STORYMIRROR

Bijoy Jena

Drama Horror Action

4  

Bijoy Jena

Drama Horror Action

ନିଦାଘ ର ଭାରସାମ୍ୟ

ନିଦାଘ ର ଭାରସାମ୍ୟ

4 mins
0

 ଖରା ତ ପ୍ରବଳ, ଅସମ୍ଭବ ରାତି , ନାହିଁ ନ ଥିବା ଗୁଳୁଗୁଳି, ପ୍ରଚଣ୍ଡ ରୌଦ୍ର ତାପ,ଆକାଶରୁ ଅଗ୍ନି ବର୍ଷା, ପ୍ରକୃତି ନୀରବ ଓ ନିଶୁନ , ଏବେ ସର୍ବତ୍ର ଗ୍ରୀଷ୍ମର ରାଜୁତି, ପ୍ରଚୁର ଜଳ, ଶୀତଳ ଛାଇ ର ଆବଶ୍ୟକତାକୁ ଅନୁଭବ ରେ ପ୍ରତୀକ୍ଷା କରି ଲୋକେ ଡହଳ ବିକଳ ହେଉଛନ୍ତି। ଗ୍ରୀଷ୍ମ ପ୍ରବାହ ଅଞ୍ଚଳରେ ଏହି ଦୃଶ୍ୟ ସବୁଠି ଦୃଶ୍ୟମାନ। ଗାଆଁ ପୋଖରୀରେ ଗାଧୋଇବା ବେଳେ ପିଲା ମାନଙ୍କ ଆନନ୍ଦ କହିଲେ ନ ସରେ। ଦ୍ୱିପ୍ରହର ସମୟରେ ଘଞ୍ଚ ଆମ୍ୱ ତୋଟା ଛାଇରେ ବି ଭିଡ ହୁଏ। କିନ୍ତୁ ଆକାଶରେ ଅଦିନିଆ ବାଦଲ ଓ କାଳ ବୈଶାଖୀ ଅନୁମାନ କରି ପ୍ରାୟତଃ ସମସ୍ତେ ଘର ମୁହାଁ ହୁଅନ୍ତି। କାରଣ ଜନ ଜୀବନ ଚାଲି ଯିବାର ଆଶଙ୍କା ଥାଏ। ଦିନ ୧୧ ଘଟିକା ଠାରୁ ୩ ଘଟିକା ପର୍ଯ୍ୟନ୍ତ ବାହାର ଅଞ୍ଚଳ ନୀରବ ଓ ନିସ୍ତବ୍ଧ ଥାଏ। କାଉ ଓ କୋଇଲି କାହାର ସ୍ୱର ବି ଶୁଭି ନ ଥାଏ। ପଥିକ ଟିଏ ଥକ୍କା ମାରି ଗଛ ଛାଇ ତଳେ ଦଣ୍ଡେ ବସି ପଡ଼େ ଓ ଜଳ ଛତ୍ରରୁ ଜଳ ପାନ କରି ଶୋଷ ମେଂଟାଏ। ସକଳ ବିହଙ୍ଗମ ଠାରୁ ଆରମ୍ଭ କରି ମର୍କଟ ପର୍ଯ୍ୟନ୍ତ ପାଦପ ଛାୟାରେ ଉଦୁଉଦିଆ ଦ୍ୱିପ୍ରହର ବିତାଇ ଥାନ୍ତି। ଧୁଧୁ ଖରାରେ ସର୍ବତ୍ର ଧୁମାଳିଆ ଦେଖା ଯାଏ। ସରୀସୃପ ମାନେ ଗର୍ତ୍ତ ଭିତରୁ ବାହାରି ନ ଥାନ୍ତି। ସମୁଦ୍ର କି ନାରାରେ ଥିବା ଝାଉଁ ବଣ ରେ ବୁଲା ଗାଈ ଗୋରୁ ସାରା ଦ୍ୱିପ୍ରହର ପାଟି ପାକୁଳି କରି କରି ଖରା କୁ ସହି ନିଅନ୍ତି। ନାବିକ ମାନେ ଚିଲିକା ନାସୀ ଅଞ୍ଚଳରେ ନାବ ରଖି ତଲେଇ ଛାଇ କରି ରୌଦ୍ର ତାପକୁ ସହ୍ୟ କରି ନିଅନ୍ତି। ଏମିତି ଦୃଶ୍ୟ ପ୍ରାୟ ଦେଖିବାକୁ ମିଳେ। ତାଳ ଗଛ ରେ ବାଇ ଚଢେଇ ବସା ତିଆରି କରନ୍ତି। କେଡେ ସୁନ୍ଦର ବସା, ଭିତରେ ଭାରି ଆରାମ ଲାଗେ। ଶୀତ ତାପ ନିୟନ୍ତ୍ରିତ, ବାଇ ଚଢେଇ ତାର ଶାବକ ମାନଙ୍କୁ ଖରାର ପ୍ରଚଣ୍ଡ ରାତି ଅନୁଭବ କରିବାକୁ ଦିଏ ନାହିଁ।ସେ ନିଜେ ପ୍ରକୃତିର ସୁଦକ୍ଷ ବିନ୍ଧାଣି ଭାବେ ତାର ବସାକୁ ଏପରି ଗଢି ଥାଏ ଯେ ନିଦାଘର ଦାରୁଣ ଦୁଃଖ ସେ ଆଦୌ ଅନୁଭବ କରି ପାରି ନ ଥାଏ। ସେହିପରି ଚାଳ ଚଟିଆ ଏକ ଛୋଟିଆ ଚଢେଇ ଯିଏ ନଡ଼ା ଛପର ଘର ବା ଚାଳ ଘରେ ସୁବିଧାରେ ବସା ବାନ୍ଧି ରହେ। ଅବଶ୍ୟ ଆଜିକାଲି ଆଉ ଚାଳ ଘର ଦେଖିବାକୁ ମିଳେନା କି ଚାଳ ଚଟିଆ ବି ଦେଖିବାକୁ ଦୁର୍ଲଭ ହେଲେଣି। ନଡ଼ା ଓ ପାଳ, ପ୍ରକୃତି ଦତ୍ତ ବସ୍ତୁ ଯାହାକୁ ଚାଳ ଚଟିଆ ଉପଯୋଗ ଓ ବ୍ୟବହାର କରି ଦାରୁଣ ନିଦାଘ କାଳ କୁ ସାମନା କରିଥାଏ।ଏବେ ବେଙ୍ଗ ଓ ବେଙ୍ଗୁଲିଁ ଙ୍କ କଥା ପ୍ରସଂଗକୁ ଆଣିବା। ଉଭୟେ ସୂର୍ଯ୍ୟଙ୍କ ପ୍ରଚଣ୍ଡ ରୌଦ୍ର କୁ ସହ୍ୟ କରିବା ଶିଖି ନେଇ ବଞ୍ଚନ୍ତି। କାରଣ ପ୍ରିୟ ସହିତ ପ୍ରିୟାର ମିଳନ ଋତୁ ଆଗକୁ ଆସୁଛି। ଯେତେ କଷ୍ଟ ପଡୁ ପଛେ ପ୍ରକୃତିର ନିୟମକୁ ମାନି ନେବାକୁ ହେବ। ନିଦାଘ ପରେ ବର୍ଷା ଆସେ। ବେଙ୍ଗ ସହିତ ବେଙ୍ଗୁଲିର ମିଳନ ଘଟେ। ସେଥିପାଇଁ ଯେତେ ଖରା ହେଉଥିବା କାହିଁକି ତାହାକୁ ସହ୍ୟ କରିବା ପାଇଁ ପ୍ରକୃତି ଶିଖାଏ । ହଂସ ହଂସରାଳି, କପୋତ କପୋତୀ, ବଗ ବଗୁଲୀ, ଇଗଲ, ପ୍ରତ୍ୟେକ ନିଜ ନିଜର ସୁବିଧାରେ ସାରା ଗ୍ରୀଷ୍ମ ଋତୁ ବିତାଇବାରେ ଅଭ୍ୟସ୍ତ ଥାନ୍ତି। ବିଶାଳ ସାଗର ଓ ମହାସାଗର ସମୂର୍ଣ୍ଣ ଉନ୍ମୁକ୍ତ ଥାଏ। କେତେ କେତେ ଜଳ ଜୀବ ଆଶ୍ରାକରି ଜୀବନ ଜିଇଁଥାନ୍ତି। ପ୍ରଖର ରୌଦ୍ର ତାପରେ ଏହାର ଜଳ ରାଶି ବାଷ୍ପ ହୋଇ ଆକାଶକୁ ଚାଲି ଯାଏ। ଯେତେ ବାଷ୍ପ ହେଲେହେଁ ସାଗର କି ମହାସାଗର ଶୁଖେ ନାହିଁ।ନିଦାଘ ସମୟର ଜଳୀୟ ବାଷ୍ପ ବର୍ଷା କାଳରେ ମେଘ ହୋଇ ପୁଣି ସେଇ ଜଳରେ ତାର ବକ୍ଷ ପୂରି ଉଠେ । ବଣ ଝରଣା, ଟତନି ଆଦି ଜଳ ଉତ୍ସ ଗୁଡ଼ିକ ଏହି ନିଦାଘ କାଳରେ ଶୁଷ୍କ ମନେ ହୁଅନ୍ତି। ତଥାପି ବଞ୍ଚି ରହନ୍ତି, ଆଗାମୀ ଦିନକୁ ପ୍ରତୀକ୍ଷା କରି। ସେହି ଆଗାମୀ ଦିନକୁ ଯେତେବେଳେ ଗ୍ରୀଷ୍ମ ଋତୁ ପରେ ବର୍ଷା ଆସେ ସେମାନେ ଫୁଲି ଉଠନ୍ତି ଅବିରତ ବାରି ଧାରାରେ। ପୁନଶ୍ଚ ସେ ଲକ୍ଷ୍ୟ ପଥେ ଧାବମାନ ହୋଇ ଶେଷରେ ସାଗର ବା ମହାସାଗରରେ ମିଶି ଯାଇ ଏକାକାର ହୋଇ ଯାଆନ୍ତି। ଏହା ହେଉଛି ନିଡାଘର ଭାରସାମ୍ୟ। ମନୁଷ୍ୟ ହେଉଛି ବୁଦ୍ଧିମାନ। କେତେ ଜ୍ଞାନ ଗାରିମାରେ ଗରୀୟାନ। ବୈଜ୍ଞାନିକ ଭିତ୍ତି ଭୂମିରେ ପାରଙ୍ଗମ। ନିଦାଘ ସମୟ ର ପରାକ୍ରମରେ ଭୟ ଭୀତ ନ ହୋଇ ଭାରସାମ୍ୟ ରକ୍ଷା ନିମନ୍ତେ ଅନେକ ପଦକ୍ଷେପ ଗ୍ରହଣ କରିଛି।ନିଦାଘ ସମୟ ରେ ହେଉଥିବା ଅଂଶୁଘାତ ସତର୍କତା ସବୁଠୁ ବଡ ଭାରସାମ୍ୟ। ଜଣେ ବ୍ୟକ୍ତି ନିମ୍ନ ଲିଖିତ ଲକ୍ଷଣ ଦେଖି ଜାଣି ପାରିବ ଯେ ଏହା ଅଂଶୁଘାତ ବୋଲି। ପ୍ରବଳ ଝାଳ ବୋହିବା ମୁଣ୍ଡ ବୁଲାଇବା, ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା ପ୍ରବଳ ଶୋଷ ହେବା ଚର୍ମ ଶୁଷ୍କ, ଲାଲ ଓ ଉତ୍ତପ୍ତ ହେବା ଅଚେତ ହେବା କିମ୍ବା ବାତ ମାରିବା ଇତ୍ୟାଦି। ଅଂଶୁଘାତରୁ ରକ୍ଷା ପାଇବା ପାଇଁ କିଛି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଦିନ ୧୧ ଟା ରୁ ୩ ଟା ମଧ୍ୟରେ ଖରା ତାତି ଅଧିକ ଥାଏ। ଏହି ସମୟ ମଧ୍ୟରେ ବାହାରକୁ ଯିବା ଉଚିତ ନୁହେଁ। ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଇବା ଉଚିତ ଓ ସାଥିରେ ଛତା, ଚପଲ ଓ ପିଇବା ପାଣି ନେବାର ଆବଶ୍ୟକତା ରହିଛି। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ, ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ ଏବଂ ଅଧିକ ଦୂର ଯାଆନ୍ତୁ ନାହିଁ। କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରିବା ଉଚିତ ନୁହେଁ। ସମୟ କ୍ରମେ ନିଦାଘ ର ପରାକ୍ରମ ସରି ଯିବ ଓ ତାପରେ ବର୍ଷା ଆସିବ। ଏହି ବର୍ଷା କୁ ଚାତକ ପରି ଆମ ଧରିତ୍ରୀ ମା ଅନେଇ ବସିଛି। ସମୟ ସବୁ କିଛି ସଜାଡ଼ି ଦିଏ ଓ ପରିସ୍ଥିତି ଅତି ସହଜ ହୋଇ ଯାଏ। ଦାରୁଣ ନିଦାଘ ସହେ ବୋଲି ଧରଣୀ ମାଆ ଶସ୍ୟ ଶ୍ୟାମଳ ହୁଏ, ପ୍ରକୃତି ପୁଲକିତ ହୁଏ, ତେଣୁ ଧୈର୍ଯ୍ୟର ସହ ପ୍ରତୀକ୍ଷା କରି ବାକୁ ହେବ। ମନୁଷ୍ୟ ଓ ପ୍ରକୃତି ହସି ଉଠାନ୍ତି। 


Rate this content
Log in

Similar oriya story from Drama