ୍ୟ ହିସାବରେ ନିଜ ଅସ୍ତିତ୍ଵ ଖୋଜୁଥାନ୍ତି ।


    ଜନ୍ମ ସମୟରେ ହିଁ ଜଣା ପଡ଼ି ଯାଇଥିଲା ଯେ ମମତା ଓ ବନମାଳୀ ଙ୍କ ପ୍ରଥମ ସନ୍ତାନ କିନ୍ନର । ମମତା ମା। ନିଜର ପ୍ରଥମ ସନ୍ତାନ କିନ୍ନର ହେଲେ ବି ଦଶମାସ ଗର୍ଭ କଷ୍ଟ ସହି ଜନ୍ମ କରିଛନ୍ତି, ତେଣୁ ଆଡେଇ ଦେଇ ପାରିଲେନି । ଓଲଟି ବିଧାତା ଉପରେ ଅଭିମାନ କଲେ ଓ ସନ୍ତାନକୁ କୋଳେଇ ନେଲେ । କିନ୍ତୁ ପିତା ବନମାଳୀ ସେଇ ହସ୍ପିଟାଲରେ ଛାଡି ଆସିବା ପାଇଁ ମମତାଙ୍କୁ ବାଧ୍ୟ କରିଥିଲେ । ହେଲେ ଶଶୁର ବାଉରୀବନ୍ଧୁଙ୍କ ଯୋଗୁଁ ସନ୍ତାନକୁ ଘରକୁ ନେଇ ଆସି ପାରିଲେ ମମତା । 


    ବାଉରୀବନ୍ଧୁ ସାମଲ ଆଖପାଖ ଅଞ୍ଚଳର ସୁନାମଧନ୍ୟ ବ୍ୟକ୍ତିତ୍ୱ । ଉଦାରବାଦୀ ଓ କର୍ମଯୋଗୀ । ଲଗାତାର ପଞ୍ଚମ ଥର ବି ସେ ସରପଞ୍ଚ ପଦବୀ ଅଳଙ୍କୃତ କରିଛନ୍ତି । ବୟସ ସତୁରି କିନ୍ତୁ ଯୋରଦାର୍ ଆବାଜର ଅଧିକାରୀ । ତାଙ୍କ ନିଷ୍ପତ୍ତିକୁ କେହି ଆଡେଇ ଦେଇ ନାହାନ୍ତି । ପୁଅ ବନମାଳୀ ମଧ୍ୟ ବାପାଙ୍କ ନିଷ୍ପତ୍ତିକୁ ବିରୋଧ କରି ପାରିଲେ ନାହିଁ ।


    ନାମ ଦିଆଗଲା ନିରାକାର । ନିଜର ଚମତ୍କାର ବୁଦ୍ଧି ଓ ବାକପଟୁତା ଯୋଗୁଁ ଜେଜେ ବାପାଙ୍କ ନୟନର ତାରା ପାଲଟି ଯାଇଥିଲା ନିରାକାର ଓରଫ ନୀରୁ । ଗୋରା ଦେହ, କଥାକୁହା ଆଖି, ଗୁଲୁଗୁଲିଆ ଗାଲ । ବାପା କାହିଁକି କେବେ ଗେଲ କରନ୍ତି ନାହିଁ ବୋଲି ବୋଉକୁ ଅନେକ ଥର ପ୍ରଶ୍ନ କରିଛି । ବୋଉ ନୀରବ ରୁହେ କିନ୍ତୁ ଜେଜେବାପା କାନ୍ଧରେ ବସେଇ ଦାଣ୍ଡରେ ବୁଲାନ୍ତି । ତୋ ବାପାର ବାପା ତତେ ଗେଲ କରୁଛି । ସେ ମୂର୍ଖ କାହୁଁ ବୁଝିବ ହୀରାର ମୂଲ୍ୟ । ଛୋଟ ପିଲା ନୀରୁ । ଜଳଜଳ ହେଇ ଇଆଡେ ସିଆଡେ ଚାହିଁ ଜେଜେବାପାଙ୍କୁ ଶୁଣୁଥାଏ ।


   ଯେତେବେଳେ ନୀରୁ ମାତ୍ର ଆଠ ବର୍ଷର, ଜେଜେବାପା ବାଉରୀବନ୍ଧୁ ସ୍ଵର୍ଗାରୋହଣ କଲେ । ଏକୁଟିଆ ହେଇଗଲା ପରି ଅନୁଭବ କଲା । ବୋଉ କିଛି ମାତ୍ରାରେ ତାକୁ ବୁଝେ । ହେଲେ ସେତେବେଳକୁ ସାନଭାଇ ନୈତିକ୍ ପାଞ୍ଚ ବର୍ଷର ଓ ସାନ ଭଉଣୀ ନିର୍ଝରା ମାତ୍ର ଦେଢ଼ ବର୍ଷର । ତେଣୁ ବୋଉ ଉପରେ ବହୁତ ଦାୟିତ୍ୱ ଜାଣି ନିଜ ମନ ଦୁଃଖକୁ ମନରେ ରଖେ ନୀରୁ । ଏପଟେ ବାପା ପ୍ରତି କଥାରେ ଗାଳି, ପ୍ରତି କଥାରେ ମାଡ଼ । 


    ବୋଉ ମୁହଁକୁ ଚାହିଁ ଦୁଃଖ ଭୁଲିବାକୁ ଚେଷ୍ଟା କରେ ନୀରୁ । 


    ଜେଜେବାପାଙ୍କ ପ୍ରଥମ ବର୍ଷିକିଆ ଶ୍ରାଦ୍ଧ । ଘରେ କୁଣିଆ ମୈତ୍ର ଭର୍ତ୍ତି । ଦାଣ୍ଡରେ ଆଖପାଖ ଗାଁର ଲୋକ ବି ଆସି ବସିଛନ୍ତି । ନ ବର୍ଷର ନୀରୁ ସବୁ କାର୍ଯ୍ୟରେ ସମସ୍ତଙ୍କୁ ସାହାଯ୍ୟ କରୁଥାଏ । ପାଣି ନେଇ ବାପାଙ୍କ ସାଙ୍ଗ ମାନଙ୍କୁ ଦେଉଥାଏ । ହାତରୁ ଗୋଟେ ଗିଲାସ ଖସି ପଡିବାରୁ ବାପାଙ୍କ ଗାଳି ଆରମ୍ଭ ହେଇଗଲା । ଟିକେ ତେଢିକି କହିଦେଲା, ପାଣି ଗିଲାସ ତ ଖସି ପଡିଲା। କଣ ହେଲା ସେଥିରୁ । ମତେ ଜବାବ ଦଉଛୁ କହି ଦି ଗାଲରେ ଦିଟା ଚଟକଣି । 


    ଏତେ ଲୋକଙ୍କ ଆଗରେ ଅପମାନରେ ଜଳି ଉଠିଲା ନୀରୁ ।ଗୋଟେ ଗ୍ଲାସ ବାପାଙ୍କ ମୁଣ୍ଡକୁ ଫିଙ୍ଗି ସେ ଯାଗା ଛାଡି ଦଉଡି ଚାଲିଲା ଗାଁ ମଶାଣି ଆଡ଼କୁ । ଗଛ ମୂଳେ କାନ୍ଦି କାନ୍ଦି କେତେବେଳେ ଶୋଇ ପଡ଼ିଲା । 


    ନିଦ ଭାଙ୍ଗିଲା ବେଳକୁ ସୂର୍ଯ୍ୟ ଉଦୟ ହେଇ ସାରିଲେଣି । ଗାଁ ଲୋକେ ଯେଝା କାମରେ ଯିଏ ବ୍ୟସ୍ତ । ମତେ ରାତି ସାରା କେହି ଖୋଜି ନାହାନ୍ତି ?? 


   ଅଭିମାନ ଓ ଆଶ୍ଚର୍ଯ୍ୟରେ ଉତ୍ତର ଭାବି ଭାବି ଆସି ବାଡି ପିଣ୍ଡା ଚଢିଲା ବେଳକୁ ବୋଉର କାନ୍ଦ ଶୁଭୁଥିଲା ।ମୋ ପିଲା କୁଆଡେ ଗଲା ଖୋଜିକି ଆଣ । ଏଡିକି ବକଟେ ପିଲାକୁ ମୋର ତୁମେ ସଦା ସର୍ବଦା ମାଡ଼ଗାଳି କରୁଛ । ଇଚ୍ଛା ହଉଥିଲା, ଦୌଡି ଯାଇ ବୋଉକୁ କୁଣ୍ଢେଇ ଧରିବି । 


   କିନ୍ତୁ ବାପା ଓଲଟି ବୋଉକୁ ଗାଳି କଲେ । ସେ କାହାର ପିଲା, ମୁଁ କହି ପାରିବିନି। କିନ୍ତୁ ମୋର ହେଇ ନପାରେ । ବନମାଳୀ ସାମଲର ଛୁଆ ଗୋଟେ କିନ୍ନର, ଭାବିଲା ବେଳକୁ ମୋ ମର୍ଯ୍ୟାଦା ହାନି ହେଉଛି ।


   ଆଉ ନଫେରୁ । ମୋ ସାମନାରେ ତାକୁ ଦେଖିଲେ ଘୃଣା ଲାଗୁଛି । ଯେତେବେଳେ ସମସ୍ତେ ଜାଣିବେ, ସାମଲ ବଂଶର ପ୍ରଥମ ସନ୍ତାନ ଏକ କିନ୍ନର, କଣ ଆଉ ବାକି ରହିବ । ମାନ ସମ୍ମାନ ସବୁ ମାଟିରେ ମିଶି ଯିବ । 


    ଏଥର ପଛଘୁଞ୍ଚା ଦେଲା ନୀରୁ । କିନ୍ନର କିଏ ? ବାପା ମୋତେ କିନ୍ନର କାହିଁକି କହୁଛନ୍ତି ? ମୋ ଯୋଗୁଁ ପରିବାରର ମାନ ସମ୍ମାନ କିପରି ମାଟିରେ ମିଶିବ ? 


   ଏବେ ବୋଉ ସାମନାକୁ ଗଲେ, ଆଉ ବୋଉ ଛାଡ଼ିବନି । କିନ୍ତୁ ବାପା ମୋ ପାଇଁ ଏତେ ଦୁଃଖରେ ଅଛନ୍ତି । ତେଣୁ ଭାଗ୍ୟ ଯୁଆଡେ ନେଇ ଯିବ ଯିବି । 


   ବସ୍ ଧରି ଆସି ପହଞ୍ଚିଲା ଭୁବନେଶ୍ୱରରେ । ଘଟଣା ଚକ୍ରରେ ନୀରୁ କିନ୍ନର ଅର୍ଥ ଜା

ଣି ପାରିଲା । ବାପାଙ୍କ ତା ପ୍ରତି ଘୃଣା ମନଭାବ ବି ବୁଝି ପାରିଲା । ତାର ନାମ ଜେଜେବାପା କାହିଁକି ନିରାକାର ଦେଇଥିଲେ, ସେ ହୃଦୟଙ୍ଗମ କଲା । 


    ନିଜ ପରି ପରିବାର ଓ ସମାଜ ଠାରୁ ବାସନ୍ଦ ହୋଇଥିବା ଲୋକଙ୍କ ସହ ଭେଟିଲା । ସେମାନେ ଆଦରରେ ଆପଣେଇ ନେଲେ । ନିଜକୁ ତାଙ୍କରି ରଙ୍ଗରେ ରଙ୍ଗାୟିତ କଲା । ପାଲଟି ଗଲା ନିରାକାର ସାମଲରୁ ନୀଲମ୍ ଦେବୀ ।


    ଆଜି ବାପା ବୋଉ ଭାଇ ଭଉଣୀ ସହ ମିଶିବାର ଏକ ଅପୂର୍ବ ଆନନ୍ଦରେ ଶିହରି ଉଠୁଥିଲା ତନୁ ମନ । ଭୁବନେଶ୍ୱର ରୁ ଗାଁ ମାତ୍ର ତିରିଶ କିଲୋମିଟର । କେବେ ବି ସେ ବ୍ୟବଧାନକୁ ଅତିକ୍ରମ କରିବାକୁ ଚେଷ୍ଟା କରି ନାହାନ୍ତି ନୀଲମ୍ ଦେବୀ । କିନ୍ତୁ ଯେବେ ଶୁଣିଲେ, ମନ୍ତ୍ରୀ ବନମାଳୀ ସାମଲ ତାକୁ ଭେଟ କରିବାକୁ ଚାହାନ୍ତି, ନିଜେ ଯାଇ ଭେଟ କରିବା ଠିକ୍ ହେବ ଭାବିଲେ । ଏଇ ବାହାନାରେ ସଭିଙ୍କୁ ଭେଟି ପାରିବି । ହେଲେ ଆଶ୍ଚର୍ଯ୍ୟ ଲାଗିଲା, ମନ୍ତ୍ରୀ ହୋଇ ବାପା ଭୁବନେଶ୍ୱର ଘରେ ଦେଖା ନକରି ଗାଁ ଘରକୁ କାହିଁକି ଡାକିଲେ ।


   ଅନେକ ପ୍ରଶ୍ନ ଜାଲ ଓ ଅନେକ ଆଶା ମନରେ ଗୁଡେଇତୁଡେଇ ହେଉଥିଲେ ।


   ନାନୀ ମନ୍ତ୍ରୀ ସାହେବଙ୍କ ଗାଁ ଆସିଗଲା । ନିଜ ସହକର୍ମୀ ମଞ୍ଜୁଳା ଦେବୀଙ୍କ ମୃଦୁ କଥା ଓ ସ୍ପର୍ଶରେ ଅତୀତ ସାଗର ଓ ବର୍ତ୍ତମାନ ପ୍ରଶ୍ନାବଳୀରୁ ବାହାରି ଆସିଲେ ନୀଲମ୍ ଦେବୀ ।


   କୋଡିଏ ବର୍ଷରେ ଗାଁର ଚିତ୍ର ପୁରାପୁରି ବଦଳି ଯାଇଛି । ଗୋଟେ ହେଲେ ଚାଳଘର ନାହିଁ । ଅଳ୍ପ କିଛି ପୁରୁଣା ମୁହଁକୁ ଛାଡି ଦେଲେ ସମସ୍ତେ ଅଚିହ୍ନା । 


   ଗାଡି ତାଙ୍କ ପିଲାଦିନର ଘର, ଯୋଉଠି ଅନେକ ସ୍ମୃତି ଅଛି ତା ହତାରେ ଅଟକିଲା । ଗାଡିରୁ ଓହ୍ଲେଇବା ମାତ୍ରେ ପାଛୋଟି ନେଲେ କିଛି କୁଜି ନେତା, ଯେଉଁ ମାନେ ମନ୍ତ୍ରୀଙ୍କ ତୋଷାମଦ କରିବାକୁ ଅଛନ୍ତି । 


    ଘରେ ପଶୁ ପଶୁ ସବୁ ଉତ୍ସାହ ପାଣି ଫୋଟକା ପରି ମିଳେଇ ଗଲା । ସାମନାରେ ବାପା ବୋଉ ଭାଇ ଭଉଣୀ ଫଟୋ । ତାହେଲେ ନୈତିକ..... 


   ଚାରିଦିନ ତଳେ ଏକ ନିଛାଟିଆ ଯାଗାରେ ଚଉଦ ବର୍ଷର ଝିଅ ସାଙ୍ଗେ ଛ ଜଣ ଗଣଦୁଷ୍କର୍ମ କରୁଥିଲେ । ସେ ଝିଅ କୁ ଉଦ୍ଧାର କରିବା ସହ ନୀଲମ୍ ଦେବୀ ଓ ତାଙ୍କ ସାଥି ମାନେ ସେ ଛ ଜଣ ଅପରାଧୀଙ୍କୁ ଧରି ଥାନାରେ ଦେଇଥିଲେ । ଛ ଜଣ ଯାକ କଲେଜ ପଢା ପିଲା । ଧନୀ ଘରର । ସେମାନଙ୍କୁ ଛାଡି ଦେବା ପାଇଁ ପୋଲିସ ଉପରେ ଚାପ ପଡୁଥିଲା । ତେଣୁ ଝିଅଟିର ଦେଖାଶୁଣା ସହ କେସ୍ ମଜବୁତ କରିବା ଓ ଦୋଷୀ ମାନଙ୍କୁ ଦଣ୍ଡ ଦେବା ଦାୟିତ୍ୱ ନୀଲମ୍ ଦେବୀଙ୍କ ସଂସ୍ଥା ନେଇଛି ।


   ନୈତିକ ଫଟୋ ଦେଖିଲା ପରେ ବାପାଙ୍କ ଭେଟିବାର ଇଚ୍ଛା କାରଣ ଜାଣି ପାରିଲେ । ସେ ଛ ଜଣ ଅପରାଧୀ ମଧ୍ୟରେ ଜଣେ ନୈତିକ ।


    ମନ୍ତ୍ରୀ ବନମାଳୀ ସାମଲ ଆସିଲେ । ମୁହଁରେ ସେଇ ତେଜ , ଯାହା ସେ ପିଲାଦିନେ ବାପାଙ୍କ ମୁହଁରେ ଦେଖିଥିଲେ । 


    କେତେ ଟଙ୍କା ନେଲେ ତୁମ ସଂସ୍ଥା ଏ କେସରୁ ଓହରି ଯିବ ? 


    ଏମିତି ଏକ ପ୍ରଶ୍ନରେ ଆଦୌ ବିଚଳିତ ହେଲେ ନାହିଁ ନୀଲମ୍ ଦେବୀ । ଓଲଟି ହସିଦେଲେ । 


    ଚାହା ପାଣି ଜଳଖିଆରେ ଆପାୟିତ କରିବା ପାଇଁ ସାମନାରେ ଆଣି ରଖିଦିଆ ଗଲା । ତା ସହ ଏକ ବ୍ଲାଙ୍କ୍ ଚେକ୍ ।


    ମୁଁ କିନ୍ନର । ଗୋଟିଏ ଝିଅର ଦୁଃଖ ବୁଝି ପାରୁଛି । କଷ୍ଟ ଅନୁଭବ କରି ପାରୁଛି । ଅଥଚ... ଏକ କନ୍ୟାର ପିତା ହୋଇ ଆପଣ ବୁଝି ପାରୁ ନାହାଁନ୍ତି । ଆ... ଶ୍ଚ..... ର୍ଯ୍ୟ ।


   ମୁଁ ଶୁଣିଛି, ଆପଣଙ୍କର ପ୍ରଥମ ସନ୍ତାନ କିନ୍ନର ଥିଲା ବୋଲି ଅପମାନିତ ଅନୁଭବ କରୁଥିଲେ । ଆଉ ଏବେ ଅପମାନରୁ ବଞ୍ଚିବା ପାଇଁ, ମାନ ସମ୍ମାନ ରକ୍ଷା ପାଇଁ ଟଙ୍କାର ସାହାଯ୍ୟ ନେଉଛନ୍ତି । ଆପଣଙ୍କୁ କଣ କହିବି ଜାଣି ପାରୁନାହିଁ । 


   ମତେ କ୍ଷମା କରିବେ କହି ବାହାରିବାକୁ ଉଦ୍ୟତ ହେଲା ବେଳକୁ ନୀରୁ ଡାକରେ ଚମକି ପଡିଲେ । ପିଲାଦିନେ ବାପାଙ୍କ ମୁହଁରୁ ଏମିତି ଡାକ ଶୁଣିବା ପାଇଁ କାନଉଥିଲେ । କେବେ ଶୁଣିବାକୁ ପାଇ ନଥିଲେ । 


   ନିଜ ଭାଇକୁ ବଞ୍ଚା । ନହେଲେ ବୋଉ ଏ ଦୁଃଖ ସହି ପାରିବନି ।


   ପ୍ଲିଜ..... ଆପଣ ବୋଉର ସାହାରା ନିଅନ୍ତୁ ନାହିଁ । କେବେ ବି ତା ମନ କଥା ବୁଝିଛନ୍ତି । ସବୁବେଳେ ସମ୍ମାନ ମର୍ଯ୍ୟାଦା.... । ଆଜି ବି ଆପଣ ବୋଉକୁ ଢାଲ କରି ସେହି ମିଛ ସମ୍ମାନ ବଞ୍ଚେଇବା ପ୍ରକ୍ରିୟାରେ ଅଛନ୍ତି । ଯାହାକୁ ନୈତିକ ପାଦରେ ଦଳି ଦେଇଚି । 


    ଟିକେ ନୀରବ ରହି ପୁଣି ନିରାକାର କହିଲେ, " ନୈତିକ ସହ ସେ ଝିଅକୁ ସାବାଳିକା ହେଲା ପରେ ବିବାହ କରାଇବେ ବୋଲି ଗଣମାଧ୍ୟମରେ ପ୍ରତିଶ୍ରୁତି ଦେଇ ପାରିବେ । " 


   ବୋଉ ଗୋଟେ କଣରେ ଆଢୁଆଳରେ ଠିଆ ହୋଇ କାନ୍ଦୁଥିଲା । ନିର୍ଝରା ତାକୁ ବୁଝଉଥିଲା ।


   ମନ୍ତ୍ରୀ ସାହେବ ମୋ ପ୍ରଶ୍ନକୁ ଭାବିବେ ନିଶ୍ଚୟ । 


   ଯେତେବେଳେ କେହି ପୁରୁଷ ଦୁଷ୍କର୍ମ କଥା ଚିନ୍ତା କରିବ, ଯଦି ଭଗବାନ ସେହିକ୍ଷଣି ନପୁଂସକ କରିଦେବେ ତେବେ ବୋଧହୁଏ ଏ ସମାଜ ପରିବର୍ତ୍ତିତ ହେବ ।


   ନୀଲମ୍ ଦେବୀ ଚାଲି ଯାଉଥିଲେ । ମନ୍ତ୍ରୀ ବନମାଳୀ ସାମଲଙ୍କୁ ନିରାକାର ମଧ୍ୟରେ ସେହି ପରଂବ୍ରହ୍ମଙ୍କ ଆକାର ଦିଶୁଥିଲା ।।


              



Rate this content
Log in

Similar oriya story from Drama