STORYMIRROR

Rajalaxmi Mohanty

Romance Others

4  

Rajalaxmi Mohanty

Romance Others

ନିଆରା ପ୍ରେମ

ନିଆରା ପ୍ରେମ

4 mins
219


କଲେଜ ଛକର ପ୍ରଥମ ଘରଟି ସମୀର ଙ୍କର। ବାପା ଜଣେ ସ୍କୁଲ ଟିଚର।ତାଙ୍କୁ ଛାଡି ଘରେ ମାଆ ଓ ଦୁଇ ସାନ ଭଉଣୀ ଅଛନ୍ତି। କଲେଜରେ ଗ୍ରାଜୁଏସନ ପରେପରେ ଆଉ ଆଗକୁ ନପଢି ଦୁଇବର୍ଷ ହେଲା ଘରେ ବସିରହିଛି ସମୀର। ବାପାଙ୍କ ପରିଚୟରେ ପରିଚିତ ସମୀର ସରକାରୀ ଚାକିରିକୁ ଛାଡି ଆଉ ଅଲଗା କିଛି କରିବାକୁ ନାରାଜ ସମ୍ମାନ ହାନୀ ଭୟରେ। ଆଜି ପର୍ଯ୍ୟନ୍ତ ବାବୁ ଭଳିଆ ଚଳିଆସୁଥିବା ପିଲା ଏବେ ନିଜେ କେଉଁଠି ଗୋଟେ ଦୋକାନ ବସେଇ ବାବୁ ମାନଙ୍କ ହାକିମାତି ଶୁଣିବାକୁ ପସନ୍ଦ ନୁହେଁ ତା'ର। ଆଉ ଆଗକୁ ପଢିବାକୁ ମଧ୍ଯ ଇଛା ନାହିଁ। ସରକାରୀ ଚାକିରି କେଉଁଠୁ ମିଳିବ?ଘରେ ବସି ବସି ବହିପତ୍ରକୁ ଦେଖିଲେ ଡର ଲାଗୁଛି ତାକୁ।ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅ କହିଲେ ସେ ଶୁଣେନି।କହିବାକୁ ଗଲେ ତା'ର ସମୟ ହୁଏନି।କଲେଜ ଛକରେ  ଘର ନା,ଖାଇସାରି ତା'ର ଶୋଇବା ଘର ଝରକା ଦେଇ ଅପଲକ ନୟନରେ ଛାହିଁଥାଏ ମୁଖ୍ଯ ରାସ୍ତାକୁ। କେତେ କେତେ ଷୋଡଶୀ ରୂପସୀ ମାନେ ସେଇପଟେ ଯିବା ଆସିବା କରନ୍ତି କଲେଜକୁ। ସେମାନଙ୍କୁ ଦେଖିଦେଖି ମନ ପୂରିଯାଏ ତା'ର। ପେଟ ତ ବାପାଙ୍କ ରୋଜଗାରରେ ପୂରି ଯାଉଛି। ଚିନ୍ତା ଆଉ କ'ଣ। ଚିନ୍ତା ସବୁ ବାପା ମାଆ ଅଛନ୍ତି କରିବାକୁ।


ସମୀର ବାପା ମାଆଙ୍କର ମନ ସବୁବେଳେ ଦୁଃଖ ପିଲାଟା କିଛି ନକରି ଏମିତି ଘରେ ବସି ରହିଲେ କିଏ କାହିଁକି ତାଙ୍କ ଝିଅ ଦେବ ୟାକୁ। କାହାର ଝିଅ କ'ଣ ପଚିସଢି ଯାଉଛି କି। ବାପାର ଯେତେ ବଡ କୋଠା ଥାଉ, ଚାକିରି ଥାଉ,ପୁଅ ତ ବେକାର ।ବେକାରିଆକୁ ବେକାରିଆ କହିବେନି ତ ଆଉ କ'ଣ କହିବେ। ସମୀର ର ପରୱା ନାହିଁ କୌଣସି କଥାରେ। ତା'ର ଝରକା ଦର୍ଶନ ଭଲ ତ ସେ ଭଲ। 


ମୀରା ସବୁଦିନ ସେଇପଟେ କଲେଜ ଯାଏ। ଦେଖିବାକୁ ଗୋଟେ ଚାଉଳରେ ଗଢା ଯେଉଁକୁହନ୍ତି ଠିକ୍ ସେଇଭଳି। ସମୀର ର ମନ ମୀରା ପ୍ରତି ଆକର୍ଷିତ ହୁଏ ଦିନକୁ ଦିନ। ଗୋଟେ ଦିନ ତାକୁ ନଦେଖିଲେ ସେ ରହିପାରେନା।ସୃଷ୍ଟି ପ୍ରଳୟ ହେଇଯାଉ ପଛେ ଠିକ୍ ସେଇ ସମୟରେ  ସେ ଯାଇ ତାଙ୍କ ଗେଟ୍ ଆଗରେ ଛିଡା ହୋଇଥାଏ।ଘରେ ମାଆ ଯଦି କିଛି ଜିନିଷ ଆଣିବାକୁ ବରାଦ କରନ୍ତି ତାଙ୍କ ଉପରେ ବିରକ୍ତ ହୁଏ। ମୀରା କଲେଜ ଗେଟ୍ ଭିତରକୁ ପଶିଗଲା ପରେ ଯାଇକି ସେ ଭିତରକୁ ଆସେ। 


ଗୋଟେ ବର୍ଷ ଏମିତି ମୀରାକୁ ସବୁଦିନ ଦେଖିଦେଖି ଆଉ ନିଜକୁ ନିୟନ୍ତ୍ରଣ ରେ ରଖିପାରିଲାନି ସମୀର। ଦିନେ ମୀରାର ବାଟ ଜଗି ତା ମନର କଥା ଖୋଲି କହିଲା ତାକୁ।ମୀରା ମାତ୍ର ସତର ବର୍ଷର ଝିଅଟେ ଥିଲା। ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ରେ ପଢୁଥିଲା ପ୍ରଥମ କରି କେହି ତାକୁ ପ୍ରେମ ନିବେଦନ କରୁଛି। ସେ କ'ଣ କରିବ କିଛି ଚିନ୍ତା କରିପାରିଲାନି। ଏତେ ବି ତା ମାନସିକତା ପରିପକ୍ବ ହେଇନି। କ'ଣ କହିବ କିଛି ଜାଣିପାରିଲାନି ମୀରା । ଶୁଣି ନଶୁଣିଲା ପରି ସେଠୁ ଚାଲିଗଲା।ରାଗରେ ସମୀରର ସମଗ୍ର ଶରୀର ଯେମିତି ଜଳି ଉଠିଲା। ଏତେ ଗର୍ବ ଏଇ ଝିଅର। ପିଲାଦିନୁ ଯାହା ଇଚ୍ଛା କରିଛି ତାକୁ ମିଳିଛି। ଆଜି ଏଇ ଝିଅ ତାକୁ ମୁହଁ ବୁଲେଇଦେଇ ଚାଲିଗଲା ଜାଣି ତା ଅହଂତ୍ବ ବିଦ୍ରୋହ କରିଉଠୁଥିଲା। ତଥାପି ସମ୍ଭାଳି ହେଇ କିଛିଦିନ ଅପେକ୍ଷା କଲା।


ପୁଣିଥରେ ସୁଯୋଗ ଦେଖି ସେ ମୀରାକୁ ସେଇକଥା କହିଲା। ମୀରା ଏଥର ମୁହେଁମୁହେଁ ଶୁଣେଇଦେଲା।"ଆଗେ ନିଜ ଗୋଡରେ ଛିଡାହେବାର ଦକ୍ଷତା ହାସଲ କର ତା ପରେ ପ୍ରେମ କରିବ"। ସେଦିନ ପ୍ରବଳ ଅପମାନ ହେଇଥିଲା ସମୀରକୁ। ସେ ରାତି ସାରା ଶୋଇପାରିଲାନି ଆଉ। ବିବେକ କହୁଥିଲା "ମୀରା ଯାହା କହୁଛି ଠିକ୍ କହୁଛି। ଆଗ ନିଜେ ରୋଜଗାରକ୍ଷମ ହେ, ତା ପରେ ମୀରା ଭଳି କେତେ ଝିଅ ତୋ ପାଦ ତଳକୁ ଆସିବେ"। କିନ୍ତୁ ତା ଭିତରର ସୈତାନ କହୁଥିଲା ଆଉକିଛି। "ମୀରା ତୋତେ ରାତିରେ ଶୁଆଇଦେଉନି।ଛଟପଟ କରି ଜାଳୁଛି।ତୁ ବି ତାକୁ ସେମିତି ଛଟପଟ କରି ଜାଳେ। ତା ରୂପକୁ ନେଇ ତା'ର ବହୁତ ଗର୍ବ। ତା'ର ପାଠପଢାକୁ ନେଇ ବି ତା'ର ବହୁତ ଗର୍ବ। ସେ ସବୁକୁ ପୋଡି ଛାରଖାର କରିଦେ ଏକାବେଳକେ। ପରୀକ୍ଷା ଆଉ ଅଳ୍ପ ଦିନ ରହିଲା।ଗୋଟିଏ ଗୁଳିରେ ଦୁଇଟା ଶୀକାର।ପରୀକ୍ଷାକୁ ପରୀକ୍ଷା ବାତିଲ୍। ରୂପସୀରୁ କୁରୂପୀକୁ ବଦଳି। ମନେମନେ ସୈତାନ ବୁଦ୍ଧିକୁ ମାନିନେଲା ସମୀର। ରାତିରେ ଶୋଇଶୋଇ ଯୋଜନା ପ୍ରସ୍ତୁତ କଲା।ମାତ୍ର ଗୋଟେ ବୋତଲ ଏସିଡ ସବୁ ଠିକ୍ କରିଦେବ। 


ମୀରା ସବୁଦିନ ଭଳି କଲେଜ ଆସିଲା। ଠିକ୍ ସମୀରଙ୍କ ଘର ସାମ୍ନା ଦେଇଗଲାବେଳକୁ ଗେଟ୍ ପଛପଟୁ ଲୁଚି ରହିଥିବା ସମୀର ମୀରା ର ମୁହଁରେ ଏସିଡ୍ ଢାଳିଦେଲା। ଯନ୍ତ୍ରଣାରେ ଛଟପଟ ହେଉଥାଏ ମୀରା। କି ବିକଳ କରୁଣ କ୍ରନ୍ଦନ। ତା ମୁହଁର ଚମଡା ସବୁ ପ୍ଳାଷ୍ଟିକ ଭଳି ତରଳି ଯାଉଥାଏ। ସମୀର ଆଉ ଆଗକୁ ଦେଖିପାରିଲାନି ମୀରାର ଏ ହୃଦୟବିଦାରକ ଦୃଶ୍ଯ। ଯାହା ହେଲେବି ସେ ମୀରାକୁ ହୃଦୟରୁ ଭଲ ପାଉଥିଲା।ଏତେ ଝିଅ ସେଇପଟେ ଯିବା ଆସିବା କରୁଥିଲେ ବି ସେଇ ଜଣେ ଝିଅ ତା ହୃଦୟ ସିଂହାସନରେ ବସି ପାରିଥିଲା।ମୀରାର ଯନ୍ତ୍ରଣା ଦେଖି ଚିତ୍କାର କରି ଉଠିଲା ସେ।ତା ମାଆ ଆସି ଜୋରରେ ହଲେଇ ଦେଇ ଉଠେଇଦେଲେ ସମୀରକୁ। "ଦିନ ଦୁଇଘଡି ହେଲାଣି ନଉଠି ବାବୁ ଆହୁରି ସ୍ବପ୍ନ ଦେଖୁଛନ୍ତି। ବସ୍ ଉଠିକି। ଯା ଆଜି ଟିକେ ସୀମା ଆଉ ରିମାକୁ କଲେଜରେ ଛାଡିଦେଇ ଆସିବୁ"। କହିଦେଇ ସେଠୁ ସମୀରର ମାଆ ରୋଷେଇ ଘରକୁ ପଳେଇଲେ। 


ଏଇଟା ସ୍ବପ୍ନ ଥିଲା ତାହେଲେ।ଆଶ୍ବସ୍ତ ହେଲା ସେ। କେତେ ଭୟଙ୍କର ଥିଲା ସତରେ ଏ ସ୍ବପ୍ନ। ଆଉ ଏଭଳି ଭୟଙ୍କର ସ୍ବପ୍ନ ନଦେଖେଇବାକୁ ଠାକୁରଙ୍କ ପାଖରେ ପ୍ରଣାମ କରି ଦିନଟି ଭଲରେ ବିତୁ ବୋଲି ପ୍ରାର୍ଥନା କରି ବାହାରକୁ ଆସିଲା ସେ। ସୀମା ଆଉ ରିମା କଲେଜ ଯିବା ପାଇଁ ବାହାରି ସାରିଥିଲେ।ମାଆ ତରବର କଲେ ତାଙ୍କୁ ନେଇ ଛାଡିଆସିବାକୁ। ଆଶ୍ଚର୍ଯ୍ଯ ହେଇ ପଚାରିଲା ସମୀର "ଆଜି କ'ଣ ପାଇଁ ମୁଁ ଯିବି?ସବୁଦିନେ ତ ସେମାନେ ଏକାଏକା ଯାଆନ୍ତି ।ଏତିକି ଦୂର ତ ଘର" । 


ତୁ ଯାଆ ଆଗ। ସେମାନଙ୍କର ଡେରି ହେଇଗଲାଣି। ଆସିଲେ ସବୁ କହିବି। କହିଲେ ସମୀରର ମାଆ। 

ସମୀର ଦୁଇ ଭଉଣୀଙ୍କୁ ଗାଡିରେ ବସେଇ ନେଇ କଲେଜ ଭିତରେ ଛାଡିଦେଇ ଆସିଲା। ଘରେ ପହଞ୍ଚୁ ପହଞ୍ଚୁ ପଚାରିଲେ ତା ମାଆ, "ବାଟରେ କିଛି ଅସୁବିଧା ହେଇନି ତ"?


କ'ଣ ଅସୁବିଧା ହେବ? ପୁଅଟେ କିଏ ସେମାନଙ୍କୁ କେତେ ଦିନ ହେଲାଣି ଭାରି ହଇରାଣ କରୁଛି। ଉପରେ ପଡି ଭଲପାଉଛି ବୋଲି କହୁଛି। 


କ'ଣ? ଇଚ୍ଛା ନଥାଇ ଜୋର କରି କିଏ କାହାକୁ ପାଇଲାଣି? ସେ ମନେମନେ ଗୁଡ ଖାଇ ବସିଛି। ଥରେ ତାକୁ ଦେଖିଲେ ତା ଗୋଡ ହାତ ଭାଙ୍ଗିଦେବି।


ଚମକି ପଡିଲା ସମୀର ନିଜେ ନିଜର ସ୍ବର ଶୁଣି। ଆରେ, ସିଏ ବି ତ ସେମିତି ଭୁଲ ଗୋଟେ କରୁଛି। ଭୁଲ ତ ସମସ୍ତଙ୍କ ପାଇଁ ଭୁଲ। ତା ଭଉଣୀ ମାନଙ୍କ ପାଇଁ ଗୋଟେ ବିଚାର କରୁଥିଲା ବେଳେ ମୀରା ପାଇଁ ଆଉ ଗୋଟେ ବିଚାର କେମିତି କରୁଛି ସେ। 


ସତରେ ଖାଲିମୁଣ୍ଡ ସୈତାନ ର ଘର। ଘରେ ଖାଲି ଟାରେ ବସି ରହୁଛି ବୋଲି ବାଟରେ ଘାଟରେ ଖାଲି ଝିଅମାନଙ୍କୁ ଦେଖି ବାକୁ ଇଚ୍ଛା ହେଉଛି। ସେଇ ସମୟରେ ନିଜେ ଯଦି କିଛି କରିପାରନ୍ତା ତାହେଲେ କେହି ତାକୁ ବେକାରିଆ ବୋଲିକୁହନ୍ତେନି।


 ସେଦିନ ରାତିରେ ବାପାଙ୍କ ସହ କିଛିଟା ଆଲୋଚନା ହେଲା। ଆଗରୁ ବାପା ଯେଉଁ ବ୍ଯବସାୟ ପାଇଁ ପରାମର୍ଶ ଦେଉଥିଲେ ସେଥିରେ ସମୀର ରାଜି ବୋଲି ସମ୍ମତି ପ୍ରକାଶ କଲା। କିଛିଦିନ ଭିତରେ ସମୀର ର ନୂଆ ବ୍ଯବସାୟ ଆରମ୍ଭ ହେଇଗଲା। 


ପାଞ୍ଚ ବର୍ଷ ଭିତରେ ସମୀର ଜଣେ ପ୍ରତିଷ୍ଠିତ ବ୍ଯବସାୟୀ ହେଇପାରିଥିଲା ସେହି ସହରରେ । ଅର୍ଥ ପ୍ରତିପତ୍ତି ମାନ ସମ୍ମାନ ସବୁ ଏବେ ତା ପଛରେ।।ଝିଅ ମାନଙ୍କୁ ଚାହିଁ ଚାହିଁ ସମୟ ବିତାଇବାର ଦୂରର କଥା ଝିଅମାନଙ୍କ ବିଷୟରେ ଭାବିବାକୁ ମଧ୍ଯ ତାକୁ ସମୟ ମିଳୁନଥିଲା। ତଥାପି ବେଳ ଅବେଳରେ ମୀରା ତା ହୃଦୟ ଭିତରକୁ ପଶିଆସେ। ତା ଅବଚେତନ ଅବସ୍ଥାରେ ତା ସହିତ ବହୁତ କିଛି ମିଠା ମିଠା ଅନୁଭୁତି ବାଣ୍ଟିକରି ଚାଲିଯାଏ। ସମୀର ଜାଗ୍ରତ ଅବସ୍ଥାକୁ ଆସିଗଲା ପରେ ମୀରା ସେଠୁ ପୁଣି ଚାଲିଯାଏ। ନିଜ ମନକୁ ବୁଝେଇଦିଏ ସମୀର ।ଯିଏ ଯାହା ପାଇଁ ନାହିଁ, ତାକୁ ଭାବି ନିଜକୁ କଷ୍ଟ ଦେବା ଅନୁଚିତ୍। ପୁଣି ନିଜ କର୍ମ ରେ ମନ ଦିଏ ସେ।


ବାପା ମାଆ ଏବେ ବହୁତ ବ୍ଯସ୍ତ ସେମାନଙ୍କ ପାଇଁ ବୋହୂ ଟେ ଆଣିବାକୁ ।ସମୀର ର ମତାମତ ବି ଆଣିଛନ୍ତି।ସମୀର ସିଧା ସିଧା ଜଣେଇଦେଇଛି ବାପା ମାଆ ଙ୍କ ପସନ୍ଦର ଝିଅ ହିଁ ତା'ର ପସନ୍ଦ। ତାକୁ ଝିଅ ଦେଖିଯିବାକୁ ପଡିବନି। କୌଣସି ବାପା ମାଆ ପିଲାଙ୍କ ପାଇଁ ଖରାପ ଜିନିଷ ବାଛନ୍ତି କି? ଶେଷରେ ସେଇଆ ହେଲା।ବାପା ମାଆ ଙ୍କ ପସନ୍ଦର ଝିଅ ସହିତ ସମୀରର ବାହାଘର ଠିକ୍ ହେଲା। ସୀମା ରିମା ବି ଝିଅକୁ ଦେଖି ପସନ୍ଦ କଲେ। ସେମାନେ ଯେତେ କହିଲେ ବି ସମୀର ରାଜି ହେଲାନି ଝିଅ ଦେଖି ଯିବାକୁ।ଏମିତି କି ଫଟୋ ବି ନୁହେଁ। ସେମିତିରେ ସମସ୍ତେ ତ କହୁଛନ୍ତି ଝିଅ ଗୋଟିଏ ଚାଉଳରେ ଗଢା ବୋଲି। ଆଉ ଦେଖି ଯିବା କ'ଣ ଦରକାର। 


ବାହାଘର ହେଇଗଲା। ବୋହୂ ଆସିଲା ମୁଣ୍ଡରେ ହାତେ ଓଢଣୀ ଟାଣି। ସମୀର ଚାହିଁଲେବି ବୋହୂର ମୁହଁକୁ ଦେଖିପାରୁନଥାଏ। ଗୋଟିଏ ଗାଡିରେ ପାଖାପାଖି ହେଇ ବସିଥାନ୍ତି ଅଥଚ ଦୁଇଟି ଅପରିଚିତ ଙ୍କ ଭଳି। ଅପେକ୍ଷା ସେଇ ରାତିକୁ। 


ପରିଚୟ ଆଦାନ ପ୍ରଦାନ ର ସମୟ। ସମୀର ତା ନବବିବାହିତା ସ୍ତ୍ରୀ ମୁଣ୍ଡରୁ ଓଢଣୀ ଖୋଲୁଖୋଲୁ ଆଶ୍ଚର୍ଯ୍ଯ ହୋଇ ରହିଗଲା। 


ତମେ!!! ହୁଁ। ମୋତେ ମନଦେଇ ଆଉ କାହାକୁ ବାହା ହେବାକୁ କେମିତି ଯାଉଥିଲ? 


ସମୀର ମନେମନେ ଭାବୁଥିଲା ଏଇ ପ୍ରସ୍ତାବଟି ଆଣି ଆସିଥିବା ମଧ୍ଯସ୍ଥ ଜଣକ ବହୁତ ଥର ତାଙ୍କ ଘରକୁ ଆସି ତା ବାପାଙ୍କ ପାଖେ ପାଖେ ରହି ଏ ବାହାଘର କରିବାକୁ ବାଧ୍ଯ କରୁଥିଲା। ସବୁ ଦୃଷ୍ଟିରୁ ଠିକ୍ ଠାକ୍ ଥିବାରୁ ବାପା ବି ବାହାଘର କରିଦେଲେ। ସେ ତ କିଛି ବି ଜାଣିନଥିଲା।ହେଲେ ଏ ମୀରା ସବୁ ଜାଣିଲା ଭଳି ବସିଛି ସ୍ଥିର ହେଇ। ପୁଣି ହସୁଛି ମୁରୁକି ମୁରୁକି। 


ଗୋଟେକୁଆଁରୀ ଝିଅ ଜୀବନରେ ପ୍ରଥମେ କେହିଜଣେ ଆସି ପ୍ରେମ ନିବେଦନ କଲେ ସେ କଥାଟି କେବେ ବି ମନରୁ ଲିଭିନଥାଏ। ଧିରେଧିରେ କଥାଟି ବଢିବଢି ପ୍ରେମର ମହା ଦ୍ରୁମରେ ପରିଣତ ହୁଏ। ସମୟ ଆସିଲେ ସେଇ ପ୍ରେମ ତା'ର କରାମତି ଦେଖେଇବା ଆରମ୍ଭ କରିଦିଏ। ହସିହସି କହୁଥିଲା ମୀରା। ସମୀର ବି ହସିପକେଇଲା ମୀରାର ଏଇ ଉତ୍ତର ଶୁଣି। ମୀରାକୁ ଛାତି ଉପରକୁ ଟାଣିଆଣି କହିଲା "ସତରେ ଯିଏ ଯାହାକୁ ହୃଦୟରୁ ଭଲପାଏ ଭଗବାନ୍ ତା କଥା ଆଉଥରେ ବିଚାର କରନ୍ତି ।ସତରେ ଏହା ଏକ "ନିଆରା ପ୍ରେମ"। 


ସମାପ୍ତ।


Rate this content
Log in

Similar oriya story from Romance