The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sriman Bapu

Drama Action Inspirational

3.9  

Sriman Bapu

Drama Action Inspirational

ମିନି ଅଷ୍ଟପ୍ରହରୀ

ମିନି ଅଷ୍ଟପ୍ରହରୀ

7 mins
658



ପିଲାମାନେ ବଡ଼ ମାନଙ୍କୁ କାର୍ଯ୍ୟକୁ ଅନୁକରଣ କରି ଗୁଡ଼ାଏ କଥା ଶିଖନ୍ତି ଆଉ କରନ୍ତି । ବଡ଼ଙ୍କ ଯେଉଁ କାମ ସେମାନଙ୍କୁ ଆକର୍ଷିତ କରେ ତାକୁ ସେମାନେ ନିଜର ସାମର୍ଥ୍ୟ ଅନୁଯାୟୀ ନିଜର ସୃଜନଶୀଳତା ଆଉ ବୁଦ୍ଧି ଲଗେଇ  ଅତି କମ୍ ସାଧନରେ ଏମିତି ଗଢ଼ି ଥୁଅନ୍ତି ଯାହା ବଡ଼ମାନଙ୍କ କଳ୍ପନାତୀତ । ଯେଉଁ ପିଲାଙ୍କୁ ଘରେ ଆଉ ସ୍କୁଲରେ ସମ୍ଭାଳିବାରେ ବାପାମାଆ ଆଉ ଶିକ୍ଷକ ଶିକ୍ଷୟିତ୍ରୀ ନାକେଦମ୍ ହୋଇଯାଆନ୍ତି ସେହି ପିଲାମାନେ ଯେବେ ବଡ଼ଙ୍କ ଅନୁଶାସନ , ଶିକ୍ଷା , ପଥ ପ୍ରଦର୍ଶନ ଆଉ ସାହାଯ୍ୟ ବିନା ଦଳବଧ ଭାବେ ଏକମନ ଏକପ୍ରାଣ ହୋଇ ବଡ଼ଙ୍କ ପାଇଁ ଯାହା ହାସଲ କରିବା ଅତିବ କଷ୍ଟସାଧ୍ୟ  ତାହା ଅଚିରେ କରି ଦେଖାଇ ଦିଅନ୍ତି ।


ବଡ଼ଙ୍କ ଅହଂକାର , ଗର୍ବ , ଲୋଭ , ଈର୍ଷା , ହିଂସା , ଘୃଣା ଆଉ ନାନାଦି ଭେଦଭାବଗ୍ରସ୍ତ ସଙ୍କୀର୍ଣ୍ଣ ମନ ଯୋଗୁଁ ସେମାନଙ୍କୁ ମିଳିତ ହୋଇ ଏକକ ଉଦ୍ଦେଶ୍ୟ ପ୍ରାପ୍ତି ଲକ୍ଷ୍ୟରେ କାର୍ଯ୍ୟ କରିବା ବଡ଼ କଷ୍ଟକର ହୁଏ । ପୁଣି କେତେ ଆଇନ୍ କାନୁନ୍ ର ନାଲି ଆଖି କ୍ଷମତାର ଡ଼ର , ଚାପ ଆଉ କୂଟନୀତିର ସାହାଯ୍ୟ ନେବାକୁ ହୁଏ । ପିଲାମାନେ କିନ୍ତୁ ଏସବୁରୁ ବହୁ ଦୂରରେ । ତାଙ୍କ ଭିତରେ ଥିବା ସହଜତା , ସରଳତା ଆଉ ନିଷ୍କପଟତା ଯୋଗୁଁ ତାଙ୍କୁ ଦଳବଦ୍ଧ ହୋଇ ମିଳିତ ଭାବେ ଏକକ ଉଦ୍ଦେଶ୍ୟରେ କାମ କରିବାକୁ ଅସୁବିଧା ହୁଏନି । 


ପାଠକଙ୍କୁ କଥାଟି ଛୋଟ ଆଉ ଗୁରୁତ୍ୱପୂର୍ଣ୍ଣ ନ ଲାଗିପାରେ କିନ୍ତୁ ଗୋଟିଏ ଛୋଟିଆ ଗୁରୁତ୍ୱହୀନ ଲାଗୁଥିବା କାମଟିକୁ ଗାଁର କେତୋଟି ପିଲା ଦୀର୍ଘ ବାରବର୍ଷ ଧରି ନିରବଚ୍ଛିନ୍ନ ଭାବେ ଉତ୍କୃଷ୍ଟରୁ ଉତ୍କୃଷ୍ଟତର କରିଚାଲିବା ଏକ ବିରାଟ ସଫଳତା ବୋଲି ମୁଁ ଭାବେ । ଏହାର ଇତିହାସ ଆଜି ମନରେ କେବଳ ମଳିନ ସ୍ମୃତି ହୋଇ ରହିଯାଇଛି ଯାହାକୁ ବସି ମନେ ପକାଇବାକୁ କାହା ପାଖେ ଆଉ ସମୟ ନାହିଁ । ସମସ୍ତେ ଏବେ ନିଜର ତେଲଲୁଣ ସଂସାର ଭିତରେ ବୁଡ଼ି ଯାଇଛନ୍ତି ପାଦରୁ ମୁଣ୍ଡ ଯାଏ । 


ଠାକୁରପାଟଣା ଗାଁର ଘଣାପଣ୍ଡ ସାହି ଆଉ ମଝିସାହିର ପଞ୍ଚମ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ପାଞ୍ଚଟି ପିଲା ଦିଲୁ , ଚଗୁଲୁ , ଟିକନ , ଉଦି ଆଉ ଶରତ କ୍ରିକେଟ ଖେଳପରେ ଏକାଠି ହୋଇ ସଦ୍ୟ ସରିଥିବା ଗାଁ ଅଷ୍ଟପ୍ରହରୀ ବିଷୟରେ ଆଲୋଚନା କରୁଥିଲେ । ତାଙ୍କ ଭିତରୁ ଜଣେ କିଏ କହିଲା , ଚାଲ ଆମେ ବି ଗୋଟେ ଅଷ୍ଟପ୍ରହରୀ କରିବା । ସମସ୍ତଙ୍କ ମନକୁ କଥାଟି ପାଇଲା । କାହା ଦୁଆରେ କରିବେ , କେଉଁଠି କରିବେ ବ‌ହୁତ ବିଚାର ବିମର୍ଶ ପରେ ସ୍ଥିର କଲେ ଯେଉଁ ସ୍ଥାନରେ ସେମାନେ ଖେଳୁଛନ୍ତି ସେଇଠି କଲେ ଭଲ ହେବ । ବଇଘର ଦୁଆର ମୁହଁ ଆଉ ଗାଁ ଗାଡ଼ିଆ ମଧ୍ୟରେ ଥିବା ପ୍ରଶସ୍ତ ଦାଣ୍ଡ ଉପଯୁକ୍ତ ହେବ । ସର୍ବ ପ୍ରଥମେ ତୁଳସୀ ଚଉଁରାଟିଏ ନିର୍ମାଣ କରିବା ଜରୁରୀ । 


ପରଦିନ ରବିବାର ଥିଲା , ମାଟି , ଗୋବର ଆଉ ଏଠି ସେଠି ପଡ଼ିଥିବା ଇଟା ସଂଗ୍ରହକରି ଆଣିଲେ । ତାଙ୍କ ‌ଦୁଇ ଉପର ଶ୍ରେଣୀରେ ପଢ଼ୁଥିବା ମରୁତର ବାପା ମକରା ଜଣେ ମନ୍ଦିର ଗଡୁଥିବା ଭଲ ମିସ୍ତ୍ରୀ ହେଲେ ତାଙ୍କୁ ତ ଡ଼ାକି ହେବନି। ମରୁତ ଭିତରେ ବି ସେ କଳା ଅଛି  ତେଣୁ ତାକୁ ଡ଼କାଗଲା । ସେତେବେଳେ ଗାଁରେ ପିଲାଙ୍କ ଏପରି ଖେଳ ବା କାର୍ଯ୍ୟକୁ କେହି ବିରୋଧ କରନ୍ତି ନାହିଁ । ଯିବା ଆସିବା ଯେପରି ଅସୁବିଧା ନହୁଏ ସେ କଥା ଚିନ୍ତାକରି ବଇଘର ଦୁଆର ମୁହଁ ଆଡ଼କୁ ଲାଗି ସାଢ଼େ ତିନି ଫୁଟ ଉଚ୍ଚତାର ଚଉଁରାଟିଏ ଦିନ ତମାମ ଲାଗି ପଡ଼ି ନିର୍ମାଣ କଲେ  । ଶୁଖିଲା ପରେ ଗୋବର ଲେପା ହେଲା  ପରେ ତୁଳସୀ ଗଛଟିଏ ଆଣି ଲଗେଇ ଦେଲେ । ଆଗକୁ ଅଗିରା ପୂର୍ଣ୍ଣିମା ଥାଏ ତେଣୁ ତା' ଗୋଟିଏ ଦିନ ପୂର୍ବରୁ ଅଷ୍ଟପ୍ରହରୀ ଆରମ୍ଭ କରିବେ ବୋଲି ବଇବୁଢ଼ା ସହ ଆଲୋଚନା କରି ସ୍ଥିର କରିଥିଲେ ।


ଯେଝା ଯେଝା ବାଡ଼ିରୁ ଘରୁ ବାଉଁଶ , ବତା , ଛାଡ଼ି , ସୁତୁଲି ନେଇ ଆସିଲେ  । ସହଯୋଗ କରିବାକୁ ବାହାରି ପଡ଼ିଲେ ତାଙ୍କ  ସାନ ବଡ଼ ଭାଇ ସବୁ , ଏହିପରି ସାହିର ଅନ୍ୟ ପିଲାସବୁ ଆସି ଯୋଗଦେଲେ । ସ୍କୁଲକୁ ଯିବା ପୂର୍ବରେ ଆଉ ପରେ ବାକି ସବୁ ଖେଳ ଛାଡ଼ି ବାଉଁଶ ପୋତିଲେ , ଫାଉଡା ଆଣି ଚାଞ୍ଜ୍ଛି ମାଟିକୁ ସମାନ କଲେ , ଖାଲି ଯାଗାରେ ମାଟି ଆଣି ପକାଇଲେ । ତୁଳସୀ ଚଉରାର ଚାରିପଟକୁ ଚାରି ପାଞ୍ଚ ହାତ ଲେଖାଏଁ ଛାଡ଼ି ବାଉଁଶ ବତାକୁ ଛନ୍ଦି ଛନ୍ଦି ଏକ ବର୍ଗାକାର ବାଡ଼ ତିଆରି କଲେ । ପଶ୍ଚିମ ଆଉ ଦକ୍ଷିଣ ଦିଗରେ ଦୁଇଟି ପ୍ରବେଶ ଦ୍ଵାର ରହିଲା । ବାଉଁଶ କଣିକୁ ଧନୁ ଆକାରେ ମୋଡ଼ି ସବୁ ଦିଗରେ ତୋରଣ କରାଗଲା । ଆଗରୁ ଛୋଟ ଛୋଟ ଟୁକୁରା କପଡ଼ା ବିଭିନ୍ନ ଯାଗାରୁ ସଂଗ୍ରହ କରି ଯୋଡ଼ି ଯୋଡ଼ି ଦଦରିଭାଇର ସାହାଯ୍ୟରେ ଏକ ଚାନ୍ଦୁଆ ସିଲାଇ କରାଯାଇଥିଲା ତାକୁ ଉପରେ ବାନ୍ଧି ଦିଆଗଲା । ରଙ୍ଗିନ କାଗଜର ପତାକା , ଝାଲିରୀ କରି ଚତୁର୍ଦିଗ ସଜେଇ ଦିଆଗଲା । 


ଏସବୁ ଆଗରୁ କିଏ କେତେ ଚାନ୍ଦା ଦେବ ତାହା ସହ ଡାଲି , ଚାଉଳ ଆଉ ପନିପରିବା ଦେବ କଥା ଛିଡ଼ିଥିଲା । କୌଣସି ନିର୍ଦ୍ଦିଷ୍ଟ ଚାନ୍ଦା ନଥିଲା , ନିଜ ସାଧ୍ୟ ଅନୁଯାୟୀ ଯିଏ ଯେତେ ଦେଇପାରିବ । ତତକ୍ଷଣାତ୍ ଘର ଘର ବୁଲି ଚାନ୍ଦା ଆଦାୟ କରାଯାଇଥିଲା । ଲୋକେ  ଖୁସିରେ ଯିଏ ଯାହା ଦେବା କଥା ଦେଇଥିଲେ । ଏହି ଆଦାୟ କରିବା  କାମଟିକୁ ସବୁଠୁ ଛୋଟ ପିଲାଙ୍କୁ ଦିଆ ଯାଇଥିଲା । କିଛି ପିଲା ଯାଇ ନିତାଇ ଗୌରର ଛୋଟ ବନ୍ଧା ଛବିଟିଏ ଗାଁ ହାଟରୁ କିଣି ଆଣିଲେ । ଅଷ୍ଟପ୍ରହରୀର ସମସ୍ତ ପ୍ରକ୍ରିୟା ପଦ୍ଧତି ଆଉ ପ୍ରଥା ବିଷୟରେ ବଇବୁଢ଼ାକୁ ପଚାରି ବୁଝିନେଲେ । ବଇବୁଢ଼ା ସେଇଠି ବସି ପିଲାଙ୍କ ସମସ୍ତ ଗତିବିଧି ଦେଖେ , ପିଲେ ଆସି ପଚାରିଲେ କୁହେ ନହେଲେ ଚୁପ୍ ରୁହେ । ବଇବୁଢ଼ା ସବୁବେଳେ ପୁରାଣ ଶାସ୍ତ୍ର ପଢ଼େ ବୋଲି ତା'ର ନା ବହିରୁ ବଇ ହୋଇ ଯାଇଥିଲା । 


ଧାର୍ଯ୍ୟ କରାଯାଇଥିବା ଦିନର ପୂର୍ବ ରାତିଟି ସମସ୍ତେ ଅନିଦ୍ରା ରହି କାମରେ ଲାଗିଗଲେ । ଅଗିରା ପୁର୍ଣିମା ଦୁଇଦିନ ଥାଏ ଫର୍ଚା ଜହ୍ନ ଆଲୁଅରେ ସବୁକିଛି ପରିସ୍କାର ଦେଖା ଯାଉଥାଏ । ସେ ସମୟରେ ପିଲାମାନେ ଜହ୍ନରାତିରେ ପାଠ ପଢା ଛାଡ଼ି ଏମିତି କେତେ ଖେଳରେ ମାତନ୍ତି । ବାପା ମାଆ କେହି ବି ସେତେ ବାରଣ କରନ୍ତି ନାହିଁ । ସେବେର ପିଲାଙ୍କ  ମୁକ୍ତ ଜୀବନ ଏବେର ପିଲାଙ୍କ ପାଇଁ କେବଳ ସ୍ୱପ୍ନ । ପିଲାଙ୍କ ଶିକ୍ଷା ସେବେ ସ୍କୁଲର ଚାରି କାନ୍ଥରେ ଆଉ ପାଠ ବହିରେ ସୀମିତ ନଥିଲା । ଏବେର ପିଲାଙ୍କ ସହ ସେବର ପିଲାଙ୍କ ଜୀବନ କଥା ତୁଳନା କଲେ ସେବର ପିଲାଏ ହୁଏତ ବାହାରୁ ମଳିନ ଦେଖାଯିବେ କିନ୍ତୁ ଯେଉଁ ମୌଳିକ ଜୀବନ କୌଶଳ ସେମାନେ ଜାଣିଥିଲେ ବିନା YouTube ଆଉ Googleର ସହାୟତାରେ ଏବେ ସେ ସବୁ ଆଉ YouTube କି Googleରେ ଖୋଜିଲେ ମିଳିବ କି ନାହିଁ ସନ୍ଦେହ । ଯଦି ବା ମିଳିବ ସେସବୁର ଆଉ ପ୍ରୟୋଜନ ନାହିଁ । 

   

ଅଗିରା ପୂର୍ଣ୍ଣମୀର ପୂର୍ବ ଦିନ ଭୋରରୁ କଳସ ବସାଗଲା , ତା'ପରେ ଗିନି ଆଉ ଛୋଟ ଢୋଲ ବଜାଇ ଗାଇବାକୁ ଲାଗିଲେ "

ଭଜ ନିତାଇ ଗୌର ରାଧେ ଶ୍ଯାମ ।

ଜପ ହରେ କୃଷ୍ଣ ହରେ ରାମ ।। 


ସେଦିନ କେହି ବି ପିଲେ ସ୍କୁଲକୁ ଗଲେନି , ସାଇ ପଡ଼ିଶାର ବୁଢ଼ା ଲୋକେ ମୃଦଙ୍ଗ ଆଉ ଗିନି ନେଇ ଆସି ଛୁଆଙ୍କ ସହ ଯୋଗଦେଲେ । ପୂରା ଦିନ ଆଉ ପୂରା ରାତି ସଙ୍କୀର୍ତ୍ତନ ଚାଲିଲା । ଆଖ ପାଖର ଲୋକେ କୌତୁହଳ ବସତଃ ଆସି ମୁଣ୍ଡିଆଟିଏ ମାରିଦେଇ ଗଲେ । କିଏ ଆସି ଘଡ଼ିଏ ଠିଆ ହୋଇ ରହିଲେ ତ ଆଉ କିଏ କିଏ ଆସି ଛୁଆଙ୍କ ସହ ନାମ ସଙ୍କୀର୍ତ୍ତନରେ କିଛି କ୍ଷଣ ଯୋଗ ଦେଲେ ।  


ସକାଳ ଯାଏ ବଡ଼ ଧୈର୍ଯ୍ଯର ସହ ଚାରି ପାଞ୍ଚଟି ପିଲା ସକାଳ ଛଅଟା ଯାଏ ଅଷ୍ଟପ୍ରହର ହରିନାମ ଚାଲୁ ରଖି ସମାପନ କରିଥିଲେ । ବାକି ପିଲାଙ୍କ ଭିତରୁ ଧିରେ ଧିରେ କିଏ ସେଇଠି ଗଡ଼ି ପଡ଼ିଥିଲା ତ କିଏ ପରିସ୍ରା ଆଉ ପାଣି ପିଆ ବାହାନା କରି ଘରେ ଯାଇ ଶୋଇଥିଲା । ସକାଳୁ ସାହିର ଲୋକେ ପିଲାଙ୍କ ଭକ୍ତି ଆଉ ଧୈର୍ଯ୍ୟ ଦେଖି ଅଭିଭୂତ ହୋଇଥିଲେ । 


ସେହିଦିନ ଗୋଟାଏ ବେଳେ ନଗର ଭ୍ରମଣ ବାହାରିଲା ନିତାଇ ଗୌରଙ୍କ ଛବି ଧରି । ଧୋତି ପିନ୍ଧି ଗାମୁଛା ଖଣ୍ଡେ କାନ୍ଧରେ ପକାଇ ନାଚି ନାଚି ନାମ ସଙ୍କୀର୍ତ୍ତନ କରି ଯାଉଥିବା ଛୋଟିଆ ଛୋଟିଆ ପିଲାଙ୍କର ଏ ଦଳକୁ ଯିଏ ଦେଖିବ ଦଣ୍ଡେ ଠିଆ ନହୋଇ ରହି ପାରିବ ନାହିଁ । ଦଳଟି ପୂରା ଗାଁ ଆଉ ପାଖରେ ଥିବା ଦେବାଦେବୀଙ୍କ ମନ୍ଦିର  ଭ୍ରମଣ କଲେ । ଗୁଡ଼ାଏ ଲୋକ ତାଙ୍କ ସହ ଖୋଳ ଆଉ କରତାଳ ଧରି ଯୋଗ ଦେଇଥିଲେ । ପ୍ରତି ଘରେ ଲୋକେ ଚକୋଲେଟ ବିଞ୍ଚିଥିଲେ , ନାମ ନେଉ ନେଉ କିଛି ପିଲା ଚକୋଲେଟର ଲୋଭ ସମ୍ବରଣ କରି ନପାରି ସାଉଣ୍ଟି ନେଇ ଅଣ୍ଟିରେ ପୂରାଇ ଥିଲେ । ଏ ଦୃଶ୍ୟ ଦେଖିବା ପାଇଁ ଗାଁର ସବୁ ଲୋକେ ରାସ୍ତାର ଦୁଇ ପଟେ ରୁଣ୍ଡ ହୋଇଥିଲେ । କିଏ କିଏ ଛୁଆ କିର୍ତ୍ତନିଆ ଦଳକୁ ଅଟକାଇ ଦହି ସରବତ ପିଆଇ ଥିଲେ ।


ପାଞ୍ଚଟା ବେଳେ ଦଳଟି ଫେରିଆସିଲା , ବୃନ୍ଦାବତୀର ଚାରିପଟେ ଅତି ଉତ୍ସାହର ସହ ସଙ୍କୀର୍ତ୍ତନ କରି ନାଚି ନାଚି କିଛି ସମୟ ଘୂରି ବୁଲିଲା ଆଉ ଶେଷରେ ସୂର୍ଯ୍ୟୋଦୟ ପୂର୍ବରୁ ଦଧୀହାଣ୍ଡି ଭଙ୍ଗାଯାଇ ଶେଷହେଲା । ସାହିର ବୁଢ଼ୀ , ସ୍ତ୍ରୀ ଲୋକ ଆଉ ଝିଅ ମାନେ ଆଗରୁ ରୋଷେଇରେ ସାହାଯ୍ୟ କରିବା ପାଇଁ ଆସି ଯାଇଥିଲେ । ନୁଆ ନୁଆ ରନ୍ଧା ସିଖୁଥିବା ସାଙ୍ଗ ବ୍ରାହ୍ମଣ ପିଲାଟିଏ ରୋଷେଇ ଦାୟିତ୍ବ ନେଇଥିଲା । ଶହେ ସରିକି ଆବାଳବୃଦ୍ଧବନିତା ଅରୁଆ ଡାଲମାର ପ୍ରସାଦ ଖାଇ ପ୍ରୀତ ହୋଇଥିଲେ । ସମସ୍ତେ କହିଲେ , ଆଜି ଯାଏଁ କେଉଁଠି ଏତେ ସୁନ୍ଦର ପ୍ରସାଦ ଖାଇ ନ ଥିଲେ । ଏହା ଇଶ୍ୱରଙ୍କ ମହିମା ନୁହେଁ ତ ଆଉ କ'ଣ ? 


ଏଇମିତି ବର୍ଷ ପରେ ବର୍ଷ ବାର ବର୍ଷ ପିଲାଙ୍କ ଅଷ୍ଟପ୍ରହରୀ ଚାଲିଥିଲା । ପ୍ରତିବର୍ଷ ଆୟୋଜନ ବଢ଼ି ବଢ଼ି ଚାଲିଥିଲା । ଆଉ ଆଖ ପାଖରେ ଖୁବ୍ ପ୍ରସିଦ୍ଧି ଲାଭ କରିଥିଲା ‌। ଦୂର ଦୂରରୁ ପ୍ରସିଦ୍ଧ ସଙ୍କୀର୍ତ୍ତନ ଦଳ ବିନା ନିମନ୍ତ୍ରଣରେ ଆସି ସଙ୍କୀର୍ତ୍ତନ କରି ଯାଉଥିଲେ । ଆଖପାଖ ଗାଁରୁ ବହୁ ସଂଖ୍ୟାରେ ଦେଖାଣାହାରୀ ଆସୁଥିଲେ । ଏମାନଙ୍କୁ ଅନୁକରଣ କରି ଗାଁର ବାକି ସାହିର ଆଉ ଅନ୍ଯ ଗାଁ ମାନଙ୍କରେ ଛୁଆଙ୍କ ଅଷ୍ଟପ୍ରହରୀ ଆରମ୍ଭ ହୋଇ ଯାଇଥିଲା । ହେଲେ କେହି ଏତେ ପ୍ରସିଦ୍ଧି ଲାଭ କରିପାରି ନଥିଲେ କି କେହି ବାର ବର୍ଷ ପୂରଣ କରି ପାରି ନଥିଲେ । ଏହାର ସବୁଠୁ ବଡ଼ ବିଶେଷତା ଥିଲା ଦଶମ ପରର ପିଲାଏ ଏଥିରେ ମୁଖ୍ୟ ଦାୟିତ୍ଵ ନିର୍ବାହ କରୁ ନଥିଲେ , ଛୋଟ ପିଲାଙ୍କୁ ଛାଡ଼ି ଦିଆ ଯାଉଥିଲା ସବୁବେଳେ ଆଗକୁ । ବଡ଼ ଲୋକେ କି ବଡ଼ ପିଲା କେବେ ବି ହସ୍ତକ୍ଷେପ କରୁ ନଥିଲେ ।


ଗୋଟିଏ ବର୍ଷ ଛୋଟ ଏକ ଲଜ୍ୟାକର ଆଉ ହାସ୍ୟାସ୍ପଦ ଘଟଣାଟିଏ ଘଟିଯାଇଥିଲା । ପାଞ୍ଚ ଛଅଜଣ ପିଲାଙ୍କର ଗୋଟିଏ ଦଳ ଖରାବେଳେ ସଙ୍କୀର୍ତ୍ତନ କରୁଥିଲେ । ପ୍ରଥମ ବର୍ଷ ପରେ ପ୍ରତି ବର୍ଷ ମାଇକ ଯୋଗେ ସଙ୍କୀର୍ତ୍ତନ ଚାଲିଥାଏ‌ । ସେବେଠୁ ପିଲାମାନେ ଅଧିକ ଉତ୍ସାହର ସହ ନାମ କୀର୍ତ୍ତନ କରନ୍ତି । ପିଲା ଦଳଟି ଗିନି ଆଉ ମୃଦଙ୍ଗ ସହ ନିତାଇଗୌର ରାଧେଶ୍ଯାମ , ହରେକୃଷ୍ଣ ହରେରାମ ଗାଉଥିବା ବେଳେ , ଟିଙ୍କୁ ବୋଲି ପିଲାଟିଏ ସନିଆ ନାମକ ପିଲାଟିକୁ ପଚାରିଲା , କିରେ ତୋ ଭଉଣୀ ସ୍କୁଲ କାହିଁକି ଯାଉନି ? ନିତାଇଗୌର ରାଧେଶ୍ୟାମ ହରେକୃଷ୍ଣ ହରେରାମ । ସନିଆ କହିଲା , ସେ କୁକୁର ଗୁହ ମାଡ଼ି ଦେଇଛି , ନିତାଇଗୌର ରାଧେଶ୍ୟାମ ହରେକୃଷ୍ଣ ହରେରାମ । ଆବେ କୁକୁର ଗୁହ ମାଡ଼ିଲେ ସ୍କୁଲ କାହିଁକି ଯିବେନି , ତୋର ଭଉଣୀର କାଳେ ବା ମେନ୍ସ ହେଇଛି ? ନିତାଇଗୌର ରାଧେଶ୍ୟାମ ହରେକୃଷ୍ଣ ହରେରାମ । 


ପିଲାଙ୍କର ହୋସ୍ ନାହିଁ ସେମାନେ କେଉଁଠି ଆଉ କେଉଁ ପରିବେଶରେ କିଭଳି କଥାସବୁ ହେଉଛନ୍ତି ସେ ପୁଣି ମାଇକ୍ ଯୋଗେ ! ପୂରା ଗାଁ ଏ ସବୁ କଥା ଶୁଣୁଥାଏ , ହେଲେ କିଂ କର୍ତ୍ତବ୍ୟ ବିମୁଢ ! ଅଳ୍ପ ଦୂରରେ ଥିବା ଦୁଇ ଜଣ ଟୋକାଙ୍କ କାନରେ ଯେମିତି ଏକଥା ପଡ଼ିଛି ଦୌଡ଼ି ଆସି ଟିଙ୍କୁ ଆଉ ସନିଆକୁ ଟେକିନେଇ ଚାଲିଗଲେ ବାହାରକୁ ଲୋକଲୋଚନର ଦୂରକୁ । ଚାପୁଡ଼ାଟିଏ ଲେଖାଏଁ ଗାଲରେ କଷିଦେଇ ହସି ହସି ବେଦମ୍ ହେଲେ ଆଉ ମାରି ପାରିଲେ ନାହିଁ । ବିଚରା ସନିଆ ଆଉ ଟିଙ୍କୁ ବୁଝି ପାରିଲେ ନାହିଁ ତାଙ୍କର ଦୋଷ କ'ଣ ?


ଏହି ଛୋଟିଆ ଏକ ଲଜ୍ୟାକର ଘଟଣା ବ୍ୟତୀତ ବାର ବର୍ଷ ବଡ଼ ସୁରୁଖୁରୁରେ ଆଉ ଜାକଜମକରେ ଅଷ୍ଟପ୍ରହରୀ ପାଳିତ ‌ହୋଇଥିଲା । ଶେଷ ବର୍ଷ ହଜାରରୁ ଉର୍ଦ୍ଧ୍ବ ଲୋକ ପ୍ରସାଦ ସେବନ କରିଥିଲେ । ‌ଦଶରୁ ଚଉଦ ବର୍ଷର ପିଲାଙ୍କ ନିରବଚ୍ଛିନ୍ନ ଆଉ ଅବିଶ୍ରାନ୍ତ ମିଳିତ ଉଦ୍ୟମ ଯୋଗୁଁ ଏକ ଅକଳ୍ପନୀୟ ଅସମ୍ଭବ କାର୍ଯ୍ୟଟି ଠାକୁର ପାଟଣାରେ ଛୋଟ ଛୋଟ ପିଲାମାନେ ବଡ଼ ସହଜତାର ସହ ସମ୍ପାଦନ କରିଥିଲେ । ଆଜି ଯାଏଁ ଲୋକଙ୍କ ମନରେ ଏହା ଏକ ଅଭୁଲା ସ୍ମୃତି ହୋଇ ରହିଅଛି ।   


 


Rate this content
Log in

Similar oriya story from Drama