Balaram Barik

Comedy

3  

Balaram Barik

Comedy

ନାଡ଼ା /ଡୋର

ନାଡ଼ା /ଡୋର

4 mins
200



ଡୋର ବିନା ଏ ଦୁନିଆର କଳ୍ପନା ଅସମ୍ଭବ।ଏ ଦୁନିଆରେ ସମସ୍ତେ କେଉଁଠି ନା କେଉଁଠି ଗୋଟଏ ଗୋଟଏ ଡୋରରେ ବନ୍ଧା।କୀଟଠୁ ବିଶାଳ ଜୀବ ଜନ୍ତୁ ପର୍ଯ୍ୟନ୍ତ ସମସ୍ତେ ଯେମିତି ପରସ୍ପର ଯୋଡି ହୋଇ ସମନ୍ୱୟ ରକ୍ଷା କରି ନିୟତିର ନିୟମାନୁଯାୟୀ ଚାଲିଛନ୍ତି।

ମାତୃ ଗର୍ଭରେ ତ ମଣିଷ ଦୃଶ୍ୟମାନ ଡୋରୀରେ ବାନ୍ଧି ହେଇ ସେହି ଡୋରୀ ଦ୍ୱାରା ପୋଷକ ଗ୍ରହଣ କରିଥାଏ।ସେ ଦୃଶ୍ୟମାନ ଡୋରୀରୁ ଦୂରେଇ ଗଲା ପରେ ଏକ ନୈସର୍ଗିକ ଅଦୃଶ୍ୟ ଡୋରୀରେ ବାନ୍ଧିହୁଏ।

ସୂକ୍ଷ୍ମ ଅଣୁ ଓ ପରମାଣୁର ସରଞ୍ଚନ ସବୁ ଖାଲି ଆଖିକୁ ଦେଖା ନହେଲେ ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡିତ ହୋଇ ଏକ ପୂର୍ଣ ଅବୟବ ଗଠନ କରିଥାନ୍ତି।ଉଦ୍ଜାନ ସହିତ ଅମ୍ଳଜାନର ଡୋରୀ ହିଁ ମଣିଷର ତୃଷ୍ଣା ଦୂର କରେ।ଜୀବନ ବଞ୍ଚିଯାଏ ଓ ବଢିଯାଏ।ଡୋର ଛିଣ୍ଡିଲେ ସୃଷ୍ଟିରେ ମହାପ୍ରଳୟ ଆସିଯାଏ।ସବୁକିଛି ବିଗିଡିଯାଏ।ଅଛିଣ୍ଡା ଅଙ୍କ କସିବା ପରି ଲାଗେ ସେ କ୍ଷଣ।ମଣିଷ କିଂ କର୍ତ୍ତବ୍ୟ ବିମୁଢ ହୋଇଯାଏ।


         ଠିକ ସେମିତି କିଛି ଘଟିଥିଲା ୨୦୧୬ ମସିହା ନଭେମ୍ବର ମାସର ୨୩ ତାରିଖ ରାତି ୧୦ ଘଟିକା ସମୟରେ।ମୋ ଚତୃପାର୍ଶ୍ଵର ପରିବେଶ ସର୍ବାନନ୍ଦମୟ ଥିଲାବେଳେ ମୁଁ ହେଉଥିଲି ବ୍ୟସ୍ତ ବିବ୍ରତ।ମନେ ହେଉଥିଲା ମୁଁ ଯେମିତି ଏ ଦୁନିଆରେ ଶ୍ରେଷ୍ଠ ଅସହାୟ ବ୍ୟକ୍ତିଟିଏ।ସ୍ୱପ୍ନରେ ଦୌଡିବା ପରି ଲାଗୁଥିଲା ଅନୁଭୂତି।ମୋ ବାକ୍ ଶକ୍ତି ଯେମିତି ଲୋପ ପାଇଛି।ମୁଁ ଯାହା କହୁଥଲି କେହି ଶୁଣି ପାରୁନଥିଲେ ।ମୋତେ କେବଳ ଅନେଇ ହସି ଦେଉଥିଲେ।ମୋର ଫଟୋ ଉଠାଉଥିଲେ।ହାତ ହଲେଇ ତାଙ୍କ ଉପସ୍ଥିତିକୁ ଜାହିର କରୁଥିଲେ ମାତ୍ର କେହି ବି ମୋ କଥା ଶୁଣି ପାରୁନଥିଲେ।

ସମସ୍ତେ ଯେମିତି ଉଦଣ୍ଡ ନୃତ୍ୟ ଓ ପ୍ରଚଣ୍ଡ ଶବ୍ଦ କରୁଥିବା ଡି:ଜେର ବୋଲକରା ସାଜି ସାରିଥିଲେ। ମୋଟା ମୋଟି ଏକ ବିଶୃଙ୍ଖଳାର ଡୋରୀରେ ସଭିଏଁ ବାନ୍ଧି ହେଇ ସାରିଥିଲେ। ଡିଜେରୁ ଗୁବ୍ ଗୁବ୍ ଶବ୍ଦ ବାହାରୁଥାଏ।ମୋ ଛାତି ଉଷ୍ମତାରେ ଭରି ସାରିଥିଲା ।ହୃଦଗତି ଦୁବ୍ ଦୁବ୍ ହେଇ ବଢିଚାଲିଥାଏ।କେତେ ଡହଳ ବିକଳ ହେଇ ଗୋଟିଏ କାଠି କିମ୍ବା ପେନଟିଏ ଦେଇଦିଅ ବୋଲି ଆର୍ତ୍ତନାଦ କରିଛି ।ହେଲେ ସବୁ ବୃଥା ବୃଥା ଓ ବୃଥା।

               ଡ୍ରାଇଭର ମଝି ରାସ୍ତା ମଝିରେ ଗାଡିଟି ବେତାଳରେ ଛାଡି ନିଜେ ତାଳରେ ତାଳ ମିଶାଇ ନାଚୁଛି।ମୋ ଅଠାକାଠି ହେଇ ସାରିଥାଏ।ସତେ ଯେମିତି ମୁଁ ଲାଚାର।

ମୋ ଦୁଃଖ ବୁଝିବାକୁ କେହି ନାହାଁନ୍ତି।

ଆରେ.... ପେନ ଗୋଟିଏ କିଏ ଦିଅରେ...!!!

କାଠି ଖଣ୍ଡେ ନହେଲେ ଦିଅରେ....!!!

ଆଉ ଅଳ୍ପବାଟ ରହିଲା ......

ମୁଁ କ'ଣ କରିବି ??? 

କ'ଣ ମୋର ସମାନ୍ୟ ଭୁଲ ପାଇଁ ଜଗହସା ହେଇଯିବି।

କାହିଁକି ମୁଁ ଏମିତି କରୁଥିଲି ଯେ !!!!! 

କଣ ଦରକାର ଥିଲା ମୋର !!!! 

ଟିକିଏ ଆରାମ ପାଇବା ପାଇଁ ସବୁ ବର୍ବାଦ କରିଦେଲି ନିଜ ହାତରେ।

ମୁଁ କ'ଣ ଜାଣିଥିଲେ ଗୋଟିଏ ସୁନ୍ଦର ଡୋରୀରେ ମୁଁ ବାନ୍ଧିହେବାକୁ ଯିବାବେଳେ ଆଉ ଗୋଟିଏ ଡୋରୀ ଛିଡିଯିବ ବୋଲି !!!

ମୁଁ କ'ଣ ଏମିତି କେହି ବି ଆଶା କରୁନଥିବେ।ଏମିତି ତାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଦିବସରେ ଘଟୁବୋଲି।

      ମୋ ପାଦତଳୁ ଯେମିତି ମାଟି ଖସି ଯାଉଥିଲା।ମୁଁ ବସିଥିବା କାର ସାମ୍ନାରେ ଲୋକେ ନାଗିନ୍ ଡ୍ୟାନ୍ସ କରୁଥିଲେ।ଡିଆଁ କୁଦା କରି ମଜା ନେଉଥିଲେ।କିନ୍ତୁ ମୁଁ...

ହାଏରେ କପାଳ ଶେଷରେ ଏହିଦିନ ଦେଖିବାର ଥିଲା।

ସୁନ୍ଦର ସେରୱାନି ତଳେ ଆହୁରି ସୁନ୍ଦର ପାଇଜାମା।ସଦ୍ୟ କ୍ରୟ ହେଇଥିବା ପାଇଜାମା ଏମିତି ଧୋକା ଦେବ ବୋଲି କିଏ ଜାଣିଥିଲା।

ତା ଛଡା ପାଇଜାମା ପିନ୍ଧିବାର ତ ଅଭ୍ୟାସ ନାହିଁ।କାହୁଁ ଜାଣିବି କେଉଁ ଡୋର ଦୁର୍ବଳ ଆଉ କେଉଁଟା ମଜବୁତ ବୋଲି।ଡୋରଟା ତ ଦେଖିବାକୁ ଟାଣୁଆ ଥିଲା ଆକର୍ଷଣୀୟ ରଙ୍ଗଯୁକ୍ତ ପାଇଜାମାଟିର ଡୋର ଏତେ ଦୁର୍ବଳ।ଟିକେ ଟାଣକରି ପିନ୍ଧିବା ଆଶାରେ ଜୋର କରି ଭିଡି ଗଣ୍ଠି ପକାଉଥିଲି।ପଛ ପଟୁ ଠିକ୍ ମଝିରୁ ରୁଟ୍ କିନା ଛିଣ୍ଡି ଦୁଇଖଂଡ ହେଇଗଲା।ମୋ ଛାତିରୁ ତ କଲିଜା ବାହାରିଗଲା।

ହାଏ କ'ଣ ହେଲାରେ ଭାଇ ଏ ...

ବେଜ୍ଜତି ହେଇଯିବ।

ବାହା ମଣ୍ଡପ ଆଉ ୧୦ ମିନିଟର ରାସ୍ତା ...ସମସ୍ତେ ଉତ୍ସବ ମୁଖର,କେଵଳ ମୋତେ ଛାଡ଼ି।ମୋତେ ସେ ସମୟରେ ଯିଏ ଅନାଉଥିଲା ମୁଁ ମୁରୁକି ହସି ଦେଉଥିଲି।ଗୋଟେ ହାତରେ ପାଇଜାମାକୁ ଧରି ଆଉ ଗୋଟିଏ ହାତ ହଲେଇ ଅଭିବାଦନ ଗ...ଗ..ଗ...ଗ୍ରହଣ କରୁଥିଲି।ଇତି ମଧ୍ୟରେ ସେ ଛିଣ୍ଡା ଡୋରକୁ ଏକ ରକମର ଯୋଡି ସାରିଥିଲି,ହେଲେ ପାଇଜାମାଟା ପିନ୍ଧି କରି କେମିତି ଡୋରଟି ପାଇଜାମା ଖାନ୍ଦ ଭିତରେ ପୁରେଇବି ??

ଡ୍ରାଇଭର ନାଚି ନାଚି କାର ଭିତରକୁ ଆସିଲା ।ତାକୁ ଦୁଃଖ ଜଣାଇଲି ସେ ମଧ୍ୟ କିଛି ଉପାୟ ପାଇଲା ନାହିଁ।ସାମାନ୍ୟ ଡୋରୀ ଖଣ୍ଡିକ ପାଇଜାମା ଭିତରେ ପୁରେଇବାର ଆୟୁଧ ଯୋଗାଡ଼ କରି ପାରିଲା ନାହିଁ।

ଶ୍ରୀ ହନୁମାନ ସଂଜୀବନୀ ଖୋଜିବା ଉଦ୍ଧେଶ୍ୟରେ ଯେମତି ପାହାଡ଼ ପର୍ବତ ନଦୀ ନାଳ ପାର ହୋଇ ଖୋଜୁଥିଲେ ଡ୍ରାଇଭର ସେମିତି ଖୋଜିଲା ହେଲେ ନିଷ୍ଫଳ ହେଲା।

ମାଘର ଶୀତ ରାତି ଥିଲା।ଚିନ୍ତା ଓ ଆଗାମୀ ଲଜ୍ୟାରେ ଝାଳରେ ଗାଧୋଇ ପଡିଲି।ଏମିତି ଅସହାୟ ମୁଁ ଜୀବନରେ କେବେ ହୋଇ ନଥିଲି।ଶେଷରେ ଆଉ କିଛି ଉପାୟ ନପାଇ ଭଗବାନଙ୍କୁ ମୋ ଭାଗ୍ୟ ଡୋରୀ ସମର୍ପି ଦେଲି।ମଝିରେ ମଝିରେ ଚିଲ୍ଲେଉ ଥିଲି।କାରଣ କର୍ମ ମଧ୍ୟ କରିବାରେ ଥିଲା।

 ଶେଷରେ ଭିଡ଼ ଭିତରୁ ପ୍ରକଟ ହେଲେ ମୋ ପ୍ରିୟ ସଖା ସିଦ୍ଧାର୍ଥ ଓ ସୁବ୍ରତ।ମୋ ପାଖକୁ ଆସିଥିଲେ ମୋତେ ନଚେଇ ପ୍ରଚେଷ୍ଟାରେ।

ଦୁଇ ଜଣ ଅନୁଭବ କଲେ ମୁଁ ଢେର ନାଚି ସାରିଛି ଗାଡି ଭିତରେ।

ମୋ ଉପରେ ପଡିଥିବା ଆସନ୍ନ ବିପତିକୁ ଦୁହେଁ ହୃଦୟଙ୍ଗମ କଲେ

 ସତେ ଯେମିତି ଭଗବାନ ମୋ ଡାକ ଶୁଣିଲେ।

ବିବାହ ମଣ୍ଡପ ପାଖେଇ ଆସୁଥାଏ ଆଉ କିଛି କ୍ଷଣ ମାତ୍ର ଥିଲା।

ତତ୍କ୍ଷଣ ସିଦ୍ଧାର୍ଥ ପେନ୍ କେଉଁଠୁ ଯୋଗାଡ଼ କରି ଆଣିଲା।ସୁବ୍ରତ ଆଉ ଥରେ ସେହି ଇଜ୍ଜତର ଡୋରୀକୁ ତନ୍ନ ତନ୍ନ କରି ପରଖି ଗଣ୍ଠି ପକାଇଲା।

ଭାଇ..ଜଲ୍ଦି ଦେଖାଅ ମଣ୍ଡପ ପାଖେଇ ଆସିଲାଣି।

ଖୁବ ଶୀଘ୍ର ଦୁଇଜଣ ମିଶି ମୋର ପାଇଜାମାରେ ଡୋରୀ ପୁରେଇବାର ସଫଳ ହେଲେ।ମଝିରେ ଗଣ୍ଠିଟି ମାରିଲି ଯେତିକି ଟାଇଟ ଆବଶ୍ୟକ।

ଓଃ.....କି ଶାନ୍ତି ।ବିପଦ ବେଳର ବନ୍ଧୁ ଦୁଇଜଣ ସେଦିନ ସିଦ୍ଧ କଲେ।

କ୍ଷିପ୍ର ଗତିରେ ଧାଉଁଥିବା କଲିଜା,ଫୁସ୍ ଫୁସ୍ ଆଦି ଆଭ୍ୟନ୍ତରୀଣ ଅଙ୍ଗ ଯେମିତି ସ୍ଥିର ଅବସ୍ଥାକୁ ଆସିଲେ।ପ୍ରବଳ ବେଗରେ ଦୁଇ ନମ୍ବର ଲାଗୁଥିଲେ ଓ ତାହା ଖଲାସ ହୋଇଯିବା ପରେ ଯେଉଁ ଅପୂର୍ବ ଶାନ୍ତି ମିଳେ,ମୋତେ ସେମତିକା ଶାନ୍ତି ସେହି କ୍ଷଣ ଅନୁଭବ ହେଲା।

ପରେ ଏ କିଛି ଘଣ୍ଟାର ଅସହାୟତାପୂର୍ଣ ସତ୍ୟ କାହାଣୀ ଯିଏ ଶୁଣିଲା ସେ ହସି ହସି ଗଡ଼ିଗଲା ସିନା ମୋ ସାଥିରେ କଣ ଵିତୁଥିଲା ତାହା ଭୁକ୍ତଭୋଗୀ ନହେଲେ ଜାଣି ହେବନି...


                                       ଦୀର୍ଘ ନିଶ୍ଵାସଟେ ଛାଡି ରାଜା ବେଶରେ ପଦାକୁ ବାହାରିଲି ...

ଯଥା ବିଧି ପରେ ଶାଳକ ଗଣ ମୋତେ ଶୁନ୍ୟରେ ଉଡେଇ ନେଲେ ମଣ୍ଡପକୁ।

ମନେ ମନେ ଭାବୁଥିଲି ଗୋଟିଏ ଡୋରର ମହତ୍ତ୍ୱ କ'ଣ !!!

ତୁମେ ନର୍କକୁ ଯାଅ ଅବା ସ୍ୱର୍ଗପୁର ହେଲେ ପାଇଜାମାର ଡୋରକୁ ଠିକ୍ ସେ ପରଖି ଭଲ ଗୁଣବତ୍ତା ସମ୍ପନ୍ନ ଡୋର ଖଣ୍ଡେ ବ୍ୟବହାର କରିବା ଦରକାର।ନହେଲେ ମୋ ଭଳି ପରିସ୍ଥିତି ହେବାଟା ଥୟ...

ଭଗବାନଙ୍କ ନିକଟରେ ପ୍ରାଥନା କରୁଛି ଏମିତି ଦୁର୍ଘଟଣା କାହାରି ଜୀବନରେ ଯେମିତି ନଆସୁ........



Rate this content
Log in

Similar oriya story from Comedy