ମୋଜା
ମୋଜା
ମନର ଦାଗ ଗୁଡା ଅଲିଭା । ଖାଲି ଅଲିଭା ନୁହଁ ଗଭୀରିଆ ଆଉ କଞ୍ଚା । ଉପରେ ପରଳେ ଚମ ମଡେଇ ହେଇଗଲେ ବି ମଳିଚମ ଛୁଉଁ ଛୁଉଁ ରୁଗ୍ ରୁଗ୍ କରେ । ଏ ମନର ଦାଗ ପାଇଁ ବୟସ ଫୟସ କି ଅୟସର କିଛି ମାନେ ନଥାଏ । ଉଜାଗରିଆ ସଜ ଦାଗ ତକ ତକ କାଟୁଥାଏ ।
ମୁଁ ନିତି ସେଇବାଟରେ ଫେରେ ,ଯୋଉ ବାଟରେ ତାର ଦୋକାନ । ଯଦିଓ ସିଏ ବୟସର ଖସିଯାଉଥିବା ସୂତାର ଅନ୍ତିମ ମୋଡରେ ,ତଥାଟି " ତୁ "କୁହନ୍ତି ତାକୁ ସବୁ । କାଠ ନଟେଇ, ଗୁଡି, ମାଞା ବିକେ ମକର ଋତୁରେ ରେ, ରଙ୍ଗ,ଫଗୁ ବିକେ ଫଗୁଣରେ, ଆଉ ବାକି ବର୍ଷ ସାରା ବେକମୋଡା ଟାଣୁଆ ଭାରି ଲୁହା ଯନ୍ତ୍ର ଟିରେ ଛିଣ୍ଡା ଚପଲ ସବୁକୁ ପେଟେଇ ଦେଇ ମନ ଲଖେଇ ଘସୁଥାଏ ଗୋଟେ ଚିକଣ ପଥରରେ ନହେଲେ ଡାମ୍ଫଣଟାରେ ଫୁଟେଇ ଗଳେଇ ଢେଗା ସିଲେଇ ପକଉଥାଏ ସୈନିକ ପ୍ଲାଟୁନର ପ୍ଯାରେଡ ପରି ସିଧା ଧାଡିରେ ସେଇ ଟୁଣୁକା ନଇଁ ଆସିଥିବା ଟିଣ ଅଧା କେବିନ ଟିରେ । ନଇଁ ମୋଡି ହେଇ ଏମିତି ବସେ ଯେମିତି ବସ୍ତାଟେ । ପିନ୍ଧେ କଳା ଲମ୍ବା ଫଟା କୁର୍ତ୍ତା ଟିଏ । ତଳକୁ ମୁହଁ ପୋତି କାମରେ ଲାଗିଥାଏ, ନଇଁ ନଇଁ ଚାଲେ । କେବେ କାହାରିକୁ ମୁଣ୍ଡ ଉଠେଇ ଚାହିଁବା କେହି ଦେଖିନି । ଗୋଟେ ଆଣ୍ଠୁ ମୋଡି ଭିତରକୁ ଚକା ପକାଏ, ଆଉ ଗୋଟେ ଆଣ୍ଠୁ ଭାଙ୍ଗି ପାଦ ଫୁଟପାଥରେ ଦାବିକି ରଖେ ଯେମିତି ମାଇଲଖୁଣ୍ଟଟେ । ପୁରୁଣା ଲୁହାର ଫୋଲ୍ଡିଙ୍ଗି ଚଉକି ପରି ଲୋକଟି, ମାଟିକୁ ଡେରା ହେଇଥାଏ ।
ସେଇଠି ବସିଥାଏ ସିଏ ଯୋଉବାଟେ ମୁଁ ନିତି ଫେରେ । ମୁଁ ତା' ଦୋକାନ ପାରି କରିବା ଭିତରେ ସିଏ ଥରୁଟେ କଣେଇ ଚାହେଁ ମତେ । ବଡ ଅଜିବ୍ ଲାଗେ ,କାହାକୁ ମୁହଁ ଟେକି ନ ଚାହିଁବା ଆଖି ମୋ ପାଦ ଶବ୍ଦ ବାରେ କେମିତି ଆଉ କାହିଁକି ।
ସବୁଦିନେ ଦେଖି ଶୁଣି କରି ଅପସନ୍ଦ କିଛି ବି ଅଭ୍ଯାସ ହେଇଯାଏ । ନ ଘଟିଲେ ଅଡୁଆ ଲାଗେ ।
ମୋର ଛତାଟା ସେଦିନ କେମିତି କେଜାଣି ଜମା ଫିଟିଲାନି ଆଉ ବର୍ଷା ତେଣେ ଖୁବ୍ ଜିଦ୍ ରେ ଥିଲା ସହରକୁ ଆଣ୍ଠେଇ ଦବ ବୋଲି । ମୁଁ ଛକଠି ବସ୍ ରୁ ଓହ୍ଲେଇ ପଡି ପ୍ରାଣପଣେ ଛତା ପଛରେ ପଡିଗଲି, ହେଲେ ସିଏ କାଇଁ ଫିଟିବ ଭଲା । ଆଜି ମାସ ଶେଷ ଦଶ ତାରିଖ,ଏ ସାହିର ସବୁ ଦୋକାନ ବନ୍ଦ .... ହେଲେ ଅଧାବୁଡାଭିଜା ହେଇ ସିଏ ବସିଛି ମୁହଁ ପୋତି, ଚଲେଇଛି ତା ଠୁକୁର୍ ଠୁକୁର୍ । ମୁଁ ଦଉଡିଗଲି ସେଇଠିକି ଆଉ କହିଲି, " ଛତାଟା ଖୋଲିଦବ? " ସିଏ ମୋ ପାଦକୁ ଥରେ ଅନେଇ ହାତ ଅଧା ବଢେଇଲା । ଛତାଟିକୁ ନେଇ ଖୁଟ୍ ଖାଟ୍ କଣ ଟିକେ କରି କି ମନ୍ତ୍ର ଫୁଙ୍କିଲା କେଜାଣେ ଛତୁଛତା ପରି ମେଲା ହେଇଗଲା ମୋ ଦୁଷ୍ଟ ଅବୁଝା ଛତା । ମୁଁ " ଧନ୍ୟବାଦ" କହିଦେଇ ପାଦଟା ଆଗକୁ ବଢେଇବି କଣ ସାଣ୍ଡାଲ୍ ଟି ଝଟ୍ କି ଛିଣ୍ଡିଗଲା । କି ବେଳା କେଜାଣି! ଅଗତ୍ଯା ପୁଣି ତାକୁ ଅନେଇଲି । ବିନାଶବ୍ଦ ର ପ୍ରତିବଦଳରେ ସିଏ ପୁଣି କହୁଣିରୁ ତା ' ବୁଢା ଦନ୍ତରା ପାପୁଲିକୁ ଆଗକୁ କଲା ଆଉ ବିନା ବାକ୍ଯବ୍ଯୟରେ ମୁଁ ମୋ ପାଦର ଚପଲଟା ତା ହାତରେ ଥୋଇଦେଲି । ଟିକେ ଦ୍ଵିଧା ଲାଗିଲା, ବଡ ମଣିଷ ଟା ଚପଲଟା ହାତରେ ଧରିଲା । ହଉ କରିସାରୁ, ଗଲା ବେଳେ ଦୂରୁଆ " ବିଷ୍ଣୁ "କହିଦେବି ।
ସିଏ ପୁଣି ତା କଣ୍ଟାଝଟା ଉଣ୍ଡାଉଣ୍ଡି କରି ମୋ ଚପଲକୁ ବି ପେଟେଇ ଦେଲା ସେଇ ଓଜୋନିଆ ଲୁହା ବେକ ଉପରେ । ମୁଁ ଛତା ତଳେ ଠିଆ ହେଇରହିଲି ଅଧା ଓଦା, ଅଧା ଚପଲ ପିନ୍ଧା ।
ଏଇ ଭିତରେ ମୁଁ ଦେଖିଦେଇଥିଲି ତା ଚିତାକୁଟା ଗାଢନୀଳ ନାଆଁ ଟିକୁ .. ର , ମ ଅଧା..... ଆଉ ଶେଷ ଅକ୍ଷରଟା ଖଣ୍ଡ ଖଣ୍ଡ ଘସରା । କଳ୍ପନା ଯୋଜୁଥିଲା ମୋ ମନ ,କଣ ହେଇଥିବ ନାଁ ଟି ୟାଙ୍କର ? ପଚାରିଦେଲି ," ଆପଣଙ୍କ ନାଁ କଣ ?ନା ମାନେ କଣ ବୋଲି ଗୋଟେ ଡାକିବାକୁ ହୁଏ ତ । " କୈଫିୟତ ଦେଉଥିଲି ନିଜକୁ ନିଜେ । ସିଏ ମୂର୍ତ୍ତି ସମ ନିରୁତ୍ତର ।
ଯୋଡେଇ ଚପଲଟି ପିନ୍ଧି " କେତେ ପଇସା " ର ଉତ୍ତର ରେ ବି କିଛି ନ ପାଇ ମୋ ବୁଦ୍ଧି କୁ ଚାହିଁ କୋଡିଏ ଟଙ୍କା ଟେ ବଢେଇଲି । ଭାବିଲି ," ବେଶୀ ହେଇଯାଉଛି କି ! ସିଲେଇଅଠା ଟିକେ ତ " । ଟିକେ ଠିଆ ହେଲି କାଳେ ଆଉ ଫେରେଇବ କି ମାଗିବ ଭାବି । ସିଏ ସେତକ ବି ନେଲାନି ,ତେଢେଇକି ଚାହିଁ ଗଁ ଗଁ ହେଇ କହିଲା, " ଯାଅ " । ମୁଁ କୋଉ ଛାଡିବା ପିଲା, ମୋର ପୁଣି ଗୋଟେ କଣ କିଛି ଅଛି କି ନାହିଁ । ମାଗେଣା ଖଟେଇବି, ଛେଃ.... ବାଧିବନି ! ନ ଛୋଡବନ୍ଧା କରି ସେଇ କୋଡିଏ ଥୋଇଆସିଲି । ସେଇଟି ବି ଅଧାଓଦା ହେଇ ସେମିତି ପଡିରହିଲା ତା' ମଝି ଦୋକାନ କଡକୁ । କାଳେ ଉଡିଯିବ ବୋଲି ମୁଁ ହି ନଇଁ ପଡି ରେଜା କିଛି ନଟ୍ ବୋଲ୍ଡ ପରି ଚିଜ ତା ଉପରେ ମଡେଇ ଆସିଲି ନିଜ ଆଡୁ ।
ବାଟରେ ମୁଁ ଭାବିଲି, " ଯା ମ ! କେମିତି ଲୋକଟେ କେଜାଣି ? "
ଏମିତି ଥରେ ଅଧେ ଦେଖା ଓ ଉପରେ ପଡି କଥାଭାଷା ପରେ ସିଏ ନିଜ ଆଡୁ ଟିକେ ଫିଟିଲା । ଆଜି କାଲି ମୋର ତା'ଠି କିଛି କାମ ନ ଥିଲେ ବି ମୁଁ ସେଇଠି ଟିକେ ଦଶ ମିନିଟ୍ ପଛେ ହଉ ଅଟକିକି ଆସେ ଆଉ ସିଏ ମୋ ଆସିବା ଦେଖିଲେ ହି ତତ୍ପର ହୁଏ ଭଙ୍ଗା ରଙ୍ଗଛଡା ଟୁଲ୍ ଟାକୁ ତା କାମିଜ ଶେଷରେ ପୋଛିପକାଏ । ଆଉ କିଏ ଲୋକ ଗଲେ ଆଇଲେ ଚୁପ୍ ହେଇଯାଏ ଯେମିତି ଗୋଟେ କଣ ଲୁଚାଛପା କଥା ,କିଏ ଶୁଣିଦବ ଯଦି !
ତାରି ମୁହଁ ରୁ ଜାଣିଲି ସିଏ ସିନ୍ଧୁ ପ୍ରଦେଶର ,ହଁ ପଞାବ,ସିନ୍ଧ୍, ଗୁଜୁରାତ, ମରାଠା ...... ଦ୍ରାବିଡ, ଉତ୍କଳ, ବଙ୍ଗ.....ବିନ୍ଧ୍ଯ, ହିମାଚଳ, ଯମୁନା, ଗଙ୍ଗା...... ସେଇ ସିନ୍ଧ୍ ଯୋଉଟା କି କଟି ଯାଇଛି ହାତ ଆଡୁ ଭାରତ ମାଆର । କେତେ ଆଡୁ ତ କଣ କଟିଚାଲିଛି ଏ ଦେଶର । ଛାତି ଉପରେ ଚକି ଘୋରଣା ପେଷଣା ରଖି ମନ୍ଥୁଥିବା ହାତ କଣ କମ ଏଇ ଦେଶର ରସ ପିଇଯିବାକୁ ରକ୍ତମୁଖା ପରି । ଆବଶ୍ୟ ମୁଖାତଳ ଚିହ୍ନିବା ଅସାଧ୍ୟ ସାଧନ । ଦେଶ ବିଭାଜନ ବେଳ କଥା । ତମସାଛ୍ଛନ୍ନ ମୂହୁର୍ତ୍ତ । ଜୀବନ ବଞ୍ଚି ବଞ୍ଚାଇବା ବଡ କଥା ଥିଲା ସାଧାରଣ ଜନତା ପାଇଁ, ସିଏ ଏ ପାଖର ହେଉ ବା ସେ ପାଖର । ସେ ସୀମାସରହଦ, ଜାତିଧର୍ମ, ନାଗରିକତା,ଏ ସବୁ ବଡ ବଡ ଭାରି ଶବ୍ଦ ଭୋକିଲା ପେଟ ଆଉ ବେଘର ଦେଶାନ୍ତରୀ ନିର୍ଯ୍ଯାତିତ ପୁଙ୍ଗୁଳା ଦେହମନକୁ ତତେଇ ପାରୁନଥିଲା । କନାବୁଜୁଳାରେ ମାତୃଭୂମି ପ୍ରତି ଥିବା ଆଜନ୍ମ ଅନୁରକ୍ତି ଦୋହଲୁ ଥାଏ । ବାପର ସନ୍ତକ ହିସାବରେ ନିଜଦେହଟି ଛଡା ଆଉ କିଛି ନଥାଏ । ବାରତାରିଖ କିଛି ମନେ ନାହିଁ । ଶହ ଶହ କାନ୍ଦୁରା ଆଖି, ପଞରା ଗଣା ଖାଙ୍କରାପଶା ପେଟ ,ପିମ୍ପୁଡି ପରି ମନ୍ଦା ମନ୍ଦା ଲୋକ ଚଢାମଢା ଭିତରେ ସିଏ ଆସି ଏଠି କୋଉ ଯାଗତିଆରେ ପହଞ୍ଚିଛି ହୋସ ନାହିଁ ।
ଏତିକି କହୁ କହୁ ତା ' ଦେହରୁ ଝାଳପଟେ ବହିଯାଏ,ଧଇଁ ପେଲେ ଲୋକଟି । ମୁଁ କଥା ବାଆଁରାଏ, " କହେ ଥାଉ ଥାଉ ଆଉ ଦିନେ ଆସେ କହିବ ନହେଲେ । "
ଆଉ ଦିନକୁ ଭେଟ ହେଲେ ଆଉ ଗୋଟେ ଭିନ୍ନ ଗପ କହେ ସିଏ । କହେ ,ସିଏ କାଳେ ହଜିଯାଇଥିଲା ବାପମାଆ ଠୁ ହରିଦ୍ବାର ଗଙ୍ଗାମେଳାରେ । ଚେତାବୁଡେଇ କେତେକାଳ କେଜାଣି ସିଏ ପଡିଥିଲା ଗଙ୍ଗାର କୋହଲା ମାଟି ଉପରେ । ତାକୁ କିଏ ଗୋଟିଏ ଚକା ଆଖିଆ ଲୋକ ହାତ ଧରି ଚଲେଇ ଆଣିଲା । ସିଏ ତାକୁ ଚିହ୍ନେନା କିନ୍ତୁ ତା' ବାସ ଏ ଯାଏ ବାରି ପାରିବ । ସେଇ ଲୋକଟି ପଛେ ପଛେ କେଉଁ ଅଜଣା ପ୍ରାପ୍ତିର ମୋହରେ ଜଙ୍ଗଲ, ପାହାଡ, ଖାଲ, ଢିପ ହଜାରେ ହଜାରେ ଅମାପମାପ ବାଟ ସିଏ ଚାଲିଆସିଥିଲା କୋଉ ବିଶ୍ବାସ ରେ ନୁହଁ, ଗୋଟେ ସମ୍ମୋହନରେ । ବିରାଟ ବଡ ଗୋଟେ ଦାଣ୍ଡ ରେ ସେଇ ଲୋକଟା ବତାସ ଭଳିଆ କୁଆଡେ ଉଡି ଉଭେଇ ଗଲା ତା'ହାତ ଛାଡି ଦେଇ ।
ଏସବୁ କହିବା ବେଳେ ସିଏ ଭାରି ଅସହାୟ ଲାଗେ ତ କେବେ ଭାରି ସାହାସୀ । ଗୁଣୁଗୁଣୁ ରୁଣୁରୁଣୁ ହେଇ କହୁଥିବା ବେଳେ ଅଧା କଥାତ ପବନରେ ଉଡିଯାଏ । ତଥାପି ମୁଁ କାନ ଲଗେଇ ଭିଡିଆଣେ ମଞ୍ଜଟି ଯାହା । ସବୁଥର ଗୋଟେ ନୂଆ ଗପ ଗଢେ । ମତେ ଚିହ୍ନିଥିବା କେତେ ଲୋକ ମତେ ଉପଦେଶ ଛଳରେ କୁହନ୍ତି, " ଲୋକଟା ପାଗଳମୁଣ୍ଡିଆ । କାଇଁ ତା' ସହ ମିଳାମିଶା କରୁଛ? କେତେବେଳେ କୋଉ କଥା । ଆପଣା ମହତ ଜଗି ଚଳ । " ମୋ ପାଦ ଏମିତି ସବୁ ଶିଙ୍କୁଳିଲଗା କଥାରେ ଯେ ଝିଙ୍କି ହଉଥିଲେ ସେ କଥା ନୁହଁ, ହେଲେ ତାର ଆକର୍ଷଣ ଏ ଝିଙ୍କା କୁ ବଳିଯାଉଥିଲା । ମୁଁ ପୁଣି ଯାଉଥିଲି, ସିଏ ପୁଣି ଭଙ୍ଗା ଟୁଲୁଟା ଥୋଇଦଉଥିଲା ତା କାମିଜ ରେ ପୋଛି ।
ଦିନେ ସିଏ ବେମାର ପଡିଥିଲା କି କଣ ! ଦୋକାନରେ ଥିଲା ଯେ ହେଲେ ଶୋଇଥିଲା । ସିଏ ସେଇଠି ହି ତ ଶୁଏ, ଆଉ କଣ ଅଲଗା ଘର ଅଛି କି ତାର । ସେଦିନ ଯେତେ ପଚାରିଲି କିଛି କହିଲାନି , ଝାଲେଇଲା ଖାଲି । ଦେହରେ ଖଇ ଫୁଟୁଛି, କପାଳ ଛୁଇଁ ଦେଖିଲି । ନିଜର କିଏ ପରି ଛଟପଟ ଲାଗିଲା । ଔଷଧ ପତ୍ର, ପାଉରୁଟି ଆଣିବି ଭାବି ବୁଲୁଛି ଉଁ ଉଁ ଉଁ ଶବ୍ଦ ଶୁଭିଲା । ପାଦ ଅଟକିଗଲା । ଚାହିଁ ଦେଖିଲି କିଛି ଗୋଟେ କହିବାକୁ ଠାରୁଛି ବୁଢା । ନଇଁ ପଡି ପଚାରିଲି,
_ କିଛି କହୁଛ ? ଦେହରେ ଖୁବ୍ ତାତି । ପଥି ଆଣି ଆସୁଛି ।
ତା ' ଆଖି ପେଜୁଆ ଦିଶୁଥାଏ । ସେମିତି ଉଁ ଉଁ ଉଁ ହେଇ ପୁଣି କଣ ପଟକୁ ଠାରିଲା । ମୁଁ ଚାହିଁ ଦେଖିଲି ଛୋଟିଆ ମଳିଛିଆ ବାଉଁଶ ପେଟେରି ଟାଏ ଜକା ହେଇଛି କୋଣକାନ୍ଥକୁ । ପଚାରିଲି
_ କଣ ସେଇ ପେଟେରି ଟା ? ଆଣିଦେବି ? ହଉ ଆଗେ ଔଷଧ ବ୍ଯବସ୍ଥା କରେ । ଜର ବଢୁଛି । ଖାଇ ତ ନ ଥିବ କିଛି? କଣ ଖାଇଥିଲ ସକାଳେ?
ତାର ଏକା ଜିଦ୍ଦି ସେଇ ପେଟେରା ଆଣି ଦେ ।
ହଉ । ତୋରି କଥା ହଉ ଆଗେ । ଆଣିଦେଲି । ବସେଇବାକୁ ଠାରିଲା । ଟିକିଏ ହାତଡେରାଦେଇ କେବିନ କାନ୍ଥ କୁ ଆଉଜେଇହେଲା । ଥରୁଥାଏ କମ୍ପରେ । ମୁଣ୍ଡ ବି ବୁଲଉଥାଏ କି କଣ ! ପେଟେରାକୁ ଝାଡି ଆଦରି ଏମିତି ଦେଖିଲା ଯେମିତି ତା' କୋଳପୋଛା ପିଲା । ଉଠେଇ ନେଇ ଚୁମିଦେଲା ଆଉ ଥିରିକି ଖୋଲିଲା । ମୁଁ ଅପେକ୍ଷା କରିଥାଏ କହୁ ଯାହା କହିବା କଥା ଚଞ୍ଚଳ ମୁଁ ଯିବି ଔଷଧ ଆଣିବି ।
ପେଟେରି ରେ ହାତ ପୁରେଇ ସିଏ କାଢିଆଣିଲା ଗୋଟିଏ କାଗଜରେ ଗୁରା ବାର୍ଷିକିଆ ମାପର ହଳଦିଆ ରେ ଗୋଲାପି ଫୁଲ ବୁଣା ଉଲ୍ ର ପାଦମୋଜା ଟିଏ । ମୋ ହାତରେ ଥାପି ଦେଇ ତା ହାତର ଛଡା ଛଡା ଅକ୍ଷରରେ ଲେଖା ର , ମ ଶବ୍ଦ ସବୁକୁ ଠାରିଲା । ମୁଁ ପଚାରିଲି
_ କାହାର ଇଏ ?
ତାର ତଣ୍ଟି ଅଠା ଅଠା ହେଲାଣି ସେତବେଳକୁ, ସିଏ ପାଣି ମୁନ୍ଦେ ପିଇବାକୁ ବି ରାଜି ନୁହେଁ ଯେମିତି ଏଇ ତାର ଶେଷ ବଖାଣ ,ସେଇତକ ବଖାଣି ଦେଲେ ତା ଜନ୍ମ ସାର୍ଥକ ।
ସିଏ ବଡ କଷ୍ଟ ରେ କହିଲା,
_ ର...ମି...ଲା । ତୋର .....ମୋ .....ଜା
ଆଉ ମୋ ମୁଣ୍ଡ କୁ ଆଉଁସି ଦଉ ଦଉ ଆଖି ବୁଜିଦେଲା । ତା ବନ୍ଦ ଆଖି ତଳୁ ବାତ୍ସଲ୍ୟଭାବ ଛଳଛଳ ଦିଶୁଥିଲା ।
ଅଧାଗପଟେ ରହିଗଲା ।

