ମୋତେ ମାଫ କରି ଦିଅ
ମୋତେ ମାଫ କରି ଦିଅ


ଚପଳା ସବୁବେଳେ ବ୍ୟସ୍ତ ରହନ୍ତି ।ତାଙ୍କ ବିଚାରରେ ମାଛି ପଡିଲେ ନବଖଣ୍ଡ କରି ପକାଇବେ ପରା ।ଶଙ୍କର ବାବୁ ଚପଳାଙ୍କ କଥାକୁ ନ ବଢାଇବା ପାଇଁ ସବୁବେଳେ ଚେଷ୍ଟା କରୁଥାନ୍ତି । ସେ କଥାଟାକୁ ଯେତେ ସିରିୟସ୍ ରେ କହିଲେ ମଧ୍ୟ, ଥଟ୍ଟା ମଜାର ରୂପ ଦେଇ ସ୍ୱାମୀ ଶଙ୍କର ବାବୁ କୁହନ୍ତି, ଚପଳା, କଥା ଟାକୁ ମାଜିଲେ ମୋଟ ହୁଏ,ସୂତାକୁ ମାଜିଲେ ସରୁ ହୁଏ, ତୁମେ ସବୁ କଥାକୁ ଏତେ ମାଜୁଛ କାହିଁକି?ଦୁଇ ପୁଅ,ଦୁଇ ବୋହୁ, ଝିଅଟିଏ ର ସଂସାର ,ସୁରୁଖୁରୁରେ ଚଳିଯାଉ ବୋଲି ଭାବନ୍ତି ଶଙ୍କରବାବୁ ।
ସବୁବେଳେ କଥାରୁ ଖିଅ କାଢ଼ି ବକର ବକର ହୋଇ ନିଜର ବଡପଣିଆକୁ ଜାହିର କରି ଚପଳା, ମୋର ସବୁକଥାକୁ ପରିହାସରେ ଉଡାଇ ଦେଉଛ କହି, ବହେ ବର୍ଷିଯାନ୍ତି ସ୍ୱାମୀଙ୍କ ଉପରେ । ବେଳେବେଳେ ଚପଳା କହନ୍ତି, ମୋ ମନ ଭାରି ଦୁଃଖ ହେଉଛି, ଗାଁର ସରପଞ୍ଚ ଟାଏ ହୋଇ ବଡପୁଅ ସେଥିରେ ମାତିଛି,ଏତେ ପାଠପଢି ସାନପୁଅ ଘରେ ବସିଛି । ବଡ଼ପୁଅର ୩ଟା ଛୁଆ, ଏଡ଼େ ବଡ ପରିବାର କେମିତି ଚଳିବ, ସେ କଥା କେହି ଭାବୁନାହାନ୍ତି,ସବୁ କଥା ମୁଁ ଭାବିବି? ଶଙ୍କର ବାବୁ କୁହନ୍ତି, ମୁଁ ଯେତେ ମନାକଲି, ତୁମେ ବଡପୁଅକୁ ସରପଞ୍ଚ କରିବା ପାଇଁ ଆପ୍ରାଣ ଚେଷ୍ଟା କରି ତାକୁ ଜିତାଇଲ । ପୁଣି ମୁଁ କହିଲି ସାନପୁଅ ବିଜୁକୁ ଏବେ ବିଭା କରିବାନି,ସେ ଚାକିରୀ କରି ସାରି ବିଭାହେବ । ଚାକିରୀଟାଏ କରିନି ବୋଲି କଣ ପୁଅ ବାଡୁଅ ରହିବ? ତୁମ କଥା ନ ରହିଲେ ତ ମହାଭାରତ ଅସୁଦ୍ଧ ହେଇଯିବ, ଏବେ ଦୋଷ ଗୁଡାକ କାହା ମୁଣ୍ଡରେ ଲଦି ପକାଉଛ?
ଚପଳା ରାଗି ଯାଇ କହିଲେ ସବୁ ଦୋଷ ଗୁଡାକ ତ ମୋରି, ସମସ୍ତେ ଗୋଟାପଣେ ତୁଳସୀ ଗଛ । ଶଙ୍କର ବାବୁ କହିଲେ ଘରର ଯେତକ ଲୋକ ସମସ୍ତଙ୍କୁ ଚଳାଇବା ଡୋରିଟା ନିଜ ନିୟନ୍ତ୍ରଣରେ ରଖିଛ,ତୁମ ଆଦେଶର ପରିସର ଭିତରୁ କେହି ଖସି ପାରୁନାହାନ୍ତି । ମୁଁ ମାତ୍ର ଥଟ୍ଟା ମଜାର ବାହାନା କରି ତୁମଠୁ ଖସିବାକୁ ଚେଷ୍ଟା କରୁଛି, ହେଲେ ପାରୁଛି କୋଉଠି?ଅଥାର ହାଣ୍ଡି ପରି ମୁହଁ କରି ବସିଲେ ଚପଳା । ଯିଏ ଯେତେ ଡାକିଲେ ସେ ଖାଇଲେନି କି ଉଠିଲେନି ।ସନ୍ଧ୍ୟା ବେଳକୁ ପେଟରେ ଚୁହା ଦୌଡିଲେ,ଶଙ୍କରବାବୁ ପିଲାମାନଙ୍କୁ କହିଲେ ,ବୋଉକୁ ଦୁଇ ଦିନ ପର୍ଯ୍ୟନ୍ତ ତା ଇଚ୍ଛା ରେ ଛାଡି ଦିଅ,ତା ପରେ ଦେଖିବା । ସେଇଆ ହେଲା ।ଦୁଇ ଦିନ ପରେ ରଡିଛାଡି ବାହୁନି କାନ୍ଦିଲେ ଚପଳା, ବୋଉ କିଲୋ କୋଉଠି ଅଛୁ ମୋତେ ନେଇ ଯା ଲୋ,ମୋ ପେଟ କଂ କଂ ବୋବାଳି ଛାଡି ଲାଣି,ମୁଁ ଆଉ ବାଛି ବିନିଲୋ । ହସିହସି ଶଙ୍କର ବାବୁ ଚପଳାଙ୍କ ହାତ ଧରି ବୋହୂ ବାଢ଼ି ଥିବା ଜାଗାରେ ନେଇ ବସାଇଲେ ।ପେଟେ ଖାଇ ସାରି ଚପଳା କହିଲେ ମୁଁ ଆଉ ଘରକଥା ବୁଝିବିନି । ଆଜିଯାଏ ସମସ୍ତଙ୍କ ମନରେ ଦେଇ ଥିବା କଷ୍ଟ ପାଇଁ ମୋତେ ମାଫ କରିଦିଅ ।ଏକ ସ୍ୱରରେ ସମସ୍ତେ ହସିଲେ ।