Archana Sahoo

Comedy Romance

4.0  

Archana Sahoo

Comedy Romance

ମୋ ପାଇଁ ଚିଠି ଆସିଛି କି ?

ମୋ ପାଇଁ ଚିଠି ଆସିଛି କି ?

4 mins
181


ମାନସୀ ମାତ୍ର କୋଡିଏ ବର୍ଷର ଝିଅଟିଏ । ହେଲେ କ'ଣ ହେଲା ତା'ର ଭାରି ଇଚ୍ଛା ସେ ଗୋଟେ କବୟିତ୍ରୀ କି ଲେଖିକାଟିଏ ହବ । ଏତେ ଛୋଟ ବେଳୁ ଲେଖି ଚାଲିଛି ଅନେକ କବିତା ଆଉ ଗଳ୍ପ । ତାକୁ କେହି ସାହାଯ୍ୟ କରନ୍ତିନି ପତ୍ର ପତ୍ରିକାରେ ଦେବାକୁ । ସେ ନିଜେ ନିଜେ ସବୁ ଗଳ୍ପକୁ ଫୋନ୍ ମାଧ୍ୟମରେ ବିଭିନ୍ନ ପତ୍ର ପତ୍ରିକାକୁ ଛାଡେ । ଥରେ ତାକୁ ଇମେଲ୍ ଆସିଲା ଯେ ତୁମର ଲେଖା ପୁସ୍ତକରେ ପ୍ରକାଶନ ହେବା ପାଇଁ ଯୋଗ୍ୟ ବିବେଚିତ ହେଇଛି । ଅଭିନନ୍ଦନ ତୁମକୁ । ମାନସୀର ଖୁସି କହିଲେ ନସରେ । ସେ ଖୁସିରେ ଅଧିର ହେଇଗଲା । ପାଦ ଆଉ ତଳେ ଲାଗିଲାନି, ମନ ଗଗନ ପବନରେ ଉଡିବାକୁ ଲାଗିଲା । ବୋଉ ଆସି ପଚାରିଲେ, କିଲୋ ମାନସୀ ! କ'ଣ ହେଇଛି ? ଆଜି ଏତେ ଖୁସି ଯେ ? ମାନସୀ କୁରୁଳି ଉଠି କହିଲା, ଜାଣିଛୁ ବୋଉ ଭଗବାନଙ୍କ ଦୟାରୁ ମୋର ଗଳ୍ପ ସଂକଳନ ହେବ । ଆଉ ମୋ ନାଆଁରେ କେତେ ଚିଠି ଆସିବ । ମାଆ ଝିଅର ଖୁସି ଦେଖି ଟିକେ ହସି ଦେଇ ନିଜ କାମ କରିବାକୁ ରୋଷେଇ ଘରକୁ ଚାଲିଗଲେ । 

    ମାନସୀ କେବେ ଏତେ ଖୁସି ହୁଏନି । ଏମିତି କି ସେ ଭଲ ପରୀକ୍ଷା ଫଳରେ ବି କେବେ ଏତେ ଖୁସି ହେଇ ନଥିଲା । ଏଥର ସେ ଝରକା ପଟେ ଅନେଇ ରହୁଥିଲା ଚିଠିଵାଲାକୁ । ଗାଆଁକୁ ତ ଏବେ ସବୁ ଦିନ ଡାକ ବାଲା ଆଉ ଆସୁ ନାହାଁନ୍ତି । ତଥାପି ବେଳେ ବେଳେ କିଛି ଦରକାରୀ କାଗଜପତ୍ର ଯାହା ଆସୁଛି ଡାକ ମଧ୍ୟମରେ । ତଥାପି ମାନସୀ ଅତୁଟ ବିଶ୍ୱାସ, କେବେ ନା କେବେ ମୋ ପାଖକୁ ବି ଚିଠି ଆସିବ । ଝରକା ପଟେ ଅନେଇ ଅନେଇ ସେ ବସିରୁହେ । ନା କେବେ ଚିଠି ଆସେ । ନା କୋଉ ଚିଠିବାଲାର ସ୍ୱର ସେ ଶୁଣିପାରେ । ଖାଲି ଆକୁଳ ନୟନରେ ଝରକା ପାଖରେ ବସି ରୁହେ ସେ । 

  କେତେ ଲୋକ କହନ୍ତି ଆଲୋ ମାଆ ! ସେ ଓଡ଼ିଶାରେ କେତେ କବି କେତେ କବୟିତ୍ରୀ ଅଛନ୍ତି । ଆଉ ତତେ କିଆଁ କିଏ ପଚାରିବ ? ଆଉ ଟିକେ ( ଛିଗୁଲେଇ କୁହନ୍ତି ) ଗାଲ ଚିପିଲେ ଆଜି ବି ପୂଜ ବାହାରି ପଡିବ, ଆଉ ଏ ଆସିଲା କବିୟତ୍ରୀ କି ଲେଖିକା ହେବାକୁ । 

  ମାନସୀ ମନେ ମନେ ଭାବେ । ବୟସରେ କ'ଣ ଅଛି ? ଲେଖିବାର ନିଶା ରହିବା ଦରକାର । ସମର୍ପଣ ରହିବା ଦରକାର । ଭାବ ରହିବା ଦରକାର । ଯାହାର ଯୋଉ ଦିଗ ପ୍ରତି ଉତ୍କଣ୍ଠା ଅଛି ସେ ସେଇ ପଟକୁ ହିଁ ଯିବା ଉଚିତ୍ । ଯିଏ ଯାହା କହୁ ସେ କିନ୍ତୁ ଡାକଵାଲାକୁ ଝରକା ପଟେ ଚାହିଁ ବସିଲା । 

  ଏମିତି ଦିନ ପରେ ଦିନ ବିତିଚାଲିଲା । କିନ୍ତୁ ଆଜି ବି ଗାଆଁକୁ ଚିଠି ଵାଲାଟିଏ ଆସିଲାନି । କେତେ ରାତି କେତେ ଦିନ ବିତି ଚାଲିଲା ଅହ ରହ, ହେଲେ ଚିଠିଟିଏର ଅପେକ୍ଷାରେ ମାନସୀ ଆଜି ବି ବସି ରହିଥାଏ, ଦାଣ୍ଡକୁ ଅନେଇ...

  କିଛି ଦିନ ଏମିତି ବିତିଗଲା....…...

ମାନସୀଙ୍କ ବୋଉ ଆସି କହିଲେ, ଆଲୋ ମାଆ ଚିଠିର ଯୁଗ ଆଉ କ'ଣ ଅଛି ? ଆମ ଯୁଗ ଯାଇ ଥିଲା ସେ ଚିଠି ଯୁଗ...।

   ଦେଖେ କାଲି ତତେ ଯୋଉ କୁଣିଆ ଦେଖିବାକୁ ଆସିଥିଲେ, ସେମାନେ ତତେ ରାଜି ହେଇ ଯାଇଛନ୍ତି । ଏଇ ଅଳ୍ପ ଦିନ ପରେ ତୋର ବାହାଘର । ତୋର ଠିକଣା ବଦଳିବ । ନୂଆ ଠିକଣାରେ ତୋର ନୂଆ ଜୀବନ ଆରମ୍ଭ ହେବ । ତୁ ସେଇଠି ବହୁତ୍ ଖୁସିରେ ରହିବୁ । 

   ମାନସୀକୁ ନବ ବଧୂ ବେଶରେ ସଜେଇ ଦେଲେ । ଦିନ ବାହାଘର ତେଣୁ ସେ ସାଜ ସଜା ହେଇ ସେଇ ଝରକା ପଟେ ବସି ରହିଛି । ପାଦରେ ଅଳତା, ମଥାରେ ବିନ୍ଦି, ହାତରେ ନାଲି ଚୁଡି, ପାଦରେ ପାଉଁଜି, ଦେହ ସାରା ପାଟ ଲୁଗା, ବେକରେ ମଙ୍ଗଳସୂତ୍ର, ଗଭାରେ ଗଜରା, ନାକରେ ନାକଗୁଣା, କାନରେ ଝରାଫୁଲ, କିଣା ହାରଟେ ଜୀବନ୍ତ ଭାବରେ ଲଟକି ରହିଛି, ଓଠ ନାଲି ରଙ୍ଗ, ଆଖି କେତେ କଳା ରଙ୍ଗରେ ସଜିଆ ହେଇଛି । କିନ୍ତୁ ଆଜି ବି ମାନସୀ ସେଇ ଝରକା ପଟକୁ ଅନେଇ ବସି ରହିଛି । ଲମ୍ବା ଓଢ଼ଣା ଭିତରେ ତା'ର ଚନ୍ଦ୍ର ଉଦିଆ ମୁହଁକୁ ଢାଙ୍କି ରଖିଥାଏ । ହେଲେ କ'ଣ ହେବ ? ତା'ର ଚଞ୍ଚଳ ହରିଣୀ ଆଖି ଖାଲି ଏପଟ ସେପଟ ହେଇ ନାଲି ଓଢଣୀ ଭିତରେ ଘୁରି ବୁଲୁଥାଏ । 

  ବର ଆସିଲା... ବର ଆସିଲା... ଏମିତି କହି କେତେ ଲୋକ ହୁରି ପକେଇ ଦେଲେ । ସବୁ ସାଙ୍ଗ ମାନେ କହିଲେ, ଆଲୋ ତୋର ଦିଲ୍ଲୀ ଵାଲା ବର ଆସିଗଲା । ଆଉ କିଛି ସମୟ ପରେ ସିନ୍ଦୂର । ମାନସୀ ହଠାତ କହି ଉଠିଲି ଆଉ ମୋ ଠିକଣାର ପରିବର୍ତ୍ତନ । 

  ମନେ ମନେ ଭାବିଲା, ଆଉ ଚିଠିଵାଲା ହାତରୁ ପାଇ ପାରିବିନି ଚିଠି । ଆଜି ବି ମାନସୀର ବିଶ୍ୱାସ ଅଛି । ଯେ ନିଶ୍ଚୟ ଚିଠି ଆସିବ ଏଇ ଠିକଣାରେ । 

   କନ୍ୟାକୁ ଆଣ... କନ୍ୟାକୁ ଆଣ...ବେଦୀ ମୂଳୁ ଡ଼କରା ପଡିଲା । ମାନସୀ ସବୁ ଆଶା ଛାଡି, ସେଇ ଝରକାର ମୋହ ଛାଡି ଦେଇ,ଚାଲିଲା ନିଜ ଭାଗ୍ୟକୁ ନେଇ । କିଛି ସାଙ୍ଗ ତାକୁ ନେଇ ବେଦୀ ପାଖକୁ ଗଲେ । 

ମାନସୀ ବେଦୀରେ ବସିଲା ।ବ୍ରାହ୍ମଣ ମନ୍ତ୍ର ବୋଲୁଥାଆନ୍ତି ଓଁ ରାବଣସ୍ୟ ମନ୍ଦଦରୀ ସ୍ୱାହା...

   ମାନସୀ ଲମ୍ବା ଓଢ଼ଣା ଟାଣି ବସିଥାଏ । ଯେତେ କୁହା ହେଲା ଟିକେ ଓଢ଼ଣା କାଢ଼ ଫୋଟ ନେବୁ । ସେ ସେତେ ଓଢ଼ଣାକୁ ବେଶି କରି ଟାଣି ଦେଉଥାଏ । ହାସ୍ୟ ରୋଳ ଭିତରେ ସମୟର ଗାଡି ଗଡି ଯାଉଥାଏ । ତା' ସହ ବାହାଘର ବି ।  ଦିନ ବାହାଘର, ଦାଣ୍ଡରେ ବେଦୀ ହୋଇଛି । କେତେ ଲୋକ ବସି ବାହାଘର ଦେଖୁ ଥାଆନ୍ତି । ସେତିକି ବେଳେ ଚିଠିବାଲା ଆସି ଡାକ ଦେଲେ

ଚିଠି... ଚିଠି...। ମାନସୀ ଓଢ଼ଣାକୁ କାଢି ଦେଇ କହିଲା, ମଉସା ! ମୋ ନାଁ ମାନସୀ ପୃଷ୍ଟି, ମୋ ପାଇଁ ଚିଠି ଅଛି କି ! ଚିଠିଵାଲା କହିଲେ, ନା ମାଆ ତୁମ ପାଇଁ ଆଜି ବି ଚିଠି ଆସିନି । ଏତିକି କହି ଚିଠି ବାଲା ମଉସା ଚାଲିଗଲେ । ମାନସୀ ମନ ଦୁଃଖରେ ବେଦୀ ପାଖରେ ପୁଣି ବସି ଗଲା, ମୁଣ୍ଡରେ ଓଢଣା ଟାଣି । କ୍ୟାମେରାମ୍ୟାନ୍ ଚିଠିଵାଲା ସ୍ୱରରେ କହିଲା, ମାନସୀ ! ତୁମ ପାଇଁ ଚିଠି...ଚିଠି...

  ମାନସୀର ଓଢ଼ଣା ତା' ବୋଉ ଟିକେ କାଢ଼ି ଦେଲେ । 

କହିଲେ,ନିଅ ତା' ଫୋଟ  ବହୁତ କରି ନିଅ । ସବୁ ଲୋକ ହସି ଉଠିଲେ । ଏଇ ହସର ବିଭୀଷିକା ଭିତରେ ସିନ୍ଦୂର ଲାଗି ସାରି ଥିଲା । ଠିକଣା ବଦଳି ସାରି ଥିଲା ।  ସିନ୍ଦୂର ଦେଲା ବେଳେ ହସି ହସି କେହି ଜଣେ କହିଲେ ଚିଠି ଚିଠି...  ଆଜି ମାନସୀ ଚିଠିର ଦୁଃଖ ଭୁଲି ଅଳ୍ପ ଟିକେ ହସି ପକେଇଲା...ହେଲେ ସେଇ ଚିଠି ର ଅପେକ୍ଷା କେବେ ଅନ୍ତ ହେଲାନି ।

  ସତରେ ଚିଠି ର ଯୁଗ ସରି ଯାଇଛି ......





Rate this content
Log in

Similar oriya story from Comedy