Lipi Sahoo

Romance

4.4  

Lipi Sahoo

Romance

ନୀଡ଼ ବାହୁଡ଼ା

ନୀଡ଼ ବାହୁଡ଼ା

6 mins
442


ରାତିର ମାଦକତା ଏବେ ବି ଭରପୁର ଥିଲା ତା ଆଖିରେ ।ୟେ କ'ଣ ସାଧାରଣ ରାତି କି ?? ୟେତ ସ୍ୱପ୍ନର ରାତି । ଯେଉଁ ସ୍ୱପ୍ନକୁ ସବୁ କୁମାରୀମାନେ ଦେଖିଥାନ୍ତି । ହଁ କାଲି ଶୁଭାଙ୍ଗୀର ବାସର ରାତିଥିଲା । ଏବେ ବି ତା ନାକରେ ଖେଳି ଯାଇଛି ସତେଜ ଗୋଲାପ ଆଉ ରଜନୀଗନ୍ଧାର ବାସ୍ନା । ଅଳସ ଆଖିରେ ଅନେକ ନିଦ ଭରି ରହିଥିଲା । ତା'ର ସକାଳୁ ଉଠିବାକୁ ଜମା ଇଚ୍ଛା ନଥିଲା । ହେଲେ ତାକୁ ଭୋରରୁ ଉଠିବାକୁ ପଡ଼ିଥିଲା । ସେ ଉଠିବା ପରଠାରୁ ଅମନ୍ ଙ୍କୁ ଦେଖିନି । କୁଆଡେ ଯାଇଛନ୍ତି କେଜାଣି ?? ସେ ଗାଧୁଆପାଧୁଆ ସାରି ତଳକୁ ଆସିଲା । ଶାଶୁ ହସି ହସି ଆସି ତାକୁ ଠାକୁର ଘରକୁ ନେଇଗଲେ । ସେଇଠି ସେ ମୁଣ୍ଡିଆ ମାରିଲା । ତାପରେ ସେ ଶାଶୁଶଶୁରଙ୍କୁ ମୁଣ୍ଡିଆ ମାରିଲା । ସେ ଦୁହେଁ ତ ଖୁବ୍ ଖୁସି ହେଇଗଲେ । ଚାକିରୀଆ ବୋହୂ ତଥାପି ୟେତେ ସଂସ୍କାର । ଆମ ପସନ୍ଦ କେବେବି ଭୂଲ ହେଇ ନପାରେ , ଶଶୁର ଛାତି ଫୁଲେଇ କହିଲେ । ଶୁଭାଙ୍ଗୀ ର ଆଖି ଖାଲି ଅମନ୍ ଙ୍କୁ ଖୋଜି ବୁଲୁଥାଏ । ହେଲେ ସେ କୋଉଠି ବି ଦେଖାହେଉ ନଥାନ୍ତି । ଶାଶୁ ତା ମନ କଥା ଠିକ୍ ବୁଝିପାରିଲେ । କହିଲେ ଅମୁକୁ ଖୋଜୁଚୁ କି ? ଆଜି ସେ ତୋ ସାମ୍ନାକୁ ଆସିବନି । ଏଇଟା ପରା ବିଧି । ସେ ଲାଜରେ ମୁହଁ ତଳକୁ କଲା । ଶାଶୁ ତା ଥୋଡିରେ ହାତମାରି କହିଲେ ମୋତେ କାହିଁକି ଲାଜ କରୁଚୁ ?? ଆଜିଠାରୁ ମୁଁ ତୋର ଆଉ ଗୋଟେ ମାଁ , ବୁଝିଲୁ ! ୟେ ସବୁ ଶୁଭାଙ୍ଗୀକୁ ଏକ ସୁନ୍ଦର ସ୍ୱପ୍ନ ପରି ମନେ ହେଉଥାଏ ।

               ହଠାତ୍ ତା'ର ଫୋନ୍ ବାଜିଉଠିଲା । ସେ ନମ୍ବର ଦେଖି ଆଶ୍ଚର୍ଯ୍ୟ ହେଲା । ଚିଫ୍ ମେଡିକାଲ ଅଫିସର ଙ୍କ ଫୋନ୍ ଥିଲା । ସେ ତ ଛୁଟିରେ ଅଛି ତଥାପି ସାର୍ କାହିଁକି ଫୋନ୍ କଲେ ?? ସେ ଇତସ୍ତତ ହେଇ କହିଲା ଗୁଡମର୍ଣି‌ଂ ସାର୍। ହଁ ଶୁଭାଙ୍ଗୀ ସରି ଟୁ ସେ , ତୁମର ଛୁଟି କ୍ୟାନ୍ସଲ କରିଦିଆ ଯାଇଛି । ତୁମେ ଇମିଡିଏଟଲି ଆସି ଜଏନ୍ କର । ଆଉ ହଁ , ଗୋଟେ ମାସ ହସ୍ପିଟାଲ ରେ ହିଁ ରହିବାକୁ ପଡିବ । ପନ୍ଦର ଦିନ ଡ୍ୟୁଟି କରିବ ଆଉ ପନ୍ଦର ଦିନ କ୍ୱରେଣ୍ଟିନ୍ ରେ ରହିବାକୁ ପଡିବ । କରୋନା ପାଇଁ ସମସ୍ତ ହେଲଥ୍ ୱର୍କରଙ୍କ ଛୁଟିକୁ ରଦ୍ଦ କରି ଦେଇଛନ୍ତି ସରକାର । ପ୍ଲିଜ୍ ଡୋଣ୍ଟ ମାଇଣ୍ଡ କହି ଫୋନ୍ କାଟିଦେଲେ । ଶାଶୁ ସବୁ ଶୁଣି କହିଲେ ରହ ତୁ ଯମା ବ୍ୟସ୍ତ ହୋନା ମୁଁ ତୋ ଶଶୁରଙ୍କ ସହିତ କଥା ହେଉଛି । ଏପରି ସ୍ଥିତିରେ ସମସ୍ତେ ସମ୍ମତି ଜଣେଇବାକୁ ବାଧ୍ୟ । ହେଲେ ତା ଆଖି ଖୋଜୁଥିଲା ଜଣଙ୍କୁ । କମ୍ ସେ କମ୍ ଯିବା ପୂର୍ବରୁ ଥରଟିଏ ଅମନ୍ ଙ୍କୁ ଆଖିପୁରେଇ ଦେଖିନେବ । ଗୋଟିଏ ମାସର ବିଚ୍ଛେଦ ଅସହ୍ୟ ମନେ ହେଉଥିଲା ଶୁଭାଙ୍ଗୀକୁ । ଗୋଟିଏ ରାତିରେ ଏମିତି କି ସମ୍ପର୍କ ଯୋଡି ହେଇଗଲା ଯେ ଗୋଟିଏ ମୁହୂର୍ତ୍ତର ଦୂରତା ବି ତାକୁ ୟେତେ କଷ୍ଟ ଦେଉଛି । ଶାଶୁ ଶଶୁର ତା ମନ କଥା ବେଶ୍ ବୁଝିପାରିଲେ । ୟେ ଖବର ପାଇଲା ପରେ ସେମାନେ ବି ଭାଙ୍ଗି ପଡିଥିଲେ । ସେମାନଙ୍କ ମନରେ କରୋନାକୁ ନେଇ ନା ନା ଆଶଙ୍କା ଆଉ ଭୟ ସୃଷ୍ଟି ହୋଉଥାଏ । ଟିଭିରୁ ସମସ୍ତେ ଅଳ୍ପ ବହୁତ କରୋନାର ମାରାତ୍ମକତା ବିଷୟରେ ଅବଗତ ହେଇ ସାରିଥିଲେ । କାରଣ ଏବେ ଯେମିତି ପରିସ୍ଥିତି ଡାକ୍ତର ମାନଙ୍କ ଜୀବନ ବି ବିପଦାପନ୍ନ । ଶାଶୁ ଦୌଡିଗଲେ ଉପର ମହଲାରେ ଥିବା ଗେଷ୍ଟରୁମ୍ କୁ । କାରଣ ଅମୁ ସେଇଠି ଥିଲେ । ସେ ସବୁ ଶୁଣିବା ପରେ ରୁମ୍ ରୁ ବାଧ୍ୟ ହୋଇ ବାହାରି ଆସିଥିଲେ । ଶୁଭାଙ୍ଗୀ ବେଡରୁମ୍ ରେ ନିଜ ବ୍ୟାଗ ରେଡ୍ଡି କରୁଥିଲା । 

               ଆମୁ ପଛପଟୁ ଆସି କହିଲେ ତୁମେ କ'ଣ ଯାଉଛ ??


ହଁ ! ୟା ଛଡ଼ା ଆଉ ଉପାୟ କ'ଣ ଅଛି ଯେ ?? ଶୁଭାଙ୍ଗୀ ଧୀରେ କହିଲା ।


ସେ ସତରେ ପଛକୁ ମୋଡି ଅମୁଙ୍କୁ ଚାହିଁ ପାରୁ ନଥିଲା । ଲଜ୍ଜ୍ୟା , ଭୟ ଆଉ ଦୁଃଖ ର ଏକ ଫେଣ୍ଟାଫେଣ୍ଟି ଭାବ ତାକୁ କବଳିତ କରିଥିଲା । ସେ ତ ଚାହୁଁ ଥିଲା ଅମୁକୁ ଦେଖିବା ପାଇଁ ହେଲେ , ସେ ଏବେ ଆଖିରେ ଆଖି କାଇଁ ମିଶେଇ ପାରୁନି ?? ଅମୁ ତା ସାମ୍ନାକୁ ଆସି ଖୁବ୍ ବିଚଳିତ ହେଇ କହିଲେ ।


 ମୁଁ ତ ଏବେ ତୁମକୁ ଅଟକେଇ ପାରିବିନି । ହେଲେ ତୁମେ ଖୁବ୍ ସାବଧାନ ରହିବ । ତୁମର କିଛି ବି ହେଇଗଲେ ମୁଁ ନିଜକୁ କ୍ଷମା କରିପାରିବି ନାହିଁ । ତା'ର ଦୁଇ ହାତକୁ ଧରି ପକେଇ ଛଳ ଛଳ ଆଖି ରେ କହିଲେ , ତୁମେ ଶିଘ୍ର ଫେରିଆସିବନା ????


ଶୁଭାଙ୍ଗୀ ୟେଥର ଅମୁ ଆଖିରେ ଆଖି ମିଶାଇ କହିଲା ମୋର କ'ଣ ହେବ ?? ମୁଁ ଖୁବ୍ ଶିଘ୍ର ଫେରିଆସିବି । ମୋତେ ତୁମର ଗୋଟିଏ ଫୋଟ ଦେଲ ?? ଖୁବ୍ ନିବିଡ଼ ଭାବରେ ତାକୁ ଅମୁ କୁଣ୍ଢେଇ ଧରିଲେ । ଓଃ ! ସେ ଏମିତି ଏଇ ବାହୁ ବନ୍ଧନରେ ଗୋଟିଏ ଯୁଗ ରହିଯାଆନ୍ତା କି । ଗୋଟିଏ ପଟେ କର୍ତ୍ତବ୍ୟ ଡାକରା ଅନ୍ୟ ପଟେ ପ୍ରେମର ଆକର୍ଷଣ । ସେ ଧୀରେ ଅମୁର ବାହୁ ବଂଧନରୁ ନିଜକୁ ମୁକ୍ତ କରି କହିଲା ତୁମକୁ ମାଗିଲି ଦେଲନି ଯେ ?? ଅମୁ ଆଲମିରାରୁ ଆଲବମ୍ କାଢି ସେଥିରୁ ଗୋଟିଏ ଫୋଟ ଦେଲେ । ଶୁଭାଙ୍ଗୀ ଖୁବ୍ ସନ୍ତର୍ପଣରେ ବ୍ୟାଗ ରେ ରଖିଲା । ଅମୁ ଆଖିରେ ଦୁଷ୍ଟାମୀ ଭରି ଧୀରେ ଆସି ଶୁଭାଙ୍ଗୀର ମୁହଁ ରେ ଆଙ୍କି ଦେଇ ଗଲେ ଅନେକ ଚୁମ୍ବନ । ତାକୁ ବହୁତ ଭଲ ଲାଗୁଥିଲେ ବି ମିଛ ପ୍ରତିବାଦ କରି କହିଲା ସମୟ ହେଇଗଲାଣି , ଗାଡ଼ି ଆସିଗଲାଣି ପରା । ଏବେ ମୋତେ ଛାଡ଼ । ସେ ଶାଶୁଶଶୁର ଙ୍କୁ ପ୍ରଣାମ କରି ଏକ ମୁହାଁ ହୋଇ ଆସି ଗାଡିରେ ବସିପଡ଼ିଲା । ସେ ଜାଣେ ଥରେ ପଛକୁ ଚାହିଁଲେ , ସେ ଆଉ ଯାଇ ପାରିବନି । ଅମୁଙ୍କ ଆକର୍ଷଣ ଭିତରେ ହଜିଯିବ ।


               ଶୁଭାଙ୍ଗୀ ଯେତେବେଳେ ଆଇ.ସି.ୟୁରେ ପଶିଲା ବେଡ୍ ନଂ ୱାନରେ ଜଣେ ସଦ୍ୟ ବିବାହିତା ମହିଳା ଆଡମିଟ୍ ହେଇଥିବା ଦେଖିଲା । ଠିକ୍ ତାରି ଭଳି । ସେ ପାଖକୁ ଯାଇ ପଚାରିଲା ତୁମ ନାଁ କ'ଣ ?? ଖୁବ୍ ବିଶାଦଭରା କଣ୍ଠରେ କହିଲା ନମ୍ରତା । ସେ ହଠାତ୍ ଶୁଭାଙ୍ଗୀର ହାତଧରି କହିଲା ଡକ୍ଟର ମୋତେ ବଞ୍ଚେଇ ଦିଅ । ମୁଁ ମରିବାକୁ ଚାହୁଁ ନାହିଁ । ତୁମେ ମୋ ମଥାର ସଦ୍ୟ ସିନ୍ଦୁର ଦେଖୁଚ ନା ?? ମୁଁ ମଳୟଙ୍କୁ ଛାଡି ଯିବାକୁ ଚାହୁଁ ନାହିଁ କହି , କଇଁ କଇଁ କାନ୍ଦିବାକୁ ଲାଗିଲା । 

                

               ଶୁଭାଙ୍ଗୀ ତା ମୁଣ୍ଡକୁ ଆଉଁସି କହିଲେ ତୁମେ ଜଲଦି ଭଲ ହେଇଯିବ । କିଛି ବି ହେବନି । ଆମେ ସମସ୍ତେ ତୁମ ସହ ଅଛୁ ତୁମର କିଛି ବି ହେବାକୁ ଦେବୁନି । ତୁମେ କାହିଁକି ଡରୁଛ ?? 

               ଏଠି ରୋଜ ମୁଁ ମୃତ୍ୟୁକୁ ଦେଖୁଛି । ଜଣେ ଦୁଇଜଣ ମୋ ଆଖି ସାମ୍ନାରେ ମରିଲେଣି । କେତେବେଳେ ବି ମୋ ପାଳି ଆସିଯାଇ ପାରେ । ମୋତେ ଥରେ ମଳୟଙ୍କ ସହ ଦେଖା କରେଇ ଦେବ ?? ମରିବା ପୂର୍ବରୁ ଥରଟିଏ ତାଙ୍କୁ ଆଖି ଭରି ଦେଖିନେବି ।

               ଆରେ ଆରେ ! ତମେ ଏମିତି ଭିତରୁ ଭାଙ୍ଗି ପଡ଼ିଲେ ହେବ । ତମେ ପୁରା ସୁସ୍ଥ ହେଇ ଘରକୁ ଯିବ । ମୁଁ ତୁମକୁ କଥା ଦେଉଛି । ତୁମେ ଖାଲି ନିଜ ମନୋବଳ ଦୃଢ଼ କର । ଦେଖିବ ଏଇ ଯୁଦ୍ଧରେ ଆମେ ନିଶ୍ଚୟ ଜିତି ଯିବା । ମଳୟଙ୍କ ସହ ଏକ ଲମ୍ବା ଜୀବନ ପଡ଼ିଛି । ତୁମେ ସେଇ ସ୍ୱପ୍ନ ରେ ହଜି ଯାଅ । ଆଉ ସବୁ ଦାୟିତ୍ଵ ଆମର । 

               ସତରେ କରୋନା ସହ ଲଢେ଼ଇ କରି ନମ୍ରତା ଜିତିଗଲା । ଯୋଉ ଦିନ ଡିସଚାର୍ଜ ହେଲା ସେ ଖୁବ୍ ଖୁସି ଥିଲା । ମଳୟ ଆସିଥିଲେ ତାକୁ ନେବାକୁ । ଯିବା ପୂର୍ବରୁ ସେ ଶୁଭାଙ୍ଗୀ କାନରେ କହିଗଲା , ମୁଁ ଚାହେଁ ତୁମେ ବି ଜଲଦି ଅମନ୍ ବାବୁଙ୍କ ପାଖକୁ ଫେରିଯାଅ । ତୁମେ ମୋତେ ଚୀର ଋଣି କରିଦେଲ । ଏଇଟା ମୋ ମୋବାଇଲ ନମ୍ବର କହି ଖଣ୍ଡିଏ ଛୋଟ କାଗଜ ବଢେଇ ଦେଲା । ତା ଆଖିରେ ଆଖିଏ କୃତଜ୍ଞତା ଦେଖି ଶୁଭାଙ୍ଗୀ ଖୁବ୍ ଖୁସି ହେଇଥିଲା । 

               ବହୁତ ସମୟ ପର୍ଯ୍ୟନ୍ତ ଏକ ଲୟରେ ମଳୟ ଆଉ ନମ୍ରତାଙ୍କ ଯିବାର ଦୃଶ୍ୟକୁ ଚାହିଁ ରହିଥିଲା । ସତେ ଯେମିତି ମୁକ୍ତ ଆକାଶର ଦୁଇ ପକ୍ଷୀ । ନିଜ ନୀଡ଼କୁ ଫେରି ଯାଉଛନ୍ତି । 

               ଶୁଭାଙ୍ଗୀର ଫୋନ୍ ବାଜିଲା । ଦେଖିଲା ଅମୁଙ୍କ ଫୋନ୍ । ପୁରା ପନ୍ଦର ଦିନ ପରେ ଅମୁ ଫୋନ୍ କରୁଥିଲେ । ବୋଧହୁଏ ତା ଡ୍ୟୁଟିରେ ଡିଷ୍ଟର୍ବ ନକରିବା ପାଇଁ । ତୁମେ ଠିକ୍ ଅଛ ତ ?? କଣ୍ଠରେ ବ୍ୟସ୍ତତା ।


ହଁ ! କାହିଁକି ପଚାରିଲ ? ଆଶ୍ଚର୍ଯ୍ୟ ହେଇ ଶୁଭଙ୍ଗୀ ପଚାରିଲା ।


ନା ! ମାନେ ମୁଁ କାଲି ଗୋଟେ ଖରାପ ସ୍ୱପ୍ନ ଦେଖିଲି ତ , ସେଇଥି ପାଇଁ ।

ଆରେ ନା ମୁଁ ପୁରା ଠିକ୍ ଅଛି । ଆଜି ମୋର ଡ୍ୟୁଟି ସରିଯିବ । ପନ୍ଦର ଦିନ ଏବେ କ୍ୱରେଣ୍ଟିନରେ ରହିବି । ତାପରେ ତ ମୁଁ ତୁମ ପାଖକୁ ଫେରିଆସିବି ।


ଓଃ ! ଆହୁରି ପନ୍ଦର ଦିନ । ବାପା ମା ଖୁବ୍ ବ୍ୟସ୍ତ ହେଇଗଲେଣି । ଆମେ ସମସ୍ତେ ଏକ ଭୟ ଭିତରେ ରହୁଛୁ । ତୁମେ ଘରେ ବି ତ କ୍ୱରେଣ୍ଟିନରେ ରହିପାରିବ । ଫେରି ଆସ ନା ପ୍ଲିଜ୍ ।


ଆରେ ବାବା ମୁଁ ଫେରିଆସିବି ଜଲଦି । ମୋର ଏଇଠି ରହିବା ଠିକ୍ ହେବ । ଘରେ ବାପା ମା ଦୁଇ ଜଣ ବୟସ୍କ । ସେମାନଙ୍କ ପାଇଁ ରିସ୍କ ଅଧିକ । ଆଉ ମୁଁ ଭଲ ଭାବରେ ଜାଣେ ତୁମେ ମୋତେ ଅଲଗା ଜମା ରଖେଇ ଦେବନି । ମୁଁ ଠିକ୍ କହିଲି ନା ?? ହଁ ତୁମେ ବାପାଙ୍କୁ ବାହାରକୁ ଜମା ଛାଡିବନି । ଏବେ ପରିସ୍ଥିତି ଯମା ଭଲ ନାହିଁ । ବହୁତ ଜୋରରେ ସ୍ପ୍ରେଡ୍ କରୁଛି । ମୁଁ ଯେଉଁ ଭିଟାମିନ ଟାବଲେଟ୍ କହିଥିଲି । ତୁମେ ସମସ୍ତେ ରେଗୁଲାର ନେବ , ହେଲା !


ଓଃ ! ମୁଁ କୋଉ ଡକ୍ଟରକୁ ଫୋନ୍ କରିନି । ମୋ ପତ୍ନୀଙ୍କୁ ଫୋନ୍ କରିଛି , ହେଲା ! 


ଓକେ ବାବା ! ସରି ପତିଦେବ । ମୁଁ ଏବେ ରଖୁଛି ।


ଓକେ ଟେକ କେୟାର ।


               ଯନ୍ତ୍ରଣାଦାୟକ ଥିଲା ଏଇ ପନ୍ଦର ଦିନ । ହେଲେ ଶୁଭାଙ୍ଗୀ ଆଜି ନିଜକୁ ବହୁତ ଗର୍ବିତ ମନେ କରୁଥିଲା । ଏଇ ଜଟିଳ ପରିସ୍ଥିତିରେ ମୃତ୍ୟୁ ସହିତ ଲଢେଇ କରି ଅନେକଙ୍କ ଜୀବନ ବଞ୍ଚାଇପାରିଛି । ସେଥିପାଇଁ ସେମାନଙ୍କୁ ଦିନରାତି ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଛି । ରୋଗୀ ଙ୍କର ବିରକ୍ତି ଆଉ ବିଶାଦକୁ ହ୍ୟାଣ୍ଡେଲ କରିବାକୁ ପଡିଛି । ଶେଷରେ ଢେର ସାରା ଆଶୀର୍ବାଦ ବି ସାଉଁଟିଛି । କେତେବେଳେ କେତେବେଳେ ମୃତ୍ୟୁ ସହ ଲଢେ଼ଇରେ ତାକୁ ହାରିବାକୁ ବି ପଡିଛି । ହେଲେ ଶେଷ ପର୍ଯ୍ୟନ୍ତ ରୋଗୀକୁ ଜୀବନ ଦାନ ଦେବାକୁ ଆପ୍ରାଣ ଚେଷ୍ଟା କରିଛି । ତା'ର ମନୋବଳ କୁ ଯଦି କେହି ଏତିକି ଦୃଢ଼ କରିଛି ସେଇଟା କେବଳ...କେବଳ ଅମୁଙ୍କର ଅନାବିଳ ଭଲପାଇବା । ସତରେ ଭଲପାଇବା ରେ ପ୍ରଚଣ୍ଡ ଶକ୍ତି ନିହିତ ...... ସବୁ ଅସମ୍ଭବ କୁ ସମ୍ଭବ କରିପାରେ । 

               

        ନୀଡ଼ ବାହୁଡ଼ାର ଆନନ୍ଦ, ଏକ ଅଲଗା ପ୍ରକାରର । ଆଜି ଶୁଭାଙ୍ଗୀର ପାଦ ଆଉ ତଳେ ଲାଗୁ ନଥାଏ । ଅମୁ ଅପେକ୍ଷା କରିଥିଲେ ହସ୍ପିଟାଲ ଗେଟ୍ ପାଖରେ । ତାକୁ ଦୌଡ଼ି ଆସି କୁଣ୍ଢେଇ ପକେଇଥିଲେ ରାସ୍ତା ମଝିରେ ।

ଭୁଲି ଯାଇଥିଲେ ଅନେକ ଲୋକଙ୍କ ଆଖି ସେମାନଙ୍କ ଉପରେ କେନ୍ଦ୍ରୀତ । ହେଲେ ପ୍ରତିଟି ଆଖିରେ ଲହଡି ମାରୁଥିଲା ଆନନ୍ଦର ଜୁଆର........।

                



Rate this content
Log in

Similar oriya story from Romance