Lipi Sahoo

Comedy

4.5  

Lipi Sahoo

Comedy

ମସଲାମୁଢ଼ି

ମସଲାମୁଢ଼ି

7 mins
437


ସକାଳୁ ସକାଳୁ ଥୁଣ୍ଟା କୃଷ୍ଣଚୂଡ଼ା ଡ଼ାଳ ରେ ବସି କାଉଟା ରାବୁଚି ଯେ ରାବୁଚି । ଏଇ ତ ସିନ୍ଦୂରାଫାଟି ଆସୁଛି । କାଉଟା ଯେ ଆଜି ନୂଆ ବୋବଉଚି ତା ନୁହେଁ । ହେଲେ ଥୁଣ୍ଟା ଗଛ ଉପରୁ ତା ସ୍ୱରଟା ଭାରି କର୍କଶ ଶୁଭୁଚି । ପତ୍ର ଗହଳ ଭିତରେ ଲୁଚିକରି ଯେବେ ବୋବାଏ ଭାରି ଭଲ ଲାଗେ । ଏଥର କାହିଁକି କେଜାଣି କୃଷ୍ଣଚୂଡ଼ା ରେ ଏ ପର୍ଯ୍ୟନ୍ତ ପତ୍ର କଅଁଳିନି !!! ବସନ୍ତ ତ ଆସିବା ଆସିବା ଉପରେ । କ୍ରିଷ୍ଣା ଚା କପ ଓଠରେ ଲଗେଇଲେ । ଭୋରରୁ ବାଲକୋନୀ ରେ ବସି ଚା ପିଇବା ତାଙ୍କର ଗୋଟେ ସଉକ । ଧୀରେ ଧୀରେ ବହୁଥିବା ଦକ୍ଷିଣା ପବନରେ ଧଳା ବାଳ ଗୁଡ଼ିକ ମୁହଁ ଉପରେ ଏଣେ ତେଣେ ଉଡୁଥିଲେ । ମଣିଷ ଜୀବନ ସତରେ କେତେ ବିଚିତ୍ର....?

     

         ଯେଉଁ ସମୟରେ ସେ ଟିକେ ନୀରବତା ଖୋଜୁଥିଲେ ସେଇବେଳେ ଘରଟା ଥିଲା ପୂରା କୋଳାହଳମୟ । ପିଲାମାନେ ଶାଶୁ ଶ୍ୱଶୁର ସମସ୍ତେ ଥିଲେ । ନିଜ ପାଇଁ ସମୟ ଟିକେ ବାହାର କରିବା ବି ମୁସ୍କିଲ ଥିଲା । ବର୍ତ୍ତମାନ ଘରଟା ସାରା ନୀରବତା ର ରାଜତ୍ୱ ହେଲେ ସେ ଏବେ ସେଇ କୋଳାହଳ କୁ ଝୁରି ହେଉଛନ୍ତି । ଏକାନ୍ତ ରେ ନିଜ ସହ ବିତେଇବା ପାଇଁ ସମୟ ହିଁ ସମୟ ପଡ଼ି ରହିଛି । ହେଲେ ଏବେ ଯେଉଁଠି ବସିଲେ ଖାଲି ମନେ ପଡ଼ନ୍ତି ପିଲାମାନେ ଆଉ ନାତି ନାତୁଣୀମାନେ । ଟିକେ ହସିଲେ କ୍ରିଷ୍ଣା । ମୋବାଇଲ ବାଜି ଉଠିଲା । ଏତେ ସକାଳୁ କିଏ ?? ଏଇ ସମୟରେ କେହି ତ କଲ୍ କରନ୍ତିନି । ଦେଖିଲେ ଝିଅ ଜିନାର କଲ୍ ।


              ହାଲୋ ! କ'ଣ ହେଲା ?? ଆଜି ଏତେ ସକାଳୁ କଲ୍ କଲୁ ?

              ମାମା ମାମା ! ମେନି ମେନି ହାପି ରିଟର୍ଣ୍ଣର୍ସ୍ ଅଫ ଦ ଡେ । ହାପି ମ୍ୟାରେଜ୍ ଆନିଭର୍ସରୀ ।

              

           ଆଜି କେତେ ତାରିଖ କି ?? ମୋର ମନେ ନଥିଲା ଯମା । ମୁଁ ତ ଭୂଲି ଯାଇଛି ପୂରାପୂରି ।


             ଓହୋଃ ମାମା ତମର ଆଜିକାଲି କ'ଣ ଚାଲିଛି ? ଆମେ ଘରେ ଥିବାବେଳେ ଯଦି ଭୂଲବଶତଃ ତମର ଆନିର୍ଭସରୀ କି ଜନ୍ମଦିନ ଭୁଲି ଯାଉଥିଲୁ ତମେ କେତେ ମୁହଁ ଫୁଲଉଥିଲ । କେହି ମୋତେ ଭଲ ପାଉନ ବୋଲି ଅଭିଯୋଗ କରୁଥିଲ । ଆଉ ଏବେ ନିଜେ ଭୁଲି ଯାଉଚ ?? ହଉ ମୁଁ କେକ୍ ଅର୍ଡର କରିଦେବି ସଂନ୍ଧ୍ୟାରେ ପହଞ୍ଚି ଯିବ । ମୁଁ ସମସ୍ତଙ୍କୁ ମେସେଜ୍ କରିଦେବି ସେତେବେଳେ ଗୁଗଲ ମିଟ୍ ରେ ସମସ୍ତେ ଦେଖା ହେବା । ଆଉ କେକ୍ କଟିଂ କରିବା । ଜୋଜୋ ଉଠି କାନ୍ଦିଲାଣି ମୁଁ ରଖୁଛି । ଓକେ !ବାଏ !


              ଅଳ୍ପ ହସି କ୍ରିଷ୍ଣା ଧୀରେ କହିଲେ ପାଗେଳି ଟେ । ସତରେ ସେ ସେତେବେଳେ ଏଇ ସବୁ ସ୍ପେସାଲ୍ ଦିନ ଗୁଡ଼ିକୁ ନେଇ କେତେ ସେନ୍ସିଟିଭ୍ ଥିଲେ । ଆଉ ଏବେ.... ? ଧୀରେ ଧୀରେ ବାର୍ଦ୍ଧକ୍ୟ ଆଡ଼କୁ ପାଦ ବଢେଇଲିଣି । ସବୁରେ ଶିଥିଳତା ଆସିଗଲାଣି ବୋଧେ । ଏବେ ପିଲାଳିଆମି ଲାଗୁଚି ଏଇ ତାଳିମରା କେକ୍ କଟା ସବୁକିଛି । ଏଣେତେଣେ ଉଡୁଥିବା ଧଳାବାଳ ଗୁଡ଼ିକୁ କାନ ପଛରେ ଖୁଞ୍ଚିଦେଲେ । ଆକାଶ କୁ ଅନେଇଲେ ଲାଲ ଟୁକ୍ ଟୁକ୍ ସୂର୍ଯ୍ୟ ଉଠି ଆସୁଛନ୍ତି ପୂର୍ବାକାଶରେ । କି ନୈସର୍ଗିକ ଦୃଶ୍ୟ । ୟେ ସବୁ ଦୃଶ୍ୟ ଦେଖିଲେ ଇଶ୍ୱର ଙ୍କ ନିକଟରେ ମଥା ଆପେ ଆପେ ନଇଁ ଯାଏ । ଅଦୃଶ୍ୟ ଶକ୍ତି ର ବିଦ୍ୟମାନତା କୁ ଉପଲବ୍ଧି କରିହୁଏ । ବୋଧହୁଏ କିଛି ନୂତନ ବାର୍ତ୍ତା ଆଣି ଆସିଛି ଆଜିର ସକାଳ । ଚଞ୍ଚଳ ମନକୁ ଟିକେ ସ୍ଥିର କରି ସେ ବସିଲେ । ଭିତରୁ କେହି ବୋଧେ କିଛି କହୁଛି !ଶୁଣିବାକୁ ଚେଷ୍ଟା କଲେ ।


                 ଐକାନ୍ତିକତା କୁ ଉପଭୋଗ କରିବା ଶିଖ । ତୁ ନିଜେ ହିଁ ତୋର ନିଜର ମିତ୍ର । ଏଇ ଧଳାବାଳ ମାନେ ହିଁ ତ ସୂଚକ , ଯେ ତୁ ବର୍ତ୍ତମାନ ସ‍ଂପୂର୍ଣ୍ଣ ଦାୟିତ୍ଵମୁକ୍ତ । ପୁଣି ସେ ସବୁକୁ ଆବୋରି ବସିବାର ମାନେ କ'ଣ ଥାଏ ଯେ ? ଯିଏ ଯାଇଛନ୍ତି ସେମାନଙ୍କୁ ମୁକ୍ତ କର୍ !!! ତୋର ଯାତ୍ରା ପଥ ସ୍ୱତନ୍ତ୍ର ଆଉ ସେମାନଙ୍କ ସ୍ୱତନ୍ତ୍ର । ଏବେ ନିଜ ପଥରେ ଚାଲିବା ଆରମ୍ଭ କର । କାନିର ଗଣ୍ଠି କୁ ଖୋଲିଦେଇ ନିଜ କୁ ମୋହ ପାଶରୁ ମୁକ୍ତ କରି ଦେ ‌। 


                 କ୍ରିଷ୍ଣା ଆଖି ଖୋଲି ଦେଖିଲେ ଅଭିଜିତ ଗୋଟେ ଲାଲ ଟହଟହ ସଜ ଗୋଲାପ କଢି ଧରି ତାଙ୍କ ସାମ୍ନା ରେ ଠିଆ ହେଇଛନ୍ତି । ସକାଳୁ ସକାଳୁ ବାଡ଼ି ରୁ ତୋଳି କି ଆଣିଛନ୍ତି ନିଶ୍ଚୟ । କ୍ରିଷ୍ଣା ପୁଣି ଥରେ ଆକାଶ କୁ ଅନେଇ ମନେ ମନେ ହସିଲେ, ମହାମାୟା ଖୁବ୍ ଚତୁର ! କେହି ବୌଦ୍ଧିକ ଚିନ୍ତନ ଆରମ୍ଭ କରିବା ମାତ୍ରେ ତତକ୍ଷଣାତ୍ ମାୟା ଜାଲ ଫିଙ୍ଗିବା ଆରମ୍ଭ କରି ଦିଅନ୍ତି । ଅଭିଜିତ କଢି ଟି ଆଣି କ୍ରିଷ୍ଣା ଙ୍କ ଖୋସାରେ ଖୋସିଦେଲେ । କିଛି ଧଳା ବାଳ କାନ ପାଖରୁ ଖସି ଆସି ମୁହଁ ପାଖରେ ଉଡ଼ିବାକୁ ଲାଗିଲେ । ହେଲେ କ୍ରିଷ୍ଣା ତୁରନ୍ତ ତାକୁ କାନ ପଛପଟେ ପୁଣି ଖୁଞ୍ଚିଦେଲେ ।


             ଅଭିଜିତ ହାପି ଆନିର୍ଭସରି ! କହି ପାଖ ଚୌକିରେ ବସି ପଡିଲେ ।


           ତମର ମନେ ଅଛି ? ମୁଁ ତ ଭୂଲି ଯାଇଥିଲି । ଜିନା ସକାଳୁ ଫୋନ୍ କରି କହିଲା ରୁ ମନେ ପଡ଼ିଲା ।


             ହଉ ତମେ ଜଲଦି ଗାଧେଇ ବାହାରି ପଡ । ଆଜି ପୁରୀ ଯିବା । ମୁଁ ଡ୍ରାଇଭର କୁ କହି ଦେଇଛି ସେ ଆଠଟା ସୁଦ୍ଧା ପହଞ୍ଚି ଯିବ । ବହୁତ ଦିନ ହେଲା ପୁରୀ ଯାଇନେ । ଆଜି ଜଗା ଦର୍ଶନ କରିବା ।


             କ୍ରିଷ୍ଣା ବହୁତ ଖୁସି ହେଇଗଲେ । ପୁରୀ ପ୍ରତି ତାଙ୍କର ଛୋଟବେଳୁ ଏକ ଅହେତୁକି ଆକର୍ଷଣ ରହିଛି । ଏକ ତ କାଳିଆ ସାଆନ୍ତ ଆଉ ଗୋଟେ ହେଉଛି ସମୁଦ୍ର କୂଳରେ ବସି ମସଲାମୁଢ଼ି ଖାଇବା । ଏବେ ବି ମସଲାମୁଢି ତାଙ୍କର ଏକ ବିଶେଷ ଦୁର୍ବଳତା । ଯୋଉଠି ଯେତେବେଳେ ବି ଖାଆନ୍ତି ତାଙ୍କର ପୁରୀ ସମୁଦ୍ରକୂଳ ମନେ ପଡ଼େ । ଲାଗେ ଯେମିତି ସେ ସେଇଠି ବସିଛନ୍ତି । ବିଶେଷ କରି ଖୋଲା ଆକାଶ ତଳେ ବସି ନିଜେ ବନେଇଥିବା ମସଲାମୁଢି ଖାଆନ୍ତି ଆଉ ସମୁଦ୍ର ର ଢେଉକୁ ମନେ ପକାନ୍ତି । ଏଇଟା ଗୋଟେ ପ୍ରକାର ପାଗଳାମି ବୋଲି ସମସ୍ତେ ଭାବି ପାରନ୍ତି । ହେଲେ ସେ ନାଚାର । ପିଲାମାନେ ବି ଜାଣନ୍ତି ସେ ମୁଢ଼ି ମିକ୍ସଚର ଖାଇବାକୁ କେତେ ଭଲ ପାଆନ୍ତି । ଯଦି କେବେ ସଂନ୍ଧ୍ୟାରେ ଜଳଖିଆ ଅନ୍ୟ କିଛି ନଥିବ ସେ ମୁଢ଼ି ମିକ୍ସଚର ପାଗ ବନେଇବା ଆରମ୍ଭ କରି ଦିଅନ୍ତି । କାକୁଡି, ଟମାଟୋ, ଲଙ୍କା , ପିଆଜ , ଲେମ୍ବୁ , ନଡ଼ିଆ , ସୋରିଷ ତେଲ , ଧନିଆପତ୍ର କେତେ କଥା ସେ ପକେଇ ବନାନ୍ତି । ମ୍ୟାଗି , ମୋମୋ ପିଜ୍ଜା ଜମାନାରେ ପିଲାମାନେ ୟାକୁ ବେଶୀ ପସନ୍ଦ କରନ୍ତି ନି । ହେଲେ କ୍ରିଷ୍ଣା ସେ ସବୁକୁ ବେଲାରେ ଗୋଳେଇ ଛାତ ଉପରକୁ ନେଇ ଯାଆନ୍ତି । ତାଙ୍କୁ ଲାଗେ ସେ ଯେମିତି ସମୁଦ୍ରକୂଳରେ ବସିଛନ୍ତି ....ଆଉ ଉତ୍ତାଳ ଢେଉ ସବୁ ଗୋଟେ ପରେ ଗୋଟେ ତାଙ୍କ ଆଡ଼କୁ ମାଡ଼ି ଆସୁଅଛନ୍ତି..... । ଓଃ କି ଆନନ୍ଦ !


                ଆରେ !!! ଜିନା କୁ ଜଣେଇଦିଏ ଯେ ଆମେ ପୁରୀ ଯାଉଛୁ । କେକଫେକ୍ କିଛି ଅର୍ଡର କରିବନି । ଫେରିଲା ବେଳକୁ କେତେ ଡେରି ହେବ କିଏ ଜାଣେ ?


               ପୁରୀ ରେ ପହଞ୍ଚି ସେ ଦୁହେଁ ଜଗନ୍ନାଥ ଦର୍ଶନ କଲେ । ଚକାଆଖି କୁ ଅନେଇ ମନେମନେ କହିଲେ ତୁ ସକାଳେ ଯୋଉ ସନ୍ଦେଶ ପଠେଇଲୁ ମୁଁ ପାଇଲି । ଆଉ ତାହା ମୁଁ ନିଶ୍ଚୟ ପାଳନ କରିବି । ଆଜି ଖାଲି ଗୋଟେ ଦିନ ମୋତେ ଛୁଟି ଦେଇ ଦେ । ଶେଷ ଥର ପାଇଁ ମୋ ଚପଳାମି କହ ବା ପିଲାଳିଆମି କହ ମନ ଭରି ଉପଭୋଗ କରିବାକୁ ଦେ । କ୍ରିଷ୍ଣା ଙ୍କୁ ଲାଗିଲା ଜଗାର ନାଲି ନାଲି ଓଠରୁ ଝରି ପଡ଼ିଲା ଚେନାଏ ଚପଳ ହସ ।


                  ମହାପ୍ରସାଦ ପାଇ ସାରି କିଛି ସମୟ ଦେଉଳ ଭିତରେ ବସିଲେ । ତା ପରେ ସେମାନେ ବାହାରିଲେ ସମୁଦ୍ରକୂଳ କୁ । ସମୁଦ୍ର ଯେତେ ଯେତେ ପାଖେଇ ଆସୁଥିଲା କ୍ରିଷ୍ଣା ଙ୍କ ର ଉନ୍ମାଦନା ସେତେ ସେତେ ବଢି ଚାଲିଥିଲା । ଶେଷରେ ସମୁଦ୍ରକୂଳରେ ପହଞ୍ଚିଲେ । ସେଠି ପଡିଥିବା ଚୌକିରେ ବସି ଚାରିଆଡ଼େ ନଜର ବୁଲେଇ ଆଣିଲେ । ଗୋଟେ ହେଲେ ମୁଢ଼ି ବାଲା ନଜରରେ ପଡିଲେନି । ମନ ଟିକେ ଊଣା ହେଲା । ହେଲେ ସେ ଭାବିଲେ ଆଉ କିଛି ସମୟ ପରେ ସେମାନେ ନିଶ୍ଚୟ ଆସିବେ ଯିବେ କୁଆଡ଼େ ? ତାଙ୍କ ଆଖି ଖାଲି ଘୂରି ବୁଲୁଥାଏ ଏପଟ ରୁ ସେପଟକୁ ଆଉ ସେପଟ ରୁ ଏପଟକୁ । ଅଧ ଘଣ୍ଟେ ଚାଲିଗଲା କେହି ଗୋଟେ ହେଲେ ଦେଖା ଗଲେନି । ସେ ଉଠି ଠିଆ ହେଲେ କିଛି ବାଟ ଚାଲି ଚାଲି ଗଲେ ଦେଖା ହେବେ ବୋଧେ । କାରଣ ସେ ଦୁହେଁ ଗହଳି ଠାରୁ ଟିକେ ଦୂରରେ ବସିଥିଲେ । ଅଭିଜିତ ପଚାରିଲେ କୁଆଡ଼େ ଯାଉଚ ? ସମୁଦ୍ର ରେ ପାଦ ବୁଡେଇବା କୁ ?


                ନା ମ ! ଏଇ ବାଲିରେ ଚାଲି ଚାଲି ଟିକେ ଆଗକୁ ଯିବି । 


                 ଅଭିଜିତ ଥଟ୍ଟା କରି ପଚାରିଲେ ମୁଢିବାଲାକୁ ଖୋଜିବାକୁ ଯାଉନ ତ ? ସେ ଆସିବ ବ୍ୟସ୍ତ କାହିଁକି ହେଉଛ ?


                ତାଙ୍କ ଦୁର୍ବଳତା ବିଷୟରେ ସମସ୍ତେ ଅବଗତ । ତେଣୁ କିଛି ବି ବାହାନା କଲେ ଚଳିବନି । ସେ ଛୋଟପିଲା ଭଳି ମୁଣ୍ଡ ଟୁଙ୍ଗାରି ଆଗକୁ ବଢ଼ିଲେ । କେତେ ବାଟ ଚାଲି ଚାଲି ଗଲେ ଚା ବାଲା, ପେଡା ବାଲା, ବେଲୁନ ବାଲା ଆଉ କେତେ କ'ଣ ବାଲା ଦେଖିଲେ ହେଲେ ଗୋଟେ ବି ମୁଢ଼ି ବାଲା ଦେଖିଲେ ନାହିଁ । ତାଙ୍କ ଆଖି ଖାଲି ଚାରିଆଡ଼େ ପହଁରି ବୁଲୁଥିଲା । କାଳେ କୋଉଠି ଗୋଟେ ମିଳିଯିବ ମୁଢ଼ିବାଲା । ଆହୁରି ଅଧଘଣ୍ଟେ ପଳେଇଲା ଖୋଜାଖୋଜି ରେ ।

                 

          ଗୋଟେ ଚା ବାଲା ଆସି ପଚାରିଲା , ମାଁ !! କ'ଣ ଖୋଜୁଛନ୍ତି କି ?


             ନାଇଁ ମ ଗୋଟେ ହେଲେ ମୁଢ଼ିବାଲା କାଇଁ ଦେଖା ଯାଉ ନାହାଁନ୍ତି ଆଜି । 


              ଓହୋଃ !! ମାଁ ସେ ସବୁ ଆଜି ବଳିଆପଣ୍ଡ ଆଡ଼େ ପଳେଇଛନ୍ତି । ସେଠି ଆଜି ଗୋଟେ ସିନେମା ସୁଟିଂ ହେଉଛି ତ ସେଇଥି ପାଇଁ । ସବୁ ଲୋକ ବି ସେଇଠି ଯମା ହେଇଛନ୍ତି । 


                 କ୍ରିଷ୍ଣା ଙ୍କ ମୋବାଇଲ୍ ବାଜି ଉଠିଲା । ଦେଖିଲେ ଅଭିଜିତ କଲ୍ କରିଛନ୍ତି । ସେପଟୁ ଅଭିଜିତ ବ୍ୟସ୍ତ ହେଇ କହିଲେ ଜଲଦି ଆସ । ଆମେ ଫେରିଯିବା । ବିଜୁ ସ୍ତ୍ରୀ ର ପେନ୍ ଆରମ୍ଭ ହେଲାଣି । ଆମେ ଗଲେ ସେ ତା ସ୍ତ୍ରୀ କୁ ହସ୍ପିଟାଲ ନେବ । 


                ହଁ ....ହଁ ମୁଁ ଆସୁଛି । କ୍ରିଷ୍ଣା ଓ ଅଭିଜିତ ତରତର ହେଇ ଗାଡ଼ି ରେ ଆସି ବସିଲେ । ଅଭିଜିତ ବିଜୁ କୁ କହିଲେ ଜଲଦି ଚାଲ । ତୁ ସକାଳେ ୟେ କଥା ଜଣେଇଥିଲେ ଆଜି ଆମେ ଆସି ନଥାନ୍ତେ ।

                ନାଇଁ ସାର୍ , ସକାଳେ କିଛି ଜଣା ପଡୁ ନଥିଲା । ସେ ଠିକ୍ ଥିଲା । ହଠାତ୍ ପେନ୍ ଆରମ୍ଭ ହେଇଛି । ପଡିଶା ଘର ମାଉସୀ ଅଛନ୍ତି ତା ପାଖରେ । ଆମେ ଜଲଦି ପହଞ୍ଚି ଯିବା ଯେ .... ।


                ଅଭିଜିତ କ୍ରିଷ୍ଣା କୁ ଅନେଇ କହିଲେ , କ'ଣ ମିଳିଲାନି ତମ ଜିନିଷ ??? 


                 ନା...ମ । ଆଉ କ'ଣ ଖାଇବାର ଇଚ୍ଛା ଅଛି କି ?? ଜଲଦି କେମିତି ଯାଇ ଘରେ ପହଞ୍ଚିବା ସେଇ କଥା ଭାବ । ବିଚାରି କଷ୍ଟ ପାଉଥିବ । 


                    ବିଜୁ ହଠାତ୍ ବ୍ରେକ୍ ମାରି କହାଲା, ମାଁ !! ସେଇଠି ଦେଖ ଗୋଟେ ମସଲା ମୁଢ଼ିବାଲା ରାସ୍ତା କଡ଼ରେ ଠିଆ ହେଇଛି । ନେଇ ଆସିବି କି ??? 


                  ବିଜୁ କୁ ବି ଜଣା ମୋ ଦୁର୍ବଳତା ବିଷୟରେ । ଦଶ ବର୍ଷ ହେଲା ରହିଲାଣି ଆମ ସାଙ୍ଗରେ । ତୁ ଚାଲିଲୁ ଜଲଦି ମୋର ମୁଢିଫୁଢି କିଛି ଦରକାର ନାହିଁ । ଗାଡ଼ି ରଖନା ଯମା । 


                  ଘର ଗେଟ୍ ପାଖରେ ଅଭିଜିତ ଆଉ କ୍ରିଷ୍ଣା ଓହ୍ଲେଇ ପଡିଲେ । ଅଭିଜିତ କହିଲେ, ଗାଡ଼ି ତୁ ନେଇ ଯା । ଏଇଥିରେ ନେଇଯିବୁ । ହସ୍ପିଟାଲ ରେ ପହଞ୍ଚି ମୋତେ କଲ୍ କରିବୁ ମୁଁ ଡାକ୍ତର ହରିଶ୍ ଙ୍କ ସହ କଥା ହେଇଯିବି । କିଛି ଅସୁବିଧା ହେବନି .... ।


                 କ୍ରିଷ୍ଣା ନ ଶୋଇ ଘର ଭିତରେ ଚାଲି ବୁଲୁ ଥିଲେ ଏପଟ ସେପଟ । ଏବେ ପ୍ରତୀକ୍ଷା କେବଳ ଗୋଟିଏ ଖବର ର । ସତ କୁ ସତ ସେପଟୁ କଲ୍ ଆସିଲା ବିଜୁ ର । ମାଁ ପୁଅ ହେଇଛି.... ମାଁ ଛୁଆ ଦୁଇଜଣ ଯାକ ସୁସ୍ଥ ଅଛନ୍ତି । କ୍ରିଷ୍ଣା ହାତ ଯୋଡ଼ିଲେ ଜଗା ଉଦ୍ଦେଶ୍ୟରେ ।

                  

          ୟେତେ ବଡ଼ ଖୁସି ଖବର ପାଇଲା ପରେ ମସଲାମୁଢି ତ ବନିବା ନିହାତି ଦରକାର । କ୍ରିଷ୍ଣା ବସି ପଡିଲେ ପିଆଜ ଲଙ୍କା କାକୁଡି ସବୁ ଚୂନି ଚୂନି କରି କାଟିବା ପାଇଁ । ଅଭିଜିତ ଦୂରରୁ ଥାଇ କ୍ରିଷ୍ଣା ଙ୍କ ପାଗଳାମି ଦେଖୁ ଥାଆନ୍ତି । ଘଣ୍ଟାକୁ ଅନେଇଲେ ରାତି ଦଶଟା ବାଜିଥିଲା..... ।।


Rate this content
Log in

Similar oriya story from Comedy