ମୁଖା
ମୁଖା
ମୁଖା
ଆଜିକାଲି ସେଲିବ୍ରିଟିମାନେ ମୁଖାପିନ୍ଧି ନାଇଟ କ୍ଲବ ବା ବାରରେ ଗୀତ ଗାଇ ନାଚିବା ଫେଶନ ପାଲଟିଛି। ଖାଲି ସେଲିବ୍ରିଟି କାହିଁକି ଅ।ମ ସମାଜରେ ଦିନକୁ ଦିନ ଅଦୃଶ୍ୟ ମୁଖାପିନ୍ଧା ମଣିଷଙ୍କ ଭିଡ ବଢି ଚାଲିଛି। ଏଭଳି ଭିଡରେ କେଉଁଠି ହଜି ଆପଣ କେବେ ନିଜକୁ ଖୋଜିଛନ୍ତି କି ? କିମ୍ବା ନିଜ ଚେହେରା ଭଳି ଦିଶୁଥିବା କୌଣସି ବ୍ୟକ୍ତିଙ୍କୁ ଦେଖିଛନ୍ତି କି ? କିନ୍ତୁ ମୁଖାପିନ୍ଧା ମଣିଷ ପ୍ରାୟ ଦିଶନ୍ତି ଏକାଭଳି !!
ଭୁବନେଶ୍ବରର ଜଣେ ବରିଷ୍ଠ ଅଧ୍ୟାପକଙ୍କ ବାସଭବନ। ସେଠି ବିଶିଷ୍ଟ ଚିତ୍ରଶିଳ୍ପୀ ପି.କେ. ମହାନନ୍ଦିଆଙ୍କଠାରୁ ଏକ ସାକ୍ଷାତକାର ନେବା ବେଳେ ସେ ପାଶ୍ଚାତ୍ୟ ଜଗତରେ ମୁଖା ପିନ୍ଧା ସଭ୍ୟତା ବିଷୟରେ ଏକ ରୋଚକ କଥା କହିଥିଲେ।
ଓଡ଼ିଶାର ଏକ ଦଳିତ ପରିବାରରେ ମହାନନ୍ଦିଆଙ୍କ ଜନ୍ମ। ପିଲାଦିନୁ ଚିତ୍ରକଳା ମୋହରେ ପଡି ଏହାକୁ ପେଶା କରି ବସିଲେ। ସେ ରାଜ୍ୟ ଓ ପରେ ଦେଶର ରାଜଧାନୀ ଦିଲ୍ଲୀର ରାସ୍ତାକଡରେ କଳାକୃତି ବିକି ପେଟପୋଷିବାକୁ ସଂଘର୍ଷ କରିଥିଲେ। ଶେଷରେ ନିରାଶ ହୋଇ ବିଦେଶ ପଳାଇଗଲେ। ସେଠି କଳାକୃତି ବିକି ଟଙ୍କା ଓ ନାଁ କମାଇ ପାରିଲେ । ପରେ ସ୍ବିଡେନର ଜଣେ ତରୁଣୀଙ୍କୁ ଜୀବନସାଥୀ କରି ସେଠାକାର ବାସିନ୍ଦା ପାଲଟିଗଲେ। ଏବେ ସେ ସ୍ବିଡେନ ସରକାରଙ୍କ କଳା, ସଂସ୍କୃତି ବିଭାଗର ପରାମର୍ଶଦାତା ଭାବେ କାମ କରୁଛନ୍ତି। ଜନ୍ମମାଟିର ଆକର୍ଷଣରେ ମଝିରେ ମଝିରେ ନିଜ ଗାଁକୁ ସପତ୍ନୀକ ବୁଲି ଆସନ୍ତି । ଓଡ଼ିଶାର କଳାସଂସ୍କୃତି ତାଙ୍କ ପ୍ରେରଣାର ଉତ୍ସ ବୋଲି ସେ କହନ୍ତି।
ସାକ୍ଷାତକାର ସମୟରେ କଥାଛଳରେ ତାଙ୍କ ଜୀବନସଂଘର୍ଷର କାହାଣୀ କହି ବସିଥିଲେ । କଥା ପ୍ରସଂଗରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କ ମୁହଁର ସାଦୃଶ୍ୟ ମୋ ମୁହଁ ସହ କେତେକାଂଶରେ ମେଳ ଖାଉଥିବା କହିଲେ। ଅବିଶ୍ବାସ ଆଖିରେ ତାଙ୍କୁ ଚାହିଁବାରୁ ସେ ବିଶ୍ବାସ ଦେଇ କହିଲେ " ଦେଖନ୍ତୁ, ନିକଟରେ ଲିଙ୍କନଙ୍କର ଏକ ପୋଟ୍ରେଟ ଅ।ଙ୍କିଛି। ମୋ ଅନ୍ଦାଜ ଭୁଲ ନୁହେଁ।"
ବିଦେଶରେ ରହୁଥିବା ଏହି ଓଡ଼ିଅ। କଳାକାରଙ୍କ ଅ।ଧୁନିକ ଚିତ୍ରକଳା ଏବେ ବିଶ୍ବର ବିଭିନ୍ନ ଗ୍ୟାଲେରିରେ ସ୍ଥାନ ପାଇ ପ୍ରସିଦ୍ଧି ଲାଭ କରିଛି ।
ଥରେ ଅଫିସରେ କାମ କରୁଥିବା ବେଳେ ଜଣେ ସହକର୍ମୀ ଟିଭି ପରଦାରେ ମତାମତ ଦେଉଥିବା ଜଣଙ୍କୁ ଦେଖି ସେ ଆପଣ କି ବୋଲି ମୋତେ ପଚାରିଥିଲେ। ସତକୁସତ ସେ ଏକପ୍ରକାର ମୋ ଭଳି ଦିଶୁଥିଲେ। ଅ।ଉ ଦିନେ ଭୁବନେଶ୍ବରର ଏକ ମାର୍କେଟରେ ମୁଁ ନିଜେ ଧୋକ୍କା ଖାଇଥିଲି। ସହଧର୍ମିଣୀଙ୍କ ଭଳି ଦିଶୁଥିବା ଜଣେ ଭଦ୍ରମହିଳାଙ୍କୁ ଦେଖି ବଡ ପାଟିରେ "ରୁହ ରୁହ, କୁଆଡେ ଆସିଥିଲ " ପଚାରିଥିଲି। ଅତି ପାଖରୁ ଭଦ୍ରମହିଳାଙ୍କୁ ଦେଖି ଭ୍ରମ ତୁଟିଗଲା । ଲଜ୍ଜିତ ହେଲି। ଭୁଲରେ ଚିହ୍ନା ଲୋକ ଭାବି ଡାକିଦେଲି ବୋଲି କହି କ୍ଷମା ମାଗିଲି। ସଂସାରରେ ସମାନ ଚେହେରା ବା ମୁହଁର ସାଦୃଶ୍ୟ ଥିବା ଅନେକ ବ୍ୟକ୍ତି ଅଛନ୍ତି। ଜାଆଁଳା ସନ୍ତାନ ପ୍ରାୟ ସମାନ ଦିଶନ୍ତି। ଚେହରା ସମାନ ହେଲେ ବି ସ୍ବଭାବ ଓ ଗୁଣ କେବେ ସମାନ ହୋଇ ନ ଥାଏ। କିନ୍ତୁ ମୁଖାପିନ୍ଧା ମଣିଷଙ୍କ ଆବଭାବ ଗୋଟିଏ ପ୍ରକାର ହୋଇଥାଏ। ମଣିଷ ଯେ ପରମେଶ୍ବରଙ୍କ ଚେତନାର ଅଂଶ ବିଶେଷ ଏକଥା ଭୁଲି ଅନେକେ ବୈଷୟିକ ସୁଖ ଓ ବସ୍ତୁବାଦୀ ଚେତନାରେ ବଶୀଭୂତ ହୋଇ ଅମଣିଷ ପାଲଟି ଯାଉଛନ୍ତି। ଅ।ଜିର ସମାଜରେ ଅନେକେ ସୁବିଧାବାଦୀ ଜୀବନଶୈଳୀ ଆଦରି ବଞ୍ଚିବାକୁ ପସନ୍ଦ କରୁଛନ୍ତି। ସେମାନେ ଅସ୍ମିତା ଓ ସ୍ବାଭିମାନ ହରାଇ ନିଃସଂଗ, ଘରପଶା ପାଲଟି ଯାଉଛନ୍ତି। ବଦଳି ଯାଉଛି ପରିବାର ଓ ସମାଜର ରୂପ। ବର୍ତ୍ତମାନ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ମୁଖାପିନ୍ଧା ଦୋମୁହାଁ ଚରିତ୍ରର ରାଜନେତାଙ୍କ ଭିଡ ଯୋଗୁ ଦୁର୍ନୀତି, ଭ୍ରଷ୍ଟାଚାର, ଛଳନା ସାଂଗକୁ ନାନା ଜଘନ୍ୟ ଅପରାଧ, ବେକାରୀ ସମସ୍ୟା, ଭେଦଭାବ ଓ ଅର୍ଥନୈତିକ ଅସମାନତା ବୃଦ୍ଧି ପାଇ ସମାଜକୁ ରସାତଳକୁ ନେଇଗଲାଣି।
ଜଣେ ଅନୁଭବୀ ବରିଷ୍ଠ ସାହିତ୍ୟିକଙ୍କ ମତରେ ଆମ ଦେଶ ସ୍ବାଧୀନ ହେବା ପରେ ସାମାଜିକ ନେତୃତ୍ବର ଅଭାବ ଦେଶ ଓ ସମାଜକୁ ବିପଥଗାମୀ କରୁଛି। ଛଳନା, ପ୍ରତାରଣା ଓ ଅସମାନତାକୁ ଆଦର୍ଶ ମାନି ଦେଶକୁ ଶାସନ କରୁଥିବା ରାଜନେତା ନିଜକୁ ଭାଗ୍ୟବିଧାତା ଭାବୁଛନ୍ତି। ହେଲେ ସେମାନଙ୍କୁ କେହି ଆଦର୍ଶ ଭାବେ ଗ୍ରହଣ କରୁ ନାହାନ୍ତି। ଅ।ତ୍ମଘୋଷିତ ଭଗବାନ ରୂପି "ବାବା" ଓ ସେମାନଙ୍କ ଚେଲାଙ୍କଠାରୁ ମୁଖାପିନ୍ଧା ରାଜନେତା ଓ ନୂଆ ଚରିତ୍ରର ସୁବିଧାବାଦୀ ମଣିଷ ଅଧିକ ଭୟଙ୍କର । ସେମାନେ ଚତୁରତାର ସହ ଗଣମାଧ୍ୟମ ଓ ଅନ୍ୟ ବ୍ୟବସ୍ଥାର ଦୁରୁପଯୋଗ କରି ଅବୈଜ୍ଞାନିକ ଚିନ୍ତାଧାରା ଓ ଗୁଜବ ପ୍ରଚାର କରି ଅନ୍ଧବିଶ୍ବାସର କାୟା ବଢାଇ ସମାଜ ପାଇଁ ବିଷକୀଟ ପାଲଟିଛନ୍ତି। ଦିନ ଥିଲା ସାରସ୍ବତ ସାଧକ ଓ ବୁଦ୍ଧିଜୀବୀ ସମାଜ ଜୀବନକୁ ବାଟ ଦେଖାଉ ଥିଲେ। ବେଦ, ଉପନିଷଦ ଭାରତବର୍ଷର ସଭ୍ୟତା ଓ ସଂସ୍କତିକୁ ଋଦ୍ଧିମନ୍ତ କରିଥିଲା। ରାମାୟଣ, ମହାଭାରତ ଓ ଶ୍ରୀମଦ ଭାଗବତ ସମାଜ ଜୀବନରେ ନୈତିକ ଓ ଆଧ୍ୟାତ୍ମିକ ସୌନ୍ଦର୍ଯ୍ୟ ଭରି ଦେଇଥିଲା। ଓଡ଼ିଶାରେ ଆଦିକବି ଶାରଳା ଦାସ, ଅତିବଡି ଜଗନ୍ନାଥ ଦାସ ଓ ବଳରାମ ଦାସଙ୍କ ଭଳି ସାରସ୍ବତ ସାଧକମାନେ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଆନ୍ଦୋଳନର ନେତୃତ୍ବ ନେଇଥିଲେ। ଦେଶ ସ୍ବାଧୀନ ହେବା ପରେ ସାମାଜିକ ନେତୃତ୍ବ ଅ।ଉ ଉଧେଉ ପାରୁ ନାହିଁ। ଶାସନ ବ୍ୟବସ୍ଥା ଓ ସମାଜର ଗତି କୁଆଡେ କିଛି ବୁଝା ପଡୁନାହିଁ । ଚିହ୍ନି ହେଉନି ମୁଖା ପଛର ବାସ୍ତବ ଚେହେରା।
ସାମାଜିକ ନେତୃତ୍ଵ ଅଭାବ ସମ୍ପର୍କରେ ବରିଷ୍ଠ ସାହିତ୍ୟିକଙ୍କ ଅଭିମତ ଓ ପ୍ରତିକ୍ରିୟା ସହ ମୁଁ ଏକମତ ଥିଲି।
ସାମ୍ବାଦିକତା ବୃତ୍ତିରେ ପାଦ ଦେବାବେଳେ ଭାବିଥିଲି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଦେଶକୁ ପରିବର୍ତ୍ତନ ଆଣିଦେବ। କିନ୍ତୁ ରାଜନୈତିକ ଖେଳାଳୀମାନେ ଗଣମାଧ୍ୟମକୁ ଅସୁରକ୍ଷିତ କରି ଏହାର ଦୁରୁପଯୋଗ କୌଶଳ ଆପଣାଇ ନେଇଛନ୍ତି। ଏହି ଚତୁର ଗୋଷ୍ଠୀ ନିର୍ବାଚନ ପୂର୍ବରୁ ଅର୍ଥବଳରେ ବିଭିନ୍ନ ଗଣମାଧ୍ୟମରେ ପ୍ରାକ ନିର୍ବାଚନୀ ସର୍ଭେ ରିପୋର୍ଟ ପ୍ରକାଶ କରି ଚତୁରତାର ସହ ଜନମତକୁ ବିଭ୍ରାନ୍ତ କରୁଥିଲେ। ଅବଶ୍ୟ ସୁପ୍ରିମ କୋର୍ଟ ବହୁ ବିଳମ୍ବରେ ଏହା ଉପରେ ରୋକ ଲଗାଇଛନ୍ତି। ଏଭଳି ରିପୋର୍ଟ ଆମ ବ୍ୟବସ୍ଥାରେ କେତେ କ୍ଷତି ପହଞ୍ଚାଇଛି କଳନା କରି ହେବନି। ମାଟି, ପଥରରେ ଗଢା ଦେବୀଦେବ କ୍ଷୀର ପିଇବା ଗୁଜବକୁ ଗଣମାଧ୍ୟମ ଜରିଆରେ ପ୍ରଚାର କରି ଦେଶବାସୀଙ୍କୁ କିଭଳି ବୋକା ବନାଇ ଦିଆଗଲା ତାହା କାହାକୁ ଅଛପା ନାହିଁ। ଚଢାଦରରେ ନଡିଆ, କଦଳି ବିକ୍ରୀ ଲାଗି ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଗୁଜବ ପ୍ରଚାର ଚାଲିଛି। ଅବୈଜ୍ଞାନିକ ଚିନ୍ତାଧାରାର ସମର୍ଥକ ତଥା ବିଭିନ୍ନ ବାବାଙ୍କ ଚେଲାଙ୍କୁ ଗଣମାଧ୍ୟମ ନିରପେକ୍ଷତା ରକ୍ଷା ଆଳରେ ଲୋକଙ୍କ ସାମ୍ନାକୁ ଆଣି ସେମାନଙ୍କ ମତାମତ ପ୍ରଚାର କରିବା ଚିନ୍ତା ବଢାଉଛି ।
ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ବ ସାମ୍ବାଦିକତା ଜୀବନରେ ଏଭଳି ଅନେକ ତିକ୍ତମଧୁର ସ୍ମୃତି ସାଉଣ୍ଟିଛି। ସମାଜ, ଶାସନ ବ୍ୟବସ୍ଥା ଓ ରାଜନୀତିର ଅସଲ ଚେହେରା ଅତି ପାଖରୁ ଦେଖିଛି।
କିଛିବର୍ଷ ତଳେ ମୋ ନାଁ ଓ ଅଫିସ ଠିକଣାରେ ଡାକରେ ଖଣ୍ଡେ ଚିଠି ଆସିଥିଲା। ଏଥିରେ ଲେଖାଥିଲା "ସ୍ବୟଂ ଭଗବାନ ପାପୀଙ୍କୁ ସଂହାର କରି ସନ୍ଥଙ୍କୁ ପାଳନ କରିବା ଲାଗି ମାନବ ରୂପରେ ଜନ୍ମନେଇ ଗୋପନରେ ଲୀଳାଖେଳା କରୁଛନ୍ତି। ପ୍ରକୃତ ଭକ୍ତ ତାଙ୍କୁ ଠାବ କରି ପାରିବେ। ଆପଣଙ୍କୁ ଜଗନ୍ନାଥଙ୍କ ଆଦେଶ ମାନବ ଅବତାର ନେଇଥିବା ଭଗବାନଙ୍କ ସନ୍ଧାନ କରନ୍ତୁ। ମାତା ଲକ୍ଷ୍ମୀ ମଧ୍ୟ ଜନ୍ମଗ୍ରହଣ କରି ଲୀଳାଖେଳା କରୁଛନ୍ତି। ଉଭୟଙ୍କ ସଂଧାନ ମିଳିଲେ ବିବାହ ସମ୍ପନ୍ନ ହେବ। ଯଦି ଏ ସମ୍ପର୍କରେ କୌଣସି ସୂଚନା ପାଅ।ନ୍ତି ଆମକୁ ଅବଗତ କରାନ୍ତୁ ।" ଯୋଗାଯୋଗ ଲାଗି ଚିଠି ଶେଷରେ ଆଧ୍ୟାତ୍ମିକ ଜଗତ ସହ ଜଡିତ ଜଣେ ଜଣାଶୁଣା ବ୍ୟକ୍ତିଙ୍କ ନାଁ ରହିଥିଲା।
ଏହି ଚିଠି ଖଣ୍ଡିକ ଗୁଜବ ପ୍ରଚାର ଲାଗି ଉଦ୍ଦିଷ୍ଟ ଥିବା ବୁଝା ପଡିଥିଲେ ବି ମୋତେ ଚିନ୍ତାରେ ପକାଇ ଦେଇଥିଲା। କିଛିଦିନ ପୂର୍ବରୁ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ "ଏକାଦଶ ଅବତାର" ନାଟକ ଦେଖିଥିଲି। କଳି ଯୁଗ ଶେଷରେ ଭଗବାନ କଳକୀ ଅବତାର ନେବା ଓ ବାର ହାତ ମନ୍ଦିରରେ ତେର ହାତ ଖଣ୍ଡା ରହିଥିବା ସମ୍ପର୍କରେ ନାନା କଥା ଶୁଣିଥିଲି। ଏଭଳି ସ୍ଥିତିରେ ଜାତୀୟ ଗଣମାଧ୍ୟମରେ ଗ୍ରହ ନକ୍ଷତ୍ରଙ୍କ ଗତିବିଧି ଗଣନା ଭିତ୍ତିରେ କେତେକ ପଣ୍ଡିତ ଓ ଗବେଷକଙ୍କ "ଯୁଗାନ୍ତର ସମୟର ଆକଳନ" ରିପୋର୍ଟ ପ୍ରକାଶ ପାଇଲା। ଏସବୁ ଘଟଣା ମନରେ ଦ୍ବନ୍ଦ୍ବ ଭରିଦେବାକୁ ଯଥେଷ୍ଟ ଥିଲା।
ଆମ ପୁରାଣ ଶାସ୍ତ୍ରରେ ଚାରିଯୁଗ, ଦଶାବତାର ଓ ନୂଆ ଯୁଗ ଆସିବା କଥା ବର୍ଣ୍ଣନା ରହିଛି। ସତରେ କ'ଣ ଭଗବାନ ନୂଅ। ଅବତାର ନେଇ ପାପୀଙ୍କ ବିନାଶ କରି ସତ୍ୟ ଓ ଧର୍ମ ପୁନଃ ପ୍ରତିଷ୍ଠା କରିବେ ? ସତେ କ'ଣ ଯୁଗାନ୍ତର ଘଟିବ ? ଏସବୁ ଦିଗକୁ ନେଇ କେତେକ ସିନେମା ସୁନେଲି ଓ ରୂପେଲି ପରଦାକୁ ଆସିଗଲା।
ଯୁଗାନ୍ତର ପ୍ରଚାର ଓ ଚର୍ଚ୍ଚା ପଛରେ କ'ଣ ରହସ୍ୟ ରହିଛି, ଜାଣିବାକୁ ମନରେ କୌତୂହଳ ଜାଗି ଉଠିଲା। ଅନୁସନ୍ଧାନ ଓ ତଥ୍ୟ ବିଶ୍ଳେଷଣ ବେଳେ ବେଳେ ଗୋଟିଏ ସତ୍ୟ ମନକୁ ଛୁଇଁଲା। ସାମ୍ପ୍ରତିକ ସ୍ଥିତିରେ "ନୈରାଶ୍ୟବାଦ"ର ଶିକାର ହୋଇଥିବା ମଣିଷଙ୍କୁ ଭୂଆଁ ବୁଲାଇବା ଲକ୍ଷ୍ୟରେ ହୁଏତ ମୁଖାଧାରୀ ବ୍ୟକ୍ତିମାନେ ଏଭଳି ଅପପ୍ରଚାର କରାଉଛନ୍ତି !! ସାଧାରଣ ଲୋକଙ୍କୁ ଲକ୍ଷ୍ୟଭ୍ରଷ୍ଟ ଓ ବିଭ୍ରାନ୍ତ କରି ବିକାଶ ନାଁରେ ରାଜନୈତିକ ଓ ବ୍ୟାବସାୟିକ ଫାଇଦା ଉଠାଇବାରେ ସେମାନେ ବ୍ୟସ୍ତ। ବାସ୍ତବ ସମସ୍ୟା ଠାରୁ ଦୃଷ୍ଟି ହଟାଇବାକୁ ନାନା କୌଶଳ ଅବଲମ୍ବନ କରାଯାଉଛି। ଏଭଳି ମାୟାରେ ପଡି କେତେକ ବୈଦ୍ୟୁତିକ ଗଣମାଧ୍ୟମ ଟିଆରପି ବଢାଇବା ଲକ୍ଷ୍ୟରଖି ଭୂତପ୍ରେତ ଭଳି ଅବାସ୍ତବ କାହାଣୀର ଲମ୍ବା ସିରିଏଲ ପ୍ରଚାରପ୍ରସାର କରାଉଛନ୍ତି। ସାରସ୍ବତ ଜଗତ ଏଥିରୁ ବାଦ ପଡିନି।
୨୦୨୦ରେ ବିଶ୍ବବ୍ୟାପୀ କରୋନା ଲହର ପରେ ବହୁ ପାଠିକାପାଠକ ଅନ୍ ଲାଇନରେ ଉପଲବ୍ଧ "ସାମାଜିକ ଗଣମାଧ୍ୟମ" ପ୍ରତି ଢଳି ପଡିଛନ୍ତି। ଫଳରେ ଏହାର ପତିଆରା ବୃଦ୍ଧି ପାଇଛି। ଅବସ୍ଥା ଦେଖି ପ୍ରିଣ୍ଟ ମିଡିଆ ଡିଜିଟାଲ ଦୁନିଆକୁ ଆଦରିଛି। ସମ୍ପ୍ରତି କେନ୍ଦ୍ର ସରକାର ପ୍ରଭାବଶାଳୀ ସାଜିଥିବା ସାମାଜିକ ଗଣମାଧ୍ୟମକୁ ନିୟନ୍ତ୍ରଣ କରିବା ସକାଶେ କଟକଣା ଲଗାଇବା ଆରମ୍ଭ କରିଛନ୍ତି। ଦେଖାଯାଉ ଆଗକୁ ଅ।ମ ଗତି କୁଅ।ଡେ ?
*******
