ନାତୁଣୀବୋହୁ ନାମ ପ୍ରୀତି
ନାତୁଣୀବୋହୁ ନାମ ପ୍ରୀତି
ତମକୁ କେତେଥର କହିଲିଣି ବାପା ପୁପୁନ କଥାରେ ପଡି ରାତିରେ ଛାତ ଉପରେ ନଶୋଇବାକୁ. ତମେ ଶୁଣୁନାହଁ. ଦେହ ଖରାପ ହେଲେ ଯେତେ ଔଷଧ ଖାଇଲେ ମଧ୍ୟ କଷ୍ଟ ତ ତମେ ଭୋଗିବ ନା? ସେଥିରେ ପୁଣି ପୁପୁନ ସହ ଗପି ଗପି ଢେର ରାତି ଯାଏଁ ଅନିଦ୍ରା ରହୁଛ. କଣ ଯେ ଅଜା ନାତି ଏତେ ଗପକର, ବୁଝିପାରୁନି ମୁଁ. ଦୀନବନ୍ଧୁ ବାବୁ କହନ୍ତି ଆରେ ମାଆ ଔଷଧ ଠାରୁ ପରା ଢେର ଗୁଣ ବଡ଼ ଔଷଧ ଅଛି ମୋ ନାତି ପାଖରେ. କି ଔଷଧ ବାପା? ଏଇ ତା ମୋବାଇଲରେ ସବୁ ସଂଗୀତର ଧୂନ ଅଛି. ଡରିଗଲେ ନିଶା. ବାପାଙ୍କୁ ମୋବାଇଲମାନିଆଁ ହେଲାଣି ତେବେ ପୁଅକୁ ପାଟି କଲେ. ତୁ ତୋର ମୋବାଇଲ ଦେଖୁଛୁ ତ ଦେଖେ ମୋ ବାପାଙ୍କୁ କାହିଁକି ସେଥିରେ ଭରି କରୁଛୁ? ମୁଁ ଜମା ଭରି କରୁନି ତାଙ୍କୁ ମାଆ ସେ ପରା ମୋବାଇଲ ନଦେଖିଲେ ଶୋଉ ନାହାଁନ୍ତି. ଏଥର ରୀତିମତ ଡରିଗଲେ ନିଶା ପଚାରିଲେ ତୁ କଣ ତାଙ୍କ ନାମରେ ହ୍ୱାଟ୍ସ ଆପ ଓ ଫେସ ବୁକ ଆକାଉଣ୍ଟ ଖୋଲିଛୁ କି ପୁପୁନ? ଆରେ ମୋ ଫୋନରେ ମୁଁ ଅଜାଙ୍କ ନାମରେ କାହିଁକି ସେଗୁଡାକ ଖୋଲିବି? ବରଂ ମୋ ଆପ ଓ ଆକାଉଣ୍ଟକୁ ଏବେ ଅଜା ଚଳାଉଛନ୍ତି ପରା. ସନ୍ଦେହରେ ଚାହିଁଲେ ପୁଅକୁ ନିଶା. ପୁପୁନ କହୁଥିଲା ମାଆ ତମେ ବି ନା ମିଛରେ ସନ୍ଦେହ କରୁଛ ଅଜାଙ୍କୁ. ପୁପୁନ ବୁଝିପାରୁନଥିଲା ତା ମାଆ ତା ବାପାଙ୍କୁ ନୁହେଁ ବରଂ ତାକୁ ହିଁ ସନ୍ଦେହ କରୁଛନ୍ତି ।
ନିଶାଙ୍କର ମନେପଡୁଥିଲା ତା ବୋଉ ବା ମାଆ, ରୂପାଙ୍କ କଥା. ଥରେ ଗାଁ ଘର ଛାଡ଼ି ବାପାଙ୍କୁ ଛାଡ଼ି ଅସମୟରେ ଆସି ତା ଘରେ ପହଞ୍ଚିଥିଲା ବୋଉ , କହିଥିଲା ତୋ ବାପାଙ୍କ ଗତି ଵିଧି ମତେ ଭଲ ଲାଗୁନି ଝିଅ . କି ଫୋନ ଦେଲୁଯେ ରାତି ସାରା କାହା ସଙ୍ଗେ କଥା ହେଉଛନ୍ତି.ମତେ ବିଶ୍ୱାସ କର ଝିଅ ରାତି ସାରା ବାପା କାହା ସଙ୍ଗେ କଥା ହେଉନଥିଲେ, ଏ ବୟସରେ ତାଙ୍କୁ ଏକୁଟିଆ ଛାଡ଼ି ତୋ ଘରକୁ ଆସିଥାଆନ୍ତି ମୁଁ? ନିଶା ଦୌଡ଼ି ଯାଇଥିଲେ ଗାଁକୁ. ରାତିରେ ବାପା ମୋବାଇଲ ଖୋଲି ୟୁଟୁବରୁ ରୋଗ, ତାର କାରଣ, ନିରାକରଣ ସବୁ ଶୁଣୁଥିଲେ ତ ବୋଉକୁ ସନ୍ଦେହ ହୋଇଥିଲା କିନ୍ତୁ ବୋଉ ଯେବେ ଜାଣିପାରିଲା ସତ କଥା ନିଜ ଲାଜରେ ନିଜେ ଲାଜେଇ କହିଥିଲା ତୋ ରାମଚନ୍ଦ୍ର ପରି ବାପାଙ୍କୁ ସନ୍ଦେହ କରି ଏ ବୟସରେ ଭୁଲ କରିଛି ଝିଅ. ଆଉ ସେହି ରାମଚନ୍ଦ୍ର ପରି ବାପା ଆଜି ପୁପୁନ ମୋବାଇଲରେ କଣ ୟୁଟୁବ ଦେଖୁ ଦେଖୁ ଅନ୍ୟ କିଛି ଦେଖୁଛନ୍ତି ନା କଣ? ସେଦିନ ଲୁଚି ଲୁଚି ଶୁଣୁଥିଲେ ନିଶା. ତାଙ୍କ ବାପା ଝିଅଟିଏ ସହ କଥା ହେଉଥିଲେ.ତୁ ଦିନେ ମୋ ସହ କଥା ନହେଲେ ମତେ ବିରହ ମାଡି଼ବସେ. ସେପଟୁ ଝିଅଟିର ଖିଲ ଖିଲ ହସ. ଆଉ ଶୁଣିବାକୁ ଧର୍ଯ୍ୟ ନଥିଲା ନିଶାଙ୍କର ।
ସେଦିନ ପୁପୁନ ଯେବେ ଛାତ ଉପରକୁ ଯିବାକୁ ବାହାରିଲା ତା ସହ ଶୋଇବାକୁ ଯାଉଥିବା ବାପାଙ୍କୁ ସେ ଜମା ଛାଡିଲାନି. ବୋଉ ଚାଲିଗଲା ବୋଲି ତୁମେ ଯାହା ନାହିଁ ତା କରିବ ନା କଣ?ତୁମେ ଏ ବୟସରେ ରୋଗୀଣା ଶରୀରରେ ମୋବାଇଲରେ କୋଉ ଝିଅ ସଙ୍ଗେ ଗପୁଛ ଶୁଣେ ? ଆଜି ଛାଡ଼ଉଛି ତୁମ ଅଭ୍ୟାସ କହି ନିଶା ଜଗି ରହିଲେ ବାପାଙ୍କୁ. କଡ଼ ଲେଉଟାଇ ଶୋଇବାକୁ ଚେଷ୍ଟା କରି ମଧ୍ୟ ଶୋଇପାରୁନଥିଲା ବେଳେ ପୁପୁନ ଅନ୍ଧାରରେ ଅଜାଙ୍କ ପାଖକୁ ଆସି ଡାକୁଥିଲା ଅଜା ଆସ ପ୍ରୀତି ପା ଅପେକ୍ଷା କରିଛି ତୁମକୁ. ନିଶା ଦେଖିଲେ ଛପି ଛପି ବାପା ଆଗେଇ ଯାଉଛନ୍ତି. ବାପାଙ୍କୁ ରୋକିବେ କଣ ପୁଅ ପୁପୁନକୁ ମାଡି ବସି କହିଲେ କିଏ ସେ ପ୍ରୀତି କହ ସତକଥା. ପୁପୁନ ଲାଜେଇଯିବ କଣ ବାପା ଲାଜେଇଯାଇ କହୁଥିଲେ ନାତୁଣୀବୋହୂଟା ମୋର ଭାରି ଭଲ. ମୁଁ ଜାଣିନି ଅଥଚ ତୁମର ନାତୁଣୀବୋହୁ ହୋଇସାରିଲାଣି ସିଏ କହି ଫୋନ ଛଡେଇ ପଚାରିଲେ କିଏ ତୁ ଝିଅ? ମୁଁ ପ୍ରୀତି ଆଜ୍ଞା. ସେ କଥା ଦୁଇ ପଦରେ କି ଯାଦୁ ଥିଲା କେଜାଣି ସଂଗୀତର ଭାଷା ପରି ଲାଗିଲା ନିଶାଙ୍କୁ ତ ନିଶା କହିଲେ ହଉ ହଉ ଅଜାଙ୍କୁ କଥା ପଦେ ଦିପଦ କହିଦେ ସେ ଶୋଇପଡନ୍ତୁ. ବାପା ଆଶ୍ଚର୍ଯ୍ୟରେ ଚାହିଁଥିଲେ ତାଙ୍କ ଝିଅ ନିଶାଙ୍କୁ ।
