ମହାପ୍ରସାଦ
ମହାପ୍ରସାଦ
ପେଷାରେ ନାପିତ ହେଲେବି ନରୁଆ (ନରୋତ୍ତମ ) ବାରିକ ଜଣେ ନାମକରା ଟେଲର ମାଷ୍ଟର | ଘର ରତାଇ ଗ୍ରାମରେ ହେଲେବି ଅନତି ଦୂରରେ ବଗଦା ଗ୍ରାମର ପେଣ୍ଠସ୍ଥଳୀ ଅଦଭୁତିଆ ମାର୍କେଟରେ ଏକ ଛୋଟ କେବିନ ପକେଇଛନ୍ତି “ ସୋନେକ୍ସ ଟେଲର୍ସ “ | ବହୁ ଦିନରୁ ସେ ତାଙ୍କର ଆସନ ଯମେଇ ଜୀବନ ନୌକାକୁ ବେଶ ସୁରୁଖୁରରେ ଚଳେଇ ଚାଲିଥାନ୍ତି |
ସେହି ଅଦଭୁତିଆ ମାର୍କେଟରେ ପାଖ ରାଣୀଖୁଡୀ ଗ୍ରାମର ଭୀମ ଚରଣ ବେହେରା ଅର୍ଥାତ ଭୀମା ବେହେରାଙ୍କର ଗୋଟେ “ମାତା ସିଙ୍ଗାରବୁଢି ମିଷ୍ଟାନ୍ନ ଭଣ୍ଡାର “ ନାମରେ ମିଠା ଦୋକାନ ବି ଅଛି | ନରୁଆ ବାବୁ ଖିଆ ପିଆ ସେଠାରେ ସବୁବେଳେ କରନ୍ତି | ଭୀମା ବେହେରା ଥିଲାବେଳେ ମିଠା ଖାଆନ୍ତି ,ମିଠା ପ୍ୟାକେଟ କରି ନିଅନ୍ତି ଆଉ ପଇସାବି ନଗଦ ଦିଅନ୍ତି | ମାତ୍ର ଦିନ ୧୨ଟା ପରେ ଭୀମା ବଡାପ ଘରକୁ ଗରମ ଗରମ ଭାତ ଗଣ୍ଡେ ଖାଇବାକୁ ବାହାରିଲେ , ନରୁ ବାବୁଙ୍କ ପାଟିରୁ ଲାଳ ବୋହିବାକୁ ଆରମ୍ଭ ହୋଇଯାଏ | ସେ ନିଜକୁ ଥୟ କରି ପାରନ୍ତି ନାହିଁ | ସାନ ପୁଅ ଘୁନୁଆ ମିଠା ଦୋକାନରେ ଥିବ | ତାକୁ ମାନେ କି’ଏ ନା ପଚାରେ କି’ଏ କଡା ଗଣ୍ଡାରେ ? ମିଠା ବଡ଼ାରୁ ଚାରିଟା , ଛେନାଗଜାରୁ ଗୋଟାଏ-ଦିଟା , ମାଲପୁଆରୁ ଗୋଟେ ପାଟିକୁ ପକେଇ ଦେଇ ପାଟିକୁ ମିଠା ମିଠା କରିହୁଏ , ପାଟିକୁ ଗାଈ ଭଳିଆ ପାକୁଳି କରୁ କରୁ ବେଶ ମଉଜ ଲାଗେ | ପଇସା ମାଗିଲେ ଦିଆହେବ କହି ବାଁଆରେଇ ଦିଏ | ନରୁ ବାରିକଙ୍କ ଏହା ଦୈନନ୍ଦିନ ଜୀବନ କହିଲେ ଆଦୌ ଅତ୍ୟୁକ୍ତି ହେବନାହିଁ | ଦିନ ୧୨ଟା ବାଜିଲେ ନରୁ ବାବୁଙ୍କର ନାଁ କାମରେ ମନ , ନାଁ ସିଲେଇରେ ଧ୍ୟାନ , ନାଁ ବୋତାମ ଲଗେଇବାରେ ଚଇତନ | ମନ ଖାଲି ମିଠା ଖାଇବାରେ | ଖାଲି ଜିହ୍ଵା ସୁଖ ଉଠେଇବାରେ ମନ ଖାଲି ଛନ ଛନ କନ କନ | ବୁଢା ଉଠିଲେ ସାର ଦୋକାନରୁ ଉଲ୍ଲେହିବେ ଆଉ ତରାସିଆ ଡହଳିଆ ସିଧା ଯାଇ ମିଠାଦୋକାନ ପିଣ୍ଡାରେ ହାଜର | ଯେମିତି ମହାଜନର ପିଆଦା | ରୂଷିଆର ବିଶ୍ଵବିଖ୍ୟାତ ଓ ନୋବେଲ ବିଜୟୀ ମନତତ୍ତ୍ଵବୀତ ଇଭାନ ପାବଲଭଙ୍କ ଲାଇକା କୁକୁର ଭଳି ଭଳି ଆପେ ଆପେ ମନଟା ମିଠାଳିଆ ସୁଆଦିଆ ହୋଇଯାଏ |ଭୀମା ବେହେରା ଆଜି ଘରକୁ ଯାଇନାହାନ୍ତି | ଦିନ ୧୨ଟା ବାଜି ଗଲାଣି | ବୁଢା କାଠ ତେଲିଆ ଚୌକିରେ ବେଶ ଆରାମରେ ଆଉଜି ବସିଛି | ମନକୁ ସମ୍ଭାଳେ କିଏ ?
ସୁଲଳିତ ଆଲବମ ସଙ୍ଗୀତର ମୂର୍ଚ୍ଛନା –ରୂପା ବଗିଚାରେ ସୁନାର ଫୁଲ ---କି’ଏ ତୋଳିନେବ ଦେଇ ତା’ ମୂଲ--- ଗୁଣୁଗୁଣେଇ ନରୁବାବୁ ବାହାରିଲେ | ଲମ୍ବା ଆଇନାରେ ନିଜକୁ ଦେଖିନେଇ ବାଳକୁ ଥରେ ପଛଆଡୁ ହାତରେ ଶାଉଁଳି ନେଲେ | ଝକାସ ---ବିନ୍ଦାସ |
“କ’ଣ ବେହେରା ପୁଅ ! ବସିଛ ! ନମସ୍କାର | ଭାତଖିଆ ଆଜି ନାହିଁ କି ? ଘରଆଡେ ଯାଇନ କି ? କିଛି ଅସୁବିଧା ଅଛି କି ? କହୁ କହୁ ଦୋକାନରେ ପଶିଲେ ନରୁ ବାବୁ ଏବଂ ଚିରାଚରିତ ଦେହସୁଆ ନୀତିଦିନିଆ ଢଙ୍ଗରେ କିଛି ମିଠା ଉଠେଇ ପାଟିରେ ପକେଇଲେ | ଚଳିବନି ---ଚଳିବନି --- କାହିଁ କାଳିପଦା ଦାଶ ମିଠା ? କି ସୁଆଦିଆ –କି ବାସ ?ପାଟିରେ ପକେଇଲେ ମିଳେଇ ଯାଏ |କଟକ –ଭୁବନେଶ୍ଵର ଦାମା ମହାରାଜାର ବି କାନ କାଟିଦେବ | ଜମାରୁ ଚଳିବନି |---କଥା ଅନର୍ଗଳ ଚାଲିଥାଏ | ପାଟି ଆଉ ହାତର ଯୁଗଳବନ୍ଦିବି ଚାଲିଥାଏ |
“କ’ଣ ସବୁ ଖାଇଯାଉଛ ? ପଚାରା ନାହିଁ କି ବିଚାରା ନାହିଁ ? ଅଇଁଠା କରିଦେଲ ବାରିକ ପୁଅ |ମାରା କରିଦେଲ ନାପିତ ପ୍ରବର | ଆମ ବେପାର ଭୁଟ କରିଦେବ ନାଁ କ’ଣ ? ହଉ ହଉ ! ଯାହା ଦରକାର ଆମକୁ କୁହ ଭାଇ ! କ’ଣ ସବୁ ଖାଇଲୁ –କହିଲୁ ଦେଖି –ମନେ ମନେ ହିସାବ ଥୁଆ | ମୋଟ ୨୮ ଟଙ୍କା ହେଲା | ପକା ପଇସା | ନୋହିଲେ ଶଳାକୁ ଛେଚିଦେବି | ପାଇଗଲ ବାପ –ଦାଦା ଦୋକାନ | ଖାଲି ବୁଢା ଉଠିବାକୁ ଚାତକ ଭଳିଆ ଅନେଇ ବସିଛ | ଆସିଗଲେ ପଙ୍ଗପାଳ ଦଳ | ଗେଂପିଦେଲେ ଆଁ କରି | ମନଇଛା ଚାପିଦେଲେ |”---ଟିକେ ଦମ ନେଲେ ଭୀମା ଦେହେରା |
“ପଇସା ଅଛି ତ ଖାଅ | ନୋହିଲେ ଦୋକାନ ପିଣ୍ଡା ନ ମାଡ | ତୁମ ଭଳିଆ କେତେ ଖପରାକାତିଆ ଗରାଖ ଦେଖିଛି | ଶଳା ଖାଲି ପୁଳାରେ ଗିଳିବା ---ଟଙ୍କା ନଦେଇ ମାଗଣାରେ ଖାଇବା ପୁରା ପୁରି ଅଭ୍ୟାସରେ ପରିଣତ ହୋଇଗଲାଣି | “
୨୮ ଟଙ୍କା ଦେଇକରି ଆସିଲେ ନରୁବାବୁ ସେଦିନ | କାନ ମୁଣ୍ଡା ଆଁଉସି କରି ଚାଲିତ ଆସିଲେ , ମାତ୍ର ମନଟା ଜମାରୁ ବୁଝିଲାନି | ଦୀର୍ଘ ବାର ବର୍ଷର ଅଭ୍ୟାସଟା କ’ଣ ଶୁଖୁଆ ପୁଡାରେ ଯିବ ? ନାଁ କଦାପି ନୁହଁ ?
ଆଇଡିଆ –ଏକ ଆଇଡିଆ ଜୋ ବଦଲ ଦେ ଆପକୀ ଦୁନିଆ – ଆଇଡିଆ ମୋବାଇଲର ସ୍ଲୋଗାନଟା ମନକୁ ବାରମ୍ବାର ଆନ୍ଦୋଳିତ କରୁଥିଲା |
ନରୁବାବୁ ଚାହିଁଲେ ମାଉସୀ କାଖରେ ଗରା ନେଇ ଆସୁଛନ୍ତି ପୂର୍ବ ଦିଗରୁ |ଝଙ୍କାଳିଆ ବରଗଛ ଉହାଡ଼ରେ ମାଉସୀ ଆସୁଥିବାର ଦେଖିଲେ | ମାଉସୀ ଅର୍ଥାତ ଭୀମା ବେହେରାଙ୍କ ସହଧର୍ମିଣୀ ଶ୍ରୀମତୀ ତୁଲସୀ ବେହେରା | ହସ ହସ ମୁଁହ ସବୁବେଳେ | କଠାଏ କଥାରେ ଆଉ ମୁଠାଏ ହସରେ ସମସ୍ତଙ୍କୁ ଆପଣାର କରିନେବାର , ପରଆପଣାକୁ କିଣିନେବାର ଅଜବ କାଇଦା ଅଛି | ପାନଖିଆ ପାଟିକୁ ହସୁଆ ଚେହେରା ବେଶ ମାନେ | ସେ ଦୈନିକ ଉପରଉଳି ଦୋକାନକୁ ଆସନ୍ତି | ପାଣି ଭର୍ତ୍ତିକରି ଯାନ୍ତି | ମୁଣ୍ଡକୁ ଆଇଡିଆ ଜୁଟିଗଲା ନରୁବାବୁଙ୍କର | “ମା’ ! ତୁମେ ଆଜିଠାରୁ ମୋର ମା’ ହେଲ | ଏ ଅଧମ ନାରାଧାମ ମାତୃ –ବିୟୋଗରୁ ,ମାତୃ-କରୁଣାରୁ ଚିର ବଞ୍ଚିତ ଆଜି ପୁନର୍ଜନ୍ମ ପାଇଲା | କହିଲ ମା’ ! ତୁମ ସ୍ନେହିଳ ପରଶ ଆଉ ସ୍ନେହବୋଳା ମିଶ୍ରିଗୋଳା କଥା-ପଶରାର ପଟାନ୍ତର ଏ ଖଣ୍ଡ ମଣ୍ଡଳରେ କାହିଁ ? କିନ୍ତୁ ଚନ୍ଦ୍ରରେ କଳଙ୍କ ଭଳି ବାପାଙ୍କ ବ୍ୟବହାର ଦିନକୁ ଦିନ ଚନ୍ଦ୍ରକଳା ସଦୃଶ ବଢି ଚାଲିଛି | କହିଲ ମା’ ! ବାପା କାହିଁକି ମୋ’ ଉପରେ ସବୁଦେଲେ ସଦା ସର୍ବଦା ରାଗରେ ଗରଗର ହେଉଛନ୍ତି | ତାଙ୍କୁ ଟିକେ ବୁଝେଇ ଦେବ | ବାପା ଆମର ଗୁରୁଜନ ଦେବପ୍ରତିମ ବ୍ୟକ୍ତି | ଗଣମାନ୍ୟ ସମାଜ ସେବକ | ମୁନି ସମାଜର ଜଣେ ଛାମୁଆ କର୍ମୀ | ରାଗିବା –ରାଗରେ ତମ ତମ ହେବା ତାଙ୍କ ପାଇଁ ଆଦୌ ଶୋଭନୀୟ ନୁହେଁ | ଲୋକେ କ’ଣ କହିବେ ? ଏ ସମାଜ ତାଙ୍କୁ ଆଙ୍ଗୁଳି ଦେଖେଇବ , ଠେଙ୍ଗା ଉଠେଇବ |
“ ତୁମେ ଆଜିଠାରୁ , ଏହି ବେଳରୁ ମୋର ଧର୍ମର ମା’ ହେଲ | ପକେଟରୁ ନାଲି କନାରେ ଗୁଡା ପୁରୀ ଜଗନ୍ନାଥଧାମ ଶ୍ରୀକ୍ଷେତ୍ରର ମହାପ୍ରସାଦ ବାହାର କଲେ ନରୁବାବୁ ଏବଂ ଅତି ସରାଗରେ ତୁଳସୀ ମାଉସୀଙ୍କୁ ଖୁଏଇ ଦେଲେ | ଆଉ ପାଦ ଛୁଇଁ ମୁଣ୍ଡିଆ ମାରିଲେ |
ମାଉସୀ ହତବାକ ହୋଇ ଆଖି ତରାଟି ବୋକି ପରି ଖାଲି ଶୁଣିଲେ ଆଉ ମୁଁହ ଖୋଲି ସେହି ପବିତ୍ର କଳାଠାକୁର ଧାମର ମହାପ୍ରସାଦ ଖାଇଲେ | ଧର୍ମ ପୁଅ ନରୁଆକୁ ତଳୁ ଉଠେଇଲେ ଆଉ ଅଭୟ ହାତରେ ଆଉଁସି ଆଣିଲେ |
ମାତ୍ର ଏପଟେ ଭୀମା ବେହେରା ପୁରା ପୁରି ବୁଝିଗଲେ ନାପିତ ପ୍ରବର ବୀରବର ନରୁଆ ବାବୁଙ୍କର ଉପସ୍ଥିତ ବୁଦ୍ଧି | ମାଉସୀଙ୍କୁ ଧର୍ମର ମା’ ବନେଇ ଭୀମା ମଉସାଙ୍କୁ ଧର୍ମର ବାପା ବୋଲି ଡାକି –କହି ନିଜର ଦୋକାନରୁ ଦୈନିକ ସୁଆଦିଆ ମନମତାଣିଆ ମିଠା ଖାଇବାକୁ ନିଚ୍ଛକ ବାହାନାଟା ମହାପ୍ରସାଦର ଆଢୁଆଳରେ ବାହାର କରିଥିବା ଯୋଗୁଁ ନରୁଆ ବାରିକର ଉନ୍ନତ ମଗଜକୁ ଉର୍ବର ଖପୁରି ତଳେ ସାଇତା ସୂକ୍ଷ୍ମ ବୁଦ୍ଧିକୁ ତାରିଫ ନ କରି ରହିପାରିଲେନି |
ନରୁ ବାବୁ ଧର୍ମ ବାପାଙ୍କୁ ଦଣ୍ଡବତ ହେଉଥିଲା –ପାଦ ଛୁଇଁ ଉଳଗି ହେଉଥିଲା --- ଦୁହେଁ ଦୁହିଁଙ୍କୁ ଚାହିଁକରି ମୁରୁକି ମାରୁଥିଲେ ଆଉ ମନେ ମନେ କାହାକୁ କିଛି ନକହି ସବୁ ବୁଝିଗଲେ ଭଳି ଲାଗୁଥିଲେ | ଅଦଭୁତିଆ ମାର୍କେଟରେ ସେଦିନ ସମସ୍ତେ କୁରୁଳି ମାରୁଥିଲେ |