STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ବୟସର ଅପରାହ୍ନ

ବୟସର ଅପରାହ୍ନ

4 mins
2

 ଦିନକର କଥା, ଚଇତ୍ର ମାସର ପ୍ରଥମ ମଙ୍ଗଳ ବାର, ବଡି ଭୋରରୁ ପ୍ରାତଃ ଭ୍ରମଣ ରେ ଯାଇ ତଳ ମଣିନାଗ ପାଖରେ ପହଞ୍ଚି ଥାଏ। ମଳୟ ପବନ ମନ୍ଦ ମନ୍ଦ ବହି ଶରୀର ରୋମାଞ୍ଚିତ ହେଉଥାଏ। କେଉଁ ଆମ୍ବ ଗଛ ଘଞ୍ଚ ପତ୍ର ଉହାଡରୁ କୋଇଲିର କୁହୂ କୂହୁ ସ୍ୱର ବଡ ଶ୍ରୁତି ମଧୁର ଲାଗୁଥାଏ। ପକ୍ଷୀ ଗୁଡ଼ିକ ନୀଡ଼ ଛାଡି ଦୂର କାହିଁ କେତେ ଦୂର ଉଡ଼ିଯିବାର ଅପୂର୍ବ ଦୃଶ୍ୟ ମୋତେ ବିଭୋରିତ କରି ରଖି ଥାଏ। ରାସ୍ତା ଘାଟ ଶୂନଶାନ ମନେ ହୁଏ। ପ୍ରାଚୀ ଦିଗରେ ସୁରୂଜ ଦେବତା ଉଦୟ ହେବାକ୍ର ସୂଚନା ମିଳି ଲାଣି। ସେଇଠି ମୁଁ ଭାବନାରେ ପୂର୍ଣ୍ଣଛେଦ ଟାଣି ଉପର ମଣିନାଗ ପାହାଡ ରାସ୍ତାରେ ପାଦ ଥାପି କେତେବେଳେ ଯେ ଅଧାରୁ ଅଧିକ ରାସ୍ତା ଅତିକ୍ରମ କରି ସାରିଲିଣି। ମଝି ରାସ୍ତାରେ ଥାଇ ପାହାଡ ଉପରକୁ ଯିବା ପାଇଁ ମନକୁ ଶକ୍ତ କରୁଛି, ହେଲେ ଶରୀର ଆଉ ଅନୁମତି ଦେଉନି। ଶୋଷ ବି ହେଉଛି, ଦେହରୁ ଗମ ଗମ ହୋଇ ଝାଳ ବହୁଛି। ସେଇ ଅଧା ରାସ୍ତାରେ, ଗିରି ପଥରେ, ପାହାଡ଼ କିନାରରେ ଥିବା ରେଲିଂ କୁ ଧରି ବସି ପଡ଼ିଲି। ସତରେ କଣ ମୁଁ ହାରିଯିବି? ମନ ଆନ୍ଦୋଳିତ ହେବାକୁ ଯାଉଛି। କାହାକୁ କେଉଁଠି ଦେଖିବାକୁ ପାଉନି। ସରି ସର୍ପ ଭୟ ବି ରହିଛି। ତଥାପି ହାର ମାନିବାକୁ ପ୍ରସ୍ତୁତ ନ ଥିଲି। କିଛି ମାଙ୍କଡ ଡିଆଁ ଡେଇଁ ହେଉଥିବାର ଲକ୍ଷ୍ୟ କଲି। ଏଭଳି ଏକ ଅଭାବନୀୟ ପରିସ୍ଥିତି ସମୟରେ ତଳ ମଣିନାଗ ଆଡୁ ଗୋଟିଏ ମଟର ସାଇକେଲରେ ଜଣେ ଯୁବକ ଆସୁଥିବାର ଦେଖିଲି। ତାଙ୍କୁ ମୁଁ ଜମାରୁ ଜାଣିନି କି ଚିହ୍ନିନି। ମୋ ମନ ଜାଣି ବୋଧ ହୁଏ ସେ ବାବୁ ମୋ ପାଖରେ ଅଟକି ରହି ସବୁ କିଛି ବୁଝି ପାରିଲେ। କଣ ଭାବିଲେ କେଜାଣି ମୋତେ ତଳ ମଣିନାଗ ମନ୍ଦିର ପାଖେ ପହଞ୍ଚାଇ ଦେଇ ବାହୁଡ଼ି ଯିବା ବେଳେ ପଦୁଟିଏ କହିଲେ, ଆପଣ ଏହି ଅପରାହ୍ନ ବୟସରେ ପାହାଡ ଚଢ଼ିବାକୁ ପୁଣି ଏକା ଏକା କେମିତି ସାହସ କଲେ ? ବୟସର ତ ଏକ ମାନ ସମ୍ମାନ ଅଛି, ନା କଣ କହୁଛନ୍ତି ଆପଣ? ଧନ୍ୟବାଦ ଓ କୃତଜ୍ଞତା ଜଣାଇ ମା ମଣିନାଗେଶ୍ୱରୀଙ୍କୁ ମୁଣ୍ଡିଆଟିଏ ମାରି ଗୃହକୁ ପ୍ରତ୍ୟାବର୍ତ୍ତନ କଲି। ମନେ ମନେ ଗୁଣି ହେଲି ବାସ୍ତବରେ ମୁଁ ବୟସର ଅପରାହ୍ନ ରେ ପହଞ୍ଚି ଯାଇଛି। ଅନେକ ମଧ୍ୟ ମୋ ଭଳି କିଛି କିଛି ନିଜସ୍ଵ ଅନୁଭୂତି ସାଉଁଟି ଥିବେ ନିଶ୍ଚୟ। ଯେଉଁ ମାନଙ୍କର ଲେଖାଲେଖି ଅଭ୍ୟାସ ଅଛି, ପ୍ରତିଦିନ କିଛି ନ ଲେଖିଲେ ସେମାନେ ଭାବନ୍ତି ଯେ ଦିନଟିଏ ବେକାର ହୋଇଗଲା।ସେ କବି, କବୟିତ୍ରୀ ଲେଖକ, ଲେଖିକା ଅବା ଯାହା କିଛି ହୁଅନ୍ତୁ , ଲେଖିବା ଓ ନୂତନ ସର୍ଜନା ପ୍ରତି ସର୍ବଦା ଧ୍ୟାନ ଦିଅନ୍ତି।ମୁଁ ବି ସେଇ ତାଲିକା ରେ ଯିବି। ଯଦିଓ ସେମିତି କିଛି ଗଭୀର ଜ୍ଞାନ ଓ ପାଣ୍ଡିତ୍ୟ ମୋ ପାଖରେ ନାହିଁ ତଥାପି ଲେଖିବା ଏକ ବଡ ଅଭ୍ୟାସରେ ପରିଣତ ହୋଇଛି। ଦିନରେ ନ ଲେଖିଲେ ବି ଅନେକ ସମୟରେ ରାତ୍ର ର ଅନ୍ଧକାରକୁ ପସନ୍ଦ କରେ। କେହି ଜାଣି ନ ଥିବେ ବେଳେ ବେଳେ ଗଭୀର ନିଶାର୍ଦ୍ଧ ସମୟରେ ଘରର ଛାତ ଉପରକୁ ଯାଇ ନୀଳ ଗଗନ ର ତାରକା ଦେଖି ଆତ୍ମ ବିଭୋର ହୁଏ, ପେଚା ମାନଙ୍କ ଯାତାୟାତ କୁ ନିରୀକ୍ଷଣ କରେ, ଧରଣୀ ମାତା ନିଦ୍ରାରେ ବିଜଡ଼ିତ ଥିବାରୁ ସର୍ବତ୍ର ରାତ୍ର ର ଗଭୀରତାକୁ ପରଖେ, ପ୍ରକୃତି ପ୍ରେମରେ ପଡ଼େ,ଜହ୍ନର ଶୀତଳ ଜୋ ଛନା କେଡେ ସୁନ୍ଦର ଓ ମଧୁର ଲାଗେ, ଜୀବନର ଗତିପଥ ଆଗକୁ ବଢ଼ିବାର ଅନୁଭବ କରେ, ଏମିତିକା କେତେ କେତେ କଥା ମନକୁ ଆସେ। ସମୟ ଜ୍ଞାନ ରହେ ନାହିଁ। ଘରେ କିନ୍ତୁ ତାଗିଦ କରନ୍ତି ଏ ସବୁ ନ କରିବା ପାଇଁ। ମଧୁର ଭତ୍ସନା ମଧ୍ୟ କରନ୍ତି। ମୋର ଯୁକ୍ତି ହେଉଛି ଅନେକ ରାଜନୀତି ବିଜ୍ଞାନୀ ବୟସର ଅପରାହ୍ନ ରେ ଅର୍ଥାତ୍ ପରିଣତ ବୟସରେ ଭଲ ଭଲ ଉପାଦେୟ ପୁସ୍ତକ ରଚନା କରିଛନ୍ତି। ଉଦାହରଣ ସ୍ୱରୂପ ଜନ୍ ଲକ ତାଙ୍କର ଶ୍ରେଷ୍ଠ ଗ୍ରନ୍ଥ, ଦି ଲେଭିଆଁଥାନ, ତାଙ୍କ ର ପରିଣତ ବୟସରେ ଅଥବା ୮୬ ବର୍ଷ ବୟସରେ ରଚନା କରିବାରେ ସଫଳ ହୋଇ ଥିଲେ। ଅବଶ୍ୟ ଘର ଲୋକଙ୍କ କଥା ମୁଖ୍ୟତଃ ନାତି ନାତୁଣୀ ମାନଙ୍କ କଥାକୁ ଏଡେଇ ଦେଇ ହୁଏ ନାହିଁ। ଅମାନିଆ ମନ ନ ମାନିଲେ ବି ଏହି ବୟସକୁ ବିଚାରକୁ ନେଇ ବେଶୀ ବିଶ୍ରାମ ନେବା ଉଚିତ। ଯେଉଁ ମାନେ ବୟସର ଅପରାହ୍ନ ରେ ପହଞ୍ଚି ଛନ୍ତି ସେମାନେ ଜଣେ ଜଣେ ବରିଷ୍ଠ ନାଗରିକ ଅଟନ୍ତି। ଏ ବିଷୟରେ କିଛି ଲେଖୁଛି। ଆମ ରଣପୁର ଅଞ୍ଚଳ ଠାରୁ ୧୫ କିଲୋମିଟର ଦୂରତା ବ୍ୟବଧାନରେ ଗ୍ରାମ ଟିଏ, ନାଁ ତାର ଲକ୍ଷ୍ମୀ ନାରାୟଣ ପୁର। ସେଠାରେ ଗୋଟିଏ ବୃଦ୍ଧାଶ୍ରମ ରହିଛି। ବହୁ ବାର ସେ ଆଶ୍ରମକୁ ଯାଇଛି। ସେଠାରେ ରହୁଥିବା ବୃଦ୍ଧ ବୃଦ୍ଧା ଙ୍କର ଦୁଃଖଦ କାହାଣୀ ଶୁଣିଛି। ଆଖିରେ ଲୁହ ଆସି ତାହା ହୃଦୟର କୋହରେ ରୂପାନ୍ତରିତ ହୋଇଛି। ସେମାନଙ୍କ ସଂସାର ଅଛି, ପୁଅ ବୋହୁ ମାନେ ବି ଅଛନ୍ତି। କିଛି କିଛି ଭୂସମ୍ପତ୍ତି ମଧ୍ୟ ରହିଛି। ସବୁ ଥାଇ ସେମାନେ ନିଃସ୍ୱ ଅବସ୍ଥାରେ ଆବିଷ୍କୃତ ହୁଅନ୍ତି ଉକ୍ତ ବୃଦ୍ଧାଶ୍ରମରେ। ସମୟ ଆସିଲେ ସେଇ ମାନଙ୍କ ମଧ୍ୟ ଏଇ ଅବସ୍ଥା ଆସିବ, ଯେଉଁ ମାନେ ନିଜର ବୃଦ୍ଧ ପିତା ମାତା ଙ୍କୁ ଏଇ ପରିଣତ ବୟସରେ ଘରୁ ତେଜ୍ୟା କରି ଅୟସ କରୁଛନ୍ତି କିଛି ମୁହୂର୍ତ୍ତ ପାଇଁ। କଡା ଗଣ୍ଡା କରି ସୁଧ ଅସୁଲ କରି। ଏହା ହେଉଛି ବୟସର ଅପରାହ୍ନ ର ସବୁଠୁ ବଡ ଯନ୍ତ୍ରଣା। କାହାକୁ କହିବା ଏ କଥା, କିଏ ବା ସମସ୍ୟାର ଲାଘବ କରିବ ? ଯେଉଁ ବାପା ଦିନେ ମୁଣ୍ଡ ଝାଳ ତୁଣ୍ଡରେ ମାରି, ଅଖିଆ ଅପିଆ ରହି ଜନ୍ମିତ ପୁତ୍ର ପାଇଁ ସର୍ବସ୍ବ ଜଳାଞ୍ଜଳିରେ ଦଗଧୀଭୂତ ହୋଇ ସମୟକୁ ପୁଅ ଅବା ଝିଅଙ୍କ ସପକ୍ଷରେ ପରିଚାଳନା କରୁଥିଲେ, ସେଇ ବାପା ମାଆ ଉଭୟେ ଏବେ ପରିଣତ ବୟସରେ ବୃଦ୍ଧାଶ୍ରମରେ କାଳାତିପାତ କରୁଛନ୍ତି ଏ କଥା ଭାବିଲା ବେଳକୁ ମନରେ କ୍ଷୋଭ ଆସେ। ଏହାକୁ ଅନ୍ୟ ମାନେ ବିଧିର ବିଧାନ ବୋଲି ଚିତ୍ରଣ କରିଥାନ୍ତି। କିନ୍ତୁ ଏହା ଆଦୌ ଗ୍ରହଣୀୟ ନୁହେଁ। ଆମ ଶିକ୍ଷା ଓ ପରମ୍ପରା କଣ ଏହା ଶିକ୍ଷା ଦିଏ? ଜମାରୁ ନୁହେଁ। ଭାରତୀୟ ଶିକ୍ଷା ଓ ପରମ୍ପରା ଅତ୍ୟନ୍ତ ମହାନ। କିନ୍ତୁ ଅର୍ଥ ଲୋଭ ଓ ଲାଳସାରେ, ଜୀବନ ବିହୀନ କାଗଜ ମୁଦ୍ରାର ପ୍ରଲୋଭନ ରେ ପ୍ରଲୋଭିତ ହୋଇ ଆମେ ନିଜର ପିତା ମାତା ଙ୍କୁ ଭୁଲି ଯାଉ। ଜଣେ ବରିଷ୍ଠ ନାଗରିକ ଭାବେ ମୋ ଅନୁଭୂତିରୁ ଯେତିକି ସାଉଣ୍ଟିଛି, ଜଣେ ବୃଦ୍ଧ ବାପା ଚାହେଁ ତାର ପୁଅ ବୋହୁ, ନାତି ନାତୁଣୀ ପାଖରେ ରହନ୍ତୁ। ଘରଟି ହସ ଖୁସି ରେ ଫାଟି ଉଠୁ ସମସ୍ତେ ପରସ୍ପରର ଦୁଃଖ ପରସ୍ପର ମଧ୍ୟରେ ବାଣ୍ଟି ନେଇ ଏହାକୁ ଲାଘବ ପାଇଁ ସହାୟତା ପ୍ରଦାନ କରନ୍ତୁ। କାହା ମନରେ ବିରସ ଭାବନା ନ ଆସୁ। ଅର୍ଥ ଚିନ୍ତା, ଆର୍ଥିକ ଅନଟନ ରହିବ , ତାହା କିନ୍ତୁ ସାମୟିକ। ଯେଉଁଠାରେ ସମତା ଓ ଦୃଢ ଇଚ୍ଛା ଶକ୍ତି ଅଛି , ସେଇଠି ବିଧାତାଙ୍କ ନିର୍ଦ୍ଦେଶ ପରିବର୍ତ୍ତନ ହୋଇ ଯାଇ ପାରେ। ତେବେ ଇଶ୍ଵର ଆମର ଧୈର୍ଯ୍ୟକୁ ପରଖନ୍ତି, ମୂଲ୍ୟାୟନ କରନ୍ତି ଏବଂ ଆମେ ଅସୀମ ଧୈର୍ଯ୍ୟର ସହ ଏ ପରିସ୍ଥିତିକୁ ସାମନା କରୁ, ତେବେ ଆମେ ଜିତାପଟ ନେବା ତଥା ବୟସର ଅପରାହ୍ନ ଶବ୍ଦଟି ଆମ ପାଞ୍ଜିରୁ ଅଚିରେ ଲୋପ ପାଇବ। ଏହି ପ୍ରସଙ୍ଗ ଗୁଡ଼ିକ ଏଠାରେ ଉପସ୍ଥାପନ କରି ବାର ଉଦ୍ଦେଶ୍ୟ ହେଉଛି ବୃଦ୍ଧ ବୃଦ୍ଧା ମାନେ କେବେ କାହାର ଦୟାର ପାତ୍ର ନୁହନ୍ତି। ସରକାର, ସମାଜ ଓ ବ୍ୟକ୍ତି ବିଶେଷ ସେମାନଙ୍କୁ ପ୍ରତି କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ କରିବାକୁ ଆଗେଇ ଆସିବା ଉଚିତ। ଯାହା ଦ୍ୱାରା ବୟସର ଅପରାହ୍ନ ବୋଝ ନ ହୋଇ ଆଶୀର୍ବାଦରେ ପରିଣତ ହେବ।


Rate this content
Log in

Similar oriya story from Action