STORYMIRROR

Goutam Mohanty

Comedy Inspirational

4  

Goutam Mohanty

Comedy Inspirational

....ମନର କଥା ପଦେ....

....ମନର କଥା ପଦେ....

2 mins
279

ସିଚୁଆ ଗାଆଁର କେଇଟା ଭଲ ଚଳିଲା ଘର ଭିତରେ ନଖିଆ ନନାର ଘର ବି ଆସେ । ସ୍ତ୍ରୀ ଆଉ ଦିଟି ଛୁଆକୁ ନେଇ ପରିବାର । ଝିଅର ବାହାଘର ସରିଛି, ପୁଅ ବାବୁଟା ଟିକେ ଭଲ ପଢୁଥିଲା ବୋଲି ନଖିଆନା ତାକୁ କଟକରେ ପଢ଼ଉଥିଲା, ଭାରି ଇଚ୍ଛା ଥିଲା ତା'ର ପୁଅ କଲେକଟର ହବ, ତାଙ୍କ ମୌଜାର ନାଁ ରଖିବ । ହେଲେ ବାବୁ କଟକ ଆସିକି ପଢିବାଠୁ ଦୂରେଇ କଲେଜ ରାଜନୀତିରେ ବେଶି ଧ୍ୟାନ ଦେଲା, ପିଲାଙ୍କୁ ଏକାଠି କରିବା ନେତା ହଵା ସତେ ଯେମିତି ତା'ର ପ୍ରିୟ ବିଷୟ ପାଲଟିଯାଇଥିଲା । ପାଠ ପ୍ରତି ଧ୍ୟାନ ଟିକେ ହଟିବାରୁ ଯୁକ୍ତ ତିନିରେ ଫେଲ ବି ହେଇଗଲା । ମାତ୍ର କଟକରେ ଭଲ ଭଲ ନେତାଙ୍କ ସହ ସମ୍ପର୍କ ଥିବାରୁ ଗତ ପଞ୍ଚାୟତ ନିର୍ବାଚନରେ ଗୋଟେ ଦଳୀୟ ଟିକେଟରେ ତାଙ୍କ ଗାଆଁ ସରପଞ୍ଚ ହେଇଛି । ହେଲେ ନଖିଆନାକୁ କାଇଁ ଏ ସବୁ ଜମା ପସନ୍ଦ ଆସୁନି, ମିଶ୍ର ଘର ବ୍ରାହ୍ମଣ ଛୁଆଟା ତା'ର, ଜାତି ଅଜାତିଙ୍କୁ ମୁଣ୍ଡିଆ ମାରୁଛି, ଘରେ ବାର ନୋକ ପଶୁଛନ୍ତି ଏସବୁ ଦେଖିକି ବୁଢା ଅଣନିଃଶ୍ୱାସୀ ହେଇପଡୁଛି । ଥରେ ଦି ଥର ବାବୁକୁ କହିଲାଣି "ତୁ ଏସବୁ ଛାଡିକି ଯାଉନୁ ପାଠ ପଢ଼ିବୁ, ତୋର କଣ ବୟସ ପଳେଇଲାଣି?ତତେ କଲେକଟର କରିବି ବୋଲି ଭାବିଥିଲି" । ବାବୁ ତା କଥାକୁ କେବେ କାନ ଦିଏନି, ଓଲଟା ଗର ଗର ହୁଏ । ବୁଢାର ମନ କଥା ବାବୁ ମା' ବୁଝିପାରେ, ତାକୁ ସାନ୍ତ୍ୱନା ଦିଏ "ଆମ ପୁଅକୁ କେତେ ନୋକ ମାନୁଛନ୍ତି, ତମେ ସେଇଥିରେ ଖୁସି ହଉନ, ତା ଦେଇ ପାଠ ହେଲାନି ଯଦି ହେଲାନି, ସେଇ କଥାକୁ ଧରିକି ମନ ଉଣା କଲେ ହବ?" ଏସବୁ ଭିତରେ ଜୀବନ ଚାଲିଥାଏ...

  ମହାମାରୀ କରୋନା ଯୋଗୁଁ ସବୁଆଡେ ହାହାକାର ପଡିଗଲା । ସହରଠୁ ନେଇ ଗାଆଁ ସବୁଆଡେ ତାଲାବନ୍ଦ । ସେଦିନ ନଖିଆନା ତା ସଉଦା ଦୋକାନ ଭିତରପଟୁ ଖୋଲି ବଇଚି, କଡ଼ ଘର ଟୋକା ଶଙ୍କୁରୁ ଦୌଡ଼ି ଆସି କହିଲା, "ଦାଦି ଦାଦି ଟିଭି ଦେଖିଲଣି ନା ନାଇଁ? ଲଗାଅ ତ ଟିକେ, ଆମ ମୁଖ୍ୟମନ୍ତ୍ରୀ କଣ କହୁଛନ୍ତି ଶୁଣ, ତମ ଇଚ୍ଛା ପୂରଣ ହେଇଗଲା ବା, ଦେଖୁନ ଟିକେ ଟିଭି" । ଦେଖିଲା ବେଳକୁ ତଳେ ନେଖୁଥାଏ "କରୋନା ମୁକାବିଲା ପାଇଁ ସବୁ ସରପଞ୍ଚଙ୍କୁ କଲେକ୍ଟର କ୍ଷମତା ଦେଲେ ମୁଖ୍ୟମନ୍ତ୍ରୀ" । ବାବୁ ବୋଉ ଦୂରୁ ଦେଖି ହସୁଥାଏ କହୁ କହୁ କହିଦେଲା "ନିଅ ହେଇଗଲାଟି ତମ ପୁଅ କଲେକଟର, ଖୁସି ଏଥର!!"    

   ଗୋଟେ ଆତ୍ମସନ୍ତୋଷର ଦୀର୍ଘ ଶ୍ୱାସ ନଉ ନଉ ବୁଢା ଆଖିରେ ପଡିଗଲା ନିଜ ଦୋକାନ କାନ୍ଥରେ ମରାହେଇଥିବା କବିତାଟି, "ଦେହେ ମନ୍ଦାକିନୀ ରଜ ଲଗାଇ, ଗ୍ରାମ ଶୂକରୀ କି ହୋଇବ ଗାଈ"?? ବୁଢାର ମନଟା ପୁଣି ଆମ୍ବିଳା ହେଇଗଲା...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy