STORYMIRROR

Lokanath Rath

Classics Inspirational Children

3  

Lokanath Rath

Classics Inspirational Children

ନାସ୍ତିକ କିଏ ???

ନାସ୍ତିକ କିଏ ???

7 mins
314


ଦଶ ବର୍ଷ ବୟସର ଅଶୋକ ବହୁତ ଦୁଃଖରେ ମନମାରି ମୁହଁକୁ ଶୁଖାଇ ଚୁପ ଚାପ ବସିଥିଲା | ଆଜି ରବିବାର ,ଛୁଟି ଦିନ,କିନ୍ତୁ ସବୁ ଛୁଟି ଦିନ ପରି ଆଜି ଅଶୋକ ତାର ସାଙ୍ଗ ମାନଙ୍କ ସହିତ ଖେଳିବାକୁ ନଯାଇ ଘରେ ମୁହଁ ଶୁଖାଇ ବସିଛି | ତାକୁ ଏମିତି ଅବସ୍ଥାରେ ଦେଖି ତାର ଜେଜେ ମା ଶାନ୍ତି ଦେବୀ ଆସି ତା ପାଖରେ ବସିଲେ ଓ ଗେଲ୍ହା କରି ପଚାରିଲେ ,'' ଆରେ ଆଜି ମୋ ନାତିର ସୁନା ମୁହଁଟା କାହିଁକି ଶୁଖି ଯାଇଛି ? ମୋ ଧନର ଆଜି କଣ ହେଇଚି କି ?" ଡାକି କଥା ତା ଜେଜେ ମା ପାଖରୁ ଶୁଣି ଅଶୋକ ବଡ ଅଭିମାନ କରି କହିଲା ,'' ମୁଁ ଆଉ କାହା ସାଙ୍ଗରେ ମିଶି ଖେଳିବି ନାହିଁ | ମୋତେ ସବୁ ସାଙ୍ଗମାନେ ନାସ୍ତିକର ପୁଅ କହି ଚିଡାଉଛନ୍ତି | ବେଳେ ବେଳେ ସେମାଙ୍କର ପିତା ମାତା ବି ଯେବେ ମୋତେ ଦେଖନ୍ତି ,ବଡ ଥଟ୍ଟା କରି ଅପମାନ ଦେଇ ମୋତେ ସେମାନଙ୍କୁ କୁହନ୍ତି ମୋ ସାଙ୍ଗରେ ବେଶୀ ନମିଶିବାକୁ ,କାରଣ ମୋ ବାପା ଜଣେ ନାସ୍ତିକ ଆଉ କଲେ ମୋ ସାଙ୍ଗରେ ମିଶିଲେ ସେମାନେ ବି ନାସ୍ତିକ ହେଇଯିବେ | ମୁଁ ଯେତେବେଳେ ପଛରେ କି ମୋ ବାପା ଙ୍କୁ କାହିଁକି ନାସ୍ତିକ ବୋଲି କହୁଚ ,ମୋତେ କୁହନ୍ତି ଯେ ମୋ ବାପା କୌଣସି ଠାକୁରଙ୍କୁ ପୂଜା କରନ୍ତି ନାହିଁ କି ମାନନ୍ତି ନାହିଁ |ସେଥିପାଇଁ ସେ ଜଣେ ନାସ୍ତିକ ଲୋକ |ମୋତେ ମୋ ବାପାଙ୍କ ବିଷୟରେ ଏମିତି ଶୁଣିବାକୁ ଭଲ ଲାଗୁ ନାହିଁ ,କାରଣ ମୁଁ ସବୁଦିନ ଦେଖୁଚି ସକାଳୁ ଉଠି ମୋ ବାପା ଓ ମା ତୁମର ଓ ଜେଜେଙ୍କର ପୂଜା କରନ୍ତି ,ସବୁଦିନ ଯାଇ ସନ୍ଧ୍ୟାବେଳେ ସେଇ ପାଖ କୁଷ୍ଠାଶ୍ରମରେ ଦୁଇ ଘଣ୍ଟା ରହି ତାଙ୍କ ଭଲ ମନ୍ଦ ବୁଝନ୍ତି ଓ ସେମାଙ୍କର ଯତ୍ନ ବି ନିଅନ୍ତି |ତା ସହିତ ସେ କାମ କରିବାକୁ ଯାନ୍ତି ଓ ମୋତେ ପଢ଼ାନ୍ତି | ସବୁବେଳେ ମୋତେ ବାପା କୁହନ୍ତି ଯେ ତୁମେ ଓ ଜେଜେ ହେଉଛ ସବୁଠାରୁ ବଡ଼ ଠାକୁର ,ତେଣୁ ଆମେ ବି ତୁମ ଦୁଇଜଣଙ୍କୁ ପୂଜା କରୁ |ମୁଁ ବି ସକାଳୁ ଉଠି ତୁମକୁ ,ଜେଜେଙ୍କୁ ଓ ବାପା ମା ଙ୍କୁ ପୂଜା କରେ | ତେବେ ମୋ ବାପା କେମିତି ନାସ୍ତିକ ହେଲେ ? ମୁଁ ବୁଝି ପାରୁନାହିଁ ପକୃତରେ ନାସ୍ତିକ କିଏ ?''


ଏତକ ନିଜ ପ୍ରିୟ ନାତି ଅଶୋକ ପାଖରୁ ଶୁଣି ଶାନ୍ତି ଦେବୀ ତାକୁ କୋଳେଇ ନେଲେ | ଅଶୋକ ହେଉଛି ତାଙ୍କର ଏକ ମାତ୍ର ପୁଅ ଅରୁଣ ଓ ବୋହୁ ଆରତୀ ଙ୍କର ଗୋଟିଏ ବୋଲି ପୁଅ | ଶାନ୍ତି ଦେବ ଓ ତାଙ୍କ ସ୍ୱାମୀ ଅଜୟ ବାବୁଙ୍କର ନାତି ଅଶୋକ ହେଲା ବହୁତ ପ୍ରିୟ ଜୀବନଠାରୁ ବଳି | ତା ମନରେ ଦୁଃଖ ହେଲେ ଅଜୟ ବାବୁ ବହୁତ ବିଚଳିତ ହେଇ ଯାଆନ୍ତି ଆଉ ସାରା ଘରର ସମସ୍ତଙ୍କୁ ବହୁତ ତାଗିଦ କରି ପଚାରନ୍ତି | ଶାନ୍ତି ଦେବୀ ଭାବିଲେ ,ଯଦି ଏବେ ଅଜୟ ବାବୁ ଏବେ ଏତକ ଅଶୋକ ଠାରୁ ଶୁଣିବେ ଓ ଅଶୋକର ମନ ଦୁଃଖର କାରଣ ବୋଲି ଜାଣିବେ ,ତେବେ କଣ କଣ ଗୋଟିଏ କିଛି କାଣ୍ଡ ନିଶ୍ଚୟ କରିବେ | ସେ ଦୁଖୀ ହେଇ ଯାଇଥିଲେ ଓ ଡରି ବି ଯାଇଥିଲେ | ତେଣୁ ନାତି ଅଶୋକ କୁ ଉଠାଇ ନିଜ ସାଙ୍ଗରେ ଘର ଭିତରକୁ ନେଉ ନେଉ ତାକୁ କହିଲେ ,'' ହଉ ହେଲା ତୁ ସେମାନଙ୍କ ସାଙ୍ଗରେ ଖେଳିବାକୁ ଯାଇନାହୁଁ ,ଭଲ କରିଛୁ | ସେମାନେ ପାଠ ପଢି ମଧ୍ୟ ଜଣେ ଜଣେ ଅଜ୍ଞାନୀ | ତୁ ଯାହା କହିଲୁ ପୁରା ଠିକ | ତୋ ବାପା ଅରୁଣକୁ ଆମେ ପାଇଁ ବହୁତ ଧନ୍ୟ | ଭାଗ୍ୟରେ ଥିଲେ ଏପରି ପୁଅ ମିଳେ |ବୋଧହୁଏ ଆମର କେଉଁ ଜନ୍ମର ପୁଣ୍ୟ ର ଆମକୁ ଫଳ ରୂପେ ମିଳିଛି ଓ ଅରୁଣକୁ ଆମେ ପୁଅ ରୂପେ ପାଇଛୁ |ସେ କାହିଁକି ନାସ୍ତିକ ହେବ ? ତାଠାରୁ ବଡ ଆସ୍ତିକ ଓ ପୁଣ୍ୟବନ୍ତ ବ୍ୟକ୍ତି ଏହି ଦୁନିଆରେ କେହି ନାହାନ୍ତି ଏବେ | ହଉ ଏଇ କଥାର ଗୋଟିଏ ସମାଧାନର ରାସ୍ତା ବାହାର କରିବା |ହଁ ,ତୁ ତୋ ଜେଜେଙ୍କୁ ଏ ବିଷୟରେ କହିବୁ ନାହିଁ କି ତାଙ୍କ ଆଗରେ ମୁହଁ ଶୁଖାଇ ବସିବୁ ନାହିଁ | ତୁ ଜାଣିଚୁ ଧାନ ତୋ ଜେଜେ ତୋର ଦୁଃଖ ମୋତେ ସହି ପାରନ୍ତି ନାହିଁ ,ତେଣୁ କଣ ନାଇଁ କଣ ପୁଣି କରି ବସିବେ |'' ଏତିକି କହି ଶାନ୍ତି ଦେବୀ ଅଶୋକକୁ ନେଇ ସାଙ୍ଗରେ ଯାଉଥିଲେ ,ଦେଖିଲେ ଅଜୟ ବାବୁ ତାଙ୍କ ଆଗରେ ଠିଆ ହୋଇଛନ୍ତି | ଅଜୟ ବାବୁ ଜଣେ ଆଇନଜୀବୀ | ତାଙ୍କ ଚାହିଁବା ଠାଣିରୁ ଶାନ୍ତି ଦେବୀ ଜାଣି ପାରିଲେ ବୋଧହୁଏ ଅଜୟ ବାବୁ ତାଙ୍କ କଥା ଶୁଣି ପାରିଛନ୍ତି | ଡରି ଡରି ସେ ଅଜୟ ବାବୁଙ୍କୁ କହିଲେ ,''ଚାଲ ଏବେ ଜେଜେ ନାତି ଦୁହେଁ ମିଶି ଆରତୀ ଚକୁଳି ପିଠା କରିବ ,ଏକ ସାଙ୍ଗରେ ଖାଇବ |'' ଏତକ କହି ତରବରରେ ଅଶୋକକୁ ନେଇ ଶାନ୍ତି ଦେବୀ ଘର ଭିତରକୁ ଚାଲିଗଲେ | ତାଙ୍କ ପଛେ ପଛେ ଅଜୟ ବାବୁ ବି ଚାଲିଲେ | କିନ୍ତୁ ଅଜୟ ବାବୁଙ୍କୁ କିଛି ସନ୍ଦେହ ହେଲା ,କାରଣ ସେ ଜାଣିଛନ୍ତି ଯେ ଯେବେ କିଛି ଗୋଟାଏ ଭୁଲ ଭାଲ କାମ ହୁଏ ଶାନ୍ତି ଦେବୀ ଏମିତି ତରବର ହେଇ କୁହନ୍ତି ଓ ଚାଲନ୍ତି | ଘର ଭିତର ବାରଣ୍ଡାରେ ଅଜୟ ବାବୁ ବସିଲେ ଓ ଅଶୋକ ଶାନ୍ତି ଦେବୀଙ୍କ ସହିତ ତାଙ୍କ ଶୋଇବା ଘରକୁ ଗଲା | ସେତିକି ବେଳେ ଅଶୋକର ବାପା ,ଅଜୟ ବାବୁଙ୍କ ପୁଅ ଅରୁଣ କାନ୍ଧରେ ଝୁଲା ବ୍ୟାଗ ପକାଇ ଅରୁଣ ବାବୁଙ୍କୁ କହିଲେ ,'' ବାପା ଆଜି ଆମ କୁଷ୍ଠାଶ୍ରମରେ ଗୋଟିଏ ବିଦ୍ୟାଳୟର ଶୁଭ ଉଦଘାଟନ ପାଇଁ ପ୍ରସ୍ତୁତି ସଭା ହେବ ,ମୁଁ ସେଠାକୁ ଯାଉଛି | ମୋତେ ସମସ୍ତେ କହୁଥିଲେ ଯେ ଯଦି ଆପଣ ଓ ମା ସେହି ବିଦ୍ୟାଳୟ ର ଉଦଘାଟନ କରନ୍ତେ ,ତେବେ ଭଲ ହୁଅନ୍ତା ବୋଲି | ଆଗାମୀ ରବିବାର ଦିନ ହେବ | ସେହି ବିଦ୍ୟାଳୟରେ ଖାଲି କୁଷ୍ଠାଶ୍ରମର ପିଲାମାନେ ନୁହନ୍ତି ,ଅନ୍ୟ ସବୁ ପିଲାମାନେ ବି ପଢି ପାରିବେ | ଏବେ ଦୁଇ ବର୍ଷ ପାଇଁ ସରକାର ସମସ୍ତ ଖର୍ଚ୍ଚର ଅଧା ବହନ କରିବେ ଏବଂ ବାକିତକ ଆମ ସ୍ବେଛାସେବୀ ସଂସ୍ଥା ବହନ କରିବ | ଆଉ ଅତିଥି ହିସାବରେ ଆମ ବିଧାୟକ ବି ଆସିବେ | ଆପଣ ମା କୁ ପଚାରି ମୋତେ ଯଦି ଅନୁମତି ଦେବେ ,ତେବେ ମୁଁ ସେମାନଙ୍କୁ କହିବି ଓ ସେହି ହିସାବରେ କାର୍ଯ୍ୟକ୍ରମ ର ପ୍ରସ୍ତୁତି ହେବ |'' ଏତକ ଶୁଣୁ ଶୁଣୁ ଅଜୟ ବାବୁ ପୁଅ ଅରୁଣକୁ କହିଲେ ,'' ହଉ ତୁ ଆଗେ ଏଇଠି ବସ | ବୋହୁ ଚକୁଳି କରି ଦେବା ,ଦୁଇଟା ଖାଇକି ଯିବୁ | ମୁଁ ତୋ ମା କୁ ଡାକୁଛି ତୁ ତାକୁ ପଚାରି ଦେ | ମୋର ଏହି ମହତ କାମରେ ଯୋଗ ଦେବାରେ କୌଣସି ଆପତ୍ତି ନାହିଁ ,ଓଲଟା ଆଜି ମୁଁ ତୋର ଏହି କାମ ପାଇଁ ବହୁତ ଖୁସି ଓ ଗର୍ବିତ |'' ଏତକ କହିସାରି ଅରୁଣ ବାବୁ ବୋହୁ ଆରଟିକୁ କହିଲେ ଆଗ ଅରୁଣକୁ ପିଠା କରି ଦେବାକୁ ଓ ଶାନ୍ତି ଦେବୀଙ୍କୁ ଡାକ ଦେଲେ ନାତି ଅଶୋକକୁ ନେଇକରି ଆସିବାକୁ | ଆରତୀ ପିଠା କରି ଦୁଇଟା ଜାଗାରେ ଆଣି ଅଜୟ ବାବୁ ଓ ଅରୁଣଙ୍କୁ ଦେଲା | ଶାନ୍ତି ଦେବୀ ଅଶୋକକୁ ନେଇ ଆସି ପହଁଚିଲେ | ଅରୁଣ ନିଜ ପିଠା ଜାଗାଟା ମା ଶାନ୍ତି ଦେବୀଙ୍କୁ ବଢ଼ାଇ ଦେଇ କହିଲେ ,'' ଏଇ ଆଗ ତୁ ଖାଇ ନେ ମା ,ମୋ ପାଇଁ ଆରତୀ ନେଇ ଆସିବ |'' ଅଶୋକ ଏହା ଦେଖୁଥିଲା | ମାନେ ମାନେ ସେ ବହୁତ ଖୁସି ହେଉଥିଲା ତା ବାପାଙ୍କ ଭକ୍ତିକୁ ଦେଖି | ଶାନ୍ତି ଦେବୀ ପୁଅ ଅରୁଣ ଠାରୁ ପିଠା ଜାଗା ନେଇ ସେଥିରୁ ଖଣ୍ଡେ ଆଗ ପୁଅ ଅରୁଣକୁ ଓ ଖଣ୍ଡେ ନାତି ଅଶୋକକୁ ଖୁଆଇ ନିଜେ ଖଣ୍ଡେ ଖାଇଲେ |ଅଶୋକ କୁ ଲାଗୁଥିଲା ଯେମିତି ତା ଜେଜେ ମା ସାକ୍ଷାତ ଲକ୍ଷ୍ମୀ ଠାକୁରାଣୀ ,ସମସ୍ତଙ୍କୁ ଦେଇ ପରେ ସେ ନିଜେ ଖାଉଛନ୍ତି | ସେତିକିବେଳେ ଅଜୟ ବାବୁ ଅରୁଣ କହିଥିବା ବିଦ୍ୟାଳୟ ଉଦଘାଟନ କଥା ଶାନ୍ତି ଦେବୀଙ୍କୁ କହିଲେ ।ଏତକ ଶୁଣି ଶାନ୍ତି ଦେବୀ ଖୁସି ହେଇଗଲେ ଓ କହିଲେ ,'' ଆରେ ,ମୋତେ ଏଥିରେ ପଚାରିବାର କଣ ଅଛି ? ମୋ ଅରୁଣ କଣ କୋଉ ଖରାପ କାମ ପାଇଁ କହୁଛି ? ଆଉ ତୁମେ ଯଦି ଯିବା ତେବେ ମୁଁ ବା କାହିଁକି ନଯିବି ? ମୁଁ ନିଶ୍ଚୟ ଅରୂଣର ଏହି ମହତ କାମ ପାଇଁ ସେଠାକୁ ଯିବି |'' ଏତକ ଶୁଣି ଆରତୀ ଆଣି ଦେଇଥିବା ପିଠା ଖାଇ ଅରୁଣ ବାହରିଗଲେ | ଅଜୟ ବାବୁ ବି ପିଠା ଖାଇ ନାତି ଅଶୋକ ସାଙ୍ଗରେ ଟିକେ ଖେଳି ନିଜ କୋଠରୀକୁ ଚାଲିଗଲେ | ତାପରେ ଶାନ୍ତି ଦେବୀ ଅଶୋକ କୁ କହିଲେ ,'' ଦେଖ ମୋ ପୁଅ ଅରୁଣ ଜଣେ କେତେ ବଡ ଆସ୍ତିକ | ତୋର ଆଜି ସକାଳର କହିଥିବା ସବୁ ସେହି କଥା ଗୁଡ଼ାକର ପକୃତ ଉତ୍ତର ଦେବାର ସମୟ କେମିତି ଆପେ ଆପେ ତାର ରାସ୍ତା ଖୋଲିଦେଲା | ସେହି ଉଦଘାଟନୀ ସଭାରେ ମୁଁ ସବୁ କହି ସମସ୍ତଙ୍କୁ ପଚାରିବି ପକୃତ ନାସ୍ତିକ କିଏ ?'' ଅଶୋକ ତାର ଜେଜେ ମା ଠାରୁ ଏତକ ଶୁଣି ବହୁତ ଖୁସି ହେଇଗଲା |


ସେହି ବିଦ୍ୟାଳୟର ଉଦଘାଟନର ଦିନ ଆସିଗଲା | ଅଜୟ ବାବୁ ,ଶାନ୍ତି ଦେବୀ ,ଅଶୋକ ,ଆରତୀ ଓ ଅରୁଣ ସେଠାକୁ ଗଲେ | ସ୍ଥାନୀୟ ବିଧାୟକ ବି ଆସିଥିଲେ | ସହରର ବହୁତ ଲୋକ ଉପସ୍ଥିତ ଥିଲେ | ସେମାଙ୍କ ଭିତରେ ଅଶୋକର ସାଙ୍ଗ ମାନେ ଓ ତାଙ୍କ ପିତା ମାତା ,ଯେଉଁମାନେ ତା ବାପା ଅରୁଣ ଙ୍କୁ ନାସ୍ତିକ ବୋଲି ସବୁବେଳେ କୁହନ୍ତି ,ସେମାନେ ସମସ୍ତେ ଉପସ୍ଥିତ ଥିଲେ | ଉଦଘାଟନ କାର୍ଯ୍ୟ ଶେଷ ହେଲା ଓ ପ୍ରଥମେ ଶାନ୍ତି ଦେବୀଙ୍କୁ ତାଙ୍କ ବକ୍ତବ୍ୟ ରଖିବାକୁ କୁହାଗଲା |


ଶାନ୍ତି ଦେବୀ ମାଇଁଙ୍କ ପାଖକୁ ଯାଇ କହିଲେ ,'' ସମସ୍ତଙ୍କୁ ମୋର ନମସ୍କାର ଓ ପିଲା ମାନଙ୍କୁ ବହୁତ ସ୍ନେହ | ଆଜି ମୁଁ ବହୁତ ଆନନ୍ଦିତ ଓ ଗର୍ବିତ ଯେ ମୋ ପୁଅ ଅରୁଣ ଓ ତାର ସାଥି ମାନଙ୍କ ଚେଷ୍ଟା ଏବଂ ସରକାରଙ୍କ ସହାୟତାରେ ଏହି ବିଦ୍ୟାଳୟ ଖୋଲା ଯାଇ ପାରିଛି | ଏଠାରେ ବସିଥିବା ପିଲାମାନଙୁ ଓ ତାଙ୍କ ପିତା ମାତା ନୁ ମୁଁ କିଛି କହିବାକୁ ଯାଉଛି ,ତାକୁ ଭଲ ଭାବରେ ବୁଝିବାକୁ ଚେଷ୍ଟା କରିବେ | ମଣିଷ ଜନ୍ମ ନେବା ପରେ ତାର ପ୍ରଥମ ଗୁରୁ ତାର ପିତା ମାତା ଓ ସେମାନେ ହେଲେ ଚାଲନ୍ତି ଠାକୁର | ଭଗବାନ ଙ୍କ ସିଧା ସ୍ପର୍ଶ ଆମେ ସାଧରଣ ମଣିଷ ପାଇବା ବହୁତ କଷ୍ଟକର ,ସେଥିପାଇଁ ଭଗବାନ ମାତା ପିତା ରୂପେ ଆମକୁ ଜନ୍ମ ଦିଅନ୍ତି ,ସ୍ନେହ କରନ୍ତି ,ଶିକ୍ଷା ଦିଅନ୍ତି ,ଆକଟ କରନ୍ତି ,ଆଦର କରନ୍ତି ଓ ଭୁଲ ପାଇଁ ଶାସ୍ତି ଦିଅନ୍ତି | ଆମ ଜୀବନକୁ ସୁନ୍ଦର କରି ଗଢନ୍ତି | ତାପରେ ଶିକ୍ଷକ ଶିକ୍ଷା ଦିଅନ୍ତି ଓ ସେମାନେ ବି ଭଗବାନ ଙ୍କ ସ୍ୱରୂପ | ଭଗବାଙ୍କ ଅସ୍ତିତ୍ବ ପ୍ରତ୍ୟେକ ଜୀବ ଠାରେ ଅଛି | ସେହିପାଇଁ ସନ୍ଥମାନେ କହିଛନ୍ତି ଯେ ମାନବ ସେବା ହିଁ ମାଧବ ସେବା | ତେଣୁ ଆମେ ସମସ୍ତେ ଏହି ସମାଜରେ ଯଦି କିଛି କର୍ମ ମାନବ ସେବା ପାଇଁ କରିବ ତାହା ହିଁ ପକୃତରେ ଭଗବାଙ୍କ ପ୍ରତି ଭକ୍ତି ହେବ | ଆମେ ଯେଉଁ ବଡ ଆଡମ୍ବର ସହିତ ଆମର ପୂଜା ପାର୍ବଣ ସବୁ ପାଳନ କରୁଛେ ,ବେଳେ ବେଳେ ନିଜକୁ ଭଗବାନଙ୍କର ବଡ ଭକ୍ତ ବୋଲି ନିଜକୁ କହି ସମସ୍ତଙ୍କୁ ଆମର ଆସ୍ତିକ ହେବାର ପ୍ରମାଣ ଦେବାକୁ ଚାହୁଁଛେ ,ସେସବୁ କରିବାକୁ କେବେ ଭଗବାନ ଆମକୁ କହିଛନ୍ତି ସେସବୁ କରିବାକୁ ? ନିଜର ପିତା ମାତାଙ୍କୁ ଅନାଦର କରି ,ସମାଜର ଅନ୍ୟ ଲୋକଙ୍କୁ ଘୃଣା କରି ବଡ ବଡ ପାଟିରେ ମନ୍ତ୍ର ଉଚ୍ଚାରଣ କରି ଭଗବାନଙ୍କୁ ପୂଜା କଲେ କଣ ଆମେ ଆସ୍ତିକ ହେବାର ଏକ ପରିଚୟ ? କାହାକୁ ନାସ୍ତିକ ବୋଲି ଭାବିବା ଆଗରୁ ଥରେ ଭାବିଲେ ,ସେହି ନାସ୍ତିକ ଶବ୍ଦ ଭିତରେ ଆସ୍ତିକ ଅଛି କି ନାହିଁ ? ଖାଲି ବଡ ବଡ ପୂଜା କରି ନାଚି ଗାଈ ମନ୍ତ୍ର ଓ ଭଜନ ଗାଇଲେ କେହି କି ଆସ୍ତିକ ହୋଇ ପାରିବ ? ତେଣୁ ଏବେ ନିଜେ ସମସ୍ତେ ଭାବନ୍ତୁ କଣ କରିବେ ଓ ପକୃତ ନାସ୍ତିକ କିଏ ? ଆଉ ଅଧିକ କିଛି କହୁବି ନାହିଁ | ଧନ୍ୟବାଦ |''


ଶାନ୍ତି ଦେବୀଙ୍କର ଏହି ଭାଷଣ ପରେ ସମସ୍ତେ କିଛି କ୍ଷଣ ସ୍ତବ୍ଧ ହେଇ ଯାଇଥିଲେ |ସେତିକିବେଳେ ତାଙ୍କ ନାତି ଆଗ ଠିଆ ହୋଇ ଜୋରରେ ତଳି ବଜାଇ ହସୁଥିଲା | ତାର ଟାଳିମାଡ଼ରେ ସମସ୍ତେ ଚେତନା ଫେରି ପାଇଲା ଭଳି ତଳି ମାରିବାରେ ଲାଗିଲେ | ଅଜୟ ବାବୁ ଓ ବିଧାୟକ ନିଜ ନିଜର ବକ୍ତବ୍ୟ ଶେଷ କଲେ | ସଭାକାର୍ଯ୍ୟ ଶେଷ ହେଲାପରେ ,ଅଶୋକ ତା ଜେଜେ ମା ପାଖକୁ ଦୌଡ଼ି ଆସି କୁଣ୍ଢାଇ ପକାଇ କହିଲା ,'' ବହୁତ ଚମତ୍କାର ଓ ସତ୍ୟ କଥା କହିଲ ତୁମେ | ମୁଁ ଆଜି ମୋ ଜୀବନର ଶ୍ରେଷ୍ଠ ଆନନ୍ଦ ଅନୁଭବ କରୁଛି |'' ସେତିକିବେଳେ ଅଶୋକର ସେହି ସାଙ୍ଗ ଓ ସେମାଙ୍କ ପିତା ମାତା ଆସି ଶାନ୍ତି ଦେବୀଙ୍କୁ ନମସ୍କାର କଲେ ଓ ଅଶୋକକୁ କହୁଥିଲେ ,'' ଆମର ଭୁଲ ହୋଇ ଯାଇଛି ଜାଣିବାରେ ପକୃତ ନାସ୍ତିକ କିଏ ?''


ତାପରେ ଅଶୋକ ଓ ଶାନ୍ତି ଦେବୀ ପୁରା ପରିବାର ସହିତ ଖୁସିରେ ଘରକୁ ଫେରିଲେ | ଅଶୋକ ମାନେ ମାନେ ଖୁସି ହେଉଥିଲା ଆଜି ତାର ପ୍ରଶ୍ନର ଉତ୍ତର ପାଇ |


Rate this content
Log in

Similar oriya story from Classics