Padmalaya Mishra

Classics Inspirational Others

3  

Padmalaya Mishra

Classics Inspirational Others

ନୀରବତାର ଧ୍ଵନି

ନୀରବତାର ଧ୍ଵନି

3 mins
137



    ବାହା ହେଇ ସୁକନ୍ୟା ଏଘରକୁ ଆସିବା ଦୀର୍ଘ କୋଡିଏ ବର୍ଷ ହେଇଗଲାଣି । ସ୍ତ୍ରୀ, ବୋହୂ, ଭାଉଜ, ମାଇଁ, ଖୁଡି, ଦେଠେଇ, ଏମିତି ଅନେକ ନାମରେ ନାମିତ ହୋଇ ସାରିଲାଣି । ଦୁଇଟି ପୁଅ ଝିଅ ର ମା ହୋଇ ବୋଉ ଡାକ ଶୁଣି ପରିପୂର୍ଣ୍ଣ ହେଇଛି । ହେଲେ ଏବେ ବି ଶୁଣୁଚି ବାପଘର ନାମରେ ତାତ୍ସଲ୍ୟ ଭରା ବାକ୍ୟ । ନିଜର ପରିଶ୍ରମ, ଲହୁ ଲୁହ ଦେଇବି ଏ ଘର ଆଜି ଯାଏଁ ତାର ହୋଇ ପାରିଲାନି । 


     ଅନେକ ଥର ତର୍ଜମା କରିଛି ଭୁଲ୍ କୋଉଠି ରହିଲା । ଶାଶୁ ଶଶୁରଙ୍କ ସେବାରେ କେବେ ଖିଲାପ କରିନି । ସ୍ଵାମୀଙ୍କ ଅନ୍ତରଙ୍ଗ ସାଥୀ ହୋଇ ସବୁ ସୁଖକୁ ଅଜାଡି ଦେଇଛି । ପରିବାରର ମର୍ଯ୍ୟାଦା ହାନି ହେବା ପରି କିଛି କରିନି । ବନ୍ଧୁ ରକ୍ଷା, ବିବାହ ବ୍ରତାଦିରେ ଘରର ମାନ ସମ୍ମାନକୁ ଆଖି ଆଗରେ ରଖି କର୍ମ କରିଛି । ପିଲା ମାନଙ୍କୁ ସଂସ୍କାର ଦେବାରେ ଅବହେଳା କରିନି । ତଥାପି କାହିଁକି ଏ ଘରର ବ୍ୟକ୍ତି, ଏ ପରିବାର ତାକୁ ସମ୍ପୂର୍ଣ୍ଣ ଆପଣେଇ ପାରି ନାହାନ୍ତି ।


     ସ୍ଵାମୀଙ୍କ ଚାକିରୀ ରୁ ଛଟେଇ ହେବା ପରେ ତାଙ୍କୁ ମାନସିକ ଓ ଆର୍ଥିକ ସହାୟତା ଦେଇଥିଲା । ନିଜ ଅଳଙ୍କାର ବନ୍ଧା ଥୋଇ ଅର୍ଥ ଯୋଗାଡ କରିଥିଲା ବିଜିନେସ୍ କରିବା ପାଇଁ । ନିଜେ ମଧ୍ୟ ବିବାହ ପରେ ଚାକିରୀ ଛାଡି ଦେଇଥିଲା । କିନ୍ତୁ ଏକ ପ୍ରାଇଭେଟ୍ ସ୍କୁଲରେ ସ୍ଵଳ୍ପ ଦରମା ହେଉ ପଛେ ରହି ଘର ଚଳେଇବାରେ ସାହାଯ୍ୟ କରିଥିଲା । 


     ବିବାହ ପରେ ଦିଅର ସ୍ତ୍ରୀ କୁ ନେଇ ଅଲଗା ହେଇ ଗଲେ । ବାପା ବୋଉଙ୍କ ଦାୟିତ୍ୱ ନେଇ ପାରିବେ ନାହିଁ ବୋଲି ରୋକଠୋକ୍ ଜଣେଇ ଦେଲେ । ନଣନ୍ଦ ବାହାଘରରେ ସେଇ ସ୍ଵଳ୍ପ ଆୟରୁ ଯୋଡି ଯୋଡି କିଛି ଟଙ୍କା ରଖି ହାରଟିଏ ଗଢି ଦେଇ ଥିଲା ସୁକନ୍ୟା । ନିଜର ତ ସୁନା ସବୁ ବନ୍ଧା ପଡିଥିଲା, ତେଣୁ ଶଶୁର ଘରେ କାହାକୁ ଅସମ୍ମାନ ହେବାକୁ ନପଡେ ଭାବି ଓ୍ଵାନ୍ ଗ୍ରାମ୍ ଗୋଲ୍ଡ୍ ର ହାର କାନଫୁଲ ଚୁଡି ସବୁ ପିନ୍ଧିଥଲା । 


    ସ୍ଵାମୀ ଯାହାର ହାତ ଧରି ସେ ଏ ଘରକୁ ଆସିଥିଲା, ସବୁବେଳେ ନିଜ ଦୁନିଆରେ ମସଗୁଲ । ସୁକନ୍ୟା ର ଇଚ୍ଛା, ଆକାଂକ୍ଷା ସହ ତାଙ୍କର କିଛି ଯାଆସ ନାହିଁ । ତାଙ୍କ ମତରେ ସ୍ତ୍ରୀ ଘରର ଛାତ ତଳେ ରହି ପରିବାରର ଯତ୍ନ ନେଉଥିବା ଏକ ମଣିଷ । ପିଲା ମାନଙ୍କ ଦାୟିତ୍ୱ, ଶାଶୁ ଶଶୁରଙ୍କ ପ୍ରତି କର୍ତ୍ତବ୍ୟ ତୁଲେଇବା ତା ଧର୍ମ । ସ୍ଵାମୀର ସୁଖ ଦୁଃଖର ସାଥୀ । କିନ୍ତୁ ବାହା ହେବା ପରଠାରୁ ସେ କେବଳ ଦୁଃଖର ସାଥୀ ହେଇ ପାରିଛି । ସୁଖ ସମୟରେ ସ୍ଵାମୀ ସୁକନ୍ୟା କଥା ପୁରା ଭୁଲି ଯାଆନ୍ତି । ବିଜିନେସ୍ ରେ ଲସ୍ ହେଲେ ଦୋଷ ସୁକନ୍ୟା ର । ଆଉ ପ୍ରଫିଟ୍ ହେଲେ ତାଙ୍କ ପରିଶ୍ରମ କୁ ଶ୍ରେୟ । ଏମିତି କି କେବେ ଭାବି ନାହାନ୍ତି ଗହଣା ମୁକୁଳେଇ ଆଣିବାକୁ । 


    ସୁକନ୍ୟା ର ନିଜର ବୋଲି କିଛି ସୁଖ ନାହିଁ କି ଦୁଃଖ ନାହିଁ । ନା କୌଣସି କଥାରେ ମନଖୋଲା ହସି ପାରୁଛି, ନା କଷ୍ଟ ହେଲେ କାନ୍ଦି ପାରୁଛି । ଦୁନିଆକୁ ଦେଖେଇବା ପାଇଁ ସେ ସୁଖୀ । ନିଜର ହସ ହସ ମୁହଁ ପଛରେ ଅନ୍ତରର ବେଦନାକୁ ଚାପି ରଖିଥାଏ । କେବଳ ରାତିର ଅନ୍ଧକାରର ସୁଯୋଗ ନେଇ କେବେ କେମିତି ଦୁଇ ଠୋପା ଲୁହ ଗଡେଇ ଦେଇଛି । ତା ମଧ୍ୟ ଅନ୍ତରର କୋହକୁ ଲାଘବ କରିବା ପାଇଁ ।


    ଡିଭୋର୍ସ୍ ସମାଜରେ ଏକ ବ୍ୟାଧି ଶୀର୍ଷକ ରେ ଆଜି ବିରାଟ ଆଲେଖ୍ୟ ବାହାରିଛି ଏକ ନାମୀ ଦୈନିକ ଖବରକାଗଜରେ । ତା ଉପରେ ଚର୍ଚ୍ଚା । ସ୍ଵାମୀ, ଶାଶୁ ଶଶୁର ବସି ଚା ପିଇ ପିଇ ଡିଭୋର୍ସ ନେଉଥିବା ଝିଅ ମାନଙ୍କ ଉପରେ ମନ୍ତବ୍ୟ ଦେଉଥିଲେ । ଶାଶୁ କହୁଥାନ୍ତି, ଆଜିକାଲି ଝିଅ ତ ଶାଶୁ ଶଶୁରଙ୍କ ସେବା କରିବେନି, ସ୍ଵାମୀ ସହ ଅଲଗା ରହିବେ ନହେଲେ ଡିଭୋର୍ସ । ଶଶୁର କହିଲେ ଆଜିକାଲି ଝିଅ ମାନେ ସ୍ଵାଧୀନତା କୁ ଗୁରୁତ୍ୱ ଦେଉଛନ୍ତି, ତାଙ୍କ ସ୍ଵାଧୀନତା ଉପରେ ଆଞ୍ଚ ଆସିଲେ ଡିଭୋର୍ସ । ସ୍ଵାମୀ କହିଲେ ଯେଉଁଠି ସ୍ତ୍ରୀ ମାନଙ୍କୁ କାବୁ କରି ସ୍ଵାମୀ ରଖି ପାରୁନି ସେଠି ଡିଭୋର୍ସ ।


    ରୋଷେଇ ଘରେ ସୁକନ୍ୟା କାନରେ ସବୁ ବାଜୁଥିଲା । ସେ ମନେ ମନେ ଭାବୁଥିଲା ଯେଉଁ ମାନେ ନିଜ ଆତ୍ମାକୁ ମାରି ପାରିନାହାନ୍ତି, ଅନ୍ୟର କଥାରେ ଉଠବସ ହୋଇ ପାରିନାହାନ୍ତି, ସ୍ଵାଭିମାନକୁ ମାରି ପାରି ନାହାନ୍ତି ସେମାନେ ହିଁ ଡିଭୋର୍ସ ନେବାକୁ ବାଧ୍ୟ ହୋଇଛନ୍ତି । 


    ଶୀତରାତି । ସମସ୍ତେ ଘୋଡେ଼ଇ ହୋଇ ଉଷୁମ ଟାଣି ଶୋଇଲେଣି । ସୁକନ୍ୟା ଆଖିକୁ ନିଦ ନାହିଁ । କେମିତି ଗୋଟେ ଅଣନିଶ୍ଵାସୀ ଲାଗୁଛି । ଛାତ ଉପରକୁ ଗଲା ଖୋଲା ପବନ ଟିକେ ପାଇବାକୁ । ଶିରିଶିରି ଶୀତ ପବନ ପାଦ ହାତକୁ ଥଣ୍ଡା କରି ଦେଉଥାଏ । ସୁକନ୍ୟା ର ମସ୍ତିଷ୍କ କିନ୍ତୁ ଗରମ ରହିଛି ସେ ଭାବନାରେ । ସେ ସ୍ଵାଭିମାନକୁ ମାରି ଦେଇଛି । ନିଜର ସର୍ବସ୍ବ ଦେବା ବଦଳରେ ପାଇଛି କଣ । କେବଳ ମାତୃତ୍ଵର ସୁଖ । ମା ହେବା ଛଡା ତାର କଣ ବୋଲି ନିଜର ଅଛି । ଦୀର୍ଘ କୋଡିଏ ବର୍ଷର ଦାମ୍ପତ୍ୟ ଜୀବନରେ ତାର ଦେବା ପକ୍ଷ ଭାରି ରହୁଛି, ପାଇବା ପକ୍ଷ ହାଲୁକା । କଣ କଲେ ସେ ସ୍ଵାଭିମାନକୁ ଫେରି ପାଇବ ? ନୀରବରେ ଅନେକ ସମୟ ବସି ରହିଲା । ନୀରବତାର ଧ୍ଵନି ଯେ କେତେ ମଧୁର ସେ ଉପଭୋଗ କରି ପାରୁଛି । ନିଜକୁ ନିଜେ ଖୋଜିବା ବି ବେଳେବେଳେ ନିହାତି ଜରୁରୀ । 


     ଡିଭୋର୍ସ । ନା କାଗଜପତ୍ର ରେ ନୁହେଁ କି ସ୍ଵାମୀଙ୍କ ଠାରୁ ନୁହେଁ । ଡିଭୋର୍ସ ଏ ଚିରାଚରିତ ବନ୍ଧନରୁ । ଦାୟିତ୍ୱ ଓ କର୍ତ୍ତବ୍ୟ ରୁ । ସବୁ ଭିତରେ ମୋ ନିଜତ୍ବ କୁ ଖୋଜିବାର ଅଭିଯାନରେ ବାହାରି ପଡିଲା ସୁକନ୍ୟା । ଏବେ ତାର ମସ୍ତିଷ୍କ ଆପେ ଆପେ ଚିନ୍ତା ଶୂନ୍ୟ ହେଉଥିଲା ଓ ସେ ଅନ୍ତର୍ନିହିତ ଖୁସିର ସନ୍ଧାନ ପାଇ ସାରିଥିଲା ।



Rate this content
Log in

Similar oriya story from Classics