ମୋ ବାପା ଓ ଚେନାଏ ଆକାଶ
ମୋ ବାପା ଓ ଚେନାଏ ଆକାଶ
ସନ୍ଧ୍ୟାରେ ମନ୍ଦିର ବାରଣ୍ଡାରେ ବାପାଙ୍କ ସହ ପୂଜକ ମାଧବ ନନା କିଛି ଗମ୍ଭୀର ଆଲୋଚନାରେ ବ୍ୟସ୍ତ ଥିବାର ଦେଖି,ଅନୁମାନ କଲି ବାପାଙ୍କୁ ସରଳିଆ ଲୋକ ଦେଖି ପଟାଇବାକୁ ଚେଷ୍ଟା କରୁଥିବ ।
ବକରା ପାଇଛି ମାନେ ନଝଡାଇ ଛାଡ଼ିବନି ନନା। ଆଉ ବାପାଙ୍କ ଭଳି ବୟସ୍କ ଲୋକମାନଙ୍କୁ ଆମେ ଯେତେ ବୁଝାଇଲେ ବି ସେମାନେ କେଉଁ ଆମ କଥା ଶୁଣିବେ ? ଅନ୍ୟମାନଙ୍କ ଦ୍ବାରା ଲୁଟି ହେବେ। ନନାଙ୍କ ହାତକୁ କିଛି ଟଙ୍କା ବଢ଼ାଇଦେଇ ବାପା ଅନ୍ୟ ମନ୍ଦିର ଆଡ଼କୁ ଗଲାପରେ, ମୁଁ ମାଧବ ନନା ଙ୍କ ପାଖକୁ ଯାଇଁ ବିରକ୍ତ ହୋଇ ପଚାରିଲି,
- କଣ ନନା ? ବାପାଙ୍କୁ କେଉଁଥିପାଇଁ ଫସେଇଲ ? ଗ୍ରହଶାନ୍ତି ପୂଜାର୍ଚନା , ରୁଦ୍ରାଭିଷେକ ନା ଆଉ କେଉଁ ଦାମୀ ପୂଜା ? କେତେ ଟଙ୍କା ଝଡାଇଲ ?
ମୋ ଆଡ଼କୁ ଚାହିଁ ମୁଣ୍ଡ ତଳକୁ କଲା ମାଧବ ନନା ଓ ଧୀର ସ୍ୱରରେ କହିଲା
- ଆକାଶଦୀପ ବସାଉଛନ୍ତି ଆପଣଙ୍କ ବାପା।
କାର୍ତ୍ତିକରେ ହବିଷିିଆଳି ମହିଳା ଆକାଶଦୀପ ବସାନ୍ତି । କିନ୍ତୁ ମୁଁ ଜାଣିବାରେ ଆପଣଙ୍କ ବାପା ପ୍ରଥମ ପୁରୁଷ ଲୋକ, ଯିଏ କାର୍ତ୍ତିକରେ ଆକାଶଦୀପ ବସାଉଥିବେ।"
-ବାପା,ଆକାଶଦୀପ ବସାଇବେ ?"
- ହଁ,ସେଇଥିପାଇଁ ସବୁ ଯୋଗାଡ଼ କରିବାକୁ ମୋତେ ଟଙ୍କା ଦେଇକି ଗଲେ। ହେଇ ଦେଖୁନ,ସେଠି ଯେମିତି ବାଉଁଶ ଖୁଣ୍ଟରେ ଝୁଡ଼ି ଓ ଠେକି ଭିତରେ ଦୀପ ରହିବାର ବ୍ୟବସ୍ଥା ହୋଇଛି ସେମିତି ହେବ। ଯାହା କୁହନ୍ତୁ ଆପଣଙ୍କ ବାପା ପୁରା ଆଲଗା ମଣିଷ ।"
ମନ୍ଦିର ବେଢ଼ା ଭିତରେ ଲଗାଯାଇଥିବା ଗୋଟେ ଆକାଶଦୀପକୁ ଦେଖୁଥିଲି ।
ମାଧବନନାଙ୍କ କଥା ଶୁଣି ମୁଁ ଦ୍ଵିତୀୟଥର ଆଶ୍ଚର୍ଯ୍ୟ ହେଲି। କାରଣ ଆଜି ସକାଳେ ଘରେ ସୁଜାତା କହିଥିଲା,
- ଜାଣିଛ, ବାପା ଏବର୍ଷ କାର୍ତ୍ତିକରେ ଆଇଁଷ ଖାଇବାକୁ ମନା କରିଛନ୍ତି ଓ ତାଙ୍କ ପାଇଁ ଅରୁଆରେ ରାନ୍ଧିବାକୁ ମୋତେ କହିଛନ୍ତି। ବାପାଙ୍କ ଭଳି ଲୋକ ପୁଣି ଆଇଁଷ ଛାଡି ଅରୁଆ ଖାଇ ରହିପାରିବେ ଗୋଟେ ମାସ ?"
ସକାଳ କଥା ମନେପଡି ମୋ ମୁଣ୍ଡଟା ଗୋଳମାଳ ହୋଇଯାଉଥିଲା। ବାପା କାର୍ତ୍ତିକରେ ସାଧା ଖାଇ ଆକାଶଦୀପ ବସାଇବେ କିନ୍ତୁ କାହିଁକି ?
ବାପାଙ୍କୁ ମନ୍ଦିରରୁ ବାହାରକୁ ଯାଉଥିବାର ଦେଖି ଦୌଡ଼ିଗଲି। ସାମ୍ନାରେ ଠିଆହୋଇ ଜାଣି ପାର
ୁନଥିଲି କଣ ପଚାରିବି ବୋଲି।
- ଆପଣ ଆକାଶଦୀପ ବସାଇବେ ?"
ମୋ ମୁହଁକୁ ବଲବଲ କରି ଅନେଲେ ବାପା। ପାଖରେ ଥିବା ଗୋଟେ ସିମେଣ୍ଟବେଞ୍ଚରେ ବସି ଗୋଟେ ଦୀର୍ଘ ନିଶ୍ବାସ ଛାଡି କହିଲେ
- ତୋ ବୋଉ'ଟା ଭାରି କପଟୀ। ମୋତେ ଠକିଦେଇ ଆଗେ ଉପରକୁ ଚାଲିଗଲା। ମୁଁ କହିଥିଲି ମୁଁ ଆଗେ ଉପରକୁ ଚାଲିଯିବି ବୋଲି ,ହେଲେ ବୁଢ଼ୀ ଚାଲେଞ୍ଜ ଜିତିଗଲା ଓ ଅହ୍ୟସୁଲକ୍ଷଣୀ ହୋଇ ଉପରକୁ ଟିକେଟ କାଟିଦେଲା। ଆଜି ମୁଁ ନଥିଲେ, ହବିଷ କରି ସେ ଆକାଶଦୀପ ବସାଇଥାନ୍ତା ମୋ ପାଇଁ। ଆଜି ସେ ନାହିଁ, ତୋ ବୋଉ ପାଇଁ ଅନ୍ତତଃ ଏତକ ତ ମୁଁ କରିପାରିବି ।"
ସ୍ନେହ ପ୍ରେମର ଯେ ଗୋଟେ ସମୀକରଣ ଥାଏ ତାହା ମୁଁ ଆଜି ଅନୁଭବ କରୁଥିଲି। ଆଜି ବୁଝିବାକୁ ଚେଷ୍ଟା କରୁଥିଲି ଦାମ୍ପତ୍ୟ ପ୍ରେମର ନିବିଡ଼ତା ଓ ଗୂଢ ରହସ୍ୟକୁ।
- ହେଇ ଦେଖ,ତୋ ବୋଉ ତାରା ହୋଇ ଆକାଶରେ ବସି ଆଖି ମିଟିମିଟି କରି ମୋତେ ଅନାଉଛି। କିଛି ଦିନ ପରେ ମୁଁ ବି ହୁଏତ ତାରା......
ବାପାଙ୍କ ପାଟିରେ ହାତ ଦେଇ କହିଲି,
- ଏମିତି ଅଶୁଭ କଥା ମୁହଁରେ ଧରନ୍ତୁ ନାହିଁ। ଆପଣଙ୍କ ଭରସାରେ ତ ବୋଉ ଆମକୁ ଛାଡି ଯାଇଛି। ଆମ ସହିତ ରହିବେ ଆପଣ । ତାରା ଫାରା ହେବାର ନାଁ ଆଉ କେବେ ଧରିବେନି। ଗୋଟାଏ ତାରା ଆମ ପାଇଁ ଯଥେଷ୍ଟ। ମୁଁ ଜାଣେ ଆପଣ କେବଳ ବୋଉକୁ ଭଲ ପାଆନ୍ତି,ଆମକୁ ନୁହେଁ।"
ଆଖି ଛଳଛଳ କରି ବାପା ମୋ ମୁଣ୍ଡରେ ହାତ ବୁଲାଇଦେଇ କହିଲେ,"ବାଇଆ ଟା । କଥା କହିବାରେ ପୁରା ବୋଉ ଗୁଣ ଆଣିଛୁ।'
ବାପାଙ୍କ ହାତ ଧରି ରାସ୍ତାରେ ଫେରିଲା ବେଳେ ଥରେ ଆକାଶକୁ ଓ ଥରେ ସେଇ ଆକାଶଦୀପ ଖୁଣ୍ଟକୁ ଅନାଇଲି।
ବାପାମାନଙ୍କ ହୃଦୟ ତ ଆକାଶ ଭଳି ଅନନ୍ତ ଓ ବାପାଙ୍କ ସେଇ ହୃଦୟ ଆକାଶରେ ବୋଉ ତାରା ହୋଇ ଝଟକୁଥିବ,ଏଥିରେ ସନ୍ଦେହ ନାହିଁ।
ଆକାଶରେ ହସୁଥିବା ଗୋଟେ ତାରା ଓ ମୋ ପାଖରେ ଠିଆ ହୋଇ ତାରା ହେବାକୁ ଚେଷ୍ଟା କରୁଥିବା ଲୋକଟା ଭିତରେ ସମ୍ପର୍କର ଯୋଗସୂତ୍ର ତଥା ସ୍ନେହ ଓ ବିଶ୍ୱାସର ପ୍ରତୀକ ସେଇ ଆକାଶଦୀପ ଉଦ୍ଦେଶ୍ୟରେ ମନେ ମନେ ପ୍ରଣାମ କରୁଥିଲି।
- କିରେ ,ଠାକୁରଙ୍କୁ କଣ ମାଗୁଛୁ ?"ପଚାରୁଥିଲେ ବାପା।
ମୋ ପାଟିରୁ ବାହାରିପଡ଼ିଲା
- ଚେନାଏ ଆକାଶ ।"