ସେଇ ରାତି
ସେଇ ରାତି
ବିକାଶ ଚୌଧୁରୀ ଆଜି ମନେ ପକାଉଛନ୍ତି ସେଇ ରାତି ର କଥା, ସେଇ କାଳ ରାତିର ଅଙ୍ଗେ ନିଭା କଥା, ଏକ ଡଙ୍ଗା ବୁଡି ଯିବାର ଘଟଣା, ସବୁ କିଛି ଯାଦୁ ଭଳି ମନେ ହେଉଥିଲା। ସେଇ ରାତି କଥା ମନେ ପଡିଲେ ସେ ଅତିଶୟ ଭୟଭୀତ ହୋଇ ପଡନ୍ତି। ଏହି କଥା ବର୍ଣ୍ଣନା କଲା ବେଳେ ଦେହରୁ ଝାଳ ପରସ୍ତେ ବାହାରି ଯାଏ।
ସେ ଥିଲା ୧୯୭୬ମସିହା ସମୟର ଏକ ଶୀତ କାଳ ର ରାତି। ଆକାଶ ବଡ ନିର୍ମଳ ଥାଏ। ବିକାଶ ଚୌଧୁରୀ ଙ୍କ ଘର ଚିଲିକା ଦ୍ଵୀପରେ ଥିବା ଏକ ଗ୍ରାମ ବ୍ରହ୍ମପୁରରେ। ସେ ସମୟରେ ସେ କଲେଜ ପଢୁଆ ଜଣେ ଶିକ୍ଷିତ ଯୁବକ। ନିକଟ ଗ୍ରାମ ସାତପଡ଼ା ଗଡ ଠାରେ ସାତଶଂଖ ଅପେରା ପାର୍ଟି ପଡ଼ିଥାଏ। ବିକାଶ ତାଙ୍କ ବୟସର କିଛି ଯୁବକ ମାନଙ୍କୁ ନେଇ ଏକ କ୍ଷୁଦ୍ର ନୌକାରେ ନାବିକ ଙ୍କ ସହ ଚିଲିକା ଭିତରେ ପ୍ରାୟ ଚାରି କିଲୋମିଟର ଜଳ ପଥରେ ପାରି ହେବା ପରେ ସାତପଡ଼ା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।
ଅବଶ୍ୟ ସେ ରାତି ଥାଏ ଶୁକ୍ଳ ପକ୍ଷ ର ରାତି। ଆକାଶରେ ଜହ୍ନ ର ଉଜ୍ଜଳ କିରଣ ଚିଲିକା ଜଳରେ ପତିତ ହୋଇ ଦେହ ଓ ମନକୁ ଛୁଇଁ ଯାଉ ଥାଏ। ଉରରା ପାବନ ବହି ଦେହ ଶୀତେଇ ଯାଉଥାଏ। ନାବଟି କ୍ରମଶଃ ତା ଗତି ପଥରେ ଯାଇ ଏକ ଗଭୀର ଜଳକୁ ସ୍ପର୍ଶ କଲାଣି। ଏତିକି ବେଳେ ନାଉରୀ ବାପୁଡ଼ା କହିବାକୁ ଲାଗିଲେ ଯେ ଡଙ୍ଗାଟି ଦଦରା ଥିବାରୁ ଚିଲିକା ଜଳରେ ଭର୍ତି ହୋଇ ଆସିଲାଣି। ବୁଡି ଯିବାର ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ। ଏତିକି କହୁ କହୁ ସେହି ଡଙ୍ଗାରେ ବସିଥିବା ୧୧ଜଣ ଯୁବକ ଭାରସାମ୍ୟ ହରାଇବା ଆରମ୍ଭ କଲେଣି। ଆଉ କିଛି ଉପାୟ ନାହିଁ। ତେଣୁ ସେଇ ରାତିରେ ସମସ୍ତେ ଉଚ୍ଚ ସ୍ବରରେ ରକ୍ଷା କର, ରକ୍ଷା କର ବୋଲି କହିବାକୁ ଲାଗିଲେ। ଆଖି ପିଚ୍ଛୁଲାକେ ଡଙ୍ଗାଟି ସେହି ଗଣ୍ଡାରେ ବୁଡି ଗଲା। ସେଥିରେ ବସିଥିବା ସମସ୍ତ ୧୧ଜଣ ଯୁବକ ସେହି ଗଣ୍ଡାରେ ନିଜ ନିଜର ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିଲା ବେଳେ ଇଶ୍ଵର ସେମାନଙ୍କ ଡାକ ଶୁଣି ପାରିଥିଲେ। ପ୍ରାୟ ଅଧ ଘଣ୍ଟାଏ ଜଳ ରେ ଉବୁଟୁବୁ ହେବା ପରେ ନିକଟସ୍ଥ ଗ୍ରାମର ଅନେକ ଡ଼ଙ୍ଗା ଆସି ଏହି ୧୧ଜଣ ଙ୍କୁ ଉଦ୍ଧାର କରିଥିଲେ।
ବିକାଶ ଚୌଧୁରୀ ଚିଲିକା ଜଳରେ ପତିତ ହୋଇ ଅନେକ ଜଳ ପିଇ ଅଚେତ ହୋଇ ପଡ଼ିଥିଲେ। ଉଦ୍ଧାରକାରୀ ଦଳ ସେହି ମୂମୂର୍ଶୁ ମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ନିଜ ପରିବାର ଲୋକଙ୍କ ଜିମା ଦେଇଥିଲେ। ଯାହା ହେଉ ବଡ ଭାଗ୍ୟର କଥା ସମସ୍ତେ ନିରାପଦରେ ଉଦ୍ଧାର ହୋଇ ପାରିଥିଲେ। ସେହି ରାତି କଥା ମନେ ପଡିଲେ ଏବେବି ବିକାଶ ଚୌଧୁରୀ ଙ୍କ ଦେହ ଭୟରେ ଶିହରିତ ହୁଏ।
ସେଇ ଦିନଠାରୁ ବିକାଶ ଚୌଧୁରୀ କୌଣସି ରାତିରେ ଜଳ ପଥରେ ଯିବାକୁ ସାହସ କରି ନାହାନ୍ତି।
