STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ବଦଳୁଥିବା ଲୋକ ଚରିତ୍ର

ବଦଳୁଥିବା ଲୋକ ଚରିତ୍ର

5 mins
0

 ଆମ ଚଳଣିରେ ଅନେକ ପ୍ରସଙ୍ଗ ବଦଳି ଯିବାର ପରିଲକ୍ଷିତ ହେଉଛି। ତହିଁରୁ ଲୋକ ଚରିତ୍ର କଥା ଏହି ପ୍ରସଙ୍ଗ ରେ ଆଲୋଚନା କରିବା କୁ ଉଚିତ ମନେ କରୁଛି। ଜଣେ ସାଧାରଣ ନାଗରିକ ହୁଅନ୍ତୁ ଅବା ବରିଷ୍ଠ ନାଗରିକ, କିଛି ନା କିଛି କଷ୍ଟ ର ସମ୍ମୁଖୀନ ହୁଅନ୍ତି ବ୍ୟାଙ୍କ ଭିତରେ ଟଙ୍କା ଉଠାଣ ବେଳେ ଅବା ଅନ୍ୟ କିଛି ବୁଝାସୁଝା ବେଳେ। ବ୍ୟାଙ୍କ କାରବାର ଭିଡ ଥାଏ। କୌଣସି କର୍ମଚାରୀ ଏଥି ପ୍ରତି ନଜର ଦିଅନ୍ତି ନାହିଁ। ଏପରିକି ବ୍ୟାଙ୍କ ମ୍ୟାନେଜର ଏଥି ପ୍ରତି ଧ୍ୟାନ ଦେଇ ନ ଥାନ୍ତି। କିନ୍ତୁ ଏହି ସମସ୍ୟା ଓ ତାହାର ସ୍ଥାୟୀ ସମାଧାନ ବା ପ୍ରତିକାର ପାଇଁ ସରକାରୀ ବ୍ୟବସ୍ଥା କିଛି ନାହିଁ। ବେଳେ ବେଳେ କିଛି ଶୁଭେଚ୍ଛୁ କିଞ୍ଚିତ ପାରିଶ୍ରମିକ ନେଇ ସାହାଯ୍ୟ ଓ ସହଯୋଗ କରିଥାନ୍ତି। ବିଦେଶରେ ବହୁ ବିକଶିତ ରାଷ୍ଟ୍ର ରାଷ୍ଟ୍ରୀୟ ପୁଞ୍ଜିରେ ବରିଷ୍ଠ ନାଗରିକ ଓ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣି ସେଗୁଡ଼ିକର ସମାଧାନ କରି ପ୍ରଶଂସିତ ହେଉଛନ୍ତି। କିନ୍ତୁ ବ୍ୟାଙ୍କ କର୍ମଚାରୀ ମାନେ ସମସ୍ତେ ଖରାପ ସେ କଥା ମୁଁ କହୁନି। ଅନେକ କର୍ମଚାରୀ ଅଛନ୍ତି, ଯେଉଁ ମାନଙ୍କ ନଜରରେ ଏଭଳି କିଛି ଦୃଶ୍ୟ ପଡ଼େ ସେମାନେ ନିଜ ଆସନରୁ ଉଠି ଆସି କିମ୍ବା ଅନ୍ୟ କାହା ଦ୍ୱାରା ସହଜରେ ବୁଝାଶୁଝା କରି ଥାନ୍ତି। ଏ ଅଧମ ମଧ୍ୟ ବ୍ୟାଙ୍କ ଭିତରେ ଦିନେ ଅଧେ ଏ ପ୍ରକାର ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛି। ଏପରି ଘଟଣା କେବଳ ବ୍ୟାଙ୍କରେ ନୁହେଁ, ପ୍ରାୟ ସବୁ ସରକାରୀ କାର୍ଯ୍ୟାଳୟ ଯଥା ତହସିଲ, ବ୍ଲକ, ରେଭିନୁ ଓ ଆହୁରି ଅନେକ କିଛି ଅନୁଷ୍ଠାନରେ ନିତି ଦିନିଆ ଘଟଣା ମନେ ହୁଏ। ପ୍ରତ୍ୟେକ କର୍ମଚାରୀ ଙ୍କୁ ମନେ ରଖିବାକୁ ପଡିବ ଯେ ସେମାନଙ୍କ ସେବା ପାଇଁ ମାସିକ ଦରମା ପ୍ରାପ୍ତ ହେଉଛନ୍ତି। ଗରାଖ ମାନଙ୍କ ପାଇଁ ଅର୍ଥାତ୍ ଉପଭୋକ୍ତା ଙ୍କ ପାଇଁ ସେମାନଙ୍କ ସେବା ସମର୍ପିତ ହୋଇଛି। ତେଣୁ ନିଜ କର୍ମ କ୍ଷେତ୍ରରେ ଆଚରଣ ଓ ଉଚ୍ଚାରଣରେ ଶୁଦ୍ଧତା ରଖିବା ନିହାତି ଆବଶ୍ୟକ ତଥା ଜରୁରୀ ଅଟେ। ଆମ ଓଡ଼ିଶା ରେ ଏଇ ନିକଟ ଅତୀତରେ ଦାନ ମାଝୀର ନିଜ ସ୍ତ୍ରୀ ର ଶବ ନିଜ କାନ୍ଧରେ ବୋହିବା ଅତି ସ୍ପର୍ଶ କାତର ପ୍ରସଙ୍ଗ ଟିଏ ହୋଇ ସର୍ବତ୍ର ନିନ୍ଦନୀୟ ଓ ଚର୍ଚ୍ଚାର ବିଷୟ ପାଲଟି ଥିଲା। ଏବେ ଜିତୁମୁଣ୍ଡାର ଆପଣା ଭଉଣୀର କଙ୍କାଳ ବୋହି ବ୍ୟାଙ୍କ ମ୍ୟାନେଜର ଙ୍କ ନିକଟରେ ହାଜର କରାଇବା ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଦ୍ୱାରା ପୁନର୍ବାର ସର୍ବ ଭାରତୀୟସ୍ତରରେ ଆମ ରାଜ୍ୟ ବଡ ଧରଣର ଅପଯଶ ପାଇଛି।ଦାନ ମାଝୀ ହୁଅନ୍ତୁ ଅବା ଜିତୁ ମୁଣ୍ଡା ହୁଅନ୍ତୁ, ଏ କ୍ଷେତ୍ରରେ ସେମାନଙ୍କୁ ଠିକ୍ ଭାବେ କୌଣସି ସୂଚନା ଓ ସହଯୋଗ ମିଳି ନ ଥିବା ରୁ ଏହି ଘଟଣା ଘଟିଥିଲା। ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ସରକାରୀ ସେବା ଓ ଯୋଜନା ସେମାନଙ୍କ ପାଖରେ ପହଞ୍ଚି ପାରୁ ନାହିଁ। ପ୍ରକୃତ ବିଚାର କଲେ ଆମ ସରକାରୀ ବାବୁଙ୍କ ଲୋକ ଚରିତ୍ର ର ଗତି ବିଧି କୁଆଡେ ଯାଉଛି? ଅନୁଷ୍ଠାନକୁ ଭଲ ପାଇବା ଦରକାର, ନିଜର ସେବାକୁ ସମ୍ମାନ ଜଣାଇ ତଦନୁଯାୟୀ କାର୍ଯ୍ୟ କରିବା ଜରୁରୀ, ଦେଶ ପ୍ରତି ଦେଶାତ୍ମକ ଚିନ୍ତାଧାରା ଓ ସରକାର ଙ୍କ ପ୍ରତି ଆନୁଗତ୍ୟ ସ୍ଵୀକାର କରିବାକୁ ପଡ଼ିବ, ଏହା ହୋଇ ପାରିଲେ କ୍ରମଶଃ ଲୋକ ଚରିତ୍ର ନିର୍ମାଣରେ ସୁଧାର ଆସି ପାରନ୍ତା। ଜଣେ କିଏ କେବେ କହିଥିଲେ, ଚାକିରୀ କରି ଥିବା ବ୍ୟକ୍ତିଙ୍କୁ ଦରମା କେତେ ପାଉଛ, ପଚାରିବ ନାହିଁ କିମ୍ବା ଜଣେ ବ୍ୟକ୍ତି ଙ୍କୁ ତାର ଜାତି କଣ ବୋଲି ପଚାରିବ ନାହିଁ। ଏହି ଦୁଇଟି ବିଷୟ ସେହି ବ୍ୟକ୍ତିଙ୍କୁ ବଡ କଷ୍ଟ୍ ଦେବ। ମୋ ଅନୁଭୂତିରୁ ପଦେ ଅଧେ ବର୍ଣ୍ଣନା କରି ବାକୁ ଚାହୁଁଛି। ଜନୈକ ବନ୍ଧୁଙ୍କ ଘରେ ଖରାବେଳ ଟାରେ ବସି ଦୁଃଖ ସୁଖ ହେଉଥିଲି। ଏହି ସମୟରେ ଜଣେ ବାଟୋଇ ଭାଇ ତାଙ୍କ ଦ୍ୱାର ଦେଇ ଯାଉଥିଲେ। ସେ ବାବୁଙ୍କୁ ବଡ ଶୋଷ ହେଉଥାଏ। ପାଣି ମନ୍ଦେ ପିଇବା ପାଇଁ ବ୍ୟସ୍ତ ହେଉ ଥାନ୍ତି। ଆମେ ଦୁଇ ବନ୍ଧୁ ବସି ଥିବାର ଦେଖି ଖଣ୍ଡେ ଦୂରରେ ଥାଇ ପାଣି ପିଇବା ପାଇଁ ଅନୁରୋଧ କରିଥାନ୍ତି। ତେଣୁ ବନ୍ଧୁ ଜଣଙ୍କ ଘର ଭିତରକୁ ଯାଇ ପାଣି ମୁନ୍ଦେ ଦେବାକୁ କହି ଆସିଲେ। ତାଙ୍କର ମାଆ ଦ୍ୱାର ପାଖକୁ ଯାଇ ସେହି ଲୋକଟିକୁ ପଚାରିଲେ , ତୁମ ଘର କେଉଁଠି ଓ ତୁମେ କି ଜାତି? ଏହା ଶୁଣି ସେହି ଲୋକଟି ସୂଚନା ଦେଲା, ମୁଁ ଆଜ୍ଞା, ଦଶପଲ୍ଲା ରୁ ଆସିଛି ଓ ମୋର ଆଦିବାସୀ ଜାତିର କିଛି ଭାଇ ଭୌଣୀ ଜଙ୍ଗଲି ମହୁ ଓ ଝୁଣା ବିକ୍ରୟ ପାଇଁ ଆସିଛୁ। ତାପରେ ବନ୍ଧୁଙ୍କ ମାଆ ଘର ଭିତରକୁ ଯାଇ ବଡ ପ୍ଲାଷ୍ଟିକ ଗ୍ଲାସରେ ପାଣି ଆଣି ଦେଲେ ଏବଂ ସେହି ଅଜଣା ପଥିକକୁ କହିଲେ ଏହାକୁ ନିଅ, ପାଣି ପିଇବା ପରେ ଗ୍ଲାସ ଟିକୁ ସାଥିରେ ନେଇ ଯିବ ଓ ଏହାକୁ ଫେରାଇବା ଆବଶ୍ୟକ ନାହିଁ। ଏଥିରୁ ମୁଁ ଅନୁମାନ କରି ପାରିଲି ମାଉସୀ ଙ୍କର ଉତ୍କଟ ଜାତି ପ୍ରୀତି ରହିଛି। ଆମ ଦେଶରେ ଏହି ଜାତି ପ୍ରୀତି ର ଉତ୍କଟ ମାନସିକତା ଯୋଗୁଁ କେତେନା କେତେ ଧନ ଓ ଜୀବନ ଅକାଳରେ ଝଡି ପଡୁଛି। ଆଗଭଳି ଆଉ ଯୌଥ ପରିବାର ନାହିଁ। କଦବା କେମିତି ଗୋଟେ ଅଧେ ଦେଖାଯାଏ। ଏକକ ପରିବାର ସଂଖ୍ୟା ବହୁଳ ଭାବରେ ବଢି ବଢି ଚାଲିଛି।ଫଳରେ ଏହି ପରିବାରରେ ଥିବା ବାପା ମାଆ ଅବା ଜେଜେ ବାପା ମାଆ ଙ୍କ ସମସ୍ୟା ବି ବଢି ବଢି ଚାଲିଛି। ଘରେ ସେମାନେ ପ୍ରାୟ ଅଣ ଦେଖା ହୁଅନ୍ତି। ସେହି ବୟସରେ ସେମାନେ ଯାହା ଚାହାଁନ୍ତି,ସେଥିରୁ ବଞ୍ଚିତ ହୁଅନ୍ତି। ଦେଖାଯାଏ ଯେ ଅନେକ ବୃଦ୍ଧ ଓ ବୃଦ୍ଧା କେଉଁ ମନ୍ଦିର ଟ୍ରଷ୍ଟ ହେଉ ଅବା ବୃଦ୍ଧାଶ୍ରମ ରେ ଆଶ୍ରୟ ଲୋଡ଼ିଥାଆନ୍ତି। ଯେଉଁ ପରିବାର ସଂସ୍କାର ସମ୍ପର୍ନ୍ନ ସେ ପରିବାର ଲୋକେ କେତେ ଯତ୍ନରେ ଘରେ ରହୁଥିବା ବୟସ୍କ ଲୋକଙ୍କର ଆଦର ଓ ଯତ୍ନ ନିଅନ୍ତି। କିନ୍ତୁ ଯେଉଁ ମାନେ ଅର୍ଥ ଓ ଏକଲା ପଣିଆ ଉପରେ ନଜର ରଖନ୍ତି ସେହି ପରିବାର ବୟସ୍କ ଲୋକଙ୍କର ମାନସିକତା ପ୍ରତି ଗଭୀର ଆଘାତ ପହଞ୍ଚାଇ ଥାଆନ୍ତି। ସବୁ ବାପା ମାଆ ମାନେ ଚାହାଁନ୍ତି ତାଙ୍କ ପୁଅ ବୋହୁ ନାତି ନାତୁଣୀ ପାଖରେ ରହନ୍ତୁ ଏବଂ ହସ ଖୁସି ରେ ଦିନ ବିତି ଯାଉ। କିନ୍ତୁ ସେମାନଙ୍କ ବିଚାର ପୁଅ ବୋହୁ ଙ୍କ କ୍ଷେତ୍ରରେ ଓଲଟା ହୋଇଥାଏ। ପୁଅ ବୋହୁ ମାନେ ମନେ ରଖିବା ଉଚିତ୍ ଯେ ସମୟ ଆସିବ ସେମାନେ ବି ବୟସ୍କ ହେବେ। ବୁଝାମଣା ଠିକ୍ ରହିଲେ ସଂସାର ଭଲ ରହିବ। ସମସ୍ତେ ନାରୀ ସଶକ୍ତିକରଣ ଉପରେ ଓ ନାରୀ ଜାଗରଣ ଉପରେ ବହୁ ମତ ଓ ମନ୍ତବ୍ୟ ପ୍ରଦାନ କରୁଛନ୍ତି। କିନ୍ତୁ ଆଚରଣ ଓ ଉଚ୍ଚାରଣରେ ଓଲଟା କାମ କରିବା ଦେଖା ଯାଉଛି। ଜଣେ ସୁନ୍ଦରୀ ଝିଅ ଅବା ଯୁବତୀ ଟିଏ ଏକାକୀ ରାଜ ରାସ୍ତାରେ ଯାଉଥିବା ସହସ୍ର ଲୋଲୁପ ଦୃଷ୍ଟି ତାଙ୍କ ଆଡ଼କୁ ପଡ଼ିଥାଏ। କିଏ ବା ଖରାପ ତଥା ଅଶ୍ଲିଳ ବାକ୍ୟ ପ୍ରୟୋଗ କରି ଥାନ୍ତି। କେହି ସମବେଦନା ଜଣାଇବା ତ ଦୂରର କଥା, ବରଂ ଖରାପ ସମ୍ପର୍କ ଯୋଡିବାକୁ ସୁଯୋଗ ଉଣ୍ଡୁଥାନ୍ତି। ଏହା ହେଉଛି ଆମ ଲୋକ ଚରିତ୍ର ର ଏକ ନମୁନା। ଅତୀତର ସୁନ୍ଦର ଓ ମହାନ ପରମ୍ପରା କୁଆଡ଼େ ମରି ହଜି ଗଲାଣି। କର୍ମ କ୍ଷେତ୍ରରେ ଅବା ଅନ୍ୟାନ୍ୟ କ୍ଷେତ୍ରରେ ଏହି କୁତ୍ସିତ ମାନସିକତା ଏବେବି ରହିଛି। ବୋଧ ହୁଏ ସେଥି ପାଇଁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ମନ୍ତବ୍ୟ ଥିଲା, ଯେଉଁ ଦିନ ଅର୍ଦ୍ଧ ରାତିରେ ମହିଳା ଟିଏ ନିରାପଦରେ ଚାଲି ଚାଲି ନିଜ ଘରକୁ ଫେରି ପାରିବ, ସେଦିନ ଭାରତ ବର୍ଷ ପ୍ରକୃତ ସ୍ୱାଧୀନତା ଲାଭ କରିଛି ବୋଲି ସ୍ୱୀକାର କରାଯିବ। ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ ଆଜି ପର୍ଯ୍ୟନ୍ତ ବାସ୍ତବ ରୂପ ନେଇ ପାରିନି, ଭାବିଲା ବେଳକୁ ମନରେ କ୍ଷୋଭ ଆସେ, ଦୁଃଖ ବି ଆସେ। ଆହୁରି ଅନେକ ପ୍ରସଙ୍ଗ ରହିଛି ଏବଂ ଏଗୁଡ଼ିକର ବ୍ୟାପକ ପରିବର୍ତ୍ତନ ସାଙ୍ଗକୁ ଲୋକ ଚରିତ୍ରର ସଂସ୍କାର ଜରୁରୀ ଅଟେ। ସମାଜକୁ ସୁଗମ କରିବା ପାଇଁ ଉଭୟ ପୁରୁଷ ଏବଂ ମହିଳାଙ୍କ ସମାନ ଭାଗୀଦାର ଆବଶ୍ୟକ। ସମାନତା, ଶାଳୀନତା ଓ ଶିଷ୍ଟାଚାର ର ଆବଶ୍ୟକତା ରହିଛି। ଛନ୍ଦ କପଟ କୁ ପରିହାର କରିବା କୁ ହେବ, ଶିଶୁ, ବୟସ୍କ ଓ ନାରୀ ମାନଙ୍କୁ ସୁରକ୍ଷା ନିମିତ୍ତ ଆମେ ସମସ୍ତେ ସରକାରୀ ସ୍ତରରେ ହେଉ କିମ୍ବା ବେସରକାରୀ କ୍ଷେତ୍ରରେ ହେଉ ଚେଷ୍ଟା କରିବାକୁହେବ। ସମାଜରୁ ଦୁର୍ନୀତି ନିବାରଣ ପାଇଁ ନୈତିକତା ଓ ଉଚ୍ଚ କୋଟିର ଆଧ୍ୟାତ୍ମିକତା କୁ ଆଦରି ନେବାକୁ ହେବ।ସମସ୍ତେ ସଚେତନ ହୋଇ ନିଜ ନିଜ ପରିସରରେ କାର୍ଯ୍ୟ ଆରମ୍ଭ କରି ବଳବତ୍ତର ରଖି ପାରିଲେ ଆମ ଲୋକ ଚରିତ୍ର ବଦଳି ଯିବ ଓ ଆମ ସମାଜରେ ବହୁ ସଂସ୍କାର ଅଣା ଯାଇ ପାରିବ। ଲୋକ ଚରିତ୍ର ରେ ସଂସ୍କାର ଆଣିବାକୁ ହେଲେ ପ୍ରଥମେ ନିଜ ଜନକ ଓ ଜନନୀ ଙ୍କୁ ପ୍ରଗାଢ ଭଲପାଇବା ଉଚିତ। ତାପରେ ନିଜ ଜନ୍ମିତ ଭିଟା ମାଟି, ଗାଆଁ ଅବା ସହର କୁ ମନ ଭରି ଭଲ ପାଇବା, ତାପରେ ନିଜ ରାଜ୍ୟ ଓ ନିଜ ଦେଶ। ପୁନଶ୍ଚ କୁହାଯାଇଛି ଯେ ଜଣେ ନିଜ ଘର ଓ ନିଜ ଜନ୍ମିତ ମାଟିର ଗାଡ଼ିଆ, ଜଳାଶୟ ଇତ୍ୟାଦିକୁ ଗଙ୍ଗା ବୋଲି ଭାବି ସେଗୁଡ଼ିକର ଯତ୍ନ ନେବା ଆବଶ୍ୟକ। ଶେଷରେ ଆସନ୍ତି ଜନତା ଜନାର୍ଦ୍ଦନ, ଲୋକଙ୍କୁ ସାମର୍ଥ୍ୟ ଅନୁସାରେ ସେବା ପ୍ରଦାନ କରିବା। ଏସବୁ ଗୋଟିଏ ଗୋଟିଏ ଲୋକ ଚରିତ୍ର ରେ ସଂସ୍କାର ଆଣିବାକୁ ବଳିଷ୍ଠ ପଦକ୍ଷେପ। ଆସନ୍ତୁ ଏହାକୁ ସାଦରେ ଗ୍ରହଣ କରି ଆମ ଲୋକ ଚରିତ୍ର ରେ ସଂସ୍କାର ଆଣିବା। 


Rate this content
Log in

Similar oriya story from Action